Bijaya kumar Jena

Crime Others

3.0  

Bijaya kumar Jena

Crime Others

ପିଲାଚୋର

ପିଲାଚୋର

3 mins
7.4K


ଗାଁରୁ ବୋଉ ଫୋନ କରି ୟା’ଙ୍କୁ କହିଦେଲା ଯେ ଏବେ ସବୁଆଡ଼େ ପିଲାଚୋର ମାତିଛନ୍ତି, ଦେଖିକି ଚଳିବ। ମୁଁ ଅଫିସରୁ ଫେରୁ ଫେରୁ ୟେ’ ବଡ଼ ବ୍ୟସ୍ତରେ ମୋତେ କହି ଲାଗିଲେ " ମୁଁ ତୁମ ଉଆଟ୍ସଆପରେ ମେସେଜ ଦେଇଛି, ତୁମେ ଦେଖୁନାହଁ..! କାହାର କି ମେସେଜ ସବୁ ଦେଖିକି ସାଙ୍ଗେ ସାଙ୍ଗେ ଉତ୍ତର ଦେବାକୁ ସମୟ ହେଉଛି, ମୋ ମେସେଜକୁ ସବୁବେଳେ ତୁମର ଅଣ ଦେଖା।"

 "ଓଃ, ସେଇ ପିଲାଚୋର ମାତିଥିବା କଥା...?

ହଁ'ମ ପଢ଼ିଛି ।

ଆରେ, ଆମର ଯୋଉ ଗାଁକୁ ଯିବାର ନାହିଁ, ସେ ଗାଁ ଠିକଣା ପଚାରିବ କାହିଁକି..! ଆମେ ଦୁଇ ତ ଦରବୁଢ଼ା ଦରବୁଢ଼ୀ, ଆମ ପିଲାମାନେ ବି ବଡ଼ ହେଇକି ଏବେ ୟୁନିଭରସିଟି ପାଠ ପଢା ସାରିଲେଣି। ତୁମେ କାହିଁକି ଏତେ

ବ୍ୟସ୍ତ..!!"

ତା ପରଦିନ ସକାଳୁ ସକାଳୁ ଆମ ଘରେ କ୍ଷୀର ଦେଉଥିବା ବୁଢ଼ୀ ଆସି କହିଦେଲା, ଯେ କାଲି ସଂଜରେ ସୁନା ଯୋଡି ବଜାରରେ ଗୋଟେ ପିଲା ଚୋରକୁ ଧରିକି ଲୋକେ ଏମିତି ବାଡେଇଛନ୍ତି ଯେ, ସେ ଲହୁ ଲୁହାଣ ହେଇକି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ବୁଢ଼ୀକୁ ବି ତା’ ପୁଅ ଓ ବହୁ ମନା କରୁଥିଲେ ଏକା ଏକା ନ ଆସିବାକୁ। "ତୁ କ’ଣ ପିଲାଟିଏ ହେଇଛୁ ଯେ ତୋତେ ଚୋର ନେଇଯିବ..!!" ମଜାରେ ମୁଁ ବୁଢ଼ୀକୁ ଏତିକି କହିଦେଲି।

ମନେ ପଡ଼ିଲା ଇଲିୟାନା ସିତାରିସ୍ତଙ୍କ ଓଡ଼ିଶୀ ନୃତ୍ୟ ଅଭିନୟ 'ବ୍ରଜକୁ ଚୋର ଆସିଛିରେ, ଶୁଅ ତୁନି ହୋଇ..।' ମା’ ଯଶୋଦା ବିଭିନ୍ନ ପ୍ରକାର ଅଙ୍ଗ ଭଙ୍ଗୀରେ ବାଳୁତ କୃଷ୍ଣଙ୍କୁ ଡରେଇ ଶୁଏଇ ଦେବାକୁ ଚେଷ୍ଟା କରୁଛନ୍ତି।

 ଆମେ ସ୍କୁଲରେ ପଢୁଥିବା ସମୟରେ ଠିକ ଏହି ମେ ଓ ଜୁନ ମାସରେ ପିଲାଚୋର ବା ଖଙ୍ଗାର ମାନେ ମାତୁଥିଲେ। ବିଭିନ୍ନ ସ୍ଥାନରେ ସେମିତି କିଛି ନିର୍ବଳୁଆ ପିଲାଚୋର ମାନେ ଆମ ଆଗରେ ମାଡ଼ ଖାଇଥିବା ଆମେ ଦେଖିଥିଲୁ।

ସେତେବେଳେ ଆମକୁ ବି ଡରେଇ ଦିଆଯାଉଥିଲା। କାରଣ ଥିଲା ଭିନ୍ନ। ଠିକ ଏହି ସମୟରେ ତୋଟା ବାଡ଼ିରେ ଆମ୍ବ ପଣସ ତେନ୍ତୁଳି ଇତ୍ୟାଦି ଫଳ ପାଚେ। ଠିକ ଖରାବେଳିଆ ଦିପହର ପବନରେ ପାଚିଲା ଆମ୍ବ ଓ ତେନ୍ତୁଳି ଟୁପ ଟାପ ପଡ଼େ। ଆମେ ପିଲା ସବୁ ଲୁଚିକି ଯାଇ ତୋଟାରୁ ସେସବୁ ଆଣିବାରେ ସିଦ୍ଧହସ୍ତ ଥିଲୁ। ଆଉ ଆମକୁ ଆକଟ କରିବାକୁ ଓ ଆମ ଦାଉରୁ ଆମ୍ବ ତେନ୍ତୁଳି ସବୁକୁ ରକ୍ଷା କରିବାକୁ ତୋଟା ମାଲିକ ଜାତୀୟ କିଛି ଲୋକ ଏ ଗୁଜବ ଛାଡୁଥିଲେ ଯେ ପିଲାଚୋର ମାତିଛନ୍ତି।

ପୁରା ନହେଲେ ବି ଅଧା କୃତକାର୍ଯ୍ୟ ହେଉଥିଲେ ସେ ତୋଟା ମାଲିକ ବା ଗଛ ମାଲିକ ଦାଦା ମଉସା ମାମୁଁ ମାନେ।

ଏବେ ଫ୍ଲିପକାର୍ଟ ବାଲାଏ ଓ ଫେରିବାଲା ଟୋକା ସବୁ ବିଭିନ୍ନ ଦରବମାନ ଘରେ ଘରେ ପହଂଚାଉଛନ୍ତି। ଯଦ୍ଵାରା ସୁନାଯୋଡିର ସ୍ଥାୟୀ ଦୋକାନୀଙ୍କ ବେପାର ମାନ୍ଦା।

ଶୁଣିଥିଲି ବିହାର ଓ କୋଲକାତାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆଣିକି ଦଳେ ଆଣଓଡ଼ିଆ ଯୁବକ ଲକ୍ଷ୍ମୀପୁର ବିଷମକଟକ ପରି କିଛି ଷ୍ଟେସନରେ ଓଲ୍ହାଇଛନ୍ତି । ସେଠାରେ ଭଡାଘରେ ମାଲ ସବୁ ରଖିକି ପାଖଆଖ ଗାଁ ମାନଙ୍କରେ ବୁଲି ବୁଲି ବିକ୍ରି କରୁଛନ୍ତି। ସେଠାକାର ସ୍ଥାନୀୟ ବେପାରି ଆଉ ସମ୍ଭାଳି ପାରୁନାହାଁନ୍ତି।

ଏଇଟା ସ୍କୁଲ ଛୁଟି ବେଳ। ଗାଁ ମାନଙ୍କରେ ଭଲ କିଣାବିକା ହେବା ସମୟ। ଠିକ ଏତିକିବେଳେ ଏହି ବିଦେଶୀ ବେପାରି ଟୋକା କେତୋଟିଙ୍କୁ ପିଲାଚୋର ନାଁ'ରେ ମାଡ ଖୁଆଇ ଦେଲେ, ସେମାନେ ଆଉ ଏକା ଏକା ଗାଁ ଗଣ୍ଡା ବୁଲି ବୁଲି ତାଙ୍କ ଜିନିଷ ବିକିବାକୁ ଡରିବେ ଓ ସ୍ଥାୟୀ ବେପାରି ମାନଙ୍କ ବେପାର ଠିକ ଚାଲିବ।

 ତେଣୁ "ବ୍ରଜକୁ ଚୋର ଆସିଛିରେ ଶୁଅ ତୁନିହୋଇ.." ସୂତ୍ରଟି ଏବେବି କାମରେ ଲାଗିଯାଉଛି।

 ଯା'ହେଉ ଏସବୁ କଥା କିଛି ଆମ ଶ୍ରୀମତୀଙ୍କୁ ଓ କ୍ଷୀରବାଲି ବୁଢ଼ୀକୁ ବୁଝେଇବାକୁ ଚେଷ୍ଟା କଲି।

 ବୁଢ଼ୀ କହିଲା, " ଡାକ୍ତର ଖାନା ଯାଇକି ଦେଖ, କେମିତି ସେ ପିଲା ଚୋରଟି ଧରାପଡିଛି। ପୋଲିସ୍ ବି ଜଗିଛି ସେଇଠି।

ତା ପରଦିନ ମୋର ବି ଦାନ୍ତ ବ୍ୟଥା ପାଇଁ ଡାକ୍ତର ପାଖକୁ ଯିବାର ଥିଲା। ସେଠାରେ ମୋ କାମ ସରିବା ପରେ ମୁଁ ବି ଟିକେ ସେ ପିଲା ଚୋରକୁ ଦେଖିବାକୁ ସେଇ ୱାର୍ଡକୁ ଗଲି, ଯେଉଁଠି ପୋଲିସ୍ ଜଗିଥିଲେ। ଦେହର ବିଭିନ୍ନ ସ୍ଥାନରେ ବ୍ୟାଣ୍ଡେଜ୍ ବନ୍ଧାହେଇ ଦୁର୍ବଳ ପତଳା ଲୋକଟିଏ ଶୋଇଛି।

 ଆରେ, ଇଏ ତ ସୁରେଶ ନାୟକ..!! ବାଇଶି ତେଇଶି ବର୍ଷର ଟୋକାଟା ସୁରେଶ ନାୟକ। ଆମ ଘର ପଛପଟ ସାହିରେ ବଖୁରିଏ ରୁମ ଭଡ଼ା ନେଇକି ପଢ଼ାପଢ଼ି କରୁଛି। OAS ଦେବାକୁ ପ୍ରସ୍ତୁତ ହେଉଛି। ସେ ପୁଣି ପିଲା ଚୋର..? କଥାଟା ହଜମ ହେଲାନାହିଁ।

 ଜଗିଥିବା ପୋଲିସ ବାବୁଙ୍କୁ ପଚାରିକି ସୁରେଶକୁ ଉଠେଇଲି। ମୋତେ ଦେଖି କାନ୍ଦିପକାଇଲା ସେ।

 କେତେ ଆଉ ରୁମ ଭିତରେ ବସି ପଢୁଥିବ ସୁରେଶ। ଟିକେ ସମୟ ପାଇଲେ ସାଇକେଲ ଧରି ଚାଲିଯାଏ ପାଖରେ ଥିବା ଗାଁ ବୁଲିବାକୁ। ସାଙ୍ଗରେ କିଛି ଚକୋଲେଟ, ବହି ଆଦି ବି ନେଇକି ଯାଏ। ଗାଁ ପିଲାଙ୍କୁ ପାଖକୁ ଡାକି ତାଙ୍କୁ ଏସବୁ ବାଣ୍ଟିଦିଏ ଓ ସ୍ୱାମୀ ବିବେକାନନ୍ଦ ବାଣୀ ବା ପଂଚତତ୍ରରୁ କିଛି ଗପ ଶୁଣାଏ। ଏସବୁ ତାର ନିଜସ୍ୱ ଶ୍ରଦ୍ଧାରେ ସେ କରେ। ସେଥିପାଇଁ ମୁଁ ବି ତାକୁ କିଛି କିଛି ହାତ ଖର୍ଚ୍ଚ ଦେଇଥାଏ।

ସେଦିନ ସେ ଯାଇଛି କେରାଣ୍ଡୀଗୁଡ଼ା ଗାଁକୁ ନୂଆ କରି। ଯେଉଁଠି ଗାଁ ପିଲାମାନେ ଖେଳୁଥିଲେ ସେଇଠି ସେ ତାର ଚକୋଲେଟ ବାଣ୍ଟିବାକୁ ଆରମ୍ଭ କରିଛି, କେହିଜଣେ ଚିଲ୍ଲଇଲା "ପିଲାଚୋର .. ହେଇ ପିଲା ଚୋର..!" ଗାଁ ଲୋକେ କିଛି ଧାଇଁ ଆସିଲେ ଓ ସୁରେଶ ଏବେ ଡାକ୍ତରଖାନାରେ।

ବିଜୟ କୁମାର ଜେନା

ଦାମନଯୋଡ଼ି


Rate this content
Log in

Similar oriya story from Crime