STORYMIRROR

Siddhartha Sankar Tripathy

Abstract Tragedy Others

3  

Siddhartha Sankar Tripathy

Abstract Tragedy Others

ପ୍ରେତ କହୁଛି

ପ୍ରେତ କହୁଛି

3 mins
181


ବୋଉ ଲୋ .......

ଏ ବୋଉ ..........


ତୁ ଆଉ କାନ୍ଦେନା , ସେ ପୁରକୁ ଯାଇ କିଏ ଆଉ କ'ଣ ଫେରେ ? ତୁ ଅଶିକ୍ଷିତା ହେଲେ ବି ଏତିକି ତ ଭଲରେ ଜାଣିଛୁ। ତୋ ଆଖି ଖରାପ ଥିଲା। ଆଖିରୁ ପରଳ ବାହାର କରିବାର ଥିଲା। ବାପାଙ୍କୁ ପାରାଲିଶିସ। ଭଉଣୀ ରମାର ଭାବିବର ପାତ୍ରକୁ ଦେଖି ପ୍ରସ୍ତାବ ସ୍ଥିର କରିବାର ଥିଲା। ହେଲେ ବିଧିର ବିଧାନ କେ କରିବ ଆନ ଲୋ ବୋଉ !


ସେଇ ଜୁନ ଦୁଇ ତାରିଖ। ମନେ ଅଛି ନା । ଆଜି ଆସି ହେଲାଣି ଜୁଲାଇ ଚଉଦ। ବହୁତ ଲୋକ ଭୁଲିବାକୁ ଲାଗିଲେଣି ସେଇ କାଳରାତ୍ରୀ। କରମଣ୍ଡଳ ବି ନୂଆଁ ବେଶରେ ସେଇ ରାସ୍ତାରେ ଅଣ୍ଟା ସଳଖି ଚାଲିବାକୁ ଲାଗିଲାଣି। ହେଲେ ତୁ କାହିଁକି ଭୁଲୁନୁ ଲୋ ବୋଉ !


ସେଦିନ ମୁଁ ସାଲିମାରରୁ ଘରକୁ ଫେରୁଥିଲି କରମଣ୍ଡଳରେ। ବାପାଙ୍କ ପାରାଲିଶିସ ପାଇଁ ଦେଶୀ ଔଷଧ, ଭଉଣୀ ରମା ପାଇଁ ପାଟ ନେଇ ଆସୁଥିଲି।

ଏ ବାବୁମାନେ ! ଶୁଣୁଚ ନା ! ମୁଁ ପ୍ରେତ କହୁଛି ।

ମୋ ନାଆଁ ଟୁନା। ମୋ ଘର ଅନୁଗୁଳ ଜିଲ୍ଲା। ସେଦିନ ଥିଲା ଜୁନ ଦୁଇ, ଦୁଇହଜାର ତେଇଶି। ମୁଁ ସେଦିନ କଲିକତାରୁ ଘରକୁ ଫେରୁଥିଲି। ମୋ ମାଆ ବି ମୋ ଆସିବା ବାଟକୁ ଅନେଇ ବସିଥାଏ। ମୋ ପୁଅ ଆସିବ। ଘରର ଏକମାତ୍ର ରୋଜଗାରିଆ ପୁଅ ମୁଁ ଥିଲି ଓ କଲିକତାରେ କାମ କରୁଥିଲି। ଦିପଇସା ଅଧିକ ରୋଜଗାର ଆଶାରେ ମୁଁ ଆସି ଏଇଠି କାମ କରୁଥିଲି, ନହେଲେ ଘର ଚଳିବ କେମିତି ?


ରେଳରେ ଚଢ଼ି ମାଆକୁ ଫୋନ କଲି। ତାପରେ ବାଲେଶ୍ଵର ପହଞ୍ଚୁ ପହଞ୍ଚୁ ବୋଉର ଫୋନ। ତୁ କୋଉଠି ପହଞ୍ଚିଲୁ ? ମୁଁ କହିଲି ବାଲେଶ୍ଵର।

ବୋଉ କହିଲା, ବାବୁରେ ! ଜିନିଷପତ୍ର ଥିବ। ଆଜିକାଲି ରେଳରେ ଚୋରି ଅଧିକ , ଶୋଇବୁନି। ବସରେ ଆସିଥାନ୍ତୁ, ରାତିରେ ବସି ସକାଳେ ଓହ୍ଲେଇଥାଆନ୍ତୁ।ହଉ ଲୋ ବୋଉ ରଖୁଛି କହି ଫୋନ କାଟିଦେଲି। ଆଖି ଲାଗିଗଲା।


କିଛି ସମୟ ପରେ ହଠାତ .....


ଧଡ଼ ... ଧଡ .... ଧଡ଼


ରେଳ ହଲିବାକୁ ଲାଗିଲା। କିଛି ବୁଝି ହେଉ ନଥାଏ କ'ଣ ହେଇଛି ରେଳ ଭିତରେ। ଶୁଭୁଥାଏ ଖାଲି ଆମକୁ ବଞ୍ଚାଅ, ଆମକୁ ରକ୍ଷା କର। ହଠାତ ରେଳର ଏକ ଲୁହା ମୋ ମୁଣ୍ଡରେ ବାଡେଇ ହୋଇଗଲା। ମୁଁ ରକ୍ତାକ୍ତ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଥିଲି, ମୋ ଉପରେ ଦୁଲଦାଲ ହୋଇ କୁଢ଼ କୁଢ଼ ମଣିଷ ଲଦି ହୋଇଗଲେ। ମୁଁ ସିଟ୍ ଭିତରେ ଲୋକଙ୍କ ଚାପରେ ଚାପି ହୋଇ ଯାଇଥିଲି। ତାପରେ ଦେଖିଲି ମୋ ରକ୍ତାକ୍ତ ଶରୀରଟା ଶବ ପାଲଟି ଯାଇଛି। ଚାରିଆଡେ ଖାଲି ଆର୍ତ୍ତଚିତ୍କାର।


 ବଞ୍ଚାଅ,ବଞ୍ଚାଅ ,ବଞ୍ଚାଅ।


ମୋ ଶବସହ ଅନେକ ଶବ ଛିଟିକି ହୋଇ ପଡ଼ିଥିଲା। ତାପରେ ସ୍ଥାନୀୟ ଲୋକ ପହଞ୍ଚିଥିଲେ। ରେଳଡବା କାଟି ମୋ ଶବ ସହ ଅନ୍ୟ ଶବ ଟ୍ରାକ୍ଟରରେ ବୋହି ନେଇଯାଇଥିଲେ ବାହାନଗା ଉଚ୍ଚବିଦ୍ୟାଳୟ ପରିସରକୁ।


ଆମ ଘରକୁ ଖବର କିଏ ଦେଲା ମୁଁ ଜାଣିନି, ଛଅ, ସାତ ଘଣ୍ଟାପରେ ଆମ ଘରଲୋକ ଆସି ପହଁଚିଗଲେ। ମୋ ମାଆ ମୁଣ୍ଡ ପିଟି କାନ୍ଦୁଥିଲା। ମୁଁ ଯେତେ ତା ପାଖକୁ ଯାଇ ବୁଝାଇଲେ ବି ସେ ବୁଝୁ ନଥିଲା। ଆମ ସାହିର ସୀମା ଭାଉଜ ବି ତାକୁ ଭିଡ଼ି ଧରି ବହୁତ ବୁଝାଇଚାଲିଥିଲେ। 


ମୋ ଧନ କୁଆଡେ଼ ଗଲୁରେ କହି ମୋ ମାଆ ମଥା ପିଟି କାନ୍ଦୁଥିଲା। ତାପରେ ମୋ ଶବକୁ ନେଇ ଘରକୁ ଚାଲିଗଲେ। ଭଉଣୀ ରମା ଭୋ ଭୋ କାନ୍ଦୁଥିଲା। ମୋ ଶବ ମଶାଣିରେ ପୋଡା ହେଲା। ଶୁଦ୍ଧିକ୍ରିୟା ପାଇଁ ଜିନିଷ ଯୋଗାଡ଼ ଚାଲିଥାଏ। ମୋ ସାଙ୍ଗମାନେ ମୋ ମାଆକୁ ବେଇ ସହାୟତା ଦିଆ ଯାଉଥିବା ସ୍ଥାନକୁ ଗଲେ। ମୋ ମାଆ ସହାୟତା ରାଶି ବଦଳରେ ମୋ ପୁଅକୁ ଫେରାଇ ଦିଅ କହି ମୁଣ୍ଡ ପିଟି କାନ୍ଦୁଥାଏ। ମୁଁ ପ୍ରେତ କହୁଥିଲି, ବୋଉ ଲୋ ! ମୁଁ ତ ଆଉ ଫେରିବିନି, ଏ ପାଞ୍ଚଲକ୍ଷ ସହାୟତା ଗ୍ରହଣ କରେ। ଆଗକୁ ଆହୁରି ମିଳିବ। ବାପାଙ୍କ, ଚିକିତ୍ସା, ରମା ବାହାଘର ନହେଲେ କେମିତି ହେବ ?


ମୋ କଥା ବୋଉ ଶୁଣି ପାରୁନଥିଲା। ଧନରେ, ବାବୁରେ କହି ବାହୁନି ବାହୁନି କାନ୍ଦୁଥିଲା। ମୁଁ କହୁଥିଲି, ବୋଉ ଲୋ ! ତୁ କେତେ କାନ୍ଦିଲେ ବି ମୁଁ ଆଉ ଫେରିବିନି। ତାଛଡ଼ା ମୁଁ ବଞ୍ଚିଥିଲେ ବି ଏତେ ଟଙ୍କା କେବେ ଆଣିପାରିନଥାନ୍ତି। ଏ ଟଙ୍କା ତୋର ବହୁତ୍ କାମରେ ଆସିବ ଲୋ ବୋଉ। ତାଛଡ଼ା ତୁ ବି ବହୁତ୍ ଧାର କରଜ କରିଛୁ।


କିଛିଦିନ ପରେ ସବୁକିଛି ସ୍ଵାଭାବିକ ହୋଇଯିବ। ଏଇ ଯେମିତି କରମଣ୍ଡଳ। ଜାଣିଛୁ ବୋଉ ! କରମଣ୍ଡଳ ଆଜି ତା ରାସ୍ତାରେ। ସେ କହୁଛି ........।


ମୁଁ ସେଇ କରମଣ୍ଡଳ, ଯିଏ ଦୁଇଶହ ଅଠାଅଶି ଯାତ୍ରୀଙ୍କ ଜୀବନ ନେଇଯାଇଥିଲି । ପୁଣି ଅପବାଦ ମୁଣ୍ଡାଇ ଆଜି ଟ୍ରାକରେ ବୁଲୁଛି। ଏବେ ମଧ୍ୟ ଯାତ୍ରୀମାନେ ମୋତେ ଡରୁଛନ୍ତି। ମୋ ସିଟ୍ ରେ ବସି ଭଗବାନଙ୍କୁ ଡାକୁଛନ୍ତି, ପ୍ରଭୁ ! ଆମକୁ ରକ୍ଷାକର। ବୋଉ କହିଲୁ, ତାର କି ଦୋଷ ? ଦୋଷ ତାକୁ ଯିଏ ଚଳାଉଛି। ଆଜିକୁ ଛୟାଳିଶ ବର୍ଷ ହେଲା ସେ ଆମ ସେବା କରୁଛି। ପୂର୍ବକୁଳ ଅତିକ୍ରମ କରୁଥିବାରୁ ତା ନାଆଁ କରମଣ୍ଡଳ। ସବୁଠୁ ଦ୍ରୁତଗାମୀ ରେଳ ହିସାବରେ ସେ ଲୋକଙ୍କ ପ୍ରଥମ ପସନ୍ଦ ଥିଲା। ଆଜି ସମସ୍ତଙ୍କ ମନରେ ତା ପ୍ରତି ଘୃଣା। ତାର ବା କି ଭୂଲ ? ତାକୁ ବି କାଟି ଖଣ୍ଡ ଖଣ୍ଡ କରି ଦିଆଗଲା ।


କିନ୍ତୁ ବୋଉ ଲୋ !

ଧିରେ ଧିରେ ସବୁ ସ୍ବଭାବିକ ହେଲା। ତୁ ଆଉ କନ୍ଦେନା।

ଦୁର୍ଘଟଣା ତ ଦୁର୍ଘଟଣା ନା।

ଦୈବୀ ଦୁର୍ବିପାକ କିଏ ଅଟକେଇ ପାରିବ ଲୋ ବୋଉ। ଏଇ ଦେଖୁନୁ, କେତେ ପରିବାର ଅନାଥ ହୋଇଗଲେ। କାହାର ସ୍ଵାମୀ ଗଲା ତ କାହାର ସ୍ତ୍ରୀ। କାହାର ପୁଅ ଗଲା ତ କାହାର ବାପା। ଏଇ ଦେଖୁନୁ କେତେ ସିମନ୍ତିନିର ସିନ୍ଦୂର ଲିଭିଗଲା। ସେମାନେ ତ ସଂସାର ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେଣି।

ତୁ ବି ନିଜକୁ ଦୃଢ଼ କରେ ଓ ନିଶ୍ଚିତ ହୁଅ କେତେ କାନ୍ଦିଲେ ବି ତୋ ପୁଅ ଆଉ ଫେରିବନି। ମୁଁ ପ୍ରେତ ହୋଇ ତୋ ପାଖେ ପାଖେ ଥିବି ଲୋ ବୋଉ।

ତୁ ଆଉ କନ୍ଦେନି ଲୋ ବୋଉ, ମୁଁ ପ୍ରେତ କହୁଛି।



Rate this content
Log in

Similar oriya story from Abstract