Madhabi Patel

Children

4  

Madhabi Patel

Children

ପାଟଲି ଫୁଲ

ପାଟଲି ଫୁଲ

4 mins
234



ମୁଁ ଛୋଟ ବେଳେ ମାଆ ପାଖରୁ ଶୁଣିଥିବା ଏକ ଗପ

ଆଜି ଲେଖିବାକୁ ଯାଉଛି। ଗ୍ରୀଷ୍ମଦିନ ଗରମ ହେତୁ ଆମେ ରାତିରେ ବାହାର ଦୁଆରରେ ଶୋଉ।ମାଆ ସମସ୍ତଙ୍କୁ ଖାଇବାକୁ ଦେଇ ଶେଷରେ ଖାଏ ଓ କାମସାରି ଆସିବା ଯାଏ ଆମେ ଭାଇ ଭଉଣୀ ଚେଇଁ ବଦମାସି କରୁଥାଉ।ସେ ଆସିଲେ ଗପ ଶୁଣିବୁ ବୋଲି ନିଦ ହୁଏନି।ମାଆ ଆସିଲେ ଅନେକ ଗପ ଶୁଣାନ୍ତି ।

ସେ ଗପ ମାନଙ୍କ ଭିତରୁ କେତେକ ଝାପ୍ସା ମନେଅଛି।

ସେ ଭିତରୁ ଆଜି ଏକ ଗପ ପାଟଳିଫୁଲ କହିବାକୁ ଯାଉଛି।

ଏକ ରଜାଘର ଥିଲା।ରାଜାଙ୍କର ଦୁଇ ରାଣୀ ଥିଲେ।ବଡରାଣୀଙ୍କର ପିଲା ହେଲାନି ବୋଲି ଦ୍ବତୀୟ ରାଣୀଙ୍କୁ ରାଜା ବିଭା ହେଲେ।ହେଲେ କୋଉ ସ୍ତ୍ରୀ ଚାହେଁନି ତା ସ୍ବାମୀ ଅନ୍ୟ କାହାକୁ ଭଲପାଉ।ସ୍ବାମୀକୁ ନିଜ ଅଧିକାରରେ ରଖିବାକୁ ପ୍ରତ୍ୟେକ ଚାହାଁନ୍ତି।ରାଜାତ ସନ୍ତାନ ପାଇବା ପାଇଁ ଦ୍ବିତୀୟ ବିବାହ କରିନେଲେ।ହେଲେ ବଡରାଣୀ ଚାହୁଁନଥିଲେ ଛୋଟ ରାଣୀର ପିଲାହେଉ।ପିଲାହେଲେ ରାଜା ଙ୍କ ଭଲ ପାଇବା ଛୋଟପ୍ରତି ନିଶ୍ଚୟ ବଢିଯିବ।ଆଉ ସେ ଏହା ସହ୍ୟ କରି ପାରିବେନି।

ଦିନେ ଜଣାପଡିଲା ଛୋଟରାଣୀ ଗର୍ଭବତୀ ଅଛନ୍ତି।ରାଜା ନିଜର କୁଳନନ୍ଦନ ଉତ୍ତରାଧିକାରୀ ଆସିବାର ଖବର ଶୁଣି ବଡ ଖୁସୀହେଲେ ।ସେ ଛୋଟରାଣୀର ଭଲ ଖାଇବା ପିଇବା ଦାୟିତ୍ବ ବଡରାଣୀକୁ ବୁଝିବାକୁ କହିଲେ।ଯେମିତି ଗର୍ଭସ୍ତ ସନ୍ତାନ ହୃଷ୍ଟପୃଷ୍ଟ ହେବ।

ବଡରାଣୀ ରାଜାଙ୍କ କଥାରେ ହଁ ମାରି ସବୁ ଠିକ ରେ ବୁଝାସୁଝା କଲେ।ଏମିତି ରେ ନଅମାସ ପୁରିଗଲା।ପିଲା ପ୍ରସବର ସମୟ ଆସିଲା।ସେତେବେଳେ ତ ଆଜିପରି ଡାକ୍ତରଖାନା ନଥିଲା ।ଜଣେ ଧାଇଁ ପିଲା ପ୍ରସବରେ ହହାୟତା କରୁଥିଲା।ବଡରାଣୀ ତା ସହ କିଛି ମନ୍ତ୍ରଣା କରି ପିଲାଜନ୍ମର ଦାୟିତ୍ବ ତାକୁ ଦେଲା। ପ୍ରସବ ସମୟରେ ପ୍ରସୂତି ଆଖିରେ ଏକ ଅନ୍ଧପୁଟୁଳି ବାନ୍ଧି ଦିଆଗଲା।ଏହା ତାଙ୍କର ବଂଶର ନୀୟମ ବୋଲି ତାଙ୍କୁ ଜଣାଇଦେଲେ।

ବହୁତ ଗର୍ଭବେଦନା ସହିବା ପରେ ପିଲାଟେ ଜନ୍ମହେଲା।ପିଲାଜନ୍ମର ଖବର ପାଇ ରାଜା ଖୁସିରେ ନିଜ ସନ୍ତାନକୁ ଦେଖି ବାକୁ ଆସିଲେ।ସେତେବେଳେ ଧାଇଁ ଏକ କାଠପୁତୁଲିକୁ ଆଣି ରାଜାଙ୍କୁ ଦେଖାଇଲା।ରାଜା କହିଲେ ଏତ କାଠ କଣ୍ଢେଇଟେ?

ଧାଇଁ କହିଲା ଛୋଟ ରାଣୀ ଏହାକୁ ଜନ୍ମ କରିଛନ୍ତି।

ରାଜା ରାଗିଗଲେ କହିଲେ ଏହା କେମିତି ସମ୍ଭବ ଜଣେ ନାରୀ କାଠକଣ୍ଢେଇ କେମିତି ଜନ୍ମ କରିପାରିବ।

ବଡରାଣୀ ସାକ୍ଷୀ ହୋଇ କହିଲେ ମୋରି ଆଗରେ ଏ କାଠ ପିଲା ଜନ୍ମ ହୋଇଛି।

ରାଜା ଏବେ ବିଶ୍ବାସ କରିବାକୁ ବାଧ୍ୟ ହେଲେ।ଏପରି ଭାବରେ ସାତଟା ପିଲା ଜନ୍ମହେଲେ କିନ୍ତୁ ସବୁ କାଠ କଣ୍ଢେଇ ଥିଲେ।ବଡ ରାଣୀ କହିଲେ ଏମିତି ଡାହାଣୀକୁ ଘରେ ରଖିବା ଉଚିତ ନୁହେଁ।ଏ ଆମ ରାଜବଂଶପାଇଁ ନିନ୍ଦାର କାରଣ।ତାଙ୍କ କଥାଶୁଣି ରାଜା ଛୋଟରାଣୀଙ୍କୁ ରାଗରେ ଘରୁ ବାହାର କରିଦେଲେ।ତାଙ୍କୁ ଘୋଡାଶାଳ ସଫାକରିବାର କାମ ଦିଆଗଲା । ଛୋଟରାଣୀ ଆଠ ଥର ଗର୍ଭକଷ୍ଟ ସହିଲେ ହେଲେ

କିଛି ଫଳ ମିଳିଲାନି।ସେ ବଡ ମନଦୁଃଖରେ ଘୋଡା ଶାଳରେ ପଡି ରହିଲେ।କିଛି ବଳକା ଖାଦ୍ୟ ତାଙ୍କୁ ଖାଇବାକୁ ମିଳୁଥିଲା। ଦୁଇଖଣ୍ଡ ପୁରୁଣା ଶାଢୀ ପିନ୍ଧିବାକୁ ଦେଉଥିଲେ।ଏକ ଚାକରାଣୀ ପରି ରହୁଥିଲେ ସେ।ନିଜ ଭାଗ୍ୟକୁ ନିନ୍ଦୁଥିଲେ ସେ ।କୋଉ ପାପକର୍ମ ପାଇଁ ସେ କାଠ କଣ୍ଢେଇ ଜନ୍ମ ଦେଲେ?

ତାଙ୍କର ପାପ ବୋଧହୁଏ ସରି ନଥିଲା ଯାହାପାଇଁ ସେ ଏମିତି ଅବସ୍ଥା ଭୋଗକରି ବଞ୍ଚି ରହିଥିଲେ।କହିବାକୁ ଗଲେ ତାଙ୍କର ଆଉ ବଞ୍ଚିବାର ସ୍ଫୃହା ନଥିଲା।

ଏମିତି କେତେ ବର୍ଷ ବିତିଗଲା।ତାଙ୍କ ରାଜଉଆସ ପାଖରେ ଥିବା ପୋଖରୀର ଚାରିପଟେ ସାତଟି ଅର୍ଜୁନ ଗଛ ବଢିବାକୁ ଲାଗିଥାଏ।ଆଉ ସେ ଗଛ ମାନଙ୍କରେ ସୁନ୍ଦର ଲୋଭନୀୟ ବାସନାଯୁକ୍ତ ଫୁଲ ସବୁ ଫୁଟିଲା।ସେ ବାଟରେ ଚାଲିଯିବା ଯାତ୍ରୀମାନେ ସେ ଫୁଲକୁ ଲୋଭରେ ଅନେଇଁ ରହୁଥିଲେ।ଯେତେବେଳେ କେହି ତୋଳିବାକୁ ଚେଷ୍ଟା କରୁଥିଲେ ଗଛର ଡାଳ ଉପରକୁ ଉଠି ଯାଉଥିଲା।କେହି ତୋଳି ପାରୁନ ଥିଲେ।ଏକଥା ରାଜାଙ୍କ କାନକୁ ପହଞ୍ଚିଲା।ରାଜା ଶୁଣିଲେ ତାଙ୍କ ପୋଖରୀ ହୁଡାରେ ଆଗରୁ କେହି ଦେଖିନ ଥିବା ଏକ ପ୍ରକାର ସୁନ୍ଦର ବାସଯୁକ୍ତ ଫୁଲ ଫୁଟିଛି। ସେ ନିଜ ସୈନିକ ମାନଙ୍କୁ ସେ ଫୁଲ ତୋଳିବାକୁ ନିର୍ଦେଶ ଦେଲେ। ସୈନିକମାନେ ରାଜଆଜ୍ଞାରେ ଦଉଡିଗଲେ ଫୁଲ ଆଣିବାକୁ।ଯେତେବେଳେ ଫୁଲ ତୋଳିବାକୁ ହାତ ବଢାଇଲେ ଏକ କଣ୍ଠସ୍ବର ଶୁଣାଗଲା

କେହି ଜଣେ କହିଲା ,ଆମେ ସାତଭାଇ ସାତ ଅରଜୁନ ଭଉଣୀ ପାଟଳି ଫୁଲ।ଆମ ରାଜ୍ୟର ସୈନିକ ଆସିଛନ୍ତି ଦେବାକି ନ ଦେବା ଫୁଲ। ସେତେବେଳେ ଆଉ ଜଣେ କେହି ନାରୀକଣ୍ଠରେ କହିଲା ।ନଦେଉଁ ନଦେଉଁ ଫୁଲରେ ଭାଇ ନଦେଉଁ ନଦେଉଁ ଫୁଲ,ଆମେ ସାତଭାଇ ଭଉଣୀ ଥାଉ ଥାଉ ମାଆ ପୋଛେ ଘୋଡା ଶାଳ।

ପାତାଳେ ଲାଗୁ ଚେର,ଆଉ ସ୍ବର୍ଗରେ ଲାଗୁ ଡାଳ।ଏହା କହୁ କହୁ ଗଛ ଗୁଡାକ ସ୍ବର୍ଗ ଛୁଇଁବାକୁ ଲାଗିଲା।ଆଉ କେହି ଡାଳଟେ ଛୁଇଁ ପାରିଲେନି। ଫୁଲ ତୋଳିବା ତ ଦୂରର କଥା।

ତାପରେ ବଡରାଣୀ ନିଜେଗଲେ ସେ ଫୁଲ ତୋଳିବାକୁ।

ସେ ଡାଳକୁ ଛୁଇଁବାକୁ ଗଲାବେଳେ ପୁଣି ଗଛମାନେ କଥାହେଲେ।

ଆମେ ସାତଭାଇ ସାତ ଅର୍ଜୁନ ଭଉଣୀ ପାଟଳି ଫୁଲ।ଆମ ଦେଶର ବଡ ରାଣୀ ଆସିଛନ୍ତି ଦେବାକି ନ ଦେବା ଫୁଲ।

ପୁଣି ଜଣେ କହିଲା ନଦେଉଁ ନଦେଉଁ ଫୁଲରେ ଭାଇ ନଦେଉଁ ନଦେଉଁ ଫୁଲ।ଆମେ ସାତ ଭାଇ ଭଉଣୀ ଥାଉ ଥାଉ ମାଆ ପୋଛେ ଘୋଡାଶାଳ।

ପାତାଳେ ଲାଗୁ ଚେର ଆଉ ସ୍ବର୍ଗରେ ଲାଗୁ ଡାଳ।ଏହା କହୁ କହୁ ଗଛମାନେ ଉପରକୁ ବଢିଗଲେ।

ରାଣୀ ନିରାଶ ହୋଇ ଫେରି ଆସିଲେ ।

ତାପରେ ଏବେ ନିଜେ ରାଜା ଗଲେ ଫୁଲ ତୋଳିବାକୁ।ପୁଣି ଗଛମାନେ କୁହାକୁହି ହେଲେ ସେମିତି।ଏଥର କିନ୍ତୁ କହିଲେ ଏବେ ଆମ ର ବାପା ଆସିଛନ୍ତି ଦେବାକି ନଦେବା ଫୁଲ।ପୁଣି ଫୁଲ ମନା କଲା ଫୁଲ ଦେବାକୁ ।

ଏଥର ରାଜାଙ୍କ ମସ୍ତିଷ୍କରେେ ଗଛମାନଙ୍କ କଥା ବାଡେଇହେଲା।ଗଛମାନେ ତାଙ୍କୁ ବାପା ସମ୍ବୋଧନ କଲେ କାହିଁକି? କିଏ ତାଙ୍କ ମାଆ?ଯିଏ ଘୋଡାଶାଳ ସଫାକରୁଛି?।ସେ ତାଙ୍କ ଛୋଟରାଣୀ କୁ ଫୁଲ ତୋଳିବାକୁ ପଠେଇଲେ ଓ ନିଜେ ବି ତାଙ୍କ ସହ କଣ ହେବ ଦେଖିବାକୁ ଗଲେ।

ଛୋଟ ରାଣୀ ଆସି ଫୁଲ ତୋଳିବାକୁ ହାତ ବଢେଇଲେ।

ଗଛମାନେ କଥା ହେଲେ,ଆମେ ସାତଭାଇ ସାତ ଅରଜୁନ ଭଉଣୀ ପାଟଳି ଫୁଲ,ଆଜି ଆମର ମାଆ ଆସିଛନ୍ତି ଦେବାକି ନ ଦେବା ଫୁଲ।

ଏବେ ଫୁଲ କହିଲା,ଦେବାରେ ଦେବା ଫୁଲ ଭାଇ ଦେବାରେ ଦେବା ଫୁଲ।ଆମେ ସାତ ଭାଇ ଭଉଣୀ ଥାଉ ପୋଛୁଛି ସେ ଘୋଡାଶାଳ।

ତାପରେ ଡାଳମାନେ ତଳକୁ ଲହଁସି ଆସିଲେ।ଛୋଟ ରାଣୀ ପ୍ରତ୍ୟେକ ଗଛରୁ ଫୁଲଟେ ତୋଳୁ ତୋଳୁ ଜଣେ ସୁନ୍ଦର ଯୁବକ ପାଲଟି ଯାଉଥିଲା ଗଛଟା।ସାତଟିଗଛ ସାତଟା ଯୁବକ ପାଲଟି ଗଲେ।ଆଉ ଏକ ଫୁଲ ତୋଳିବାରୁ ଝିଅଟିଏ ଠିଆ ହେଲା।

ଛୋଟ ରାଣୀ ପଚାରିଲେ ତୁମେ ମାନେ ସବୁ କିଏ?

ମତେ କାହିଁକି ମାଆ ସମ୍ବୋଧନ କରିଲ?

ସେମାନେ ଏକା ସାଙ୍ଗରେ ଉତ୍ତର ଦେଲେ ଆମେ ତୁମର ଜନ୍ମିତ ସନ୍ତାନ ମାଆ।ଆପଣଙ୍କ ସହ ଷଡଯନ୍ତ୍ର ହୋଇଛି।ଆପଣ ଜନ୍ମ କରୁଥିବା ଜୀବନ୍ତ ଶିଶୁଙ୍କୁ ଆଣି ଏହି ପୋଖରୀ ହୁଡାରେ ପୋତି ଦିଆ ଯାଉଥିଲା।ଏସବୁ ଧାଇଁ କରୁଥିଲା।ଆଉ ତୁମକୁ କାଠ କଣ୍ଢେଇ ଦେଖାଉଥିଲେ।

ରାଜା ଏକଥା ଶୁଣି ରାଗରେ ଧାଇଁକୁ ଧରି ଆଣିବାକୁ ଆଦେଶ ଦେଲେ ସୈନ୍ୟମାନଙ୍କୁ।ତାକୁ ଧରାଆଣି ମାରିବାର ଧମକ ଦେବାରୁ ସେ ବଡରାଣୀଙ୍କ କଥାରେ ଏସବୁ କରିଥିଲା ବୋଲି କହିଲା।ଏବେ ରାଜା ଅସଲ ରହସ୍ୟ ଜାଣିଲେ ଓ ବଡରାଣୀକୁ ଜେଲରେ ଭର୍ତ୍ତି କରିଦେଲେ।

ନିଜ ପିଲା ମାନଙ୍କୁ ଏତେ ବର୍ଷପରେ ଜୀବନ୍ତ ପାଇ ଏକ ବଡ ଭୋଜିର ଆୟୋଜନ କଲେ।ତାପରେ ସଭିଏଁ ଏକତ୍ରମିଶି ଖୁସି ରେ ରହିଲେ ।ଛୋଟରାଣୀଙ୍କ ଦୁଃଖ ସରିଥିଲା।ନିଜ ସନ୍ତାନକୁ ପାଖରେ ପାଇ ସେ ପଛକଥା

ଭୁଲିବାକୁ ଲାଗିଲେ।


Rate this content
Log in

Similar oriya story from Children