ଫରେଷ୍ଟ୍ ପାର୍କ୍
ଫରେଷ୍ଟ୍ ପାର୍କ୍
ରାଜଧାନୀ ଭୁବନେଶ୍ଵରର ପାର୍କ୍ ମାନଙ୍କ ମଧ୍ୟରେ ଫରେଷ୍ଟ୍ ପାର୍କ୍ ନିଆରା ଅନେକ କ୍ଷେତ୍ରରେ। ବିଶେଷ କରି ପ୍ରେମୀଯୁଗଳଙ୍କ ପାଇଁ ନିରୋଳା ସ୍ଥାନଟିଏ ସେମାନଙ୍କ ମନୋସ୍କାମନା ଚରିତାର୍ଥ କରିବା ପାଇଁ। କାହିଁ କେତେ ଦୂରରୁ ପ୍ରେମୀଯୁଗଳ ଧାଇଁ ଆସନ୍ତି ଏଠିକୁ। ସବୁ ବେଳେ ଖଚାଖଚ ଗହଳି। ଏଠି କାଳେ ପ୍ରେମ ହୁଏ କାଡବୁରୀ, ସିଲେଷ୍ଟି ଆଉ ଗୁପ୍ ଚୁପ୍ ରେ!
ଚିହ୍ନା ପଡିଯିବା ଭୟରେ କେତେକ ମୁହଁ ଢାଙ୍କି ଦିଅନ୍ତି ରଙ୍ଗ ବେରଙ୍ଗର କପଡାରେ। ଲୁଚା ଛପା ଆଉ ଖୁଲମଖୁଲା ପ୍ରେମର ସମ୍ମିଶ୍ରଣରେ ସବୁ କିଛି ଘଟେ ଏଠି। ଅନେକ ଅସଂଖ୍ଯ ପ୍ରେମ କାହାଣୀର ମୁକ ସାକ୍ଷୀ ଏଇ ଫରେଷ୍ଟ୍ ପାର୍କ୍ ର ମାଟି!
ନାରଣ ଗୋଚ୍ଛାୟତ ପାର୍କ୍ ର ପୁରୁଖା ଜଗୁଆଳି। ଆଜକୁ ପ୍ରାୟ ପଚିଶ ବର୍ଷ ଧରି ସେ ଏଠିକାର ସୁରକ୍ଷା ଦାୟିତ୍ବରେ ଅଛି। ପାର୍କ୍ ଭିଜିଟିଂ ଆୱାର୍ ସରିବା ପରେ ମଧ୍ୟ ନାରଣ ହାତ ଗୁଞ୍ଜା ନେଇ ବିଶେଷ ବର୍ଗର ପ୍ରେମୀଯୁଗଳଙ୍କୁ ଟିକେ ଅଧିକ ସମୟ ପ୍ରଦାନ କରେ ପାର୍କ୍ ଭିତରେ। କେବେ ବି କିଛି ଅଘଟଣ ଘଟିବାର ନଜିର୍ ନାହିଁ। ସବୁ କଥା ସମ୍ଭାଳି ନିଏ ସେ।
ସବୁ ଦିନ ସମାନ ଯାଏ ନାହିଁ। ସେଦିନ ସନ୍ଧ୍ୟାରେ କମିଶନରେଟ୍ ପୋଲିସ୍ ରେଡ୍ କଲା ମହାନଗର ନିଗମରେ ଥିବା ସମସ୍ତ ପାର୍କ୍, ପବ୍, ବାର୍ ଆଉ ଲଜ
୍ ଉପରେ। ଅସଞ୍ଜତ ଅବସ୍ଥାରେ ଥିବା ପ୍ରେମୀଯୁଗଳ ଥିଲେ ପୋଲିସ୍ ହେପାଜତରେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ କଲେଜରେ ପଢୁଥିବା ତରୁଣ ତରୁଣୀ।
ସହଳ ପାର୍କ୍ ବନ୍ଦ ହେବାରୁ ରୋଜଗାର ମାଡ଼ ଖାଇଯାଇଥିଲା ନାରଣର। ମନଟା ଜମାରୁ ଭଲ ଲାଗୁ ନଥିଲା ତାର। ଅବସାଦ ଲାଘବ କରିବା ପାଇଁ ପାଖ ପାନ ଦୋକାନୀଠୁ ଅବକାରୀ ଶିଶିଟେ କିଣି ଢକ୍ ଢକ୍ କରି ପିଇଗଲା।
ଯେଣେ ତେଣ ଘରକୁ ଫେରିଗଲା ସେ। ରାତି ପ୍ରାୟ ସାଢ଼େ ନଅଟା ପହଞ୍ଚିବା ବେଳକୁ। ଟ୍ୟୁସନ୍ ସେଣ୍ଟର୍ ଯାଇ ଝିଅ ଫେରିନାହିଁ ଏଯାଏଁ। ସ୍ବାମୀ ସ୍ତ୍ରୀ ଦୁହେଁ ମିଶିକରି ସବୁଠାରେ ଖୋଜିବାକୁ ଲାଗିଲେ, ସାହି ପଡିଶା, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ସମସ୍ତଙ୍କ ଘରେ। କେଉଁଠି ବି ଝିଅର ପତ୍ତା ମିଳିଲା ନାହିଁ।
ନିରୁପାୟ ହୋଇ ସସ୍ତ୍ରୀକ ଥାନାକୁ ଗଲେ ରିପୋର୍ଟ୍ କରିବା ପାଇଁ। ନାରଣ ଠାରୁ ସବୁ କଥା ବୁଝି ହାବିଲଦାର ରିପୋର୍ଟ୍ ଲେଖିବା ଆରମ୍ଭ କରିବା ପୂର୍ବରୁ ପଚାରିଲେ ଝିଅର ନାଁ, ଗାଁ, ଠିକଣା ଇତ୍ଯାଦି ଇତ୍ୟାଦି।
କିଛି ସମୟ ପରେ ଆସିଲା ତାର ଝିଅ ମୁହଁକୁ କପଡା ଢାଙ୍କି। ହାବିଲଦାର କହିଲେ, ବଣ୍ଡ୍ ସାଇନ୍ କରି ଝିଅକୁ ଘରକୁ ନେଇଯିବା ପାଇଁ। ନାରଣ ବିସ୍ଫାରିତ ନେତ୍ରରେ ଚାହିଁ ରହିଥିଲା ଅଲିଅଳି ଝିଅକୁ ତାର...