ନିଷିଦ୍ଧ ଇଲାକା
ନିଷିଦ୍ଧ ଇଲାକା
ବାହାଘର ପରଠୁ ସ୍ତ୍ରୀ ମିତା, ସବୁବେଳେ ତାଙ୍କୁ ସନ୍ଦେହ କରିଆସୁଛନ୍ତି, କେବେ ଏତେ ଡେରିରେ ଅଫିସରୁ କାହିଁ ଫେରିଲ? , ତ କେବେ ବଜାର କଣ ଘୁଞ୍ଚିଗଲା ଶହେ କିଲୋମିଟର ତୁମ ପାଇଁ ଯେ ଏତେ ଡେରି ?, ପୁଣି କିଏ ଫୋନ କରିଥିଲା, କଣ କହୁଥିଲା, ଏତେ ସମୟ ? ପୁଣି ବସରେ ମତେ ଏଠି ସେଠି ବସାଇ ତୁମେ ସେଠି କାହିଁ ବସିଲ? ସେ ସ୍ତ୍ରୀ ଲୋକ କୁ ନିଜ ସିଟ ଛାଡି ନଦେଇ ମୋ ପାଖେ କାହିଁ ବସିଲନି?, ଏମିତି ଏମିତି ଅନେକ ସନ୍ଦେହର ତଦାରଖ ଭିତରେ ଶାନ୍ତି ଖୋଜି ହାଲିଆ ହୁଅନ୍ତି ଅବିନାଶ, ସବୁବେଳେ ମିତାଙ୍କ ସନ୍ଦେହ ଘେରରେ ବନ୍ଦୀ ହୋଇ ଅଣନିଶ୍ଵାସୀ ଲାଗେ, ହେଲେ ଏଵେ ତାର ବିପରୀତ ଘଟିଛି l
ସେ ନିଜେ କାହିଁକି ସନ୍ଦେହ କରୁଛନ୍ତି ମିତାକୁ. ବଡ଼ ଘରଟିଏ କରି ପାସ୍ତାଉଛନ୍ତି ଅବିନାଶ. ରୋଷେଇ ଘର ପରେ ଥିବା ବିରାଟ ଘରଟାକୁ ମିତା ତାଙ୍କ ନିଜ ଅକ୍ତିଆରରେ ରଖି ସେ ଘରେ ସେ ପାଇଥିବା ବିଭିର୍ଣ୍ଣ ସମ୍ବର୍ଦ୍ଧନା ଫଳକ, ଫୋଟୋସମୂହ ସବୁ ସଜାଇ ରଖିବାରେ, ଅବିନାଶଙ୍କର କିଛି ଆପତ୍ତି ନଥିଲା କିନ୍ତୁ ଏଇ କିଛି ଦିନ ହେବ, ମିତା ସେ ଘରକୁ, ଏପଟୁ ଚାବି ଦେଇ ରଖୁଛନ୍ତି, ଦି ଓଳି କିଛି ଖାଦ୍ୟ ପଦାର୍ଥ ତଥା ପାଣି ନେଇ ଯାଉଛନ୍ତି ତ, ଚାହିଁଲେ ବି କିଛି ପଚାରି ନପାରି, ଅବିନାଶ ବୁଢ଼ୀ ଅସୁରୁଣୀ ଗପ ମନେ ପକାଉଛନ୍ତି. ରାତି ସାରା ମେଣ୍ଢା କରି ରାଜକୁମାରଙ୍କୁ ରଖେ ବୁଢ଼ୀ ଅସୁରୁଣୀ, ଆଉ ରାତିକୁ କରିଦିଏ ରାଜକୁମାର. ଅବିନାଶ ଚିନ୍ତିତ ହୋଇ ପଡନ୍ତି, ଲାଟିନ ଦେଇ ସେ ଘରକୁ ଉଙ୍କି ମାରନ୍ତି ଅବିନାଶ, କିଛିବି ସୁରାକ ପାଆନ୍ତିନି. ସେଦିନ ସନ୍ଦେହ ବଢ଼ିବାରୁ ତଳପଟ ବାରଣ୍ଡା କୁ ଯାଇ ସେ ଘରକୁ ଉହୁଁକି ମାରି ଜାଫ୍ରି ଦେଇ ସ୍କ୍ରିନ ଆଡେଇ ଦେଖିବାକୁ ଗଲା ବେଳକୁ, ପଛରୁ ମିତା କହୁଥିଲେ, ଏ ଘରେ ଏଥର ଝରକା ଲଗେଇବାକୁ ପଡିବ ନଚେତ ଜାଫ୍ରି ଦେଇ ମୂଷା, ବିଲେଇ, ମଶା ଇତ୍ୟାଦିଙ୍କର ପ୍ରବେଶରେ ନିଷିଦ୍ଧ କରିବାକୁ ପଡିବ.
ଅବିନାଶଙ୍କ ସନ୍ଦେହ ଚରମ ସୀମାରେ ତ କହିଲେ କାହିଁ, ଏଇଟା କଣ ନିଷିଦ୍ଧ ଇଲାକା ଯେ କେହି ପ୍ରବେଶ କରିବା ମନା ? ଅବିନାଶଙ୍କ ଠୁ ଏମିତି ଉତ୍ତର ପାଇ ମିତା ଯେବେ କହୁଥିଲେ,ମୁଁ କେତେ ହଇରାଣ ହଉଛି ତୁମେ କାହିଁ ଜାଣିବ, ତ ଅବିନାଶ ଖୋଲି ଦେଇଥିଲେ ଦୁଆରଟାକୁ, ଆଉ ଦେଖିଥିଲେ, ବିଲେଇଟିଏ, ଛୁଆ କରିଛି ସେ ଘର ଖଟ ଉପରେ, ଆଉ ମିତା ବିସ୍କୁଟ ପାଣି, ଭାତ କ୍ଷୀର ଯୋଗାଇ ଚାଲିଛନ୍ତି ବିଲେଇଟାକୁ, ଅବିନାଶ ଫେରି ପଡ଼ୁ ପଡ଼ୁ କହୁଥିଲେ ହଁ ହଁ ଝରକା ଲଗେଇଦେବା ଏଥର l

