STORYMIRROR

Bishwanath Ojha 008

Romance Classics

4  

Bishwanath Ojha 008

Romance Classics

ପାଗଳ କରିଛି ପାଉଁଜି ତୋର

ପାଗଳ କରିଛି ପାଉଁଜି ତୋର

9 mins
4

--- ଆଇ ଲଭ ୟୁ ..

  --- ମାନେ ???

  --- ମୁଁ ତୁମକୁ ଭଲ ପାଏ ..

  ଆଶ୍ଚର୍ଯ୍ୟ ହେଇଗଲା ବିଶ୍ୱଜିତ୍ , ସାମ୍ନାରେ ଏକ ଅଜଣା ଅଶୁଣା ସୁନ୍ଦରୀ ଝିଅର ପ୍ରପୋଜାଲରେ ..

  ଟିକେ ରୁକ୍ଷ ଭାବେ କହିଲା ,-

   --- କଣ୍ ଜାଣନ୍ତି ଆପଣ ମୋ ବିଷୟରେ .. ଜାଣନ୍ତି କି ମୋ ଶିକ୍ଷା କଣ୍,ଦୀକ୍ଷା କଣ୍ ,ଜାତି କଣ୍, ଗୋତ୍ର କଣ୍ ?? କେଉଁଥିରେ ମୋ ରୁଚି ? କଣ୍ ଖାଇବାକୁ ମୁଁ ପସନ୍ଦ କରେ ? କଣ୍ ପିନ୍ଧିବାକୁ ପସନ୍ଦ କରେ ? କେଉଁ ଋତୁ ମୋତେ ଭଲ ଲାଗେ ? କେମିତି ଝିଅ ମୋର ପସନ୍ଦ ? ଧାରଣା ଅଛି କି ଆପଣଙ୍କର ମୋ ଜୀବନ ପୁସ୍ତକର ଲେଖା ଅଲେଖା ପୃଷ୍ଠା ବିଷୟରେ ? କହି ପାରିବେ କି ମୋ ଜନ୍ମ ତାରିଖ ? କହିପାରିବେ କି ..?

  ହସିଦେଲା ଝିଅଟି .. ପ୍ରସ୍ତୁତ ଥିଲା ପରି କହିଲା 

  --- ସବୁ ଜାଣେ ମାଷ୍ଟରଜୀ ..ହେଲେ ଜାଣିବାକୁ ଚାହୁନି ତୁମ ଜାତି ଗୋତ୍ର କାରଣ ଭଲ ପାଇବା କେବେ ଜାତି ଗୋତ୍ର ଦେଖେନି ଆଉ ରହିଲା ତୁମ ବିଷୟରେ .. ତୁମେ ବିଶ୍ୱଜିତ୍ .. ଉଚ୍ଚତା ପାଞ୍ଚ ଫୁଟ ସାତ ଇଞ୍ଚ୍ .. ଓଜନ ପଞ୍ଚଷଠି କେଜି ..ରଙ୍ଗ ଶ୍ୟାମଳ .. ଡେନିମ୍ ରଙ୍ଗର ଜିନ୍ସ ସହିତ ବ୍ଲୁ ଚେକ୍ଡ ସାର୍ଟ ପିନ୍ଧିବାକୁ ପସନ୍ଦ କର ..ପ୍ରିୟ ଋତୁ ଶ୍ରାବଣ .. ବର୍ଷାରେ ଭିଜି ଭିଜା ମାଟିର ବାସ୍ନାରେ ବିଭୋର ହୁଅନ୍ତି ..ଜନ୍ମ ତାରିଖ ବାଇଶି ଅପ୍ରେଲ .. ଶିକ୍ଷାଗତ ଯୋଗ୍ୟତା ସାଇନ୍ସ ଗ୍ରାଜୁଏଟ ..ଏମ ଏ ଇନ୍ ଇଂଲିଶ .. ଅନବିଟେନ୍ ଫ୍ୟୁଚର ମେକର୍ ଅଫ ଦ ଷ୍ଟୁଡେଣ୍ଟ୍ .. ୱାନ ଅଫ ଦ ମୋଷ୍ଟ ଡାଇନାମିକ ଟ୍ୟାଲେଣ୍ଟେଡ ଟିଚର୍ ଅଫ ଏ ସ୍କୁଲ .. ଭଲ ପାଆନ୍ତି ଲେଖିବାକୁ .. ସ୍ୱପ୍ନ ଆଉ ବାସ୍ତବ ଭିତରେ ସମ୍ପର୍କକୁ ଯୋଡିବାକୁ .. ଜୀବନର ଇନ୍ଦ୍ରଧନୁର ପ୍ରେମକୁ ଅଷ୍ଟମ ରଙ୍ଗ ଭାବେ ବିବେଚନା କରିବାକୁ .. ବାଇ ନେଚର ଭେରି ସେନ୍ସିଟିଭ୍ ..ସମ୍ପର୍କର କଦର୍ କରନ୍ତି .. ଥରେ ମନ ମାନିଗଲେ ଛାଇ ପାଲଟି ଯାଆନ୍ତି.. ମନ ନ ମାନିଲେ ନିଜ ପାଇଁ ନୂଆ ରାସ୍ତା ତିଆରି କରନ୍ତି ନିଜ ଢଙ୍ଗରେ ..

   ଆଉ ରହିଲା ମନ ପସନ୍ଦର ଝିଅର ଗୁଣ .. ଶୁଣ ମାଷ୍ଟରଜୀ ମୋତେ ବାହା ହେଇ ସାରିଲା ପରେ ଜାଣି ପାରିବ ତମ ପସନ୍ଦର ଝିଅର ସବୁ ଗୁଣ ମୋ ପାଖେ ସବୁ ଅଛି ବୋଲି .. ବଡି ଲାଙ୍ଗୁଏଜ୍ .. କଲର .. ରିଆକ୍ଟିବନେସ ସବୁ ଅଛି ମୋ ପାଖରେ .. ବହୁତ୍ ଭଲ ପାଇବି ତମକୁ, ଠିକ୍ ଓଡ଼ିଆ ଘରର ଝିଅ ପରି .. ତମ ପସନ୍ଦର ଲୁଗା ପିନ୍ଧି ପିନ୍ ରେ ଖୁନ୍ଦୀ ଦେବି ଶାଢ଼ୀ କୁ ଖୋଜି ପାଇବନି ଟିକେ ବି ମୋ ଦେହରେ ଖୋଲା ଅଂଶ .. ଵାଦା ମାଷ୍ଟରଜୀ ..

  ତୁମେ ସ୍ଵପ୍ନଭାଷି ମାଷ୍ଟରଜୀ ତୁମେ ସ୍ୱପ୍ନ ମେଳାପୀ ..ହେଲେ ନ କହିବି ନୀରବରେ ଅନେକ କଥା କହିଯାଅ .. ସ୍ଵଳ୍ପରେ ଅନେକ ଇଙ୍ଗିତ ଦେଇ ପାର .. ଯାହାର ଶେଷ ଖୋଜିଲେ ରାତି ପାହିଯିବ ହେଲେ ମିଳିବନି ଶେଷର ଠିକଣା ..

  ସତରେ ବଡ଼ ଅଜବ ମଣିଷ ତୁମେ.. କେବେ ଆରମ୍ଭରେ ଦେଇଥାଅ ଶେଷର ସ୍ପର୍ଶ .. କେବେ ସ୍ପର୍ଶରେ ଶେଷହୀନ ଆରମ୍ଭର ସୂଚନା ..

  କେବେ ଚେନାଏ ହସରେ ସାତ ଫଗୁଣକୁ ପାଦତଳେ ଲୋଟାଇ ଦିଅ ତ ଆଉ କେବେ ଟିକେ ନୀରବତାରେ ସାତ ମରୁଭୂମିର ଶୂନ୍ୟତା ସୃଷ୍ଟି କର ..

  ତୁମେ ଟିକେ ଟିକେ କଥାରେ ରାଗିଯାଅ .. ଅଭିମାନ କର ..

ସମ୍ପର୍କରେ ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଅ ..

   ହେଲେ ବି ବହୁତ୍ ଭଲ କାରଣ ତୁମର ସେଇ ରାଗରେ, ଚିଡଚିଡାରେ, ତୁମ ଭଲପାଇବା ଭରପୁର ହେଇଥାଏ... ଭଲପାଇବା ରେ ଅଭିମାନର ଛିଟା ଆଉ ଅଭିମାନରେ ସମ୍ପର୍କର ମିଠାସ୍ ଥାଏ .. କିନ୍ତୁ, ଟିକେ ଦୃଷ୍ଟ .. ଦୃଷ୍ଟାମୀର କଣିକା ତୁମ ସମସ୍ତ ରକ୍ତ କଣିକାରେ ଅଛି .. ତୁମ ସମସ୍ତ ହାଡ଼ ମାଂସରେ ଅଛି .. ଅଛି ତୁମ ପ୍ରତ୍ୟେକଟି ମୁଦ୍ରାରେ ..

  --- ମାନେ .. ଚିହିଁକି ଉଠିଲା ବିଶ୍ୱଜିତ୍ ..

  --- ଏତେ ରାଗୁଛ କାହିଁକି ଯେ ? ରାଗିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ .. ଏତିକି କଣ ଜାଣିନ ମାଷ୍ଟରଜୀ .. ହଁ, ମୁଁ ଯଦି କହିବି ମୋତେ ଏବେ ଭୋକ ହେଲାଣି .. ତମେ କଣ ମୋପାଇଁ ପାଖ ଛକରୁ ବରା ଗୁଗୁନି ଆଣିବନି ???

  --- କାହିଁକି ? କଣ୍ ପାଇଁ ?? କୋଉ ଅଧିକାରରେ ଯେ ?? ଚିଡି ଉଠି କହିଲା ବିଶ୍ୱଜିତ୍ ..

  --- ମାନେ ? କେଡେ ଗାଲୁଆ ଲୋକ ଯେ ତମେ ? ହେ ପ୍ରଭୁ ଏମିତି ଲୋକକୁ ନେଇ କେମିତି ଜୀବନ ସାରା ସମ୍ଭାଳିବି ମୁଁ ??

କଣ୍ ମନେ ନାହିଁ ମାଷ୍ଟରଜୀ ତୁମେ ପରା ଗୋଟେ ଗପରେ ଲେଖିଥିଲ ,' ତୁ ଜାଣୁ ତୁ ଭୋକ ହେଉଛି କହିଲେ ମୁଁ ବାଇକ୍ ଷ୍ଟାର୍ଟ କରି ଚାଲିଯିବି ପାଖ ଛକକୁ ତୋ ପାଇଁ ବରା ଗୁଗୁନି ଆଣିବାକୁ ଆଉ ବରା ଗୁଗୁନି ଆଣି ଖୁଆଇଦେବି ତୋତେ ନିସଙ୍କୋଚରେ ଆଖିର ଭିଡ଼ ଭିତରେ .. " ସେ କିଏ କି ?

 --- ମୋ ଗଳ୍ପର ନାୟିକା କହିଲା ବିଶ୍ୱଜିତ୍ ..

 --- ଆଉ ମୁଁ ??

 --- ମୁଁ ଜାଣେନି .. ମୁଁ କେମିତି ଜାଣିବି ???

--- ଏଇଟା ହିଁ ପ୍ରବଲମ୍ ମାଷ୍ଟରଜୀ .. କସ୍ତୁରୀକୁ ଧାରଣ କରି ମୃଗ ଧାଉଁଛି କସ୍ତୁରୀ ସନ୍ଧାନରେ .. ପାଖରେ ମୋ ପରି ରୂପର ଗୁଣର ଝିଅଟେ ଥାଇ ବି ତୁମେ କାଳ୍ପନିକ ନାୟିକାକୁ ଦେଉଛ ଖୁସି ଅଥଚ ମୋତେ କଷ୍ଟ .. ୟେ ନା ଇନ୍ସାଫି ମାଷ୍ଟରଜୀ ..ମୁଁ କଣ ସେଇ କାଳ୍ପନିକ ନାୟିକା ହେଇ ପାରିବିନି ..ତୁମ ନିଝୁମ ରାତିର ସାଥୀ ହେଇ ପାରିବିନି .. ସାରା ଜୀବନର ସାଥୀ ହେଇ ପାରିବିନି ???

   ଆଶ୍ଚର୍ଯ୍ୟ ହେଇ ଯାଉଥିଲା ବିଶ୍ୱଜିତ୍ । ଆଖି ଆଗରେ ପ୍ରଗଲଭା ଝିଅଟିଏ ..

  ବୟସ ଅଠାଇଶି ଅଣତିରିଷି .. ରଙ୍ଗ ତୋଫା ଗୋରା .. ମନ ଚହଲା ଶାରିରୀକ ଅଙ୍ଗ ବିନ୍ୟାସ .. ଢଳ ଢଳ ଆଖି ଦୁଇଟିରେ ମିଠା ଆମନ୍ତ୍ରଣର ଚମକ୍ .. ନ ଥିଲା ମୁହଁରେ ଅଯଥା କ୍ରିମ ପାଉଡରର ବହଳତା..ଓଠରେ ଲିପିଷ୍ଟିକର ଘୃଣ୍ୟ ଆସ୍ତରଣ ..

ଦିଶୁଥିଲା ଖୁବ୍ ନାଚୁରାଲ .. ପଦ୍ମପାଖୁଡ଼ା ରଙ୍ଗ ପରି ହାଲକା ହାଲକା .. ଠିକ୍ ନିଜ ସ୍ୱପ୍ନର ସାଥୀ ପରି ଚୁଲବୁଲି ..

   ସତ କହିଲେ ଖୁବ୍ ଭଲ ଲାଗୁଥିଲା ଝିଅର ପୋଷାକ ପରିପାଟୀ ଆଉ ସୁଗଠିତ ଅଙ୍ଗ ସୌଷ୍ଟବ .

  ତଥାପି ଭାବୁଥିଲା ବିଶ୍ୱଜିତ୍ । ହୁଏତ ୟେ , ଝିଅଟିର ଚପଳାମୀ ହେଇ ପାରେ ଅବା କେଉଁ ଏକ ଦୁର୍ବଳ ମୁହୂର୍ତ୍ତର ଦୁର୍ବଳତା ଅଥବା ବୟସର ରଙ୍ଗ ତାକୁ ପ୍ରେମ ବିଭୋର କରି ଦେଇ ଥାଇ ପାରେ ..

   ୟେ, ଝିଅଟିର ଗୋଟିଏ ମୁହୂର୍ତ୍ତର ସିଦ୍ଧାନ୍ତ ନୁହେଁ ତ ? ଯଦି ହୋଇଥାଏ ଏହାକୁ ତ କେବେ ପ୍ରେମ କୁହାଯାଇ ପାରେନା. . ଯଦି ନ ହୋଇଥାଏ ...???😴😴😴

  ନିଜ ପ୍ରଶ୍ନରେ ନିଜେ ଛନ୍ଦି ହେଇଯାଉଥିଲା ବିଶ୍ୱଜିତ୍ .. ଯେତେ ଭାବୁଥିଲା ସେତେ ଅଡ଼ୁଆ ହେଇ ଯାଉଥିଲା ତା ଭାବନା .. ଠିକ୍ ଗୋଟେ ବୁଢିଆଣୀ ଜାଲ ପରି ଛନ୍ଦାଛନ୍ଦି ..

   ଆଉ ଥରେ ଆଖି ଉଠେଇ ଚାହିଁଲା ସେ ଝିଅଟିକୁ ..କହିଲା

  --- ଦେଖନ୍ତୁ ମିସ୍ ...

  --- ମାନସୀ .. ଶ୍ରଦ୍ଧାରେ ମାନୁ ଡାକି ପାର..

  --- ଦେଖ ମାନସୀ, ସାଗରର ଢେଉ ଦେଖି କେହି କେବେ ସାଗରର ଗଭୀରତା ମାପେନି .. ଆକାଶର ନିଳୀମା ଦେଖି କେହି କେବେ ଆକାଶର ଅସୀମତାରେ ବିଭୋର ହୁଏନି କି ଫୁଲର ରଙ୍ଗ ଦେଖି କେହି କେବେ ଫୁଲର ସୁଗନ୍ଧକୁ ଠଉରାଇ ପାରେନି .. ତେବେ ଏତିକି କିଛି ଜାଣି ତୁମେ କେମିତି ମୋତେ ଭଲ ପାଇ ଏକ ଭବିଷ୍ୟତର କଳ୍ପନା କରୁଛ ??

   ହସି ଉଠିଲା ମାନସୀ .. ଗୋଟେ ସାଇକୋଲୋଜିର ଷ୍ଟୁଡେଣ୍ଟ୍ କେବେ ମନର ଭାଷାକୁ ପଢ଼ିବାରେ ଭୁଲ୍ କରେନା .. ମଣିଷ ଚିହ୍ନିବାରେ ଭୁଲ୍ ଧାରଣା ରଖି ପାରେନା ..

  ତୁମେ "ଆପଣ" ରୁ "ତୁମେ" କୁ ଖସି ଆସିଛ ମାଷ୍ଟରଜୀ.. ଏହାକୁ କଣ୍ କୁହା ଯାଇ ପାରେ ..???

  ତୁମ ମନ ଭିତରେ ମୋ ଭାବନାର ବୁଢିଆଣୀ ଜାଲ , ଏହା କଣ୍ ସୂଚନା ଦେଇପାରେ ମାଷ୍ଟରଜୀ ..?

  ଏହାକୁ ଦୁର୍ବଳତା କହିବି ନା ପ୍ରେମର ଆଙ୍କୁରୋଦ୍ଗମ୍ ..

ମାଷ୍ଟରଜୀ ତୁମକୁ ଦେଖିବା ପର ଠାରୁ ଦୁଇ ବର୍ଷ ଧରି ମୁଁ ତୁମ ବିଷୟରେ ଜାଣିବାକୁ ଚାହୁଁଛି..ଆଉ ବହୁତ୍ ବି ଜାଣି ସାରିିଛି ..ମୁଁ ଯେ ଭୁଲ୍ ମଣିଷଟିକୁ ମୋ ଜୀବନର ସାଥୀ ଭାବେ ବାଛିନି ଏ କଥା ମୁଁ ମୋ ଛାତି ଉପରେ ହାତ ରଖି କହିଦେଇ ପାରେ .. ତୁମେଯେ ମୋ ସରଳ ମନକୁ ଅସରା ଭଲପାଇବା ଦେଇ ପାରିବ , ୟେ ବିଶ୍ୱାସ ମୋର ଅଛି ,ଏହା ନିଧଡକରେ ମୁଁ କହିଦେଇପାରେ ..

   ତୁମ ନୀରବତା ମୋତେ ଭଲ ଲାଗେ ..

  ତୁମ ଚାହାଣୀର ମିଠାସ୍ ମୋତେ ଆକର୍ଷିତ କରେ ..

  ତୁମ ବିଚାର ବୋଧ କହିବାର ଶୈଳୀ ମୋତେ ବିମୁଗ୍ଧ କରେ ..

ମୁଁ ଆନମନା ହୁଏ .. ଅଧରାତିରେ ନିଦ ଭାଙ୍ଗିଯାଏ ଆଉ ଅଧା ନିଦ ଅଧା ଜାଗରଣରେ ମୁଁ ପାହାନ୍ତି ରାତିକୁ ଆଖିରେ ଲୁଚେଇ ରଖିବାକୁ ଚେଷ୍ଟା କରେ ଗୋଟେ ବାସ୍ତବତାର ମିଠା କଳ୍ପନାରେ ..

  ରାତି ଯେବେ ବଢେ ଭଲପାଇବାର ବଳୟ ସେତେ ବଢ଼ି ବଢ଼ି ଚାଲେ ଆଉ ରାତି ପାହିଲେ ମୁଁ ସେଇ ଭଲପାଇବା ର ବଳୟ ଭିତରେ ତୁମ ବାଇକ୍ ର ଶବ୍ଦ ଶୁଣିବାକୁ କାନ ଡେରିଥାଏ ..

   ସତ କହିଲେ ତୁମ ଅଦୃଶ୍ୟ ଆକର୍ଷଣର ଚକ୍ରବ୍ୟୁହ ଭିତରେ ଅଭିମନ୍ୟୁ ସାଜି ମୁଁ ପ୍ରତୀକ୍ଷା କରିଛି ତୁମେ କର୍ଣ୍ଣ ସାଜି କେବେ ତୁମେ ତୁମ ଭଲପାଇବାର ତରବାରୀ ଆଘାତରେ ମୋତେ ବିରହ ଯନ୍ତ୍ରଣାରୁ ମୁକ୍ତି ଦେବ .. 

   ତୁମେ କେବେ ମୋତେ ଦେଖିନ କି ମୁଁ ତୁମକୁ କେବେ ଦେଖା ଦେଇନି ...

  ତୁମେ କେବେ ମୋତେ ଜାଣିନ କି ମୁଁ ତୁମକୁ କେବେ ଜାଣିବାର ସୁଯୋଗ ଦେଇନି ..

  ତୁମେ କେବେ ମୋତେ ଭଲ ପାଇନ କି ମୁଁ ତୁମକୁ କେବେ ଭଲ ପାଇବାର ଅବକାଶ ଦେଇନି ..

   କାରଣ ଭଲ ପାଇବା କେବେ ବାଧ୍ୟ ବାଧକତାରେ ସୃଷ୍ଟି ହୁଏନା ..ପରିସ୍ଥିତି ଚାପରେ ଦିଗ ବଦଳାଇ ଦିଏନା .. ମରୀଚିକାର ଭ୍ରମ ସୃଷ୍ଟି କରେନା କି ଅବାସ୍ତବ ସ୍ୱପ୍ନରେ ବିଭୋର କରେନା ..

  ପ୍ରେମ ଶାଶ୍ଵତ ଚିରନ୍ତନ .. ମନ ଭିତରେ ଏକ ନିଆରା ଆଲୋଡନ ..

  ପ୍ରେମ ନୀରବ ନିସ୍ତବ୍ଧ କିନ୍ତୁ ମନ ଭିତରେ ଊର୍ମିର ଏକ ଉଦ୍ ବେଳନ ..

   ତୁମେ କୁହ ମାଷ୍ଟରଜୀ , ଜିଇଁବାର ସ୍ୱପ୍ନ ନେଇ ଜିତିବାର ଆଶା ନେଇ ମୁଁ ଯଦି ତୁମକୁ ଖୋଜେ ତାହା କଣ୍ ମୋ ଚପଳାମୀ ..???  

  ତୁମ ବାଇକ୍ ର ଶବ୍ଦ ଶୁଣି ଘରୁ ବାହାରି ତୁମକୁ ଆଖି ପୁରେଇ ଦେଖିବା କଣ୍ ଦୁର୍ବଳତା ???

  ତୁମ ବିଷୟରେ ସବୁ ଜାଣି ଭଲପାଇବାର ଇଜ୍ ହାର କରିବା କଣ୍ ପାଗଳାମୀ ????

କୁହ ମାଷ୍ଟରଜୀ, କୁହ !!!!

ମାନସୀର ଆଗୋଚରର ଆଖିରୁ ଝରି ପଡ଼ିଥିବା ଖୁସିର ଵିନ୍ଦୁଏ ତରଳ ମୂକ୍ତାକୁ କୁଚେଇଦେଲା ବିଶ୍ୱଜିତ୍ ନିଜ ଆଖି କୋଣରେ ..

  ମୁହଁ ଉଠେଇ ଚାହିଁଲା ସେ ମାନସୀକୁ ...

ସେମିତି ମୁହଁ ତଳକୁ ପୋତି ପ୍ରତୀକ୍ଷା କରିଛି ସେ ବିଶ୍ୱଜିତ୍ ର ଉତ୍ତରକୁ ..

  --- ବହୁତ୍ ଡେରି କରିଦେଲ ମାନସୀ ..

ବିଶ୍ୱଜିତ୍ ର କଥାରେ ଚମକି ଉଠିଲା ଲାସ୍ୟମୟୀ ପ୍ରୀତିଛନ୍ଦା ମାନସୀ ..

  --- ମାନେ ???

 --- ବହୁତ୍ ଆଗରୁ ଆଉ କାହାକୁ ମନଦେଇ ସାରିଛି ମାନସୀ .. ଟିଉସନ୍ ସାରି ଫେରିବା ବେଳେ ସବୁବେଳେ ଫେରିବା ରାସ୍ତାରେ ଠିକ୍ ଗୋଟିଏ ଜାଗାରେ ମୁଁ ଶୁଣେ ପାଉଁଜିର ରୁଣୁଝୁଣୁ ଶବ୍ଦ ..ମନ ଛୁଇଁ ଯାଏ ମାନସୀ .. ମନେ ମନେ ଖୋଜେ ସେଇ ଜାଗାରେ ସେଇ ଝିଅର ପାଉଁଜିର ଛମଛମ ସ୍ୱର ..ଖୋଜେ ସେଇ ଚେହେରା .. କିଛି ବାଟ ଆସିବାପରେ ଵ୍ୟାକ୍ ମିରରରେ ଦେଖେ ସୁନ୍ଦର୍ ଚେହେରା ଟିଏ ହେଲେ ଦିଶେ ଝାପସା ଝାପସା .. ଭଲ କରି ଦେଖି ପାରେନା କିନ୍ତୁ ମିଛ ନୁହେଁ ମାନସୀ ମନ ଆଲୋଡିତ ହୁଏ .. ଇଛା ହୁଏ ଦେଖିବାକୁ ଟିକେ .. ଭଲ ପାଇବାକୁ ଟିକେ .. ନିଜର କରିନେବାକୁ ଟିକେ ..

    ମାନସୀ ତୁମ ଭଲପାଇବା ମୋତେ ଆତ୍ମସନ୍ତୋଷ ଦେଉଛି ..ତୁମ ସ୍ପଷ୍ଟବାଦିତା ମୋତେ ଆହ୍ଲାଦିତ କରୁଛି ..ତୁମ ସୁନ୍ଦର ବ୍ୟବହାର ମୋ ଭିତରେ ଭାବାନ୍ତର ସୃଷ୍ଟି କରୁଛି .. ଚାହୁଁନି ମୁଁ ଦୂରେଇଦେବାକୁ କିନ୍ତୁ ପାଖରେ ରଖିପାରୁନି ମାନସୀ କାରଣ ମୋ ମନ ଭିତରେ ପ୍ରତିଫଳିତ ଆଉ କାହା ଚେହେରା ..

  ମୋ ହୃଦୟକୁ ଧୋକା ଦେଇ ମୁଁ ତୁମକୁ ଭଲ ପାଇବାକୁ ଚାହୁଁନି କି ତୁମକୁ ଭଲପାଇ ମୋ ପାଗଳା ମନକୁ ଦୁର୍ବଳ କରିଦେବାକୁ ଚାହେଁନା ..

  ଯେତେଦିନ ଯାଏ ସେ ପାଉଁଜିର ସ୍ୱର ମୋ ଭିତରେ ଅନୁରୁଣୀତ ହେଉଥିବ ସେତେଦିନ ଯାଏ ମୁଁ ତାକୁ ଖୋଜୁଥିବା ମାନସୀ .. ପ୍ଲିଜ୍ , ପ୍ଲିଜ୍ ପ୍ଲିଜ୍ ମାନସୀ ..

   --- ସେ ତ ଏକ ଅନ୍ଧାର ଯାହାର ରୂପ ତୁମେ ଦେଖିନ ..

   --- ତଥାପି ଭଲ ଲାଗେ ମାନସୀ ..💐

   --- ସେ ତ ଏକ ଝାପସା ଚେହେରା ଯାହାର ପ୍ରକୃତ ସ୍ୱରୂପ କେବେ ତୁମେ ଆଙ୍କିନ ..

   --- ତଥାପି ଆଙ୍କିବାକୁ ଚାହିଁଛି ମାନସୀ .. ତା ପାଉଁଜି ର ଛମଛମ ଆବାଜ୍ ଯଦି ଏତେ ମଧୁର ହେଇପାରେ ଏତେ ସୁନ୍ଦର୍ ହେଇପାରେ ସେ କାଇଁ ଏତେ ମଧୁର ନ ହେଇଥିବ.. ସୁନ୍ଦର୍ ନ ହେଇଥିବ ..

   --- ମୁଁ ହାରିଗଲି ମାଷ୍ଟରଜୀ.. ଖାଲି ଏ ଜନ୍ମ ନୁହେଁ ଆଗାମୀ ସାତ ଜନ୍ମ ପାଇଁ ମୁଁ ତୁମକୁ ମୋର କରିପାରିବିନି ..କାରଣ ସାତ ଜନ୍ମ ପାଇନ୍ତୁମେ କେବଳ ସେଇ ଝିଅର .. ତୁମ ଇପ୍ସିତ ମଣିଷର .. ଯାହାକୁ ବ୍ରାହ୍ମଣର ମନ୍ତ୍ର ପାଠ ଓ ହୋମଗ୍ନି କୁ ସାକ୍ଷୀ ରଖି ଜୀବନ ସାଥି ଭାବେ ଗ୍ରହଣ କରି ନେବ ..ମୁଁ କଣ୍ଟା ହେବାକୁ ଚାହେଁନା ତୁମେ ଚଲା ପଥରେ .. ବାସ୍ ଜିଇଁବାକୁ ଚାହୁଁଥିଲି ତୁମ ପରି ସ୍ନେହୀ ମଣିଷର ପ୍ରେମସିକ୍ତ ସ୍ନେହରେ ...

    ଛାଡ .. ସାଏଦ୍ ସେ ମୋ ଭାଗ୍ୟରେ ନାହିଁ .. କିନ୍ତୁ ଗୋଟେ ଅନୁରୋଧ ମାଷ୍ଟରଜୀ .. ବଧୂ ହେଇ ପାରିଲିନି ହେଲେ ବନ୍ଧୁ ହେଇ ରହିବାକୁ ମନା କରିବନି ..

   ହସିଦେଲା ବିଶ୍ୱଜିତ୍ ..

  --- ନାହିଁ ମାନସୀ ! କଥା ଦେଉଛି ବନ୍ଧୁତାରେ କେବେ ଅବହେଳା କରିବିନି .. ବନ୍ଧୁ ହେଇ ସୁଖ ଦୁଃଖରେ ସାଥ ଦେବାରେ କେବେବି ପଛ ଘୁଂଚା ଦେବିନି ..

   ହସିଦେଲା ମାନସୀ .. ଫେରୁ ଫେରୁ ନଇଁ ପଡ଼ି ପାଦ ଛୁଇଁଲା ସେ ବିଶ୍ୱଜିତ୍ ର .. ବିଶ୍ୱଜିତ୍ ଆଖିରେ ଥିଲା ଲୁହ ଆଉ ମାନସୀ ଆଖିରେ ବି ..

  ତଥାପି ମାନି ନେଇଥିଲେ ଦୁହେଁ ସମୟର ଇଙ୍ଗିତକୁ ..🤦🏻

ଦରଜା ଦେଇ ନିଜ ସ୍କୁଟି ପାଖକୁ ଫେରି ଯାଇଥିଲା ମାନସୀ ..

  ଛମଛମ ... ଛମଛମ ...

ହଠାତ୍ ଶୁଭିଲା ପାଉଁଜିର ଶବ୍ଦ .. ଚମକି ଉଠିଲା ବିଶ୍ୱଜିତ୍ .. ଏଇତ ସେଇ ଆବାଜ .. ଚେୟାରରୁ ଉଠି ପାଗଳ ପରି ଧାଇଁ ଗଲା ସେ ଅଗଣାକୁ .. ବାହାରେ ମାନସୀ .. ଏପଟ ସେପଟ ହେଇ ଗେଟ୍ ସେପଟକୁ ଚାହିଁଲା ସେ ..

  --- ମାନସୀ, ଏପଟେ କିଏ ଗଲା କି ???

  --- ନାଇଁ ତ .. ମୁଁ ତ ଅଛି ଏଠି ..

  --- କଣ ହେଲା ??? ମାନସୀ ଆଖିରେ ଜିଜ୍ଞାସା ..

ଚାହିଁ ଦେଲା ବିଶ୍ୱଜିତ୍ .. ମାନସୀ ଗୋରା ପାଦରେ ରୂପା ପାଉଁଜି .. ଆଖି ବନ୍ଦ କରି କହିଲା , ତୁମେ ଟିକେ ଆସିଲ ମୋ ପାଖକୁ ..

  ମାନସୀ ପାଦର ପାଉଁଜି ଛମ ଛମ କରି ଉଠିଲା .. ପ୍ରତିଧ୍ଵନିତ ହେଲା ବିଶ୍ଵଜିତର ମନ ଅଗଣାରେ ..

  ଆଖିରୁ ଝରି ପଡ଼ିଲା ତାର ଠୋପା ଠୋପା ଲୁହ ..

   --- କଣ୍ ହେଲା ମାଷ୍ଟରଜୀ ???

କହି ପାରିଲାନି ଆଉ ବିଶ୍ୱଜିତ୍ ..ଆଖିରୁ ଲୁହ ପୋଛି ଖୁବ୍ ଜୋରରେ ଭିଡ଼ି ଧରିଲା ସେ ମାନସୀକୁ ..💐

   --- ମାନସୀ.. ତୁମ ଗାଆଁ ନାଆଁ ଲହୁଣୀପଡ଼ା ..

   --- ହଁ ..

   --- ତୁମ ଘର ସେଇ ଗାଁର ମନ୍ଦିର ପାଖରେ ..

   --- ହଁ ..

   --- ସେଇ ଘର ଆଗରେ ପାଚେରୀ .. ପାଚେରୀ ପାଖରେ ଚିନ ଚମ୍ପା ଆଉ ଧଳା ଟଗର ଗଛ ..

   --- ହଁ ବାବା ହଁ ..

  --- ମୁଁ ଫେରିବା ବେଳେ ତୁମେ ଧାଇଁ ଆସ ଗେଟ୍ ପାଖକୁ ..

  --- ହଁ.. କଣ୍ ହେଲା କି ?

ଆଉ ପଚାରିଲାନି ବିଶ୍ୱଜିତ୍ ..କହିଲା .. ଆସୁ ଆସୁ କହିଲନି କାଇଁ ତମ ଗାଆଁ ଠିକଣା ?? ତମେ ସେଇ ଝିଅ ମାନସୀ ଯାହାର ଚେହେରା ମୋ ମିରର ରେ ଉଇଁ ଆସେ ଝାପସା ଝାପସା ..

  ଧିରେ ଧିରେ ମାନସୀ ର ଦୁଇ ହାତ ଛୁଉଁ ଥିଲା ବିଶ୍ଵଜିତର ପିଠି .. 

   --- ବହୁତ କଷ୍ଟ ଦେଲ ମାଷ୍ଟରଜୀ .. ହେଲେ ବି ବହୁତ୍ ଖୁସି ମୁଁ .. ଯେଉଁ ପାଉଁଜି କୁ ପିନ୍ଧିବିନି ବୋଲି ଭାବୁଥିଲି ସେଇ ପାଉଁଜି ମୋ ଭଲ ପାଇବାକୁ ମୋତେ ଫେରେଇ ଦେଲା ..

   ଜାଣିଛ ମାଷ୍ଟରଜୀ, ଘର କଣରେ ରହିଲେ ବି ହଜାର ବାଇକ୍ ଭିତରେ ତୁମ ବାଇକ୍ ର ଶବ୍ଦ ମୁଁ ଵାରିପାରେ ..ତୁମେ ସେଇ ପଟେ ଗଲାପରେ ତୁମ ଦେହର ଗନ୍ଧ ମୁଁ ଅନୁଭବ କରିପାରେ .. ସେଥିପାଇଁ ଧାଇଁ ଯାଏ ଟିକେ ଦେଖିବାକୁ ..ହେଲେ ତୁମେ ଚାଲି ଯାଇଥାଅ କିଛି ବାଟ .. ହତାଶା ବୋଧରେ ଫେରି ଆସେ ..ପ୍ରତିଲିପି ଖୋଲି ତୁମ ଫଟୋ ଦେଖେ.. ଗପ ପଢ଼େ.. ଆଉ ତୁମ ମନସ୍କ ହୋଇ ଯାଏ ଧିରେ ଧିରେ ..

  ତାପରେ ଶୋଇ ପଡ଼େ ଆଖି ବନ୍ଦ କରି ବାସ୍ ତୁମକୁ ଅନୁଭବ କରିବା ପାଇଁ ..

  ସତ କହୁଛି ମାଷ୍ଟରଜୀ ..

ହସୁଥିଲା ବିଶ୍ୱଜିତ୍ ..ଆଉଁସି ଦେଇଥିଲା ମାନସୀ ର ମଥା ..କହିଲା ..

   --- କହିବି ଗୋଟେ କଥା ମାନସୀ ..?

  --- କୁହ ମାଷ୍ଟରଜୀ ..

  --- ଆଉ ଲଭ୍ ୟୁ ..

  --- ମାନେ ?? ବିଶ୍ଵଜିତର ଛାତି ଉପରେ ସେମିତି ଥାଇ ଉପରକୁ ମୁହଁ ତୋଳି ପଚାରିଲା ମାନସୀ ..

  --- ମାନେ ମୁଁ ତୁମକୁ ଭଲ ପାଏ ..

ହସିଦେଲା ମାନସୀ । ପୁଳାଏ ହସର ଅବିର ଫିଙ୍ଗିଦେଲା ସେ ବିଶ୍ଵଜିତର ଛାତି ଭିତରକୁ । ପ୍ରେମ ରଙ୍ଗରେ ରଙ୍ଗୀନ୍ ହୋଇଯାଇଥିଲା ବିଶ୍ଵଜିତର ପ୍ରେମିକ ହୃଦୟ ...

   ଫୁସ ଫୁସ୍ ହେଇ ମାନସୀ କହିଲା,

  --- ବାହାଘର କେବେ ମାଷ୍ଟରଜୀ ?? ଫୁଲଗଛ ସବୁ ନଷ୍ଟ ହେଇଯିବ ଯେ ..

  --- ନଷ୍ଟ ହେଇ ଯାଉ .. ଫୁଲ ସହ ଆମ ବାହାଘରର ସମ୍ପର୍କ କଣ୍ ଯେ ??

 --- ଅଛି ମାଷ୍ଟରଜୀ .. ବାସର ଶେଯ ପାଇଁ ଫୁଲ କୋଉଠୁ ଆସିବ ଯେ ?? ବିନା ଫୁଲ ଶେଯରେ ...

  --- ଚୁପ୍ , ଦୃଷ୍ଟ .. ହସି ହସି ଆଉ ଟିକେ ଜୋର୍ ଭିଡ଼ି ଧରିଲା ବିଶ୍ୱଜିତ୍ .. ମାନସୀକୁ ନିଜ ବାହୁ ବାନ୍ଧନୀରେ ..

  ମନ ଖୋଲି ହସି ଉଠିଲା ମାନସୀ, ସାତ ଫଗୁଣର ଉଛୁଳା ଆବେଗରେ ... ହଠାତ୍ ହସ ବନ୍ଦ୍ କରି କହିଲା 

   --- ୟେ କଣ କରୁଛ ତମେ ..

  --- ମାନେ ??

  --- ଏମିତି ହାଲକା ଭାବରେ କଣ୍ ଯେ .. ଆଉ ଟିକେ ଜୋର୍ କରି ଭିଡ଼ି ଧରନା ମା...ଷ୍ଟ...ର...ଜୀ...

  ଚେନାଏ ଭଲପାଇବାର ହସ ଧୋଇ ଦେଇ ଗଲା ବିଶ୍ଵଜିତର ଉଷ୍ମ ଓଠରେ ...ଆଉ ବିଶ୍ୱଜିତ୍, ଅନନ୍ୟ ଆବେଗରେ ନିଜ ଛାତି ଉପରେ ଭିଡ଼ି ଧରୁଥିଲା ପ୍ରୀତିଲଗ୍ନା ମାନସୀକୁ

    ପ୍ରିୟତମା ର ପାଦ ପାଉଁଜି ର ଛମ୍ ଛମ ଆବାଜ୍ ରେ ...

              🌹❤️🌹


ମତାମତ ଅପେକ୍ଷାରେ

ବିଶ୍ୱ ....


Rate this content
Log in

Similar oriya story from Romance