Satyabati Swain

Abstract

2  

Satyabati Swain

Abstract

ପାପୀଟା

ପାପୀଟା

6 mins
511


ବିରାଟ ବିରାଟ ଅଟ୍ଟାଳିକା ରୂପୀ ରମ୍ଭା,ମେନକା,ଉର୍ବଶୀ ମେଳରେ ଗାଁ କନିଆଁ କାଳି କୋତରି,ଧେଡି ନଵ ଯୌବ ନା ନାରୀ ପରି କିଛି ଝୁମ୍ପୁରି,ଆଜବେଷ୍ଟ୍ସ୍ ଘର ନିଜର ଔକାତ ଦେଖାନ୍ତି ମୋ ସହର ରାଜଧାନୀରେ।

     ଏଇ ଏଇ ଘର ବଦଳେଇଛି ମୁଁ। ଅଫିସ ପାଖ। ଏଇଟି ଗୋଟିଏ ପାଞ୍ଚ ମହଲା ବିଶିଷ୍ଟ ଫ୍ଲାଟ। ମୋର ରହଣି ତିନି ମହାଲାର ବାମ କଡଟି। ଏଇ ତିନି ମହଲା ଫ୍ଲାଟ ଭିତରଟି ମୋତେ ଆଦୌ ଭଲ ଲାଗେନି। ଛୋଟିଆ ଛୋଟିଆ ରୁମ୍। ବେଡ୍ ରୁମ ସାମନା ୱାସ୍ ରୁମ। ବେଡ୍ ରୁମ ଡାହାଣ ପଟେ ରୋଷେଇ ଘର। ଗ୍ୟାସ ଥୋଇଦେଲେ ଆଉ ଚାଖଣ୍ଡେ ମାତ୍ର ଜାଗା। ତା ଭିତରରେ ଧୁଆ ଧୋଇ ପାଇଁ ବେସିନ ଓ ପାଣି ଟ୍ୟାପ୍। ମୋଟା ଲୋକଟିଏ ସେ ରୋଷେଇ ଘରେ ସ୍ଵଛନ୍ଦ ରେ ବୁଲି ପାରିବ ନାଇଁ। ବେଡ୍ ରୁମ ବାମକୁ ଲାଗି ଏଣ୍ଟ୍ରାନ୍ସ ଜଣିକିଆ ବେଡ୍ ଟିଏ ପଡିଲେ ଆଉ ସେବାଟେ ଯିବା କଷ୍ଟ। ଭାରି ଅଣ ନିଃଶ୍ଵାସୀ ଲାଗେ।

     ଏଣୁ ଅଫିସରୁ ଆସିବା ମାତ୍ରେ ମୁଁ ଚାଲିଯାଏ ବାଲ୍କୋନିକୁ। ଶୀତ ଦିନେ ଖରା ଟିକେ ପଢେ ଏଠି। ଫୁଲ କୁଣ୍ଡ ପାଞ୍ଚଟି ଥୋଇଛି ଏଇ ବାଲ୍କୋନିରେ। ଚେୟାର ଦୁଇଟି ଓ ଟି ପୟଟିଏ ପକାଇଛି। ପ୍ରାୟତଃ ଏଇ ବାଲ୍ କୋନିରେ ବସି ଚା ପିଆ,ମେଗାଜିନ ପଢା,ବନ୍ଧୁ ଆସିଲେ କଥା ହେବା ହେଉ। କହିବାକୁ ଗଲେ ଘର ଅପେକ୍ଷା ବାଲକୋନିଟି ମୋର ଅଧିକ ପ୍ରିୟ। ଏଇଠି ବସି ମୁଁ ଉପଭୋଗ କରେ ରାଜଧାନୀର ବ୍ୟସ୍ତ ସକାଳ,ବିବ୍ରତ ମଧ୍ୟାହ୍ନ,ଘୋ ଘା ସନ୍ଧ୍ୟା ଏବଂ ଆଲୋକ ଭର୍ତ୍ତୀ ଫୁଲେଇ ରାତିକୁ। ସହର ରାତି ଆଦୌ ଶୁଏନି। ଦିନ ରାତି ଏଠି ସମାନ। ଆଲୁଅ କାମ ଭିତରେ ଅନ୍ଧାର କାମ ବି ଖୁବ୍ ସନ୍ତର୍ପଣେ ଚାଲେ ଏଠି। ମାଳ ମାଳ ମଦ ଓ ମଦୁଆ ଙ୍କ ରାଜୁତି ଟିକେ ରାତି ଭୁଆଷୁଣୀ ବୟସ ପ୍ରାପ୍ତ ହେଲେ।

     ନାକ ସିଧା ଅନାଇଁଲେ ବଡ଼ ବଡ଼ କୋଠା ଗୁଡା ମୋ ନାକରେ ବାଡେଇ ହୋଇ ଯାଆନ୍ତି। ବାମ ଡାହାଣ ପଟକୁ ଅନାଇଁଲେ ଅଣନିଃଶ୍ଵାସୀ ଲାଗେ ସତେକି ମୋ ଦୁଇ ପଟ ଚାପି ହୋଇଯାଏ କୋଠାଙ୍କ ସନ୍ଧିରେ। ଅଗତ୍ୟା ବେଶୀ ସମୟ ଅନାଏଁ ତଳକୁ।

     ଆଖିରେ ପଡେ ପ୍ରତ୍ୟେହ ଗୋଟେ ଦୃଶ୍ୟ। ମୋ ଆଖି ତଳକୁ ଥାଏ ଗୋଟେ ଆଜବେଷ୍ଟ୍ସ ଘର। ଘର ଭିତର ମୋତେ ଦିଶେନି। ସକାଳ ହେଲେ ତିନୋଟି ପୁରୁଷ ଓ ଗୋଟେ ଝିଅ ମୁହଁ ବାହାରେ ଦିଶେ। ଘର ଭିତରେ ଜାଗା ଥାଏ କି ନଥାଏ ବାହାରକୁ ଆସି ପୁରୁଷ ତିନୋଟି ହାତ ଉପରକୁ ଟେକି ଅଳସ ଭାଙ୍ଗନ୍ତି। ନଇଁ ଆସିଥିବା ଆଜବେଷ୍ଟସ ତଳେ ଭଙ୍ଗା ବେଞ୍ଚ ଉପରେ ବସନ୍ତି। ଝିଅଟି ଚା ମୁଢି ଆଣି ଦିଏ। ସମସ୍ତେ ଖାଇ ଝିଅ ସମେତ ବାହାରି ଯାଆନ୍ତି। ଛୁଟି ଦିନ ମାନଙ୍କରେ ଦେଖେ କେହି ନଥାନ୍ତି ସେ ଘରେ। ପ୍ରତି ରାତି ନଅଟା ପରେ ପୁଣି ସମସ୍ତେ ଆସନ୍ତି। ଗୋଟେ ଲୋନା ଅଛି ତାଙ୍କର। ପ୍ରତିଦିନ ଲୋନାରେ ଝିଅଟିକୁ ବସାଇ ଆଣନ୍ତି ତିନି ପୁରୁଷଙ୍କ ମଧ୍ୟରୁ ପଚିଶି ଛବିଶି ବର୍ଷର ପୁରୁଷଟି। ଟୁଣ ଟାଣ ଶବ୍ଦ ହୁଏ କିଛି ସମୟ। ବୋଧେ ରୋଷେଇ କରନ୍ତି। ବାର୍ ଫାର କିଛି ନାହିଁ ଆଇଁଷ ଗନ୍ଧ ଆସେ କିନ୍ତୁ ପ୍ରତ୍ୟେହ। ଦିନେ ଦିନେ ମାରାତ୍ମକ ଉତ୍କଟ ଫୁରୁକୁଟିଆ ଗନ୍ଧ ଆସେ। ବେଶୀ କଥା ବାର୍ତ୍ତା ହୁଅନ୍ତି ନାହିଁ। ଖାଇ ପିଇ ଶୋଇ ଯାଆନ୍ତି।

     ମୋ ମନରେ କୌତୁହଳ ଏମାନେ କିଏ? କଣ ୟାଙ୍କ ସମ୍ପର୍କ ଝିଅଟିକୁ ସଜେଇ ଦେଲେ ସୁନ୍ଦର ପରି ଲାଗିବ। ବୟସ୍କ ଲୋକଟିର ଝିଅ ହେବ କି ଅନ୍ୟ ପୁରୁଷ ଦୁଇଜଣ ବୋଧେ ତାର ପୁଅ ହେବେ। ନତୁବା ତିନି ଭାଇ ଓ ଝିଅଟି ଗୋଟେ ଭଉଣୀ। ଯାହା ପଛରେ ବସି ଆସେ ତାର ସ୍ତ୍ରୀ ଆଉ ସେ ଦୁଇ ଜଣ ମଧ୍ଯରୁ ଜଣେ ବାପା ଆଉ ଜଣେ ସାନ ପୁଅ। ହୋଇଥିବେ ଗୋଟେ ହସିଲା ପରିବାର ଲୋକେ। ହୁଏତ ମରି ଯାଇଥିବ ସେମାନଙ୍କ ମା,ଯେକି ବୟସ୍କ ଲୋକର ସ୍ତ୍ରୀ। ହଁ କିଛି ବି ହୋଇଥାଇ ପାରେ...

     ଏ କିଛି ବି ର ଉତ୍ତର ଦିନେ ବନ୍ଧୁ ପ୍ରିତେଶ ଆସିଥିଲା ମୁଁ କେଉଁ ନୂଆ ଘରେ ରହୁଛି ଦେଖିବାକୁ। ରବିବାରିଆ ସକାଳ। ଦୁଇ ବନ୍ଧୁ ସେଇ ବାଲ୍କୋନିରେ ବସି ଖରା ଖାଇଲୁ। ବ୍ୟାଚେଲର୍ ଲାଇଫ୍। ଚା କରିବା ଝିନ୍ ଝଟ୍। କଫିରେ ଟିକେ କମ୍। କଫି ଓ ମକା ଖଇ ଦିଟା ପାଟିରେ ପକାଉ ପକାଉ ମୁଁ ପଚାରିଲି ପ୍ରିତେଶ ଏ ତଳ ଘରକୁ ଦେଖିଲୁ। ଖୁବ୍ ଖୁସି ବାସିଆ ଜୀବନ। କିଛି ଚିନ୍ତା ନାହିଁ। ସକାଳେ କାମକୁ ଯାଅ। ରାତିରେ ଏଇ ବିଶ୍ରାମ ଗାରରେ ବିଶ୍ରାମ ନିଅ। ଖାଅ,ପିଅ,ବାସ୍। ଆମ ପରି ଏତେ ଧାଁ ଦୌଡ଼ ନାହିଁ। ମୋତେ ଦେଖୁନୁ ଏ ଏସ ଓ ଜବ୍ ପାଇଲେ ବି ପୁଣି ଲୋଭ,ପୁଣି ପଢା। ଆଉ ଟିକେ ଉପର ପାହାଚକୁ ଯିବାର ଲାଳସା।

     ହଁ ସତ କହିଲୁରେ ଅସ୍ମୟ। ଏ ତଳ ଘର କାହାଣୀ ଖୁବ୍ ନିଆରା। ରୋଚକ ବି।

     ମାନେ ମୁଁ ଚକିତ ହୋଇ ପଚାରିଲି।

ଏମାନେ କେଉଁଠୁ କେଉଁ କାଳୁ ଆସି ରହିଛନ୍ତି। ବାପା ଅଜା କେଉଁ କାଳୁ। ଏ ଚେନାକ ଜାଗା ବି ତାଙ୍କ ପିତୃ ପୁରୁଷ ଅର୍ଜିତ। ସେଇ ଆଜବେଷ୍ଟସ୍ ତଳେ ତିନୋଟି ରୁମ୍ ଅଛି। ରୋଷେଇ ଘର ତଥା ଗାଧୁଆ ଘର ଓ ପାଇଖାନା। ସେଠି ଯେଉଁ ପୁରୁଷ ତିନି ଜଣ ରୁହନ୍ତି ରକ୍ତ ସମ୍ପର୍କରେ ସେମାନେ ବାପା ପୁଅ।

     କିନ୍ତୁ ସେ ଝିଅଟି ମୁଁ ପଚାରିଲି।

 ସେଇ ତ ମଞ୍ଜିରେ ପୁଅ। ବଳତ୍କାରୀ ମୁହଁରୁ ଖସି ଆସିଲା ଝିଅଟି। ସେଇ ଯେଉଁ ବାପା ନାମକ ବୟସ୍କ ଲୋକ ଜଣଙ୍କ ଉଦ୍ଧାର କରି ଆଣିଲା ଝିଅଟିକୁ ଅଟୋ ଆଣି ବଢନ୍ତା ରାତିରେ ଘରକୁ ଫେରିଲା ରାସ୍ତାରେ। ଅଟୋ ଚଳାଏ ସେ। ଘରେ ଛାଡି ଦେବାକୁ ଗଲା ଯେ ନିଜ ଘର ଲୋକେ ଝିଅଟିକୁ ଘରେ ପୁରେଇଲେ ନାହିଁ। ଅଗତ୍ୟା ଝିଅଟିକୁ ସାଙ୍ଗରେ ଧରି ନିଜ ଘରକୁ ଫେରିଲା। ବିରୁ ଅଟୋ ଚାଳକ ତାର ନାମ। ଦୁଇଟି ମୃତ ସ୍ତ୍ରୀର ସ୍ୱାମୀ ସେ। ପ୍ରଥମ ସ୍ତ୍ରୀର ଦୁଇ ପୁଅ। ଦ୍ଵିତୀୟ ସ୍ତ୍ରୀର ଝିଅଟିଏ ପୁଅଟିଏ। ସେମାନେ ବାପାଙ୍କ ବେହିୟାମି ଦେଖି ମାମୁଁ ଘରେ ରୁହନ୍ତି। ବିରୁ ଭଲ ଲୋକ;ରୋଗ ବୈରାଗରେ ଦି ଦି ଟା ସ୍ତ୍ରୀ ମରିଛନ୍ତି।

   ପରିସ୍ଥିତି ମଣିଷକୁ କିଛି କରିବାକୁ ବାଧ୍ୟ କରେ। ଝିଅଟିକୁ ଉଦ୍ଧାର କରିଥିବା ନ୍ୟାୟରେ ତୃତୀୟ ବିବାହ କଲା। ଏଥିରେ ଝିଅଟିର ସହ ମତି ଥିଲା। କେହି ତ ଆଉ ତାକୁ ସ୍ତ୍ରୀ ହିସାବରେ ଗ୍ରହଣ କରିବେ ନାହିଁ। ବରଂ ଭଲ ପଚାଶ ବର୍ଷ ଲୋକକୁ ବାହା ହୋଇ ବଞ୍ଚିଯାଉ। ସବୁ ଠିକ୍ ଠାକ୍ ଥିଲା। କିନ୍ତୁ ବିରୁ ବଡ଼ ପୁଅ ରୋହନ୍ ଓ ସାନ ପୁଅ କିଷାନ୍ ବାଙ୍ଗାଲୋରରେ ଗୋଟିଏ କମ୍ପାନୀରେ ଚାକିରୀ କରୁଥିଲେ। ଛୁଟିରେ ଆସି ଏ ଝିଅଟିକୁ ଦେଖି ପାଗଳ ହୋଇଗଲେ,ବାପାର ସ୍ତ୍ରୀକୁ ପ୍ରେମ ବି କରି ବସିଲେ। ଆଉ ଗଲେନି ବାଙ୍ଗାଲୋର। ଏଇଠି ମଜୁରୀ ଲାଗିଲେ।

   ବିରୁ ଏ କଥା ଜାଣେନି। ଦିନେ ବଡ଼ ପୁଅ ସହ ନିଜ ସ୍ତ୍ରୀର୍ କଥା ଶୁଣି କାବା ହୋଇଗଲା। ରୋହନ ଟଣା ଓଟରା କରୁଥିଲା ଦୀପା ତା ସ୍ତ୍ରୀ କୁ। ମାତ୍ର ଏତେ ଛୋଟ ଝିଅଟି ଅବସ୍ଥା ଚକ୍ରରେ ପଡି ବିରୁ ପାଖେ ପଡିଥିଲା ଯାହା। ଏଇ ଝିଅ ଗୁଡାକ ବିସ୍ମୟ। ପରିସ୍ଥିତି ସହ ଖୁବ୍ ଶୀଘ୍ର ବୁଝା ମଣା କରି ନିଅନ୍ତି। ସବୁ ବୁଝି ଯାଆନ୍ତି ଜଲଦି। ଦୀପା କହୁଥାଏ "ରୋହନ୍! ହିସାବରେ ମୁଁ ତୁମ ମା। ମାର ଦେହକୁ ପ୍ରେମ କରା ଯାଏନି। ତା କୋଳକୁ ପ୍ରେମ କରାଯାଏ। ଯେତେ କମ୍ ବୟସ ହେଉନା କାହିଁକି 'ମୁଁ ତୁମ ମା'। ତୁମ ବାପା ତ ପ୍ରଥମେ ତୁମକୁ ପଚାରିଥିଲେ ମୋ ଘର ଲୋକ ଯେତେବେଳେ ମୋତେ ଘରେ ପୁରେଇଲେ ନାହିଁ। ବିବାହ କର୍ ବୋଲି କେତେ ବୁଝେଇ ଥିଲେ। ତୁମେ ରୋକ ଠୋକ ମନା କରିଦେଲ ଗୋଟେ ଧର୍ଷିତା ଝିଅକୁ ବାହା ହୋଇ ପାରିବେ ନାହିଁ। ଏବେ ସେଇ ଧର୍ଷିତା ପୁଣି ତୁମ ମା କୁ ପ୍ରେମ କରୁଛ। ଚାଲେ ପଳେଇ ଯିବା କହୁଛ ମୁଁ ବିଶ୍ୱାସ ଘାତକତା କରି ପାରିବି ନାହିଁ। ବାପା ବୟସ ହେଲେବି ବିରୁ ତୁମ ବାପା ମୋ ମଥାରେ ସିନ୍ଦୁର ଦେଇ ବଞ୍ଚେଇଛନ୍ତି ,ନାଁ ଟିଏ ଦେଇଛନ୍ତି । ସମସ୍ତେ ଘୃଣା କଲା ବେଳେ ସେ ମୋତେ ବୁଝେଇ ଛନ୍ତି। ମୁଁ ତାଙ୍କ ସହ କେମିତି ପ୍ରତାରଣା କରିବି??"

    ହଁ ଏଇଟା ସତ ତୁମ ବାପା ମୋ ପରି ଝିଅର ଦେହ ଭୋକ ମେଣ୍ଟାଇ ପାରିବାକୁ ସମ୍ପୂର୍ଣ୍ଣ ଅକ୍ଷମ। ଡାକ୍ତର ମନା ବି କରିଛନ୍ତି। ଦୁଇ କିଡିନ୍ ନଷ୍ଟ ଯୋଗୁଁ। ମୋତେ ବି ବହୁ କଷ୍ଟ ହୁଏ। ତଥାପି ସେ ମୋର ସ୍ୱାମୀ। ତେଣୁ ଆଉ କୌଣସି ଦିନ ପାପ ଆଖିରେ ମୋତେ ଦେଖିବନି"।

    ପୁଅ କହୁଥାଏ,ମୋ ମନ କି ହୃଦୟ ମୋ ଆୟତ୍ତରେ ନାହିଁ। ସେ ତୁମକୁ ଭଲ ପାଇଁ ଯାଇଛି ଦୀପା। ଭଲ ପାଇବା ଜାଣି ଜାଣି କଣ ହୁଏ?ସେ ହୋଇଯାଏ। ତୁମେ ଆପେ ଆପେ ରାଜି ନ ହେଲେ ପୁଣି ଥରେ ଏ ଘରେ ରେଫ ହେବ। କେଉଁଟା ଭଲ ଚିନ୍ତା କର"।

    ଏ କଥା ଶୁଣି ବିରୁ କାଠ। କଣ କରିବ ସେ ପଚାରିବ ପୁଅକୁ ନାଁ କୁ ମାତ୍ର ବିବାହ କରିଛି ସେ ଦୀପାକୁ। ଦୀପାଟି ଏବେ ନ ଯୁବା,ଉଣେଇଶ ବର୍ଷର ତରୁଣୀ। କିଡିନ୍ ଖରାପ ଯୋଗୁଁ କୌଣସି ଶାରୀରିକ ସମ୍ପର୍କ ରଖିବାରେ ସମର୍ଥ ନୁହେଁ ସେ। ଦୀପା ଦେହର ଭୋକ ତ ନିଶ୍ଚୟ ଥିବ। ଉଦ୍ଧାର କଲା ସମୟରେ ଦୁଇ ପୁଅଙ୍କୁ ପଚାରିଥିଲା । କେହି ଜଣେ ଗ୍ରହଣ କର୍ ବିଚାରୀ ଝିଅଟିକୁ। ଧର୍ଷିତା କହି ତାଛଲ୍ୟ କଲେ। ବିରୁ ମୁହଁ ଚାହିଁବେ ନାହିଁ ବୋଲି କହିଲେ। ଅଥଚ......ଏବେ ଝିଅଟି ଏତେ ବାସୁଛି। ବଡ଼ ଦେଖା ଦେଖି ସାନ ବି ଟଣା ଓଟରା କଲାଣି।

   ଶେଷରେ ବିରୁ ଗୋଟେ ଅଦ୍ଭୂତ ନିଷ୍ପତ୍ତି ନେଲା। ରୋହନ କୁ ଓ ଦୀପାକୁ ଯେ ତାର ନାମକୁ ମାତ୍ର ସ୍ତ୍ରୀ ହୋଇ ରହିଛି ପଚାରିଲା "ତୁମେ ଦୁହେଁ ଦୁହିଁଙ୍କୁ ପସନ୍ଦ କର କି? ଆଜୀବନ ସ୍ୱାମୀ ସ୍ତ୍ରୀ ହୋଇ ରହି ପାରିବକି? ଯଦି ତୁମେ ପରସ୍ପରକୁ ଭଲ ପାଅ ମୁଁ ତୁମ ଦୁହିଁଙ୍କୁ ସ୍ୱାମୀରୁ ବାପା ହୋଇ ବେଦିରେ ବସି ବାହା କରାଇବି। କୁହ କୌଣସି ଦ୍ଵିଧା ନ ରଖି।

   ଜାଣିଲୁ ବିରୁ ପରି ହୃଦୟ ଓ ମଣିଷ କୋଟିକରେ ଗୋଟିଏ ଥାନ୍ତିରେ ଅସ୍ମୟ। ପିଲା ଦୁହିଁଙ୍କ ମତ ନେଇ ସେ ଦୀପାକୁ ଡିଭୋର୍ସ ଦେଲା। ରୋହନ ଓ ଦୀପାକୁ ଆଗ କୋର୍ଟ ମ୍ୟାରେଜ କରାଇଲା। କାହିଁକି ନା ପୁଅ ଉପରେ ତାର ବିଶ୍ୱାସ ନଥିଲା। ହୁଏତ ଦୀପା ଭବିଷ୍ୟତରେ ଆଉ କିଛି ବିପଦର ସମ୍ମୁଖୀନ ନ ହେଉ ଏଇଟା ବିରୁ ଚାହୁଁଥିଲା। ତାପରେ ବେଦୀରେ ବସି ନିଜ ପୁଅ ସହ ତା ସ୍ତ୍ରୀ ଦୀପାକୁ ବାହା କରାଇ ଦେଲା।

   ଜାଣିଛୁ ଏମିତି କଲିଜା କେଉଁ ପୁରୁଷର ହୋଇ ପାରିବ ଯେତେ ବୟସ୍କ ହେଉ ନା କାହିଁକି ଗୋଟେ ପୁରୁଷ ତା ସ୍ତ୍ରୀ କୁ ଆଉ କାହା ହାତରେ ଟେକି ଦେବା ନିହାତି ଅସମ୍ଭବ। ବିରୁ କିନ୍ତୁ ନିଆରା ମଣିଷ ଟିଏ। ଦୀପା ସୁଖ ସେ ଚାହୁଁଥିଲା ନିଜ ପୁରୁଷତ୍ତ୍ୱ ଉପରେ କୁଠାର ଘାତ କରି। ପଚାରିଲେ କୁହେ "ଧର୍ଷିତା ଝିଅ ସମାଜ ପାଇଁ କଳଙ୍କ। ମୁଁ ଆଉ କଣ କରିଥାନ୍ତି ତାକୁ ବଞ୍ଚେଇ

 ବାକୁ ଯାଇ, ସୁରକ୍ଷିତ ରଖିବା ପାଇଁ ତା ମଥାରେ ସିନ୍ଦୁର ଦେଲି ସିନା ସ୍ୱାମୀ କଣ ହୋଇ ପାରିଲି କଅଁଳ ବୟସ ଛୁଆ ଟା ମୋ ସହ ସାଲିସ କରି ବଞ୍ଚୁଥିଲା ଯାହା। ଯେତେବେଳେ ମୋ ନିଜ ପୁଅ ତାକୁ ଭଲ ପାଇଲା,ସେ ବି ମୋ ପୁଅକୁ;କିନ୍ତୁ ସମାଜ ଡରରେ,ମୋ ଡରରେ ମୁହଁ ଖୋଲି କହି ପାରିଲେ ନାହିଁ;ସେତେବେଳେ ମୁଁ ମୋ କର୍ତ୍ତବ୍ୟ କଲି। ମୋ ଜାଣିବାରେ ମୁଁ ଖୁବ୍ ପୁଣ୍ୟ କରିଛି। ଗୋଟେ ଧର୍ଷିତା ଝିଅକୁ ଖାଲି ବଞ୍ଚିବାର ଅଧିକାର ନୁହେଁ ପ୍ରେମ ସହ ବଞ୍ଚାଇ ଦେଇଛି।

   ଏଥିପାଇଁ ଏ ସମାଜ କହୁ ପଛେ ମୋତେ ଚଣ୍ଡାଳ,ବିଧର୍ମୀ,ପାପୀଟା।"

   ଏ କଥା ଶୁଣି ମୁଁ କାବା ହୋଇଗଲି। ସତରେ ଇଚ୍ଛା ହେଉଥିଲା ବିରୁ କୁ ମୁଣ୍ଡିଆ ଟିଏ ମାରିବାକୁ।

    



Rate this content
Log in

Similar oriya story from Abstract