p- 7 ସମୁଦ୍ର ଓ ଲାଲ୍ ପରୀ
p- 7 ସମୁଦ୍ର ଓ ଲାଲ୍ ପରୀ
ସମୁଦ୍ର ଦେଖିଲେ ମନେ ପଡେ ସେ।
ସମୁଦ୍ରକୁ ପଚାରେ ସେ କେମିତି ଅଛି? ସେ କଣ ମୋ ଭଳି ବଡ଼ ହୋଇ ଗଲାଣି ? ଆହୁରି ଧୀରେ ପଚାରେ ସେ ମୋତେ ମନେ ପକାଏ କି ? ଖେଳିବାକୁ ,ଟିଫିନ୍ ଖାଇବାକୁ ଡାକେ କି ?
ସମୁଦ୍ର କିଛି କୁହେ ନାହିଁ । ଭୀମକାନ୍ତ ରୂପକୁ ଦେଖେଇ ସୁ ସୁ ଗର୍ଜନ କରି ମୋତେ ଡ଼ରାଏ । ମୁଁ କଣ ଡରିବା ପିଲା ! ତା ଭିତରେ ବା ମୋ ସେ ଅଛି ?
ସେ କିଏ ?
ସେ ମୋ ପିଲାଦିନର ଅତି ଘନିଷ୍ଠ ଅସ୍ପଷ୍ଟ ଛାଇଟିଏ।
ଯାହାକୁ ମନେ ପକେଇଲେ ଝାପ୍ସା ଝାପ୍ସା ଦିଶେ ଗୋଟେ ମୁହଁ। କାନରେ ଶୁଭିଯାଏ ବଂଶୀ ଇ ଇ ଇ...।ଚମକି ପଡେ ମୋ ଭିତରେ କିଏ ମୋ ନାଁ ଧରି ଡାକୁଛି ! ପ୍ରତ୍ୟେକ ମୁହୂର୍ତ୍ତ,ଗଛଲତା, ବହି ଖାତା, ସ୍କୁଲ, ଟିଫିନ୍ ଖାଇବା ସମୟ,ଫୁଲର ଦୋଳି ଖେଳା,ପବନର ସୁସୁରି ସବୁଠି ଅନୁଭବ କରିଛି ତାର ଅନୁପସ୍ଥିତି । ଅନୁପସ୍ଥିତି ଭିତରେ ଅନୁଭବ କରିଛି ଗୋଟିଏ ସୂକ୍ଷ୍ମ ଉପସ୍ଥିତି ।ସେ ମୋର ଥିଲା। ତାକୁ ସମୁଦ୍ର ନେଇଗଲା । ଯେଉଁଥିପାଇଁ ସମୁଦ୍ର ମୋର ପ୍ରିୟତମ। ସମୁଦ୍ର ଦେଖିଲେ ପଚାରେ ସେ କେମିତି ଅଛି ?
ସମୁଦ୍ର ମୋତେ ସମ୍ମୋହିତ କରେ, ହାତ ଠାରି ଡାକେ। ସମୁଦ୍ର ଡାକେ କି ମୋ ପରୀ ମୁଁ ବୁଝି ପାରେନା। କେତେଥର ମନ୍ତୁରା ପାଣିରେ ବେହୋସ୍ ହେଲାପରି ସମୁଦ୍ର ଭିତରକୁ ପଳେଇଛି।ଉବୁଦୁବୁ ହୋଇଛି।ଦର ମଲା ଅବସ୍ଥାରେ ଉଦ୍ଧାର କରିଛନ୍ତି ନୋଳିଆ ମାନେ। ସେଥିପାଇଁ ମୋତେ କଡା ତାଗିଦା ସମୁଦ୍ର ପାଖକୁ ଯିବା ଛାଡ଼ ତା କଥା ଭାବିବା ବି ମୋତେ ମନା।
ମୋତେ କିନ୍ତୁ ସମୁଦ୍ର ମନ୍ତ୍ର ମୁଗ୍ଧ କରେ।ତା ବେଳାଭୂମିରେ କ୍ଷଣେ ଚୁପଚାପ୍ ବସିଗଲେ ପ୍ରଶାନ୍ତିରେ ଭରିଯାଏ ମନ। ପାଣିକୁ ତାର ବାଲି ସହ ଚବ ଚବ କରିବାରେ ଥାଏ ମହଣ ମହଣ ଖୁସି। ଆଖି ପାଉ ନଥିବା ନୀଳ ଜଳରାଶିକୁ ଦେଖି ଭାବ ମଗ୍ନ ହେଉ ହେଉ କେବେ କେବେ ଅଦ୍ଭୁତ ରୋମାଞ୍ଚ ସ୍ୱପ୍ନ ଦେଖେ। ସ୍ୱପ୍ନର ପାଣି ଜାହାଜରେ ବୁଲି ଯାଏ ଦରିଆ ରାଜା ଘର। ଅଥଳ ଜଳ ତଳେ ସମୁଦ୍ର ନଅର। ସେଠି ଥାଆନ୍ତି ନନା ପ୍ରକାରର ସାମୁଦ୍ରିକ ଯିବ, ସମୁଦ୍ର ପରି । ସବୁ ଖାଲି ନୀଳ ନୀଳ।ଘର,ସହର,ରାସ୍ତାଘାଟ, ବାଡ଼ି ବଗିଚା,ଫୁଲଫଳ, ଯେତେ ପ୍ରକାର ଜୀଵଜନ୍ତୁ ସମସ୍ତେ ଦେଖିବାକୁ ନୀଳ ନୀଳ। ସେଇ ନୀଳ ନୀଳ ନଅରରେ ପରୀ ବି ମୋର ଗୋଟେ ନୀଳ ଜଳପରୀ ହୋଇ ରହିଛି। ଦେଖୁଛି ମୋତେ କିନ୍ତୁ ଚିହ୍ନି ପାରୁ ନାହିଁ।
ତୁ କିଏ ?
ତୋ ବଂଶୀ ।
ବଂଶୀ ! ସେ କିଏ ? ମୁଁ ତ ତାକୁ ଜାଣିନି।
ଜାଣିନୁ ? ମନେ ପକା। ପିକନିକ।ଆମ ବାପା ମାଆ ,ତୋର ଆଉ ମୋର।
ବାପା ମାଆ !
ସମୁଦ୍ରରେ ରହି ତୁ ମାଟି କଥା ଭୁଲି ଯାଇଛୁ।
ତୁ ପରୀ ମାନେପକା।
ପରୀ ଆଉ ବଂଶୀ ପିଲାଦିନର ସାଙ୍ଗ । ଅତି ଘନିଷ୍ଠ। ପରୀ ଏବଂ ଆମ ଦୁଇ ପରିବାର ଦିନେ ପିକନିକ କରି ଆସିଥିଲୁ ପୁରୀ। ସମୁଦ୍ରକୂଳେ ସମସ୍ତେ ବୁଲୁଥିଲୁ । ସମୁଦ୍ର ଢେଉ ସୁ ସୁ ଗର୍ଜନ କରି ଆମକୁ ଛୁଇଁବାକୁ ତଡିତ୍ ବେଗରେ ଦଉଡି ଆସୁଥିଲା । ପରୀ ଓ ମୋ ପାଦ ତଳୁ ବାଲି ତାଡି ନେଉଥିଲା । ଆମେ ତାଳି ମାରି ହସୁଥିଲୁ।ଖୁବ୍ ମଜା ଲାଗୁଥିଲା। ବୟସ ମାଆ କହୁଥିଲା ଆମ ଦୁହିଁଙ୍କର ଜଷ୍ଟ ଚାରି ପୁରି ପାଞ୍ଚ ଛୁଇଁଥିଲା। ହଠାତ୍ ଭେଟ ହୋଇଗଲା ପରୀ ବାପାମାଆଙ୍କର ସାଙ୍ଗ।ସେମାନେ କଥାରେ ମଜ୍ଜି ଗଲେ। ଆମେ ମଜ୍ଜିଲୁ ସମୁଦ୍ର ପାଣି, ବାଲି ଓ ସୁ ସୁ ଗର୍ଜନ ସହ।
ହଠାତ୍ ବଡ଼ ଢେଉଟିଏ ଆସି ଭସେଇ ନେଲା ଆମ ଦୁହିଁଙ୍କୁ ସମୁଦ୍ର ଭିତରକୁ। ଆମେ ଦୁହେଁ ହାତ ଧରାଧରି ହୋଇ ବିନା ଭୟରେ ଖୁସିଥିଲୁ ,ହସୁଥିଲୁ ପାଣି ଉପର ତଳ ହୋଇ। ଅଧିକ ପାଣି,ବଡ଼ ବଡ଼ ଢେଉ ଆମ ଦୁହିଁଙ୍କ ହାତ ହୁଗୁଳା କରିଦେଲା। ପରୀ ଭାସି ଗଲା ଆହୁରି ଆଗକୁ । ମୁଁ ଚେଷ୍ଟା କରୁଥିଲି ତା ପାଖକୁ ଯିବାକୁ।କିନ୍ତୁ ଢେଉ ମୋତେ ପାଣିରେ ବୁଡେଇ ଠେଲି ଦେଉଥିଲା କୁଆଡେ।
ଲୋକଙ୍କ ପାଟି ପଡିଗଲା ,ଆରେ ପିଲା ଦୁଇଟି ଭାସି ଗଲେ। କେହି ତ ଉଦ୍ଧାର କର । ଆରେ ବୁଡି ଗଲେ ହଁ ହଁ ଦିଶିଲେ କହି କେତେଜଣ ସମୁଦ୍ର ଭିତରକୁ ମାରିଲେ କୁଦା। ଜୋରେ ଢେଉ ଆଗକୁ ଯାଇ ହେଉନି ।
ଲୋକଙ୍କ ପାଟି ତୁଣ୍ଡରେ ଆମ ବାପା ମାଆ ପିଲା ! ଆମ ପିଲା କାହାନ୍ତି ? ପରୀ ବାବା ଢେଉ କାଟି ପଶିଗଲେ ସମୁଦ୍ର ଭିତରକୁ। ମୋ ବାପା ଫୋନ୍ କରି ପୋଲିସ୍ ଓ ନୋଳିଆଙ୍କୁ ଡାକିଦେଲେ। ପରୀ ବାପା ବି ବୁଡି ଯା ଉଥିଲେ। ନୋଳିଆ ମାନେ ଟାଣି ଆଣିଲେ। ତାଙ୍କ ହାତରେ ଥିଲା ମୋ ଅବଶ ଶରୀର ଏବଂ ପରୀ ମୁଣ୍ଡର ନାଲି ବ୍ୟାଣ୍ଡ।
ପରୀ ନାଲି ରଙ୍ଗ ଭଲ ପାଏ। ଖଣ୍ଡେ ଦୁରେ ସମୁଦ୍ର ଭିତରେ ଭାସୁଥିଲା ନାଲିଆ ଗୋଟେ କଣ ? ହସ୍ପିଟାଲରେ ପରି ବାବା ଓ ମୁଁ ଚିକିତ୍ସିତ ହେବାକୁ ଗଲୁ। ମାଆ କୁହେ କେଇ ଘଣ୍ଟା ପରେ ଖୋଜି ଖୋଜି ନୋଳିଆ ମାନେ ଆଣିଥିଲେ ମୋ ଲାଲ ପରୀର ନିଥର ଦେହ।
ସେବେଠାରୁ ସମୁଦ୍ର ପ୍ରେମରେ ମୁଁ ।କାରଣ ମୋ ଲାଲ ପରି ଜଳପରୀ ହୋଇ ଅଛି ଯେ ତା ଭିତରେ । ଯେବେ ସମୁଦ୍ର ସହ ଭେଟ ହୁଏ ମୁଁ ଡାକେ ଲାଲ ପରୀ ତୁ କେଉଁଠି ?
