Bijaya kumar Jena

Inspirational

3  

Bijaya kumar Jena

Inspirational

ଅଳ୍ପ ଅଳ୍ପ ପଞ୍ଚତନ୍ତ୍ର

ଅଳ୍ପ ଅଳ୍ପ ପଞ୍ଚତନ୍ତ୍ର

4 mins
7.4K


ଗୋଦାବରୀ କୂଳର ଏକ ଜଙ୍ଗଲ, "ହଜାରଡାଙ୍ଗ"; ଅନେକ ପ୍ରକାର ପଶୁପକ୍ଷୀଙ୍କୁ ନେଇକି ଏକ ମଧ୍ୟମ ଧରଣର ଗଣତାନ୍ତ୍ରିକ ରାଜ୍ୟ।

ହଜାରଡାଙ୍ଗ ଜଙ୍ଗଲ ରାଜ୍ୟର ପଶୁପକ୍ଷୀ ମାନେ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରି ତାଙ୍କର ରାଜା ବାଛି ଥାଆନ୍ତି। ଖାଦ୍ୟ ନିମନ୍ତେ ଅଯଥା ପଶୁପକ୍ଷୀ ହତ୍ୟା ଉପରେ କଟକଣା ଥାଏ, ସବୁ ପଶୁପକ୍ଷୀଙ୍କର ନିଜସ୍ୱ ଇଲାକା ଓ ନିୟମ କାନୁନ ଥାଏ । ଏସବୁର ଦେଖାଶୁଣା ଓ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ରାଜା ମାନେ ପୀଢ଼ି ପରେ ପୀଢ଼ି ନିଜ ଦାୟିତ୍ୱ ତୁଲାଇ ଥାଆନ୍ତି।

ଯଦିଓ ଗଣତାନ୍ତ୍ରିକ ପଦ୍ଧତିରେ ରାଜା ବଛାଯାଉଥିଲା, କିନ୍ତୁ ଅଧିକାଂଶ ସମୟରେ ସିଂହ ହିଁ ନିର୍ବାଚନ ରେ ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟଭାର ସମ୍ଭାଳୁଥିବାର ଇତିହାସ ଥିଲା। ତେଣୁ ବଂଶାନୁକ୍ରମିକ ଭାବରେ ସିଂହ ଶାବକଟିଏ ଜନ୍ମ ପରେ ପରେ ହିଁ ନିଜକୁ ଭବିଷ୍ୟତର ରାଜ୍ୟଭାର ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଥିଲା।

ହାତୀ, ବାଘ, ହରିଣ, ମାଙ୍କଡ଼ ଆଦି ଜୀବ ଜନ୍ତୁ ମାନେ ନିଜ ନିଜର ସୁବିଧା ଅନୁଯାୟୀ ସୀମା ନିର୍ଦ୍ଧାରଣ କରି ଗୋଟିଏ ଦେଶ ମଧ୍ୟରେ ଅଲଗା ଅଲଗା ରାଜ୍ୟ ପରି ନିଜର ଅଲଗା ଅଲଗା ଇଲାକା କରି ରହୁଥିଲେ। କେହି ଅନ୍ୟର ଇଲାକାରେ ଅନଧିକାର ପ୍ରବେଶ କରୁନଥିଲେ। କେବଳ ନିର୍ଧାରିତ ଚରାଭୂଇଁ, ଜଙ୍ଗଲ ମଧ୍ୟରେ ଥିବା ହ୍ରଦ, ଝରଣା କେତୋଟି ଓ ଋତୁ ଅନୁଯାୟୀ ଫଳୁଥିବା ଫଳ ଗଛ ସବୁ ଉପରେ ସମସ୍ତଙ୍କ ଅଧିକାର ଥିଲା। ସମୟ ଓ ସୁବିଧା ଦେଖି ଶିକାର କରିବା ସହ ଖାଦ୍ୟ ଓ ପାଣି ସେହି ନିର୍ଦ୍ଦିଷ୍ଟ ଅଂଚଳରେ ସବୁ ଜୀବଜନ୍ତୁ ସଂଗ୍ରହ କରୁଥିଲେ। କେବଳ ପକ୍ଷୀ ସରୀସୃପ ପରି ଅଣ୍ଡଜ ପ୍ରାଣୀ ମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିଲା। ନିୟମ ଭାଙ୍ଗୁଥିବା ପଶୁ ମାନଙ୍କୁ ରାଜା ଡରଉ ଥିଲେ। ଯେହେତୁ ବଂଶାନୁକ୍ରମିକ ଭାବେ ସିଂହମାନେ ହିଁ ରାଜା ହେଉଥିଲେ, ସେମାନେ ଏହି ନିୟମ ଭାଙ୍ଗୁଥିବା ପଶୁ ମାନଙ୍କୁ ଶିକାର କରି ରାଜପରିବାରକୁ ଖାଦ୍ୟ ଯୋଗାଉଥିଲେ।

କିଛିବର୍ଷ ପରେ ପୁନଶ୍ଚ ରାଜା ନିର୍ବାଚନ ସମୟ ଉପସ୍ଥିତ ହୁଅନ୍ତେ ସମସ୍ତ ପଶୁ ପକ୍ଷୀ ଉତ୍ସାହିତ ହୋଇ ଉଠିଲେ। ଯୁଗ ବଦଳୁଛି, ଆମର ବି ଶାସକ ଓ କିଛି ନିୟମ କାନୁନ ବଦଳେଇବା ଆବଶ୍ୟକ ବୋଲି କିଛି ପ୍ରଜା କହିବୁଲିଲେ। ମର୍କଟପୁରୀର ମାଙ୍କଡ଼ ମାନେ ଟିକେ ଅଧିକ ଉତ୍ସାହିତ ହୋଇ ନିଜର ଏକ ଅଲଗା ସଭା ବି କଲେ। ସେମାନଙ୍କ ମତ ହେଲା 'ଅନେକ ବର୍ଷ ଧରି ସିଂହ ଶାସନ କରୁଛନ୍ତି, ଏହା ଏକ ପାରିବାରିକ ରାଜନୀତି କୁ ପ୍ରଶୟ ଦେଉଛି। ଏଥର କଳେ ବଳେ କୌଶଳେ ଆମ ମାଙ୍କଡ଼ ସର୍ଦ୍ଦାର ହନୁମନ୍ତଙ୍କୁ ଏ ଜଙ୍ଗଲ ରାଜ୍ୟର ରାଜା କରେଇବାକୁ ପଡ଼ିବ।'

ମାଙ୍କଡ଼ ସର୍ଦ୍ଦାର ହନୁମନ୍ତକୁ ହଜାରଡାଙ୍ଗ ଜଙ୍ଗଲର ରାଜା ପ୍ରାର୍ଥୀ ପାଇଁ ମନୋନୀତ କରିବା ପଛରେ ମର୍କଟପୁରୀଆଙ୍କର କିଛି ବିଶେଷ ଯୁକ୍ତି ଥିଲା।

ତନ୍ମଧ୍ୟରୁ ଯୁକ୍ତିଯୁକ୍ତ କେତୋଟି ହେଲା:

ମର୍କଟପୁରୀରେ ଦୁଇଟି ପ୍ରଜାତିର ମାଙ୍କଡ଼ ରହୁଥିଲେ। ହନୁ ଓ ପାତି - ପାତି ଥିଲେ ସଂଖ୍ୟାଲଘୁ ଗୋଷ୍ଠିର। କୌଶଳ ଓ ବଳ ପ୍ରୟୋଗ କରି ହନୁମନ୍ତ (ଯିଏକି ହନୁ ପ୍ରଜାତିର), ନିଜ ନେତୃତ୍ୱରେ ଅନେକ ପାତିଙ୍କୁ ନିପାତ କରି ଓ କିଛିଙ୍କୁ ବିତାଡିତ କରି ହନୁମଣ୍ଡଳୀର ନେତୃତ୍ୱ ନେଇ ସାରିଛି।

ବିଶେଷ ଭାବରେ ଖେହଃ.. ଖେହଃ.. ଶବ୍ଦ କରି ପ୍ରତିଦ୍ବନ୍ଦୀ ଙ୍କୁ ଦବେଇ ପାରିବାର କଳାରେ ନିପୁଣ।

ନିଜକୁ ହନୁମାନଙ୍କ ବଂଶଧର ଭାବରେ ପ୍ରତିଷ୍ଠା କରି ଅନେକ ଭକ୍ତ ବି ସୃଷ୍ଟି କରିଛି।

ମଣିଷ ମାନେ ମଧ୍ୟ ହନୁମାନଙ୍କ ମାଧ୍ୟମରେ ଏହି ହନୁ ମାଙ୍କଡ଼ ମାନଙ୍କୁ କିଂଚିତ ଭୟ ଓ ଭକ୍ତି କରିବାର ନଜିର ରହିଛି।

ଏମତି ଅନେକ ଯୁକ୍ତି ହନୁମନ୍ତ ସପକ୍ଷରେ ଯୋଗାଡ଼ କରି ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରେଇବାରେ ମାଙ୍କଡ଼ ମାନେ ସକ୍ଷମ ହୋଇଥିଲେ। ଓ ସେହିବର୍ଷ ମାଙ୍କଡ଼ ହନୁମନ୍ତ ହେଲା ହଜାରଡାଙ୍ଗ ଜଙ୍ଗଲର ନିର୍ବାଚିତ ରାଜା।

ରାଜା ହେଲାପରେ, ପ୍ରଥମ ପର୍ଯ୍ୟାୟରେ ହନୁମନ୍ତ ବିଦେଶ ଗସ୍ତରେ ବାହାରିଲା। ସିଂହକୁ ଯେଉଁ ସବୁ ସମ୍ମାନ ମିଳୁଥିଲା, ବର୍ତ୍ତମାନର ମାଙ୍କଡ଼ ରାଜା ସେସବୁ ସମ୍ମାନ ପାଇ ପ୍ରଥମେ ପୁଲକିତ ଓ ପରେ ପରେ ସମ୍ମୋହିତ ହେଲା। ଦେଶ ବିଦେଶର ପ୍ରତିଟି ସଭାରେ ନିଜର ବିରତ୍ୱର ଗାଥା ଓ ଗାଦିଚ୍ୟୁତ ସିଂହ ରାଜାର ଦୁର୍ନୀତି ଦୁର୍ବଳତା କଥା ଗାଇ ବୁଲିଲା।

ପ୍ରଥମେ ପ୍ରଥମେ ଏସବୁ କହିକି ଆନନ୍ଦ ଅନୁଭବ କରୁଥିବା ହନୁମନ୍ତର ଏବେ ଏହା ଏକ ଅଭ୍ୟାସ ଓ ନିଶା ହୋଇଗଲା। ଯୋଉଠିକି ଯାଉଛି, ସେଇ ଗୋଟିଏ କଥା, "ମିତ୍ରଗଣ.! ମୁଁ ହଜାରଡାଙ୍ଗ ଜଙ୍ଗଲରେ ରାଜା ହେଲାପରେ ପ୍ରଜାଗଣ ନୂତନ ସୂର୍ଯ୍ୟଉଦୟ ଦେଖିବାକୁ ସକ୍ଷମ ହେଲେ। ରାଜ୍ୟଟି କୁଶାସନ ରୁ ସୁଶାସନ ଆଡକୁ ଦ୍ରୁତ ଗତିରେ ମୁଁହାଉଛି। ଏ ସିଂହ ରାଜା କିଛି କାମକୁ ନଥିଲା.." ଇତ୍ୟାଦି। ହନୁମନ୍ତ ଯେତିକି ଭାଷଣ ଦେଉଥିଲା, ତାର ବତୀପେଲା ମାଙ୍କଡ଼ ମାନେ ଆହୁରି ଚାରିପଦ ଯୋଡ଼ିକି ନୂଆ ରାଜାର ଗୁଣଗାନ କରୁଥିଲେ।

ଆଉଗୋଟେ ସେତୁବନ୍ଧ ବାନ୍ଧିବାକୁ ଘୋଷଣା ବି କରାଗଲା ନୂଆ ରାଜାଙ୍କର ସ୍ଥାୟୀ ସ୍ମୃତି ବହନ କରିବାକୁ। ସେତୁବନ୍ଧ ପାଇଁ ସମସ୍ତ ଯୋଗାଡ଼ କରିବା ମଧ୍ୟରେ କେବଳ ରାବଣ ସୀତା ଓ ଲଙ୍କା ପରି କେତୋଟି ଚରିତ୍ର ଓ ସ୍ଥାନ ର ସନ୍ଧାନରେ କିଛି ମାଙ୍କଡ଼ ଲାଗିପଡିଲେ। ଏଥିପାଇଁ ଅନ୍ୟ ପଶୁପକ୍ଷୀଙ୍କ ଉପରେ କିଛି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା, ଅତିରିକ୍ତ କର ଆଦାୟ କରି ସେତୁବନ୍ଧ ପାଣ୍ଠି ବୃଦ୍ଧି କରାଗଲା। ଯେପରିକି ଆସନ୍ତା ନିର୍ବାଚନରେ ଏହି ନୂଆ ସେତୁବନ୍ଧ ହିଁ ହନୁମନ୍ତର ନିର୍ବାଚନ ଜିତିବାର ସେତୁବନ୍ଧ ହେବ। ଯିଏ ବି ମାଙ୍କଡ଼ ରାଜା ର ଏହି ନୂଆ ନୀତି କୁ ବିରୋଧ କଲା, ତାକୁ ଦେଶଦ୍ରୋହୀ, ବିଧର୍ମୀ ଆଦି ନାନାଦି ଗାଳି ଦେଇ ଅପମାନିତ କରିବା ଏକ ସାଧାରଣ ଘଟଣା ହେଇଗଲା। ବାକି ରାଜ୍ୟ ଶାସନ, ଅନ୍ୟାନ୍ୟ ପଶୁପକ୍ଷୀ ମାନଙ୍କ ଇଲାକାର ସୁରକ୍ଷା ଓ ଖାଦ୍ୟ ଯୋଗାଡ଼ ଆଦି ଚିରାଚରିତ ଢଙ୍ଗରେ ଚାଲିଥାଏ।

ଦିନେ ରାଜ୍ୟର ନିୟମକୁ ଭଙ୍ଗକରି ଗୋଟିଏ ମହାବଳ ବାଘ ଗୋଟେ ଗର୍ଭବତୀ ହାରିଣୀକୁ ଶିକାର କରିବାକୁ ଗୋଡ଼ାଇଲା। ହରିଣୀଟି ଦୌଡ଼ି ଦୌଡ଼ି ରାଜା ହନୁମନ୍ତ ପାଖରେ ପହଂଚି ବାଘ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରନ୍ତେ ମାଙ୍କଡ଼ରାଜା ତା'ର ଅସଲି ଦାୟିତ୍ୱ ପ୍ରତି ସଚେତନ ହେଲା। ହରିଣୀଟିକୁ ବ୍ୟସ୍ତ ନହେବାକୁ କହି ରାଜା ଚଢ଼ିଗଲା ଗଛ ଉପରକୁ। ଏ ଡାଳରୁ ସେ ଡାଳ ଡେଇଁ ଡେଇଁ ବାଘ ଆଡ଼କୁ ଅନେଇ ଜୋର ଜୋର ଆଵାଜ ରେ ଖେହଃ.. ଖେହଃ.. ହେଲା। ଦାନ୍ତ ଦେଖାଇ ଖତେଇ ହେଲା, ଗଛରୁ ଡାଳ ପତ୍ର ଝଡେଇ ବାଘକୁ ଘଉଡାଇବାକୁ ଚେଷ୍ଟା କଲା। ବାଘ କି ମାଙ୍କଡ଼ର ଏହି ଖେହଃ.. ଖେହଃ କୁ ଖାତିର କରେ..! ହରିଣୀଟି ବିକଳ ହେଇ ବାକି ମାଙ୍କଡ଼ ମାନଙ୍କୁ ନେହୁରା ହେଲା, "ତୁମେ ସବୁ କହିଲ ବୋଲିକି ମୁଁ ହନୁମନ୍ତ ସପକ୍ଷରେ ଭୋଟ ଦେଇଥିଲି ଓ ସେ ଏବେ ରାଜା। କିନ୍ତୁ ରାଜାର କର୍ତ୍ତବ୍ୟ ସମ୍ପାଦନ କରିବାରେ ଅକ୍ଷମ। ତୁମେ ସବୁ ମାଙ୍କଡ଼ ମିଶି ତୁମ ଗୋଷ୍ଠୀର ଏକ ଦୁର୍ବଳ ଅପାରଗ ବାହାପିଆ ମାଙ୍କଡ଼କୁ ରାଜା କରାଇଲ। ଏବେ ଦେଖ ପ୍ରଜା ମାନଙ୍କ ଦୁରବସ୍ଥା।"

ମାଙ୍କଡ଼ ମାନେ ତଥାପି ତାଙ୍କ ରାଜାକୁ ନେଇକି ଗର୍ବିତ ଥିଲେ। ହନୁମନ୍ତ ର ଅପାରଗତାକୁ ସ୍ଵୀକାର କରିବା ଅର୍ଥ ନିଜର ବୋକାମୀ କୁ ପଦାରେ ପ୍ରକାଶ କରିବା ହେବ। ତେଣୁ, ନିଜକୁ ଓ ହନୁମନ୍ତକୁ ବଞ୍ଚେଇବାକୁ ତତ୍ପରେ ହୋଇ ଉଠିଲେ । "ଭଉଣୀ ହରିଣୀ, ବୃଥାରେ ରାଜାଙ୍କୁ ଦୋଷ ଦେଉଛ..! ଦେଖୁଛ ନା ନାହିଁ, ତୁମେ ବାଘ ବିରୁଦ୍ଧରେ ଫେରାଦ ହେବା ପରେ ପରେ ହିଁ ରାଜା ତାଙ୍କ କାମରେ ଲାଗିପଡିଲେ। ଓ ଦୀର୍ଘ ଦୁଇ ଘଣ୍ଟା ରୁ ଏପର୍ଯ୍ୟନ୍ତ ଖେହଃ ଖେହଃ ହେଇ ବାଘକୁ ଘଉଡେଇବାକୁ ଚେଷ୍ଟା କରୁଛନ୍ତି। ତୁମେ ଟିକିଏ ଦେଶପ୍ରେମୀ ନଜରରେ ଦେଖ..! ପ୍ରଥମ କରି ନୂତନ ସେତୁବନ୍ଧ ପାଇଁ ଯେଉଁ ରାଜା ନିଷ୍ପତି ନେଇଛନ୍ତି, ସେ କେବେ ଅପାରଗ ହେଇପାରିବେ..?"

ବିଚାରୀ ହରିଣୀ ଦେଖିଲା, ମାଙ୍କଡ଼ ଦଳ ଗଛ ଉପରେ ବସି ତାକୁ ମଧୁର ବାଣୀ ଶୁଣାଉଛନ୍ତି, ରାଜା ହନୁମନ୍ତ ଏ ଡାଳରୁ ସେ ଡାଳ ଡେଇଁ ଖେହଃ ଖେହଃ ହେଇ ବାଘ କୁ ଡରେଇ ବାକୁ ବୃଥା ଚେଷ୍ଟା କରୁଛି ଓ ବାଘଟି ଧୀରେ ଧୀରେ ନିର୍ବିଘ୍ନରେ ତା ଆଡ଼କୁ ମାଡ଼ି ଆସୁଛି। ବାଘ ଓ ହରିଣୀ ଭିତରେ ଦୂରତା କ୍ରମଶଃ ହ୍ରାସ ପାଉଥିବାରୁ ରାଜା ହନୁମନ୍ତ ବି ଅନ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ କରିବାକୁ ଚାଲିଗଲା।

- ବିଜୟ କୁମାର ଜେନା

ଦା

ମନଯୋଡି।


Rate this content
Log in

Similar oriya story from Inspirational