ପଣ୍ଡା ସାର୍।
ପଣ୍ଡା ସାର୍।
ପଣ୍ଡା ସାର୍। ନିଜ କର୍ମ ଦକ୍ଷତା ବଳରେ ଗୋଟିଏ ପ୍ରାଇଭେଟ କମ୍ପାନୀରେ ସରଘରିଆ ଚାକିରି ଖଣ୍ଡେ ପାଇଛନ୍ତି। ବେଶି ଉଚ୍ଚ ନୁହଁନ୍ତି, ଖର୍ବାକୃତି ମଣିଷଟିଏ। ଲୋଭ, କଞ୍ଜୁସ, ସ୍ୱାର୍ଥପରତା ତାଙ୍କର ଆଭୂଷଣ। ସତକୁ ମିଛ, ମିଛକୁ ସତ କରି ତମକୁ ଏମିତି ଭୁଆଁ ବୁଲେଇ ଦେବେ ଯେ, ତମେ ଗୋଟିଏ ଜାଗାରେ ଠିଆହୋଇ ଘିରି ଘିରି ବୁଲୁଥିବ।
ମୁଁ ତାଙ୍କର ନିନ୍ଦୁକ ନୁହେଁ, ଜଣେ ସହକର୍ମୀ। ଯଦିଓ ମୁଁ ତାଙ୍କର ଉପର ଅଫିସର, ନୂଆ ଜଏନ କରିଛି ତଥାପି ଆମ ଭିତରେ କେବେ ସେମିତି ଉଚ୍ଚା ନୀଚ୍ଚର ଭାବନା ଆସିନି। ସମ୍ୟକ ସମାନତା ରଖି କାମ କରି ଚାଲୁ।
ଲକ୍ଷ କଲି, କେହି କେହି ପଣ୍ଡା ବାବୁଙ୍କୁ ପାଣ୍ଡୁ ସାର୍ ବୋଲି ଡାକନ୍ତି। ଜଣେ ତାଙ୍କୁ ପାଣ୍ଡବ ସାର୍ ଡାକୁଥିବାର ଦେଖି, ଦିନେ ପଣ୍ଡା ସାର୍'ଙ୍କୁ ପଚାରିଲି, ସାର୍ ଆପଣଙ୍କ ନାଁ ଟା କଣ କି? କିଏ ପଣ୍ଡା ସାର୍, କିଏ ପାଣ୍ଡୁ ସାର୍ ତ ଆଉ କିଏ ପାଣ୍ଡବ ସାର୍ ବୋଲି ଡାକୁଛନ୍ତି...
କିଛି ନ କହି ପଣ୍ଡା ସାର୍ ହସିଦେଲେ।
ମୁଁ ବି ତାଙ୍କୁ ଆଉ ବଳେଇ ପଚାରିଲି ନାହିଁ। କିନ୍ତୁ ମୋ ମନରେ ଘାରି ହେବାକୁ ଲାଗିଲା ଇଏ ପ୍ରକୃତରେ କିଏ?
ଦିନ ଗୋଟାଏ ବାଜିଲା, ଖାଇବା ସମୟ। କମ୍ପାନିରେ ଦିନ ଗୋଟାଏ ରୁ ଦୁଇଟା ଲଞ୍ଚ ଟାଇମ। ଆଗରେ କ୍ୟାଣ୍ଟିନ ଆଡକୁ ପଣ୍ଡା ସାର୍ ଚାଲିଲେ। ମୁଁ କିନ୍ତୁ ଜାଣିଶୁଣି ଲଞ୍ଚ କରିବାକୁ ଗଲି ନାହିଁ।
ଲିପୁନ କୁ ଫାଇଲ ଆଣିବାକୁ ନିର୍ଦ୍ଦେଶ ଦେଇ ଗୋଟିଏ ଭାବନାରେ ମୁଁ ହଜିଗଲି।
ଟାଙ୍ଗରା ବାଙ୍ଗରା ଚୈବ... କଣା କୁଜା ତଥୈବ ଚ
ପଣ୍ଡା ସାର୍ ଙ୍କୁ ଚଷମା ଲାଗିଲାଣି, ମୁଣ୍ଡର ପଛ ଭାଗରୁ ଚୂଳ ଉପୁଡି ନଣ୍ଡା ହେବାକୁ ଧରିଲାଣି.. ଆଗରୁ କହି ରଖିଛି ସେ ଖର୍ବାକୃତି। ସନ୍ଦେହ ଘନୀଭୂତ ହେବାକୁ ଲାଗିଲା। ମୋତେ ଲୁଚା ଛପା କରି ସେ ଆଉ ମୋ ଚେର କାଟି ଦେବେନିତ??
କନଷ୍ଟ୍ରକ୍ସନ କାମରେ ଚୁଗୁଲି ବାଜି ବହୁତ ଚାଲେ। "ଯିଏ ଚୁଗୁଲିଆ ହେଇ ପାରିଲା, ବଡ ସାର୍ ଙ୍କୁ ତେଲ ମାଲିସ କରିପାରିଲା, ସାର୍ ଙ୍କ ହଁ ସହିତ ହଁ ମିଳାଇ ପାରିଲା, ଆଗରେ ପଛରେ ବୁଲି ହାଁ ଜୀ ହାଁ ଜୀ କରିପାରିଲା ଜୀବନରେ ସେହି କରିତ୍ କର୍ମା ମାନେ ହିଁ ଉନ୍ନତିର ଚରମ ସୀମାରେ ପହଁଚି ପାରନ୍ତି।"
ଲିପୁନର ସାର୍ ଶବ୍ଦ ଶୁଣି ମୁଁ ପ୍ରକୃତିସ୍ଥ ହେଲି।
ଲିପୁନ। ଢେଙ୍କାନାଳର ଛୁଆ। ସେ ବି ବହୁତ ଦିନ ହେଲା ଏଇଠି ହେଲ୍ପର କାମ କରି ଆସୁଛି। ବଡ଼ ସିଆଣିଆ। ଚାରି ଦିନ ତଳେ ଦରମା ଆସିଥିଲା, ପଣ୍ଡା ସାର୍ ତାକୁ କହିଲେ, ଆରେ ଲିପୁନ: ଦରମା ଆସିଲା, ମିଠେଇ କାହିଁ? ଆଣିବି ସାର୍ ଆଣିବି କହି, ପଣ୍ଡା ସାର୍ ଙ୍କୁ ଚକୋଲେଟ ଟିଏ ବଢ଼ାଇ ଦେଲା। ମୁହଁରେ ଚକୋଲେଟ ଟା ପୁରୋଉ ପୁରୋଉ ପଣ୍ଡା ସାର୍ କହିଲେ, ତୁ ବଡ଼ ସିଆଣା ହେଇଗଲୁଣି। ମିଠେଇ ନ ଆଣି ଚକୋଲେଟରେ କାମ ଚଳେଇ ଦେଲୁ।
ତୁରନ୍ତ ଲିପୁନ କହିଲା ସାର୍, କଟକରେ ଛାତ ଗଣି ଟଙ୍କା ଦେବା ଜମାନା ଗଲାଣି। ସେତେ ବେଳେ ଦଶ ଟା ଛାତ ଗଣି ପାଞ୍ଚଟା ଛାତର ପାଇସ ଦେଇଥିଲୁ। ଆଉ ଆଜି ବି ମିଠେଇ ବଦଳରେ ଚକୋଲେଟ ଦେଉଛୁ। ସଦାବେଳେ ଆପଣ ଆମକୁ ଉଲ୍ଲୂ ଭାବି, ଆମପାଖରୁ ହିଁ ଠକିଯିବେ।
ଲିପୁନକୁ ପଚାରିଲି, ଆରେ ଲିପୁନ; ଏଇ ପଣ୍ଡା ସାର୍ ଙ୍କ ପୁରା ନାଁ ଟା କଣ କିରେ...? ତାଙ୍କ ଘର କୋଉଠି?
ଏଇ ବେହେରା ସାର୍ ଙ୍କ କଥା ପଚାରୁଛନ୍ତି କି ସାର୍..?
ପାଣ୍ଡୁ, ପଣ୍ଡା, ପାଣ୍ଡବ ସାଙ୍ଗକୁ ଆଉ ଗୋଟିଏ ନାମ ଯୋଡି ହୋଇଗଲା, "ବେହେରା ସାର୍"।
ବୁଝି ହେଉନଥିଲା ଏହି ପାଣ୍ଡବରୁ ପଣ୍ଡା, ସଂବାକୁଆରୁ ପ୍ରଜାତି ର କାହାଣୀ ନା' ଉପଯୋଜିତ ହେବାପାଇଁ, ଏଣ୍ଡୁଅର ରଙ୍ଗ ବଦଳେଇବା ପ୍ରକ୍ରିୟା...
ମୁଁ ସମ୍ମତି ଜଣାଇଲି।
ପୁଣି ଲିପୁନ ଆରମ୍ଭ କଲା, ସାର୍ ବେହେରା ସାର୍ ଜଣେ କଟିକିଆ। ସେ ସଦାବେଳେ ନିଜକୁ ଲୁଚେଇ ଥାଆନ୍ତି। ଆଙ୍ଗୁଠି ଗଣତା କିଛି ଷ୍ଟାଫ ଙ୍କୁ ଛାଡିଦେଲେ, ତାଙ୍କ ନାଁ କେହି ଜାଣନ୍ତିନି।
ସାର୍ ଙ୍କ ପ୍ରକୃତ ନାଁ ହେଲା ପାଣ୍ଡବ ଚରଣ ବେହେରା। କାଳେ କିଏ ଚରଣ ଚୁଟିଆ କହିଦେବ, ସେଥିପାଇଁ ସେ ପ୍ରକୃତ ନାମ କାହା ଆଗରେ କହନ୍ତି ନାହିଁ। କେଞ୍ଚୁଆକୁ ଗୋଳି ପାଣି ସୁବିଧା। ପାଣ୍ଡବ ସାର୍ ଙ୍କ ନାଁ ପାଣ୍ଡବରୁ ନାଁ ଧୀରେ ଧୀରେ ପାଣ୍ଡୁ ହୋଇଗଲା। ଏଠି ମାତ୍ରାଧିକ ଉତ୍ତର ପ୍ରଦେଶ ଓ ବିହାର ଲୋକ କାମ କରନ୍ତି। ସେମାନେ ପାଣ୍ଡୁ କୁ ଧୀରେ ଧୀରେ ପଣ୍ଡା ସାର୍ ଡାକିବା ଆରମ୍ଭ କରିଦେଲେ। ପାଣ୍ଡବ ଚରଣ ବେହେରା କ୍ରମେ ପଣ୍ଡା ସାର୍ ହୋଇଗଲେ। ସେ କେବେ କାହାକୁ ଭଦ୍ରକର ବୋଲି କହନ୍ତି ତ, ଆଉ କାହାକୁ କେଉଁଝର ଜିଲ୍ଲାର ବୋଲି କହନ୍ତି।
ଲିପୁନର କଥା ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲା ସେତିକି କୌତୁହଳ ମଧ୍ୟ ଲାଗୁଥିଲା।
ଖାଇବାର ସମୟ ଅତିକ୍ରାନ୍ତ ହୋଇ ସାରିଥିଲା। ମୁଁ ଆଉ ଖାଇବା ପାଇଁ ଗଲିନି। ଏକ ପ୍ରକାର ଉପବାସ କରିବାକୁ ପଡିଲା।
ଖାଇ ସାରି ପଣ୍ଡା ସାର୍ ପୁଣି ଅଫିସ କୁ ପୁନଃ ଆଗମାନ କଲେ।
କୌତୁହଳ ବଶତଃ ମୁଁ ତାଙ୍କୁ ପାଣ୍ଡବ ବୋଲି ସମ୍ବୋଧନ କଲି। କିନ୍ତୁ ପଣ୍ଡା ସାର୍ ଙ୍କର କୌଣସି ପ୍ରତିକ୍ରିୟା ନାହିଁ।
ତାଙ୍କର ମନସ୍ତତ୍ଵ ଜାଣିବା ପାଇଁ ପୁରା ପାଣ୍ଡବ ଚରଣ ବେହେରାରୁ "ପଣ୍ଡା ସାର୍" ପର୍ଯ୍ୟନ୍ତ ବ୍ୟାଖ୍ୟା କଲି।
ସ୍ମିତହାସ୍ୟ ହସିଦେଇ ପଣ୍ଡା ସାର୍ ଓରଫ ପାଣ୍ଡବ ସାର୍ କହିଲେ। ଇଏ କନଷ୍ଟ୍ରକ୍ସନ କମ୍ପାନୀ, ଘଡିକେ ଘୋଡା ଛୁଟେ। କେତେବେଳେ ପବ୍ଲିକ ମାତିବେ, ଦୌଡ଼ି ଦୌଡ଼ି ଘର ପର୍ଯ୍ୟନ୍ତ ମଧ୍ୟ ଯାଇ ହେବନାହିଁ। ଏମିତି ଫର୍ଜି ନାଁ ଥିଲେ, ମୋ ଘର ଆଗରେ ଠିଆ ହୋଇ ମଧ୍ୟ ମୋତେ ଏଇ କମ୍ପାନୀର କେହି ଚିହ୍ନି ପାରିବେ ନାହିଁ। ତା ଛଡା, ମୁଁ ତ କାହାକୁ କିଛି କହିନି, ଅପଭ୍ରଂଶ କରି ଷ୍ଟାଫ ମୋତେ ଏମିତି ଡାକୁଛନ୍ତି। ଏଥିରେ ମୋର ଦୋଷ କଣ??
ଉଭୟେ ଏକ ବଡ ଧରଣର ହସ ହସିଲୁ।
ପାଣ୍ଡବ ସାର୍'ଙ୍କ ତାରିଫ କରିବାକୁ ଯାଇ ମୁଁ କହିଲି, ପ୍ରକୃତରେ ଆପଣ ଜଣେ ଚାଲାକ ବ୍ୟକ୍ତିତ୍ୱ।
ଶ୍ରେୟ ପାଇ ନିଜର ଆତ୍ମ ବଡିମା ଦେଖାଇବାକୁ ଯାଇ ପାଣ୍ଡବ ସାର୍ କହୁଥିଲେ, ମୁଁ ବାଲ୍ୟ କାଳରୁ ଏମିତି।
ପାଣ୍ଡବରୁ ପଣ୍ଡା ପର୍ଯ୍ୟନ୍ତ ଯୋଉ ବିବର୍ତ୍ତନବାଦ ହୋଇଥିଲା ସେଇ ଖୁସିଟା ମନେ ମନେ ଗୋଟେ ତରଙ୍ଗାୟିତ ଢେଉ ହେଇ ଖେଳୁଥିଲା। ଅନ୍ତର ଭିତରେ ଥିବା ହସକୁ ଟିକିଏ ଚପେଇ ଦେଇ କୁତୁହଳ ବସତଃ ପାଣ୍ଡବ ସାର୍ ଙ୍କୁ ପଚାରିଲି, ହଇହୋ ପାଣ୍ଡବ ସାର୍ ସେଇ ଘଟଣାପ୍ରବାହର ଗୋଟିଏ ଛୁଙ୍କ ଛାଡିଲେ ହଁଅଁନ୍ତାନି
ମୁଚୁକୁନ୍ଦ ହସ ହସି ପାଣ୍ଡବ ସାର୍ ଅନୁକୂଳ କଲେ, ବାଲ୍ୟ ଜୀବନର ସ୍ମୃତିଭିଜା କାହାଣୀ.... ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ମୋ ପିଲାଟି ଦିନରୁ ଜଣା ପଡିଥିଲା ଯେ ମୁଁ ନିଶ୍ଚୟ ଜଣେ ଧନୀ ଲୋକ ହେବି। ଟଙ୍କା ପଇସାରେ ମୋର ଅଭାବ ରହିବ ନାହିଁ।
ମୁଁ ସେତେବେଳେ ମାତ୍ର ୫ ବର୍ଷର ଟୋକା, ମୁଁ' ମୋର ଅନ୍ୟ ଜଣେ ସାଙ୍ଗ ସହ, ସ୍କୁଲରୁ ଫେରୁ ଥିଲି। ରାସ୍ତାରେ ଦଶ ଟଙ୍କିଆ ନୋଟ ଟିଏ ପଡିଥାଏ। ଦୁର୍ଭାଗ୍ୟକୁ ସେଇ ଟଙ୍କାଟି ମୋ ହାବୁଡ଼ରେ ନ ପଡି ମୋ ସାଙ୍ଗରେ ଆସୁଥିବା ସାଙ୍ଗ ହାବୁଡ଼ରେ ପଡିଲା ଦଶ ଟଙ୍କିଆ ନୋଟ ଟିକୁ ତଳୁ ଉଠେଇ ଜୋର ଜୋର ରେ କହିଲା
ଜଗ ଜଗ ନାରୀ ...
ଯାଆକୁ ମିଳିଲା ତାଆରି।।
ଏକବାରେ ସେ ଖୁସି।
ମୋତେ ନ ମିଳିଥିବାରୁ ମୁଁ ଦୁଃଖ ଓ ପରଶ୍ରୀକାତରରେ ଜର୍ଜରିତ ହେଉଥାଏ। ତା ପାଟିକୁ ଭିଡି ଧରିଲି। ମୁହଁ ବନ୍ଦ ହେବା ପରେ, ପାଟିରୁ ହାତ କାଢି କହିଲି, ଧେତ୍ କାହାର ବୋଲେ କାହାର ସେଇ ପାଇସା, ତୁ କାହିଁକି ନେବୁ? ପକା, ପକା ତଳେ ସେଇ କାଗଜଟାକୁ।
ମୋ କଥା ଶୁଣିଲା, କଥା ମାନି ଦଶ ଟଙ୍କିଆ ନୋଟଟା ତଳକୁ ପକେଇ ଦେଲା।
ଖପ୍ କରି ଦଶ ଟଙ୍କିଆଟି ତଳୁ ଉଠେଇ ଚିଲ ମାରିଲା ଭଳି ସିଧା ଘରକୁ ଉଡ଼ି ଦେଲି।
ଆଉ ପାଞ୍ଚ ଦିନ ପର୍ଯ୍ୟନ୍ତ ତା ସଙ୍ଗରେ ସାଙ୍ଗ ହେଲିନି।
ଧିରେ ଧିରେ ସାଇ ପଡ଼ିଶା ଏ କଥା ଜାଣିଲା ପରେ କହିଲେ, ଏଇ ପାଣ୍ଡବ ପିଲା ଦିନୁଁ ଏତେ... ଆଉ ବଡ଼ ହେଲେ କଣ ନ ହବ?
ହସକୁ ବହୁତ ସମୟ ଚାପି ନ ପାରି ଫେଁ କିନା ହସିଦେଲି।
ଧିମନ୍ତ ପାଣ୍ଡବ ସାର୍ କହୁଥିଲେ, ଜୀବନ ଆପଣଙ୍କଠାରୁ ବାରମ୍ବାର ପରୀକ୍ଷା ନେବ। ପାଣ୍ଡବରୁ ପଣ୍ଡା ସାର୍ କରି ଗଢି ତୋଳିବ ଆଉ ଏଥିପ୍ରତି ସଦାସର୍ବଦା ସତର୍କ ରହିବାକୁ ହେବ। ଜୀବନର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଉପସ୍ଥିତ ବୁଦ୍ଧି ଖଟେଇବାକୁ ପଡିବ, ଚିଲ ଭଳି ତୀବ୍ର ହେବାକୁ ପଡିବ। ନିଜ ସ୍ୱାର୍ଥ ହାସଲ ପାଇଁ କିଛି ପ୍ରିୟଜନଙ୍କୁ ମଧ୍ୟ ତ୍ୟାଗବାକୁ ପଡିବ