ଜଳ ତରଙ୍ଗ
ଜଳ ତରଙ୍ଗ
ଝଡ଼ବର୍ଷା ତୋଫାନ ପାଇଁ ସମସ୍ତେ ସଜାଗ ଥିଲା ବେଳେ ମାଡିଆସିଲା ପାଣି. ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି. ଘର ଭିତରେ ପଶିଲା ପାଣି. ଉପରେ ଘର ଦି ବଖରା ଥିଲା ବୋଲି ପରିବାର ଲୋକେ ଉପରକୁ ଉଠିଗଲେ. କାର୍ତ୍ତିକ ମାସର ଚଉରା ପୂଜା ବନ୍ଦ ହୋଇଯିବାରୁ ଜେଜେମାଆ କାନ୍ଦୁଥିଲେ ତ ନାତି କହୁଥିଲା ଜେଜେମାଆ ସବୁଆଡେ ପାଣି ଆଉ ପାଣି. ପୁଣି କୁମ୍ଭୀର, ମାଛ ଓ ଜଳଚର ଜୀବ ସବୁ ଜାଣି ନପାରି ଘରେ ପଶୁଛନ୍ତି.ତୁ ଏତିକି ବେଳକୁ ତୁଳସୀ ମୂଳେ ପାଣି ଦେବା କଥା ଭାବି ଆଉ ମନଦୁଃଖ କରନା. ତୋ ଆଖିର ପାଣି ଦୁଇ ଟୋପା ହେଲେ ମଧ୍ୟ ଲୁଣି ଜଳର ମିଶ୍ରଣରେ ବାକି ଥିବା ଜଳଚର ଜୀବ ସବୁ ଘରେ ପଶିଯିବେ ତ ଉପାୟ ନାହିଁ. ବୋଉ ସେତେବେଳକୁ ଆନାଙ୍କ ବ୍ୟଙ୍ଗ ଭିଡ଼ିଓରେ ଅର୍ଣ୍ଣବ ବାତ୍ୟା ସହ ଆନା ନାମ୍ନୀ ବ୍ରହ୍ମପୁର ଲୋକଟି କଥା ହେଉଥିବା ଶୈଳୀରେ ହସୁଥିଲେ ତ ଜେଜେମାଆ ବିରକ୍ତ ହୋଇ ମୁଁହଁ ମୋଡ଼ୁଥିଲେ. ନାତି କହୁଥିଲା ମାଆ ଯେ କୌଣସି ପରିସ୍ଥିତିରେ କାନ୍ଦିବା ବଦଳରେ ହସିଦେବା ଦ୍ୱାରା ଖାଲି ଦୁଃଖ ପରିବର୍ତ୍ତେ ସୁଖ ମିଳେନି ବରଂ ଦେହ ଓ ମନ ସୁସ୍ଥ ରହେ. ଜେଜେମାଆ ତଥାପି ମୁଁହଁମୋଡି ଶୁଆ ମିଠୁ ପାଖକୁ ଯାଇ ତାକୁ ହରେ କୃଷ୍ଣ ହରେ ରାମ କହିବାକୁ ଶିଖାଉଥିଲେ.
ପାଣି ଆସ୍ତେ ଆସ୍ତେ କାମୁଥିଲା. ଆଶ୍ରୟ ନେଇଥିବା ଲୋକେ ନିଜ ଘରକୁ ଫେରୁଥିଲେ. ପୁଣି ଘରଦ୍ୱାର ସଜାଡୁଥିଲେ ଓ ଗାଈଗୋରୁଙ୍କ ଗୁହାଳରୁ ପାଣି ପରିଷ୍କାର କରି ଦୁବ ଘାସ ସଂଗ୍ରହ କରୁଥିଲେ. ପାଣି ଛାଡି ଛାଡି ଆସୁଥିବାରୁ ଖୁସି ଓ ଖୁସିର ହସ ସଭିଙ୍କ ଓଠରେ ଖେଳୁଥିଲା ବେଳେ ଏ ଘରର ନାତି ବିଶୁ ଆଞ୍ଜୁଳିରେ ମାଛଟିଏ ଧରି ଖୁବ ଖୁସି ହେଲାବେଳେ ଜେଜେମାଆ କହୁଥିଲେ ସମସ୍ତେ ଯିଏ ଯାହା ଘରକୁ ଫେରିଯାଉଥିବା ବେଳେ ମାଛଟିକୁ ତା ଘରକୁ ଯିବାକୁ ଦେ ବିଶୁ. ତା ସାଥି ସହୋଦର ପାଖରେ ରହିଲେ ସେ ଵି ହସିବ. ତୁ ତାକୁ ମାରି ନଖାଇ ଯେତେ ସୁବିଧାରେ ରଖିଲେ ମଧ୍ୟ ଯାହା ଘର ଯାହାର. ଜେଜେମାଆଙ୍କ କଥା ବିଶୁ ମନକୁ ପାଇଲା ତ ସେ ମାଛଟିକୁ ନଈରେ ଛାଡି ଖୁବ ହସୁଥିଲା. ମାଛଟି ମଧ୍ୟ ନଈରେ ଥିବା ପାଣି ଓ ପାଣି ଦେଖି ସେତିକି ଖୁସି ହେଉଥିବ ଭାବି ବିଶୁ ତା ନିଜ ଭାବନାରେ ମାଛର ଖୁସିର ହସକୁ ଡ୍ରଇଂ ସାହାଯ୍ୟରେ ଆଙ୍କି ଚାଲିଥିଲା ବେଳେ ମାଆ ଘର ପରିଷ୍କାର କରି ଖୁସି ହେଉଥିଲେ ଓ ଜେଜେମାଆ ତୁଳସୀମୂଳେ ପାଣି ଦେଇ ଖୁସି ହେଉଥିଲେ. ବାପା ବଜାରରୁ ଡ୍ରଇଂରେ ରଙ୍ଗ କରିବା ପାଇଁ ବିଶୁ ପାଇଁ ରଙ୍ଗ ଓ ତୁଳୀ ଆଣିଦେଇଥିଲେ ଆଉ ଶୁଆ ମିଠୁ ଡାକୁଥିଲା ହରେ କୃଷ୍ଣ ହରେ ରାମ ତ ବିଶୁ ପାଣିରେ ମାଛ ଭାସୁଥିବାର ଚିତ୍ର ଆଙ୍କି ତା ପେଣ୍ଟିଙ୍ଗର ନାମ ରଖିଥିଲା ପାଣିର ରଙ୍ଗ.
