Pradeep Kumar Panda

Abstract Inspirational

4.5  

Pradeep Kumar Panda

Abstract Inspirational

ପଖାଳକଂସା

ପଖାଳକଂସା

5 mins
424



-- ପଖାଳ ତ ପଖାଳ।ଭାତ ରାନ୍ଧି ପାଣି ପୁରାଇଦେଲେ ପଖାଳ।ସେଥିରେ ପୁଣି ତମ ବୋଉଙ୍କ ପଖାଳ କଂସାରେ ଅଧିକ କଣ ?"


  ଦୀପ୍ତି ପ୍ରଶ୍ନରେ ମୁଁ ନିରବ ରହି ସବୁବେଳେ ଭାବେ ବୋଉର ପଖାଳ କଂସାର ସ୍ୱତନ୍ତ୍ରତା କଣ !ବିଜ୍ଞାନ ଏତେ ଆଗେଇଲାଣି ,ଠିକ ବୋଉର ପଖାଳ କଂସା ଭଳି ସତରେ କଣ ଚାହିଁଲେ ବନେଇ ହେବନି ?

ତେବେ ଆଜିଯାଏଁ ଅନ୍ୟ ଯେତେଆଡ଼େ ପଖାଳ ଖାଇଛି,ତାହା ବୋଉ ହାତ ସ୍ୱାଦଭଳି କାହିଁକି ଲାଗେନା ?

ଦୀପ୍ତି ପୁଣି କଥା ଦୋହରାଏ,


- ପଖାଳ ତ ପଖାଳ।ଭାତ ରାନ୍ଧି ପାଣି ପୁରାଇଦେଲେ ପଖାଳ।ତେଣିକି କିଏ ଦହି ପକେଇବ ତ କିଏ ଲେମ୍ବୁ ,ଲୁଣ।ଆଉ ଅଧିକ ତମ ବୋଉ କଣ କରୁଥିବେ ?ହେଇହେଇକି ମାଛ କି ଶୁଖୁଆ ଥିବ।ଚାଲ ଆମେ ଆଜି "ହୋଟେଲ ପଖାଳ ହାଣ୍ଡି"ଯିବା।ସ୍ପେଶାଲ ପଖାଳ କରୁଛି।ଆମ କିଟିପାର୍ଟି ସାଙ୍ଗମାନେ ଅନେକ ଥର ଖାଇଲୁଣି।ବହୁତ ବଢିଆ ଟେଷ୍ଟ ।ତମ ବୋଉଙ୍କ ପଖାଳ କଂସାକୁ ଚିତା କାଟିଦେଵ।ତିରିଶ,ଚାଳିଶ ଆଇଟମ କରୁଛି।ଥରେ ଖାଇଲେ ତମବୋଉ ଏବଂ ବୋଉ ପଖାଳ ଭୁଲିଯିବ।"


- ଏତେ ଆଇଟମ !"ମୋ ପାଟିରୁ ବାହାରି ପଡ଼ିଲା।

ପଖାଳ ଓ ତୋରାଣି ତ ସମ୍ପର୍ଣ୍ଣ ମିଲ।

ପଖାଳ ସାଙ୍ଗରେ ପୁଣି ଏତେ ପ୍ରକାର ବ୍ୟଞ୍ଜନ କଣ ନିହାତି ଦରକାର!ଏତେ ଜିନିଷ ଭିତରେ ପଖାଳ ସ୍ୱାଦ ତ ଲୁଚିଯିବ।ଭାବନା ରାଜ୍ୟରେ ହଜିଗଲି।ପିଲାବେଳ ଚିତ୍ର ଆଖି ଆଗରେ ଭାସିଉଠିଲା।


ରୋଷେଇ ଘରେ ପଖାଳ କଂସା ଧରି ବୋଉ ଡାକୁଛି।

ବୋଉ ପଖାଳ କଂସା ଧରି ବସିଗଲେ,ଆମେ ସବୁ ଭାଇ ଭଉଣୀ,ଦାଦା,ପିଉସୀ,ଯିଏ ଯେଉଁଠି ଥାଉ,ଦୌଡ଼ି ଆସି ତା ଚାରିପଟେ ଘେରି ହୋଇ ବସିଯାଉ।

ବାପା କୁହନ୍ତି,"ତୋ ବୋଉର ସୌର ମଣ୍ଡଳ।"

ସତରେ ଆମ ସୌର ମଣ୍ଡଳର ସୂର୍ଯ୍ୟ ଥିଲା ବୋଉ ଓ ଆମେ ତା ଚାରିପଟେ ପ୍ରଦକ୍ଷିଣ କରୁଥିବା ଗ୍ରହ,ଉପଗ୍ରହ।

ପିଣ୍ଡାରେ ବସି ଜେଜେ ଖୁସିରେ ଆଖି ପୋଛନ୍ତି।ଜେଜେମା ଚାଲିଗଲା ପରେ ବଡ଼ ବୋହୁ ହିସାବରେ ପୁରା ଘରର ଦାୟିତ୍ୱ ବୋଉ ସମ୍ଭାଳୁଥିଲା।ପୁରା ଘର ଚାଲେ ତା ଅନୁସାରେ,ତା ଇସାରାରେ।ପାଞ୍ଚଫୁଟ ଉଚ୍ଚା ଓ ପତଳା ନହକା ମଣିଷ ଦେହରେ ଏତେ ବଳ କେଉଁଠୁ ଆସେ ବୋଲି ମୁଁ ଆଶ୍ଚର୍ଯ୍ୟ ହୁଏ।ଲୋଟଣି ପାରା ଭଳି ସାରା ଦିନ ଚଳପ୍ରଚଳ ହେଉଥାଏ।


- ତୁ ଟିକେ କ୍ଷୀର,ହର୍ଲିକ୍ସ ପିଉନୁ,ବଳ ଆସିବ।"

ମୋ କଥା ଶୁଣି ମୋ ମୁଣ୍ଡ ବାଳକୁ ସାଉଁଳେଇ ଦେଇ କହେ,

- ଏଇ ପଖାଳ କଂସାଏ ଓ ତୋରାଣି ସାରା ଦିନ ଫୁର୍ତ୍ତି ରହିବାକୁ ଖୋରାକ ଦିଏ।ପେଜ,ତୋରାଣି ପରା ରକ୍ତ ବଢ଼ାଏ।କ୍ଷୀର ମୁଁ ପିଇଲେ ତମେ ଛୁଆମାନେ କଣ ପିଇବ ?"

- ତୋରାଣି ପିଇଲେ ରକ୍ତ କେମିତି ବଢେ ?ହିମୋଗ୍ଲୋବିନ କଣ ତୋରାଣୀରୁ ତିଆରି ହୁଏ ?"

- ଦ୍ଵିଜ ବୋଉ ଏତେ ଘର କାମ କରୁଛି।ସେ କ୍ଷୀର ପିଏ ?ଆମ ଘରେ ପରା ସବୁଦିନ ତୋରାଣି ବେଳାଏ ପିଏ।ଆଉ ସବୁଠୁ ବଡ଼ କଥା ହେଲା ଏଇ ତୋରାଣି,ପଖାଳ କଂସା ସମସ୍ତଙ୍କୁ ଏକାଠି କରେ।ମଲାଯାଏଁ ମଣିଷ ଭୁଲିପାରେନା ଏସବୁ।ଯିଏ ଯେଉଁ ଜିନିଷ ଭଲପାଏ ସେଥିରେ ତା ଆତ୍ମା ଥାଏ।"


  ବୋଉ କଥା ଶୁଣି ମୁ ଆଁ କରି ଅନାଏ।ସତରେ କଣ ମଣିଷ ଏଇ ପଖାଳ କଂସା,ତୋରାଣିକୁ କେବେ ଭୁଲିପାରେନା ?ପଖାଳ କଂସାରେ ପୁଣି ଆତ୍ମା! ତୋରାଣି ରକ୍ତ ତିଆରି କରେ ?ବୈଜ୍ଞାନିକ ହୋଇ ମୋତେ ବୋଉକୁ ଭୁଲ ପ୍ରମାଣିତ କରିବାକୁ ପଡିବ।


  ଘର କେମିତି ଚଳେ,ବାପା ବୁଝନ୍ତିନି।ଚାକିରୀ ଜାଗାରୁ ଶନିବାର ଦିନ ଆସି ପହଞ୍ଚି, ସୋମବାର ଭୋରୁ ପଳାନ୍ତି।

ବୋଉକୁ ମୁଁ ଦେଖେ;ଗାଧେଇ ସାରି ଲୁଗା ପାଲଟି ମୁଣ୍ଡରେ ବଡ଼ ସିନ୍ଦୁର ଟୋପାଟେ ଓ ସିନ୍ଥିରେ ,ନିଜ ଶଙ୍ଖାରେ ସିନ୍ଦୁର ମାରି ଠାକୁର ଘରେ ପଶେ।ବୋଉ'ର ଗୋରା ତକତକ ଚେହେରାକୁ, ମୁଣ୍ଡର ସେଇ ସିନ୍ଦୁର ଟୋପା ଦେଖିଲେ ଲାଗେ ଯେମିତି ସତସତିକା ଠାକୁରାଣୀ ଉଭା ହୋଇଛନ୍ତି।ମୁଣ୍ଡ ଆପେ ଆପେ ନୋଇଁଯାଏ।


  ପୂଜା ସାରି ଚଉରାରେ ପାଣି ଦେଇ ମୁଣ୍ଡିଆ ମାରିଲା ବେଳେ ମୋତେ ଆଖି ଇସାରାରେ କୁହେ ମୁଣ୍ଡିଆ ମାରିବା ପାଇଁ।

 ସବୁଦିନ ମୁଁ ହିଁ ମୁଣ୍ଡିଆ ମାରେ,ଭକ୍ତି ପାଇଁ ନୁହେଁ;ବୋଉ ଧରିଥିବା ପୂଜା ଥାଳିରେ ଥିବା ମିଶ୍ରି ,ଉଖୁଡ଼ା କିମ୍ବା କଦଳୀ ଖଣ୍ଡେ ଲୋଭରେ।ବୋଉ ଜାଣେ ମୋ ମନ କଥା।କେଉଁଦିନ ଯଦି ମୁଁ ଡେରିରେ ଉଠିଥାଏ,ତଥାପି ଭୋଗ ଅଲଗା ରଖିଥାଏ ମୋ ପାଇଁ।ଅନ୍ୟ ଭାଇ ଭଉଣୀ ମାନେ ଅଭିଯୋଗ କରନ୍ତି।ବୋଉ ହସେ।

ମୋତେ ଲାଗେ ବୋଉ ଅନ୍ତର୍ଯ୍ୟାମୀ, ଯଦିଓ ଜେଜେଙ୍କ ନାଁ ଅନ୍ତର୍ଯ୍ୟାମୀ ଥିଲା।


ଠାକୁର ଘରୁ ବୋଉ ଯାଏ ରୋଷେଇ ଘରକୁ ଓ ଅଭ୍ୟାସ ବଶତଃ ସକାଳେ ପଖାଳ ମୁଠାଏ ଖାଇବା ତା ଅଭ୍ୟାସ।ତରବର ହୋଇ ଆମ୍ବୁଲ ଫଡାଏ ସହ ରସୁଣ ଅଥବା ଆଳୁ କି ଭେଣ୍ଡି ଦୁଇଟା ଚୁଲିରେ ପୋଡି ରସୁଣ ଛେଚି ,କଞ୍ଚା ଲଙ୍କା ସହ ଚକଟି ଦିଏ।ଅନେକ ସମୟରେ ରସୁଣ ଛେଚାରେ ତୋରାଣି ପକାଇ ସୋରିଷ ତେଲ ଦେଇ ଚକଟି ଥାଏ;ସାଙ୍ଗରେ ବାରି ସୁର୍ଯମୁଖୀ ଲଙ୍କା।ଆହା କି ବାସ୍ନା !!ସାଧା,ସରଳ ଜିନିଷ ର ଏକ ନିଆରା ଓ ସ୍ୱତନ୍ତ୍ର ବାସ୍ନା ଥାଏ।ଠିକ ମୋ ବୋଉ ପଖାଳ କଂସା ଭଳି।ସଜ ପଖାଳରେ ଟିକେ ବାସି ତୋରାଣି ମିଶାଏ।

ଲୁଣ କାଠୁଆ ପାଖରେ ଥୁଆ ହୋଇଥାଏ।  


  ବେଳେବେଳେ ସକାଳୁ ଗାଧେଇକି ଆସିଲା ବେଳେ କୂଅ ମୂଳରୁ ପୁରୁଣି କିମ୍ବା ପୋଖରୀ ପାଖରୁ କଳମ ଶାଗ ଆଣି,ତାକୁ ଖରଡ଼ି ଥାଏ।କଡ଼େଇରେ ଠୋପେ ତେଲ,ଫୁଟଣ ,ରସୁଣ ବଘାରି ଶାଗ ପକେଇ ଆମ ଉଦ୍ଦେଶ୍ୟରେ ହୁଡ଼ି ପକାଏ।

- ପିଲେ ,ଆସ;କିଏ ମୁଠେ ମୁଠେ ଖାଇବ।"

ନିଜେ କମ ଖାଇ ଆମ ସମସ୍ତଙ୍କୁ ଖୁଆଏ।ତାହାତ ବଡ଼ ବଡ଼ ଭାତଗୁଣ୍ଡା ଯେମିତି ଭୂଗୋଳ ବହିର ଗ୍ଲୋବ! ଦୁନିଆ ଯାକର ତୃପ୍ତି ଥାଏ ସେଇ ଗୁଣ୍ଡାଏ ଭାତ ଓ ଢୋକେ ତୋରାଣି ରେ।

ସମସ୍ତେ ଉଠିଗଲା ପରେ ମୋ ଆଡ଼କୁ ଅନାଇ ହସିଦେଇ କହେ,

- ତୋରାଣି ପିଇବୁ ?

ମୁଣ୍ଡ ଟୁଙ୍ଗାରେ ମୁଁ।ମୁଁ ପିଇ ସାରିଲା ପରେ ବୋଉ ପିଏ ତୋରାଣି।


 ବାପାଙ୍କୁ ପଖାଳ ଏତେ ପସନ୍ଦ ନଥିଲା।ଖରାଦିନେ ଟିକେ ଖାଆନ୍ତି।ସେଦିନ ବୋଉ ଟିକେ ଅଧିକ ରକମ କରେ।ବହୁତ ବେଶୀ ନୁହେଁ,ଏମିତି ଆଳୁଭର୍ତ୍ତା, ବଡ଼ିଚୁରା, ଆମ୍ବ ଛେଚା।ଦିନେ ଦିନେ ସଜନା ଛୁଇଁ ଭଜା।ବାପା ତୋରାଣି ପିଅନ୍ତିନି,ତାଙ୍କ ତଣ୍ଟିରେ କାଳେ ଲାଗେ।ଜେଜେମା ବଞ୍ଚିଥିଲା ବେଳେ ସେକଥା କହି ହସେ।ବୋଉ କହେ, ପଖାଳ ଖାଇ ତୋରାଣି ନପିଇଲେ କି ମଜା ?

 ବାପା କୁହନ୍ତି ଗାଈ ଗୋରୁ ତୋରାଣି ପିଅନ୍ତି।ଆମକୁ କୁହନ୍ତି ତମେମାନେ ପଖାଳ ଖାଇ ଶୋଇଲେ ,ପାଠ କେମିତି ପଢ଼ିବ ?


  ପଖାଳରେ ବୋଉ ଯେଉଁ ବାସି ତୋରାଣି ଟିକେ ମିଶାଏ,ସେଥିରେ ସତରେ ନିଶା ଥାଏ।ପ୍ରେମ ଓ ଭଲ ପାଇବାର ନିଶା।ପଖାଳ ଖାଇ ଶୋଇଲେ ମୁଁ ସବୁବେଳେ ବୋଉକୁ ହିଁ ସ୍ବପ୍ନ ଦେଖେ।

- ବୋଉ ,ତୋ ହାତ ବାଜିଲେ ପଖାଳ ଅଧିକ ସୁଆଦିଆ ହୋଇଯାଏ।ତୋ ହାତରେ ମ୍ୟାଜିକ ଅଛି।

-ସୁଦୁ ବାଇଆ ଟା।"ବୋଉ ହସେ।


  ଖରାବେଳେ ସମସ୍ତେ ଗରମ ଭାତ ଖାଉ।ବୋଉ କିନ୍ତୁ ଦିନେଦିନେ ଖରାବେଳେ ପଖାଳ ଖାଏ।ଏଇଥିପାଇଁ ନୁହେଁ ଯେ ଖରାବେଳେ ତାକୁ ପଖାଳ ଭଲ ଲାଗେ,ବରଂ ଏଇଥିପାଇଁ କି ତରକାରୀ ସୁଆଦିଆ ହୋଇଥିଲେ ଅନ୍ୟମାନେ ଟିକେ ବେଶୀ ତରକାରୀ ଖାଇଦିଅନ୍ତି ବୋଲି ସରିଯାଏ।ବୋଉ ପାଇଁ କିଛି ନଥାଏ।ଖଣ୍ଡେ ପିଆଜ,ଲୁଣ ଧରି ସେ ବସିଥାଏ ତୃପ୍ତିର ସହ,ସତେ ଯେମିତି ଭାତ ମାଂସ ଖାଉଛି।


-ଶୁଖିଲା ଭାତ କେମିତି ଖାଇବୁ ?ତୋ ନିଜ ପାଇଁ ତରକାରୀ ନରଖି ଆମକୁ କାହିଁକି ଦେଇଦେଲୁ ?"ମୁଁ କହେ।ବାପା ବି ବିରକ୍ତ ହୁଅନ୍ତି।

ଦାଦା ଓ ପିଉସୀମାନେ ବି କୁହନ୍ତି,

- ନୂଆବୋଉ, ତମେ ସବୁବେଳେ ଏମିତି।ନିଜ ପାଇଁ....

- ପିଲାମାନେ ଖାଇଲେ ମା ପେଟ ପୁରେ।ଆଚାର,ଆମ୍ବୁଲ,ପିଆଜ ଅଛି ପରା।

ବୋଉ ହସେ।ଲକ୍ଷେ ମୋତି ଯେମିତି ଝରୁଥାଏ ସେ ହସରୁ।


ବୋଉର ପଖାଳ କଂସା ଓ ତା ଚାରିପଟେ ବେଢ଼ି ହୋଇଥିବା ଆଇଟମ ଦେଖି ମୋତେ ଲାଗେ ଏହା ବୋଉ'ର ପଖାଳ ସୌର ମଣ୍ଡଳ।

- ସାର୍ ,ଅର୍ଡିନାରୀ ପଖାଳ କଂସା ,ଅଥବା ଆମ ରେଷ୍ଟୁରାଣ୍ଟର ସ୍ପେଶାଲ ପଖାଳ କଂସା !

   ୱେଟର କଥା ଶୁଣି ମୁଁ ଭାବନା ରାଜ୍ୟରୁ ଫେରିଆସିଲି।କେତେବେଳେ ଆମେ ଘରୁ ହୋଟେଲ ରେ ଆସି ପହଞ୍ଚି ଯାଇଛୁ ତାହା ମୁଁ ଭୁଲି ଯାଇଥିଲି।


- ସ୍ପେଶାଲ ପଖାଳ କଂସା ଦିଅ।ବାବୁ ଆଜି ପ୍ରଥମ ଥର ଆସିଛନ୍ତି ତମ ହୋଟେଲ।"ଦୀପ୍ତି ଅର୍ଡର ଦେଉଥିଲା।

 କିଛି ସମୟ ପରେ ଆମ ଟେବୁଲ ଉପରେ ସଜଡା ହୋଇ ରହିଲା ପଖାଳ କଂସା।ପଖାଳରେ କାକୁଡି,ଦହି,ଜୀରା ଲଙ୍କା ଗୁଣ୍ଡ,ଆମ୍ବ ନଶି,ଭଜା ବାଦାମ,ନଡିଆ କୋରା ବି ପଡ଼ିଥିଲା।ସତେ ଯେମିତି ଦହି ଲସି!!।ତା ଚାରିପଟେ ବିଭିନ୍ନ ଆଇଟମ।ବିଭିନ୍ନ ପ୍ରକାର ଭଜା,ଭର୍ତ୍ତା,ପତ୍ରପୋଡା,ବଡ଼ି ଚୁରାଠୁ ଆରମ୍ଭ କରି ମାଛ ଭଜା,ବେସର,ଚିଙ୍ଗୁଡ଼ି ଛେଚା,ଛତୁ ପୋଡା ଇତ୍ୟାଦି ଇତ୍ୟାଦି।ଯେମିତି ବୁଫେ।ୱେଟର ସବୁ ଆଇଟମ ର ନାଁ କହୁଥିଲା,ଯାହା ମନେ ରଖିବା ଅସମ୍ଭବ ଥିଲା।

 ଏତେ ପ୍ରକାର ଆଇଟମ ଦେଖି ଲାଗୁଥିଲା ଯେମିତି ଆକାଶରେ ତାରାପୁଞ୍ଜ।ଏତେ ଜିନିଷ ଖାଇଲେ ପଖାଳର ସ୍ୱାଦ କୁଆଡେ ଆସିବ ?


 ପିଲାଦିନେ ବୋଉ ର ପଖାଳକଂସା ସୌରମଣ୍ଡଳ ମନେ ପଡ଼ିଗଲା।ମଝିରେ ପଖାଳ ବେଲା ଓ ଚାରିପଟେ ଖାଲି ତାଟିଆ ସବୁ।ତରକାରୀ,ପୋଡା ଚକଟା,ଭଜା,ଭର୍ତ୍ତା ,ଆଚାର,ଏପରିକି ଲେମ୍ବୁ ରସୁଣ ଝୋଳ ବି ଆମେ ଖାଇ ସାରିଦେଇଥାଉ।ଟିକେ ଦୂରରେ ଥାଏ ଲୁଣ କାଠୁଆ, କାଳେ ଅଇଁଠା ହାତ ବାଜି ମାରା ହୋଇଯିବ।ବୋଉ ମୋତେ କୁହେ ହାତ ଧୋଇ ଲୁଣ ଟିକେ ଦେବା ପାଇଁ।ବୋଉ'ର ପଖାଳକଂସା;ତୋରାଣି,ଲୁଣ,କଞ୍ଚାଲଙ୍କା ହୁଏତ ଫାଳେ କଞ୍ଚା ପିଆଜ।ବାସ।ଏତିକି।


  ବିନା ଗୌରଚନ୍ଦ୍ରିକାରେ ଅମୃତ ମଣୋହି ?

ଦୀପ୍ତି ମୋବାଇଲରେ ଫଟ ଉଠାଉ ଥିଲା ରେଷ୍ଟୁରାଣ୍ଟ ପଖାଳ'ର ଫଟ ଫେସବୁକ ରେ ଅପଲୋଡ଼ କରିବାକୁ।

- କେମିତି ଲାଗୁଛି ଏ ସ୍ପେଶାଲ ପଖାଳ ?ତମ ପିଲାଦିନ ପଖାଳ କଂସା ୟା ତୁଳନାରେ କଣ ?"

ହଠାତ ମୋ ତଣ୍ଟିରେ ଲାଗିଲା,କାଶ ଉଠାଇଲା।

- କଣ ହେଲା ?"ଦୀପ୍ତି ପଚାରୁଥିଲା।

- ବୋଉ ବୋଧେ ମନେପକାଇଲା।"

- ହୁଁ,ବୋଉ ଖାଇ ପିଇ ଶୋଇଥିବେ.....

ହଠାତ ବୋଉକୁ ଫୋନ ଲଗାଇଲି।

- ମୋ ଧନ କି ?ଏଇନା ତୋ କଥା ମନେପକାଇ ବାପାଙ୍କୁ ପଚାରୁଥିଲି।ଗଛରେ ଆମ୍ବ ପାଚିଲାଣି।କେବେ ସମସ୍ତେ ଆସିବ ?"

- ମୁଁ ଆସିଲେ ତୋ ସହିତ ପଖାଳ ଖାଇବି।ତୋ ପଖାଳ କଂସା ସିକ୍ରେଟ କଣ କହିଲୁ ?"

- ବାଇଆ ଟା।ବୋଉ ହାତ ପଖାଳରେ କି ସିକ୍ରେଟ ?"ବୋଉ ହସୁଥିଲା;ସବୁଥର ଭଳି।

ମୁଁ ଉତ୍ତର ପାଇଯାଇଥିଲି।


ବୋଉ ହାତରେ ଥାଏ କିଛି ମ୍ୟାଜିକ,ଯାହା ସେଇ ପଖାଳ ଓ ତୋରାଣିକୁ ସ୍ପେଶାଲ,ଅନନ୍ୟ ବନାଏ।ବିଜ୍ଞାନ ଯୁଗରେ ବି ବୋଉ ପଖାଳ କଂସାକୁ କ୍ଲୋନ କରିବା ଶକ୍ତି କାହା ପାଖରେ ନାହିଁ।ସ୍ୱୟଂ ଭଗବାନ ବି ପାରିବେନି।କାରଣ ସେ ପଖାଳ କଂସାରେ ଥାଏ ବୋଉର ସ୍ନେହ ଓ ଆତ୍ମା।


Rate this content
Log in

Similar oriya story from Abstract