ପାପ ପ୍ରେମ
ପାପ ପ୍ରେମ


ଲାଲ ଇଟାର ଧରଭଙ୍ଗା କାନ୍ଥ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥାଏ ଗୋଟିଏ ଖଟ ସେ କୋଣ ଆଡେ.ସେ ଖଟ ଉପରେ ଶୋଇଥିବା ମହିଳାଙ୍କ ଅବସ୍ଥା ବି ଜରାଜୀର୍ଣ୍ଣତର। ସେ ଶୂନ୍ୟ କୋଠରୀ ରେ ଗୁଞ୍ଜି ଉଠୁଛି ଖୁଁ ଖୁଁ ଶବ୍ଦ। ମୁଣ୍ଡ ପାଖେ ଏକ କଫସିରାପ ବୋତଲ ଓ ଷ୍ଟିଲ ଲୋଟା ଅନେଇ ରହିଥାନ୍ତି ସେ ମହିଳା ଜଣଙ୍କୁ। ମହିଳା ଜଣକ ବେଳେ ବେଳେ କଡ଼ ଲେଉଟାଇଲେ ଗୁଞ୍ଜି ଉଠେ କାଚ ଚୁଡିର ଶବ୍ଦ। ଖଟକୁ ଲାଗି ଏକ ଆଇନା ଯିଏକି ସବୁ ଘଟଣା ଓ ଦୁର୍ଘଟଣାର ମୁକ ସାକ୍ଷୀ।
ବୋଧ ହୁଏ ସେ ଆଇନା ଏବେ ଏବେ ଦେଖିଛି କିଛି। ସେ ଲାଲ ଟିକିଲି ଟି ଆଉ ତା ଜାଗାରେ ନାହିଁ । ଆଇନା ଉପରୁ ଉଠେଇ ନେଇଛନ୍ତି ସେ ମହିଳା ଜଣକ.ପାଖ ଥାକରେ ଥିବା ଚୁଡ଼ି ଗୁଡିକ ବି ଏପଟ ସେପଟ ହେଇ ପଡିଛି । ସେ କଜ୍ଜଳ ,ସେ ଫାଉଣ୍ଡେସନ ସବୁ ଇତସ୍ତତଃ ଭାବେ ପଡିଛନ୍ତି । ବହୁଦିନ ପରେ ସଜୀବ ହେଇ ଉଠିଛି ଆଜି ସେ ସଜବାକ୍ସ । ଅଳସ ଭାଙ୍ଗୁଛି ସେ ଅତର ଡ଼ବା। ଆଜି ବୋଧେ କିଛି ସ୍ୱତନ୍ତ୍ର ଘଟଣା ଘଟିବ, ସେ ଆଇନା ଅନେଇ ରହିଛି ବହୁ ଉତ୍ସୁକ ହୋଇ ।
ରାତିର ମୂଲ୍ୟବାନ ସମୟ ବିତି ଯାଉଛି। ମହିଳା ଜଣକ ତଥାପି ଅପେକ୍ଷାରତ। ନିଶ୍ୱାସ ଫୁଲା ଓ ନିର୍ଘାତ କାଶକୁ ସେ ବିଲକୁଲ ବି ଖାତିର କରୁନଥାନ୍ତି।
ଚାହିଁ ଚାହିଁ ଆଖି ଥକି ଗଲାଣି। ଗୋଲାପି ସନ୍ଧ୍ୟାଠୁ ସେ ଉତ୍ତେଜକ ରାତି ଆଜି ସାରିବାକୁ ବସିଲାଣି। ଧୀରେ ଧୀରେ ଆଖି ଦୁଇଟି ବିଶ୍ରାମ ନେବାକୁ ବାଧ୍ୟ ହେଲେ...!! ଗଲାବେଳେ ଜୋର ଜୋର ରେ କିନ୍ତୁ କାହାକୁ ଗୋଟେ ଖୋଜୁଥିଲେ। ଆଖି ଦୁଇଟିର ଏମିତି ବୁଜିବା ଦେଖି ସେ ଆଇନା ବୁଝିଗଲା ଯେ ଏ ଦୁହେଁ ସବୁଦିନ ପାଇଁ ଶୋଇଗଲେ ବୋଲି।
କିନ୍ତୁ ସେ ଏବେ ସେ ଅପେକ୍ଷା କଲା ଯାହା ପାଇଁ ସେ ଆଖି ଦୁଇଟି ବ୍ୟାକୁଳ ଥିଲେ। ଟିକେ ଦେଖେ , ସେ ନା ,ଆଉ କିଏ ନୂଆ...??
ପ୍ରତ୍ୟେକ ଦିନ ନୂଆ ନୂଆ ଚେହେରା ତା ଆଗେ ମୁଣ୍ଡ କୁଣ୍ଢାନ୍ତି। ହେଲେ ତା ମାଲିକାଣୀଙ୍କର ଯିଏ ପସନ୍ଦ ତା ର ବି ସିଏ ପସନ୍ଦ...!!
ଜମିଦାର ଘର ସାନ ବାବୁ....!!
ହେଲେ ସେ ତ ଏଯାଏ ଆସିଲେନି....?? ସକାଳୁ ତ କ୍ଷୀର ବାଲା ସହ ଖବର ଦିଆହେଇଥିଲା ତାଙ୍କୁ।
ସକାଳ ରୁ ସକାଳ ଚବିଶ ଘଣ୍ଟା। ସମୟ ବଦଳି ଥିଲା , ହେଲେ ସେ କୋଠରୀରେ ଥିବା ସବୁ ଜିନିଷ ଥିଲା ଅପରିବର୍ତ୍ତନୀୟ କେବେଳ ଗୋଟିଏ ଜିନିଷକୁ ଛାଡ଼ି।
ସେ ମହିଳା ଜଣଙ୍କ ଆଉ କଡ଼ ଲେଉଟାଉ ନଥିଲେ କି କାଶୁ ନଥିଲେ।
କଥା ନିଆଁ ପରି ଖେଳିଗଲା। ଷ୍ଟେସନ ପାଖ ଶକୁନ୍ତଳା ଆଉ ଏ ଦୁନିଆ ରେ ନାହିଁ।
ଘର ଆଗେ ନାହିଁ ନଥିବା ଭିଡ଼। ହେଲେ ସେ ଚଉବନ୍ଧର ଲକ୍ଷ୍ମଣରେଖା ଡେଇଁ ଯିବାକୁ କାହାର ସାହସ ନାହିଁ। ବଞ୍ଚି ଥାଉଥାଉ କାହାରି ସାହସ ନଥିଲା ତା ଆଗେ କଥା ହେବାକୁ , ଏବେ ତା ଝର୍କା ପାଖେ କହି ଲାଭ କଣ.?
ନାନା ପ୍ରକାର କଥାର କଥାର ଆଲୋଚନା ଚାଲିଥାଏ। ହଟାତ ସବୁ ଚୁପ ଚାପ ହେଇଗଲେ। ଗଳି ମୁଣ୍ଡରେ ଗୋଟେ ଆମ୍ବାସଡର କାର ଆସି ଛିଡ଼ାହେଲା।
ସମସ୍ତେ ଅଭିନୟ କରିବାକୁ ଆରମ୍ଭ କଲେ ସମସ୍ତେ ଯେମିତି ବହୁତ ଦୁଃଖୀ। ତା ଦୁଆର ଆଗରୁ ଭିଡ଼ ବି ହଟିଗଲା । ଦୂରରୁ ସାନ ବାବୁଙ୍କ ଜୋତାର ଶବ୍ଦ ଖେଳେଇ ଦେଲା ଭିଡ଼ ମଧ୍ୟରେ ଆଶଙ୍କା।
ଘର ଭିତରେ ସାନବାବୁ ଅନେଇ ରହିଥିଲେ ସେ ନିର୍ଜୀବ ଶୁଖିଲା ମୁହଁ କୁ। ଯୋଉ ମୁହଁ ତାଙ୍କୁ ଦୁନିଆର ସବୁଠୁ ଅଧିକ ଭଲ ଲାଗୁଥିଲା।
ସେଥିପାଇଁ ତ ଗୋଟେ ସୁନ୍ଦୁରିଆ ସ୍ତ୍ରୀକୁ ଛାଡ଼ି ଅଧିକ ସମୟ ସେ ମୁଁହକୁ ଦେଖି ବିତାଉଥିଲେ।
ଗୋଟେ ଓଦା କଣ୍ଠରେ ଆଦେଶ ଦେଲେ ,
"ଶଙ୍କର ଜଲଦି ବ୍ୟବସ୍ଥା କର , ଆମକୁ ଯିବାକୁ ହେବ"...!!
କୋକେଇ ସଜା ସାରିଥିଲା , ଶଙ୍କର ଖଇ କଉଡ଼ି ମିଶାଉଥିଲା ଗାମୁଛାରେ। ଚାରିଜଣ ଲୋକ ବି ଆଣିଆସିଥିଲା ସେ ଶବକୁ ବହିବାକୁ।
ଏବେ ଖାଲି ବାକିଥିଲା ସେଠୁ ଶବ ଉଠିବାର। ନା ଜଣେ କେହି କାନ୍ଦିବା ପାଇଁ ଥିଲେ ନା କେହି ପଦେ ହା ବୋଲି କହିବାକୁ। ଗୋଟେ ବେଶ୍ୟାର ବା କିଏ ନିଜର ..??
ଗ୍ରାହକ ..??
ନା...ସେ ବି କେବେଳ ଆଉ କେବେଳ ପଇସା ସରିଲାଯାଏ...!!
ସାନବାବୁ ତାକୁ ନିଜ ହାତରେ ଆଣି ଶୁଆଇ ଦେଲେ ସଜା ହେଇଥିବା ଶେଜ ଉପରେ । କେହି ଜଣେ କହିଲା "ସେ ତକିଆ ବି ଆଣି ମୁଣ୍ଡତେଳେ ଦେଇ ଦିଅନ୍ତୁ "
ସାନବାବୁ ତକିଆ ଟେକୁଟେକୁ ନଜର ପଡ଼ିଲା ତକିଆ ତଳେ ମୁଡ଼ାହେଇଥିବା ଏକ କାଗଜ ଉପରେ।
ଚମିକି ପଡିଲେ ସେ,
ଆରେ ଏ ତ ମୋ ହାତ ଲେଖା ଚିଠି। ପଚିଶ ବର୍ଷ ତଳର। ଏ କ'ଣ ଆଜି ଯାଏ ତାକୁ ସମ୍ବାଳି ରଖିଥିଲା..?? ଦିନେ ଛାତ ଉପରୁ ମୁଁ ତା ଆଡେ ଫିଙ୍ଗି ଥିଲି...!!
ସ୍ମୃତି ସବୁ ରାତିର ତାରା ଭଳି ଚମକି ଉଠିଲା। ସେ ଦିନ, ସେ ଯୌବନ। ସେ ଗୋଲାପି ସଞ୍ଜ ଓ ସେ ଉତ୍ତେଜକ ରାତି।
କେତେ ଯେ ରାତି ବିତିଛି ଏ ଲାଲ କାନ୍ଥର ଉପସ୍ଥିତିରେ।
ସମ୍ଭାଳି ପାରିଲେନି ସେ ନିଜକୁ ।
ବଡ଼ ପାଟିରେ ପଢିବାକୁ ଲାଗିଲେ,
ଶଙ୍କର ବି ଅନେଇ ରହିଥାଏ ସାନବାବୁଙ୍କ ଆଡେ ମୁକ ଭଳି ,
ଝରକା ଆଡ଼ୁ ସବୁ ଶୁଣୁଥାନ୍ତି ସ୍ଥାଣୁ ହେଇ।
ତମେ କିଏ ମୁଁ ତମକୁ ଜାଣିନି ,
ହେଲେ ତମ ରୂପ ଆଉ ଯୌବନରେ ମୁଁ ମୁଗ୍ଧ।
ରାତିକ ପାଇଁ ତମେ ମୋ ସ୍ତ୍ରୀ ସାଜିବ..??
ବାସ ଏତିକି ଲେଖିଥିଲି ତ ॥
ହେଲେ ସେ ତା' ଉତ୍ତର ବି ଲେଖଛି ମୋତେ କେବେ କହିନି.!!
ମୁଁ ତମ ପାଇଁ ସବୁ ରାତି ସ୍ତ୍ରୀ ସାଜିବି...!!
ତମେ କ'ଣ ମୋତେ ସ୍ତ୍ରୀର ମାନ୍ୟତା ଦେଇ ପାରିବ..??
ଯଦି ମୁଁ ବଞ୍ଚିଥିଲା ବେଳେ ନ ଦେଇ ପାର କିଛି କଥା ନାହିଁ ,
ମୁଁ ମରିଗଲା ପରେ ବି ଚଳିବ..!!
ମୁଁ ବେଶ୍ୟା ହେଇ ମାରିବାକୁ ଚାହେଁନା..!!
ସବୁ ଶୃଙ୍ଗାର ହେଇସାରିଥିଲେ ସେ , ବାକିଥିଲା ତ କେବଳ ସିନ୍ଦୁର ର..!!
ଆଇନାଟି ଦେଖୁଥିଲା ତା ପ୍ରିୟ ମଣିଷଟି ଦରଭଙ୍ଗା ସିନ୍ଦୁର ଫରୁଆରୁ ସିନ୍ଦୁର ଆଣି ତା ମାଲିକାଣୀ ମୁଣ୍ଡେ ଲଗେଇବାର..!!
ଆଉ ଶୁଣୁଥିଲା ସେ ଝରକା ପାଖେ ଲୋକେ ଚୁପଚୁପ କୁହାକୁହି ହେଉଥିଲେ " ଆଜି ପ୍ରେମ ଜିତିଛି ।
ହେଲେ ବାବୁଆଣି କ'ଣ ଏ ପାପ ପ୍ରେମକୁ ସହଜରେ ଗ୍ରହଣ କରିବେ."..??