ପ୍ରେମିକା'ର ଭିନ୍ନ ରୂପ
ପ୍ରେମିକା'ର ଭିନ୍ନ ରୂପ


ତନୁଜା ସବୁବେଳେ ମୋ ପାଇଁ ଗୋଟେ ପ୍ରହେଳିକା ଭଳି ଥିଲା। ଆଜି ବି।
ବଡ଼ ଅଦ୍ଭୁତ ଝିଅ ଏଇ ତନୁ,ସମସ୍ତଙ୍କ ଠୁ ଭିନ୍ନ,ଏକଦମ ନିଆରା। ଲମ୍ବା ବେଣୀ ଵାଲୀ, ରୋକଠୋକ କଥା କହୁଥିବା ସ୍ପଷ୍ଟବାଦୀ ଝିଅ।ଯେମିତି ପ୍ରେମିକାଟିଏ ପାଇଁ ମନେ ମନେ ମୁଁ ଚାହୁଁଥିଲି।
ମୋ ସାଙ୍ଗମାନେ କହୁଥିଲେ,"ତନୁ ଗୋଟେ ଅଣ୍ଡିରାଚଣ୍ଡୀ,ଟମ୍ ବୟ।ତୁ ପସ୍ତେଇବୁ।"ଏତେ ବର୍ଷ ପରେ ତିରୁପତି ବାଲାଜୀଙ୍କ ମନ୍ଦିରରେ ଆମେ ଦୁହେଁ ଦୁହିଁଙ୍କୁ ଭେଟିଥିଲୁ।
ତା ସ୍ବାମୀଙ୍କ ସହ ପରିଚୟ କରାଇ କହିଲା "ଇୟେ ମୋ ହଜବ୍ୟାଣ୍ଡ ସୁଶୀଲ ମିଶ୍ର।ଆଉ ସୁଶୀଲ, ଇୟେ ମୋ ସ୍କୁଲ,କଲେଜ ବେଳ ସାଙ୍ଗ ଦୀପକ।"
ତା ସ୍ବାମୀଙ୍କ ସହ କରମର୍ଦ୍ଦନ କରି ନିଜ ସହଧର୍ମିଣୀଙ୍କ ସହ ପରିଚୟ କରାଇଦେଲି।ଦର୍ଶନ ପାଇଁ ଲାଇନରେ ଠିଆହେବା ପାଇଁ ଆହୁରି ଦୁଇଘଣ୍ଟା ବାକିଥିଲା।ଗପସପ ଚାଲିଲାବେଳେ ବାରମ୍ବାର ମୁଁ ଦେଖୁଥିଲି ତନୁକୁ ଆଉ ମନେ ପକାଉଥିଲି ପୁରୁଣା କଥା।
"ତୁ ମୋତେ ପ୍ରେମ କରୁଛୁ ? ଚିଠି ବି ଲେଖିଛୁ ?ଭାରି ସାହାସ ତ ତୋର ?ସାର୍ କିମ୍ବା ତମ ବାପାଙ୍କୁ ଏ ଚିଠି ଦେଖାଇଲେ ତୋ ଅବସ୍ଥା କଣ ହେବ ଜାଣିଛୁ ?"
ମୁଁ ଭୀଷଣ ଡରିଯାଇଥିଲେ ବି ସାହାସ କରି କହିଲି, ମୁଁ ମାଡ଼ ଖାଇଲେ ଯଦି ତୁ ଖୁସି ହେବୁ ତେବେ ଦେଖା।
ଆରେ ବାଃ, ତୋ ଚିଠି ପରି କଥା ବି ଭାରି ସୁନ୍ଦର।ଖରାପ କଥା କିଛି ଲେଖିବୁନି। ତେବେ ଏଣିକି ଚିଠି ଲେଖି ମୋତେ ସିଧା ଦେବୁ।ମୋସାଙ୍ଗ ଝିଅଗୁଡାକ ପେଟରେ କିଛି କଥା ରାହେନା।କିନ୍ତୁ ପରୀକ୍ଷାରେ ମୋତେ ସାହିତ୍ୟ ଓ ଗଣିତ ଦେଖାଇବୁ।"
ପିଲାବେଳ ବ୍ଲାକମେଲ !ବୋଧେ।ହସିଦେଇଥିଲି ସେଦିନ।ସେଇଠୁ ଆରମ୍ଭ ଆମ ପ୍ରେମ କାହାଣୀ। ତା ଲମ୍ବା ବେଣୀଟା କଳା ନାଗୁଣୀ ପରି ଓହଳି ଥାଏ ତା ପଛରେ।
"ମୋ ସହିତ ଦୁଷ୍ଟାମୀ କଲେ ,ମୋର ଏଇ ବେଣୀରେ ତଣ୍ଟିରେ ଗୁଡ଼ାଇ ମାରିଦେବି।"ଡରାଇଥିଲା ତନୁ।
ମୁଁ କିନ୍ତୁ ଦୁଷ୍ଟାମୀ କରିଥିଲି।ସେ ଶୋଇଥିଲା ବେଳେ ବ୍ଲେଡ଼ରେ ତା ବେଣୀରୁ ଟିକେ ଚୁଟି କାଟି,ଗୁଣ୍ଡୁଚି ମୁଷା ଲାଙ୍ଗୁଡ଼ ବାଳ ସହିତ ମିଶାଇ ଗାତ ଖୋଳି ପୋତି ଦେଇଥିଲି।ଏମିତି କଲେ ପ୍ରେମିକା ଜୀବନ ସାରା ତମ ବଶରେ ରହିବ ବୋଲି ଧୂଳିଆବାବା କହିଥିଲେ।
ସ୍କୁଲରୁ କଲେଜ।ମୋର ଇଂଜିନିଅରିଂ,ଆଉ ତନୁର ଆର୍ଟସ।ହଷ୍ଟେଲରେ ରହୁଥିଲା ସେ। ଗୋଟେ ବଡ଼ ଅପପ୍ରଚାର ଚାଲିଥିଲା ତନୁର ଅନ୍ୟ ଜଣଙ୍କ ସହ ନିବିଡ଼ ସମ୍ପର୍କକୁ ନେଇ ।
"ତନୁର ତା ରୁମମେଟ ଝିଅ ସହ ଚକ୍କର ଚାଲିଛି।" ଅନେକ ଭାବି ତାକୁ ପ୍ରଶ୍ନ କରିଥିଲି।
ଏକ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ମୋତେ କହିଥିଲା, "ମୁଁ କାହାକୁ ପ୍ରେମ କରିବି, ତା ମୋର ନିଜସ୍ୱ ଅଧିକାର।" କଥା କଟାକଟି,ମନୋମାଳିନ୍ୟ। ବାସ୍ ......। ପୁଣି ଏତେ ବର୍ଷ ପରେ ଆଜି।
କେମିତି ଅଛୁ ଦୀପକ ?
ଶୁଖିଲା ହସଟେ ହସି ଧୀର ସ୍ୱରରେ ତା କାନରେ କହିଲି, "ମୋତେ କ୍ୟାନସର। ଟ୍ରିଟମେଣ୍ଟ ଚାଲୁଛି। ଦର୍ଶନ ପାଇଁ ସ୍ତ୍ରୀ ବାଧ୍ୟ କରି ଆଣିଛି।"
ଆଖି ଛଳ ଛଳ ହୋଇଗଲା ତନୁ'ର।ଠିକ ସ୍କୁଲ ସମୟ ପରି। ଦର୍ଶନ ପରେ ମନ୍ଦିରରୁ ବାହାରିଲା ବେଳେ ତନୁ ମୋ ହାତ ଧରି କହିଥିଲା, ତୁ ନିଶ୍ଚୟ ଭଲ ହୋଇଯିବୁ।ଠାକୁରଙ୍କୁ ମୁଁ ଗୁହାରୀ କରିଛି।"
ଆଶ୍ଚର୍ଯ୍ୟ ହୋଇ ଅନେଇଥିଲି ତାକୁ।ଆଜି ପୁଣି ପ୍ରହେଳିକା ଭଳି ଲାଗୁଥିଲା ସେ। ସନ୍ଧ୍ୟାରେ କଲେଜ ସମୟର ବନ୍ଧୁ ବିକାଶକୁ ଫୋନ୍ କଲି।
"ଆଜି ତନୁ ଦେଖା ହେଲା।"
"ସେଇ ଲେସବିଆନ ତନୁ।"
"ସେମିତି ବାଜେ କହନା।ସେ ବାହା ହୋଇଛି। ସେ ଲେସବିଆନ ନୁହେଁ। ଆଜି ସ୍ୱାମୀ ସହ ବି ଦେଖା ହେଲା।"
"ଏମିତିକା ଝିଅମାନେ ନିଜକୁ ନର୍ମାଲ ଦେଖାଇବାକୁ ପୁଅଙ୍କୁ ବାହା ହୋଇଥାନ୍ତି।"
ମୁଁ କହିଲି,"ସେସବୁ କଥା ଛାଡ଼।ତନୁଜାର ଜଣେ ପ୍ରେମିକ ବିଷୟରେ ଆଜି ଜାଣିଲି।"
ସେ ଟୋକୀର ଲଭର କିଏ? ପଚାରୁଥିଲା ବିକାଶ।
ଫୋନ୍ ବନ୍ଦ କରିଦେଇ ମନେପକାଉଥିଲି ଆଜି ତନୁର ଲଣ୍ଡିତ ମୁଣ୍ଡ ଚେହେରାକୁ। ନିଜର କଳା ନାଗୁଣୀ ଭଳି ବେଣୀ ଥିବା ବାଳକୁ ସେ କଣ ମୋ ପାଇଁ ଠାକୁରଙ୍କ ପାଖରେ ଆଜି.....ସତରେ କଣ ସେ ମୋତେ...?