Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kanan Bala Nayak

Inspirational

3  

Kanan Bala Nayak

Inspirational

ନିଜ ଲୋକ

ନିଜ ଲୋକ

4 mins
37



   ମାଆ ଏମାନେ ସବୁ କିଏ? ହଠାତ୍ ଆମ ଘରେ ଏମିତି ସମସ୍ତେ ଗହଳି କରିଛନ୍ତି କାହିଁକି? ଏମାନଙ୍କୁ ତ ଆଗରୁ କେବେ ବି ଆମ ଘରକୁ ଆସିବାର ଦେଖିନି? ପୁଅ ଆଦିତ୍ୟର କଥା ଶୁଣି ସ୍ଵର୍ଣ୍ଣମୟୀ କହିଲେ ବାପା ଏମାନେ ସମସ୍ତେ ହେଉଛନ୍ତି ଆମ ନିଜର ଲୋକ। ତୋ ବାପା ଓ ମୋର ସମ୍ପର୍କୀୟ ।ତୁ ଆଇ.ଏ.ଏସ୍ ପାଇଛୁ ବୋଲି ଶୁଣି‌ ଆମକୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଛନ୍ତି।ତା ପରେ ତା ମାଆ ଜଣ ଜଣଙ୍କ ସହ ତାର ପରିଚୟ କରାଇବାରେ ଲାଗିଲେ ଇଏ ତୋ ମାମୁଁ,ଇଏ ତୋ ମଉସା, ଇଏ ପିଉସା ,ଇଏ ମାଉସୀ ,ଇଏ ପିଉସୀ ଏମିତି କେତେ କ'ଣ ସମ୍ପର୍କ। ଏଇମିତି ପରିଚୟ ପର୍ବ ଚାଲିଥିବା ବେଳେ ଆଦିତ୍ୟ ର ମାମୁଁ ବୋଲି ପରିଚିତ ହୋଇଥିବା ବ୍ୟକ୍ତି ଜଣକ ତାଙ୍କ ମାଆଙ୍କ ଉଦେଶ୍ୟରେ କହିଲେ ସ୍ବର୍ଣ୍ଣ ‌ଟିଭି ଚ୍ଯାନାଲ୍ ବାଲା ପରା‌ ଆଦିତ୍ୟର ସାକ୍ଷାତକାର ନେବା ପାଇଁ ଆସିବେ? ଆଉ କେତେ ବିଳମ୍ବ ହେବ?


   ମୋ ଭଣଜା ଆଇ.ଏ.ଏସ୍ ପାଇଛି ।ମୁଁ ବି ତ ଟିଭିରେ କିଛି କହିବି ନାଁ? ତାଙ୍କ କଥା ଶୁଣି ଅନ୍ୟ ମାନେ କହିଲେ ‌ଆଦିତ୍ଯ କଣ ଖାଲି ଆପଣଙ୍କର ଭଣଜା ଆମର କେହି ନୁହେଁ?ଆମେ ମାନେ ମଧ୍ୟ କିଛି କିଛି କହିବୁ ନା। ଟିଭିରେ ବାହାରିବାର ସୁଯୋଗ ଖାଲି ଆପଣ ମାରି ନେବେ ଆଉ ଆମେ ସବୁ ଭକୁଆ ହୋଇ ଅନାଇ ଥିବୁ। ସେମାନଙ୍କ କଥା ଶୁଣି ମାମୁଁ ଜଣ କ କହିଲେ ହଉ ସମସ୍ତେ କିଛି ‌କିଛି‌ କହିବା। ତାଙ୍କ କଥା ଶୁଣି ଆଦିତ୍ୟ ତାଙ୍କ ଆସିବାର ଉଦ୍ଦେଶ୍ୟ ଠିକ୍ ଭାବରେ ବୁଝି ପାରିଲା। ସେମାନେ ଯେ ତା ସଫଳତା ପଛରେ ନିଜ ନିଜର ହାତ ଅଛି ବୋଲି ମିଡ଼ିଆ ସାମ୍ନାରେ ବାହାଦୂରୀ ନେବା ପାଇଁ ଆସିଛନ୍ତି ସେ କଥା ବୁଝିବାକୁ ଆଦିତ୍ୟକୁ ଆଉ ବିଳମ୍ବ ହେଲାନି।


    ସେ ମନେ ମନେ ଭାବିଲା ମଣିଷ ଯେତେବେଳେ କାହାର ସାହାଯ୍ୟ ଓ ସ୍ନେହ ଶ୍ରଦ୍ଧା ଲୋଡିଥାଏ, ସେତେବେଳେ ସମସ୍ତେ ତାକୁ ଏକା କରି ଚାଲିଯାଆନ୍ତି‌। ଆଉ ସମସ୍ତଙ୍କୁ ଛାଡି ସେ ଯେତେବେଳେ ସଙ୍ଘର୍ଷ କରି ଏକା ଏକା ଚାଲିବା ଶିଖିଯାଏ ଓ ଶିଖର ଛୁଏ, ସେତେବେଳେ ବାହା ବାହା ନେବା ପାଇଁ ସମସ୍ତେ ଆଗଭର ହୋଇ ଦଉଡ଼ି ଆସନ୍ତି। ଠିକ୍ ଯେମିତି ତାର ଏଇ ସମ୍ପର୍କୀୟ ମାନେ। ଜୀବନ ଯୁଦ୍ଧରେ ତା ବାପା ଯେତେ ବେଳେ ହଠାତ୍ ଗୋଟିଏ ଦୁର୍ଘଟଣାର ଶୀକାର ହୋଇ ତାକୁ ଓ ତା ମାଆକୁ ଏକା ଛାଡି ଚାଲିଯାଇଥିଲେ ଓ ତାଙ୍କୁ ଏଇ ନିଜର ଲୋକ ମାନଙ୍କର ସବୁଠାରୁ ବେଶୀ ଆବଶ୍ୟକତା ଥିଲା, ସେଇ ସମୟରେ ଏଇ ନିଜର ଲୋକ ମାନେ ହିଁ ଜଣେ ଜଣେ କରି ତାଙ୍କ ଜୀବନରୁ ଅଦୃଶ୍ୟ ହୋଇ ଯାଇଥିଲେ।କାଳେ ଆଦିତ୍ୟ ଓ ତା ମାଆ ଏମାନଙ୍କ ଠାରୁ କିଛି ଆର୍ଥିକ ସାହାଯ୍ୟ ଆଶା ରଖିବେ ସେଥିପାଇଁ ସମସ୍ତେ ତାଙ୍କୁ ଦୂରେଇ ଦେଇଥିଲେ। ତାଙ୍କ ପ୍ରତି ନାଁ ଏମାନଙ୍କ ପାଖରେ ଥିଲା କିଛି ସମ୍ବେଦନା ନାଁ କିଛି ‌ସହୃଦୟତା। ବରଂ ଥିଲା କୁଢ କୁଢ ଅସୁୟା ଭାବ। ଆଉ ଆଜି ଯେତେବେଳେ ଆଦିତ୍ୟ ଆଇ.ଏ.ଏସ୍ ପାଇ ଯାଇଛି ଅଚାନକ ଏମାନଙ୍କ ମନରେ ଆଦିତ୍ୟ ଓ ତା ମାଆଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଜାଗି ଉଠିଛି। 


   ଦୀର୍ଘ ସତେଇଶ ବର୍ଷ ଧରି ଯେଉଁ ମାନେ ପର ହୋଇ ଯାଇଥିଲେ, ଆଜି ହଠାତ୍ ସେମାନେ ତାଙ୍କର ନିଜର ଲୋକ ହୋଇ ଯାଇଛନ୍ତି।ଆଦିତ୍ୟର ଭାବନାରେ ପୂର୍ଣ୍ଣଛେଦ ପକାଇ ତା ମାଆ କହିଲେ ଆରେ ତୁ ସେତେବେଳ ଠାରୁ ସେଇଠି ଖୁଣ୍ଟଟା ଭଳି ଛିଡା ହୋଇ କ'ଣ ଭାବୁଛୁ? ମିଡ଼ିଆ ବାଲା ଆସିଗଲେଣି ପରା।ତା ମାଆଙ୍କ କଥା ଶୁଣି ଆଦିତ୍ୟର ମଉସା ବୋଲି ପରିଚିତ ହୋଇଥିବା ବ୍ୟକ୍ତି ଜଣକ ମଧ୍ୟ କହି ଉଠିଲେ ମିଡ଼ିଆ ବାଲା ତ ଆସି ଗଲେଣି। ଆଉ ସାକ୍ଷାତକାର ପାଇଁ ବିଳମ୍ବ କାହିଁକି? ତାଙ୍କ କଥା ଶୁଣି ଆଦିତ୍ୟ ମିଡ଼ିଆ ବାଲାଙ୍କ ଉଦ୍ଦେଶ୍ୟରେ କହିଲା କ୍ଷମା କରିବେ, ଆପଣ ମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ମୁଁ ଜଣଙ୍କୁ ଅପେକ୍ଷା କରିଛି ସେ‌ ଆସିଲେ ଯାଇ ମୁଁ ସାକ୍ଷାତକାର ଦେବି। ଆଦିତ୍ୟର କଥା ଶୁଣି ସେଠାରେ ଉପସ୍ଥିତ ଥିବା ତାର ସେଇ ନିଜର ଲୋକ ମାନେ ପରସ୍ପରର‌ ମୁହଁକୁ ଅନାଇ କୁହା କୁହି ହେଲେ ଆମେ ମାନେ ସମସ୍ତେ ତ ଉପସ୍ଥିତ ଅଛୁ । ଆଦିତ୍ୟ ଆଉ କାହାକୁ ଅପେକ୍ଷା କରିଛି? 


   ଠିକ୍ ସେଇ ସମୟରେ ଧୋତି ଓ‌ କୁର୍ତ୍ତା ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କ ଘର ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ଆଦିତ୍ୟ ଆଣ୍ଠୁ ମାଡ଼ି ତାଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ବସିବାକୁ କହିଲା ଓ ମିଡିଆ ବାଲାଙ୍କୁ ସାକ୍ଷାତକାର ନେବାକୁ କହିଲା। ଉପସ୍ଥିତ ସାମ୍ବାଦିକଙ୍କ ମଧ୍ୟରୁ ବିକ୍ରମ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କଲେ ଆଦିତ୍ୟ ବାବୁ ଆମେ ମାନେ ଶୁଣିଛୁ ଆପଣ କୁଆଡେ ପିଲା ବେଳୁ ନିଜ ବାପାକୁ ହରାଇଥିଲେ‌‌? ତେବେ ଏତେ ଛୋଟ ବେଳୁ ବାପାଙ୍କୁ ହରାଇବା ପରେ ବି ଆପଣ ଆଜି‌ ଆଇ.ଏ.ଏସ୍ ପାଇଛନ୍ତି ଆପଣଙ୍କର ‌ଏଇ ସଫଳତା ପଛରେ କାହାର ହାତ ଅଛି? ଆଦିତ୍ୟ କହିଲା ଆଜି ମୁଁ ଯାହା ବି ହୋଇଛି ତାହା କେବଳ ଏଇ ମଉସାଙ୍କ ଯୋଗୁଁ ହିଁ ସମ୍ଭବ ହୋଇଛି। ଇଏ ନ ଥିଲେ ଏଇ ବାପ ଛେଉଣ୍ଡ ପିଲାଟି କଣ‌ ଭାରତୀୟ ପ୍ରଶାସନିକ ସେବା ରେ ସଫଳତା ‌ହାସଲ କରି ପାରି ଥାଆନ୍ତା?


  ବାପା ଚାଲିଗଲା ପରେ କାଳେ ଆମେ କାହା ଉପରେ ନିର୍ଭର କରିବୁ ଭାବି ଆମର ଏଇ ନିଜର ଲୋକ ମାନେ ଯେତେବେଳେ ଆମ ଠାରୁ ଦୂରେଇ ଯାଇ ଥିଲେ, ସେତେବେଳେ ଦେବଦୂତ ସାଜି ମଉସା ଆମ ଜୀବନରେ ପ୍ରବେଶ କରି‌ ଥିଲେ। ଜୀବନର ପ୍ରତ୍ୟେକଟି ମୋଡ଼ରେ ସେ ଆମର ସାଥି ଦେଇ ଚାଲିଛନ୍ତି ।ସେ ଆର୍ଥିକ ହେଉ କି ମାନସିକ ‌ହେଉ କିମ୍ବା ଶାରୀରିକ ସାହାଯ୍ୟ ହେଉ। ପ୍ରତ୍ୟେକ କ୍ଷେତ୍ରରେ ଚଟାଣ‌ ଭଳି ମଉସା ଆମ ପାଇଁ ‌ଛିଡା ହୋଇଛନ୍ତି। ସେଇ ସମୟରେ ଆଉ ଜଣେ ସାମ୍ବାଦିକ ପ୍ରଶ୍ନ କଲେ ଆଦିତ୍ଯ ବାବୁ ମଉସା ତ ଆପଣଙ୍କ ନିଜର ସେ ସାହାଯ୍ୟ କରିବେନି ତ ଆଉ କିଏ କରିବ? ଆଦିତ୍ୟ କହିଲେ ହଁ ଠିକ୍ କହିଲେ ଜାଣିଛନ୍ତି ଦୁନିଆରେ ମୋ ମୋ ମାଆଙ୍କୁ ଛାଡି ମୋର ଯଦି ଆଉ‌ କେହି ନିଜର ଲୋକ ଅଛି ସେ ହେଉଛନ୍ତି ଏ ମଉସା। କିନ୍ତୁ ତାଙ୍କ ସହିତ ମୋର କିଛି ରକ୍ତଗତ ସମ୍ପର୍କ ‌ ନାହିଁ। ହେଲେ ରକ୍ତ ସମ୍ପର୍କ ଠାରୁ ବହୁତ ଉର୍ଦ୍ଧ୍ବ ରେ ମଉସାଙ୍କ ସ୍ଥାନ।ମଉସା ହେଉଛନ୍ତି ମୋ ପାଇଁ ଜୀବନ୍ତ ଈଶ୍ୱର। 


   ବୁଝିଲେ ଦୁନିଆରେ ‌ଅନେକ‌ ସମ୍ପର୍କ ଅଛି ତାର କିଛି ନାଁ ନଥାଏ କିନ୍ତୁ ରକ୍ତ ସମ୍ପର୍କ ଠାରୁ ଅଧିକ ନିଜର ହୋଇଥାଏ।ବାପା ଯିବା ପରେ ଦାରିଦ୍ର୍ୟ ର ତାଡନା ସହି ନ ପାରି ମୁଁ ଯେତେବେଳେ ରାସ୍ତା କଡ଼ରେ ଫୁଲ ବେପାର କରୁଥିଲି ସେଇ‌ ସମୟରେ ମଉସାଙ୍କ ସହ ମୋର ଦେଖା ହୋଇଥିଲା। ଆଉ ପ୍ରଥମ ଦେଖାରେ‌ ମଉସା ମୋତେ ସ୍କୁଲ୍ ନ ଯାଇ ଫୁଲ କାହିଁକି ବିକ୍ରି କରୁଛି ବୋଲି ପଚାରି ଥିଲେ। ମୋ ଠାରୁ ସବୁ ଶୁଣି ମୋ ପାଠ ପଢାର ସମ୍ପୁର୍ଣ୍ଣ ଦାଇତ୍ୱ ନିଜେ ନେଇଥିଲେ। ଆଉ ତାଙ୍କରି ପାଇଁ ରାସ୍ତା କଡ଼ରେ ଫୁଲ ବିକ୍ରି କରୁଥିବା ଆଦିତ୍ୟ ଆଜି ଆଇ.ଏ.ଏସ୍ ଆଦିତ୍ୟ ହୋଇ ‌ପାରିଛି। ବୁଝିଲେ ଖାଲି ନିଜର କହିଦେଲେ କି ରକ୍ତ ସମ୍ପର୍କର ହୋଇଗଲେ କେହି ନିଜର ଲୋକ ହୋଇଯାଏ ନାହିଁ।ନିଜର ଲୋକ ହେବା ପାଇଁ ଜଣଙ୍କର ଦୁଃଖ ସୁଖ କୁ ନିଜର ‌କରିବାକୁ ପଡ଼େ। ପ୍ରତ୍ୟେକ କ୍ଷେତ୍ରରେ ତା ସହିତ ସାଥି ରେ ରହିବାକୁ ପଡ଼େ । 


   ସୁଖ ବେଳେ ନିଜର କହି ପାଖକୁ ଆସୁଥିବା ଓ ଦୁଃଖ ସମୟରେ ଦୂରେଇ ଦେଉଥିବା ଲୋକ କେବେ ନିଜ ର ଲୋକ ହୋଇ ପାରେନା।ମିଡ଼ିଆ ବାଲା ଆଉ କିଛି ପ୍ରଶ୍ନ ପଚାରି ଆଦିତ୍ୟଙ୍କ ଘରୁ ବିଦାୟ ନେଇ ଥିଲେ।ହେଲେ ନିଜର କହି ଦଉଡ଼ି ଆସିଥିବା ଲୋକଙ୍କ ମୁହଁ ତଳକୁ ହୋଇ ଯାଇଥିଲା।


Rate this content
Log in

More oriya story from Kanan Bala Nayak

Similar oriya story from Inspirational