Trupti Paikaray

Inspirational Comedy

3.2  

Trupti Paikaray

Inspirational Comedy

ପିଆଜ

ପିଆଜ

4 mins
14.6K


ପିଆଜ

ତୃପ୍ତି ପାଇକରାୟ

          ବାହା ହେଇ ଶାଶୁଘରକୁ ଆସିଲାଦିନଠାରୁ ମନଇଚ୍ଛା ନା’ ଟିକେ ହସିହୁଏ ନା’ ମଜା କରିହୁଏ । କାନ୍ଦିବାକୁ ଇଚ୍ଛା ହେଲେ ବି ଲୁହଗୁଡ଼ା ସେଇ ଆଖିର ପଲକ ତଳେ ସେମିତି ଚାପିହେଇ ରହିଯାଏ, ଆଉ କେତେ ସେଇ ଓଠ ପିଇଯାଏ । କାହାର ବା ବାପା, ମାଆ, ଭାଇ, ଭଉଣୀ କଥା ମନ ନପଡେ଼ ଯେ । ସେଇ ପୁରୁଣା ଦିନ, ପିଲାଦିନ, ସେଇ ବାପାମାଆଙ୍କ ସ୍ନେହଶ୍ରଦ୍ଧା, ତାଙ୍କ ପାଖରେ କରିଥିବା ଅଳି, ମାନଅଭିମାନ ସବୁ ଗୋଟିଗୋଟି ମନେପଡ଼ିଯାଏ । କେବେକେବେ ସାଙ୍ଗଘରକୁ ଯାଇ ଭୋଜି କରି ଧୁମ ଖାଇବା ଆଉ ତା'ପରେ ଶପିଂ କରିବା ସବୁ ମନେପଡେ ଏଠି ।  ଟିକେ ଦେହ ଖରାପ ଲାଗିଲେ ମାଆ କଥା ମନେପଡେ, ଟିକେ ଭୋକ ଲାଗିଲେ ସେଇ ମାଆ ରୋଷେଇ ବାସ୍ନା ମୋ ନାକରେ ବାଜିଯାଏ । ମୋର ସିଭିଅର ଗ୍ୟାସ୍ଟ୍ରିକ ଅଛି, ଟିକେ ଭୋକକୁ ଚାପିଦେଲେ ମୁଁ ତିନିଦିନ ବେଡ଼ରୁ ଉଠିପାରେନି, ସେଥିପାଇଁ ମୋ ମାଆ ମୋ ପଛେପଛେ ଲାଗିଥାଏ, "ନେ ମା’ ବିସ୍କୁଟ ଖଣ୍ଡେ ଖାଇଦେ", ନହେଲେ କିଛି ନା କିଛି ଖୁଆଇଦିଏ । ହେଲେ ବାହାହେବା ଦିନଠାରୁ ମୋ ଗ୍ୟାସ୍ଟ୍ରିକ ବେମାରି ମୋର ଯେମିତି ମୋ ପିଛା ଛାଡ଼ୁନି । ଅଫିସ କାମ ଆଉ ଘରକାମ କରି ମୋ ପାଖରେ ଫୁରସତ ନଥାଏ । ଆଉ ଏବେ ଭୋକ ହେଲେ ବି, ସେମିତି ଭୋକକୁ ମାରି ଅପେକ୍ଷା କରିବାକୁ ପଡ଼େ ସ୍ୱାମୀଙ୍କୁ । କାରଣ, ଇଏ କିଛି ନକହିଲେ ବି, ମଜାମଜାରେ କହିଦିଅନ୍ତି ଯେ “ସ୍ତ୍ରୀ ଏମିତି କରିବା କଥା, ସେମିତି କରିବା କଥା...।” ତା ସାଙ୍ଗକୁ, ଇଏ ତାଙ୍କ ବାପାମା'ଙ୍କୁ ସବୁକଥା କହିଦିଅନ୍ତି, ତେଣୁ କିଏ ଖରାପ ଭାବିବା ପୂର୍ବରୁ ନିଜକୁ ସଜାଡ଼ିନେବାକୁ ଚେଷ୍ଟା କରେ । ସତରେ ଏଇ ସମାଜ ବି ସବୁକିଛି ବନେଇଛି, ସ୍ତ୍ରୀ ଆଉ ପୁରୁଷ ଭେଦଭାବ, ଏସବୁ ଭିତରେ ମୁଁ ବି ବନ୍ଧା । କଥାକଥାରେ ଇଏ କହିଦିଅନ୍ତି, ''ତୋର ଟିକେ ସ୍ତ୍ରୀ ଢଙ୍ଗ ନାହିଁ ।'' ଯଦିଓ ମଜାରେ କହନ୍ତି, ହେଲେ ମୁଁ ବୁଝିଯାଏ ସବୁକିଛି । ସେମିତି କଥାକଥାରେ ଶାଶୁ କହିଦିଅନ୍ତି, "ତୁ ଶାଢ଼ୀ ପିନ୍ଧିଚୁ ନା ଡ୍ରେସ, ଶିବରାତ୍ରିରେ ଉପାସ କରୁ ନା ନାହିଁ, ସାବିତ୍ରୀ ବ୍ରତ କରିଛୁ କି ନାହିଁ ?" ହେଲେ ମୋ ଗ୍ୟାସ୍ଟ୍ରିକର କଷ୍ଟ କେହି ବୁଝନ୍ତିନି ।ଜ୍ୱର ହେଇଥିଲେ ମୋ ମାଆ ମୋ ପାଖ ଛାଡ଼ି ଯାଏନି, ହେଲେ ଏଠି ଉଠିକି ସେଇ ରୋଷେଇ ଘରେ କାମ କରିବାକୁ ପଡ଼େ । ବେଳେବେଳେ ଜୋରରେ କାନ୍ଦ ଲାଗେ, ମନ ହୁଏ କାନ୍ଦିପକେଇବାକୁ । ପ୍ରଥମେ ପ୍ରଥମେ ବହୁତ ମନେପଡ଼େ ମୋ ଘର, ମୋ ଭାଇଭଉଣୀ, ମୋ ମାଆବାପାଙ୍କ କଥା । ସବୁ କାମ ସାରି ରାତିରେ ଶୋଇବାକୁ ଯାଏ, ଆଉ ମତେ ଏତେ ଶୀଘ୍ର ନିଦ ଆସେନି । ଟିକେ ଲାଇଟ ପଡ଼ିଲେ ମୁଁ ଶୋଇପାରେନି, ଆଉ ଇଏ ସେଇ ମୋବାଇଲ ଆଉ ଲାପଟପରେ କାମ କରନ୍ତି । ମୁଁ କହିଲେ ବି ସେ ଶୁଣିବେନି । ମତେ ଯେମିତି ଲାଇଟ ଲଗେଇଲେ ନିଦ ଆସେନି, ଇଏ ସେମିତି ମୋବାଇଲ ନଧରିଲେ ଶୋଇପାରନ୍ତିନି । ହେଲେ ମୁଁ  ପରା ସ୍ତ୍ରୀ, ମତେ ହିଁ ମୋ ଅଭ୍ୟାସ ବଦଳେଇବାକୁ ପଡ଼ିବ । କେବେକେବେ ବହୁତ କାନ୍ଦ ଲାଗେ, ସେତେବେଳେ ମୋ ମାଆ କଥା ମୋର ବହୁତ ମନେପଡ଼ିଯାଏ, କିଛି ପୁରୁଣା ଦିନ, ସାଙ୍ଗସାଥି ସବୁ ମନେପଡ଼େ, ନଚାହିଁଲେ ବି ଆଖିରୁ ସେ ଲୁହଗୁଡା ନିଗିଡି ପଡ଼ନ୍ତି, ଆଉ ଠିକ ସେତେବେଳେ ଇଏ ମୋବାଇଲ ସ୍କ୍ରିନ ଲାଇଟରେ ମୋ ଲୁହ ଖୋଜନ୍ତି, ଆଉ ତା'ପରେ ଆରମ୍ଭ ହୁଏ ତାଙ୍କ ଅଙ୍କକସା, ପ୍ରଶ୍ନ ପରେ ପ୍ରଶ୍ନ, "କାହିଁକି କାନ୍ଦୁଛ ? କ'ଣ କାହାକୁ କଥା ଦେଇଥିଲ ରଖିପାରିଲନି କି ?'' ନହେଲେ କହିବେ, ''ହଁ,  କିଏ ପୁରୁଣା ଥିଲେ ତାଙ୍କ କଥା ମନେପଡିଯାଉଛି ବୋଧେ ?" ହେଲେ ସେ କେବେ ଟିକେ ପଚାରିବେନି କି, ''ତମ ଦେହ ଭଲଲାଗୁନି କି ? ନା ଘରକଥା ମନପଡୁଛି କି ?'' ଏସବୁ ପ୍ରଶ୍ନ ନପଚାରି, ସେ କେମିତି ଗୋଟେ ଯୁକ୍ତି ଆଉ ଟିକେ ଥଟ୍ଟା କରି ସେମିତିକା ପ୍ରଶ୍ନ କରିଚାଲନ୍ତି, ଆଉ ଏସବୁ ଶୁଣି ମୁଁ କାନ୍ଦି ବି ପାରେନି । ହେଲେ, ଏଇ ହସ ଆଉ ଲୁହଗୁଡ଼ା କେତେ ଯେ ନିଜର, ସେକଥା ନିଜ ମନ ଜାଣିଚି । କେତେ ସୁଖଦୁଃଖର ସାଥୀ ଏଇ ହସ ଆଉ ଲୁହ । କେବେ ଯଦି କିଛି ପୁରୁଣା କଥା ମନେପଡ଼ିଯାଏ ଆଉ ହସିଦିଏ, ଇଏ ସେଥିରେ ବି ଛାଡ଼ନ୍ତିନି, କହନ୍ତି, ''କ'ଣ କାହା କଥା ମନପଡିଯାଉଛି କି ?'' ଏସବୁ ଭିତରେ ମଣିଷ ସତେ ଯେମିତି ପଥର ପାଲଟିଯାଇଛି । କେବେକେବେ ରାଗିକି କହିଦିଏ, “ହଁ, କଥା ଦେଇଥିଲି ଆଉଜଣଙ୍କୁ, ହେଲେ ତମକୁ ବାହାହେଲି, ସେଥିପାଇଁ ଆଜି ଏଇ ଦଶା ମୋର, କିଛି କଥା ହେଲେ ଖାଲି ସେଇ ପ୍ରଶ୍ନ ତମର ?” ଇଏ ତ ମାତ୍ର ହସଲୁହ କଥା, ଯଦି କେବେ ଦି'ପଦ କବିତା ଲେଖିଦିଏ, ସେଦିନ ଆହୁରି ଜଟିଳ ପ୍ରଶ୍ନ । ମୋର ଟିକେ ଲେଖାଲେଖି ଅଭ୍ୟାସ ଅଛି । କଲେଜ ପଢ଼ିଲାବେଳେ ବି ମୁଁ ଲେଖୁଥିଲି । ବିଭିନ୍ନ ପତ୍ରପତ୍ରିକାରେ ମୋ ଗପ-କବିତା ବାହାରେ । କେତେବେଳେ ଟିକେ ଲେଖିବାକୁ ବସେ ନିରୋଳାରେ, ମୋ କବିତାରେ କି ଗଳ୍ପରେ ଯଦି ଟିକେ ପ୍ରେମର ଛିଟା ଥାଏ, ସେଦିନ ଇଏ ଆଉ ମୋ ପିଛା  ଛାଡ଼ନ୍ତିନି, କହନ୍ତି, ''କ'ଣ ଏସବୁ ଲେଖୁଛ ? କାହାକୁ ଭଲପାଉଥିଲ ବୋଧେ, କିଏ ତୁମ ଜୀବନରେ ଥିଲା ବୋଧେ ?'' ହେଲେ କେମିତି ତାଙ୍କୁ ବୁଝେଇବି ଯେ ଗୋଟେ କବି ଆଉ ଲେଖକ ତା ଲେଖା ଦ୍ୱାରା କିଛି ବାସ୍ତବତାକୁ ଏମିତି ଶୈଳୀରେ ଆଉ ଅତି ନିଖୁଣ ଭାବେ ଉପସ୍ଥାପନା କରେ ଯେ, ସମସ୍ତେ ଏମାନଙ୍କୁ ଭାବନ୍ତି ସେମିତି । ତା'ପରେ ଏବେଏବେ ସେ ବୁଝିଗଲେଣି କବିତା ଆଉ ଗପରେ କେତେ ମଧୁରତା ଥାଏ । ଏସବୁ ଭିତରେ ମୁଁ ବି ଜାଣିଗଲିଣି ଯେ ସ୍ତ୍ରୀଟିଏ ଯାହା କରିବ ସବୁରେ ଗୋଟେ ପ୍ରଶ୍ନ ଆସିବ, ହେଲେ ପୁରୁଷମାନଙ୍କୁ କେହି କିଛି ପଚାରିବେନି । ଯେତେ କଷ୍ଟ ହେଲେ ବି ଚୁପ ରହିବା ଭଲ ବୋଲି ମୁଁ ଭାବିନେଲି । ହେଲେ ମୁଁ ତ ସେଇ ମଣିଷ, କଷ୍ଟଦୁଃଖ ହେଲେ ଟିକେ ଲୁହ ବାହାରିଆସିବ, ଆଉ ଲୁହତ କିଛି ସମୟ ଦେଖି ବାହାରିବନି, କେତେବେଳେ କେମିତି ମନ ଭଲ ନଲାଗିଲେ ସୋଫା ଉପରେ ବସିଯାଏ, ସେଇ ବାଲକୋନୀକୁ ଅନେଇ ଟିକେ କାନ୍ଦେ ମନଇଚ୍ଛା ଇଏ ନଥିଲା ବେଳେ । ହେଲେ ଇଏ ଯଦି ଥିବେ ହଜାରେ ପ୍ରଶ୍ନ କରିବେ । ଏବେ ବି ଏମିତି ଅନେକ ପରିସ୍ଥିତି ଆସେ ଯେ, ମତେ ମୋ ମାଆ, ବାପା, ଭଉଣୀ ସମସ୍ତଙ୍କ କଥା ମନେପଡ଼େ । ହେଲେ ଏବେ କାନ୍ଦିବା ପୂର୍ବରୁ ମୁଁ ରୋଷେଇ ଘରକୁ ଯାଇ ପିଆଜ କାଟେ, ଆଉ ସେଇ ବାହାନାରେ କାନ୍ଦେ ମନଭରି । ସେତେବେଳେ ଇଏ କିଛି ପ୍ରଶ୍ନ ପଚାରନ୍ତିନି, ଆଉ ପଚାରିଲେ କହିଦିଏ, "ତୁମକୁ କ'ଣ ଦେଖାଯାଉନି କି ? ମୁଁ ପରା ପିଆଜ କାଟୁଚି ରୋଷେଇ କରିବାକୁ । ହେଲେ ଏ ପିଆଜଗୁଡ଼ା ଏତେ ରାଗ ଯେ, ମୋ ଆଖି ପୋଡ଼ୁଚି ବହୁତ ଜୋରରେ, ଆଉ ଲୁହ ବାହାରି ଆସୁଛି ।'' ଇଏ ଭାବନ୍ତି ଯାହାହେଉ ମୋ ସ୍ତ୍ରୀ ରୋଷେଇ କରୁଛି, ହେଲେ ମୁଁ ଜାଣିଚି ଯେ ଏ ପିଆଜ ଦେଇ ମୋ ଲୁହଗୁଡ଼ା ବାହାରିଯାଏ ଅନ୍ତତଃ । ହେଲେ ଯେଉଁଦିନ ପୂଜାପର୍ବ ଥାଏ ଆଉ ବିନା ପିଆଜ-ରସୁଣ  ରୋଷେଇ ହୁଏ, ସେଦିନ ମଣିଷର ଦଶା ଖରାପ ।

*****


Rate this content
Log in

Similar oriya story from Inspirational