ନିରବି ଯାଇଥିବା ସମୟ
ନିରବି ଯାଇଥିବା ସମୟ
ରବିବାର ଦିନ ମୋର ଇଚ୍ଛାମାନେ ଖୁବ୍ ଅଦମନୀୟ ହେଇ ଯାଆନ୍ତି । ମୁଁ କାମଦାମ ସାରି ଆକର୍ଷିହେଇ ଆସେ ବାଲକୋନୀର ସେହି ନିର୍ଦ୍ଦିଷ୍ଟ କୋଣଟିକୁ ଯେଉଁଠାରୁ ଆମର ତ୍ରିତଳ ପ୍ରାସାଦ ସମ ଘରକୁ ଲାଗି ଅନାବାଦୀ ପତଳା ନିର୍ଧନ ଗଳିଟା ସ୍ପଷ୍ଟ ଦୃଶ୍ୟମାନ ହୁଏ । ଗଳିଟାରେ ଏକ ଜରିପାଲ, ଅଖା ଓ ଅନାବନା କାଠପଟାର ଘରଟିଏ । ହଁ , ତଥାକଥିତ ମଣିଷ ରହୁଥିବା ଘରଟିଏ । ଜଣେ ହାଡୁଆ ମଣିଷ କାଲୁ , ଗୋଟେ ଅନାଡି଼ , ଜବରଦସ୍ତି ଘରଣୀ ବନି ଯାଇଥିବା ଉଣେଇସ କୋଡ଼ିଏ ବର୍ଷର ଝିଅ ବବଲି ଯାହାର ମୁହଁରେ ବଚପନା , ଆଉ ହାତ ଗୋଡ଼ରେ ଅଦ୍ଭୁତ ପ୍ରୌଢ଼ତା । ଆଉ ତିନିଟା ଥୁକୁଲ୍ ଥାକୁଲ୍ ଛୁଆ ।
ଘର ଆଉ କଣ ନେଇ ହୁଏ କି ? ଏଇ ଦୁଇ ଚାରିଟା ମଣିଷ କିଛି ନେଦା ଚେପା ରଫଲ୍ ବାସନ ଆଉ ଗାଦିଏ ମଇଳା ଚିକିଟା ରେଜେଇ, କନ୍ଥା ଚାଦର । ଏତିକି ତ ତାଙ୍କର ଜୀବନଟାକର ସମ୍ପତ୍ତି । ଆଉ ଏତିକି ମୋ ଜାଣିବାରେ ଯଥେଷ୍ଟ ନୁହେଁ କି ?
ତାଙ୍କର ଅବର ଜବର ଗୃହସ୍ଥି ଦେଖିବାକୁ ମୋତେ ଖୁବ୍ ଭଲ ଲାଗେ । ତିନିଟା ଇଟାର ଚୁଲିରେ କାଳିଆ ଦରମଜା ବାସନଟିରେ ଯେତେବେଳେ ସାନଟୋକା ଆଣିଥିବା ମେଗି ଫୁଟୁଥାଏ ମୋର ଭୋକ ଦ୍ଵିଗୁଣିତ ହେଇ ଯାଏ । ନା ନା , ମେଗି ବାସ୍ନା ପାଇଁ ନୁହେଁ ବାସନ ଉପରେ ଝୁଙ୍କି ଆସିଥିବା କେଇଯୋଡ଼। ଭୋକିଲା ଲୋଭିଲା ଆଖି ମାନଙ୍କର ସେହି ଅଭାବନୀୟ ଦୃଶ୍ୟଟି ପାଇଁ ।
ଗୋଟିଏ ଚେପା ଥାଳିରେ ବୁଡୁଥିବା ପାଞ୍ଚ ଛଅଟା ହାତ ମାନଙ୍କ ପାଇଁ ।
ମନେ ପଡ଼ିଯାଏ , ନୁଆଁଣିଆ ଖପରା ଚାଳର ଓଳିତଳେ ପଖାଳ କଂସାଟେ ଆଉ ସେଥିରେ ବୁଡୁଥିବା ଆମ ଚାରି ଭାଇ ଭଉଣୀଙ୍କ ଅଧୁଆ ହାତ , ଶୁଖୁଆ ଚୁଚୁମା ଶବ୍ଦ ଆଉ ତୋରାଣି ପିଇବା ପାଇଁ କଂସାକୁ ଟଣା ଓଟରା । କେବେ ଆମକୁ ଇନ୍ଫେକ୍ସନ୍ ହେଇଥିବ କି କଣ ମାଆ ଜାଣିଥିବ ସେକଥା । ତାକୁ ଢେର୍ କଥା ଜଣାଥିଲା ।
ଆଜିକାଲି ଆମର ସେହି ଆଖିମାନେ ଆଉ ହାତମାନେ ପ୍ରବଳ ଷ୍ଟାଟସେଇ ଯାଇଛନ୍ତି । ଫର୍କର ସେହି କଣ୍ଟା ମାନଙ୍କ ଅଗରେ ଅଟକି ଯାଇଛନ୍ତି । ମେନର୍ସ ମାନଙ୍କର କଏଦୀ ।
- ମାମା , କାହା ଘରେ ପିପିଂ( ଉଣ୍ଡି ଦେଖିବା ) କରିବା ବେଡ୍ ମେନର୍ସ ।
ଝିଅ ତାଗଦା ଫିଙ୍ଗି ଦେଇ ତାର ଲେପଟପ୍ ଭିତରେ ପଶିଯାଏ । ଏତେ ସରାଗରେ କରିଥିବା ଶୁଖି ହାଡ଼ରେଇ ଯାଇଥିବା ଚକୁଳି ଓ ଥଣ୍ଡା କାଲେଇ ଯାଇଥିବା ଘୁଘୁନି ତା ଟେବୁଲ ଉପରୁ ମୋତେ କେମିତି ଖତେଇ ହେଉଥାନ୍ତି ।
ମନୋଜ ବି ରିକ୍ତାକ୍ତ ଲୁକଟେ ଫୋପାଡ଼ନ୍ତି ଯେତେବେଳେ ମୁଁ ତାଙ୍କୁ ଖାଇବାକୁ ଯୋର୍ କରେ ।
ଓଃ ଅସହ୍ୟ !! ଏମିତି କାହିଁକି ନିର୍ବିକାର ହେଇ ଯାଇଛନ୍ତି ଏଇ ସମ୍ପର୍କ ମାନେ । ଗରମ ନାହିଁ କି ଥଣ୍ଡା ବି ନାହିଁ ।
ମୁଁ କିନ୍ତୁ ପିପିଂ କରେ ।
ଜରି ଅଖାଟେ କାନ୍ଧରେ ବୋହି ଆସେ ସେହି ହାଡୁଆ ଝାଳୁଆ ମଣିଷ କାଲୁ । ଗାମୁଛାରେ ଫଟ୍ ଫଟ୍ ଗୋଡ଼କୁ ଦିଥର ଆଉ ସେହି ଗାମୁଛାରେ ଭଙ୍ଗା ବେଞ୍ଚକୁ ଦିଥର ପିଟିଦେଇ ଗଡ଼ି ପଡେ ।
ବବଲି ପାଣି ମାଟି ପବନ ଖାଇ ଧୁସରେଇ ଯାଇଥିବା ପେପ୍ସି ବୋତଲଟିଏ ଆଣି ଧରେଇ ଦିଏ ।
ଗଟ୍ ଗଟ୍ ସେଥିରୁ ଅଧବୋତଲେ ପାଣି ଟେକି ଦେଇ ସାରିବା ପରେ ଖାଇବାକୁ ମାଗେ କାଲୁ , ବବଲି ଯାଇ ମେଗି ବାସନ ଅଣ୍ଡାଳେ । ମେଗି ଆଉ ନଥାଏ ।
ଗୋଟାଏ ଗୋଇଠାରେ ଖଣ୍ଡେ ଦୂରରେ ଯାଇ ପଡେ ବବଲି । ପୁଣି ଉଠି ପଡେ ଝାଡି଼ ଝୁଡି଼ ହେଇ । ଦାନ୍ତ କିଲେଇ ।
କାଲୁର ଅପରାଧୀ ଭାବକୁ ଯୋରକିନା ହସି ଉଡେଇ ଦିଏ ବବଲି ।
ଥୁକୁଲ୍ ଥାକୁଲ୍ ଛୁଆଯାକ ସେମିତି ଖେଳୁଥାନ୍ତି , ଯେମିତି କିଛି ହେଇ ନାହିଁ । ନିତି ଦିନିଆ କଥା ଇଏ । ବାପ ମାରିବ , ପୁଣି ତ ଗେଲ କରିବ । ମାଆକୁ କାଟେ ନାଇଁ ।
ମୁଁ ସେହି ସାନ ଟୋକାକୁ ଡାକି ଚକୁଳି ଓ ଘୁଘୁନି ଯାକ ଦେଇଦିଏ ।
ତା ପରର ଦୃଶ୍ୟ ଅତ୍ୟନ୍ତ ମନଲୋଭା ।
କାଲୁ ଭାଙ୍ଗୁଥାଏ ଚକୁଳି । ପରିବାରଟା ଯାକ ଆଁ କରୁଥାନ୍ତି ଏକା ଥରେ । ପାଳି କରି ଘୁଘୁନି ମଡେଇ ସମସ୍ତଙ୍କ ବେକ ଧରି ପାଟିରେ ଗେଞ୍ଜୁଥାଏ ସେ ଖୁବ୍ ଶ୍ରଦ୍ଧାରେ । ସମସ୍ତେ ଚକୁଳି ସ୍ଵାଦ ଆଉ ମାନବୀୟ ଶ୍ରଦ୍ଧାରେ ବତୁରୁଥାନ୍ତି ।
ମୁଁ ମୁହଁ ଫେରାଏ । ଈର୍ଷାରେ ।
ଆମର ଏଠି , ନା ଶ୍ରଦ୍ଧା ଅଛି ନା ମାଡ଼ଗାଳି ଅଛି , କିନ୍ତୁ ସମ୍ପର୍କ ଅଛି ।
ସମ୍ପର୍କ । ପଥୁରି ଯାଇଥିବା ସମ୍ପର୍କ ।
ଆଉ ?
ଆମେ ସବୁ ପଥର ଘରେ ରହିଥିବା ଗୋଟିଏ ଗୋଟିଏ ପଥର ସିନା ।
ଜରିପାଲ ପରି ପାରଦର୍ଶିତା କୋଉଠୁ ଆସିବ ?