ନୀରବତା
ନୀରବତା
କାହିଁକି ଏମିତି ଘଟେ ଜୀବନରେ ଆଉ କାହିଁକି ମଣିଷମାନେ ପରିବର୍ତ୍ତିତ ହୋଇଯାଆନ୍ତି ସମୟ, ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ? ଅତୀତର କଥାକୁ ସବୁ ଭୁଲି ଯାଆନ୍ତି, ସେ ଦିନର ସେ ଦୁର୍ବଳ ମୁହୂର୍ତ୍ତକୁ ଓ ଦୁଃସମୟକୁ ସବୁକୁ ଭୁଲି ଯାଆନ୍ତି । ସାହାଯ୍ୟ ସହଯୋଗ କରିଥିବା ମଣିଷକୁ, ସ୍ନେହ ପ୍ରେମ ଡୋରିରେ ବାନ୍ଧିଥିବା ମଣିଷମାନଙ୍କୁ, ପିତାମାତା ଆତ୍ମୀୟସ୍ଵଜନ, ପ୍ରେମକୁ ପ୍ରେମିକକୁ ସବୁକୁ। ପ୍ରକୃତରେ ବିଚିତ୍ର ଏ ସୃଷ୍ଟି କେଉଁ ମୁହୂର୍ତ୍ତରେ କ'ଣ ଯେ ଘଟିବ ନା ତୁମେ ନା ମୁଁ କେହି ବି ଜାଣି ପାରିବା ନାହିଁ ଆମେ। ଜୀବନଟା ଗୋଟାଏ ବଡ ଗୋଲକ ଧନ୍ଦା । ସବୁବେଳେ ଯେ ଜଣେ ସବୁ ପରିସ୍ଥିତିରେ ଜିତିବ କିମ୍ବା ହାରିବ ଏଇଟା କେବେ ବି ସମ୍ଭବ ନୁହେଁ, ତାହା ମଧ୍ୟ ଭାବିବା ମୂର୍ଖାମୀର ପରିଚୟ । ଭାବନା ରାଇଜରେ ବୁଡି ଏମିତି ଅନେକ ପ୍ରଶ୍ନ ଗୁଛ ମଧ୍ୟରେ ଛନ୍ଦି ହୋଇପଡିଛି ଆଜି ବିଦ୍ୟାଧର । ବିଦ୍ୟାଧର ମହାପାତ୍ର, ପିତା - ନିତ୍ୟାନନ୍ଦ ମହାପାତ୍ର, ଜାତିରେ ମାଳି, ଗାଁ ହରିପୁର, ଜି- କଟକ । ଅତ୍ୟନ୍ତ ଅମାୟିକ, ଶାନ୍ତ, ସରଳ ସ୍ଵଭାବର ପିଲାଟିଏ ଥିଲା ବିଦ୍ୟାଧର । ବାପା ତାଙ୍କ ଗାଁ ଶିବ ମନ୍ଦିରରେ ଠାକୁରଙ୍କ ସେବାରେ ନିୟୋଜିତ, ସେଥିରୁ ଯାହା ରୋଜଗାର ହୁଏ ତିନି ପ୍ରାଣୀ କୁଟୁମ୍ବ, ଅର୍ଥାତ୍ ବିଦ୍ୟାଧର,ନିଜେ ନିତ୍ୟାନନ୍ଦ ବାବୁ ଓ ବିଦ୍ୟାଧର ମା ଦମୟନ୍ତୀ କଷ୍ଟେମଷ୍ଟେ ଚଳନ୍ତି। ନିତ୍ୟାନନ୍ଦ ବାବୁ ଓ ଦମୟନ୍ତୀ ଉଭୟଙ୍କ ବିବାହର ଦୀର୍ଘ ଦିନ ପରେ କୋଳ ମଣ୍ଡନ କଲା ବିଦ୍ୟାଧର । ପିଲାଟି ଦିନରୁ ବହୁ ଦୁଃଖ କଷ୍ଟରେ ଥାଇ ମଧ୍ୟ କେବେ ବିଦ୍ୟାଧରର ମନରେ କିଛି ଦୁଃଖ କଷ୍ଟ ନ ଦେଇ ତା'ର ବାପା ନିତ୍ୟାନନ୍ଦ ଓ ମା ଦମୟନ୍ତୀ ଚେଷ୍ଟା କରୁଥିଲେ ପିଲାକୁ ସବୁବେଳେ ଖୁସି ରଖିବା ପାଇଁ । ବିଦ୍ୟାଧର ଧୀରେ ଧୀରେ ବଡ ହେବାକୁ ଲାଗିଲା ଓ ବିଦ୍ୟାଧ୍ୟୟନ ଆରମ୍ଭ କଲା, ସେ ପ୍ରଥମ ଶ୍ରେଣୀରେ ସବୁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମହା ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ବେଳେ ରଶ୍ମିତା କୁ ଭଲ ପାଇ ବସିଲା। ରଶ୍ମିତା ଦେଖିବାକୁ ସୁଶ୍ରୀ, ସ୍ଵଭାବରେ ସୁଶୀଳା ଓ ଶାନ୍ତ ସରଳ ମିଞ୍ଜାସର ପିଲା। ଦିନ ପରେ ଦିନ ଗଡି ଚାଲିଲା ବିଦ୍ୟାଧର ମଧ୍ୟ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରେଭେନ୍ସା ମହାବିଦ୍ୟାଳୟରୁ ଟପ୍ପର ହେଲା । ପରେ ପରେ ଗୋଟିଏ ଚାନ୍ସରେ ସେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଆରମ୍ଭ କଲା, ବିଦ୍ୟାଧର ର ବାପା ମା ଧାର କରଜ କରି ପୁଅକୁ ଡାକ୍ତରୀ ପାଠ ପଢାଇଲେ । ସବୁ କିଛି ଅଭାବ ଭିତରେ ଈଶ୍ଵରଙ୍କ କୃପାରୁ ଠିକ୍ ଠାକ୍ ଚାଲିଥାଏ ତେଣେ ରଶ୍ମିତା ରମା ମହାବିଦ୍ୟାଳୟ ରେ ଯୁକ୍ତ ତିନି ବିଜ୍ଞାନରେ ନାମ ଲେଖାଇଲା । ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲା । ହେଲେ ରଶ୍ମିତା ତା ହୃଦୟରୁ ବିଦ୍ୟାଧରକୁ ଦୂରେଇ ପାରୁ ନ ଥିଲା କି ବିଦ୍ୟାଧର ବି ରଶ୍ମିତାକୁ ଭୁଲି ପାରୁ ନ ଥିଲା । ସମୟ ସ୍ରୋତରେ ସବୁ କିଛି ଭାସିଯାଏ ଠିକ୍ ସେହିପରି ଉଭୟଙ୍କର ପାଠ ପଢା ସରିବା ଉପରେ କିନ୍ତୁ ବିଦ୍ୟାଧର ଯେହେତୁ ଡାକ୍ତରୀ ପାଠ ପଢୁଥିଲା ତାକୁ ଟିକେ ପାଠ ପଢା ସାରିବାକୁ ଅଧିକ ସମୟ ଲାଗିଲା । ବିଦ୍ୟାଧରର ପାଠ ପଢା ସରିବା ପୂର୍ବରୁ ରଶ୍ମିତାର ଘର ଥିଲେ ବିତ୍ତଶାଳୀ, ସେ ଥିଲା ବିରାଟ ବ୍ୟବସାୟୀ ଘରର ପିଲା, ବାପା ମାୟାଧର ବାବୁ ଥିଲେ କଟକ ସହରର ନାମୀଦାମୀ ଡ୍ରେସ୍ ସୋ ରୁମର ମାଲିକ। ଅବଶ୍ୟ ଉଭୟ ରଶ୍ମିତା ଓ ବିଦ୍ୟାଧର ଜାତିରେ ମାଳି ଥିଲେ ହେଲେ ବିଦ୍ୟାଧର ର ଆର୍ଥିକ ଅବସ୍ଥା ବହୁତ୍ ଦୁର୍ବଳ ଥିଲା ରଶ୍ମିତା ଘର ତୁଳନାରେ । ଯଦିବା ରଶ୍ମିତା ଓ ବିଦ୍ୟାଧର ଉଭୟ ଉଭୟଙ୍କୁ ଭଲପାଉଥିଲେ ହେଲେ ସମାଜ ଡରରେ ପରିବାରର ସମ୍ମାନ ଦୃଷ୍ଟିରୁ କେହି କାହା ଘରେ ତାଙ୍କ ଭଲ ପାଇବା ବିଷୟରେ ଘରେ ଜଣାଇ ନ ଥିଲେ । ଏଣୁ ରଶ୍ମିତାର ବାପାମା ବିଦ୍ୟାଧର ଡାକ୍ତରୀ ବିଦ୍ୟାରେ (ପିଜି) ସ୍ନାତକୋତ୍ତର ପଢା ଶେଷ ହେବା ପୂର୍ବରୁ ରଶ୍ମିତାର ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଏକ ପ୍ରକାର ସ୍ଥିରୀକୃତ କରିଦେଲେ । ରଶ୍ମିତା କିଂକର୍ତ୍ତବ୍ୟ ବିମୁଢ ହୋଇଗଲା । ତାକୁ ଆଉ ବୁଦ୍ଧି ବାଟ ଦିଶିଲାନି । ସେ ତା ମନ ଓ ହୃଦୟର ଦେବତା ବୋଲି ବିଦ୍ୟାଧରକୁ ଗ୍ରହଣ କରି ସାରିଛି, କିନ୍ତୁ କ'ଣ ବା ସେ କରିପାରିବ ? କିଛି ବୁଦ୍ଧି ବାଟ ନ ଦିଶିବାରୁ ବିଦ୍ୟାଧରକୁ ଟେଲିଗ୍ରାମ୍ କଲା ତାକୁ ନିହାତି ଜରୁରୀ ଭାବେ ଦେଖା କରିବାକୁ । ଭାଗ୍ୟ ସାଥ୍ ନ ଦେଲେ ମଣିଷ ବା କ'ଣ କରିପାରିବ ଯୋଗକୁ ସେତିକି ବେଳକୁ ବିଦ୍ୟାଧରର ପ୍ରଥମ ବର୍ଷ ଡାକ୍ତରୀ ପାଠର ସ୍ନାତକୋତ୍ତର ପରୀକ୍ଷା ଚାଲିଥାଏ ସେ ଯାଇପାରିବ ନାହିଁ ବୋଲି ମଧ୍ୟ ରଶ୍ମିତାକୁ ଜଣାଇଦେଲା ଯେ ତା'ର ଏବେ ପରୀକ୍ଷା ଚାଲିଛି ବୋଲି, ଯାହା ବି ହେଉ ରଶ୍ମିତାର ଅନିଛା ସତ୍ତ୍ଵେ ସେଇ ପୁଅ ସହ ତା ବାପା ମାୟାଧର ବାବୁ ଯେଉଁଠି ଠିକ୍ କରିଥିଲେ ତା'ର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଗଲା । ଏଇତ ସମୟର ଖେଳ, ପରିସ୍ଥିତି ଓ ପରିବେଶର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୀବନଟା ଗୋଟାଏ ଛକି ଆଉ ଶୂନ୍ୟ ର ଖେଳ ବୋଲି ରଶ୍ମିତା ଭାବି ନେଲା । ତ
ା'ର ଇହକାଳ ପରକାଳ ର ଦେବତା ବୋଲି ଯାହାକୁ ମନ ଓ ହୃଦୟରେ ଧରି ନେଇଥିଲା ସେ ଆଜି ବି ତା ହୃଦୟରେ ବିରାଜିତ ଥିଲା । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ପଡିଥିବା ବେଳେ ରଶ୍ମିତା ତା'ର ସ୍ଵାମୀକୁ ସବୁ ଖୋଲି କହିଦେବ ବୋଲି ମନେ ମନେ ସ୍ଥିର କଲା ମନରେ ସାହାସ ଜୁଟାଇଲା ଠିକ୍ କଲା ବାସର ରାତିରେ ତା'ର ସ୍ଵାମୀ ମାନସକୁ ସବୁ କହିଦେବ ଏବଂ ଅତି ସନ୍ତର୍ପଣରେ ସବୁ କଥା କଥା କାନ୍ଦି କାନ୍ଦି ସେ କହିଲା ମଧ୍ୟ ମାନସକୁ । ମାନସ ରଶ୍ମିତାର ଧୈର୍ଯ୍ୟ ଓ ସାହାସ କୁ ମନେ ମନେ ସାବାସୀ ଦେଉଥିଲା ହେଲେ କ'ଣ କରିବ ମାନସ ସେ ନିଜେ ମଧ୍ୟ ଭାବି ପାରୁ ନ ଥିଲା ସେ ମଧ୍ୟ ତା'ର ଅନିଚ୍ଛା ସତ୍ତ୍ବେ ରଶ୍ମିତାକୁ ବିବାହ କରିଥିଲା । ମାନସ ମଧ୍ୟ ରଞ୍ଜିତାକୁ ଭଲ ପାଉଥିଲା ଓ ରଞ୍ଜିତା ବି ରଶ୍ମିତାର ଶ୍ରେଣୀ ସହପାଠିନୀ ବାନ୍ଧବୀ ଥିଲା ଉଭୟେ ଉଭୟଙ୍କୁ ପିଲାବେଳୁ ଭଲଭାବରେ ଜାଣନ୍ତି। ମାନସ ବି ବିଦ୍ୟାଧରର କ୍ଲାସମେଟ୍ ବନ୍ଧୁ ଥିଲା। ମାନସର ପାଠ ନ ହେବାରୁ ପାଠପଢା ଛାଡି ସିମେଣ୍ଟ ଓ ଛଡ ହୋଲ ସେଲ ବେପାର କରୁଥିଲା ଓଡ଼ିଶାର କେତେଜଣ ନାମୀଦାମୀ ସିମେଣ୍ଟ ଛଡ ବ୍ୟବସାୟୀ ମାନଙ୍କ ମଧ୍ୟରୁ ସେ ଜଣେ। ଉଭୟେ ଉଭୟଙ୍କର ଦୁର୍ବଳତା ଜାଣିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଵରୂପ ଉଭୟେ ଉଭୟଙ୍କର ପ୍ରେମ ଫେରି ପାଇବାକୁ ସ୍ଥିର କଲେ ।ପରେ ପରେ ରଶ୍ମିତା ଓ ମାନସ ରଞ୍ଜିତା ପାଖରେ ଯାଇ ପହଞ୍ଚିଲେ ରଞ୍ଜିତା ମଧ୍ୟ ମାନସର ବିବାହ ବିଷୟରେ କିଛି ଜାଣି ନ ଥିଲା, ହଠାତ୍ ରଶ୍ମିତା ଠାରୁ ଏସବୁ ଶୁଣିବା ପରେ ସେ ମଧ୍ୟ ନିଜକୁ ବିଶ୍ଵାସ କରିପାରିଲା ନାହିଁ । ରଶ୍ମିତା ରଞ୍ଜିତାକୁ ବୁଝାଇବାକୁ ଯାଇ କହିଲା ହେଉ ଛାଡ୍ ଯାହା ହେବାର ଥିଲା ହୋଇଗଲାଣି ତୋର ସ୍ଵାମୀକୁ ମୁଁ ତୋତେ ଫେରେଇ ଦେଲି ଏବେ ମୋ ସ୍ଵାମୀକୁ ମୋ ପାଖରେ ପହଞ୍ଚାଇବାର ବେଳ ତୋର । ସେହି ସ୍ଥାନରୁ ମାନେ ରଞ୍ଜିତା ଘରୁ ରଞ୍ଜିତା, ରଶ୍ମିତା ଓ ମାନସ ତିନିଜଣ ମିଶି ବିଦ୍ୟାଧର ପାଖକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ କୁ ଗଲେ ଏ ସମସ୍ତ ବିବରଣୀ ଶୁଣି ସାରିବା ପରେ ଚାରିଜଣ ଯାକ ମିଶି କୋର୍ଟରେ ଯାଇ ମ୍ୟାରେଜ୍ କଲେ । ତାଙ୍କ ଚାରିଜଣଙ୍କ ମନରେ ଥିବା ନିଜ ପ୍ରେମକୁ ଫେରି ପାଇବାର ଖୁସିକୁ ସେମାନେ ଭାଷାରେ ବର୍ଣ୍ଣନା କରିପାରୁ ନ ଥିଲେ । ସେ ଚାରିଜଣଙ୍କର ଘର ଲୋକେ ମଧ୍ୟ ଏ ସବୁ ଶୁଣିବା ପରେ ହତ୍ ବାକ୍ ହୋଇଯାଇଥିଲେ । ଏ ଚାରିଜଣ ଓ ସେମାନଙ୍କ ପରିବାରର ଲୋକମାନଙ୍କ ପାଟିରୁ କଥା ମଧ୍ୟ ବାହାରିଲା ନାହିଁ । ସତେ ଯେମିତି ସମସ୍ତେ ଏକ ପ୍ରକାର ନୀରବତା ଅବଲମ୍ବନ କରୁଥିଲେ । ପ୍ରକୃତରେ ବନ୍ଧୁତା, ସମ୍ପର୍କର ମୂଲ୍ୟ ଦୁନିଆଁ ରେ ଧନ, ସମ୍ପଦ, ପ୍ରଭୁତ୍ଵ ଠାରୁ ବହୁତ ଉର୍ଦ୍ଧ୍ବରେ । ସେହି ବନ୍ଧୁତା ବଳରେ ଉଜୁଡି ଯାଉଥିବା ଚାରି ଚାରୋଟି ଜୀବନର ପ୍ରେମ ଦୀପ ପୁନଃ ଉଜ୍ଜୀବିତ ସୋଇପାରିଲା ଏବଂ ସଚ୍ଚା ପ୍ରେମିକ ପ୍ରେମିକା ରୂପେ ନିଜକୁ ସେମାନେ ପ୍ରମାଣିତ କରିପାରିଲେ । ସେମାନଙ୍କର ବାପାମାଆ ମାନେ ମଧ୍ୟ ସେମାନଙ୍କର ଭୁଲ୍ ବୁଝିପାରିଲେ । ପିଲାମାନଙ୍କର ଇଛା, ଭଲପାଇବା, ଖୁସିକୁ ମଧ୍ୟ ବାପା ମା ମାନେ ସମ୍ମାନ ଦେବା ଉଚିତ୍ ନଚେତ୍ ଅନେକ କ୍ଷେତ୍ରରେ ପୁଅ ଝିଅ ଆତ୍ମହତ୍ୟା କରିବା, ପାଗଳ ହୋଇଯିବା ଓ ଅନେକ କ୍ଷେତ୍ରରେ ମଧ୍ୟ ନାନା ଦୁଷ୍କର୍ମ ଓ ଦୁର୍ଘଟଣା ମାନ ସମାଜରେ ପରିଲକ୍ଷିତ ହେବାର ସେମାନଙ୍କର ପିତା ମାତା ଉପଲବ୍ଧି କରିପାରୁଥିଲେ । ପିଲାମାନେ ମଧ୍ୟ ତାଙ୍କ ମନ ପସନ୍ଦର ପିଲା ଯାହାକୁ ସେ ଜୀବନ ସାଥୀ ରୂପେ ବାଛିଛନ୍ତି ବା ବାଛୁଛନ୍ତି ସେ ବାବଦରେ ମଧ୍ୟ ବାପାମାଆଙ୍କୁ ବହୁ ପୂର୍ବରୁ ଜଣାଇବା ଉଚିତ୍ । ଅବଶ୍ୟ ଆମ ରକ୍ଷଣଶୀଳ ସମାଜରେ ବାପାମାଆ ମାନେ ପିଲାଙ୍କ ଇଛାକୁ, ଭଲପାଇବାକୁ, ବନ୍ଧୁତାକୁ ଜାତି ନାଁ ରେ, ଧର୍ମ ନାଁ ରେ, କ୍ଷମତା ଓ ଅର୍ଥର ଲାଳସାରେ ଅନେକ କ୍ଷେତ୍ରରେ ସ୍ଵୀକାର କରୁ ନାହାଁନ୍ତି ଯଦ୍ଦ୍ଵାରା ପିଲାମାନେ ବାଧ୍ୟ ହୋଇ ସବୁ ଜାଣିଶୁଣି ଶେଷ ପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରୁ ଅଛନ୍ତି । ଏତେ ସବୁ ଘଟଣା ଜାଣିବା ପରେ ଚାରିଜଣ ପିଲାଙ୍କର ବାପାମାଆ ମାନେ ନିଜର ଭୁଲ୍ ବୁଝିପାରିଲେ ଓ ନିରୁତ୍ତର ଭାବେ ନୀରବତା ଅବଲମ୍ବନ କରି ତାଙ୍କ ମନ ପସନ୍ଦର ଯୋଡି ମାନେ ବିଦ୍ୟାଧର ସହ ରଶ୍ମିତାର ଓ ମାନସ ସହ ରଞ୍ଜିତା ର ବିବାହ କାର୍ଯ୍ୟ ଏକ ସଙ୍ଗରେ କଟକର ଗୋଟିଏ ନାମୀଦାମୀ ମଣ୍ଡପରେ ହିଁ ସମ୍ପାଦନ କଲେ । ସମାଜ, ସାହି ପଡିଶା ସମସ୍ତେ ଯେମିତି ଏଠି ନୀରବଦ୍ରଷ୍ଟା ଓ ସମସ୍ତେ ଅବଲମ୍ବନ କରୁଥିଲେ ନୀରବତା । ସମସ୍ତେ ଉପଲବ୍ଧି କରୁଥିଲେ ପ୍ରେମ ହିଁ ଦୁନିଆଁରେ ଚିରନ୍ତନ ସତ୍ୟ, ପ୍ରେମ ଅମର, ବନ୍ଧୁତାର ମୂଲ୍ୟର କଳନା ନାହିଁ । ସେହି ବିବାହ ଉତ୍ସବରେ ଉପସ୍ଥିତ ସେମାନଙ୍କର ସମସ୍ତ ବନ୍ଧୁ, ବାନ୍ଧବ, ଆତ୍ମୀୟସ୍ଵଜନ ଥିଲେ ଉତ୍ସାହିତ, ନିରୁତ୍ତର, ନୀରବଦ୍ରଷ୍ଟା ଓ ଅବଲମ୍ବନ କରୁଥିଲେ ନୀରବତା, ସତେ ଯେମିତି ସେମାନଙ୍କ ବନ୍ଧୁତା ଓ ପ୍ରେମ ଆଗରେ ଏମାନେ ଯେମିତି ନିଜକୁ ଦୋଷୀ ଦୋଷୀ ମଣୁଥିଲେ। ସମସ୍ତେ ଏମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରି ବୟୋଜ୍ୟେଷ୍ଠ ହିସାବରେ ନିଜର ଭୁଲ୍ କୁ ନୀବତାର ସହ ସତେ ଯେପରି ଏକ ପ୍ରକାର ପରୋକ୍ଷରେ ସମର୍ଥନର ପରିପ୍ରକାଶ କରୁଥିବାର ପରିଲକ୍ଷିତ ହେଉଥିଲା। ସେ ନୀରବତା ଉଚିତ୍ ଅନୁଚିତ୍ ସବୁ ବର୍ଣ୍ଣନା କରୁଥିଲା ।