ପ୍ରେତର ପ୍ରତିଶୋଧ ଭାଗ୧୪
ପ୍ରେତର ପ୍ରତିଶୋଧ ଭାଗ୧୪


ସେଠାରୁ ଫେରିବା ବେଳେ ମିତାର ଡାକ୍ତରୀ ଚିକିତ୍ସା କରିବାପାଇଁ ସରପଞ୍ଚଙ୍କୁ କହି ଆସିଥିଲି ; ଯଦିଓ ସେଥିରେ କିଛି ଲାଭ ହେବନି ବୋଲି ମୁଁ ନିଜେ ଜାଣିଥିଲି । କାରଣ ଏଥିମଧ୍ୟରେ ଭୂତପ୍ରେତଙ୍କ ପ୍ରତି ମୋର ମଧ୍ୟ ବିଶ୍ୱାସ ଆସିଯାଇଥିଲା । ଥାନାକୁ ଆସି ସାରଙ୍କୁ ଏ ସମସ୍ତ ବିଷୟ କହିଲି । ମୋଟାମୋଟି ଭାବରେ ପ୍ରଦୀପର ହତ୍ୟା ହେବା ପରଠାରୁ ସମସ୍ତ ଘଟଣା ଭୌତିକ ବୋଲି ମୁଁ କହିବାକୁ ଚାହୁଁଥିଲି । ସାର ସପୂର୍ଣ୍ଣରୁପେ ମୋ କଥାକୁ ବିଶ୍ୱାସ ନକଲେ ମଧ୍ୟ ଗମ୍ଭୀର ହୋଇ ସମସ୍ତ କଥା ଶୁଣିଲେ ।
'ଏବେ ଆପଣ କଣ କରିବାକୁ ଚାହୁଁଛନ୍ତି '? ସାର ମୋତେ ପଚାରୁଥିଲେ ।
'ମୁଁ ଏ କେସର ଇନଚାର୍ଯ ଦାୟିତ୍ଵରୁ ଅବ୍ୟାହତି ନେବାକୁ ଚାହୁଁଛି । ଆପଣ ଅନ୍ୟ କେଉଁ ଷ୍ଟାଫଙ୍କୁ ଦାୟିତ୍ଵଟି ଦିଅନ୍ତୁ । କିନ୍ତୁ ବ୍ୟକ୍ତିଗତ ଭାବରେ କେସଟି ଉପରେ ମୋ ନଜର ରହିବ ଓ ମୁଁ ଯାହା ବି କରିବି ନନ୍ଅଫିସିଆଲି କରିବି 'I
' ଓକେ.। ଆପଣ ମେଡିକାଲ ଲିଭ ନେଇଯା'ନ୍ତୁ । କିଛି ଦିନ ରେଷ୍ଟ ନେବା ଭିତରେ ଏ ସଂପର୍କରେ ଯେତିକି ପାରିବେ ସାହାଯ୍ୟ କରିବେ 'I
ସଂଧ୍ୟା ବେଳକୁ ମଦନ ଆସି ମୋ ପାଖରେ ପହଞ୍ଚିଗଲା ।
' କ'ଣ ଆଉ ଖବର ମଦନ '?
'ସାର ! ଗୋଟେ ବଡ ଖବର ଅଛି 'I
'କଣ କୁହ 'I
'ଆପଣ ଆଜି ସରପଞ୍ଚ ଘରକୁ ଯାଇଥିଲେ ଟି '?
'ହୁଁ ; ମୁଁ ଯାଇଥିଲି । ସେଇଠୁ କଣ ହେଲା '?
'ସାର ! ଆପଣ କଣ ଗୁଣି ଟୁଣି ଜାଣନ୍ତି'?
'ନାଇଁ ନାଇଁ , ମୁଁ ସେସବୁ କିଛି ଜାଣେନି । କାଇଁ କଣ ହେଲା କି '?
'ସାର ! ଆପଣ ଆସିବା ପରେ ଆମ ଗାଁ'ଟା ସାରା ହଲା ହେଇଯାଇଛି ଯେ , ପୋଲିସ ବାବୁ ଗୁଣି ଗାରେଡି ଜାଣିଛନ୍ତି । ତା'ନହେଇଥିଲେ ପଣ୍ଡିତଙ୍କ ଭୂତ ଭଳିଆ ଭୟଙ୍କର ଭୂତ କଣ ତାଙ୍କୁ ଛାଡ଼ିଥା'ନ୍ତା '?
'ଆଉ ସେ ଝିଅ ଖବର କଣ '? ମୁଁ ପଚାରିଲି ।
'ସେ କଣ ଆଉ ଭଲ ହେବ ସାର ! ଭୂତ ତାକୁ ନେଇକି ଯିବ । ସେ ସେମିତିକା ଅଛି 'l
'ଅଛା ହଉ ; ତୁମେ ଏବେ ଯାଅ । ମୋର କାମ ଅଛି 'I
ମଦନ ନମସ୍କାର କରି ଚାଲିଗଲା ।
ପରଦିନ ସକାଳୁ ମୁଁ ଆଶା କରୁଥିବା ଖବରଟି ମିଳିଗଲା । ଗତ ରାତିରେ ସରପଞ୍ଚଙ୍କର ସାନପୁଅ ବେକରେ ଦଉଡି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଥିଲା । ଖବରଟି ନିଜେ ମଦନ ନେଇକରି ଥାନାକୁ ଆସିଥିଲା । ମୋର ଡ୍ୟୁଟି ଅଫ୍ ଥିବାରୁ ମୁଁ ସାମାନ୍ୟ ବିଳମ୍ବରେ ବାଇକ ନେଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଡ୍ୟୁଟି ଅଫିସର ଦାସ ବାବୁ ସ୍ପଟ ଇନକ୍ଵାରୀ ସାରିଦେଇ ଷ୍ଟେଟମେଣ୍ଟ ନେଉଥିଲେ । କିଛି ସମୟ ତାଙ୍କୁ ସାହାଯ୍ୟ କରିବା ଭିତରେ ଘଟଣାଟିର ଗୋଟାଏ ମୋଟାମୋଟି ଧାରଣା ପାଇଗଲି ।
ଘଟଣାଟି ସଂକ୍ଷେପରେ ଏହିଭଳି :- ଗତକାଲି ସଂଧ୍ୟାବେଳେ ସରପଞ୍ଚଙ୍କ ଝିଅ ମିତାର ଦେହ ବହୁତ ଖରାପ ହେଲା । ଏଣୁ ତାକୁ ଡାକ୍ତରଖାନା ନିଆଗଲା । ମିତା ମଧ୍ୟ ବିନା ଆପତ୍ତିରେ ସୁନା ପିଲାଟି ଭଳି ଡାକ୍ତରଖାନା ଗଲା । ସେଠାରେ ପହଞ୍ଚିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ମିତାର ବେଡ଼ ଆଡମିଶନ ହେଲା । ଏଣୁ ଅଧିକ କିଛି ଲୁଗାପଟା ଓ ନଗଦ ଟଙ୍କା ଆଣିବା ପାଇଁ ସାନପୁଅ ବାଇକ ଯୋଗେ ଘରକୁ ଆସିଥିଲା । ସେ ସମୟରେ ପରିବାର ଲୋକ ସମସ୍ତେ ଝିଅ ପାଖରେ
ଥିଲେ ।
ପୁଅର ଫେରିବା ଡେରି ହେବାରୁ ସରପଞ୍ଚ ଖୋଜିବାକୁ ଆସି ପୁଅକୁ ପଙ୍ଖାରେ ଓହଳିଥିବା ଅବସ୍ଥାରେ ପାଇଲେ । ପାଖ ଲୋକଙ୍କୁ ଡାକି ଦଉଡି କାଟି ତଳକୁ ଆଣିଲା ବେଳକୁ ପୁଅର ଜୀବନ ଆଉ ନଥିଲା । ଏସବୁ ଭିତରେ ମୋ ପାଇଁ ଯେଉଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟଟି ଥିଲା , ତାହା ହେଉଛି ମିତା ଗତ ତିନି ଦିନ ଧରି ବନ୍ଦ ଥିବା ଘରେ ଘଟଣାଟି ଘଟିଥିଲା ।
ସେଠାରୁ ମିତାକୁ ଦେଖିବାକୁ ସିଧା ଡାକ୍ତରଖାନା ଗଲି । ମୋତେ ଦେଖି ମିତା ବେଡ଼ରେ ଶୋଇଥିବା ଅବସ୍ଥାରେ ହାତ ଯୋଡିଲା ।
'ଆପଣମାନେ ସମସ୍ତେ କିଛି ସମୟ ପାଇଁ ବାହାରକୁ ଯା'ନ୍ତୁ । ମୋର କିଛି କଥା ବୁଝିବାର ଅଛି 'I କହିସାରି ବେଡ ପାଖରେ ଥିବା ଚଉକିରେ ବସିଲି ।
'ଭଲ ଅଛନ୍ତି ଆଜ୍ଞା'? ମୁଁ ମିତାକୁ ଚାହିଁ ଗଣନାଥ ଶର୍ମାଙ୍କ ଉଦ୍ଦେଶ୍ୟରେ ପଚାରୁଥିଲି । ମୋ ମନ ଭିତରେ ଆଉ ପୂର୍ବଭଳି ଭୟ ନଥିଲା ।
ମିତା ମୁହଁରେ ମୃଦୁହାସ୍ୟ ଖେଳିଗଲା ।
'ସାର ! କାଲି ଆଉ ଗୋଟାକୁ ମାରିଦେଲି'। ମିତା ଫୁସ୍ ଫୁସ୍ ସ୍ୱରରେ କହୁଥିଲା।
'ମୁଁ ଜାଣେ । କିପରି ମାରିଲେ '?
'ଏ ଝିଅ ଡାକ୍ତରଖାନା ଆସିବା ପରେ ମୁଁ ସେ ଘରେ ଥିଲି । ଏ ଟୋକା ଘରକୁ ଯିବା ମାତ୍ରେ ତା' ଦେହରେ ପ୍ରବେଶ କରି ତାକୁ ସେ ଘର ଭିତରକୁ ନେଇଯାଇ ବେକରେ ଦଉଡି ଲଗାଇବାକୁ ବାଧ୍ୟ କଲି । ସେ ବହୁତ ଛାଟିପିଟି ହେଲା । ଶେଷରେ ହାର ମାନିସାରି ଦଉଡିରେ ଓହଳିଲା । ସେ ଓହଳିବା ମାତ୍ରେ ମୁଁ ତା' ଶରୀର ଛାଡ଼ିଦେଲି । ଏ ଟୋକା ମୋ ପୁଅ ବେକରେ ଗାମୁଛା ଭିଡ଼ି ମାରିଥିଲା'। ମିତା ଶେଷ ଆଡକୁ କାନ୍ଦୁଥିଲା ।' ଆଉ ତିନି ଜଣ ରହିଲେ । ଖୁବ ଶୀଘ୍ର ସେମାନଙ୍କର ପାଳି ପଡିବ ।
ମୋର ଯାହା ଜାଣିବା କଥା ଜାଣି ସାରିଥିଲି । ଚୁପ ଚାପ ଉଠି ବାହାରକୁ ଆସିଲି । . . . ସେଦିନ ସଂଧ୍ୟାବେଳେ ମୁଁ ମୋ କ୍ଵାଟର ସାମ୍ନାରେ ବସି କିଛି ପୁରୁଣା କେସର ପକ୍ଷମାନଙ୍କ ସଙ୍ଗେ ଆଲୋଚନା କରୁଥିଲି । ଗ୍ରାମରକ୍ଷୀ ମଦନ ଆସି ମୋ ପାଖରେ ଠିଆ ହେଲା ।
'ମଦନ'!
'ଆଜ୍ଞା ';
'କ'ଣ କିଛି କହିବ '?
'ଆଜ୍ଞା , ଟିକେ ଜରୁରୀ କଥା ଥିଲା' ।
'କୁହ '!
'ଆଜ୍ଞା ଏଠାରେ ନୁହେଁ ,କଥାଟା ପୁରା ସିକ୍ରେଟ 'I
ଚେୟାର ଛାଡ଼ି ଟିକିଏ ଦୂରକୁ ଆସିଲି ।
'ଏବେ କୁହ 'I
'ଆଜ୍ଞା ; କଥା କ'ଣ କି , ମିତା ଆଜି ଡାକ୍ତରଖାନାରୁ ଫେରି ଆସିଛି 'l
'କେତେବେଳେ '?
ଏବେ ସାଙ୍ଗେ ସାଙ୍ଗେ ହଜୁର । ସେ ଆସି ଘରେ ପହଞ୍ଚିଲା ପରେ ମୁଁ ଥାନାକୁ ଆସିଲି 'I
'ଭଲ ହେଲା । ଏଇଟା କଣ ଗୋଟେ ସିକ୍ରେଟ ଖବର '? ମୁଁ ସାମାନ୍ୟ ବିରକ୍ତ ହୋଇ କହିଲି ।
'ଆଜି ରାତିରେ କାହା ପାଳି ପଡିବ କେଜାଣି ? . . . ସାର ! ମୁଁ ଆଜି ଆଉ ଘରକୁ ଯିବିନି । ଏଇଠାରେ ରହିଯିବି 'I
'ପୋଲିସ ଡ଼ିପାର୍ଟମେଣ୍ଟରେ ରହି ଏତେ କ'ଣ ଭୟ କରୁଛ ?
'କଥା କ'ଣ କି ସାର ! ଜୀବନ୍ତ ଅପରାଧି ,ଚୋର ତସ୍କର ଇତ୍ୟାଦି ଅଲଗା କଥା ; ଗୋଟାଏ ପ୍ରେତ ସାଙ୍ଗରେ କେମିତି ଲଢିବି'?
'ତୁମକୁ ଲଢିବାକୁ କିଏ କହୁଛି '?
'ନାଇଁ ସାର , ରାତିରେ ଗଲାବେଳେ କାଳେ ହାବୁଡି ଯିବ'!
'ହଉ ହଉ , ତୁମ ଖୁସି ଯାହା ହେଉଛି କର'। କହିସାରି ମୁଁ ମୋ କାମରେ ମନ ଦେଲି ।
**** କ୍ରମଶଃ ****