ଅପରାହ୍ନ
ଅପରାହ୍ନ
ବୟସର ଅପରାହ୍ନରେ ଖୁବ ଏକୁଟିଆ ହୋଇଯାଇଥିଲେ ଜିନା. ବାହାଘର ପରେ ପରେ ବ୍ରାହ୍ମଣଘର ବୋହୁ ହେବା କଟକଣା ଭିତରେ ଜୀବନର ଅର୍ଦ୍ଧେକ ସରୁ ସରୁ ବୈଧବ୍ୟର କଟକଣା ଲାଗିଥିଲା ତାଙ୍କ ଉପରେ. ଚାକିରୀ କାଳ ସରିଆସୁଥିଲେ ମଧ୍ୟ ସ୍କୁଲରେ ସେହି ଦଶଟାରୁ ଚାରିଟା ଯାଏଁ ସମୟ ଟିକେ ଭଲରେ କଟିଯାଉଥିଲା ଜିନା ଗୁରୁମାଙ୍କର. ଘରକୁ ଫେରିଲେ କାହାକୁ କଣ ପସନ୍ଦ କରୁ କରୁ ମାଛ ଭଜା ବାସ୍ନା ତାଙ୍କୁ ଯେ ମୋହିତ ନକରେ ତା ନୁହେଁ କିନ୍ତୁ ଲାଳସାକୁ ବାନ୍ଧିରଖି ଅନ୍ୟମାନଙ୍କ ପାଇଁ କରୁଥାନ୍ତି କେବେ ବେସର ଝୋଳ ତ କେବେ ମସଲା ଝୋଳ. ନିଜେ କିନ୍ତୁ ଖାଆନ୍ତି ରୁଟି ସାଙ୍ଗକୁ ଟିକେ ଗୁଡ଼. ସେଦିନ ସ୍କୁଲରେ ଝିଅ ଦୁଇଟି ରିସେସରେ ଆସି ଗୁରୁମାଙ୍କୁ ନିମନ୍ତ୍ରଣ କରିଥିଲେ. ସେ ଦୁହିଁଙ୍କ ସମ୍ପର୍କ ଖାଲି କ୍ଲାସମେଟେ ନଥିଲା ବରଂ ଦୁହେଁ ମାମୁଁଝିଅ ଓ ପିଇସୀ ଝିଅ ଭଉଣୀ ଥିଲେ ତ ମାମୁଁଝିଅ ସୁଜାତାର ଭାଇ ବାହାଘର ପାଇଁ ସବୁ ଗୁରୁମା ସାରଙ୍କୁ ନିମନ୍ତ୍ରଣ କରିବା ସହ ଜିନା ଗୁରୁମାଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ. ଜିନା ଗୁରୁମା ମଧ୍ୟ ସେ ଦୁହିଁଙ୍କୁ ନିରାଶ ନକରି ଭୋଜିରେ ଯୋଗ ଦେଇ ନୂଆବୋହୂକୁ ଆଶୀର୍ବାଦ କରିଥିଲେ. ସୁଜାତା ଓ ମିତାଲି ଯେତେ ବାଧ୍ୟ କଲେ ମଧ୍ୟ ବ୍ରାହ୍ମଣ ଘର ବିଧବା ବୋହୁ ହୋଇ କେମିତି ଆମିଷ ଖାଇବି କହି ଛତୁ ଓ ଅନ୍ୟାନ୍ୟ ସାଧା କ୍ଷୀରି ଖାଇ ଘରକୁ ଫେରିଥିଲେ. ପରେ ପରେ ତାଙ୍କର ମଧ୍ୟ ଅବସର ଆସିଥିଲା. ସେତେବେଳକୁ ସୁଜାତା ଓ ମିତାଲି ଦୁହିଁଙ୍କର ଦଶମ ଶ୍ରେଣୀ ହୋଇଥିବାରୁ ସେମାନେ ଦୁହେଁ ଜିନା ଗୁରୁମା ଆମିଷ ଖାଆନ୍ତି ନାହିଁ ବୋଲି ଅନ୍ୟ କାହା ପାଇଁ ମାଛ କି ମାଂସ ଅବା ଆମିଷ ଜାତୀୟ ଖାଦ୍ୟ ସମ୍ପୂର୍ଣ୍ଣ ବର୍ଜ୍ଜନ କରି ନିରାମିଷ ଭୋଜି କରିଥିଲେ. ଭାଷଣ ଓ ସଭା ତଥା ଭୋଜି ସାରି ଜିନା ଗୁରୁମାଙ୍କୁ ଘରେ ଆଣି ଛାଡ଼ିଦେଇ ଯାଇଥିଲେ ସୁଜାତା ଓ ମିତାଲି ସହ ଗାର୍ଲ ସ୍କୁଲର ବହୁ ଛାତ୍ରୀ . ଏହା ଭିତରେ ଅନେକ ବର୍ଷ ବିତିଯାଇଥିଲା. ସୁଜାତା ଓ ମିତାଲି ଦୁହେଁ ବାହା ହୋଇଯାଇଥିଲେ. ଜିନା ଗୁରୁମା ମଧ୍ୟ ଜୀବନର ଶେଷ ପାହାଚରେ ଥିଲେ.
ସେଦିନ ଗୋଟେ ହୋଟେଲରେ ଦେଖା ହୋଇଗଲା ସୁଜାତା ଓ ମିତାଲି ଦୁହିଁଙ୍କ ସହିତ. ସେ ଦୁହିଁଙ୍କ ସାଙ୍ଗରେ ଥିବା ବିଧବା ସ୍ତ୍ରୀଟିକୁ କିନ୍ତୁ ଆଗରୁ କେଉଁଠି ଦେଖିଲା ପରି ମନେହେଉଥିଲେ ମଧ୍ୟ ମନେପଡୁନଥିଲା ଜିନା ଗୁରୁମାଙ୍କର. ଏତିକି ବେଳେ ସୁଜାତା ଓ ମିତାଲି ଦୁହେଁ ଦଉଡି ଆସି ମୁଣ୍ଡିଆ ମାରିଥିଲେ ଜିନା ଗୁରୁମାଙ୍କୁ. ସେ ଦୁହିଁଙ୍କ ସହ ଆଉ ଯିଏ ଜିନା ଗୁରୁମାଙ୍କୁ ପ୍ରଣାମ କରିଥିଲେ ସେ ଥିଲେ ସୁଜାତାର ବିଧବା ଭାଉଜ ଯାହା ବାହାଘରକୁ ଯାଇ ନିରାମିଷ ଭୋଜି ଖାଇ ଫେରିବା କଥା ବୟସର ସାୟାହ୍ନରେ ମଧ୍ୟ ଭୁଲିନଥିଲେ ଜିନା ଗୁରୁମା. ଆଜି କିନ୍ତୁ ତାଙ୍କ ନିଜ ପୁଅ ବାହା ହେବା ପରେ ବୋହୁ ତାଙ୍କର ବାଧ୍ୟ କରି ତାଙ୍କୁ ଆମିଷ ଖୁଆଏ. ସବୁ ପ୍ରଥା ସୁପ୍ରଥା ନୁହେଁ ମାଆ. ପରମ୍ପରା ଓ ପ୍ରଥା ର ଦ୍ୱାହି ଦେଇ କଟକଣା କରି ନିଜ ଇଛାକୁ ମାରିଦେବା ଠିକ ନୁହେଁ କହି ପ୍ରତି ସପ୍ତାହର ରବିବାର ତାଙ୍କୁ ଆମିଷ ହୋଟେଲକୁ ନେଇ ଆସେ. ମନଭରି ମାଛ ଖୁଆଏ କାରଣ ମାଛ ଖାଇବାକୁ ଶାଶୁ ଖୁବ ଭଲପାଉଥିଲେ ବୋଲି କଥାଟିକୁ ସେ ମାମୁଁଶଶୁରଙ୍କ ପାଖରୁ ଶୁଣି ନେଇଥିଲା. ଆଜି କିନ୍ତୁ ବ୍ରାହ୍ମଣ ଘର ବୋହୁ ସୁଜାତାର ଭାଉଜଙ୍କୁ ଆମିଷ ଖାଇବା ଓ ଦୁଇ ନଣନ୍ଦଙ୍କ ଉପସ୍ଥିତିରେ କଟକଣା ଭୁଲି ଆମିଷ ହୋଟେଲରେ ବସି ଖାଇବା ଦେଖି ଜିନା ଗୁରୁମା ଖୁବ ଖୁସି ହୋଇ ଯାଇ ସୁଜାତା ଓ ମିତାଲିକୁ ନିଜ ବୋହୁ କେମିତି ତାଙ୍କୁ ବାଧ୍ୟ କରି ସପ୍ତାହକୁ ଥରେ ଆମିଷ ଖୁଆଇବାକୁ ଆଣିଥାଏ ବୋଲି କହିବା ପରେ ସୁଜାତା ଓ ମିତାଲି କହୁଥିଲେ ଆମେ ମଧ୍ୟ ସେଇଥିପାଇଁ ଭାଉଜଙ୍କ ସହ ଏଇଠିକୁ ଆସି ତାଙ୍କୁ ଆମିଷ ଖାଇବାକୁ ବାଧ୍ୟ କରୁ ଗୁରୁମା.ଆମେ ବୁଝିଯାଇଛୁ କି ଏ ସମାଜ ରକ୍ଷଣଶୀଳତା ନାମରେ ଖୁବ କଟକଣା କଲାବେଳେ ଓ ନିୟମ କାନୁନ ପ୍ରଣୟନ କଲାବେଳେ ଭୁଲିଯାଏ ଜଣଙ୍କ ମନ ଅଛି ବୋଲି. ଏକଥା ଆଜି ନୁହେଁ ଗୁରୁମା ସେଦିନ ଭାଇ ବାହାଘର ଭୋଜିରେ ଏତେସବୁ ଥାଇ ମଧ୍ୟ ଆପଣ କ୍ଷୀରି ଖାଇ ଫେରିବା ପରେ ଭାଉଜଙ୍କ ସେଇ ଅବସ୍ଥା ଆସିଥିଲା ତ ତାଙ୍କୁ ବାଧ୍ୟ କରି ଏଠିକି ଆଣି ଆମେ ତାଙ୍କୁ ଆମିଷ ଖୁଆଇବା ସହ ଅଳ୍ପ ଅଳ୍ପ ଗହଣା ଓ ହାଲକା ରଙ୍ଗର ଶାଢ଼ୀ ଓ ଟିକିଲି କିଣି ପିନ୍ଧିବାକୁ କହିଲା ବେଳେ ଭାବୁ ଯେ ଆମ ଭାଇ ବଞ୍ଚିଛନ୍ତି. ଏଠି ନୁଁହଁ ତ ଆଉ କୋଉଠି. ସେହି ଝିଅ ଦୁହିଁଙ୍କ କଥା ଶୁଣି ଜିନା ଗୁରୁମା ବୟସର ଏ ଅପରାହ୍ନରେ ଭାବୁଥିଲେ ତାଙ୍କ ସ୍ୱାମୀ ମଧ୍ୟ ବଞ୍ଚିଛନ୍ତି ଏଠି ନୁହେଁ ଆଉ କୋଉଠି.ସେ ରୂପରେ ନୁଁହଁ ଆଉ କୋଉ ରୂପରେ ହୁଏତ.
