★ନନା ଙ୍କ ଚା★
★ନନା ଙ୍କ ଚା★


ଆମ ଘର ଟି ପୁରୁଷକୈନ୍ଦ୍ରିକ ପରିବାର ଥିଲା। ସବୁ କ୍ଷେତ୍ର ରେ ନନା ଙ୍କ ନିଷ୍ପତ୍ତି ଥିଲା ଚୂଡାନ୍ତ। ୧୪ବର୍ଷ ବୟସ ରେ ନନା ଙ୍କ ହାତ ଧରିଥିବା ବୋଉ ବି ନନା ଙ୍କ ଇଛା ଓ ଅନିଚ୍ଛା କୁ ପ୍ରାଧାନ୍ୟ ଦେଇ ଆସିଛି ସବୁ ବେଳେ। ନନା ଙ୍କ ରୁଚି ଅନୁଯାୟୀ ରୋଷେଇ ,ଘର ସଜ୍ଜା,ସବୁ କିଛି। ବଡ ହେଲା ପରେ ବହୁତ ଥର ତାକୁ ପଚାରିଛି ତୋର କଣ କିଛି ଇଛା ହୁଏନି। ବୋଉ କୁହେ "ମାଈ ପିଲା ର ଗୋଟେ ମନ କଣ"
ନନା ଅଳତା ସିନ୍ଦୁର ଠୁ ନେଇ ବୋଉ ର ଗୁଡାଖୁ ପର୍ଯ୍ୟନ୍ତ ସବୁବେଳେ ଯତ୍ନବାନ ଥାନ୍ତି। ଯାହା ଆଜି କା ସମୟ ରେ ଦେଖିବାକୁ ମିଳେନି। ପୁରୁଷ ଟିଏ ସ୍ତ୍ରୀ ପାଇଁ ବାପା ମା ଙ୍କୁ ଛି ଛାକର କରେ। କିନ୍ତୁ ନନା ବୋଉ ଙ୍କ ଭିତରେ ଭୟ ,ଭଲ ପାଇବା ଓ ସମ୍ମାନ ସବୁ କିଛି ଦେଖିବାକୁ ମିଳେ। ବୋଉ ଯେମିତି ନନା ଙ୍କ ପସନ୍ଦ କୁ ପ୍ରାଧାନ୍ୟ ଦିଏ ନନା ସେମିତି ବୋଉ ହାତ ଚା ଛଡା ଆଉ କାହା ହାତ ଚା' ପିଇବେନି,ବୋଉ କିନ୍ତୁ ସେହି ଚା ର ସ୍ୱାଦ କେମିତିକା ଦିନେ ବି ଚାଖିନି।
ନନା ଙ୍କ ବୟସ ଧୀରେ ଧୀରେ ବଢ଼ୁଥିଲା। ପୁଅ ଝିଅ ଙ୍କ ବିବାହ ସାରିଥିଲେ। ନାତି ନାତୁଣୀ ଙ୍କ ଗହଣରେ ଆନନ୍ଦ ରେ କଟୁଥିଲା ଦିନ। ପିଲାଦିନୁ ଦେଖୁଥିଲି ବୋଉ ଅଧା ଗିଲାସ ଚା ଆଉ ଗୋଟିଏ ପ୍ଲେଟ ଦିଏ ନନା ଙ୍କୁ। ଆମେ ଭାଇ ଭଉଣୀ ମାନେ ଟିକେ ପାଠ ପଢିଲା ପରେ ,ବୋଉ ଙ୍କୁ କହୁ"କଣ ତୁ ନନା ଙ୍କୁ ଚା ଦେଉଛୁ ନା ପଣା?"
ଆରେ ତୁମେ ମାନେ ଆଉ ନନା ଙ୍କ ଚା ରେ ନଜର ପକାଅ ନାହିଁ।
ଏବେ ଦେଖୁଥିଲି ନନା ସାନ ଭାଇ ପୁଅ ସିନୁ କୁ ପାଖ କୁ ଡାକି ପ୍ଲେଟ ରେ ଚା ଥଣ୍ଡା କରି ଦେଉଛନ୍ତି,ଯେମିତି ମୋ ଝିଅ କୁ ପିଲାଦିନେ ଦେଉଥିଲେ। ଅଜାଙ୍କ ଚା ରେ ଭାଗ ବସେଇ ଝିଅ ମୋର ଖୁବ ଖୁସି ହେଉଥିଲା। ସିନୁ ବି ବୋଧହୁଏ ପ୍ରତିଦିନ ବାପା ଙ୍କ ଠାରୁ ଚା ପିଉଥିଲା ତେଣୁ ଲୁଚିକି ତାଙ୍କ ପଛପଟେ ଠିଆ ହୋଇଥିଲା। ଚା ପିଉ ବାପା ଙ୍କୁ କହୁଥିଲା,"ଜେଜେ ବାପା ,ଜେଜେ ମା ଏତେ ଟେଷ୍ଟ କରି କେମିତି ଚା ବନାନ୍ତି।" ବୋଉ ର ଚା ସତରେ ନିଆରା ଭାଉଜ କିମ୍ବା ଆମେ ଝିଅ ମାନେ ଚା କଲେ ନନା ତୁରନ୍ତ ଜାଣିଦିଅନ୍ତି। ମୋ ଚା କାଳେ ନନା ଙ୍କୁ ଭଲ ଲାଗିବ ବୋଲି ମୁଁ ଅଦା ,ଗୋଲମରିଚ ଗୁଣ୍ଡ ପକାଇ ଦିଏ ,ନନା କୁହନ୍ତି,"ଏଇଟା ଚା ନା ମସଲା ପାଣି?"ମୁଁ ବି ବୁଝିପାରେନି ବୋଉ କେବଳ କ୍ଷୀର,ଚିନି ଆଉ ଅଳ୍ପ ଚା ଗୁଣ୍ଡ ରେ ଏମିତି ଚା କେମିତି କରେ? ହୁଏତ ନନା ଙ୍କ ପ୍ରତି ସେଇଟା ବୋଉ ର ଗଭୀର ଭଲ ପାଇବା ଥିଲା ଯାହା ଚା ଦେଇ ସବୁଦିନ ପ୍ରବେଶ କରୁ ଥିଲା ନନା ଙ୍କ ହୃଦୟକୁ।
ଆଜି ସକାଳୁ ଭାଇ ର ଫୋନ ଆସିଥିଲା ଅପା,"ନନା କାଇଁ ବାନ୍ତି କରୁଛନ୍ତି ଦୁଇଦିନ ହେଲା। ଆମେ ଭୁବନେଶ୍ୱର ଯାଉଛୁ ତୁ ଟିକେ ଏମ୍ସ ରେ ଟିକେଟ କରିଦେ। "ନନା ଙ୍କ ବୟସ ୮୦ ଟପିସାରିଥିଲା ଏଇ ସମୟ ରେ କୌଣସି ଅସ୍ତ୍ରୋପଚାର ପାଇଁ ଆମେ ଇଛା କଲୁନାହିଁ। ମେଡିସିନ ଦ୍ୱାରା ନନା ଭଲ ହେଇଯିବେ ବୋଲି ଆମେ ବୋଉ କୁ ବୁଝାଇଲୁ। ନନା ଙ୍କ ସ୍ୱାସ୍ଥ୍ୟ କଥା ବୋଉ କୁ ଲୁଚାଗଲା ସବୁଥିରେ ଥାଏ ନନା ଙ୍କୁ ବାରଣ। କେବଳ ଭାତ ସଂତୁଳା ,ବା ରୁଟି ଓ କମ ତେଲ ମସଲା ରେ ଭଜା ଆଉ ଚ ପିଇବା ସମ୍ପୁର୍ଣ୍ଣ ମନା। ନନା ସମ୍ପୂର୍ଣ୍ଣ ସୁସ୍ଥ ହୋଇଉଠୁଥିଲେ । ବୋଉ କିନ୍ତୁ ଆଉ କାମକୁ ପାରୁନଥିଲା। ଗାଁ ମାଟି ର ମୋହ ତୁଟାଇ ଦୁହେଁ ସହର କୁ ଆସିଲେ । ଅଧ ଗିଲାସ ଚା ପିଉଥିବା ନନା ,ବୋହୁ ହାତରୁ ଗୋଟିଏ ଢ଼ୋକ ଚା ଏକ କପ ରେ ଦେଖିବା ପରେ କାହିଁକି କେଜାଣି ତାଙ୍କ ଆଖିରୁ ଦୁଇବୁନ୍ଦା ଅଶ୍ରୁ ଝରିପଡୁଥିଲା।
ବୋଉ ମଧ୍ୟ ଥିଲା ନିରୁପାୟ,କିଶୋରୀ ବୟସ ରୁ ବିବାହ କରି ନଣନ୍ଦ ,ଶାଶୂ ,ଶଶୁର ,ପିଲା ଛୁଆ କାହା ପ୍ରତି ସେ ଅବହେଳା କରେନି। କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ରୂପେ ଥକି ଯାଇଛି ତଥାପି ପରଦିନ ସକାଳୁ ଯାଇ ନନା ଙ୍କ ପାଇଁ କରିଆଣିଲା ଚା। ବୋହୁ ର ଉଗ୍ର ରୂପ ଯେ ଏଭଳି ଥିବ ସେ ସ୍ୱପ୍ନ ରେ ବି ଭାବିନଥିଲା। ଉଚ୍ଚ ସ୍ୱରରେ ବୋହୁ କହୁଥିଲା,"ଅଧ ଗିଲାସ ଚା ଅଭ୍ୟାସ ତୁମେ ହିଁ କରେଇଛ ନନା ଙ୍କୁ,ଆଉ ସେଥିପାଇଁ ହିଁ ସେ ଅସୁସ୍ଥ ହେଲେ,କ୍ଷୀର ଲିଟର ସହର ରେ ପଚାଶ ଟଙ୍କା ଏତେ ବହଳିଆ ଚା କଲେ ଦୁଇ ଥର ଚାରେ ତ ଅଧା ଲିଟର କ୍ଷୀର ଚାଲିଯିବ। ଆଉ ପିଲାମାନେ ପିଇବେ କଣ?" କିନ୍ତୁ ପ୍ରକୃତପକ୍ଷେ ଭାଇ ର କଡା ତାଗିଦ ଥିଲା ଭାଉଜ ଙ୍କୁ ଯେ ଡାକ୍ତର ଚା ପିଇବା କୁ ମନା କରିଛନ୍ତି ,ଚା ତାଙ୍କ ପାଇଁ ବିଷତୁଲ୍ୟ ଏବେ।
ପରଦିନ ସକାଳୁ ସହର ଛାଡି ନନା ଗାଁ ମୁଁହା ହୋଇଥିଲେ। ବୋଉ ବାରମ୍ବାର ନନା ଙ୍କୁ ବୁଝାଉଥାଏ,"ନିଜ ପିଲାଙ୍କ ଉପରେ ରାଗ କଣ,ବୋହୁ ଠିକ କହିଛି,ମୁଁ ଅଲକ୍ଷଣୀ ଯୋଗୁଁ ହିଁ ତୁମ ଦେହ ଖରାପ ହେଲା। "ନନା କିନ୍ତୁ ପୁରା ଚୁପ ଭାଉଜ ଭାଇ କୁ ଫୋନ ଯୋଗେ ଜଣାଇଦେଲେ ଯେ ସେମାନେ ଗାଁ ଚାଲିଆସିଛନ୍ତି। ଭାଇ ଭାଉଜ ଙ୍କ କ୍ଷମା ପ୍ରାର୍ଥନା ସତ୍ତ୍ୱେ ସେ ଆଉ ସେଠାକୁ ଯାଇନଥିଲେ।
ଗାଁ କୁ ଆସିଲା ପରେ ପୁଣି ନନା ଙ୍କ ଚା ପିଆ ଅଭ୍ୟାସ ଚାଲୁରହିଥିଲା। କିନ୍ତୁ ବୋଉ ହଠାତ ହାର୍ଟ ଷ୍ଟ୍ରୋକ ରେ ଚାଲିଯାଏ ,ବୋଉ ମଥାରେ ସିନ୍ଦୁର ହାତରେ ଶଙ୍ଖା ନନା ପିନ୍ଧାଇ ଥିଲେ । ସବୁଦିନ ପାଇଁ ଚାଲିଗଲା ବୋଉ ସଧବା ହୋଇ। ବୋଉ ଚାଲିଗଲା ପରେ ନନା ଙ୍କ ହୋଇଥିଲା ଅଦ୍ଭୂତପୂର୍ବ ପରିବର୍ତ୍ତନ। ନିଜର ଜୀବନ ର ଅବିଛେଦ୍ୟ ଅଙ୍ଗ ହୋଇଉଠିଥିବା ଚା କୁ ଆଉ କେବେ ବି ପିଇ ନଥିଲେ,ଆଉ ଚା ପିଉଥିବା ଗ୍ଲାସ ଆଉ ପ୍ଲେଟ ଦେଖିବା ମାତ୍ରେ ଅନ୍ୟମନସ୍କ ହୋଇଉଠୁଥିଲେ। ଆଖିର ଲୁହ ସିନା ଲୁଚିଯାଉଥିଲା କିନ୍ତୁ ତାଙ୍କ ଛାତିର କୋହ ସୁଚାଇଦେଉଥିଲା ବୋଉ ପ୍ରତି ତାଙ୍କ ଗଭୀର ପ୍ରେମକୁ। ଆଉ କେବେ କେଉଁଠି କିଏ ଟିକେ ଚା ଯାଚିଲେ କହି ଉଠୁଥିଲେ ,"ଯିଏ ଅତି ସରାଗ ରେ ଚା କରି ଦେଉଥିଲା ସିଏ ତ ନାହିଁ,ତା ହାତ ତିଆରି ଚା ଥିଲା ଅମୃତ ଯାହା ର କୌଣସି କୁପ୍ରଭାଵ ମୋ ଉପରେ ପଡୁନଥିଲା। ଆଉ ଚା କାହିଁକି ପିଇବି?"
ନନାଙ୍କ ବିଷୟରେ ଭାବୁ ଭାବୁ ଶଶୁର ଙ୍କ ହାତ କୁ ଚା କପ ଟି ବଢ଼େଇଦେଲି। ଶଶୁର କହିଉଠିଲେ ,"କଣ ଝିଅ ଇଏ ତୁମ ନନାଙ୍କ ଚା ? "କାରଣ ଶଶୁର ବହୁତ କମ ଚା ପିଅନ୍ତି ମୁ ବୋଉ ଆଉ ନନାଙ୍କ କଥା ଭାବୁ ଭାବୁ ଅଧା ଗିଲାସ ଚା ତାଙ୍କୁ ଦେଇଦେଇଥିଲି। ନନା ଙ୍କ ଚା ଯେ ଆଜି ବହୁତ କଷ୍ଟ ଦେଉଥିଲା ମତେ ଦିନେ ଯେଉଁ ଅଧଗିଲାସ ଚା ଦେବା ପାଇଁ ପୁରା ପରିବାର ବୋଉ ର ବିରୋଧୀ ହୋଉଥିଲା, ଆଜି... ବୋଉ ନାହିଁ ଆଉ ନନା ଙ୍କ ଚା ବି