Sambit Srikumar

Abstract Tragedy Others

4.3  

Sambit Srikumar

Abstract Tragedy Others

ନଳା

ନଳା

8 mins
223



"ବୁଝିଲେ ବିଶ୍ବାଳ ବାବୁ! ଏଇ ଦରଦାମ୍ ଯାହା ହେଲାଣି, ଏତିକି ପାଉଣାରେ ବିଲ୍ ଫାଇଲଟା ପାସ୍ କରିବା ଆଉ ସମ୍ଭବ ନୁହେଁ! ଆମର ପାଉଣାଟା ଆଉ ଟିକେ ବଢନ୍ତୁ। ଉପରବାଲାଙ୍କୁ ଦେଲା ବେଳକୁ ତ ମନଖୋଲି କରି ଦେଉଛନ୍ତି, ଆମ ବେଳକୁ କିଆଁ ଏମିତି କୁନ୍ଥେଇ ହେଉଛନ୍ତି? ଉପରବାଲା ତ ଆସିବେ ଆଉ ଯିବେ। ଏମିତି କେତେ ଗଲେଣି ଆଉ ଆସିଲେଣି। ଆମେ ତ ହେଲୁ ଏଠିକାର ଥାନପତି। ଏଠିକାର ସ୍ଥାୟୀ କର୍ମଚାରୀ ଆଉ ସ୍ଥାନୀୟ ବାସିନ୍ଦା। ଆମେ ହିଁ ତ ଆପଣଙ୍କ ବିଲ୍ ପାସ୍ କରିବୁ ପୁଣି ଆମ ବେଳକୁ ଏମିତି ଜାକି ହେଲେ କଣ ଚଳିବ? ଆମର ତ ପୁଣି ଘରସଂସାର ଅଛି, ଏଇ ମହରଗ ଯୁଗରେ ଆମେ କେମିତି ଚଳିବୁ କହିଲେ? ନିଜର ପାନଖିଆ ପାଟିରେ ପାନ ଚୋବାଇ ଚୋବାଇ କହୁଥିଲେ ପୁରୀ ମୁନିସିପାଲିଟି ଅଫିସ୍.ର ବଡ଼ବାବୁ ହୃଦୟ ରଞ୍ଜନ ସାହୁ। 

ବଡ଼ବାବୁଙ୍କ ଦ୍ବାରା ମଜାଳିଆ ଢଙ୍ଗରେ କୁହାଯାଇଥିବା କଟୁ କଥା ଶୁଣି ନିଜର ନିଲଠା ମୁହଁରେ ସ୍ମିତହାସ୍ୟ ରେଖା ଫୁଟାଇ ଠିକାଦାର ବୀରଭଦ୍ର ବିଶ୍ଵାଳ କହିଲେ,"ସାର୍! ଆପଣ ତ ଜାଣୁଛନ୍ତି ମହଙ୍ଗା ବଜାର ସାଙ୍ଗରେ ମୁଲିଆ ମଜୁରୀ ବି ଦିନକୁ ଦିନ ହୁ ହୁ ହୋଇ ବଢୁଛି। ତାଉପରେ ଆପଣଙ୍କ ଅଫିସ୍.ର ଏଇ ଯୋଉ ପିସି ବ୍ୟବସ୍ଥା, ଅଣ୍ଟା ଭାଙ୍ଗିଦେଲାଣି ଆମ ଭଳିଆ ଛୋଟମୋଟିଆ ଠିକାଦାରଙ୍କର। ଉପରୁ ତଳ ଯାଏଁ ସଭିଙ୍କୁ ଖୁସି କରିବାକୁ ଯାଇ ସବୁ ଯାଉଛି। ହାତକୁ ଦି' ପଇସା ଆସିବାର ନାହିଁ। ବରଂ ହାତରୁ ଆମର ବାଜି ଯାଉଛି ଏମିତି ସମାଜସେବା କରି କରି..." 

ବିଶ୍ଵାଳ ବାବୁଙ୍କ କଥା ବଡ଼ବାବୁଙ୍କ କଟାଘାଆରେ ଚୁନ ଲେପିଲା ଭଳି ଲାଗିଲା। ଫାଇଲ୍ ପାସ୍ କରିବାକୁ ଦଶବର୍ଷ ତଳର ସେଇ କମ୍ ପାଉଣା ପୁଣି ଉପରେ ମୁନାଫାଖୋର ବେଇମାନ୍ ଠିକାଦାର ମୁହଁରେ ସମାଜସେବାର ଭାଷା। ବଡ଼ ଅସହ୍ୟ ମନେ ହେଲା ହୃଦୟ ରଞ୍ଜନ ବାବୁଙ୍କୁ। ସ୍ବଭାବରେ ବେଶ୍ କ୍ଷଣକୋପି ସିଏ। ଥରେ ତାଙ୍କର ମିଜାଜ ବିଗିଡ଼ି ଗଲେ କାହାରି କଥା ଶୁଣନ୍ତି ନାହିଁ। ଏବାବଦରେ ମୁନିସିପାଲିଟି ଅଫିସରେ ସଭିଏଁ ଅବଗତ। କେହି ବି ମୁହଁ ଖୋଲି କିଛି ବି କୁହନ୍ତି ନାହିଁ ତାଙ୍କୁ। ନେତା ଅଫିସର୍ ସମସ୍ତଙ୍କର ଜନ୍ମଜାତକ ତାଙ୍କ ନଖଦର୍ପଣରେ। ବଡ଼ ପାରିବାର ଲୋକ ଏଇ ବଡ଼ବାବୁ ହୃଦୟ ରଞ୍ଜନ ବାବୁ। ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ପୁରୀ ମୁନିସିପାଲିଟି ଅଫିସ୍.ର ସବୁ ହାନିଲାଭ ହିସାବକିତାବ ତାଙ୍କ ଉପରେ ନ୍ୟସ୍ତ। କେଉଁଠି କାହାକୁ କେତେ ଦିଆଯିବ କାହାଠାରୁ କେତେ ନିଆଯିବ ସବୁକିଛି ତାଙ୍କୁ ମାଲୁମ। ଏଣୁ ନିର୍ବାଚିତ ଜନ ପ୍ରତିନିଧି ଅବା ପ୍ରଶାସନିକ ଅଧିକାରୀ କେହିବି ତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାଁନ୍ତି ନାହିଁ। 

କଥା ପ୍ରସଙ୍ଗରେ ତ ସମାଜସେବାର କଥା ବାହାରି ଆସିଲା ଠିକାଦାର ବିଶ୍ଵାଳ ବାବୁଙ୍କ ମୁହଁରୁ। ସେଇ ସମାଜସେବା କଥାକୁ ଶୁଣି କ୍ରୋଧ ଜର୍ଜରିତ ହୋଇ ହୃଦୟ ରଞ୍ଜନ ବାବୁ କହିଲେ, "ଯାହା ତ ନାଳ ନର୍ଦ୍ଦମା ସଫେଇ କାମ କରୁଛ, ତାହା ତ ସଭିଙ୍କୁ ଜଣା ପୁଣି କେଉଁ ମୁହଁରେ କହୁଛ ଯେ, ସମାଜସେବା କରୁଛ ବୋଲି? ସରମ ଯଦି ଟିକିଏ ଥାଆନ୍ତା ତମ ପାଖରେ ଏମିତି କଥା କୁହନ୍ତ ନାହିଁ। ଗଲ ଟିକେ ଦେଖି ଆସିବ ମେଡିକାଲ୍ ଛକ ପାଖ, ଦୁର୍ଗନ୍ଧରେ କେମିତି ନାକ ଫାଟି ପଡୁଛି। କୋଉ ମୁହଁରେ ସମାଜସେବାର କଥା କହୁଛ ହେ? ସେଇଟା ତମର ମୁହଁ ନା ମୁନିସିପାଲିଟି ନଳା ହେ?"

: ଆପଣ ତୁଚ୍ଛାଟାରେ ଏତେ ରାଗୁଛନ୍ତି ସାର୍। ସତ କଥା ତ ମୁଁ କହିଲି। ଆଉ ହେବନି ଏଇ ଠିକାଦାରୀ ଆମ ଦ୍ୱାରା। ସମସ୍ତେ ତ ଖାଲି ଖାଇବେ ଖାଇବେ ବୋଲି ସବାଖିଆ ପରି ଟାକି ବସିଛନ୍ତି। ଯେତେ ଖାଇଲେ ବି ଏମାନଙ୍କ ପେଟ ପୁରୁନି। କେତେ କାହାକୁ ଖୁଆଇବୁ? ଘରବାଡ଼ି ସବୁ ବିକି ଖୁଆଇଲେ ବି ଏମାନଙ୍କ ଭୋକଶୋଷ ମେଣ୍ଟୁ ନାହିଁ। 

: ଠିକାଦାରୀ ଯଦି ନହେଉଛି ଯାଉନ ବଡ଼ଦାଣ୍ଡରେ ବସିବ। ତମ ରୂପଭେକ ଦେଖି ଭଲ ଭିକ ମିଳିବ। ଏଠି ବସି ଏତେ ଭାଷଣ ମାରୁଛ କାହିଁକି? ବିନା ଲାଭରେ କିଏ ବଣିଜ କରେ ନା ତମେ ନୂଆ ନୂଆ କରୁଛ? ଶସ୍ତା ଭାଷଣ ଦେବାକୁ କଣ ପଇସା ପଡୁଛି? ଭଲ ଲୋକ ଦେଖି ବକୁଛ ଆଉ... 

: ଆଜ୍ଞା! ଆଗରୁ ଦରଦାମ କମ୍ ଥିଲା। ଶସ୍ତାରେ ମୁଲିଆ ମିଳୁଥିଲେ। ସବୁ ଠିକ୍ ଠାକ୍ ଚାଲିଥିଲା। ସହରର ଲୋକେ ବି ବେଶ୍ ଶୃଙ୍ଖଳିତ ଥିଲେ। ଆଜିକାଲି ତ ଲୋକେ ଅଳିଆ ଆବର୍ଜନା ଖେଳାଇବାକୁ ଟିକେ ବି ମଉକା ଛାଡୁ ନାହାଁନ୍ତି। ଯେତେ କହିଲେ ବୋଇଲେ ହେଉନି। ଅଳିଆ ସଂଗ୍ରହ ଗାଡ଼ିରେ ନଦେଇ ମନ ଇଛା ଅଳିଆ ଆବର୍ଜନା ଏଣେ ତେଣେ ଫିଙ୍ଗୁଛନ୍ତି। ଯେଉଁଠି ଦେଖିବ କୁଢକୁଢ ଅଳିଆ ଗଦା ହୋଇଥିବ। ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଜରି, ଥର୍ମୋକୁଲ୍ ଥାଳି, କାଗଜପେଟି, ଘରର ଯାବତୀୟ ଅଳିଆ ନାଳ ନର୍ଦ୍ଦମାରେ ଫିଙ୍ଗି ଫିଙ୍ଗି ପୋତି ପକାଇଲେଣି। କେତେ ଆଉ ଖୋଳିବୁ? କେତେ ଆଉ ସଫା କରିବୁ? ନର୍ଦ୍ଦମାରୁ ପଙ୍କ ସଫା କରି କରି ଆମ ଅଣ୍ଟା ନଇଁ ଗଲାଣି। 

: ଗୋଟେ କଥା ଛାତିରେ ହାତ ଦେଇ କୁହ ତ ବିଶ୍ଵାଳ ବାବୁ, ଫି ମାସରେ ତ ନାଳ ସଫା ପାଇଁ ବିଲ୍ ଦେଉଛ, କିନ୍ତୁ ବର୍ଷକୁ କେଇ ଥର ମନଧ୍ୟାନ ଦେଇ ସମ୍ପୂର୍ଣ୍ଣ ଭାବେ ସଫା କରୁଛ? 

: କଣ କହିବି ସାର୍... ସବୁ ତ ଆପଣଙ୍କୁ ଜଣା। ତଳୁ ଉପର ଯାଏଁ ଆପଣଙ୍କ ଅଫିସ୍ ଲୋକ ଆଉ ବିଶେଷ କରି ଆପଣଙ୍କର ଦୟାରୁ ତ ସବୁ ଠିକ୍ ଠାକ୍ ଚାଲିଛି। ଛାଡ଼ନ୍ତୁ ସେସବୁ କଥା। ଆଉ ରାଗନ୍ତୁ ନାହିଁ କି ସେ ପୁରୁଣା ଅଳିଆ ଘାଣ୍ଟନ୍ତୁ ନାହିଁ। ମୁଁ ଗଜମୁର୍ଖ, ମୋ ମୁଣ୍ଡରେ ପୁଜ।ସବୁ ଭୁଲ୍ ମୋର। ମୋ ମଥାରେ ଶହେ ଜୋତା ପାହାର ଦିଅନ୍ତୁ। ଆପଣ ଯାହା କହିବେ ସବୁ କରିବି। ଦୟାକରି ବିଲ୍ ଫାଇଲଟା ପାସ୍ କରେଇ ଦିଅନ୍ତୁ। ସନ୍ଧ୍ୟା ବେଳକୁ ମିଠା ସହିତ ପୁଡିଆ ଧରି ମୁଁ ନିଜେ ଆପଣଙ୍କ ଘରେ ହାଜର ହେବି। 

ଠିକାଦାର ବିଶ୍ଵାଳ ବାବୁଙ୍କ ନରମ ସ୍ୱରରେ ଶେଷ ପଦିକ ଲହୁଣୀମଖା ଚିକ୍କଣିଆ କଥା ଶୁଣି ହୃଦୟ ରଞ୍ଜନ ବାବୁଙ୍କ ହୃଦୟ ଦୟା ଭାବରେ ରଞ୍ଜିତ ହୋଇ ଉଠିଲା। ମନ ଗଦଗଦ ହୋଇଗଲା ମନୋବାଞ୍ଛା ପୂର୍ଣ୍ଣ ହୋଇଥିବାରୁ। ଏଇ ବିରଭଦ୍ର ବିଶ୍ଵାଳ ହିଁ ମୁନିସିପାଲିଟିର ସବୁଠାରୁ ବଡ଼ ଠିକାଦାର। ପିଲାଦିନେ ସିଏ ମୂଲ ଖଟିବା ପାଇଁ ଏଇ ସହରକୁ ଆସିଥିଲା କେଉଁ ଅପାଣ୍ଡବା ଗାଁରୁ। ହାତରେ ଝାଡୁ ଧରି ଦାଣ୍ଡ ସଫା କରୁଥିଲା। ମନ ଲଗାଇ କାମ କରୁ କରୁ ଆଜି କଣ୍ଟ୍ରାକ୍ଟର ପାଲଟିଗଲାଣି। କୋଟି କୋଟି ଟଙ୍କାର କାରବାର ତାର। ପୁରୀ ସହରର ସମୁଦ୍ର କୂଳରେ ଦୁଇ ଦୁଇଟି ସୁରମ୍ୟ ହୋଟେଲ୍ ତିଆରି କରିଛି ସେ ଏଇ ନାଳ ନର୍ଦ୍ଦମା ସଫେଇ ପଇସାରେ। ନିଜ ହାତରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇଛନ୍ତି ବଡ଼ବାବୁ ହୃଦୟ ରଞ୍ଜନ ସାହୁ ମହୋଦୟ। କିନ୍ତୁ ସବୁଥର ତାଙ୍କର ପ୍ରାପ୍ଯ ପାଇବା ବେଳକୁ ବିଶ୍ବାଳ ଠିକାଦାର ତା'ର ପୁରୁଣା ଅଭ୍ୟାସ ମୁତାବକ ଏମିତି ଅଜବ ଗଜବ କଥା କହି ତାଙ୍କ ମଥା ଘୁରାଇ ଦେବାକୁ ଅପଚେଷ୍ଟା କରେ। ପୁଣି ଦି ପଦ କଡ଼ା କଥା ଶୁଣିଲେ ବାଟକୁ ଆସେ। କିହୋ ଉପରବାଲାଙ୍କ ସାମ୍ନାରେ ତ ଏମିତି ତେରିମେରି ହେଉନ। ଆମ ବେଳୁ କିଆଁ ଏତେ ଭେଳିକି? ଭଲରେ ବୁଝେଇ ଶୁଝେଇ କହିଲେ ମାନିବେନି। ସିଧା ଆଙ୍ଗୁଳିରେ କଣ କେବେ ଘିଅ ବାହାରିଲାଣି ନା ଏବେ ବାହାରିବ? 

ସେଦିନ ସନ୍ଧ୍ୟାରେ ବଡ଼ବାବୁଙ୍କ ଘରେ ନିଜର କଥା ମୁତାବକ ସଠିକ୍ ସମୟରେ ପହଞ୍ଚିଗଲେ ଠିକାଦାର ବୀରଭଦ୍ର ବିଶ୍ଵାଳ। ଢେର୍ ସମୟ ଧରି ଖୁସିବାସିରେ କମ୍ପି ଉଠୁଥିଲା ଘରର ବୈଠକଖାନା। ଅଧରାତି ଯାଏଁ ନାଲିପାଣିର ରଙ୍ଗୀନ୍ ଆସର ଜମିଥିଲା ଦୁହିଁଙ୍କର। ପରଦିନ ସାଢ଼େ ଦଶଲକ୍ଷର ନାଳ ସଫେଇ ବିଲ୍ ପାସ୍ ହୋଇଗଲା ଅକ୍ଲେଶରେ ବିଶ୍ଵାଳ ବାବୁଙ୍କର। ସେବେଠାରୁ ଆଉ କେବେ ବି ସେ ବଡ଼ବାବୁଙ୍କୁ ରଗାନ୍ତି ନାହିଁ ଓଲଟାସିଧା କଥା କହି। ବଡ଼ବାବୁ ହିଁ ତାଙ୍କ ପାଇଁ ସାକ୍ଷାତ୍ ଅନ୍ନଦାତା। ନିୟମିତ ବ୍ୟବଧାନରେ ବଦଳୁଥିବା ଉପରବାଲାଙ୍କ ସହିତ ଯାହା ଯେମିତି ହୋଇ ଚଳିଗଲେ ବି ବଡ଼ବାବୁଙ୍କ ବିନା ସବୁ ଅଚଳ। ତେଣୁ ବିଲ୍ ପାସ୍ ସମୟରେ ଉଚିତ୍ ପାଉଣା ଦେଇ ଖୁସି କରାଇଦିଅନ୍ତି ବଡ଼ବାବୁଙ୍କୁ। 

ଏମିତି ଚିରାଚରିତ ଢଙ୍ଗରେ କଟିଚାଲିଲା ଅନେକ ବର୍ଷ। ସରକାର ପରେ ସରକାର ବଦଳେ କିନ୍ତୁ ଅଫିସର ଓ ଠିକାଦାର ମଧୁଚନ୍ଦ୍ରିକା ପୂର୍ବବତ୍ ଚାଲୁ ରହିଥାଏ। ଫିବର୍ଷ ନାମକୁ ମାତ୍ର ନାଳ ନର୍ଦ୍ଦମା ସଫା ହୁଏ। ପରିମଳ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାରେ କୌଣସି ବି ସୁଧାର ଆସେ ନାହିଁ। ମୌସୁମୀ ଆସିଲେ ଅସରାଏ ବର୍ଷାରେ ବଡଦାଣ୍ଡରେ ଅଣ୍ଟାଏ ପାଣିର ସୁଅ ଛୁଟେ। ଲୋକଙ୍କ ଘରେ ନଳାପାଣି ଲହଡି଼ ଖେଳେ। ସତେ ଯେମିତି ମହୋଦଧି ତାର ଲକ୍ଷ୍ମଣରେଖା ଉଲଂଘନ କରି ପୁରୀ ସହରକୁ ମାଡି ଆସିଛି ଅଦିନରେ। କେବେ କେବେ ଗୃହପାଳିତ ପଶୁ ଭାସିଯାଆନ୍ତି ଏଇ ସହରି ବନ୍ଯାରେ। ଖାଲଖମାରେ ପଡି ଲୋକେ ଖଣ୍ଡିଆଖାବରା ହୁଅନ୍ତି। ଦିନେ ଦି'ଦିନ ମିଡିଆ ଠାରୁ ଆରମ୍ଭ କରି ବିରୋଧୀ ଦଳର ନେତା ସଭିଏଁ ହୋହାଲ୍ଲା କରନ୍ତି। ଆନ୍ଦୋଳନ କରନ୍ତି, ଧାରଣା ଦିଅନ୍ତି। ପୁଣି ଟାଣ ଖରା ମାରିଲେ ଏକଥା ସଭିଏଁ ଭୁଲିଯାଆନ୍ତି। କାଗଜପତ୍ରରେ ସହରୀ ବିକାଶ ନିମନ୍ତେ ପ୍ରଣୀତ ନାନାଦି ଯୋଜନାର କାମ ଚାଲେ। ସରକାରୀ ଫାଇଲ୍ ଚାଷରେ ନାଳ ନର୍ଦ୍ଦମା ସଫେଇ ପରିମଳ ବ୍ୟବସ୍ଥା ବେଶ୍ ସରସ ସୁନ୍ଦର ଦିଶେ। "ସ୍ବଚ୍ଛ ସହର ପୁରୀ" ଭାବରେ ବଡ଼ ବଡ଼ ବିଜ୍ଞାପନ ଛକବଜାରର ଶୋଭା ବର୍ଦ୍ଧନ କରୁଥାନ୍ତି। କିନ୍ତୁ ବାସ୍ତବ ସ୍ଥିତି ଭୁକ୍ତଭୋଗୀ ହିଁ ଜାଣନ୍ତି। 

ସେବର୍ଷ ଦଶହରାର ସମୟ। ଗୋସାଣୀ ଯାତ୍ରା ପାଇଁ ପୁରୀ ସହରର ଗଳି କନ୍ଦି ସାହି ବସ୍ତି ନଗର ବିହାର ସବୁଠି ଆନନ୍ଦ ଉଲ୍ଲାସର ବାତାବରଣ। ଏହି ସମୟରେ ପାଣିପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଗଣମାଧ୍ୟମରେ ତୁହାକୁତୁହା ପ୍ରସାରିତ ହେଉଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଥିଲା ଯେ, କଳିଙ୍ଗ ସାଗରରେ ଭୀଷଣ ଅବପାତ ସୃଷ୍ଟି ହେବା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ବର୍ଷିବ ଦୁଇ ଦିନ। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରମ୍ବାର କରି କୁହାଯାଇଥିଲା। ଏସବୁକୁ କେହିବି ବିଶେଷ ଧ୍ୟାନ ଦେଇ ନଥିଲେ କାରଣ ଏମିତି ପ୍ରତିବର୍ଷ ଅନେକ ସତର୍କ ସୂଚନା ଆସେ ବିଶେଷ କରି ପାର୍ବଣ ସମୟରେ କିନ୍ତୁ ବର୍ଷାର ଦେଖାନଥାଏ। ପାଣିପାଗ ବିଭାଗର କାମ ହେଲା କେବଳ ଲୋକଙ୍କୁ ତୁଚ୍ଛାଟାରେ ଡ଼ରାଇବା। ଲୋକେ ସଚେତନ ହୁଅନ୍ତୁ କି ନହୁଅନ୍ତୁ ପାଣିପାଗ ବିଭାଗ ତାର ଏମିତି ଡରାଇବା କାମ ଜାରି ରଖିଥାଏ। 

ଭସାଣୀ ଦିନ ଦ୍ବିପ୍ରହରରେ ଅଚାନକ ଆରମ୍ଭ ହୋଇଗଲା ଘଡ଼ଘଡ଼ି ସହିତ ଭୀଷଣ ବୃଷ୍ଟିପାତ। ଆକାଶର ସବୁ ମେଘ ଏକତ୍ରୀତ ହୋଇ ପୁରୀ ସହରରେ ରଚୁଥିଲେ ତାଣ୍ଡବ। ଚାହୁଁ ଚାହୁଁ ସହରର ରାସ୍ତାଘାଟ ସବୁ ଜଳମଗ୍ନ ହୋଇଗଲା। ତଳିଆ ଅଞ୍ଚଳରେ ଥିବା ସାହିବସ୍ତିରେ ଲହଡି ଖେଳିଲା ବର୍ଷାପାଣି। ଯିଏ ଯେଉଁଠି ଥିଲେ ସେଇଠି ଫସି ରହିଲେ। କେଉଁ ଆଡକୁ ଯିବାର କୌଣସି ସୁଯୋଗ ନାହିଁ। ଘରୁ ବାହାରକୁ ଗୋଡ଼ କାଢ଼ିଥିବା ଲୋକେ ଘରକୁ ଫେରିବାକୁ ବାଟ ପାଉନଥାନ୍ତି। ସବୁଆଡ଼େ ମହୋଦଧି ଭଳି ଦିଶୁଥାଏ। ସେହି ଜଳରେ ଭାସୁଥାଏ ସହରଟାଯାକର ଯାବତୀୟ ଅଳିଆ ଆବର୍ଜନା। ଘୁ ଘୁ ଶବ୍ଦ କରି ପାଣିର ସୁଅ ଛୁଟୁଥାଏ। ଏମିତି ବର୍ଷା ଦୀର୍ଘ ଶହେ ବର୍ଷ ମଧ୍ୟରେ ହୋଇନଥିଲା ବୋଲି ପୁରୁଖା ଲୋକଙ୍କ ମୁହଁରେ ଶୁଣାଯାଉଥାଏ। 

ଦୁଇ ତିନି ଘଣ୍ଟାର ବିଧ୍ବଂସୀ ବୃଷ୍ଟିପାତ ପରେ ଟିକେ ନୀରବି ଗଲେ ଆକାଶର ମେଘମାଳ। ସନ୍ଧ୍ଯା ଆଗତ ପ୍ରାୟ। ତଥାପି ପୁରୀ ସହର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ। ବିଦ୍ୟୁତ ଯୋଗାଣ ବିଛିନ୍ନ। ସମଗ୍ର ସହର ଅନ୍ଧକାରମୟ। ଅଦିନିଆ ବର୍ଷା ଛାଡ଼ି ଯିବା ପରେ ଆପଣା ଆପଣା ବସାକୁ ଫେରିବାକୁ ପକ୍ଷୀମାନେ ବ୍ଯସ୍ତ ବିବ୍ରତ। ବର୍ଷା ପୂର୍ବରୁ ବାହାରକୁ ଯାଇଥିବା ପରିଜନଙ୍କ ଲାଗି ବିବ୍ରତ ଘରେ ରହିଯାଇଥିବା ଆତ୍ମୀୟ ସ୍ବଜନ। କେଜାଣି କାହିଁକି ହୃଦୟ ରଞ୍ଜନ ବାବୁଙ୍କ ମନକୁ ପାପ ଛୁଉଁଥାଏ। ବାର ବାର କରି ମନା କରିଥିଲେ ସେ ପୁଅ ସୌଭାଗ୍ୟକୁ ବାହାରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଶୁଣିବା ପରେ। ବର୍ଷାରେ ବେହାଲ ପୁରୀ ସହରର କଥା ତାଙ୍କ ବିନା ଆଉ କାହାକୁ ଅଧିକ ଜଣା? ଏଇ ଝଡ଼ି ବର୍ଷାରେ ଚୋର ଚଣ୍ଡାଳ ବି ଘରୁ ବାହାରିବେ ନାହିଁ। କିନ୍ତୁ ଏଇ ତ ଆଜିକାଲିର ପିଲା କାହା କହିବାରେ ଅଛି ନା କାହା ଶୁଣିବାରେ ଅଛି। ବାବୁ ବାହାରିଗଲେ ସାଙ୍ଗମାନଙ୍କ ସହିତ ଖଟି କରିବା ପାଇଁ। 

ଚାରି ଚାରିଟା ଝିଅ ପରେ ସୌଭାଗ୍ୟର ଜନ୍ମ। ଏଇ ତାଙ୍କର କୁଳର ଦୀପକ। କେତେ ଆଶା ତା' ଉପରେ ତାଙ୍କର। ତାଙ୍କୁ ପୁତ୍ ନାମକ ନର୍କରୁ ଉଦ୍ଧାର କରିବ। କୁଳକୁ ଆଗକୁ ବଢ଼ାଇବା ସହିତ ପିଣ୍ଡ ପାଣି ଦେବ ପିତୃପୁରୁଷଙ୍କୁ। ଖୁବ୍ ଗେଲବସରରେ ବଢାଇଛନ୍ତି ସୌଭାଗ୍ୟକୁ। ଯେତେବେଳେ ଯାହା ଚାହିଁଛି ସେ ସବୁ ଖଞ୍ଜି ଦେଇଛନ୍ତି ପୁତ୍ରମଣି ପାଇଁ। କିନ୍ତୁ ମାତ୍ରାଧିକ ଗେଲବସରର ଫଳସ୍ବରୂପ ପିଲାଟା ଟିକେ ବିଗିଡି ଯାଇଛି। କଲେଜ୍ ମାଟି ମାଡିବା ପରଠୁ ଆଜିକାଲି ଆଉ କାହାରି କଥା ଶୁଣୁନି। ନିଜ ମନକୁ ଯାହା ଭଲ ଲାଗୁଛି ତାହା କରୁଛି। ହଉ ହେଲା, କୋଉ ନଅଟା କି ଛଅଟା ହୋଇଛି? ଏକୋଇର ବଳା ବିଶିକେଶନ ପରା! ଏଇଟା ତ ତା'ର ବିଗିଡିବାର ବେଳ। ବଳେ ବୟସ ହେଲେ ବୁଝି ଯିବନି ଯେ, ଏତେ ଚିନ୍ତା କାହିଁକି? 

ସନ୍ଧ୍ୟା ଯାଇ ରାତ୍ରି ହେଲା। ଧିରେ ଧିରେ ବଢୁଥିଲା ରାତିର ବୟସ। ରାସ୍ତାଘାଟରୁ କମୁଥିଲା ବର୍ଷାପାଣି। ସହରର ପ୍ରମୁଖ ଇଲାକାରେ ବିଜୁଳି ଯୋଗାଣ ସ୍ଵାଭାବିକ ହେବାକୁ ଲାଗିଥିଲା। ଆପଣା ଆପଣା ନୀଡ଼କୁ ବାହୁଡ଼ି ଆସୁଥିଲେ ପକ୍ଷୀ ଆଉ ଦ୍ବିପଦ ମଣିଷ। ହେଲେ କେଉଁଠି ରହିଗଲା ଏଇ ସୌଭାଗ୍ୟ? ଏତେବେଳ ହେଲାଣି ଘରକୁ ଫେରୁନି କାହିଁକି? ମୋବାଇଲ୍ ବି ଲାଗୁନାହିଁ। ଏତିକିବେଳକୁ ଟିଭି ଚ୍ୟାନେଲ୍ ପରଦାରେ ଚିନ୍ତା ଉଦ୍ରେକକାରୀ ଖବରଟିଏ ପ୍ରସାରିତ ହେଉଥିଲା। "ପୁରୀ ସହରର ମୁକୁଳା ନାଳରେ ସ୍ଵଳ୍ପ ବୟସ୍କ ଯୁବକଟିଏ ବନ୍ଯାଜଳର ତୀବ୍ର ସ୍ରୋତରେ ଭାସିଯାଇଛି"। ଏହି ସମ୍ବାଦ ଦେଖିବା ମାତ୍ରେ ବିଚଳିତ ହୋଇ ହୃଦୟ ରଞ୍ଜନ ବାବୁ ପୁଅକୁ ଖୋଜିବାକୁ ବାହାରି ଆସିଲେ ରାସ୍ତାକୁ। ପାଖ ପଡିଶାରେ ସବୁଠି ସୌଭାଗ୍ୟ ବାବଦରେ ପଚରାଉଚରା କଲେ। ସବୁଠୁ ନାସ୍ତିବାଣୀ ଶୁଣିବାକୁ ପଡ଼ିଲା। ମନ ମଧ୍ୟରେ ବିଭିନ୍ନ ଚିନ୍ତା ତାଙ୍କୁ ଘାଣ୍ଟିଚକଟି ମାରୁଥାଏ। ରାତ୍ରି ସାଢ଼େ ଏଗାରଟା ସମୟରେ ବିଫଳ ମନୋରଥରେ ଘରକୁ ଫେରିଲେ ସେ। ସେତେ ବେଳକୁ ବି ସୌଭାଗ୍ୟ ଫେରିନଥାଏ ଖଟିରୁ। ଯେତେ ଯୁଆଡ଼େ ଗଲେବି ସୌଭାଗ୍ୟ ସବୁଦିନ ରାତିରେ ଘରକୁ ଫେରି ଆସେ। କିନ୍ତୁ ଆଜି ହିଁ କେବଳ ବ୍ୟତିକ୍ରମ। ଅଗତ୍ୟା ସମୁଦ୍ର କୂଳ ଥାନାରେ ପହଞ୍ଚି ପୁଅ ସୌଭାଗ୍ୟ ରଞ୍ଜନ ସାହୁ ନିଖୋଜ ହୋଇଥିବା ନେଇ ରିପୋର୍ଟ ଲେଖାଇଲେ ହୃଦୟ ରଞ୍ଜନ ବାବୁ। ଭାରପ୍ରାପ୍ତ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କଲେ। 

ବର୍ଷାଜଳରେ ଭାସିଯାଇଥିବା ଯୁବକଟିକୁ ଆରକ୍ଷୀ ବିଭାଗ ଏବଂ ଅଗ୍ନିଶମ ବାହିନୀ ରାତି ସାରା ଖୋଜୁଥିଲେ ଆକାଶ ପାତାଳ ଏକକରି। ରାତି ବିତିଗଲା ନିଷ୍ଫଳ ପ୍ରୟାସରେ। ହୃଦୟ ରଞ୍ଜନ ବାବୁଙ୍କ ପରିବାର ଆଶା ଆଶଙ୍କାରେ ରାତି କଟାଇ ଚାତକ ପରାୟ ସକାଳର ପ୍ରତୀକ୍ଷାରେ ଥିଲେ। ସୌଭାଗ୍ୟର ଫେରିବା ବାଟକୁ ଆତୁର ନୟନରେ ଚାହିଁ ରହିଥିଲେ। ବେଳକୁ ବେଳ ସଭିଙ୍କର ହୃଦୟର ସ୍ପନ୍ଦନ ତୀବ୍ର ହେଉଥାଏ। କିନ୍ତୁ କିଏ ଅବା ଜାଣିଥିଲା ଏଇ ସୁନେଲି କଅଁଳ ସକାଳ ଏମିତି ଏକ ଦୁଃଖଦ ସମ୍ବାଦ ଆଣି ଆସିଥିବ ବୋଲି! ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଥାନାରୁ ଫୋନ୍ ଆସିଲା। ଗତକାଲି ନିଖୋଜ ଯୁବକଟିର କ୍ଷତବିକ୍ଷତ ମୃତ ଶରୀରକୁ ଠାବକରି ପୋଲିସ୍ ଖବର ପଠାଇଥିଲା ହୃଦୟ ରଞ୍ଜନ ବାବୁଙ୍କୁ ଚିହ୍ନଟ କରିବା ପାଇଁ। ଅବିଳମ୍ବେ ସମୁଦ୍ର କୂଳ ଥାନାରେ ପହଞ୍ଚିବା ପରେ ଶବଟି ମୁହଁରୁ ଧଳା ଚାଦର ହଟାଇ ଦିଆଗଲା। ସେଠାରେ ସେ ଯାହା ଦେଖିଲେ ତାହାକୁ ନିଜ ପରିବାର ସାମ୍ନାରେ ବଖାଣିବା ପାଇଁ ତାଙ୍କର ତିଳେ ବି ଶକ୍ତି ନଥିଲା।

ପୁରୀ ମୁନିସିପାଲିଟି ଅଫିସ୍.ର ପ୍ରତାପୀ ବଡ଼ବାବୁଙ୍କ ଘର ଆଡକୁ ଚିହ୍ନାଜଣା ଲୋକଙ୍କର ସୁଅ ଛୁଟିଥିଲା। ସମବେତ ଜନସମୁଦ୍ର ବଡ଼ବାବୁଙ୍କ ପରିବାରକୁ ଛଳ ଛଳ ଆଖିରେ ସମବେଦନା ଜଣାଉଥିଲେ। ସଭିଏଁ ଦେଖୁଥିଲେ ସଦାସର୍ବଦା ଚଳଚଞ୍ଚଳ ସୌଭାଗ୍ୟର ନିସ୍ତେଜ ଫଟୋଚିତ୍ରରେ ପୁଷ୍ପମାଲ୍ଯଟିଏ ଝୁଲୁଥିଲା।



Rate this content
Log in

Similar oriya story from Abstract