ପ୍ରେମର ଗଭୀରତା
ପ୍ରେମର ଗଭୀରତା


ବାହାଘରର ପାଞ୍ଚବର୍ଷ ପରେ ପ୍ରେମର ସଂଜ୍ଞା ଯେମିତି ବଦଳିଯାଇଛି ସୁମିତ ଏବଂ ସିଦ୍ଧିଙ୍କ ପାଇଁ ।କଲେଜ ବେଳର ସେ ଭଲ ପାଇବା, ପରସ୍ପରର ସାଥୀହୋଇ ଜୀବନରେ ଆଗକୁ ବଢିବା ଆଦି ପ୍ରତିଶ୍ରୁତି ଯେମିତି ପ୍ରତିଶ୍ରୁତି ଥିବା ବେଳେ ଭଲ ଲାଗୁଥିଲା, ହେଲେ ବାହାଘର ପରେ ସେ ସବୁ ପାଣିରେ ଗାର ପରି ଲାଗେ ।ସେତେବେଳେ ଭଲପାଇବା ଦେଖେଇବା ପାଇଁ ଅନେକ ବାହାନା ଥିଲା, ଆଉ ଏବେ ଝଗଡା କରିବାପାଇଁ ।
ଅଫିସର କାମ ଆଉ ସିଦ୍ଧିଙ୍କ ଆକାଂକ୍ଷାକୁ ସାଙ୍ଗରେ ଧରି ଆଗକୁ ବଢିବା ସୁମିତଙ୍କ ପାଇଁ ଅନେକ କଷ୍ଟ, ହେଲେ ସେ' କେବେ ହାରମାନିନାହାନ୍ତି । ସିଦ୍ଧିଙ୍କ ସବୁ ଆଶା ପୂର୍ଣ୍ଣ କରିବାକୁ ସବୁବେଳେ ଚେଷ୍ଟା କରନ୍ତି ସୁମିତ, ହେଲେ ଆଜିର ଏ' ଦୁନିଆଁର ସବୁ ସୁଖ ତ ପଇସାରେ କିଣିହୁଏନି । ସିଦ୍ଧି ଚାହାଁନ୍ତି ସୁମିତ ତାଙ୍କ ସହ ବସି କେଇପଦ କଥା ହୁଅନ୍ତେ, ପୁରୁଣା ସ୍ମୃତି ସବୁ ତାଜା ହୋଇଯାଆନ୍ତା, ସାଙ୍ଗ ହୋଇ ଫିଲ୍ମ ଦେଖନ୍ତେ, ଆଇସକ୍ରିମ ଖାଆନ୍ତେ, ହେଲେ ସୁମିତଙ୍କ ପାଖରେ ସମୟ ନଥାଏ । ସେଥିପାଇଁ ସିଦ୍ଧିଙ୍କର ଅନେକ ଅଭିମାନ । ସେଥିଯୋଗୁଁ ହେଉଥିବା ଛୋଟ ଛୋଟ ଝଗଡା ଏବେ ବହୁତ ବଡ଼ ବଡ଼ ଝଗଡାରେ ପରିଣତ ହେଲାଣି ।
ଆଜି ସକାଳୁ ଅଫିସ ଗଲାବେଳେ ସୁମିତ ରାଗି ଅନେକ କିଛି ଶୁଣେଇ ଦେଇଛନ୍ତି ସିଦ୍ଧିଙ୍କୁ, "ତାଙ୍କୁ ଭଲ ପାଇବା ତାଙ୍କର ବହୁତ ବଡ଼ ଭୁଲ ଥିଲା, ଜୀବନ ବରବାଦ ହେଇଗଲା, ଏମିତି ଅନେକ "। ସିଦ୍ଧି ନିଜ ଘରକୁ ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି, ଆଟାଜ ସଜାଡ଼ିବାବେଳେ ଆଖି ପଡିଗଲା ପୁରୁଣା ଫୋଟୋ ଆଲବମ ଉପରେ, ଗୋଟେ ପରେ ଗୋଟେ ଫୋଟୋ ଦେଖିବା ସହ ଆଖିରେ ଲୁହ ଭରିଯାଉଥାଏ, ସେ' ବୋଧେ ଅନେକ କିଛି ଆଶା କରି ଟିକେ ସ୍ୱାର୍ଥପର ପାଲଟିଯାଇଛନ୍ତି, ତାଙ୍କୁ ସୁମିତଙ୍କ ଅବସ୍ଥା ବୁଝିବାର ଥିଲା ।ତେଣେ ସୁମିତଙ୍କ ମନ ଯେମିତି ନିଜକୁ ଅପରାଧୀ ଅନୁଭବ କରୁଥାଏ, "ସିଦ୍ଧିଙ୍କୁ ନିହାତି ସମୟ ଟିକେ ଦେବା ଉଚିତ, ସିଏ ଘରେ କେତେ ବୋର ନହେଉଥିବେ ।" ଆଜି ସିଦ୍ଧିଙ୍କୁ ସରି କହି ସରପ୍ରାଇଜ ଦେବା ପାଇଁ ମନପସନ୍ଦର ସମ୍ବଲପୁରୀ ଶାଢ଼ୀ ଗୋଟେ ନେଇ ଘରକୁ ଚାଲିଲେ ସୁମିତ ।କଳିଙ୍ଗବେଲ ମାରିବାରୁ ସିଦ୍ଧି ଆସି କବାଟ ଖୋଲିଲେ, ଉଭୟଙ୍କ ଆଖିରେ ଲୁହ ।"ମତେ କ୍ଷମା କର ସିଦ୍ଧି, ମୁଁ ତୁମକୁ ସମୟ ଦେଇପାରୁନି, ସୁମିତଙ୍କ କଥା ଶୁଣି ସିଦ୍ଧିଙ୍କ ଆଖିରୁ ଲୁହଧାର ବହିଯାଉଥାଏ, ସେ ମଧ୍ୟ ସୁମିତଙ୍କୁ କ୍ଷମା ମାଗିଛନ୍ତି, ସୁମିତ ତାଙ୍କ ଆଖିରୁ ଲୁହ ପୋଛି ଶାଢ଼ୀଟିକୁ ବଢ଼େଇଦେଇଛନ୍ତି ।ସାଙ୍ଗହୋଇ ଫୋଟୋ ଆଲବମଟିକୁ ଦେଖିବାବେଳେ ଉଭୟ ଅନୁଭବ କରୁଥାନ୍ତି ସେମାନଙ୍କ ଭିତରେ ପରସ୍ପର ପ୍ରତି ଥିବା ଭଲପାଇବାକୁ ଆଜି ସବୁ ଝଗଡାଠାରୁ ଜିତିଯାଇଥାଏ ସେମାନଙ୍କ ପ୍ରେମର ଗଭୀରତା ।