Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aravinda Das

Romance Thriller

3  

Aravinda Das

Romance Thriller

ପ୍ରେମଗଛ ର କାହାଣୀ

ପ୍ରେମଗଛ ର କାହାଣୀ

8 mins
626



ହ୍ବାଟ୍ସଅପ ରେ ଗଛ ଦୁଇଟା'ର ଫଟ ଭାଇରାଲ ହେବା ଯୋଗୁଁ ସମସ୍ତଙ୍କ ମନରେ ଟିକେ କୌତୁହଳ ସୃଷ୍ଟି ହୋଇଥିଲା।

- ମର୍ଫ ଚିତ୍ର ହୋଇଥିବ।ଆଜିକାଲି ଫଟସପ ସଫ୍ଟୱେରରେ ଏମିତି ସବୁ ମିଛ ଫଟ କରି ଅପଲୋଡ଼ କରୁଛନ୍ତି।ଆଗକୁ ଭାଲେଣ୍ଟାଇନ ଡ଼େ ପାଇଁ ଏମିତି କିଏ ବଦମାସୀ କରିଥିବ।"ଲୋକେ କୁହାକୁହି ହେଉଥିଲେ।

      'ପ୍ରେମ ଗଛ।' ଇଣ୍ଟରନେଟ ରେ ହୋଇଯାଇଥିଲା ନାମକରଣ।

   ପାଖାପାଖି ଥିବା ଜଙ୍ଗଲୀ ଗଛ ଦୁଇଟାର ଶିଉଳି ଲଗା ଗଣ୍ଡିଦ୍ବୟ ଏମିତି ଥିଲା ଯେ,ଦେଖିଲେ ଲାଗୁଥିଲା ସତେ ଯେମିତି ଚୁମ୍ବନ ଦିଆନିଆ ହେଉଛନ୍ତି ଦୁଇ ଗଛ।

       ଦେଖିଲେ ଲାଗୁଥିଲା ଯେମିତି ଗଛ ବଦଳରେ ଦୁଇଜଣ ପୁରୁଷ,ମହିଳା ପ୍ରେମାତୁର ଭାବେ ଚୁମ୍ବନ ଦେବାକୁ ଉଦ୍ୟତ।ତୃଷିତ ଅଧର ଯୁଗଳ ପ୍ରେମ ସୁଧା ପାନ ପାଇଁ ସତେଅବା ବ୍ୟାକୁଳ ହୋଇ ଉଠୁଛନ୍ତି।

      ସ୍ଥାନୀୟ ଏଫ ଏମ ରେଡିଓ ରେ,  ରେଡିଓ ଜକି ଭାବେ କାମ କରୁଥିବା ମାନସ ମନରେ ସେଇ ଫଟ ଟି ଦେଖି ଗୋଟେ ଆଇଡ଼ିଆ ଆସିଲା।ରେଡିଓରେ ଏଇ ପ୍ରେମ ଗଛ ଚିତ୍ର ବିଷୟରେ ଶ୍ରୋତାମାନଙ୍କୁ ଗୋଟେ ଚ୍ୟାଲେଞ୍ଜ ଦେଲେ କେମିତି ହୁଅନ୍ତା ?ପ୍ରେମ ଗଛ'ର ପ୍ରଥମ ସମ୍ବାଦଦାତାଙ୍କୁ ହୁଏତ କିଛି ପୁରସ୍କାର ବି ଦେଲେ ଲୋକେ ଆହୁରି ଆଗ୍ରହୀ ହୁଅନ୍ତେ। ହ୍ବାଟ୍ସଅପରେ ତ ଫଟ ଦେଖିଥିବେ ସମସ୍ତେ।

ଏମିତି ବି ମାନସ ଓ ତା ପ୍ରୋଗ୍ରାମ ବହୁତ ପପୁଲାର।ତା ଆହ୍ବାନକୁ ନିଶ୍ଚେ କିଛି ଭଲ ରେସ୍ପନ୍ସ ମିଳିବ।ଆଉ ଯଦିବି ସେଇ ଗଛ'ର ଠିକଣା ନମିଳେ, କିଛି ଟାଇମ ପାସ ଓ ମନୋରଞ୍ଜନ ର ଖୋରାକ ତ ମିଳିଯିବ।

 ରେଡିଓରେ ଘୋଷଣା କଲା ମାନସ ,"ବନ୍ଧୁଗଣ, ଆଜି ହ୍ବାଟ୍ସଅପ ରେ ପ୍ରେମ ଗଛ ଫଟ ତ ଦେଖିଥିବେ।ଭାଲେଣ୍ଟାଇନ ଡ଼େ ପାଇଁ ଏଇ ଗଛର ମହତ୍ତ୍ୱ ସ୍ପେଶାଲ।ଏଇ ଗଛ ସତରେ ଅଛି ନା ନାହିଁ ତାହା ସମସ୍ତେ ଜାଣିବାକୁ ଚାହାନ୍ତି।ଏ ଫଟ ବିଷୟରେ ଆପଣଙ୍କ ମତ ଦିଅନ୍ତୁ।ଆଉ ଯଦି କେହି ଏଇ ଗଛ ନିଜ ଆଖିରେ ଦେଖିଥାନ୍ତି ତେବେ ଫଟ ମୋତେ ହ୍ବାଟ୍ସଅପ କରନ୍ତୁ କିମ୍ବା କଲ କରନ୍ତୁ।ଲକି ବିଜେତାକୁ ମିଳିବ ଏକ ସୁନ୍ଦର ଉପହାର।"

   କଲ ଉପରେ କଲ ଆସୁଥିଲା।ଅଧିକାଂଶ କଲର କହୁଥିଲେ ଏମିତି ଗଛ ଜମାରୁ ନାହିଁ ।କିଏ କହୁଥିଲା ସେ ଏ ଗଛକୁ ସ୍ୱପ୍ନରେ ଦେଖିଛି ତ କିଏ କହୁଥିଲା ଲକ୍ଷେ ଟଙ୍କା ପ୍ରାଇଜ ଦେଲେ ସେ ଗଛ ବିଷୟରେ ଜଣାଇବ।

ଜଣେ ତ କହିଲା, "ଏ ଗଛ ଦୁଇଟା ଅଭିଶପ୍ତ ଗନ୍ଧର୍ବ ।"

   ରାତିରେ ଘରକୁ ଫେରିଲା ବେଳକୁ ମୋବାଇଲରେ ଗୋଟେ କଲ ପାଇଲା ମାନସ।

- ମାନସ ବାବୁ,ମୁଁ ବିପ୍ଲବ କହୁଛି।ସେଇ ପ୍ରେମ ଗଛର ଠିକଣା ଜାଣିଛି ମୁଁ।

- କେଉଁଠୁ କହୁଛ ?ସେଇ ପ୍ରେମ ଗଛ ଦେଖିଛ ? ତମେ ସତ କହୁଛ ବୋଲି ପ୍ରମାଣ କଣ ? ମୋ ସହ ଜୋକ୍ କରୁନ ତ ?

-ଆପଣ ନିଜେ ଆସି ଦେଖିପାରନ୍ତି। ଏଇ ପାଖ ହିଲଷ୍ଟେସନର ଜେନିଥ ଷ୍ଟ୍ରିଟର ଚାରି ନମ୍ବର ବଙ୍ଗଲୋରେ ,ଏକୁଟିଆ ରହୁଥିବା ବୃଦ୍ଧ ପିଟର ଡିମେଲୋଙ୍କ ଘରେ ମୁଁ, କେଆର ଟେକର ଭାବେ କାମ କରୁଥିଲି ।ସେଇଠି ଅଛି ସେ ଦୁଇ ଗଛ।ତେବେ ସେଇ ଦୁଇଟା ଯାକ ଗଛରେ ଭୁତ ଅଛନ୍ତି। "

- ହ୍ବାଟ ? ଭୁତ ?ସେ ଗଛରେ ଭୁତ ଅଛନ୍ତି ?ମୋତେ ଡ଼ରାଇବାକୁ ଚାହଁ ?"ହସିଲା ମାନସ।

-ଡ଼ରାଇବାକୁ ନୁହେଁ ସାର୍।ସତ କହୁଛି। ହଁ ,ସାର୍ ; ସେ ବୁଢ଼ା ବାଡିରେ ଥିବା ଏଇ ଗଛଦୁଇଟା ବିଷୟରେ ପ୍ରାୟ କେହି ଜାଣନ୍ତିନି।ତେବେ ଗଛର କିଛି ଦୂରରେ ଦୁଇଟା କବର ଅଛି।ପିଟର ବୁଢ଼ା ଜମା ମୁହଁ ଖୋଲେନା ସେ କବର ବିଷୟରେ।ରାତିରେ ବିଭିନ୍ନ ଶବ୍ଦ ଶୁଣାଯାଏ ସେ ଗଛ ପାଖରୁ।

ମୁଁ ତ ତିନିଦିନ ଭିତରେ ଚାକିରୀ ଛାଡ଼ିଦେଲି।ସେଥିପାଇଁ ତା ଘରେ କୌଣସି ଲୋକ ବେଶିଦିନ ରହନ୍ତିନି।ଆପଣଙ୍କ ବିଶ୍ବାସ ପାଇଁ ଫଟ କିଛି ପଠାଉଛି।ଆପଣ ନିଜେ ଥରେ ଯାଆନ୍ତୁ।ତେବେ ଦୟାକରି ମୋ ନାଁ କହିବେନି।"

- ତମେ ସତ କହୁଛ ବୋଲି ଗ୍ୟାରେଣ୍ଟି କଣ ଓ ମୁଁ ବିଶ୍ବାସ କାହିଁକି କରିବି ?

- ସତ ଜାଣିବା ପାଇଁ ଆପଣଙ୍କୁ କିଛି ତ ବିଶ୍ବାସ କରିବାକୁ ପଡିବ।"କହିଲା ବିପ୍ଲବ।

    ମୋବାଇଲ ଜି ପି ଏସ ରେ ଲୋକେସନ ଦେଖିନେଇ,ପରଦିନ ସକାଳୁ ମଟରସାଇକେଲରେ ବାହାରି ଗଲା ମାନସ।ନିଜ ପାଇଁ ବନ ଵିଭାଗ ଅଫିସର ଭାବେ ଏକ ମିଛ ପରିଚୟ ପତ୍ର ବନାଇଥିଲା ।ଠିକଣା ଜାଗାରେ ପହଞ୍ଚି ରାସ୍ତାରୁ ଦେଖିଲା ଘରଟିକୁ।

  ବହୁତ ପୁରୁଣା,ଅଥଚ ସୁନ୍ଦର ଏକମହଲା ବଙ୍ଗଲୋଟିଏ ରାସ୍ତା ରୁ ଟିକେ ଉଚ୍ଚରେ ଥିଲା।ଗେଟ ପାଖରୁ ଅନେକ ପାହାଚ ଚଢିଲା ପରେ ଘର ପାଖରେ ପହଞ୍ଚି ହେବ। ପ୍ରାୟ ହିଲ ଷ୍ଟେସନ ଓ ପାହାଡିଆ ଅଞ୍ଚଳରେ ଯେମିତି ଘର ଦେଖିବାକୁ ମିଳେ ପ୍ରାୟ ସେମିତି।  

         ଘରଟା ରକ୍ଷଣାବେକ୍ଷଣ ଅଭାବରୁ ଠାଏ ଠାଏ ଭାଙ୍ଗିଗଲା ଭଳି ଲାଗୁଥାଏ।ଘର ଚାରିପଟେ ବହୁତ ବଡ଼ ବଡ଼ ପାଇନ, ଇଉକାଲିପଟାସ ଓ ଅନ୍ୟାନ୍ୟ ଗଛ ସହ ବିରାଟ ବଗିଚା।ଘର ସାମ୍ନାରେ କିଛି ଜଙ୍ଗଲିଆ ଲଟା ଓ ଫୁଲ।

 ବିପ୍ଲବ କହିବା ଅନୁଯାୟୀ ଘର ପଛପଟେ ଜଙ୍ଗଲ ଭିତରେ ଥିବ ସେଇ ଦୁଇଟି ଗଛ।ଗାଡ଼ିକୁ ରାସ୍ତା କଡ଼ରେ ଥୋଇ ଆଗେଇଲା ସେଇ ଘର ଭିତରକୁ। କଲିଙ୍ଗ ବେଲ ମାରିଲା ପରେ ଜଣେ ବୃଦ୍ଧ ବ୍ୟକ୍ତି ବାହାରକୁ ଆସିଲେ। ନିଶ୍ଚେ ମିଷ୍ଟର ପିଟର ହୋଇଥିବେ। ବୟସ ୭୦- ୭୫ ବର୍ଷ ହେବ ନିଶ୍ଚେ। ତଥାପି ଫିଟ୍ ଅଛି ବୁଢ଼ା।

- ମିଷ୍ଟର ପିଟର, ମୁଁ ଶକ୍ତି ପ୍ରସାଦ।ବନ ବିଭାଗ ତରଫରୁ ଆସିଛି, ଆପଣଙ୍କ ବଗିଚାରେ ଥିବା ବଡ଼ ବଡ଼ ଗଛ ର ଗଣତି କରିବାକୁ।

  ଟିକେ ସନ୍ଦେହ ଦୃଷ୍ଟିରେ ଅନାଇଲେ ପିଟର।

- ଆପଣ ମୋତେ ଜାଣିଛନ୍ତି ?ପ୍ରଥମେ କେବେ ଭେଟିଲା ଭଳି ଲାଗୁନି।ଏ ଗଛ ତ ସରକାରଙ୍କର ନୁହେଁ। ମୋ ଫାଦର,ଗ୍ରାଣ୍ଡ ଫାଦର,ଗ୍ରେଟ ଗ୍ରାଣ୍ଡ ଫାଦର ଲଗାଇଥିଲେ। ସରକାର ହିସାବ କାହିଁକି କରିବେ ?


 ନିଜ ପରିଚୟ ପତ୍ର ପିଟରଙ୍କୁ ଦେଖାଇ ମାନସ କହିଲା,"ନା,ନା ଭୁଲ ବୁଝନ୍ତୁନି।ଆପଣଙ୍କ ଭଳି ବୃକ୍ଷପ୍ରେମୀଙ୍କୁ ସରକାର ପୁରସ୍କୃତ କରିବେ।କାରଣ ଏତେ ପୁରୁଣା ଗଛ ସବୁ ଆପଣ ନକାଟି ରଖିଥିବାରୁ, ପରିବେଶ ସନ୍ତୁଳନ ପାଇଁ କାମରେ ଆସୁଛି।ଅନ୍ୟ ଲୋକଙ୍କ ପାଇଁ ସଚେତନତା'ର ବାର୍ତ୍ତା।କିଛି ଅତି ପୁରୁଣା ସୁନ୍ଦର,ସ୍ପେଶାଲ ଗଛ ଓ ମାଲିକଙ୍କ ଫଟ ଆମ ଏଇ ସହରର ବିଜ୍ଞାପନ ପାଇଁ ଦରକାର ଟୁରିଷ୍ଟମାନଙ୍କୁ ଆକୃଷ୍ଟ କରିବାକୁ।ପ୍ରତି ଘର ଘର ବୁଲି ଆମେ ସର୍ଭେ କରୁଛୁ। ଆପଣଙ୍କ ବଗିଚା ଟିକେ ବୁଲାଇ ଦେଖାଇବାରେ ସାହାଯ୍ୟ କରିବେ ?ଆପଣଙ୍କ ଘରେ ଆଉ କିଏ ସବୁ ରହନ୍ତି ?

  ଭିତରୁ ଏକ ନାରୀ ସ୍ବର ଶୁଭିଲା," ପିଟର ବ୍ରେକ ଫାଷ୍ଟ ରେଡି।"

 ଗଳା ଖଙ୍କାରି ପିଟର କହିଲେ,"ଟିକେ ଅପେକ୍ଷା କର।ଅଫିସରଙ୍କୁ ବଗିଚା ଦେଖାଇ ମୁଁ ଆସୁଛି।"

ମୋ ସ୍ତ୍ରୀ,ଭାରି ଚିନ୍ତା ମୋ ପାଇଁ। ଆସନ୍ତୁ ଆଗେ ଆପଣ ବଗିଚା ଦେଖିନିଅନ୍ତୁ।

   ମାନସ ର ମନେପଡ଼ିଲା,ବିପ୍ଲବ ତ କହୁଥିଲା ବୁଢ଼ା ଏକୁଟିଆ ରହେ ବୋଲି !ଏ ସ୍ତ୍ରୀ ଲୋକ ପୁଣି କିଏ ?

-ଆସନ୍ତୁ।ଏଇ ପଟେ ଧୀରେ ଧୀରେ ଆସନ୍ତୁ। ଗଛ ବି ଗଣି ନିଅନ୍ତୁ।"ପିଟର ବାଟ କଢ଼ାଇନେବା ସହ ବିଭିନ୍ନ ଗଛ ବି ଚିହ୍ନାଇ ଦେଉଥିଲେ।

  ମାନସ'ର ଆଖି ଖୋଜୁଥିଲା କେଵଳ ସେଇ ଦୁଇଟି ପ୍ରେମ ଗଛକୁ।ଘର ପଛପଟେ ସେ ଗଛ ଅଛି ବୋଲି କହୁଥିଲା ବିପ୍ଲବ। ସତ କହୁଥିଲା ନା ଭାଲେଣ୍ଟାଇନ ଡ଼େ ପାଇଁ ଜୋକ୍ ?

-ଏସବୁ ଟିକ୍, ସେଗୁଡା ଶିଶୁ ଓ ପାଇନ।ଏପଟେ ଇଉକାଲିପଟାସ।

   ଜଙ୍ଗଲ ,ପାହାଡ଼ ଓ ବଣୁଆ ଗଛର ଏକ ଅଦ୍ଭୁତ ବାସ୍ନା ଉଚାଟ କରିପକାଉଥିଲା ମନକୁ।ମଝିରେ ମଝିରେ ଚଢେଇଙ୍କ ସ୍ବର।ଘର ପଛପଟ ଅଞ୍ଚରେ ଟିକେ ଗଡାଣିଆ ଥିବା ଜାଗାରେ କିଛି ବଡ଼ ଓ ପୁରୁଣା ଗଛ ଦେଖି ଆଗେଇଲା ବେଳେ ,ପଛଆଡ଼ୁ ପିଟରଙ୍କ ସ୍ବର," ସିଆଡେ ଯାଆନ୍ତୁନି ମିଷ୍ଟର ଶକ୍ତିଧର।ସାପ ଥିବେ,କାଦୁଅରେ ଗୋଡ଼ ଖସିପାରେ।"

      କିଛି ନଶୁଣି ଆଗେଇଗଲା ମାନସ ଓ ହାଠାତ୍ ଗୋଟେ ଜାଗାରେ ଅଟକିଗଲା ଆଶ୍ଚର୍ଯ୍ୟ ହୋଇ।"

ପ୍ରେମ ଗଛ ! ବିପ୍ଲବ ତା ହେଲେ ସତ କହୁଥିଲା ?ନିଜ ଆଖିକୁ ବିଶ୍ବାସ କରିପାରୁ ନଥିଲା ମାନସ।ବୁଢ଼ା କଣ ଚାହୁଁ ନଥିଲା ସେ ଏ ଗଛ ନଦେଖୁ ବୋଲି ?ଗଛ ଦୁଇଟା ପୁଣି ଆଜି ସଜା ହୋଇଛି ? ଦୁଇ ଗଛର ଅଳ୍ପ ଦୂରରେ ଦୁଇଟା କବର !

- ମିଷ୍ଟର ପିଟର ?ୟୁ ଆର ଭେରି ଲକି।ଏମିତି ଗଛ ଆପଣଙ୍କ ବଗିଚାରେ ଅଛି?ଗଛ ଦୁଇଟା କିସ୍ କଲା ଭଳି ଲାଗୁଛନ୍ତି ?ଅଦ୍ଭୁତ ସତରେ।ସହରକୁ ଆସୁଥିବା ସବୁ ଟୁରିଷ୍ଟ ଯଦି ଜାଣିବେ ତେବେ ଆହୁରି ଡିମାଣ୍ଡ ବଢ଼ିବ।କିଛି ଫଟ ନେଇଯାଏ।ଆଜି ପୁଣି ଭାଲେଣ୍ଟାଇନ ଡ଼େ।ଆପଣଙ୍କ ଗଛ ଓ ଘର ଫେମସ ହୋଇଯିବ।"

-ଦେଖନ୍ତୁ ସାର୍, ଏହା ମୋର ବ୍ୟକ୍ତିଗତ ସମ୍ପତ୍ତି ।ମୁଁ ଚାହେଁନା ଏହା ସାର୍ଵସାଧାରଣ ହେଉ ବୋଲି।ପ୍ଲିଜ ଫଟ ଉଠାନ୍ତୁନି।ମୋର ଅନୁରୋଧ।"

   ମୋବାଇଲ ଟା ଅଫ କରି ପକେଟରେ ରଖିଲା ମାନସ।

- ଏଇ ଗଛ ଦୁଇଟାକୁ କିଏ ସଜାଇଛି ?"

 ଦୁଇ ଗଛ ପାଖକୁ ଯାଇ ଚାରିଆଡ଼ ବୁଲି ବୁଲି ଦେଖିଲା ମାନସ ଓ ପୁଣି ପଚାରିଲା

- ଏଇ ଦୁଇ ନାଁ କାହାର ?ମୋଜେସ ଓ ମାର୍ଥା ?ଗଛରେ କିଏ ଲେଖିଛି ?

- ମୋ ବଡ଼ ଭାଇ ମୋଜେସ ଓ ତା ପ୍ରେମିକା ମାର୍ଥା'ଙ୍କ ନାଁ।ବହୁତ ଭଲ ପାଉଥିଲେ ଦୁହେଁ ଦୁହିଁଙ୍କୁ ।ଏଇ କବର ଦେଖୁଛନ୍ତି ?ସେଇ ଦୁଇଜଣଙ୍କ'ର।ଦୁହିଁଙ୍କୁ ମନେ ରଖିବାପାଇଁ ଗଛରେ ଖୋଦେଇ ଦେଇଥିଲେ।ୟୁ ନୋ, ମେମୋରି।ଏଇ ଭାଲେଣ୍ଟାଇନ ଡ଼େ ରେ ଦୁହେଁ ମ୍ୟାରେଜ କରିବେ ବୋଲି ଠିକ୍ କରିଥିଲେ।ହେଲେ ଆକ୍ସିଡେଣ୍ଟ ଯୋଗୁଁ.....।ଦୁହିଁଙ୍କ ଭିତରେ ଥିବା ଶାଶ୍ୱତ ପ୍ରେମ ର ସ୍ବାକ୍ଷର ବହନ କରେ ଏଇ ଦୁଇ ଗଛ। ସେ ଦୁହେଁ ହିଁ ଏଇ ଦୁଇ ଗଛ ଲଗାଇଥିଲେ। ଗଛରେ ଚଢ଼ୁଥିଲେ,ଖେଳୁଥିଲେ ଓ ସବୁଦିନ କାଳେ ଶହେଟା ଲେଖାଏଁ ଚୁମା ଦେଉଥିଲେ ଗଛକୁ।ଆପଣ ହୁଏତ ମିଛ ଭାବିବେ।କିନ୍ତୁ ମୁଁ ଭାବେ ଗଛ ମାନଙ୍କର ବି ଜୀବନ ,ପ୍ରାଣସ୍ପନ୍ଦନ ଅଛି।ହୁଏତ ଏଇ ଦୁଇ ଗଛ ସେମାନଙ୍କ ପ୍ରେମ ର ମୂକ ସାକ୍ଷୀ।ଭାଲେଣ୍ଟାଇନଡ଼େ ରେ ସେ ଦୁଇଜଣଙ୍କ ପାଇଁ ଫୁଲ ସଜାଇ କ୍ୟାଣ୍ଡେଲ ଜାଳୁ ଆମେ।

- ଆଇ ଆମ ସରି।ତେବେ ଗୋଟେ ଅନୁରୋଧ କରିବି, ଏଇ ଗଛ ର ଗୋଟେ ଫଟ ନେବା ପାଇଁ ମୋତେ ଅନୁମତି ଦିଅନ୍ତୁ।ମୁଁ କେଵଳ ମୋ ପ୍ରେମିକାକୁ ଥରେ ଦେଖାଇବି ଶାଶ୍ୱତ ପ୍ରେମ ର ଏଇ ଅଦ୍ଭୁତ ନିଦର୍ଶନକୁ।

- ଠିକ୍ ଅଛି।ତେବେ ଏ ବୁଢ଼ାକୁ ପ୍ରମିଜ କରନ୍ତୁ ,କାହାକୁ ଏ ଗଛ ର କାହାଣୀ କହିବେନି ଓ ଆଉ ଭବିଷ୍ୟତରେ ସେଇ ଗଛ ଦୁଇଟି ଯେମିତି କଟା ନଯାଏ।ଏହା କେବଳ ଆମ ଦୁଇଜଣଙ୍କ ଭିତରେ ସିକ୍ରେଟ ରହୁ।"

   ଫଟ ଉଠାଇ ବାହାରକୁ ଯିବା ପୂର୍ବରୁ ପିଟରଙ୍କୁ ଧନ୍ୟବାଦ ଦେଲା ମାନସ ଓ କହିଲା,"ଆଜିକାଲି ଭାଲେଣ୍ଟାଇନ ଡ଼େ ନାଁ ରେ କିଏ ପ୍ରେମ ସନ୍ଦେଶ ଦେଉଛି,ଗିଫ୍ଟ ଦେଉଛି ତ କିଏ ପ୍ରେମକୁ ନେଇ ବିଜିନେସ କରୁଛି ତ ଆଉ କେହି ଏହା ଆମ ସଂସ୍କୃତି ବିରୋଧୀ ବୋଲି କହି ହିଂସାକାଣ୍ଡ କରୁଛନ୍ତି।ଆପଣଙ୍କ ମତ କଣ ?ପ୍ରେମକୁ ହାସଲ କରିବାରେ ଆନନ୍ଦ ଥାଏ।

- ପ୍ରେମ କୁ ସମସ୍ତଙ୍କ ଆଗରେ ଦେଖାଇବା କେଵଳ ଏକ ପ୍ରହସନ।ଆମ ବେଳେ ଏମିତି ଦେଖାଣିଆ ପ୍ରେମ ନଥିଲା।ହୃଦୟ ସହ ଅନୁଭବ କରାଯାଏ ପ୍ରେମକୁ।ପାଇବା ବଦଳରେ ତ୍ୟାଗରେ ଅଧିକ ପ୍ରେମ ଥାଏ।

-ଆପଣ କେବେ ପ୍ରେମରେ ପଡିଛନ୍ତି ମିଷ୍ଟର ପିଟର ?

- ମୋ ଭଳି ପୁରୁଣାକାଳିଆ ବୁଢ଼ା କଣ ପ୍ରେମ କରିପାରେ ବୋଲି ଆପଣ ଭାବୁଛନ୍ତି ?।ଲାଗୁଛି ଆପଣ କଥା ଆଦାୟ କରିବାରେ ଓସ୍ତାଦ।ହାପି ଭାଲେଣ୍ଟାଇନ ଡ଼େ।"

   କରମର୍ଦ୍ଦନ କରି ବିଦାୟନେଲା ମାନସ।ତାକୁ ଲାଗିଲା ପିଟର ଏକ ସାଧାରଣ ଅଥଚ ଅସାଧାରଣ ମଣିଷ,ଯାହାଙ୍କୁ ବୁଝିବା ଏତେ ସହଜ ନୁହେଁ।

- ସେ ଲୋକଟା କିଏ ?କଣ ଏତେ ସମୟ ଗପୁଥିଲା ?"

- ଫରେଷ୍ଟ ଡିପାର୍ଟମେଣ୍ଟ ରୁ ଆସିଥିଲା ଗଛ ଗଣିବାକୁ।ତେବେ ତା ଆଖି ସିଧା ପଡିଗଲା ଆମର ସେଇ ଗଛ ଉପରେ।ବାଁ ରେଇ ଦେଲି।

- ଛାଡ଼ ସେସବୁ।ବର୍ଷରେ ଗୋଟାଏ ଦିନ ଆମେ ଦୁହେଁ ମିଶିବା ବୋଲି ମୁଁ କେତେ କଷ୍ଟରେ ପ୍ରତିବର୍ଷ ଏଇ ଭାଲେଣ୍ଟାଇନ ଡ଼େ କୁ ଅନାଇ ଥାଏ।ଅଥଚ ତମେ ଫାଲତୁ ଲୋକଙ୍କ ସହ ଗପୁଛ।ଚାଲ ଆମ ଗଛ ପାଖକୁ।ପିଲାବେଳେ ଆମେ ଦୁହେଁ ଲଗାଇଥିବା ଗଛ କଣ ଏତେ ବଡ଼ ଏମିତି ଆଶ୍ଚର୍ଯ୍ୟଜନକ ହେବ ବୋଲି ଭାବିଥିଲ ?ଆଛା ମୁଁ ଦେଉଥିବା ଗିଫ୍ଟ ସବୁ ବ୍ୟବହାର ନକରି ସେଇ ଟ୍ରଙ୍କ ରେ କାହିଁକି ରଖୁଛ ?କଣ ଆଚାର ବନାଇବ ?"

ହସିଦେଇ ପିଟର କହିଲା,"ତମ ହାତ ଛୁଆଁ ସବୁ ଜିନିଷ ତ ମୋ ବଞ୍ଚିବାର ଆଧାର।ମୋ ପ୍ରିୟ ସ୍ମୃତି।"

   ଦୁହେଁ ପହଁଚିଲେ ସେଇ ପ୍ରେମ ଗଛ ମୂଳେ।ହାତ ଧରାଧରି ହୋଇ ଦୁହେଁ କ୍ୟାଣ୍ଡେଲ ଜାଳିଲେ ଓ ଗଛକୁ କୁଣ୍ଢାଇ ଅନେକ ଗେଲ କଲେ।ସାଙ୍ଗରେ ଆଣିଥିବା କେକ କାଟି ଦୁହେଁ ଖୁଆ ଖୁଇ ହେଲେ ଓ ଗଛ ଗଣ୍ଡିରେ ବି କେକ୍ ଲଗାଇଲେ।

-ପିଟର ଆସନ୍ତା ଭାଲେଣ୍ଟାଇନ ଡ଼େ ରେ ହୁଏତ ମୁଁ ବଞ୍ଚି ଥିବି କି ନାହିଁ , କିମ୍ବା ଦେହ ଖରାପ ଯୋଗୁଁ ଆସି ନପାରେ।"

    ତାଙ୍କ ପାଟିରେ ହାତ ଦେଇ ପିଟର କହିଲେ,"ଏତେ ବର୍ଷ ବିତିଗଲାଣି।ଆହୁରି ବି ଆଗକୁ ଏଇ ଦିନ ଆସିବ ଓ ଆମେ ଦୁହେଁ ମିଶିବା। ଏଇ ଗୋଟାଏ ଦିନ କେଵଳ ଆମ ଦୁଇଜଣଙ୍କର।କିଏ ବିଶ୍ବାସ କରୁ ବା ନକରୁ ଆମ ଶାଶ୍ୱତ ପ୍ରେମ କାହାଣୀ ; ଶାରୀରିକ ପ୍ରେମର ଉର୍ଦ୍ଧ୍ୱରେ ଯେ ପ୍ରେମ ହୋଇପାରେ ତାହା କଣ ଆଜିର ଯୁବପିଢ଼ି କେବେ ଚିନ୍ତା କରିପାରିବ ?ଯେମିତି ଏଇ ଦୁଇ ଗଛ , ଜୋସେଫ ଓ ମାର୍ଥାଙ୍କର ପ୍ରେମ କାହାଣୀ ର ସାକ୍ଷୀ,ଆଉ ଅନେକ ସ୍ମୃତି।

******

ପିଟରଙ୍କ ଘରୁ ମାନସ ବାହାରିବା ପରେ ଅଳ୍ପ ଦୂରରେ ଦେଖିଲା ଗୋଟେ ସୁନ୍ଦର ଚର୍ଚ୍ଚ।ଭିତରକୁ ଗଲାବେଳେ ଦେଖାହେଲେ ଫାଦର।ମାନସ ମନକୁ ଗୋଟେ ଭାବନା ଆସୁଥିଲା।ଫାଦର ପଚାରିଲେ,

- କିଛି କାମ ଥିଲା ?

- ଫାଦର,ଆପଣ ତ ଏଠାର ବହୁତ ସମ୍ମାନସ୍ପଦ ଓ ପୁରୁଣା ଲୋକ। ମୁଁ ଇନ୍ସୁରାନ୍ସ ଅଫିସରୁ ଆସିଛି ଗୋଟେ କ୍ଲେମ ସେଟେଲ ପାଇଁ, ଏଇ ଆଗରେ ରହୁଥିବା ମିଷ୍ଟର ପିଟରଙ୍କ ପାଇଁ।

- ଆଛା, ପିଟର ,ବହୁତ ଭଲ ଲୋକ ସେ।ଚର୍ଚ୍ଚ କୁ ନିୟମିତ ଆସେ।

- ତାଙ୍କ ଘରେ ଜୋସେଫ କିଏ ?ପିଟର ଙ୍କ ଭାଇ ?

  ହସିଦେଇ ଫାଦର କହିଲେ,"ପିଟର'ର କେହି ଭାଇ ନାହାନ୍ତି।ଜୋସେଫ ବି ତା'ରି ନାଁ।ପୁରା ନାଁ ପିଟର ଜୋସେଫ ଡିମେଲୋ।

-ଆଉ ମାର୍ଥା ?

- ଆଛା, ମାର୍ଥା ନାଁ ରେ ଇନସୁରାନ୍ସ କରିଛି  ପିଟର ?ଏକଦମ ପାଗଳା ଟା ସେଇ ପିଟର ଜୋସେଫ। ଜୋସେଫ ଓ ମାର୍ଥା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।ମାର୍ଥାକୁ ତା ବାପା ଅନ୍ୟ ଜାଗାରେ ବାହା କରାଇଦେଇଥିଲା। ଡ଼େଷ୍ଟିନି କୁ କିଏ ବଦଳାଇବ ?"

       ମାନସର ମୁଣ୍ଡରେ ସବୁ ଯେମିତି ଗୋଳମାଳିଆ ହୋଇଯାଉଥିଲା।

ଫାଦର ପୁଣି କହିଲେ "ବିଚରା ପିଟର।ଆଜି ଯାଏଁ ଭାବୁଛି ମାର୍ଥା ଆସିବ ବୋଲି।ହେଲେ ନିଜ ସଂସାର ଛାଡି ଏଇ ବୁଢ଼ା ପାଖକୁ ସେ କଣ ଆସିବ ?

-କିନ୍ତୁ ପିଟର'ଙ୍କ ସ୍ତ୍ରୀ ?

-ସେ ତ ଆଜିଯାଏଁ ଅବିବାହିତ।

 ଚମକି ପଡ଼ିଲା ମାନସ।ତାହାହେଲେ ସେ ସ୍ତ୍ରୀ ଲୋକ ସ୍ବର କାହାର ?ପିଟର ତ କହିଲେ ତାଙ୍କ ସ୍ତ୍ରୀ ବୋଲି।

-ଆଛା ଫାଦର, ତାଙ୍କ ପ୍ରେମିକା ମାର୍ଥା ଏବେ ବଞ୍ଚିଛନ୍ତି ?

- ସେକଥା ମୁଁ ଜାଣିନି।ପିଟର ବଞ୍ଚିଛି ମାନେ ମାର୍ଥା ବୋଧେ ବଞ୍ଚିଥିବ।ମାର୍ଥାର ସ୍ମୃତି ସବୁକୁ ନେଇ ପିଟର ସଂସାର। ଥରେ ମୋତେ ତା ଘରକୁ ଡାକିନେଇ ବଗିଚାରେ ଥିବା ଦୁଇଟା କବର ଦେଖାଇ କହିଥିଲା, 'ଫାଦର ଯଦି ମୁଁ ମରିଯାଏ ତେବେ ମୋ ଶରୀରକୁ ଏଇ କବରରେ ରଖିଦେଵ।ଅନ୍ୟଟି ମାର୍ଥା ପାଇଁ।"

- ସେ କବରରେ କଣ ମାର୍ଥା....

- ନା,ନା ମାର୍ଥାକୁ ତ ତା ସ୍ୱାମୀ, ପରିବାର ଲୋକେ କବର ଦେବେ ବା ଦେଇସାରିବେଣି। ଏକଦମ ବଦ୍ଧ ପ୍ରେମ ପାଗଳ ଏଇ ପିଟର।ଘରେ ଗୋଟେ ଟ୍ରଙ୍କରେ ମାର୍ଥାର ସ୍ମୃତି ସନ୍ତକ ସବୁ ସାଇତି ରଖିଛି। ହୁଏତ ମାର୍ଥା ଦେଇଥିବା ଚିଠି,ଫଟ ବା ଉପହାର ରଖିଥିବ।

ଏମିତି ପ୍ରେମ ପାଗଳକୁ କଣ କହିବ ,ଯିଏ ନିଜ ପାଇଁ ବଞ୍ଚି ଥିଲାବେଳେ ଆଗୁଆ କବର ତିଆରି କରେ ଓ ପାଖରେ ପ୍ରେମିକାର ସ୍ମୃତି ପାଇଁ ଜାଗା ରଖେ ?"

 ଭାଲେଣ୍ଟାଇନ ଡ଼େ ରେ ଅଦ୍ଭୁତ ସଂଯୋଗ; ମାନସ ଆଖିରେ ଭାସି ଉଠୁଥିଲା ସେଇ କବର ଓ ପ୍ରେମ ଗଛ ଦୁଇଟି ଭିତରେ ପିଟର ଜୋସେଫ ଓ ମାର୍ଥାଙ୍କ ମୁହଁ ର କଳ୍ପିତ ଛବି।"



Rate this content
Log in

More oriya story from Aravinda Das

Similar oriya story from Romance