ଝଲମଲ ସହର
ଝଲମଲ ସହର
ସହର ଆଜି ଲୋକାରଣ୍ୟ. ତା ଭିତରେ ଆଲୋକର ପର୍ବ ଦୀପାବଳିର ସାଜସଜ୍ଜା ଦେଖି ସମସ୍ତେ କହୁଥିଲେ ଓଃ ସହର ଆଜି କଣ ନହୋଇଛି!କେତେ ସୁନ୍ଦର ଦିଶୁଛି.ସାକ୍ଷାତ ଅମରାବତୀ ପରି ଲାଗୁଛି କିନ୍ତୁ ତାରି ଭିତରେ ରାମୁ ମନଦୁଃଖ କରି ଗନ୍ଥା ଘୋଡେଇ ଅଭିମାନ କରି ଶୋଇଛି ଘରେ . ସାଇ ପଡିଶା ସବୁଠି ଭଳି ଭଳି ଆଲୋକ ସାଙ୍ଗକୁ ଢ଼ୋ ଢା ବାଣ ଫୁଟିଲା ବେଳେ ମାଆ ତାର ଆଜି ବାଣ ତ ବାଣ ଆଲୋକ ଜାଳିବାକୁ ମହମବତୀ ପ୍ୟାକେଟଟିଏ ମଧ୍ୟ କିଣିଦେଇନି ତାକୁ. ଦୁଇ ପଟ ପଡୋଶୀଙ୍କ ଆଲୋକ ପଡି ଚାଳ ଘରଟି ତାଙ୍କର ରୁପା ପରି ଆଲୋକିତ ହେଉଥିଲେ ମଧ୍ୟ ରାମୁ ମନ ମାନୁନି ସେହି ଅମାବାସ୍ୟା ରାତିର ରୂପାପରି ପ୍ରତୀୟମାନ ଆଲୋକିତ ହେଉଥିବା ନିଜ ଚାଳଘରକୁ ଦେଖିବାକୁ ମନ ଡାକୁନି. ସହର ଓ ସହରରେ ବସିଥିବା ମାଆ ଲଷ୍ମୀ ଓ କାଳୀଙ୍କ ତୋରଣ ସବୁ ଝଟକୁଥିଲେ ଵି ରାମୁ ମନ ଭଲ ନଥିଲା. ଆଜି ବଜାରରେ ଥିବା ସାଜସଜ୍ଜା ପୂର୍ଣ୍ଣ ବାଣ ଦୋକାନ ସବୁରେ ସହର କଣ ଦେଖାଯାଉନଥିଲା ସତରେ କିନ୍ତୁ ମାଆ ବାରଣ କରିଥିଲା କିଛି କିଣିବାକୁ ଏମିତିକି ସେ ଧରିଥିବା କୁମ୍ପି ବାଣ ଦିଟାକୁ ତା ହାତରୁ ଛଡେଇ ରଖିଦେଇଥିଲା ଦୋକାନରେ . ପଡିଶା ଘରେ ରାମୁର ସାଙ୍ଗ ବିଶୁ ରହେ. ତାଙ୍କର କୋଠା ଘର ଓ ସେ ବହୁତ ବାଣ କିଣିଛି. ଆଉ କାଲି ସ୍କୁଲରେ ସେ ଯେତେବେଳେ ରାମୁକୁ ପଚାରିବ ଦୀପାବଳିରେ ତୁମ ଘର କାହିଁକି ଅନ୍ଧାର ଥିଲା ତଥା ତୁ କାହିଁକି ବାଣ ଫୁଟାଉନଥିଲୁ ସେ କି ଉତ୍ତର ଦେବ ଭାବୁ ଭାବୁ ଦାଣ୍ଡରେ ବିଶୁ ପାଟି ଶୁଣି ରାମୁ ଘରୁ ବାହାରି ଆସିଲା.
ବାହାରକୁ ଆସି ରାମୁ ତାଙ୍କ ନିଜ ଘର ଦେଖେତ ମାଆ ତାର ବାଡ଼ିରେ ଥିବା ଓଉ ଗଛରୁ ତୋଳାଯାଇଥିବା ଓଉ ପାଖୁଡ଼ାରେ ତେଲ ଭରି ବଳିତା ପକେଇ ଜାଳିଛି ଆଲୋକ ଧାଡି ଧାଡି ଓ ବାଡ଼ିରୁ ଆମ୍ଭ, ଦେବଦାରୁ ତଥା ପଣସ ପତ୍ର ସହ ଫୁଟିଥିବା ଜାତି ଜାତି ଫୁଲରେ ଏମିତି ସଜେଇ ଦେଇଛି ଘର ଭିତର, ବାହାର, ଚଉରା ତଥା ଦାଣ୍ଡ ଦୁଆର ଯେ ସେସବୁ ଦେଖି ବିଶୁ ଖୁବ ଖୁସି ହୋଇ କହୁଛି ମାଉସୀ କେଡେ ସୁନ୍ଦର ଦିଶୁଛି ତୁମ ଘର!ଏତିକି ବେଳକୁ ରାମୁର ଅଜା ଆସି ପହଞ୍ଚିଗଲେ. ତାଙ୍କ ବ୍ୟାଗରେ କେତେ କଣ ଦରବ ଭିତରେ ରାମୁ ପାଇଁ ଥିଲା ଭଳି ଭଳି ବାଣ ତ ରାମୁ ଖୁସିରେ ଅଜାଙ୍କୁ ମୁଣ୍ଡିଆ ମାରି ବିଶୁ ସହ ବାଣ ଫୁଟେଇ ଆନନ୍ଦ ମନାଉଥିଲା ବେଳେ ବିଶୁର ବାପା ଓ ମାଆ ଦୁହେଁ ରାମୁ ମାଆଙ୍କର ବହୁତ ପ୍ରଶଂଶା କରୁଥିଲେ ଆଉ କହିଥିଲେ ଏମିତି ସମସ୍ତେ ଯଦି ପ୍ରକୃତିରେ ଥିବା ଫୁଲ ଫଳର ଉପଯୋଗ କରି ଦୀପାବଳି ଆଲୋକ ସଜାଡ଼ନ୍ତେ ତେବେ ବାୟୁ ପ୍ରଦ୍ୟୁଷଣ ହୁଅନ୍ତା ନାହିଁ. ସହରଟି ଖାଲି ଝଲମଲ ଦିଶନ୍ତା. ସହର ଲାଗୁଥାଆନ୍ତା ଅମାବାସ୍ୟାରେ ମଧ୍ୟ ଚନ୍ଦ୍ର ଉଠି ଆସିଛନ୍ତି ତାଙ୍କ ରୁପା ଜୋତା ପିନ୍ଧି ସହର ବୁଲିବାକୁ ଦୀପାବଳିରେ ସତେ ଯେମିତି ପିତୃପୁରୁଷଙ୍କୁ ପୟା ଶ୍ରାଦ୍ଧ ଦେବା ପାଇଁ . ତୁଳସୀ ମୂଳେ ରାମୁ ମାଆ କାଉଁରିଆ ଜାଳି ତାଙ୍କ ପିତୃପୁରୁଷଙ୍କୁ ଡାକୁଥିଲେ ଅନ୍ଧାରେ ଆସି ଆଲୁଏ ଯାଅ. ମୋ ପୁଅ ଓ ତା ସାଙ୍ଗକୁ ଭଲ ବୁଦ୍ଧି ଦିଅ. ସେତିକି ବେଳକୁ ରାମୁର ବାପା ମଧ୍ୟ ଦାଦନରେ ଥାଇ ଫୋନ କରିଥିଲେ ଏଥର କାର୍ତ୍ତିକ ପୂର୍ଣ୍ଣମୀରେ ଘରକୁ ଗଲେ ରାମୁପାଇଁ ବାଣ ନେଇଯିବି. ଏକଥା ଶୁଣି ରାମୁ ଖୁସିରେ ବିଶୁ ସହ ଚଉରା ପୂଜା ଭୋଗ ଖାଇ ବାହାରେ ଝଲମଲ ସହରକୁ ଦେଖୁଥିଲା.
