STORYMIRROR

Rabindra kumar Sahoo

Tragedy

4.0  

Rabindra kumar Sahoo

Tragedy

ଅଭୁଲା ସେ ପ୍ରେମ

ଅଭୁଲା ସେ ପ୍ରେମ

8 mins
297


   ପ୍ରେମ ଈଶ୍ଵରଙ୍କ କି ସୃଷ୍ଟି ସେ ? ସକଳ ସୃଷ୍ଟି ଯେ ତାକୁ ହିଁ ଆଶ୍ରା କରି ଚାଲିଛି ସେ କଥା ଆମ ସମସ୍ତଙ୍କୁ ସ୍ଵୀକାର କରିବାକୁ ପଡିବ । ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏମିତି ପ୍ରେମକୁ ଭାଗ ଭାଗ କରାଯାଇଛି । ସ୍ନେହ, ମମତା, ଶ୍ରଦ୍ଧା, ଭଲପାଇବା ଏସବୁ ପ୍ରେମର ଗୋଟିଏ ଗୋଟିଏ ଅଂଶ ବିଶେଷ, ହେଲେ ପ୍ରେମିକ ଆଉ ପ୍ରେମିକାଙ୍କ ମଧ୍ୟରେ ଯେଉଁ ପ୍ରେମ ତାହା ଏକ ଭିନ୍ନ ସ୍ୱାଦର ଭିନ୍ନ ରୁଚିର ପ୍ରେମ । ଯାହା ପାଇଁ ଯୁବ ସମାଜ ଯୁଗେ ଯୁଗେ ଅନ୍ଧ ତଥା ପାଗଳ ବି ହୁଅନ୍ତି ଏ କଥାକୁ ଅଙ୍ଗେ ଅଙ୍ଗେ ଉପଲବ୍ଧି କରିଥିଲା ନରେନ୍ଦ୍ର । କୈଶୋରରୁ ଯୌବନ, ଯୌବନରୁ ଆସି ପ୍ରୌଢାବସ୍ଥାରେ ଏବେ ପଦାର୍ପଣ କଲାଣି ନରେନ୍ଦ୍ର । ତଥାପି ତା'ର ସେ ପ୍ରେମରୂପକ ପାଗଳ ନିଶାଟା ଭୂତ ପରି ତା ମୁଣ୍ଡରୁ ଓହ୍ଲାଇ ନଥିଲା ଏବେ ପର୍ଯ୍ୟନ୍ତ ।

   ଜୀବନରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରି କରି ଆସି ପହଞ୍ଚିଥିଲା ଉନ୍ନତ ସୋପାନରେ । ନୁହେଁ ଅତି ବଡ ସମ୍ଭ୍ରାନ୍ତ ନୁହେଁ ବି ଅତି ଦରିଦ୍ର ଦୈନନ୍ଦିନ ଜୀବନରେ ମଣିଷ ପରି ମଣିଷ ହୋଇ ବଞ୍ଚିବାର ଏକ ପ୍ରକାର ଆଶୀର୍ବାଦ ଈଶ୍ଵରଙ୍କ କୃପାରୁ ପାଇଥିଲା ନରେନ୍ଦ୍ର । ସାଙ୍ଗ ମାନେ କିଏ କୁଆଡ଼େ ତାଙ୍କ ଦୁଃଖ ଧନ୍ଦାରେ ଲୁଚି ହଜିଗଲା ଭଳି ଲାଗୁଥିଲା ନରେନ୍ଦ୍ରକୁ । ଏମିତି କିଛି ହାତ ଗଣତି ବନ୍ଧୁ ବାନ୍ଧବୀ ତା'ର ଯୋଗାଯୋଗରେ ଥିଲେ ନରେନ୍ଦ୍ରର । କିଏ ବା କାହାକୁ ଖୋଜୁଛି ନା ଲୋଡୁଛି ସମସ୍ତେ ତ ଯେଝା ତେଲ ଲୁଣ ସଂସାର ଜଞ୍ଜାଳରେ ବୁଡିଛନ୍ତି, କିଏ ବା କାହିଁକି କାହାର ଖବର ଅନ୍ତର ରଖିବ ଏ କଥା ଭାବୁଥିଲା ନରେନ୍ଦ୍ର ? ଭାବିକରି ବେଳେବେଳେ ଆଶ୍ଚର୍ଯ୍ୟ ହେଉଥିଲା, ପୁଣି କେବେ ମନ ଦୁଃଖ କରୁଥିଲା ତ ପୁଣି କେବେ କେବେ ମନେ ମନେ ହସୁ ବି ଥିଲା । ସତରେ ଦିନଗୁଡାକ କେମିତି ପାଣି ବୋହିଗଲା ଭଳି ଗଡି ପଳଉଛି ଯେମିତି ସେମିତି ଅନୁଭବ କରୁଥିଲା ନରେନ୍ଦ୍ର । ଚାହୁଁ ଚାହୁଁ ସେ ଆସି ପ୍ରୌଢାବସ୍ଥାରେ ପାଦ ଥାପିଲାଣି, ହେଲେ ଭୁଲି ପାରୁନଥିଲା ତା ପିଲାଦିନର ସାଙ୍ଗ ସାଥୀମାନଙ୍କୁ ବିଶେଷ କରି ଭୁଲି ପାରି ନ ଥିଲା ତା ପ୍ରେମିକା ସଞ୍ଜୁକ୍ତାକୁ, ହଁ ନରେନ୍ଦ୍ରର ପୁରା ନାମ ନରେନ୍ଦ୍ର ଚମ୍ପତ୍ତି ଜାତିରେ ଖଣ୍ଡାୟତ ମଫସଲି ଗାଆଁ ର ମଣିଷ କୈଶୋରରୁ ସେ ହାଇସ୍କୁଲ୍ କ୍ୟାରିୟରରୁ ଭଲ ପାଇ ବସିଥିଲା ସଞ୍ଜୁକ୍ତାକୁ । ସଞ୍ଜୁକ୍ତା ରୂପରେ ଗୁଣରେ ସ୍ଵୟଂ ସମ୍ପୂର୍ଣ୍ଣା ଥିଲା । ହେଲେ ସେ ଥିଲା ଜାତିରେ ବ୍ରାହ୍ମଣ ଓ ନରେନ୍ଦ୍ରର ପରିବାର ଠାରୁ ଧନ, ମାନ ଓ ସାମାଜିକ ପ୍ରତିଷ୍ଠା, ପ୍ରତିପତ୍ତିରେ ନରେନ୍ଦ୍ରର ପରିବାର ଠାରୁ ବହୁତ ଉର୍ଦ୍ଧ୍ୱରେ। କିନ୍ତୁ ନରେନ୍ଦ୍ର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା ଥିଲା ସେତେବେଳେ ବାପା ତା'ର ଥିଲେ ପାଖ ଗାଆଁ ର ୟୁ.ଜି.ଏମ୍.ଇ. ସ୍କୁଲରେ ଜଣେ ପିଅନ। ଭାଇ ଭଉଣୀ ମିଶି ଏମାନେ ପାଞ୍ଚ ଜଣ । ବାପା ତା'ର ଜଣେ ରୋଜଗାର କରିବେ ଏମାନେ ପାଞ୍ଚ ଭାଇ ଭଉଣୀ ଖାଇବେ, ପିନ୍ଧିବେ, ପଢିବେ, ରୋଗ ବଇରାଗ, ବନ୍ଧୁ ବାନ୍ଧବ, ଯାନି ଯାତ୍ରା ସବୁ ନରେନ୍ଦ୍ରର ବାପାଙ୍କ ସେହି ପିଅନ ଚାକିରୀର ଦରମାରୁ ଚଳେ । ହଁ ଗାଆଁ ର କିଛି ଲୋକଙ୍କ ଜମିବାଡ଼ି ଚାଷ କରନ୍ତି ନରେନ୍ଦ୍ରର ବାପା । ମାଆ ଗୃହିଣୀ । ନରେନ୍ଦ୍ରର ଏତେ ଅଭାବ ଭିତରେ ବି ଭଗବାନଙ୍କ କୃପାରୁ ସେ କେବେହେଲେ ତା ପାଠପଢ଼ାରେ ଅବହେଳା କରେନି । ପ୍ରଥମ ଶ୍ରେଣୀରୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲା । ସଞ୍ଜୁକ୍ତା ଦେଖିବାକୁ ସୁନ୍ଦର, ଶାନ୍ତ, ସରଳ ସ୍ଵଭାବର ଥିଲା । ନରେନ୍ଦ୍ରର ପାଠ ପଢା, ତା'ର ଗୁଣ ଗ୍ରାମ ଓ ରୂପରେ ମଧ୍ୟ ଦେଖିବାକୁ ଅତି ସୁନ୍ଦର ଥିଲା। ସଞ୍ଜୁକ୍ତା ନରେନ୍ଦ୍ରକୁ ଓ ନରେନ୍ଦ୍ର ସଞ୍ଜୁକ୍ତା ଉଭୟ ଉଭୟଙ୍କୁ ବହୁତ୍ ଭଲ ପାଉଥିଲେ । ଅଷ୍ଟମ ଶ୍ରେଣୀରେ ପଢିଲାବେଳୁ ଉଭୟ ଉଭୟଙ୍କୁ ନ ଦେଖିଲେ ପାଗଳ ପରି ହେଉଥିଲେ । ସଞ୍ଜୁକ୍ତା ନରେନ୍ଦ୍ରର ତଳ ଶ୍ରେଣୀରେ ପଢ଼ୁଥିଲା ମାନେ ଗୋଟିଏ ବ୍ୟାଚ୍ ଜୁନିୟର ଥିଲା ସଞ୍ଜୁକ୍ତା ନରେନ୍ଦ୍ର ଠାରୁ । ଦୀର୍ଘ ଦିନର ଭଲପାଇବା ଭିତରେ ନରେନ୍ଦ୍ରର ମହାବିଦ୍ୟାଳୟ ପାଠ ପଢା ଆରମ୍ଭ ହୋଇଯାଇଥିଲା । ଏଣୁ ସେ ମଫସଲ ଗାଆଁ ଛାଡି ସହରାଭିମୁଖୀ ହେଲା । ପାଖ ଗାଆଁର ପିଲାଥିଲା ସଞ୍ଜୁକ୍ତା ଛୁଟିଛୁଟା ପର୍ବପର୍ବାଣୀ ପଡିଲେ ଗାଆଁ କୁ ବେଳେବେଳେ ଆସୁଥିଲା ନରେନ୍ଦ୍ର। ଅଭାବୀ ପରିବାରର ପିଲା ଥିଲା ସେ ତଥାପି ମନରେ ବହୁ ଆଶା ଆକାଂକ୍ଷା ନେଇ ନିଷ୍ଠାର ସହ ପଢୁଥାଏ। ସେ +୨ ବିଜ୍ଞାନରେ ନାମ ଲେଖାଇଲା ବହୁତ୍ ପରିଶ୍ରମ କରି ପଢିବାକୁ ଚେଷ୍ଟା କଲା, ଯେହେତୁ ଜଣେ କୃତୀ ଛାତ୍ର ଥିଲା ତେଣୁ ତା'ର ଶିକ୍ଷାର ମାନ ମର୍ଯ୍ୟାଦା ରକ୍ଷା କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲା । ହେଲେ ମଫସଲି ଗାଆଁର ପିଲା ସହରୀ ପାଣି ପବନରେ ଅଭାବ ଭିତରୁ ଯାଇ ସେଠି ଖାପ ଖୁଆଇ ଚଳିବା ତା ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସଦୃଶ ହୋଇଗଲା । ତତ୍ ସଙ୍ଗେ ସଙ୍ଗେ ଓଡିଆ ମାଧ୍ୟମର ପିଲା ସହରୀ ଇଂରାଜୀ ମାଧ୍ୟମ ପିଲାଙ୍କ ସହ ପ୍ରତିଯୋଗିତା କରି ଆଗକୁ ବଢିବା ପାଇଁ ଓ ଭଲ ରେଜଲ୍ଟ ୨ ବିଜ୍ଞାନରେ କରିବା ପାଇଁ ଏକ ପ୍ରକାର ତା ପାଇଁ କଷ୍ଟସାଧ୍ୟ ହୋଇଗଲା । ମାଟ୍ରିକ୍ ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେଉଥିବା ପିଲାର ମନୋବଳ ଭାଙ୍ଗି ଭାଙ୍ଗି ଯାଉଥିଲା। ତା ପାଖରେ ବାହାରେ ଏକ୍ସଟ୍ରା କୋଚିଂ ନେବାର ସୁଯୋଗ ନ ଥିଲା, ଖାଇବା, ପିନ୍ଧିବା, ପ୍ରାଇଭେଟ୍ ମେସରେ ରହି ମାସିକ ଅର୍ଥ ପୈଠ କରିବାକୁ ସେ ସମର୍ଥ ନ ଥିଲା ଗାଆଁ ପାଖର ଜଣେ ବଦାନ୍ୟ ବ୍ୟକ୍ତି ରାଜେଶ ବାବୁ ପ୍ରତି ମାସରେ କିଛି ଅର୍ଥ ତା'ର ହଷ୍ଟେଲର ରହିବା ଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ପୈଠ କରୁଥିଲେ। ସେ ପୁଣି ମାଗଣାରେ ନୁହେଁ ତାଙ୍କ ଘରେ ଯାଇ ନରେନ୍ଦ୍ର ତାଙ୍କ ପୁଅ ଝିଅଙ୍କୁ ଟିଉସନ୍ ପଢ଼ାଉଥିବା ହେତୁ । ସେ ଯାହା ବି ହେଉ ହଷ୍ଟେଲରେ କିଛି ଅଧିକ ଖର୍ଚ୍ଚ ହେଲେ ମଧ୍ୟ ରାଜେଶ ବାବୁ ସେ ଖର୍ଚ୍ଚ ନରେନ୍ଦ୍ରର ଭରଣା କରୁଥିଲେ । ଧୀରେ ଧୀରେ ନରେନ୍ଦ୍ରର ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଚାପ ବଢିଲା । ପାଠ ଠିକ୍ ଧରି ଆସିଲା ବେଳକୁ ତା'ର ମାନସିକ ଭାରସାମ୍ୟ ହରାଇ ବସିଥିଲା ।ଏପରିକି ତା'ର ପାଠରେ ଥିବା ସ୍ପୃହା କମି କମି ଆସିଲା । ସେ ନିଜକୁ ତା'ର ଅନ୍ୟ ଶ୍ରେଣୀ ସହପାଠୀଙ୍କ ଠାରୁ ନିଜକୁ ନିଜେ ନ୍ୟୂନ ମଣିଲା । ସେ ମଧ୍ୟ ଅନୁଭବ କଲା ଦାରିଦ୍ର୍ୟତା ମଧ୍ୟ ଏକ ପ୍ରକାର ବ୍ୟାଧି ଯେପରି ବୃକ୍ଷ, ଲତା ଆଦି ବିଭିନ୍ନ ଜୀବାଣୁ ଭୂତାଣୁମାନଙ୍କ ଦ୍ଵାରା ରୋଗଗ୍ରସ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରନ୍ତି ଅଥବା ଦୁର୍ବଳ ହୋଇଯାଆନ୍ତି ଯଦ୍ଦ୍ଵାରା ଯେଉଁ ହାରରେ ସେହି ବୃକ୍ଷ ଲତାମାନଙ୍କର ଅଭିବୃଦ୍ଧି ଓ ଫସଲ ଉତ୍ପାଦନ ହେବା କଥା ହୁଏ ନାହିଁ ଠିକ୍ ସେହିପରି ଦାରିଦ୍ର୍ୟତା ଏକ ସାମାଜିକ ବ୍ୟାଧି ଯାହା କି ଅନେକ କୃତୀ ଛାତ୍ର ଛାତ୍ରୀଙ୍କୁ ବିପଥଗାମୀ କରିଦିଏ । ଏମିତି ଅନେକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରି କରି ନରେନ୍ଦ୍ର +୨ ବିଜ୍ଞାନରେ ଭଲ ରେଜଲ୍ଟ କରିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ସଫଳ ହୋଇ ପାରିଲା ନାହିଁ । ଏଣୁ ପୁନର୍ମୂଷିକ ଭବ ପ୍ରକ୍ରିୟାରେ ଯୁକ୍ତ ଦୁଇ ବିଜ୍ଞାନରେ ଅକୃତକାର୍ଯ୍ୟ ହୋଇ ପୁଣି ଗାଆଁ କୁ ଫେରିଗଲା । ତା ପରେ ସେ ପାଗଳ ପ୍ରାୟ ହୋଇଗଲା । ତା'ର ଅତୀତର ପ୍ରେମିକା ସଞ୍ଜୁକ୍ତା ସେତେବେଳକୁ ଯୁକ୍ତ ଦୁଇ କଳାରେ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲା । ଅଭାବ ଭିତରେ ରହି ନରେନ୍ଦ୍ର ମନେ ମନେ ଭାବିଲା ଆଉ ପଢିବନି । କିଛିଦିନ ଅନ୍ତେ ତା ଗାଆଁର ଓ ବିଦ୍ୟାଳୟର କିଛି ସାଙ୍ଗ ସାଥୀ ଆସି ବୁଝାସୁଝା କରିବା ପରେ ଯୁକ୍ତ ଦୁଇ କଳା ପରୀକ

୍ଷା ଦେବା ପାଇଁ ନରେନ୍ଦ୍ର ପୁନଃ ପ୍ରସ୍ତୁତି ଆରମ୍ଭ ଖୁବ୍ କମ୍ ଦିନ ଭିତରେ ମାନେ ଅତି ବେଶୀରେ ଯୁକ୍ତ ଦୁଇ କଳା ପରୀକ୍ଷାର ଠିକ୍ ଦୁଇମାସ ଭିତରେ ରାତିଦିନ ଅକ୍ଳାନ୍ତ ପରିଶ୍ରମ କରି ଯୁକ୍ତ ଦୁଇ ପରୀକ୍ଷାରେ ପ୍ରାଇଭେଟ୍ ଛାତ୍ର ହିସାବରେ ଦେଇ ତା'ର ପ୍ରେମିକା ପଢୁଥିବା କଲେଜରେ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପାସ୍ କଲା। ସମସ୍ତେ ତା'ର ସାଙ୍ଗ ସାଥୀ ଗାଆଁ ଗଣ୍ଡା, ସାହି ପଡିଶା ପ୍ରଶଂସା କଲେ । ଯେଉଁମାନେ କି ଯୁକ୍ତ ଦୁଇ ବିଜ୍ଞାନରେ ଫେଲ୍ ହେଲା ପରେ ତା ନାଆଁରେ ନାନା କୁତ୍ସାରଟନା କରୁଥିଲେ, ସେମାନେ ଆଶ୍ଚର୍ଯ୍ୟ ବି ହେଲେ । ନରେନ୍ଦ୍ର ଭାବିଲା ପ୍ରକୃତରେ ଏ ଦୁନିଆଁରେ ସମସ୍ତେ ସୁଖର ସାଥୀ ଦୁଃଖର ସାଥୀ କେତେ ଜଣ । ପୁଣି ନରେନ୍ଦ୍ର ସହରରେ ଯାଇ ଯୁକ୍ତ ତିନି କଳାରେ ଅର୍ଥନୀତି ବିଜ୍ଞାନରେ ପାଠ ପଢିବା ଆରମ୍ଭ କରିଦେଲା । କିନ୍ତୁ ତା'ର ପ୍ରେମିକା ସଞ୍ଜୁକ୍ତା ଗାଆଁ ପାଖ ସେହି ଏକ ପ୍ରାଇଭେଟ୍ କଲେଜରେ ପଢିବା ଜାରୀ ରଖିଲା । ଆଗଭଳି ନରେନ୍ଦ୍ରକୁ ସଞ୍ଜୁକ୍ତା ଏତେ ଦେଖା କଲାନି କି ତା ସହ ସମ୍ପର୍କ ରଖିବାକୁ ଆଗ୍ରହ ପ୍ରକାଶ କଲା ନାହିଁ । ବ୍ରାହ୍ମଣ ଘରର ଝିଅ ଥିଲା ସେ ବୟସର ପରିପକ୍ଵତା, ପାରିବାରିକ ଚାପ, ସମାଜର ରକ୍ଷଣଶୀଳତା ଯୋଗୁଁ ସଞ୍ଜୁକ୍ତା ଏପରି କରୁଥାଇ ପାରେ ବୋଲି ନରେନ୍ଦ୍ର ଭାବିଲା। ତଥାପି ତା ମନରେ ସଞ୍ଜୁକ୍ତା ପ୍ରତି ଘୃଣା ଭାବ ନ ଥିଲା ସେ ତା'ର ତା ପ୍ରତି ଥିବା ଭଲ ପାଇବାକୁ କମାଇ ନ ଥିଲା ସେବେ ବି ଆଗରୁ ଯେମିତି ସଞ୍ଜୁକ୍ତାକୁ ଭଲପାଉଥିଲା ସେମିତି ଭଲପାଉଥିଲା, ହେଲେ ସଞ୍ଜୁକ୍ତା ତାକୁ ବାଟରେ ଘାଟରେ ଛୁଟିଛୁଟାରେ କେବେ ଗାଆଁକୁ ଆସିଲେ ଆଉ କଥା ହେଉ ନ ଥିଲା । ନ ଚିହ୍ନିବା ପରି ମୁହଁ ଆଡେଇ ବାଟ ଭାଙ୍ଗି ଚାଲିଯାଉଥିଲା । ନରେନ୍ଦ୍ର ଭାବେ ହେଉ ସେ ବାମନ ହୋଇ କାହିଁକି ଚନ୍ଦ୍ରକୁ ହାତ ବଢେଇବ । ମନ ଓ ହୃଦୟ ଭିତରେ ସଞ୍ଜୁକ୍ତାକୁ ଭଲପାଉଥିଲେ ବି ମନ ଖୋଲି କଥା ହେବାର ସୁଯୋଗ ଆଉ ପାଇପାରିଲା ନାହିଁ । ଏଣୁ ସେ ତାକୁ ନେଇ ସଂସାର କରିବାର ଯେଉଁ ସ୍ଵପ୍ନ ଦେଖିଥିଲା ତାହା ଆସ୍ତେ ଆସ୍ତେ ମଉଳିବାକୁ ଲାଗିଲା ତା ମନରୁ । ଯୁକ୍ତ ତିନି କଳାରେ ଅର୍ଥନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ପରେ ସେ ସରକାରୀ ବିଇଡି ଟ୍ରେନିଂ ସାରି ତାଙ୍କ ଗାଆଁ ପାଖ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ରୂପେ ନିଯୁକ୍ତି ପାଇଲା । ମନେ ମନେ କିନ୍ତୁ ସେ ଝୁରୁଥିଲା ସଞ୍ଜୁକ୍ତାକୁ, ହେଲେ ସଞ୍ଜୁକ୍ତା ନରେନ୍ଦ୍ରକୁ ଦେଖିଲେ ତାକୁ ନ ଚିହ୍ନିଲା ଭଳି ଓ ନ ଜାଣିଲା ଭଳି ବାଟ କାଟି ଚାଲିଯାଉଥିଲା । ସେତେବେଳକୁ ସଞ୍ଜୁକ୍ତା ମଧ୍ୟ ଗ୍ରାଜୁଏସନ ସାରି ଦେଇଥିଲା। ନରେନ୍ଦ୍ର ଉପରେ ପରିବାରର ସମସ୍ତ ବୋଝ ଥିଲା ସେତେବେଳେ ଭାଇ ଭଉଣୀଙ୍କୁ ପାଠଶାଠ ପଢାଇବା ଭାର, ପୁଣି ଭଉଣୀମାନଙ୍କୁ ବିବାହ ଦେବା ଦାୟିତ୍ୱ । ଧୀରେ ଧୀରେ ନରେନ୍ଦ୍ରର ସଞ୍ଜୁକ୍ତା ପ୍ରତି ଥିବା ଭଲ ପାଇବା କ୍ରମେ ମଉଳିବାକୁ ଲାଗିଲା । ହେଲେ ତା ହୃଦୟ ଓ ମନ ଭିତରୁ ତାକୁ ଭୁଲି ପାରିନଥିଲା । ପରିବାରର ସମସ୍ତ ଜଞ୍ଜାଳ ତୁଟାଉ ତୁଟାଉ ନରେନ୍ଦ୍ରର ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ନରେନ୍ଦ୍ରକୁ ଭଲପାଇ ବସି ବିବାହ ବନ୍ଧନରେ ବାନ୍ଧି ହେବା ପ୍ରସ୍ତାବ ଦେଲା । ଏ ପ୍ରସ୍ତାବ ଆସିବା ଓ ଘରର ଜଞ୍ଜାଳ ତୁଟାଇବା ଭିତରେ ନରେନ୍ଦ୍ର ସଞ୍ଜୁକ୍ତା କଥା ଭାବି ଭାବି ମଝିରେ ମଧ୍ୟ ପାଗଳ ପ୍ରାୟ ହୋଇଯାଇଥିଲା । ତା'ର ଏକ ବନ୍ଧୁ ହାତରେ ପତ୍ରଟିଏ ମଧ୍ୟ ସଞ୍ଜୁକ୍ତା ପାଖକୁ ପଠାଇଥିଲା । କିନ୍ତୁ ପ୍ରେମିକା ସଞ୍ଜୁକ୍ତା ଜାଣି ନ ଜାଣିବାର ଅଭିନୟ କରି ତା'ର ବନ୍ଧୁକୁ ଏ ବାବଦରେ କେବେ ଆଉ ନ କହିବାକୁ କହି ତାକୁ ମଧ୍ୟ ଗାଳି ଦେଇ ବିଦାୟ କରିଦେଲା। ଠିକ୍ ତା ପରେ ପରେ ନରେନ୍ଦ୍ର ଏକ ପ୍ରକାର ପାଗଳ ହୋଇଯାଇଥିଲା । କେତେ ଦିନ ପର୍ଯ୍ୟନ୍ତ ଚିକିତ୍ସା ହେବା ପରେ ତା ବନ୍ଧୁ ଜଣକ ଯିଏ ସଞ୍ଜୁକ୍ତା ପାଖକୁ ନରେନ୍ଦ୍ରର ବିବାହ ପ୍ରସ୍ତାବ ସ୍ଵରୂପ ଚିଠି ନେଇ ଯାଇଥିଲା, ସହି ଅନ୍ତରଙ୍ଗ ବନ୍ଧୁ ରାଜେନ୍ଦ୍ର ବହୁ ବୁଝା ସୁଝା କଲା ପରେ ତା'ର ମାନସିକ ସ୍ଥିତି ଠିକ୍ ଆସିଲା । ଏ କଥା କିନ୍ତୁ ଅନ୍ୟମାନେ ଜାଣିବାକୁ ଦୁଇବନ୍ଧୁ କାହାକୁ ସୁଯୋଗ ଦେଇ ନ ଥିଲେ । ତା ପରଠାରୁ ନରେନ୍ଦ୍ରର ମନୋଭାବ ବଦଳିଗଲା ପ୍ରେମ ପ୍ରତି । ପ୍ରେମର ସଂଜ୍ଞା, ପ୍ରେମିକ, ପ୍ରେମିକା ସବୁ ତା ପାଇଁ ମିଛ ପ୍ରମାଣିତ ହେବାକୁ ଯାଉଥିବା ବେଳେ ହଠାତ୍ ତା ସହ କାର୍ଯ୍ୟରତା ତାରି ବିଦ୍ୟାଳୟର ସୁଲଗ୍ନା ନାମ୍ନୀ ଜଣେ ଶିକ୍ଷୟିତ୍ରୀ ତାକୁ ଭଲ ପାଇ ବସିଲା ଓ ବିବାହ କରିବା ପାଇଁ ପ୍ରସ୍ତାବ ଦେଲା । ଅନିଚ୍ଛା ସତ୍ତ୍ଵେ ଅନ୍ତରଙ୍ଗ ବନ୍ଧୁ ରାଜେନ୍ଦ୍ରକୁ ଜଣାଇଲା ପରେ ରାଜେନ୍ଦ୍ର ବୁଝାଇଲା ପରେ ନରେନ୍ଦ୍ର ସୁଲଗ୍ନାକୁ ବିବାହ କଲା କୃତୀ ଛାତ୍ର ଥିଲା ସେ ନିଜେ ଓ ଶିକ୍ଷୟିତ୍ରୀ ଉଭୟଙ୍କ ଔରସରୁ ଗୋଟିଏ ପୁତ୍ର ସନ୍ତାନ ନାମ ତା'ର ରୋସନ ଓ ଗୋଟିଏ କନ୍ୟା ସନ୍ତାନ ନାମ ତା'ର ରେସମା, ଦୁହେଁ ଭଲ ପଢି ପୁଅ ହେଲା ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଝିଅ ହେଲା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟରେ ପ୍ରଫେସର । ଉଭୟେ ବାହା ସାହା ହୋଇ ଭଲରେ ରହୁଥିଲେ । ତେଣେ ସଞ୍ଜୁକ୍ତା ଜାତିକୁ ପ୍ରାଧାନ୍ୟ ଦେଇ ତାରି ଜାତିରେ ଏକ ବ୍ରାହ୍ମଣ ପୁଅ ସହ ଫେରାର ହୋଇଗଲା ସମ୍ପତ୍ତି, ସମ୍ମାନ ଓ ପ୍ରତିପତ୍ତି ଲୋଭରେ, ହେଲେ ସେ ଥିଲା ଏକ ମଦ୍ୟପ,ଲମ୍ପଟ ଓ ତା'ର ଅନେକ ଝିଅଙ୍କ ସହ ଖରାପ୍ ସମ୍ପର୍କ ଥିଲା । ବହୁ ମାଡ ଗାଳି ଖାଇ ତା ଶାଶୁ ଘରେ କମ୍ ଦିନ ରୁହେ କିନ୍ତୁ ବାପ ଘରେ ରୁହେ ବେଶୀ ସମୟ । ପୁଣି ଭାଇ ଭାଉଜଙ୍କ ନାନା ଗଞ୍ଜଣା ସହି ଏକ ମାତ୍ର କନ୍ୟାକୁ ବିବାହ ଦେଇ ନ ପାରିବାରୁ ସେ କେଉଟ ପୁଅ ସହ ପଳାୟନ କଲା । ସଞ୍ଜୁକ୍ତା ଅବସ୍ଥା ଯାହା ତା'ର ଝିଅର ଅବସ୍ଥା ତା ଠାରୁ ଆହୁରି ଖରାପ୍ ଥିଲା । ଏ ସବୁ କଥା ଦୀର୍ଘ ଦିନ ବିତି ଯିବା ପରେ ସଞ୍ଜୁକ୍ତା ବିଷୟରେ ଶୁଣିଲା ନରେନ୍ଦ୍ର ରାଜେନ୍ଦ୍ର ଠାରୁ ତା ପରେ ଦୁଇ ବନ୍ଧୁ ମିଶି ସଞ୍ଜୁକ୍ତା ଶାଶୁ ଘରେ ଯାଇ ପହଞ୍ଚିଲେ, ଯଥା ସମ୍ଭବ ତା'ର ପୂର୍ବ ପ୍ରେମିକ ନରେନ୍ଦ୍ର ଓ ତା'ର ସାଙ୍ଗ ରାଜେନ୍ଦ୍ରକୁ ସତ୍କାର କରି ଛାଡିଲା କିନ୍ତୁ ଛାଡିବା ପୂର୍ବରୁ ନରେନ୍ଦ୍ର ଓ ରାଜେନ୍ଦ୍ର ମଦ୍ୟପ ସ୍ଵାମୀ ତା'ର ସେତେବେଳେ ମଦ୍ୟପାନ କରି ନିଘୋଡ ନିଦ୍ରାରେ ଶୟନ କରିଥିବାର ଉଭୟେ ଦେଖିଲେ। ସଞ୍ଜୁକ୍ତାର ଅଶ୍ରୁଭରା ନୟନ ଯୁଗଳ ଅନେକ କଥା କହି ଦେଉଥିଲା । ପ୍ରେମ ଯୁଗେ ଯୁଗେ ସତ୍ୟ ସେହି ମୁହୂର୍ତ୍ତରେ ନରେନ୍ଦ୍ର ଅନେକ କଷ୍ଟ ଅନୁଭବ କଲା,ଭାବିଲା ମଣିଷ କି ଅର୍ଥ, କ୍ଷମତା, ଜାତି, ଧର୍ମ, ବର୍ଣ୍ଣର ଲୋଭରେ ପଡି କାହିଁକି ଏମିତି ଭୁଲ୍ ନିଷ୍ପତ୍ତି ନିଏ ? ସ୍ଵାମୀର ଅଚଳାଚଳ ସମ୍ପତ୍ତି ସବୁ ଥିଲା ଅଚଳ, ଏକ ମାତ୍ର କନ୍ୟା ଯେଉଁ ଜାତି ଦ୍ଵାହି ଦେଇ ସେ କନ୍ୟାର ମାଆ ଦିନେ ତାକୁ ତାଙ୍କ ଦୁହିଁଙ୍କର ପ୍ରେମକୁ ପଦାଘାତ କରିଥିଲା ତାରି ଝିଅ ବି ଜାତି ପ୍ରଥାକୁ ଗୋଇଠା ମାରି ଚାଲିଗଲା । ଅତୀତର ସେହି ଦିନଗୁଡିକ ମନେ ପକେଇ ପକେଇ ନରେନ୍ଦ୍ର ସିନେମାର ବା ନାଟକର ଦୃଶ୍ୟ ପରେ ଦୃଶ୍ୟ ମନେ ପକେଇ ସଞ୍ଜୁକ୍ତା ଆଗରେ ଠିଆ ହୋଇ କିଛି ନ କହି ମୁହଁ ପୋତି ଭୋ ଭୋ ହୋଇ କାନ୍ଦି ପକେଇଥିଲା, ଆଜି ବି ପ୍ରୌଢ଼ାବସ୍ଥାରେ ଅନୁଭବ କରୁଥିଲା ପ୍ରକୃତରେ ପ୍ରେମ ଶାଶ୍ଵତ, ପ୍ରେମ ହିଁ ଚିରନ୍ତନ ସତ୍ୟ,ଏଣୁ ଯିଏ ଯାହାକୁ ଅନ୍ତରର ସହ ହୃଦୟରୁ ଭଲ ପାଇଥିବ ସେ ପ୍ରେମକୁ କେବେ ବି କେହି ଭୁଲି ପାରି ନାହାଁନ୍ତି କି ଭୁଲି ପାରିବେ ନାହିଁ, ଉଭୟେ ସେଇଠି ଅନୁଭବ କଲେ ସତେ ଯେମିତି ଉଭୟଙ୍କର ସବୁଥାଇ ମଧ୍ୟ ସେମାନେ ଅଧୁରା । ତାଙ୍କର ସେ ପ୍ରେମ ଥିଲା ଅଭୁଲା ସ୍ମୃତି ଅଭୁଲା ସେ ପ୍ରେମ।



Rate this content
Log in

Similar oriya story from Tragedy