Sambit Srikumar

Horror Tragedy Inspirational

4.0  

Sambit Srikumar

Horror Tragedy Inspirational

ପକ୍ଷୀ ଗଣନା

ପକ୍ଷୀ ଗଣନା

3 mins
167


ଚିଲିକା! ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା! ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବାବଦରେ ଯେତେ ବର୍ଣ୍ଣନା କଲେ ମଧ୍ୟ କମ୍ ହେବ। ବିସ୍ତୀର୍ଣ୍ଣ ଇଲାକାରେ ପରିବ୍ୟାପ୍ତ ଚିଲିକା ଏସିଆ ମହାଦେଶର ସର୍ବବୃହତ ଲବଣାକ୍ତ ହ୍ରଦ। ନିଜର ଜୈବ ବିବିଧତା ପାଇଁ ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଶୀତ ଋତୁରେ ଏଠି ମେଳା ବସେ ବହିରାଗତ ନାନାଦି ପ୍ରଜାତିର ପକ୍ଷୀଙ୍କର। ବେଶ୍ ରମଣୀୟ ଲାଗେ ଏହାର ବାତାବରଣ ଶୀତ ଋତୁର ଆଗମନରେ। 

ଡିସେମ୍ବର ମାସର ଶେଷ ସପ୍ତାହ। ଏବର୍ଷ ଶୀତର ମାତ୍ର ଟିକେ ଅଧିକ ରହିଛି। ହାଡ଼ଭଙ୍ଗା ଶୀତରେ ଥୁରୁଥୁରୁ ହେଉଛି ପ୍ରକୃତି। ହାଲୁକା ହାଲୁକା ବରଫପାତ ବି ହେଉଛି କିଛି କିଛି ଜାଗାରେ। ଅନୁକୂଳ ପାଣିପାଗ ଏବଂ ସ୍ବାସ୍ଥ୍ୟକର ପରିବେଶ ହେତୁ ପକ୍ଷୀଙ୍କ ଆଗମନରେ ଆଗମନ ପୂର୍ବାପେକ୍ଷା ବଢିଛି ବୋଲି ଆଶାବ୍ୟକ୍ତ କରାଯାଇଛି ପରିବେଶ ବିଶାରଦମାନଙ୍କ ଦ୍ଵାରା। ବନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୀଳାମ୍ବୁ ଚିଲିକାରେ ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟ ବହୁ ଉତ୍ସାହର ସହିତ ଚାଲିଛି। ଜାତୀୟ ସ୍ତରରୁ ପକ୍ଷୀ ବିଶେଷଜ୍ଞ କମିଟି ଆସିଛନ୍ତି ପର୍ଯ୍ଯବେକ୍ଷକ ଭାବେ ଏହି ଦୁଷ୍କର କାର୍ଯ୍ୟର ତଦାରଖ କରିବା ପାଇଁ। 

ଆଖପାଖରେ ଅବସ୍ଥିତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ସ୍ବେଚ୍ଛାସେବୀମାନେ ଅନେକ ଗୁଡିଏ ଦଳରେ ବିଭକ୍ତ ହୋଇ ସମଗ୍ର ହ୍ରଦର ପରିସୀମା ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ସମ୍ବନ୍ଧୀୟ ଖବର ପରିବେଷଣ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି। ବହିରାଗତ ପକ୍ଷୀମାନଙ୍କ ପରି ବିଦେଶୀ ସାମ୍ବାଦିକ ଏବଂ ସ୍ଥିରଚିତ୍ର ଉତ୍ତୋଳନକାରୀମାନଙ୍କର ମଧ୍ୟ ଭୀଡ଼ ଜମିଛି ଚିଲିକା ତୀରରେ ଅବସ୍ଥିତ ତାରକା ହେଟେଲ୍ ଗୁଡିକରେ। 

ଚିଲିକା ହ୍ରଦ ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ, ପକ୍ଷୀମାନଙ୍କ ପାଇଁ ଭୂସ୍ୱର୍ଗ ବୋଲି ବିବେଚନା କରାଯାଏ। ଦେଶବିଦେଶର ଦୁଇଶହରୁ ଉର୍ଦ୍ଧ୍ବ ବିରଳ ଓ ବିଲୁପ୍ତ ପ୍ରାୟ ପ୍ରଜାତିର ପକ୍ଷୀମାନେ ଶୀତ ଋତୁରେ ଏଇଠି ଡେରା ପକାଇ ରହିଥାନ୍ତି ସେମାନଙ୍କର ପ୍ରାକୃତିକ ବାସସ୍ଥଳୀ ତ୍ଯାଗ କରି। ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ ଚିଲିକା ସେମାନଙ୍କ ପାଇଁ ଆଗମନରେ ସ୍ବର୍ଗଠୁ ବି ସୁନ୍ଦର ଏବଂ ମନୋରମ ଦୃଶ୍ୟମାନ ହୋଇଥାଏ। ରଙ୍ଗବେରଙ୍ଗ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହୋଇ ଉଠେ ଚିଲିକାର ଭବ୍ୟ ବାତାବରଣ। 

ବିଦେଶୀ ପକ୍ଷୀଙ୍କ ମଧ୍ଯରେ ସବୁଠାରୁ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ ଏରା। ହଂସ ଜାତୀୟ ପକ୍ଷୀର ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ। ବିଶେଷ କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଏହି ପକ୍ଷୀଟିର କ୍ରୀଡ଼ା ନୈପୁଣ୍ୟ। ମାତ୍ର ବିଡ଼ମ୍ବନା ଏହି ଯେ, ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଏହି ଜାତୀୟ ପକ୍ଷୀଙ୍କ ସମାଗମ ଚିଲିକା ବକ୍ଷରେ। କାରଣ କଣ କେହିବି ସଠିକ୍ ଭାବେ ଜାଣନ୍ତି ନାହିଁ। ଏଥିପାଇଁ ପକ୍ଷୀ ପ୍ରେମୀମାନେ ବିଶେଷ ଭାବରେ ବ୍ଯଥିତ। କିନ୍ତୁ ନିରୁପାୟ। କାରଣ ଜାଣିଲେ ସିନା କିଛି ନିରାକରଣ କଥା ଚିନ୍ତା କରିବେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଆଗନ୍ତୁକ ଅତିଥି ପକ୍ଷୀମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ହୋଇଛି ବୋଲି ବନ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ଦ୍ଵାରା ସୂଚନା ପ୍ରଦାନ କରାଗଲା। ଏହା ପରେ ସର୍କିଟ୍ ହାଉସ୍ ଠାରେ ଆଯୋଜନ କରାଯାଇଛି ଏକ ବର୍ଣ୍ଣାଢ୍ୟ ନୈଶ୍ଯ ଭୋଜନର ସମସ୍ତ ଜାତୀୟ ଆନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ସାମ୍ବାଦିକଙ୍କ ନିମନ୍ତେ। ନାନାଦି ସ୍ବାଦିଷ୍ଟ ବ୍ୟଞ୍ଜନ ସହିତ ବିଦେଶୀ ମଦିରାର ଆସର ଜମୁଛି ମୃଦୁ ସଂଗୀତର ମତୁଆଲା ମୂର୍ଚ୍ଛନାରେ। ବେଳକୁ ବେଳ ରଙ୍ଗୀନ୍ ହୋଇ ଉଠୁଛି ରାତ୍ରିର ବହଳ ଅନ୍ଧକାର। 

ନିଜକୁ କରିତକର୍ମା ପକ୍ଷୀ ବିଶେଷଜ୍ଞ ବୋଲାଉଥିବା ଜନୈକ ଭଦ୍ରବ୍ୟକ୍ତି ଉପସ୍ଥିତ ଅତିଥିମାନଙ୍କୁ ଚିଲିକାର ଜୈବବିବିଧତା ଓ ଜୀବମାନଙ୍କ ବିଶେଷତ୍ବ ବିଶ୍ଲେଷଣ କରିବା ଅବସରରେ କହୁଥାଆନ୍ତି, "ଆଜ୍ଞା, ଛାଡନ୍ତୁ ସେ ମାଛ, ଚିଙ୍ଗୁଡି ଆଉ କଙ୍କଡ଼ାକୁ। ସେଗୁଡ଼ିକ ତ ସବୁବେଳେ ମିଳିବ ଏଠି। ଚାଖନ୍ତୁ ଏଇ ବିଦେଶୀ ଚଢେଇର ନରମ ମାଂସ। ନାମ ୟାର ଫ୍ଲେମିଙ୍ଗୋ ଏରା! ବେଶ୍ ମହରଗ ଆଉ ଦୁର୍ଲଭ ଏଇ ଚଢେଇ। କେବଳ ଏଇ ଶୀତ ଦିନେ ଆମ ଚିଲିକାରେ ହିଁ ପାଇବେ ୟାକୁ। ବର୍ଷକରେ ଥରେ ଏଇ ସମୟରେ। ବିଶ୍ବରେ ଅନ୍ୟ କୌଣସି ସ୍ଥାନରେ ଏହାର ମାଂସ ଖାଇ ପାରିବେ ନାହିଁ ଜାନ୍ତବ ଆସକ୍ତିରେ ସଭିଏଁ ଝାମ୍ପିନେଲେ ବିଦେଶୀ ଚଢେଇର ଖଣ୍ଡ ଖଣ୍ଡ ମାଂସ। ହାତ ଚାଟି ଖାଇବାରେ ଲାଗିଥିଲେ ସଭିଏଁ। ହାସ୍ୟ ରୋଳରେ ଫାଟି ପଡୁଥିଲା ନୈଶ୍ଯ ଭୋଜିର ନିଆରା ଆସର। ସର୍କିଟ୍ ହାଉସ୍ କାନ୍ଥରେ ଶୋଭା ପାଉଥିବା ସୁଦୃଶ୍ୟ ତୈଳଚିତ୍ରଟିରେ ଉଲ୍ଲିଖିତ ଉକ୍ତି "ଅତିଥି ଦେବୋ ଭବଃ" କେଜାଣି କାହିଁକି ଉପସ୍ଥିତ ଉଦ୍ଯୋକ୍ତାଙ୍କ ପ୍ରତି ବିଦ୍ରୁପ କରୁଥିଲା।


Rate this content
Log in

Similar oriya story from Horror