ପାହାଡ
ପାହାଡ
ଲିନା ତା ବାପା ମାଆ ସହ ବମ୍ବେରେ ରହେ । ସେଠିକା ଭିଡ ଓ ବ୍ୟସ୍ତ ବହୁଳ ଜୀବନରେ ସେ ବିମୁଖ ହେଇ ଯାଇଥିଲା । ଏବେ କରୋନା ହେତୁ ସେମାନେ ନିଜ ଗାଆଁକୁ ଚାଲି ଆସିଛନ୍ତି । ଘରେ ରହି ଅଫିସ କାମ କରୁଛନ୍ତି । ଆଉ ଲିନା ଅନ୍ଲାଇନରେ ନିଜ ପାଠ ପଢିବା ସହ ଗାଆଁର ପ୍ରାକୃତିକ ଜିନିଷ ମାନଙ୍କୁ ପାଖରୁ ଦେଖିବାର ମଜା ଉଠାଉଛି । ତାଙ୍କ ଗାଆଁଟି ବଣ ପାହାଡ ଘେରା ଏକ ସୁନ୍ଦର ଜାଗା । ସେ ଜେଜୀଙ୍କ ଠାରୁ ଏ ସବୁ ବିଷୟରେ କିଛି କିଛି ତଥ୍ୟ ସଂଗ୍ରହ କରୁଛି ଯାହା ଆଗକୁ ତାକୁ ପାଠପଢାରେ ସାହାଯ୍ୟ କରିବ । ଗୋଟିଏ ଜିନିଷକୁ ଶୁଣି ବା ପଢି ଯେତିକି ଜାଣିହୁଏ ତା ଅପେକ୍ଷା ତାକୁ ବାସ୍ତବ ରୂପରେ ଦେଖିଲେ ଛୁଇଁଲେ ବେଶି ଜାଣିହୁଏ । ଆଉ ସେ ଅନୁଭବ ସବୁଦିନ ପାଇଁ ମଧ୍ୟ ମନେ ରହେ ।
ସେଥିପାଇଁ ସେ ଜେଜୀଠାରୁ ପ୍ରଥମ ଦିନ ଗଛ ମାନଙ୍କ ବିଷୟରେ କିଛି କଥା ଜାଣିଲା । ପୁଣି ଦିନେ ନଈ ପାଖକୁ ଯାଇ ତା ପାଣିରେ ଗଧୋଇ ତାର ମଜା ବି ଅନୁଭବ କଲା । ନଈର ଆଖ ପାଖର ଦୃଶ୍ୟ ଦେଖିଲା । ନଈ ବାବଦରେ କିଛି କଥା ଜାଣିବାକୁ ପାଇଲା ।
ସେ ଏବେ ଜିଦ୍ କରୁଛି ପାହାଡ ଦେଖିବାକୁ ଯିବ । ପାହାଡ ପାଖକୁ ଯାଇ ବାସ୍ତବ ଅନୁଭୁତି ନେବ ।
ତାର ଇଚ୍ଛା ପୂରଣ କରିବାକୁ ତା ବାପାମାଆ ଜେଜେ ଜେଜୀମାଁ ସମସ୍ତେ ମିଶି ଏକ ପିକ୍ନିକ୍ କରିବାର ପ୍ରୋଗାମ ବନାଇଲେ । ସକାଳୁ ଶୀଘ୍ର ଚା ଜଳଖିଆ ସାରି ନିଜ କାର ଧରି ବାହାରି ପଡିଲେ ନିଜ ଗାଆଁ ପାଖ ଏକ ପ୍ରପାତକୁ ଯାହାର ନାମ ଗୁଦ୍ଗୁଦା ।
ଏକ ସମତଳ ଜାଗା ଦେଖି ଗାଡି ରଖିଲେ । ଆଗକୁ ଗାଡି ଯାଇପାରିବନି । ସେମାନେ ନିଜ ରୋଷେଇ ସାମାନ ଧରି ଝରଣା କୂଳକୁ ଗଲେ । ସେଠି ସବୁ ଜିନିଷ ସଜାଡି ସାଙ୍ଗରେ ଧରି ଯାଇଥିବା ରୋଷେୟାକୁ ରୋଷେଇ ଜିମା ଦେଇ ପାହାଡ ଦେଖିବାକୁ ଉପରକୁ ଉଠିଲେ । ଢେଉ ଢେଉକା ହେଇ ପାହାଡ ସବୁ ରହିଛି । ଛୋଟ ବଡ ଅନେକ ପଥରର ସମାହାରରେ ପର୍ବତଟି ସୃଷ୍ଟି ହେଇଛି । ବଡ ବଡ କଳା କଳା ପଥର ଗୁଡାକ ଦୂରରୁ ଏକ ହାତୀର ଭ୍ରମ ସୃଷ୍ଟି କରୁଥାନ୍ତି ।
ପାହାଡର ଶୀର୍ଷ ଦେଶରୁ ପ୍ରପାତ ଟିଏ ଓହ୍ଲାଇ ଆସିଛି ତଳକୁ । ପଥର ଉପରୁ ଲମ୍ଫ ଦେଉଛି ଜଳଧାରଟିଏ ତଳକୁ ଓ ଏକ ଗଣ୍ଡ ସୃଷ୍ଟି କରିଛି । ଉପରୁ ଜଳ ପଡିଲାବେଳେ ଜଳକଣା ସବୁ ବିଚ୍ଛୁରିତ ହୋଇ ପଡୁଛି । ଯାର ଫଳରେ ଜାଗାଟି ଶୀତଳ ଲାଗିବା ସହିତ ରମଣୀୟ ବି ଲାଗୁଛି । ଜଳକଣା ଗୁଡିକରେ ସୂର୍ଯ୍ୟରଶ୍ମି ପଡି କେତେକ ଇନ୍ଦ୍ରଧନୁ ବି ସୃଷ୍ଟିକରି ରଙ୍ଗିନ କରିଦେଇଛି ସେ ସ୍ଥାନକୁ । ସୌନ୍ଦର୍ଯ୍ୟରେ ଭରପୁର ସେ ଜାଗାଟି ସ୍ୱର୍ଗସମ ପ୍ରତୀୟମାନ ହେଉଥାଏ ।
ଚାରିଆଡେ ଖାଲି ପଥର ଆଉ ପଥର । ଡେଇଁ ଡେଇଁ ଚାଲିବାକୁ ପଡୁଥିଲା । ଚତୁରତାରସହ ପାଦ ରଖୁ ରଖୁ ବି ଲିନାର ଗୋଡ ଖସି ପାଣିରେ ପଡିଲା । ତାର ପିନ୍ଧା ଡ୍ରେସ ଭିଜିଗଲା । ତା ମାଆ ସେଠି ଗାଧୋଇବୁ ବୋଲି ଆଉ ହଳେ ଲେଖାଏଁ ଡ୍ରେସ ଧରିଥିଲେ ସମସ୍ତଙ୍କ ପାଇଁ । ସେମାନେ ଚାରିକତି ବୁଲି ସାରି ସ୍ନାନ କରିବେ ଭାବି ସେମିତି ଓଦା ଦେହରେ ପାହାଡ ଚଢିବା ଆରମ୍ଭ କଲେ ।
ପାହାଡ ଚଢିବା ବେଳେ ଭେଟୁଥିଲେ ଅନେକ ବାଉଁଶ ବୁଦା । ଲିନାକୁ ଜେଜୀମା ଚିହ୍ନାଇ ଦେଉଥାନ୍ତି ଗଛ ସବୁ । ଏ ହେଉଛି ବାଉଁଶ ଗଛ । ଏହା ଘାସ ଜାତୀୟ ହେଲେବି ଘାସରୁ ମୋଟ ଓ ଗଛରୁ ଛୋଟ । ଏହାର କଅଁଳି ଗଜାକୁ କୁନି କୁନି କରି କାଟି କରଡି ତିଆରି କରି ଖାଆନ୍ତି । ବହୁତ ଛୋଟ ଛୋଟ ଗୁଣ୍ଡ କଲେ ହେଣ୍ଡୁଆ ତିଆରି ହୁଏ । ପଶ୍ଚିମ ଓଡିଶାର ଲୋକେ ଏ ଜିନିଷକୁ ବଡ ମଜା ନେଇ ଖାଆନ୍ତି । ଟମାଟୋ ସହ ଏ ହେଣ୍ଡୁଆ ଓ ଚୁନାମାଛ ମିଶାଇ ରାନ୍ଧିଲେ ଜରୁଆ ଲୋକ ବି କଂସାଏ ପଖାଳ ଖାଇ ଦେବ । ଜେଜୀମା ଏସବୁ ବୁଝାଉ ଥିବା ବେଳେ ଦୂରରୁ ଏକ ଗୀତ ସ୍ୱର ଭାସି ଆସିଲା । ବୋଧହୁଏ ଗାଈଆଳ ଟୋକାଟେ ଗୀତ ଗାଉ ଥିଲା । ତା ଗୀତଟା ଥିଲା"ଢେଉ ଢେଉକା ପାହାଡ ତଳେ ଅଙ୍କା ବଙ୍କା ନଈ ସେଇ ନଈରେ ନାଉରୀ ଟିଏ ଯାଉଛି ଗୀତ ଗାଇ । "ଏବେ ସେଇ ଗୀତକୁ ବଇଁଶୀରେ ସୁର ଦେଇ ବଜାଉ ଥିଲା ସେ ଗାଈଆଳ ପିଲାଟି । ଜଙ୍ଗଲ ଭିତରେ ଗଛ ପତ୍ର ଗହଳ ଦେଇ ପବନରେ ତରଙ୍ଗାୟିତ ହୋଇ ଏ ସ୍ୱର ତାଙ୍କ ପାଖକୁ ପହଞ୍ଚୁଥିଲା । ସ୍ୱରରେ ଏକ ମଧୁର ସମ୍ମୋହନ ଥିଲା ଯିଏ କି ଶୁଣିବା ଲୋକକୁ ମୋହିତ କରି ଦେଉଥିଲା । ଲିନାକୁ ବି ଏ ଗୀତ ଓ ସ୍ୱର ବହୁତ ଭଲ ଲାଗୁଥିଲା । ସେ ଜେଜୀକୁ କହିଲା, ଜେଜୀ ମତେ ତ ଏହା ସିନେମାର ଦୃଶ୍ୟ ପରି ମନେ ହେଉଛି । ଏତେ ସୁନ୍ଦର ପାହାଡ, ସବୁଜ ବଣ ଲତା ଆଉ ତାରି ଭିତରେ ଏ ମଧୁବର୍ଷି ବଇଁଶୀର ସ୍ୱର । ଅତ୍ୟନ୍ତ ଏମେଜିଙ୍ଗ୍ । ସୋ ନାଇସ୍ ପ୍ଲେସ୍ ଜେଜୀ । ପ୍ରପାତର ଝରଝର ସ୍ୱର ତା ସାଥିରେ ବିଭିନ୍ନ ଅଜଣା ପକ୍ଷୀଙ୍କ ମଧୁର ରାବ ।
ଧୀର ଶୀତଳ ବାଆ ସାଙ୍ଗରେ ବଣ ଫୁଲର ବାସ୍ନା ମତେ ତ ପୁଲକିତ କରିଦେଉଛି । ବହୁତ ଭଲ ଲାଗୁଛି ଏ ପାହାଡି ଜାଗା । ଜେଜୀ ତାକୁ ଆହୁରି କେତୋଟି ନୂଆ ନୂଆଁ ଗଛସହ ପରିଚିତ କରିବାକୁ ଲାଗିଲେ । ଏକ ଡେଙ୍ଗା ଗଛ ବଡ ବଡ ପତ୍ର ଥିବା ଗଛକୁ ଦେଖାଇ କହିଲେ ଏ ଗଛକୁ ଓଡିଆରେ ଶାଳ ଗଛ ଓ ପଶ୍ଚିମ
ଓଡିଶାରେ ଶର୍ଗି ଗଛ କହନ୍ତି । ଏହାର ପତ୍ରରେ ଖଲି ଦନା ତିଆରିହୁଏ । ଏହାର ଫଳର ମଞ୍ଜିକୁ ସିଝାଇ ତେଲ ବାହାର କରନ୍ତି । ଏ ତେଲ ଖାଇବା ପାଇଁ ବ୍ୟବହୃତ ହୁଏ । ମୁଁ ପିଲା ଥିଲାବେଳେ ଏ ତେଲରେ ତିଆରି ଚକୁଳି ପିଠା ଖାଇଛି । ବହୁତ ସ୍ୱାଦିଷ୍ଟ ଲାଗେ । ଏ ତେଲକୁ ଗରମ କରି ମୁଢିରେ ସାନି ଖାଇଲେ ବି ବହୁତ ବଢିଆ ଲାଗେ । ଏହାର ଏକ ସ୍ୱତନ୍ତ୍ର ବାସନା ଥାଏ ଯିଏ ଖାଇଛି ସିଏ ଜାଣିଛି ଏହାର ସୁଆଦ । ଆଉ ସେ ଝଙ୍କାଳିଆ ପତ୍ର ଥିବା ଗଛକୁ ଦେଖ । ତାର ପତ୍ର ବି ବଡ ଆକୃତିର ଶାଳ ପତ୍ର ପରି । ଏହା ହେଉଛି ମହୁଲ ଗଛ । ଏହାର ଫୁଲ ବହୁତ ରସ ଯୁକ୍ତ ଓ ମିଠା । ଅଙ୍ଗୁର ପରି ରସ ଯୁକ୍ତ । ଦେଖିବାକୁ ମୁକ୍ତା ବା ମୋତି ପରି ଧଳାରଙ୍ଗ ଓ ତା ମଝିରେ କଣାଟିଏ ବି ଥାଏ ମୋତି ପରି । ରାତ୍ରିରେ ବହୁତ ଫୁଲ ପଡେ ଗଛ ତଳେ । ଲୋକେ ଏହାକୁ ଗୋଟେଇ ଶୁଖାଇ ରଖନ୍ତି । ଏହା ଭଲ ଦାମରେ ବିକ୍ରି ବି ହୁଏ । ଏଥିରୁ ମଦ ତିଆରି ହୁଏ । ଏହାକୁ ଗାଈ ଗୋରୁ ଖୁସିରେ ଖାଆନ୍ତି । କୁଣ୍ଡାରେ ମିଶାଇ ସାନି ଗୋରୁଙ୍କୁ ଖାଇବା ପାଇଁ ଦିଆଯାଏ । ଲୋକମାନେ ବି ଶୁଖା ମହୁଲକୁ ଭାଜି ଓ ସିଝାଇ କି ଖାଇଥାନ୍ତି । ଏହାର ଯୋଉ ଫଳ ହୁଏ ତାକୁ ଟୋଲ ବୋଲି କୁହନ୍ତି । ଏ ଟୋଲ ମଞ୍ଜିରୁ ତେଲ ବାହାରେ । ଏଇ ତେଲକୁ ଦେହରେ ମାଖିବା ପାଇଁ ବିଶେଷ ଭାବେ ବ୍ୟବହାର ହୁଏ । ଏହା ଟିକେ ପିତାଯୁକ୍ତ ହେତୁ କାଛୁ କୁଣ୍ଡିଆ ଭଲ କରେ । ନିମ୍ବ ତେଲପରି ଏହାର ଔଷଧିୟ ଗୁଣ ରହିଛି । ଏହାକୁ ଅନେକ ଲୋକ ଖାଇବାରେ ମଧ୍ୟ ବ୍ୟବହାର କରିଥାନ୍ତି । ଏତେଲ ଟିକେ ହଳଦି ରଙ୍ଗର ହେଇଥିବା ବେଳେ ଶର୍ଗି ତେଲ ସବୁଜ ରଙ୍ଗର ହେଇଥାଏ । ଉଭୟ ତେଲ ଥଣ୍ଡାରେ ଘିଅ ପରି ବସିଯାଏ ।
ଆଉ ଏକ ଗଛ ଅଛି । ସେ ଝଙ୍କାଳିଆ ପତ୍ର ବାଲା ଗଛକୁ ଦେଖ, ସେଇଟା କୁସୁମ ଗଛ । ଏହାର ଫଳ ଛୋଟ ଲିଚୁ ପରି ଏହାକୁ କୁସମ କହନ୍ତି । ଏହାର ଗୁଦା ପାଚିଲେ ଖଟାମିଠା ଲାଗେ । ଏହାର ଗୁଦାକୁ ଖାଆନ୍ତି ଓ ମଞ୍ଜିରୁ ତେଲ ବାହାର କରନ୍ତି । ଏତେଲ ବି ଖାଇବା ମାଖିବା ଉଭୟ କାମରେ ଲାଗେ ।
ଏ ଅଞ୍ଚଳରେ ବହୁତ ଲିଚୁଚାଷ ହୁଏ । ଏ ଚାଷକରି ଚାଷିମାନେ ବହୁତ ଲାଭବାନ ହେଇଥାନ୍ତି ।
ଏଇ ଡେଙ୍ଗା ଗଛକୁ ଦେଖ ଯାହାର ଚମଡା କଳା ଓ ଫଟାଫଟା ହେଇଛି । ଏହାକୁ କେନ୍ଦୁ ଗଛ କୁହନ୍ତି । ଏହାର ଫଳ କଷି ଥିଲ ବେଳେ ମଞ୍ଜିକୁ ସସ ଆକାରରେ ଖାଆନ୍ତି ଯେମିତି ଖଜୁରୀ ଓ ତାଳ ସସ କୁ ଖିଆ ଯାଏ । ପାଚିଲେ ଏହାର ଫଳ ବହୁତ ମିଠା ହେଇ ଥାଏ । ଏଠି ଏମିତି ବହୁତ ପ୍ରକାର ଗଛ ଅଛି ଯାହାର ଫଳ ଆମେ ଖାଉ । କୁରୁଲୁ, ଚାର, ଲଟିବୁରୋ, ବାଘଅମ୍ଫ୍ରା, ଜମରଲା, ଖଜୁରୀ,,ଓ ଆହୁରି କେତେ । ସବୁଗଛ ଆମର କିଛି ନା କିଛି କାମରେ ବ୍ୟବହୃତ ହୁଅନ୍ତି । କିଛି ନହେଲେ ଛାଇ ଓ କାଠ ଦେଇଥାନ୍ତି । ଏ ଭିତରୁ ଶାଳ, ପିଆଶାଳ,ଶିଶୁ, ଗମ୍ଭାରି ଆଦି କାଠରୁ ଗୃହବ୍ୟବହୃତ ଜନିଷ ତିଆରି ହୁଏ ।
ଯେମିତି ଖଟ ସୋଫା ଚଉକି ଆଦି ଅନେକ ଜିନିଷ । ଜାହାଜ ଡଙ୍ଗା ମାନେବି କାଠରୁ ତିଆରି ହୁଏ ।
ଏ ପାହାଡ ଆମକୁ ଏସବୁ ଗଛ ଦେଉଛି । ପାହାଡ ଅଛିବୋଲି ବର୍ଷା ହୁଏ । ମୌସୁମୀ ବାୟୁ ସମୁଦ୍ରରୁ ସୃଷ୍ଟି ହେବା ପରେ ବହି ଆସି ଡେଙ୍ଗା ପର୍ବତ ମାନଙ୍କରେ ପିଟିହୁଏ । ଯେମିତି ପଶ୍ଚିମଘାଟ ପର୍ବତ ଅଛି ତା ଦେହରେ ପିଟିହେଇ ସେ ଜାଗାରେ ବର୍ଷା କରାଏ ।
ପର୍ବତ ମାନଙ୍କରେ ଅନେକ ଔଷଧୀୟ ଗୁଳ୍ମ ରହିଥାଏ । ଯେମିତି ଗନ୍ଧମାର୍ଦନ ପର୍ବତକୁ ହନୁମାନ ବୋହି ଆଣିଥିଲେ ଲଙ୍କାଗଡ ଯାଏ । ବିଶଲ୍ୟକରଣୀର ରସ ଲଗାଇ ଲକ୍ଷ୍ମଣଙ୍କ ଶକ୍ତିଭେଦର ଘାଆ ଭଲ ହେଇଥିଲା । କେବଳ ବିଶଲ୍ୟକରଣୀ ନୁହେଁ ଆହୁରି ଅନେକ ପ୍ରକାର ଚେରମୂଳି ମିଳେ ଯାହା ଔଷଧ ରୂପେ ବ୍ୟବହାର ହୁଏ । କେତୋଟି ପର୍ବତର ନାଆଁ କହିଲୁ?ଜେଜୀ ପଚାରିଲେ?
ଲିନା କହିଲା ମୋର କେତୋଟି ପର୍ବତର ନାଆଁ ମନେ ଅଛି ଯାହା ପୁରାଣ ସିରିଏଲ୍ ମାନଙ୍କରୁ ଶୁଣିଛି,ସେଗୁଡିକ ହେଲା ହିମାଳୟ, ବିନ୍ଧ୍ୟ,କୈଳାସ,ଗନ୍ଧମାର୍ଦନ,ମୈନକା,ଏମିତି କେତେ । ପୁରାଣରେ ଶୁଣିଛି ଆଗ ପର୍ବତମାନଙ୍କର ବି ଡେଣାଥିଲା ସେମାନେ ଉଡି ଏଠି ସେଠି ଚାଲି ଯାଉଥିଲେ ଯୋଉଠି ସେଇଠି ବସିଯାଉଥିଲେ ଫଳରେ ବହୁତ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିଲା । ଶେଷରେ ପର୍ବତମାନଙ୍କ ଡେଣା କାଟିଦେଲେ ଭଗବାନ । ବିନ୍ଧ୍ୟ ପର୍ବତ ବି ପ୍ରତିଦିନ ଉଞ୍ଚା ହେଇ ସୂର୍ଯ୍ୟଙ୍କ ପଥରୋଧ କରି ଦେଉଥିଲେ । ଫଳରେ ସୂର୍ଯ୍ୟ ଅନ୍ୟ ପଟକୁ ଯାଇ ପାରୁନଥିଲେ ଓ ସେପଟର ଲୋକେ ଅନ୍ଧାରରେ ବହୁତ ଅସୁବିଧା ପାଇଲେ । ଏପଟ ଲୋକେ ସୂର୍ଯ୍ୟ ସବୁବେଳେ ରହିବାରୁ ଅଧିକ ଉତ୍ତାପରେ ଅସ୍ତବ୍ୟସ୍ତ ହେଲେ । ସଂସାର ଚଳିବା ମୁସ୍କିଲ ହେଇଗଲା । ଶେଷରେ ଦୁର୍ବାସା ଋଷି ବିନ୍ଧ୍ୟ ପର୍ବତ ଡେଇଁ ଅନ୍ୟ ପଟକୁ ଯିବି ବୋଲି ପଥ ମାଗିଲେ । ଋଷିଙ୍କ ସମ୍ମାନ ପାଇଁ ବିନ୍ଧ୍ୟ ନଇଁ ଛୋଟ ହୋଇଗଲା । ଋଷି କହିଲେ ମୋର ଫେରିବା ଯାଏ ଏମିତି ନଇଁକି ରହିଥିବୁ, କାରଣ ଫେରିଲା ବେଳେ ଯେମିତି ଅସୁବିଧା ନହୁଏ । ସେ ଦିନଠୁ ବିନ୍ଧ୍ୟ ନଇଁକି ରହିଛି । ଆଉ ସୂର୍ଯ୍ୟଙ୍କ ଯିବା ଆସିବାରେ ଅସୁବିଧା ହେଲା ନାହିଁ । ଆଉ ଋଷି ସେପଟେ ରହିଗଲେ ସବୁଦିନ ପାଇଁ କେବେ ଫେରିଲେନି । ଅନେକ ପର୍ବତ ଅଛି ଯା ଉପରେ ବର୍ଷ ସାରା ବରଫ ଜମା ହେଇଥାଏ । ଯେମିତି କୈଳାସ ହିମାଳୟର ଶିଖର ଦେଶରେ ।
ସୂର୍ଯ୍ୟଙ୍କ ଉତ୍ତାପ ବି ବହୁତ ପଡେ ପର୍ବତ ଉପରେ ତଥାପି ପର୍ବତ ସବୁ ସହିଯାଏ, ଅଚଳ ଅଟଳ ରୁହେ ସବୁବେଳେ । ଯେତେ ଝଡ ପବନ ବର୍ଷା ବଜ୍ର ପଡିଲେ ବି ତାର କିଛି କ୍ଷତି କରି ପାରେନାହିଁ । ଆମେ ପାହାଡ ବା ପର୍ବତ ଠାରୁ ଏ ଅବିଚଳିତ ଗୁଣ, ଧେର୍ଯ୍ୟ ଓ ସାହସ ଶିଖିବା ଉଚିତ । ସେ କେତେ ପରୋପକାରୀ ଓ ମହାନ । କେତେ ବୃକ୍ଷଲତା ପଶୁ ପକ୍ଷୀଙ୍କୁ ନିଜ କୋଳରେ ସ୍ଥାନ ଦେଇ ରଖିଛି । ନିଜ ଦେହରେ ଫଳ ଶସ୍ୟ ଉପୁଜେଇ ତାଙ୍କର ଭୋକ ମେଣ୍ଟାଉଛି । ସବୁ ନଦୀମାନଙ୍କୁ ତାରି ବକ୍ଷରୁ ସୃଷ୍ଟି କରିଛି । ଯାହାର ପାଇଁ ଏ ଧରା ଶସ୍ୟଶ୍ୟାମଳା ହୋଇଛି । ସାରା ଦୁନିଆଁ ଜୀବନ ଧରି ବଞ୍ଚି ରହିଛି । ଝୁଣା ମହୁ କେନ୍ଦୁପତ୍ର ହରଡା, ବାହାଡା, କାଠ ଆଦି କେତେ ଜିନିଷ ଦେଉଛି । ପୁଣି ତାରି ଭିତରେ ଅନେକ ମୂଲ୍ୟବାନ ଧାତୁ ପଥର ସାଇତି ରଖିଛି । ତାକୁ ଖୋଳି ଲୁହା ପଥର ଆଲୁମିନିୟମ, ମାଙ୍ଗାନିଜ ସୁନା ରୂପା,ତମ୍ବା ସିସା, ପ୍ଲାଟିନମ୍ ପରି ମୂଲ୍ୟବାନ ଧାତୁ, କୋଇଲା ଓ ଖଣିଜ ତୈଳ ସବୁ ବାହାର କରୁଛନ୍ତି । ଏହାର ଦେହରେ ଅନେକ ଶକ୍ତ ପଥର ରହିଛି ଯାହା ଘର ତିଆରିରେ ବ୍ୟବହୃତ ହୁଏ । ଯେମିତି ମାର୍ବଲ ଗ୍ରାନାଇଟ୍ ଆଦି । ପର୍ବତକୁ ଡାଇନାମାଇଟ୍ରେ ଫଠାଇ ତା ଗର୍ଭରୁ ସବୁ ସମ୍ପଦ ଛଡାଇ ଆଣେ ମଣିଷ ହେଲେ ସେ କେବେ ପ୍ରତିବାଦ କରେନାହି । ନିଜ ଜୀବନକୁ ଅନ୍ୟ ହିତରେ ସମର୍ପିତ କରିଦିଏ । ଏ ସମର୍ପିତ ଭାବନା ଶିଖିବାର ଅଛି ତା ପାଖରୁ । କେବଳ ପାହାଡ କାହିଁକି ପ୍ରକୃତିର ସବୁ ଜିନିଷ ଆମକୁ ଏହି ଶିକ୍ଷା ଦିଏ । ପାଣି,ପବନ, ଫୁଲ, ଗଛ ପ୍ରତ୍ୟେକଟି ଜିନିଷ ଅନ୍ୟର ସେବା ପାଇଁ ସୃଷ୍ଟି । ସେ ନିଜକୁ ଅନ୍ୟ କାମରେ ଲଗାଇ ଖୁସି ପାଏ । ଆମେ ବି ତାଙ୍କ ପରି ହେବା ଉଚିତ ।
ଲିନା ଜେଜୀ ଠାରୁ ପାହାଡ ବିଷୟରେ ଅନେକ କଥା ଶୁଣି ସାରିଥିଲା । ସେତେବେଳେ ଏକ ଗଛ ହଲିବାର ଦେଖାଗଲା । ସେମାନେ ସେଆଡେ ଅନାଇଲେ । ଅନେକ ଗୁଡାଏ ମାଙ୍କଡ ସେ ଗଛରେ ଡେଉଁ ଥିଲେ । ତାଙ୍କ ଶବ୍ଦ ଶୁଣି ଏକ ଠେକୁଆ ବି ବୁଦା ଭିତରୁ ବାହାରି ଚାଲିଗଲା । ଜେଜୀ ଯନ୍ତୁ ମାନଙ୍କୁ ଦେଖି କହିଲେ । ପାହାଡ ପର୍ବତରେ ଆଗ ବଡବଡ ହିଂସ୍ର ଯନ୍ତୁ ବି ରହୁଥିଲେ । ଆମ ବାପ ଅଜାଙ୍କ ସମୟରେ ଏ ଜଙ୍ଗଲରେ ବାଘ, ଚିତା,ହାତୀ ଭାଲୁ ହରିଣ ସମ୍ବର କୁଟୁରା ଠେକୁଆ ବିଲୁଆ ଏସବୁ ଜୀବ ଦେଖା ଯାଉ ଥିଲେ । ହାତିପଲ ଆସି ଧାନ ଖାଇ ଯାଉଥିଲେ । ହରିଣ ମାନେଆସି ଗାଆଁ ପୋଖରିରୁ ପାଣି ପିଉଥିଲେ ।
ଆଉ ବାଘ ପୋଖରି ପାଖରେ ଛପି ବସୁଥିଲା ଶିକାର ପାଇଁ । ମୋ ବାପା ଅନେକଥର ବାଘର ମୁହାମୁହିଁ ହେଇ ବର୍ତ୍ତି ଯାଇଛନ୍ତି । ଏସବୁ ମୁଁ ତାଙ୍କଠୁ ଶୁଣିଛି ।
ଅନେକ ଲୋମହର୍ଷଣକାରି ଘଟଣା ଘଟିଛି ତାଙ୍କ ସହ ସେକଥା ତତେ ଘରେ ଗଲେ କହିବି । ଏଠି କହିଲେ ତୁ ଶୁଣି ଡରିବୁ । ପାହାଡ କାହାକୁ ପାତର ଅନ୍ତର କରେ ନାହିଁ ସମସ୍ତଙ୍କୁ ନିଜ କୋଳରେ ଆଶ୍ରା ଦିଏ । ସେ ବାଘ ହେଉ ବା ଠେକୁଆ ତାପାଇଁ ସଭିଏଁ ସମାନ । ସଭିଏଁ ତାର ସନ୍ତାନ ତୁଲ୍ୟ ।
ସେମାନେ ଏମିତି କଥା ହେଉ ହେଉ ପାହାଡର ବହୁତ ଉପରକୁ ଉଠି ସାରିଥିଲେ । ଆଗକୁ ରାସ୍ତା ବହୁତ ସଂକୀର୍ଣ ଥିଲା । ଉପରୁ ଖସି ପଡିବାର ଡର ଥିଲା । ତେଣୁ ପ୍ରପାତର ଉତ୍ପତ୍ତି ସ୍ଥଳ ଦେଖିବାରୁ ବଞ୍ଚିତ ହେଲେ ସେମାନେ । ଫେରି ଆସିଲେ ତଳକୁ ଯୋଉଠି ରୋଷେଇ ହେଉଥିଲା । ସଭିଏଁ ଗାଧୋଇବାକୁ ଗଲେ । ଗଣ୍ଡରେ ବହୁତ ବଡବଡ ମାଛ ପହଁରୁ ଥିଲେ । ସେଠି ମାଛ ମାରିବା ମନା କରାହେଇଛି,ଦର୍ଶକ ଦେଖି ମଜା ନେବେ ବୋଲି । ସେମାନେ ଗଣ୍ଡରେ ନ ଗଧୋଇ କମ୍ ପାଣି ଥିବା ଜାଗାରେ ଗାଧୋଇଲେ । କମ୍ ପାଣିରେ ଛୋଟ ମାଛ ମାନେ ପହଁରୁ ଥିଲେ । ପାଣି ସଂପୂର୍ଣ ସ୍ୱଚ୍ଛ ଥିବାରୁ ତାଙ୍କର ଗତିବିଧି ସବୁ ଦେଖି ହେଉଥିଲା । ଅନେକ ସୁନ୍ଦର ଗୋଲ ଗୋଲ ପଥର ସବୁ ଝରଣାରେ ପଡିଥିଲା । ସେସବୁରୁ କିଛି ଲିନା ଗୋଟେଇ ଆଣିଲା ଘରକୁ ନେବ ବୋଲି । ସ୍ନାନ ସାରିଲା ବେଳକୁ ବହୁତ ଭୋକ ହେଉଥିଲା । ରୋଷେଇ ସରିଯାଇଥିଲା । ଖସି ମାଂସ ରନ୍ଧା ହେଇଥିଲା । ଡାଲି,ଚିଲି ପନୀର,ମିକ୍ସ ସବ୍ଜି ଟମାଟୋଖଟା ଓ ପାମ୍ପଡ ହେଇଥିଲା । ସଭିଏଁ ପେଟ ପୁରା ଖାଇ ଯାହା ବଳିଲା ମାଛ ମାନଙ୍କୁ ଦେଇ ଚାଲି ଆସିଲେ । ଲିନାର ପାହାଡ ଦେଖା ସେଦିନ
ସରିଥିଲା । ସେ ଅନେକ ଜ୍ଞାନ ଓ ମିଠା ଅନୁଭୁତି ନେଇ ଫେରିଥିଲା ପାହାଡ ପାଖରୁ । ହେଲେ ସେ ସ୍ମୃତି ତାର ସବୁ ଦିନ ପାଇଁ ଚିର ସବୁଜ ହୋଇ ରହିବ । ଆଖିଦେଖା ଜିନିଷ କେବେ ଭୁଲିହୁଏ ନାହିଁ ।
