ଫେରିଆ ପ୍ରିୟା ! କାନ୍ଦୁଛି ପ୍ରେମ
ଫେରିଆ ପ୍ରିୟା ! କାନ୍ଦୁଛି ପ୍ରେମ
ପ୍ରିୟା ! ଏ ପ୍ରିୟା !
" ଉଁ "
ତମେ ନା ବହୁତ ଭଲ। ତମ ପ୍ରେମ ପ୍ରଥମ ପ୍ରେମ ନଥିଲା। ସେଟା ଛଳନା ଥିଲା କହୁଥିଲେ ସ୍ଥିତପ୍ରଜ୍ଞ ।
ପ୍ରିୟା କହିଲେ, ସଂଯୋଗବଶତଃ ତମ ସହ ମୋର ପ୍ରତିଲିପିରୁ ମାତ୍ର ତିନିଦିନର ପରିଚୟ କିନ୍ତୁ ବିଭୁ ସହ ମୋର ଚାରିମାସର ନିବିଡ ସମ୍ପର୍କ। ଜାଣିଛ ସ୍ଥିତ, ପ୍ରେମର ଶେଷ ଶରୀରରେ।ସ୍ଥିତପ୍ରଜ୍ଞ କହିଲେ, ନା ପ୍ରିୟା ! ତମେ ମୋତେ ଯାହା ବି ପରୀକ୍ଷା କର ମୁଁ ତମ ଶରୀର ପ୍ରତି କଦାପି ଆକର୍ଷିତ ହେବି ନାହିଁ ।
ଆଜିକୁ ଆଠବର୍ଷ ହେଲା ମୁଁ ଏକା। ବହୁତ ସୁଯୋଗ ବି ପାଇଛି କିନ୍ତୁ ମୁଁ କୌଣସି ନାରୀ ପ୍ରତି ଆକର୍ଷିତ ହୋଇନାହିଁ। ପ୍ରେମ୍ ଓ ସଂସାର ଜାଣିବା ପୂର୍ବରୁ ମୋ ସ୍ତ୍ରୀ ଆରପାରିରେ।
ଆଜିକାଲି ପ୍ରେମର ପରିଭାଷା କ'ଣ ଜାଣିଛ ପ୍ରିୟା ? କେବଳ କାମ।
ନାରୀର ସଂଜ୍ଞା ;
ନରପିଶାଚଙ୍କ କାମନାର ରାଇଜରେ,
ଗୋଟେ ଉପଭୋଗ୍ୟା ବସ୍ତୁଟିଏ ବୋଧେ।
ମୁଁ ହତଭାଗିନୀ କ୍ରୀଡନକ ଟିଏ,
କେମିତି ବୁଝାନ୍ତି,
ହେ ନପୁଂସକ କାପୁରୁଷ ଗଣ,
ତୁମେ ଯେମିତି ଭଗବାନଙ୍କ ସ୍ରୁଷ୍ଟି,
ମୁଁ ବି ତାଙ୍କରି ସର୍ଜନା।
ଯିଏ ତୁମକୁ ଜନ୍ମ ଦେଲା,
ସେ ତ ମମତାମୟୀ ନାରୀଟିଏ।
ତୁମ ଖୁସିରେ ସେ ସବୁଠାରୁ ଖୁସି ହୁଏ।
ଗୁମଶୁମ, ଶୁନଶାନ୍!
ଜୀବନର ମର୍ମ ଯେ,
ନର ନାରୀ କିଛି ଅଲଗା ନଥାନ୍ତି,
ପରସ୍ପରର ପରିପୂରକ।
ଏକ ବିନା ଅନ୍ୟର ସ୍ଥିତି ବି ଅସମ୍ଭବ।
ଥରଟିଏ ତ ସମ୍ମାନ ଦିଅ,
ଏ ମହାନ ନାରୀ ଜାତିକୁ,
ନଚେତ୍ ପ୍ରସ୍ତୁତ ହୁଅ ମହା ପ୍ରଳୟକୁ,
ନିରୀହ ନାରୀଟିଏ ର ତତଲା ନିଃଶ୍ୱାସରେଜଳିଯିବ ତୁମ ଏ ସମଗ୍ର ବିଶ୍ୱ।
ସଚରାଚର ସପତ ବ୍ରହ୍ମାଣ୍ଡ।।
ଅନାଇ ରହିଥିବ ଏ ସମାଜ।।
ତମ ତଥାକଥିତ ପ୍ରଥମ ପ୍ରେମ ବି ସେମିତି ଥିଲା।
କିନ୍ତୁ ପ୍ରେମ !
ମନ ଅଳିନ୍ଦର ରୁଦ୍ଧ ବାତାୟନ ଭିତରେ ପ୍ରବେଶ କରେ ପ୍ରେମର କିରଣ। ଝଲସି ଯାଏ ଗୃହ। କିନ୍ତୁ ସେ କିରଣ କ'ଣ ସୂର୍ଯ୍ୟାଲୋକ ପରି ତା ମର୍ଯ୍ୟାଦା ବଜାୟ ରଖେ ? ସେ ପ୍ରେମର କିରଣ ସବୁ ତାଡନାର ପ୍ରାଚୀର ଡେଇଁ ସଫଳ ହୁଏ ?
ସେ ପ୍ରେମରେ କାମନାର ବାସନା ନଥାଇ ବି ସଫଳ ନହୋଇ ଲେଖକର ଲେଖନୀକୁ ରୁଦ୍ଧିମନ୍ତ କରିବା ସହ ଗୁମର ଖୋଲିବାରେ ସହାୟକ ହୁଏ କାହିଁକି ?
ତାହେଲେ ପ୍ରେମ କ'ଣ ଅସଫଳ ? ପ୍ରେମର ଅବାରିତ ବାରିଧାରା କାଣିଚାଏ ଲାଳସା ଆଗରେ ଶୁଷ୍କ ହୋଇଯାଏ କାହିଁକି ?
ପ୍ରକାର ଭେଦରେ ପ୍ରେମ ଏକ ଓ ଅଭିନ୍ନ। କିନ୍ତୁ ଆଧୁନିକତାର ଶୃଙ୍ଖଳ ଚିଣ୍ଡାଇ ପ୍ରେମ ଆଗକୁ ବଢିବା ସହ ବିବିଧ ନାମରେ ନାମିତ। ଏଇ ଯେମିତି ଅସଫଳ ପ୍ରେମ, ମରୀଚିକା ପ୍ରେମ।
କିନ୍ତୁ
ଯୁଗ ବଦଳିବା ସହ ପ୍ରେମର ସଂଜ୍ଞା ବଦଳିଛି। ପ୍ରେମପତ୍ର ପରିବର୍ତ୍ତେ ମୋବାଇଲ ଇମୋଜୀର ବହୁଳ ବ୍ୟବହାର। ଆଜିକାଲି ପ୍ରେମିକ ପ୍ରେମପତ୍ର ବରଗଛ କୋରଡରେ ରଖି ପ୍ରେମିକାକୁ ଇସାରା କରିବାର ଆବଶ୍ୟକତା ନାହିଁ କାରଣ ବରଗଛ କଟି କଂକ୍ରିଟ ଜଙ୍ଗଲ, ତାଛଡା ଇଣ୍ଟରନେଟ ଯୁଗ। କାରଣ ଆମେ ଆଧୁନିକ ତେଣୁ ପ୍ରେମ ବି ଆଧୁନିକ।
ପୁର୍ବରୁ ଗାଆଁର ଲଳନା ପାଉଁଜି ଛମ୍ ଛମ୍ କରି ଅଣ୍ଟାରେ ଗରା ରଖି ପୋଖରୀ ଆଡକୁ ଗତି କରିବା ସମୟରେ ଖଜୁରୀବୁଦା ଆଢୁଆଳରେ ପ୍ରେମିକ ଟିକେ ପ୍ରେମିକାର ମୁଖମଣ୍ଡଳ ଅବଲୋକନ ମାତ୍ରେ ଅଫୁରନ୍ତ ଆନନ୍ଦ ପାଉଥିଲା।
ଆଜିକାଲି
ପୋଖରୀ ପୋତି ସୁନ୍ଦର ପାର୍କ ନିର୍ମିତ। ସେହି ପାର୍କରେ ପ୍ରେମିକ, ପ୍ରେମିକାର ବିନାସଙ୍କୋଚରେ ଶାରିରୀକ ମିଳନ। କିଛିଦିନ ପରେ ବିଚ୍ଛେଦ। ମିଳନର ସ୍ପୃହା ନାହିଁ, ଉତ୍କଣ୍ଠା ନାହିଁ କିମ୍ୱା ବିଚ୍ଛେଦର ଦୁଃଖ ନାହିଁ କି ଅନୁଶୋଚନା ନାହିଁ। ଲୁଗା ବଦଳିଲା ପରି ବଦଳନ୍ତି ପ୍ରେମିକ/ ପ୍ରେମିକା।
କାରଣ
ଆମେ ଆଧୁନିକ !
ଆମେ ପରା ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ। ଏସବୁ ଭାବ, ବୋଧରୁ କ'ଣ ମିଳିବ ।
ତେଣୁ ତ
ଆଜିକାଲି ସମ୍ପର୍କର ରଜ୍ଜୁ କଳଙ୍କିଲଗା ଲୁହାପରି କ୍ଷୀଣ। ଖୁଁ ଖୁଁ କାଶୁଥିବା ଯକ୍ଷ୍ମାରୋଗୀ ପରି ଗତିଶୀଳ। ଭାଇ ଅଛି ଭ୍ରାତୃତ୍ବ ନାହିଁ। ବନ୍ଧୁ ଅଛି ବନ୍ଧୁତ୍ୱ ନାହିଁ। ମନୁଷ୍ଯ ଅଛି, ମାନବିକତା ନାହିଁ। ସବୁ ଅଛି କିଛି ନାହିଁ।
ଦୁଃଖ କାହାଣୀ ପକ୍ଷାଘାତ ରୋଗୀପରି ପାଠକଙ୍କୁ ଅନେଇ ରହିଛି।
କିନ୍ତୁ
ଅର୍ଥବିହୀନ ପ୍ରେମଗଳ୍ପ ପାହାଳ ରସଗୋଲାପରି ପାଠକଙ୍କ ଆଦୃତିପ୍ରାପ୍ତ।
ସୁଧିଜନେ ! ଛାତିରେ ହାତ ରଖି କହିଲେ , ସତ ନୁହଁ କି ?
ସ୍ଥିତପ୍ରଜ୍ଞର ଖୁସିଗପ ( ଚାଟ ) ଶୁଣି ହସିବା ସହ ପ୍ରଭାବିତ ହେଉଥିଲେ ପ୍ରିୟା। ଧିରେ ଧିରେ ବିଭୁକୁ ଭୁଲି ନିଜ ପ୍ରେମର ସ୍ବୀକୃତି ଦେଲେ ସେ। ଖୁସିରେ ଫାଟି ପଡୁଥିଲେ ସ୍ଥିତପ୍ରଜ୍ଞ। ସ୍ଥିଟପ୍ରଜ୍ଞ ଧିରେ ଧିରେ ସ୍ତ୍ରୀ ବିଚ୍ଛେଦ ଭୁଲି ପ୍ରିୟାର ପ୍ରେମରେ ଡୁବି ଯାଉଥିଲେ। ପ୍ରିୟା ବି ବହୁତ ସମୟ ଗପୁଥିଲେ ସ୍ଥିତ ସହ।
ସେଦିନ
ରାତିରେ ପ୍ରିୟା କହିଲେ, ସ୍ଥିତ ! ତମେ ମୋତେ ବହୁତ ଖୁସି ଦେଇଛ, କିନ୍ତୁ ଆଶ୍ଚର୍ଯ୍ୟର କଥା ତମେ ମୋତେ ନଦେଖି କେବଳ ମୋ ଚିନ୍ତାଧାରା ଶୁଣି ମୋତେ ପ୍ରେମ କରିଛ । କେବେ ବି ମୋତେ ଦେଖିବାର ଆଗ୍ରହ ପ୍ରକାଶ କରିନାହ , ତାଛଡ଼ା ଏହି ପ୍ରତିଲିପିରେ ସେସବୁ ଫଟୋ ଆଦିର ସୁବିଧା ନାହିଁ ତେଣୁ ଅଲଗା ମାଧ୍ୟମରେ ଆମେ କଥାବାର୍ତ୍ତା କରିବା।
ଖୁସିରେ ହଁ ଭରିଲେ ସ୍ଥିତ। ଅନ୍ୟ ମଞ୍ଚରେ ଗପିବା ସହ ଫଟୋର ଆଦାନ ପ୍ରଦାନ ହେଲା। ଅନିନ୍ଦ୍ୟ ସୁନ୍ଦରୀ, ଉଚ୍ଚଶିକ୍ଷିତା ତଥା ରକ୍ଷଣଶିଳ ପରିବାରର କନ୍ୟା ଥିଲେ ପ୍ରିୟା। ଖୁସିଗପ ଭିତରେ ଧିରେ ଧିରେ ପ୍ରିୟାର ଅନୁରୋଧରେ ଲିଙ୍ଗ ( ସେକ୍ସ ) ଆଲୋଚନା ବି ସ୍ଥାନ ପାଇଲା। ଖୁସିରେ ବିତିଗଲା କିଛିଦିନ।
ଦିନେ ହଠାତ ପ୍ରିୟା ପଚାରିବସିଲା ଅଦ୍ଭୁତପ୍ରଶ୍ନ। କହିଲ ସ୍ଥିତ ! ତମେ ତ ଜାଣିଛ ମୁଁ ପରିବାର ସହିତ ଅନୁବନ୍ଧିତ। ସେମାନେ ଯେଉଁଠି ବାହାଘର ସ୍ଥିର କରିବେ ମୁଁ ବାହାହେବି । ତାହେଲେ ଆମ ପ୍ରେମ ?
କିଛି ବୁଝିପାରୁନଥିଲେ ସ୍ଥିତ। କ'ଣ କହିବେ ପ୍ରେମିକାକୁ ? ତା ପରିବାର ଜାତିଗତ ପାର୍ଥକ୍ୟକୁ ପ୍ରାଧାନ୍ୟ ଦିଅନ୍ତି। ସେହି କ୍ରମରେ ସେମାନଙ୍କ ବାହାଘର ଅସମ୍ଭବ। ସ୍ଥିତ ଉତ୍ତର ଦେଲେ, ଶୁଣ ପ୍ରିୟା ! ଯାହାକୁ ବାହାହେଲେ ବି ସେ ତମ ଶରୀରର ଅଧିକାରୀ ହୋଇପାରେ କିନ୍ତୁ ଆମ ପ୍ରେମ ସେମିତି ରହିବ।
ଦୁଇଦିନ ଚୁପଚାପ ଭାବିଲେ ପ୍ରିୟା। ଶେଷରେ ନିଷ୍ପତ୍ତି ଦେଲେ, ଶୁଣ ସ୍ଥିତ ! ତମେ ମୋତେ ଭୁଲିଯାଅ। ମୁଁ ସେମିତି କରିପାରିବି ନାହିଁ। ଯାହାକୁ ବାହା ହେବି ତାକୁ ହିଁ ପ୍ରେମ କରିବି।
ଚୁପ୍ ହେଇଗଲେ ସ୍ଥିତପ୍ରଜ୍ଞ । ନିରୁତ୍ତର ଓ ନିର୍ବାକ ଥିଲେ ସେ। ଭାଙ୍ଗି ଯାଇଥିଲା ସ୍ୱପ୍ନ। ପ୍ରିୟା କିଛି ଭୁଲ କହିନଥିଲେ। କେମିତି ବୁଝେଇବେ କ'ଣ ବା ବୁଝାଇବେ। ନିଜର ତ ସଂସାର ସରିଯାଇଛି। ହେଲେ ପ୍ରିୟାର ଭବିଷ୍ୟତ ଅଛି। କିନ୍ତୁ ତାଙ୍କ ପ୍ରେମ ?
ଏ ସମାଜ, ପରିବାର, ଜାତିଭେଦ !
ହଠାତ
ଛାତିରେ ଯନ୍ତ୍ରଣା। ଧିରେ ଧିରେ ଅସହ୍ୟ ହେଉଥିଲା। ପାଟି କରି କହୁଥିଲେ ସ୍ଥିତ ! କହୁଥିଲେ ଫେରିଆ ପ୍ରିୟା !ନିଶ୍ଚଳ ହୋଇ ଯାଇଥିଲା ସ୍ଥିତପ୍ରଜ୍ଞଙ୍କ ଶରୀର। ବୋଧେ ପ୍ରିୟା ପାଖରେ ତାଙ୍କରି ଶଦ୍ଦ ଆଉ ପହଞ୍ଚୁନଥିଲା କି ଆଉ ପହଞ୍ଚିବନି।
