STORYMIRROR

ବିନୟ ମହାପାତ୍ର

Drama

3  

ବିନୟ ମହାପାତ୍ର

Drama

ପାପ ଉପାଖ୍ୟାନ

ପାପ ଉପାଖ୍ୟାନ

6 mins
452

ଅଫିସ୍ ସାମ୍ନା ଚା' ଦୋକାନରୁ ବାହାରିଲା ବେଳକୁ ନଜର ଆସିଲା ଘନଶ୍ୟାମ ବାବୁ ତାଙ୍କର ବାଇକ୍ ଟାକୁ ପେଲିପେଲି ନେଉଛନ୍ତି । ବଡ ବିକଳ ଲାଗିଲା ତାଙ୍କର ଏପରି ଦୟନୀୟ ଅବସ୍ଥା ଦେଖି । ଏତେ ମୋଟା ଲୋକଟା, ବିଚରା ଏତେବଡ ପେଟନେଇ କେତେ କଷ୍ଟରେ ଚାଲେ ; ତା ପରେ ବୋଝ ଉପରେ ଏଇ ଲଳିତା ବିଡା । ଏବେ ଏଇ ମୋଟର ସାଇକେଲକୁ ପୁଣି ପେଲି ପେଲି ନେବାକୁ ହେବ । ପଚାରିଲି, ସାର୍ କଣ ହେଲାକି ? ବାଇକ୍ କଣ ଷ୍ଟାଟ ହେଉନି ? ଘନଶ୍ୟାମ ମୁହଁ ଟେକି ଥରେ ଅନେଇଲେ, ଚାହାଣୀରେ ତାଙ୍କର ବଡ ବିବଷତା ନଜର ଆସୁଥିଲା ଆଉ କ୍ରୋଦ୍ଧ ବି ! କହିଲେ, "ହ୍ୟାପୋ, ମୋ ବାଇକର ହାୱା କିଏ ବାହାରକରି ଦେଇଛି । ଆଖ ପାଖରେ ପଞ୍ଚରବାଲା ବି କେହି ନାହିଁ । ଅଧମାଇଲି ରାସ୍ତା ପେଲିପେଲି ନେବାକୁ ହେବ । କହିଲି ଆଜ୍ଞା ପଞ୍ଚର ବି ହୋଇଥାଇପାରେ, ଖରାଦିନ କୋଉ ପୁରୁଣା ପ୍ୟାଚ୍ ଉଠିଯାଇଥିବ ବୋଧେ । ଘନଶ୍ୟାମ ବିରକ୍ତ ହୋଇ କହିଲେ, ନାଇଁହୋ, ନୁଆ ଟାୟାର ଟ୍ୟୁବ୍ ପକେଇଥିଲି ଏଇ ମାସେହେଲା । ପୁରୁଣା ପଞ୍ଚର ଜମାରୁ ନଥିଲା । ଏଇ ଶଳା ଆମ ଅଫିସଲୋକ କିଏ ଏଇ କାଣ୍ଡ କରିଛି । ଏମାନେ ନିଜ ଆଖିରେ କାହାର ଉନ୍ନତି ଦେଖି ସହି ପାରିବେନି । ମୁଁ କଣ ଉତ୍ତର ଦେବି ଭାବିପାରୁ ନଥିଲି ଖାଲି ଛୋଟିଆ ହଁ ଟିଏ କହି ରହିଗଲି । ପୁଣି ସମବେଦନା ଦେଖେଇ କହିଲି, " ହଁ ଆଜ୍ଞା, ଫ୍ଲାଟ ଟାୟାରରେ ବାଇକ୍ ପେଲି ନେବାରେ ଯେ କେତେ କଷ୍ଟ ମୋତେ ଜଣାଅଛି, ସେ ଅନୁଭୂତି ମୋର ଅଛି । ଥରେ ଦି'ଥର ରାସ୍ତାରେ ମୋ ବାଇକ୍ ବି ପଞ୍ଚର ହୋଇଛି । ଘନଶ୍ୟାମ ବାବୁ କୁନ୍ଥେଇ କୁନ୍ଥେଇ ବାଇକ୍ ପେଲି ପେଲି ଚାଲିଗଲେ । ସେ ରାସ୍ତାର ବୁଲାଣିରେ ଲୁଚିଗଲା ପରେ, ମୋ ପାଖରେ ଠିଆ ହୋଇଥିବା ଆର୍ତ୍ତତ୍ରାଣ ଫିକ୍ କିନା ହସିଦେଲା । ଆର୍ତ୍ତତ୍ରାଣ ଆମ ଅଫିସର ପିଅନ୍, ପଚାରିଲି- ହେଃ ହସୁଚୁ କଣ ? ତା ଅବସ୍ଥା ଦେଖି ତୋ ମନରେ ଟିକିଏ ବି ଦୟା ଆସୁନି ? ତୋ ନାଆ ଆର୍ତ୍ତତ୍ରାଣ କିଏ ରଖିଲା ବା' । ଆର୍ତ୍ତତ୍ରାଣ ହସି ହସି କହିଲା ଆଜ୍ଞା ; ମୋ ନାଆଟା ସିନା ଆର୍ତ୍ତତ୍ରାଣ, ହେଲେ ଲୋକଙ୍କ ଦୁଃଖ ଭଞ୍ଜନ କରି ପାରୁନି ! ସେଥିପାଇଁ ତ ଦୁଷ୍ଟ ଲୋକଙ୍କୁ ଦୁଃଖ ଦେଇ ଟିକିଏ ଖୁସି ହେଉଛି !


: ମାନେ?


ମାନେ, ଘନଶ୍ୟାମ ବାବୁଙ୍କୁ ଏ ଦଣ୍ଡ ମୁଁ ଦେଇଛି । ଶଳା ସକାଳୁ ସଂଞ୍ଜ ଯାଏ ବସି ଲାଞ୍ଚ ଖାଇ ଖାଇ ପେଟଟାକୁ ଓଦର ପରି ଫୁଲେଇ ସାରିଲାଣି । ଦୟା ମାୟା କହିଲେ ଲୋକଟା ପାଖରେ ଟିକିଏ ବି ନାହିଁ, ଗରୀବ ଧନୀ ବୁଢା ଟୋକା କିଛି ଫରକ୍ କରୁନି । ଫାଇଲ ଆସିଲା ମାନେ ହାତ ପତେଇ ଦେଉଛି, ଦେ କେତେ ଦେଉଚୁ ଦେ ! ଖାଇ ଖାଇ ଦେଖୁନ, କେତେ ବଡ ପେଟଟାଏ କଲାଣି ! ଦଶ ମାସର ଗର୍ଭିଣୀ ମାଇପିଙ୍କ ପରି ଦିଶୁଛି । ଆଜି ବିଚାରୀ ବଧବା ସ୍ତ୍ରୀଲୋକଟିଏ ଆସିଥିଲା ତାର ଭତ୍ତା ପାଇଁ, ଗରୀବ ସ୍ତ୍ରୀ ଲୋକଟା ବିଚାରୀ, କଙ୍କାଳ ଗଣି ହେଇଯିବ, ଭଲ ଲୁଗା ଖଣ୍ଡିଏବି ତା ପାଖରେ ନାହିଁ ପିନ୍ଧିବାକୁ । ସାଙ୍ଗରେ ଦିଟା ବିମାରିଆ ଛୁଆ । ତା ଫାଇଲକୁ ବି ଅଟକେଇ ରଖିଛି । କହିଲା ଦି'ଶହ ନଦେଲେ ଫାଇଲ ଆଗକୁ ବଢିବନି, ବିଚାରୀ ନିରାଶ ହୋଇ ଫେରିଗଲା । ନିରାଶ ହୋଇ ଫେରିବା ବେଳେ ତା ଆଖିର ସେଇ ଲୁହ, ତାରି ନିଶ୍ୱାସ, ଅଭିଶାପ ହୋଇ ପଡିଲା ୟାରି ଉପରେ । ଭଗବାନ ମୋତେ କହିଲେ ତାକୁ ଦଣ୍ଡ ଦେ, ଆଉ ମୁଁ ତା ବାଇକର ହାୱା ଖୋଲିଦେଲି ।


: ବଡ ପାପଟାଏ କରିଦେଲୁରେ ତୁ ଆର୍ତ୍ତତ୍ରାଣ !

ଆର୍ତ୍ତ ହସିଲା କହିଲା; କାଲି ସକାଳୁ ମନ୍ଦିର ଯିବି ପରା ।


: ପଚାରିଲି କାହିଁକି ?

ପାପ ଛଡେଇବାକୁ ଆଜ୍ଞା ହସି ହସି ଆର୍ତ୍ତତ୍ରାଣ ଜବାବ ଦେଇ କହିଲା, ଆଜ୍ଞା କଥାରେ କହନ୍ତି ଦିଅଁ ଦରଶନ କଲେ କୁଆଡେ ପାପ ଚାଲି ଯାଏ ; ଆଉ ତ ଆଉ ଥରେ ରାମ ନାମ ନେଲେ ଯେତେ ପୂଣ୍ୟ ଅର୍ଜନ ହୁଏ ମଣିଷ ତାର ସାରା ଜୀବନରେ ଏତେ ପାପ କରି ପାରେନା । ଏଇ ଦେଖ କହି ରାମ ରାମ ଦି ଥର କହି ପକେଇଲା ଆଉ କହିଲା ହେଇ ଦେଖ, ଗଲା ଏଇ ଜନ୍ମର ସବୁ ପାପ ନାଶ ହୋଇଗଲା ଗୋଟିଏ ଥର ରାମ ନାମରେ, ଆଉ ଥରେ ରାମନାମରେ ଆଗଲା ଜନ୍ମର ବି ଆଡଭାନ୍ସ ପ୍ରିମିୟମ ଜମା ହୋଇଗଲା ।

ଆର୍ତ୍ତତ୍ରାଣର ଏ ଯୁକ୍ତିଶୁଣି ମୋତେ ହସ ଲାଗିଲା ହସି ହସି କହିଲି, ଆରେ ସେମିତି ହେଲେ ଘନଶ୍ୟାମ ବାବୁ ରିଟାୟାର୍ଡ ହେଲାପରେ ହରିଦ୍ୱାର ଯାଇ ଗଙ୍ଗାସ୍ନାନ କରି ସବୁ ପାପ ଧୋଇ ଆସିବେନି ? ତୋତେ ଦଣ୍ଡ ଦେବା କଣ ଦରକାର ଥିଲା । ଆଉ କଣ ବାକିରହିଲା ଯେ । ସିଏ ପାପ ବି ଆଜି କଲେ, ଦଣ୍ଡ ବି ଆଜି ପାଇଲେ । ତାଙ୍କର ପ୍ରାୟଶ୍ଚିତ ହୋଇଗଲା ।

ଗଙ୍ଗାସ୍ନାନ କଥା ଶୁଣି ଆର୍ତ୍ତତ୍ରାଣ ବହେ ହସିଲା କହିଲା, ମୋର ଗୋଟେ ଗପ ମନେ ପଡୁଚି ଆଜ୍ଞା ; ଥରେ କିଏ ଜଣେ ବାବାଜୀ କହୁଥିଲେ ଶୁଣିଥିଲି । ଆପଣ ଶୁଣିବେ?

କହିଲି ରହ ! ଚାଲ ସେଇଠି ଆଉ କପେ କପେ ଚା' ହେଇ ଯାଉ ତା ପରେ ତୋ ଗପ ଶୁଣିବା ।

ସଂଜ ନଇଁ ଆସୁଥଲା ଅଫିସ୍ ଛୁଟିହେବାର ଅଧଘଣ୍ଟାରୁ ଅଧିକ ସମୟ ହେଲାଣି ସମସ୍ତେ ପ୍ରାୟ ଚାଲି ଗଲେଣି । ରଘୁଆ ଚା' ଦୋକାନ ବି ଖାଲି ,ସେ ତାର ଦୋକାନ ସଜାଡିବାରେ ଲାଗିଛି । ଛୋଟୁ ପ୍ଲେଟ ଚାହା ଗ୍ଲାସ କପ୍ ସବୁ ଧୋଇବାରେ ବ୍ୟସ୍ତ । ରଘୁଆ ଦୋକାନରେ ପହଞ୍ଚି କହିଲି ; ଆରେ ରଘୁ ଚା' ଦି'କପ୍ ତିଆରିକର, ରଘୁ ଥରେ ଆମକୁ ଚାହିଁ କହିଲା ; ଆଜ୍ଞା.. କ୍ଷୀର ସରିଗଲାଣି, ଆଉ ଚା' ବନେଇ ହବନି । ଚୁଲା ଉପରେ କେଟିଲରେ ଦୁଇ ଚାରିକପ୍ ଚାହା ବଳିଛି ଦଶ ମିନିଟ୍ ଆଗରୁ ରାଉତ୍ ବାବୁଙ୍କ ପାଇଁ କରିଥିଲି । ଏଇଟା ସବୁବେଳେ ରଘୁର ରେଡିମେଡ୍ ଉତ୍ତର ସକାଳ ତିଆରୀ ଚା'କୁ ବି ସଂଧ୍ୟାରେ ଦଶ ମିନିଟ୍ ଆଗରୁ ବନେଇଚି କହି ପିଲେଇ ଦିଏ । ଅଗତ୍ୟା କିଛି ଚାରା ନଦେଖି ହଉ ଦେ କହି ବସିଗଲୁ ସାମ୍ନାରେ ପଡିଥିବା ଖାଲି ବେଞ୍ଚଟା ଉପରେ । ରଘୁ ରଡିଟାଏ କରି କହିଲା ; ହେଇରେ ଛୋଟୁ ବାବୁଙ୍କୁ ଦିଟା ଚାହା ଦେଇଯା, ବିସ୍କୁଟ କି ନିମିକି ଦିଟା ଦେବି ଆଜ୍ଞା ଆମ ଆଡକୁ ଚାହିଁ ପଚାରିଲା । କହିଲି ; ନାହିଁ ନାହିଁ ଖାଲି ଚହା ଦୁଇଟା ଦେ ।

ଚା' ପିଉ ପିଉ ଆର୍ତ୍ତତ୍ରାଣକୁ କହିଲି ; ହଁ ଏବେ କହ ...କଣ କାହାଣୀ କହୁଥିଲୁ। ଆର୍ତ୍ତ ଚା' ଗ୍ଲାସରେ ଗୋଟାଏ ସୁଡକି ଲଗାଇ କହିଲା ; ଏଇଟା ବହୁତ ଦିନର ପୁରୁଣା କଥା ,ଥରେ ଜଣେ ଜମିଦାର ଗଙ୍ଗାସ୍ନାନ କରିବାକୁ ହରିଦ୍ୱାର ଯାଇଥିଲେ । ବଡ ଧର୍ମପରାୟଣ ବ୍ୟକ୍ତି ଥିଲେ ଜମିଦାରବାବୁ । ଜୀବନ ସାରା ଦାନ ଧର୍ମ କରିବା ଲୋକଙ୍କ ସେବା କରିବାରେ କଟେଇ ଦେଇଥିଲେ । ଏମିତି ଗଙ୍ଗାରେ ଗାଧୋଉ ଗାଧୋଉ ମନରେ କଣ ଆସିଲା କେଜାଣି ଭାବିଲେ 'ଦୁନିଆ ଯାକର ପାପି ଆସି ଗଙ୍ଗାରେ ସ୍ନାନ କରୁଛନ୍ତି, ଗଙ୍ଗା ମାଆ ସମସ୍ତଙ୍କର ସବୁ ପାପ ଧୋଇ ନେଉଛି ଏତେ ପାପ ସାଙ୍ଗରେ ନେଇ ଗଙ୍ଗା ମାତା କରୁଛି କଣ ?' ଶେଷରେ ନିଜର ଉତ୍କଣ୍ଠାକୁ ଚାପି ରଖି ପାରିଲେନି, ଗଙ୍ଗା ମାଆକୁ ପଚାରି ବସିଲେ;


: ହେ ଗଙ୍ଗା ମାଆ ସଂସାର ଯାକର ପାପି ତୋରି ଶରଣରେ ଆସୁଛନ୍ତି ତୋରି ପବିତ୍ର ଜଳରେ ସ୍ନାନ କରି ସବୁ ପାପ ଧୋଉଛନ୍ତି । ଏତେ ପାପ ଧୋଇ ତୁମେ ସେ ସବୁ ପାପକୁ ନେଇ କଣ କରୁଛ ?

ଗଙ୍ଗା ମାଆ ସଙ୍ଗେ ସଙ୍ଗେ ପ୍ରକଟ ହୋଇ ଟିକିଏ ହସି କହିଲେ; "ବତ୍ସ, ମୁଁ ପତୀତପାବିନି ଗଙ୍ଗା... ମୋ ଜଳରେ ସ୍ନାନକଲେ ପାପିର ପାପ ଧୋଇଯାଏ । ହେଲେ ପାପ ସାଙ୍ଗରେ ମୋର ବା' କଣ କାମ ? ପାପି, ତପି, ଯୋଗୀ, ଭୋଗୀ, ସାଧୁ, ସନ୍ତ ସମସ୍ତେ ଆସି ମୋ ପବିତ୍ର ଜଳରେ ସ୍ନାନ କରନ୍ତି ମୋର ଜଳର ପବିତ୍ରତା ପାପି ମଣିଷର ପାପ ଧୋଇନିଏ । ଯେମିତି ସାବୁନ ଲଗେଇଲେ ଦେହର ମଳି ସବୁ ଧୋଇ ହୋଇଯାଏ ସେମିତି । ହେଲେ ମୋର ପାଣି ତ ପୋଖରୀ ପରି ଗୋଟିଏ ଜାଗାରେ ଜମା ହୋଇ ରହେନି । ମୋର ଜଳଧାରା ନିରନ୍ତର ଏହିପରି ବୋହି ଚାଲିଛି ଏବଂ ଶେଷରେ ଗଙ୍ଗାସାଗରରେ ସମୁଦ୍ରରେ ମିଶି ଯାଉଛି । ସେଇ ପାଣିରେ ସମସ୍ତ ପ୍ରାଣୀଙ୍କର ପାପ ସବୁ ଭାସି ଭାସି ଯାଇ ସମୁଦ୍ରରେ ପହଞ୍ଚି ଯାଉଛି ।"


: ଜମିଦାରଙ୍କର ଉତ୍କଣ୍ଠା ବଢି ବଢି ଚାଲିଲା ପୁଣି ଗଙ୍ଗା ମାଆକୁ ପଚାରିଲେ ସବୁ ପାପ ସମୁଦ୍ରରେ ଜମା ହୋଇଯାଉଛି ତାହାହେଲେ । ତେବେ ଏତେ ସବୁ ପାପନେଇ ସମୁଦ୍ର ତ ସଂସାରର ସବୁଠାରୁ ବଡ ପାପି ହୋଇ ଗଲା !

ଗଙ୍ଗା ମାଆ ଟିକେ ହସି କହିଲେ; "ନାହିଁରେ ସମୁଦ୍ର ହେଲା ରତ୍ନାକର ରତ୍ନ ରଖିବା ତା କାମ... ପାପ ରଖି ସିଏବା କଣ କରିବ ? ସିଏ ବି ପାପକୁ ପାଖରେ ରଖେନା । ଯେମିତି ଖରାଦିନ ଆସିବ ତାର ପାଣି ସବୁ ବାଷ୍ପ ହୋଇଯିବ । ସେଇ ବାଷ୍ପ ସାଙ୍ଗରେ ପାପ ସବୁ ଉପରକୁ ଉଠିଯାଇ ମେଘରେ ମିଶିଯିବେ" ।


: ଆଚ୍ଛା, ତାହାହେଲେ ମେଘ ସବୁଠାରୁ ବଡ ପାପି, ଜମିଦାର ଗଙ୍ଗା ମାଆଙ୍କୁ କହିଲେ ।

ଗଙ୍ଗା ମାଆ ହସି ହସି କହିଲେ, "ନାହିଁ ମେଘ କାହିଁକି କାହା ପାପର ଭାଗିହେବ ମେଘର ବା ଆୟୁଷ କେତେ ? ଖରାଦିନ ପରେ ବର୍ଷା ଋତୁ ଆସିବ ମେଘ ଭାସିଭାସି ସାରା ଆକାଶରେ ବ୍ୟାପୀ ଯିବ, ତା ସାଙ୍ଗରେ ପାପର ରଙ୍ଗରେ କଳା ଦିଶୁଥିବା ମେଘସବୁ ମାଡି ଆସିବେ, ତା'ପରେ ମେଘ ବର୍ଷିଯିବ ବରକୋଳିଆ ପାଣି ଟୋପା ଆଉ ସେଇ ପାଣି ସାଙ୍ଗରେ ସବୁଯାକ ପାପ ବି ଢାଳିଯିବ, ଯାହାର ପାପ ତାହାରି ଉପରେ ବରଷିଦେଇ ଚାଲିଯିବ । ତୁମ ପାପ ପୁଣି ତୁମ ପାଖକୁ ୱାପସ୍" ।


ଜାଣିଲେ ଆଜ୍ଞା, ଯାହାବି କରନ୍ତୁ ପାପ, ପାପିକୁ ଛାଡି କୁଆଡେ ଯାଏନି । ସବୁବେଳେ ସାଙ୍ଗରେ ରହେ ପାପର ହିସାବ ଅଲଗା, ପୂଣ୍ୟର ଅଲଗା । ପୂଣ୍ୟ ପାଇଁ ଯେପରି ସୁଖ ମିଳିବ ପାପ ପାଇଁ ସେତେକି ଦଣ୍ଡ ମିଳିବ ।

ଆର୍ତ୍ତତ୍ରାଣ ଗୋଟାଏ କ୍ୱାଲିଫାଏଡ ଚାଟାର୍ଡ ଆକାଉଣ୍ଟାଣ୍ଟ ପରି ପୁରା ପାପ ଉପଖ୍ୟାନର ତର୍ଜମା କରିଗଲା, କହିଲା ପାପ ପୂଣ୍ୟ କିଛି ବ୍ୟାଙ୍କ ଖାତା ନୁହଁ ଯେ ଡେବିଟ୍ କ୍ରେଡିଟ୍ ହେଉଥିବ । ଶହେ ପାପ କଲି, ପଚାଶ ପୂଣ୍ୟ, ଜମାଖର୍ଚ୍ଚ ହିସାବ ପରେ ବଳକା ରହିଲା ପଚାଶ, ସେଇଟା ଗଙ୍ଗାରେ ଯାଇ ବିସର୍ଜନ କରିଦେବି, ବ୍ୟାଡଡେବ୍ଟ ରାଇଟ୍ଅପ୍ ହୋଇଯିବ ! ସେମିତି କିଛି ହୁଏନି ଆଜ୍ଞା । ସବୁ ହିସାବ ଏଇଠି ହୁଏ । ଦେବା, ନେବା, ପାଇବା, ନପାଇବା ସବୁ ଏଇଠି ହିସାବ ନିକାଶ ପଇଠ କରି ଫେରିବାକୁ ହେବ । ଆଗଲା ପିଛିଲା ଜନ୍ମର କିଛି ନେଣ ଦେଣ ବାକି ରହେନି । ଏଠି ସବୁ ନଗଦ କରବାର । ଯେମିତି କରିବ, ସେମିତି ଏଇଠି ଭୋଗିକି ଯିବ । କୋଳି ଗଛ ଲଗେଇ ତ କେହି ଆମ୍ବ ତୋଳି ପାରିବ ନାହିଁ ନା । ତାକୁ ଖଟା କୋଳି ହିଁ ଖାଇବାକୁ ମିଳିବ, କୋଳିଗଛର ମୂଳକୁ ଗଲେ ପାଦରେ କଣ୍ଟା ଫୁଟିବ । ତେଣୁ ସାଧୁ ହେ, ସାବଧାନ ରୁହ, ଅବଧାନେ ଏତିକି ପଢେଇଛନ୍ତି ଆଜ୍ଞା ।



Rate this content
Log in

Similar oriya story from Drama