Banabihari Mishra

Abstract

4.0  

Banabihari Mishra

Abstract

ପ୍ରେମ ଶୂନ୍ୟତା

ପ୍ରେମ ଶୂନ୍ୟତା

6 mins
30


ପ୍ରେମ, ସେଇଟା ଗୋଟେ ନିହାତି ଅନାବଶ୍ୟକ ଭାବାତ୍ମକ ଅନୁଭବ ବୋଲି ଭାବୁଥିଲା ପ୍ରଣବ। ବାସ୍ତବବାଦୀ ବୋଲି ତା'ର ଛବିଟିଏ ସମସ୍ତଙ୍କ ମନରେ ଥିଲା। ପ୍ରେମ କ'ଣ ବୋଲି ତାକୁ କେହି ପଚାରିଲେ ବଡ ଅଜବ ଉତ୍ତର ମିଳେ।


ପ୍ରଣବ କୁହେ, ପ୍ରେମଟା ଖାଲି ମନର ଗୋଟେ ମିଛ ଅନୁଭବ। ସେଥିରେ ଥାଏ କିଛି ଭାବପ୍ରବଣତା, କିଛି ରାଣ ନିୟମ ଆଉ କିଛି ମିଛ ଆଶ୍ବାସନା। ତା'ର ପ୍ରେମ ପ୍ରତି ଏଭଳି ଦୃଷ୍ଟିଭଙ୍ଗୀ ଦେଖି ଅଫିସରେ ସୁନିଲ, ମଧୁ, ରାଗିଣୀ ଆଉ ଅନେକ ପ୍ରେମରେ ପୋଖତ ମଣିଷମାନେ ଭାବୁଥିଲେ, ପ୍ରଣବ ନିଶ୍ଚୟ ପ୍ରେମରେ କୋଉଠି ନା କୋଉଠି ଧକ୍କା ଖାଇଛି। ସେମାନଙ୍କ ମତରେ ପ୍ରେମରେ ପ୍ରତାରଣାର ଶିକାର ହେଲେ ହିଁ ବ୍ୟକ୍ତି ଏଭଳି ପ୍ରେମଶୂନ୍ୟ ଆଉ ବିରୋଧୀ ହେଇଯାଏ। ଅନ୍ୟମାନଙ୍କ କଥା ଛାଡ, ଅଫିସର ବଡବାବୁ, କୃପାସିନ୍ଧୁ ବାବୁ, ଯିଏ କି ବୟସର ଅପରାହ୍ନରେ ପାଦ ଦେଇସାରିଲେଣି ଆଉ ଚାରିମାସ ପରେ ଅବସର ନେବେ, ସିଏ ବି ପ୍ରଣବ ସମ୍ପର୍କରେ ସେଇଭଳି ମତ ପୋଷଣ କରନ୍ତି। କିନ୍ତୁ ସବୁବେଳେ ଦାର୍ଶନିକ ପରି ଚୁପଚାପ ଆଉ ଗମ୍ଭୀର ରହୁଥିବା ଶ୍ୟାମଳୀ ମାଡାମଙ୍କର ମତ କିନ୍ତୁ ଟିକେ ଅଲଗା। ସିଏ ପ୍ରଣବର ହୃଦୟ ଭିତରେ ପ୍ରେମର ମଞ୍ଜି ଗଛ ହେବାପାଇଁ ଆବଶ୍ୟକ ଅତି ଉର୍ବର ମୃତ୍ତିକା ଆବିଷ୍କାର କରନ୍ତି। ପ୍ରଣବର ଚାହାଣୀରେ, ତା'ର କଥାବାର୍ତ୍ତାରେ ଆଉ ତଥାକଥିତ ବାସ୍ତବବାଦୀ ତାର ଶକ୍ତ ଖୋଳପା ଭିତରେ ଶ୍ୟାମଳୀ ମାଡାମଙ୍କୁ ପ୍ରେମର ଅଙ୍କୁରୋଦ୍ଗମ ହେଉଥିବାର ଦେଖାଯାଏ। ଯୌବନକୁ ଅତୀତ କରିବାକୁ ଯାଉଥିବା ଶ୍ୟାମଳୀ ମାଡାମ ସେଇଥିପାଇଁ ପ୍ରଣବ ଉପରେ ତୀକ୍ଷ୍ଣ ନଜର ରଖିଥାଆନ୍ତି। ଆଶା କରୁଥାଆନ୍ତି ଦେଖିବା ପାଇଁ କୋଉଠି ପ୍ରଣବର ପାଦ ପ୍ରେମର ପିଚ୍ଛିଳ ରାସ୍ତାରେ ଖସୁଛି ଆଉ ପ୍ରଣବ ପ୍ରେମରେ ଉବୁଟୁବୁ ହେଉଛି।

ପ୍ରଣବ ତହସିଲ ଅଫିସରେ କିରାଣୀ। ଗ୍ରାଜୁଏସନ୍ ପରେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏ ଚାକିରି ପାଇଛି। ସେଇଥିପାଇଁ ସେ ନିଜକୁ ଅନ୍ୟମାନଙ୍କଠାରୁ ଟିକେ ଅଲଗା ବୋଲି ଭାବେ। ଅନ୍ୟମାନେ, ଏଇ ଯେମିତି ଅଫିସର ବଡବାବୁ କୃପାସିନ୍ଧୁ ବାବୁ, ମଧୁ, ସୁନିଲ, ଶ୍ୟାମଳୀ ମାଡାମ, ସମସ୍ତେ କୋଉଠି ନା କୋଉଠି ରାଜନୈତିକ ପତିଆରାକୁ କାମରେ ଲଗେଇ ଅଥବା ନିମ୍ନ ସ୍ତରରୁ ବିଭାଗୀୟ ପରୀକ୍ଷାରେ ହାତଗୁଞ୍ଜା ଦେଇ ପଦୋନ୍ନତି ପାଇ ଏ ସ୍ତରରେ ପହଞ୍ଚିଛନ୍ତି। କିନ୍ତୁ ତା ପରି ନିଜର ଜ୍ଞାନ ଓ ମେଧାଶକ୍ତିର ଉପଯୋଗ କରି ହଜାର ହଜାର ପିଲାମାନଙ୍କ ସହ ପରୀକ୍ଷା ଦେଇ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇନାହାନ୍ତି। 

ସମସ୍ତେ ପ୍ରଣବ ବିଷୟରେ ଯେମିତିକା ମନୋଭାବ ପୋଷଣ କରନ୍ତୁ ନା କାହିଁକି, କେହି କିନ୍ତୁ ତା ମୁହଁ ଉପରେ କିଛି କୁହନ୍ତିନି। ସମସ୍ତେ ଜାଣନ୍ତି ପ୍ରଣବ ସତରେ ମେଧାବୀ କର୍ତ୍ତବ୍ୟନିଷ୍ଠ ଆଉ ସର୍ବୋପରି ସହାନୁଭୂତିଶୀଳ ସାହାଯ୍ୟକାରୀ ଲୋକଟିଏ। ପ୍ରଣବ ଏକୁଟିଆ ଲୋକ ବାହାସାହା ହେଇନି। ତା ପରିବାର ଆର୍ଥିକ ଦୃଷ୍ଟିରୁ ତା ଉପରେ ନିର୍ଭରଶୀଳ ନୁହନ୍ତି। ତା'ଛଡା ପ୍ରଣବର କୌଣସି ପ୍ରକାର ବଦଭ୍ୟାସ ନାହିଁ ଆଉ ବଦଖର୍ଚ୍ଚ ତା'ର ପସନ୍ଦ ନୁହେଁ। ସେଥିପାଇଁ ତା ଦରମାର ଗୋଟେ ବଡ ଅଂଶ ଖର୍ଚ୍ଚ ନହୋଇ ବ୍ୟାଙ୍କ ଖାତାରେ ଜମା ରହି ପ୍ରତିମାସ ବଢ଼ିବାରେ ଲାଗେ। କେବେ କମେନି। ତା'ର ଏଇ ଆର୍ଥିକ ସ୍ବଚ୍ଛଳତାର ସୁଯୋଗ ଅଫିସର ଅନ୍ୟମାନେ ଭଲଭାବରେ ଉଠାନ୍ତି। କେବେ କାହାର ଭଉଣୀ ବାହାଘର, ପୁଅର ଆଡମିଶନ୍ ବା ଅନ୍ୟ କୌଣସି କାରଣ ହେଉ, ପ୍ରଣବ ପାଖକୁ ମାଗତା ହାତସବୁ ବଢିଆସେ। ପ୍ରଣବ ବି କାହାକୁ ନିରାଶ କରେନି। ସୁଝିବାର ସାମର୍ଥ୍ୟ ଅନୁସାରେ ସେ ସାହାଯ୍ୟ କରେ। ଏକଥା ଅଲଗା ଯେ ଆଦାୟ କରିବାରେ ମଧ୍ୟ ପ୍ରଣବ ସିଦ୍ଧହସ୍ତ। ଠିକ୍ ଦରମା ପାଇବା ଦିନ ଦେଇଥିବା ହାତ ଉଧାର ଅସୁଲ କରିନିଏ।

ଦିନେ ଏମିତି କିଛି ହେଲା ଯାହା ପୁରା ଅଫିସର କର୍ମଚାରୀମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। କେବେ ଏମିତି ହେଇ ନଥିଲା। ଅନ୍ତତଃ ପ୍ରଣବ ଏ ଅଫିସରେ ଯୋଗଦେବା ଦିନଠାରୁ ଏମିତି ହେବାର କେବେ ନଜିର ନଥିଲା। ସେଦିନ ବଡବାବୁ ଫାଇଲ ଉପରୁ ନଜର ଉଠେଇ ଚଷମାଟାକୁ ଟେବୁଲ ଉପରେ ରଖି ଆଖି ଦି'ଟା ହେଁ ବଡ ବଡ କରି ଚାହିଁଥିଲେ। ଖୁବ୍ କମ୍ ଚାହା ପିଉଥିବା ମଧୁ ତୃତୀୟ ଥରପାଇଁ ଚା'କପ୍ ଧରିଲାଣି। ଅନେକ ସମୟ ନିଜ ଟେବୁଲ ଛାଡି ଭିତର ବାହାର ହେଉଥିବାରୁ ବଡବାବୁଙ୍କ ଠାରୁ ସମୟ ସମୟରେ ଦି'କଥା ଶୁଣୁଥିବା ସୁନିଲ ଆଜି ସ୍ଥାଣୁ ହେଇ ଟେବୁଲ ଆବୋରି ବସିଯାଇଛି। ପୁରା ଅଫିସର ଆବୋହାଓ୍ବା ବଦଳିଯାଇଛି। ଶ୍ୟାମଳୀ ମାଡାମ ରାଗିଣୀକୁ ଟାଣିନେଇ ତା କାନ ପାଖରେ କହିଦେଲେ ତାଙ୍କ ଅନବଦ୍ୟ ଆବିଷ୍କାରର କଥା। ହିରୋସୀମା ଆଉ ନାଗାସାକି ପରେ ଏଇ ଅଫିସରେ ଯେମିତି ଆଉଗୋଟେ ବୋମା ଫୁଟିଲା! ସମସ୍ତେ ସ୍ତବ୍ଧ। ଶ୍ୟାମଳୀ ମାଡାମ ଏତେ ଖୁସି ଯେ ଯେମିତି ନୋବେଲ ପୁରସ୍କାର ପାଇବାକୁ ହକଦାର ହେଲା ଭଳିଆ କିଛି ଆବିଷ୍କାର କରିଦେଇଛନ୍ତି। କୌଣସି ଦିନ ବିଳମ୍ବ କରୁ ନଥିବା ପ୍ରଣବ ସମସ୍ତଙ୍କ ପାଇଁ କର୍ତ୍ତବ୍ୟନିଷ୍ଠା ଆଉ ସମୟାନୁବର୍ତ୍ତିତାର ଗୋଟେ ଉଦାହରଣ ପାଲଟି ଯାଇଥିଲା। ସେଇ ପ୍ରଣବ ଆଜି ଶ୍ୟାମଳୀ ମାଡାମଙ୍କ ହାତରେ ଅଫିସ ଆସିବାକୁ ଟିକେ ଡେରି ହେବ ବୋଲି ଖବର ଦେଇଛି। ସରକାରୀ କ୍ବାର୍ଟର ଗୁଡିକ ବାସୋପଯୋଗୀ ହୋଇ ନ ଥିବାରୁ ନାମକୁ ମାତ୍ର ଭଡାରେ ଲଗେଇ ପ୍ରାୟ ସମସ୍ତେ ପାଖ ବଜାରରେ ଭଡାଘର ନେଇ ରୁହନ୍ତି। ପ୍ରଣବ ଗତକାଲି ତା ସ୍କୁଟରରେ ଗୋଟେ ଉଣେଇଶି କି କୋଡିଏ ବର୍ଷର ଝିଅକୁ ଆଣି ଶ୍ୟାମଳୀ ମାଡାମ ରହୁଥିବା ଭଡାଘରକୁ ଆସିଥିଲା। ସେଇ ପ୍ରଣବ କାଲି ନିଜେ ଏଇକଥା କହୁଥିଲା ବୋଲି ଶ୍ୟାମଳୀ ମାଡାମ ଦୃଢୋକ୍ତି କରୁଥିଲେ। ତେଣୁ ସମସ୍ତେ ପ୍ରାୟ ସ୍ଥିର ନିଶ୍ଚିତ ହୋଇ ଯାଇଥିଲେ ଯେ ଆଜି ପ୍ରଣବ ଡେରିରେ ଆସିବ। ଖାଲି ଏତିକି ହୋଇଥିଲେ ତ କିଛି କଥା ନଥିଲା। ଏଇଟାକୁ ପ୍ରାୟ ସବୁ ଅଫିସରେ ଘଟୁଥିବା ଗତାନୁଗତିକ ତାର କ୍ଷେତ୍ର ଭିତରେ ଆସୁଥିଲା, ବରଂ ସମୟ ଅନୁସାରେ ଆସିଥିବା ସରକାରୀ ଅଫିସରେ ଗୋଟେ ବ୍ୟତିକ୍ରମ ଭାବରେ ଗଣା । ଆଉ ସରକାରୀ ଅଫିସରେ ଚାକିରୀ କରି ଯଦି ଠିକ ସମୟରେ ଆସି ସବୁକାମ ଠିକ ଭାବରେ କରିଦେଉଛ ତାହେଲେ ତ ତମେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଭାବେ ଗଣା ହେବ। ଅଥବା କୋଉ ଅନ୍ୟଗ୍ରହରୁ ଆସିଛ ବୋଲି ସମସ୍ତେ କହିବେ। ଅବଶ୍ୟ ସମସ୍ତଙ୍କୁ ପ୍ରଣବର ଠିକ ସମୟରେ ନ ଆସିବାଟା ଯେତିକି ଆଚମ୍ବିତ କରୁନଥିଲା, ତାଠୁ ବେଶି ଆଶ୍ଚର୍ଯ୍ୟକର ଥିଲା ଗୋଟେ ଯୁବତୀ ଝିଅ ସହ ଆସିବା। ସେ କଥାଟା ପୁଣି ବ୍ଲାକ ଆଣ୍ଡ ହ୍ଵାଇଟରୁ ଇଷ୍ଟମ୍ୟାନ କଲର କରି ଅଫିସର ବରିଷ୍ଠ କର୍ମଚାରୀ ଶ୍ୟାମଳୀ ମାଡାମଙ୍କ ସୂତ୍ରରୁ ମିଳିଥିବା କଥାଟାକୁ ଆହୁରି ରୋମାଞ୍ଚକର କରିଦେଇଥାଏ । ଶ୍ୟାମଳୀ ମାଡାମ ଆଜି ଆବିଷ୍କାର କରିଥିଲେ ପ୍ରଣବର ପାଦ ପ୍ରେମର ଖସଡା ବାଟରେ ଖସିଯାଇଛି। ଏଇଟା ଯେମିତି ଗୋଟେ ନ ହେବା କଥା। ସାରା ଅଫିସରେ ପ୍ରେମଟାକୁ ଗୋଟେ ଅନାବଶ୍ୟକ ଅନୁଭବ ଭାବେ ବଖାଣୁଥିବା ପ୍ରଣବ ଆଜି ନିଜେ ପ୍ରେମ ଜାଲରେ ଛନ୍ଦିହୋଇ ଉବୁଟୁବୁ ହେଉଛି। ଏକଥା ମୁଁ କହୁନି ଆଜ୍ଞା, ଶ୍ୟାମଳୀ ମାଡାମଙ୍କର ଆବିଷ୍କୃତ ତଥ୍ୟ। ସେ ଝିଅଟା କୁଆଡ଼େ ତାଙ୍କରି ଆଗରେ ପ୍ରଣବ ସହ ହସିହସି କଥା କହୁଥିଲା। ପ୍ରଣବ ସହ ନେସିଘସି ହେଉଥିଲା ଆଉ ଫୁସୁରୁ ଫାସର ହେଉଥିଲେ ଦି'ଜଣଯାକ। ଯଦି ଏଇଟା ପ୍ରେମ ନୁହେଁ, ତେବେ ଆଉ କଣ ଯେ? ରାଗିଣୀ ମୁହଁ ତଳକୁ କରି ମୁଚୁକି ମୁଚୁକି ହସୁଥିଲା। 

ପ୍ରାୟ ବାରଟା ବେଳକୁ ପ୍ରଣବ ଆସିଲା। ଅବଶ୍ୟ ସେତେବେଳ ପର୍ଯ୍ୟନ୍ତ ଅଫିସ ହାଜିରା ଖାତାରେ ସମୟକୁ ବାନ୍ଧିଦେଇ ଦଶଟାରେ ସ୍ଥିର କରିଦିଆଯାଇଥାଏ। ଦସ୍ତଖତ ସାରିବା ପରେ ନିଜ ଚେୟାରକୁ ପ୍ରଣବ ଯାଇ ପଙ୍ଖାଟାକୁ ପୁରା ସ୍ପିଡ଼ରେ ବୁଲେଇବା ପାଇଁ ରେଗୁଲଟରଟାକୁ ଖଟ୍ ଖଟ୍ କରି ମୋଡିପକେଇଲା। ଏ ଆଦେଶ ପାଇବା ମାତ୍ରେ ବିଚରା ପୁରୁଣା ଉଷା ପଙ୍ଖାଟା କେଁ.....ଖଟ୍ କେଁ......ଖଟ୍ ହେଇ ଯଥାସମ୍ଭବ ଚେଷ୍ଟା କରି ନିଜର ଗତି ବଢେଇବାର ଅପଚେଷ୍ଟା କରୁଥିଲା।

ବଡ଼ବାବୁ ପଚାରିଲେ,"ପ୍ରଣବ ବାବୁ, ଆଜି ଏତେ ଡେରି ହେଲା ଯେ, କଣ କିଛି କାମ ଥିଲା କି?" ସମସ୍ତେ ଭାବୁଥିଲେ ପ୍ରଣବ ଲାଜେଇ ଯିବ। ସେ ଝିଅ କଥାଟା ଲୁଚେଇବ। ଶ୍ୟାମଳୀ ମାଡାମ ବଡ଼ ଉତ୍ସୁକ ହେଇ ଚାହିଁ ରହିଥିଲେ ପ୍ରଣବର ଉତ୍ତର ଶୁଣିବା ପାଇଁ। ରାଗିଣୀ ଅବଳା ସୁଲଭ ସଲ୍ଲଜ ଦୃଷ୍ଟିରେ କଣେଇ କଣେଇ ଚାହିଁ ମୁରୁକି ମୁରୁକି ହସୁଥିଲା। ସୁନିଲ, ମଧୁ ଆଉ ଚପରାସୀ ମନୁଆ, ସମସ୍ତଙ୍କର ଚେହେରାରେ ଉତ୍ସୁକତା ସ୍ପଷ୍ଟ। ଏତିକିବେଳେ ଶ୍ୟାମଳୀ ମାଡାମ ପଚାରିଦେଲେ,"ସେ ଝିଅଟି କିଏ କି ପ୍ରଣବ?" ଶ୍ୟାମଳୀ ମାଡାମ ତାକୁ ପ୍ରଣବ ହିଁ ଡାକନ୍ତି, ଏତେ ଫର୍ମାଲିଟି ନଥାଏ। ଏତେବେଳକେ ପ୍ରଣବ ବୁଝିପାରିଲା ଏତେସବୁ ତନାଘନାର ମୂଳ କାରଣ କଣ। ହୋ ହୋ ହେଇ ହସିଲା। ପ୍ରଣବ କହିଲା,"ସିଏ ଗୋଟେ ଭାରି ଦୁଃଖଦ କଥା। ଯେଉଁ ଝିଅଟିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିଯାଇଛି ତା ନାଁ ହେଲା ସୀମା। ଏଇ ପାଖ ସରକାରୀ କଲେଜରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ପଢୁଛି। ଖୁବ ମେଧାବୀ ଝିଅଟେ। ପିଲାଦିନେ ବାପା ମା ମରିଯିବାରୁ ତା ପିଉସୀ ଘରେ ରହି ପଢୁଛି। ସବୁଠାରୁ ବଡ଼ କଥା ହେଲା ଝିଅଟି ଆଉ ଅଳ୍ପ କେତେଦିନର ଅତିଥି। ଏତେ କମ ବୟସରେ ଏ ଦୁନିଆ ଦେଖିବାର ଅବସର ପାଇଲା ପୂର୍ବରୁ ତାକୁ ସଂସାର ଛାଡି ଯିବାକୁ ପଡିବ। ଏହା ଅବଧାରିତ। ଏ ପର୍ଯ୍ୟନ୍ତ ଚିକିତ୍ସା ଶାସ୍ତ୍ରରେ କୌଣସି ଔଷଧ ବାହାରିନଥିବା ଗୋଟେ ରୋଗରେ ସେ ଆକ୍ରାନ୍ତ। ତା ପିଉସୀଙ୍କର ଆର୍ଥିକ ଅବସ୍ଥା ଏତେ ସ୍ଵଚ୍ଛଳ ନୁହେଁ ଯେ ତାକୁ ଦିଲ୍ଲୀ କି ବମ୍ବେ ନେଇ ଉତ୍ତମ ଚିକିତ୍ସା ଦେଇ ସୁସ୍ଥ କରିପାରିବେ। କାହିଁକି କେଜାଣି ଝିଅଟା ମୋ ଉପରେ ଖୁବ ଭରସା କରେ। ପଡୋଶୀ ହିସାବରେ ତା ଭରସାକୁ ମୁଁ ଏପର୍ଯ୍ୟନ୍ତ ଭାଙ୍ଗିନି କି ଭାଙ୍ଗିବିନାହିଁ ମଧ୍ୟ। ଆଜି ତାର ଜନ୍ମଦିନ ଥିଲା। ସେଇଥିପାଇଁ ତାକୁ ସ୍କୁଟରରେ ନେଇ ମନ୍ଦିର ଯାଇଥିଲି। ତା ପରେ ତାକୁ କଲେଜରେ ଛାଡି ଅଫିସ ଆସିଲି। ସେଇଥିପାଇଁ ଟିକେ ଡେରି ହେଲା"। ପ୍ରଣବର କଥା ସରିଲାବେଳକୁ ସୀମାର କରୁଣ କାହାଣୀ ଶୁଣି ସମସ୍ତଙ୍କର ଆଖି ଓଦା ହେଇଯାଇଥିଲା। ଏକ ମହାନ ଆବିଷ୍କାରର ଆନନ୍ଦରେ ଉଲ୍ଲସିତ ହେଇଥିବା ଶ୍ୟାମଳୀ ମାଡାମ ନିଜକୁ ଦୋଷୀ ଦୋଷୀ ମନେକରି ତଳକୁ ମୁହଁ କରି ଆଖି ପୋଛୁଥିଲେ। 

***

ୟା ଭିତରେ ପ୍ରାୟ ପାଞ୍ଚବର୍ଷ ବିତିଗଲାଣି। ଶ୍ୟାମଳୀ ମାଡାମ ଅବସର ନେଲେଣି। ପ୍ରଣବର ମଧ୍ୟ ଅନ୍ୟସ୍ଥାନକୁ ବଦଳି ହୋଇଛି। ଏକଥା ସଂଯୋଗ କୁହନ୍ତୁ ବା ଆଉକିଛି, ପ୍ରଣବ ଜଏନ୍ କରିଥିବା ଅଫିସର ପାଖାପାଖି ଶ୍ୟାମଳୀ ମାଡାମଙ୍କର ଘର। ସେଦିନ ବଜାରରେ ଶ୍ୟାମଳୀ ମାଡାମଙ୍କ ସହ ପ୍ରଣବର ଦେଖାହେଇଗଲା। ପ୍ରଥମେ ତ ଚିହ୍ନିପାରି ନ ଥିଲା ସେ। ଟିକେ ନିରିଖେଇ ଦେଖିବା ପରେ ଚିହ୍ନିପାରି ନମସ୍କାରଟିଏ ହେଲା। ଅବସର ପରେ ବୟସଟା ଯେମିତି ହଠାତ ବଢିଯାଏ। ମଣିଷର ଶରୀରକୁ ତାର ମାନସିକ ଅବସ୍ଥା ବେଶି ଖାଇଯାଏ। ସେଇଥିପାଇଁ ବୋଧେ ଶ୍ୟାମଳୀ ମାଡାମ ଏତେ ବୁଢୀ ଦେଖାଯାଉଛନ୍ତି। ତାଙ୍କ ନିମନ୍ତ୍ରଣର ଆନ୍ତରିକତାକୁ ଅନୁଭବ କରି ପ୍ରଣବ ତାଙ୍କ ଘରକୁ ଗଲା। ଚାହା ପିଉପିଉ ଶ୍ୟାମଳୀ ମାଡାମ ପଚାରିଦେଲେ,"କଣ ପ୍ରଣବ ବାହାସାହା ହେଲଣି କି ନା?" ପ୍ରଣବ କହିଲା,"ନା ମାଡାମ, ଯାହାକୁ ତ ଭଲପାଇଲି ସିଏ ତ ଛାଡି ଚାଲିଗଲା ସେଇଥିପାଇଁ ତ ମୁଁ ଆଉ ଭଲପାଇବିନି କି ବାହା ବି ହେବିନି।"ହଁ ଆପଣମାନଙ୍କୁ ମୁଁ ଭୁଲ କହିଥିଲି, ମୁଁ ପ୍ରକୃତରେ ସୀମାକୁ ଖୁବ ଭଲପାଉଥିଲି, ତାର ଏ ସ୍ବଳ୍ପ ଜୀବନକାଳ ଭିତରେ ସେ ମୋତେ ଯାହା ଦେଇଛି ସେତିକି ମୁଁ ଆଉ କୋଉଠୁ ପାଇବି ବୋଲି ଆଶାବାଦୀ ନୁହେଁ। ସେତେବେଳେ ପ୍ରେମଟା ଅନାବଶ୍ୟକ କହୁଥିବା ପ୍ରଣବ ମୁହଁରୁ ଏକଥା ଶୁଣି ଶ୍ୟାମଳୀ ମାଡାମ ନିଜ ଆବିଷ୍କାରର ସତ୍ୟତାରେ ସନ୍ତୁଷ୍ଟ ହୋଇଯାଇଥିଲେ ଯାହା ତାଙ୍କର ଆଖିର ଚମକରୁ ସ୍ପଷ୍ଟ ହୋଇଯାଇଥିଲା। ପ୍ରେମ ବିନା ହୃଦୟଟେ କଣ ସମ୍ଭବ। ପ୍ରଣବ ହୃଦୟରେ ଯେ ନିଶ୍ଚିତଭାବେ ବସା ବାନ୍ଧିଥିଲା ଏକଥା ଶ୍ୟାମଳୀ ମାଡାମ ଠିକ ଆବିଷ୍କାର କରିଥିଲେ। 


Rate this content
Log in

Similar oriya story from Abstract