ବୁଢିଆଣୀ ଜାଲ
ବୁଢିଆଣୀ ଜାଲ
ମଣିଷ ଆଜି କେତେ ଅସହାୟ ସତେ ! ସବୁ ଥାଇ ବି ମଣିଷ ବୁଝି ପାରୁନି ଏବେ ସେ ବିକାଶର ଧାରାରେ ଆଗକୁ ଅଗ୍ରସର ହେଉଛି ନା ଉନ୍ନତି ଓ ପ୍ରଗତି ନାମରେ ପୁଣି ସେ ପ୍ରାଗ୍ ଐତିହାସିକ ଯୁଗ, ପୁରାତନ ପ୍ରସ୍ତର ଯୁଗ ଆଡ଼କୁ ଗତି କରୁଛି। ହିଂସ୍ର ପଶୁ ମାନଙ୍କ ଠାରୁ ମଣିଷ ଏବେ ଆହୁରି ହିଂସ୍ର ଓ ସ୍ଵାର୍ଥପର ହୋଇପଡୁଛି। ସ୍ଵାର୍ଥ ପାଇଁ ନିଜର ମାନବିକତା ଓ ମଣିଷ ପଣିଆକୁ ବଳି ପକାଇ ହିଂସ୍ର ଇତର ପ୍ରାଣୀମାନଙ୍କ ଠାରୁ ନିଜକୁ ହୀନ କରିଦେଉଛି । ସେ ଆଦିମ ଅଧିବାସୀ ଯେ ବଣ ଜଙ୍ଗଲରେ ଗୁମ୍ଫାରେ ବସବାସ କରୁଥିବା ଉଲଗ୍ନ ଓ ଅସଭ୍ୟ ମଣିଷ ମାନଙ୍କ ଠାରୁ ଆଜିର ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିଥିବା ମଣିଷମାନେ କାହିଁକି କେଜାଣି ତାଙ୍କ ଚରିତ୍ର ଠାରୁ ଏମାନଙ୍କ ଚରିତ୍ର ହୀନ ଜଣାପଡୁଥିଲା ଶୁଭମ୍ କୁ। ଶୁଭମ୍ ଜଣେ ପଦାର୍ଥ ବିଜ୍ଞାନର ଗବେଷକ ଓ ଗବେଷଣା ରତ ଜଣେ ବୈଜ୍ଞାନିକ। ସେ ଭାବୁଥିଲା ବିଜ୍ଞାନ ଦିନକୁଦିନ ଯେତେ ଯେତେ ଅଗ୍ରଗତି କରୁଛି ମଣିଷ ସମାଜ ଯେତେ ଉନ୍ନତି ଆଡ଼କୁ ଅଗ୍ରସର ହେଉଛି ମଣିଷ ଦିନକୁ ଦିନ କାହିଁକି ନିଜକୁ ସେତେ ସେତେ ଉଗ୍ର ଆଧୁନିକତା ନାମରେ ସ୍ଵାର୍ଥପର ଭାବେ ଗଢି ତୋଳୁଛି ? ମଣିଷର ଆଶା ଓ ଆକାଂକ୍ଷା ଆହୁରି ବୃଦ୍ଧି ହେବାରେ ଲାଗିଛି । ସେଦିନ ରାତିରେ ସେ ଶୋଇଲା ବେଳେ ଅନେକ କଥା ଭାବି ଚାଲୁଥିଲା । ଶୁଭମ୍ ର ସ୍ତ୍ରୀ ମିନାକ୍ଷୀ ପାଖରେ ଥିଲେ ପଚାରିଲେ କ'ଣ ଗବେଷକ ମହାଶୟ ଗବେଷଣା ରାଜ୍ୟରେ ଘୂରି ବୁଲୁଛନ୍ତି ନା କ'ଣ ଏବେ ଟିକେ ସଂସାର କଥା ଭାବନ୍ତୁ । ଶୁଭମ୍ ଅତି ସରଳ ଭାବରେ ଉତ୍ତର ଦେଇ କହିଲେ ସଂସାର କାହା ସଂସାର ଆମ ସଂସାର ? ସଂସାର ଟା ସାରା ତ ଏବେ ବିଷମୟ ସେହି ବିଷ ଜ୍ଵାଳାରେ ସମସ୍ତେ ଆମେ ଏବେ ଜର୍ଜରିତ । ବିଜ୍ଞାନ ର ଗବେଷଣା କରି କରି ଆମେ ବୈଜ୍ଞାନିକ ଦଳ ଯେତେ ଏ ବିଶ୍ବକୁ ଆଗକୁ ନେବାକୁ ଚେଷ୍ଟା କରୁଛୁ ଖଳ ପ୍ରକୃତିର ମଣିଷଗୁଡା ରାଜନୀତି, ଅର୍ଥନୀତି ଓ ମିଛ ବିକାଶର ନାରା ଦେଇ ସମାଜରେ, ସଂସାର ରେ ତଥା ବିଶ୍ଵରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି । ନିଜେ ସେମାନେ ସବୁ ଯୁଦ୍ଧଖୋର୍ ମନୋଭାବ ଓ ପ୍ରତିଯୋଗିତାରେ ଲିପ୍ତ ରହି ସମଗ୍ର ବିଶ୍ଵରେ ବିଷାକ୍ତ ବାତାବରଣ ସୃଷ୍ଟି କରି ଅଯଥାରେ ବିଜ୍ଞାନକୁ ଦୋଷ ଲଦିବାରେ ବ୍ୟସ୍ତ । ମାନବ ସମାଜର ବିକାଶ ଦିଗରେ ବିଜ୍ଞାନର ଅବଦାନ ଅତୁଳନୀୟ ହେଲେ କେତେକ ମୁଷ୍ଟିମେୟ ସ୍ଵାର୍ଥନ୍ଵେଷୀ ମଣିଷ ମାନେ ବିଜ୍ଞାନର ଅପବ୍ୟବହାର କରି ବିଜ୍ଞାନ କୁ ଅଯଥାରେ ବଦନାମ୍ କରୁଛନ୍ତିି। ନାନା ଦୁରାରୋଗ୍ୟ ବ୍ୟାଧିର ଉପଶମ ପାଇଁ କାର୍ଯ୍ୟ କରିଆସୁଥିବା ବିଜ୍ଞାନ କୁ ଗଣ ବିଧ୍ବଂସକାରୀ ମାରାତ୍ମକ ଜୀବାଣୁ, ଭୂତାଣୁ ଆଦିର ସୃଷ୍ଟି କରିବା ପାଇଁ ସେହି ଖଳ ପ୍ରକୃତିର ମଣିଷଗୁଡା ବୈଜ୍ଞାନିକ ମାନଙ୍କୁ ଏକ ପ୍ରକାର ବାଧ୍ୟ କରୁଛନ୍ତି । ସବୁ ଶୁଣି ଶୁଣି ମିନାକ୍ଷୀ କହିଲେ ତୁମେ ଏତେ ଗଭୀର ଭାବରେ ଚିନ୍ତା କରି କରି ନିଜ ଦେହକୁ ଆଉ ଖରାପ୍ କରନି । ଯେତେବେଳେ ଯାହା ହେବା କଥା ତ ହେଉଛି ତୁମେ ଏତେ ବ୍ୟତିବ୍ୟସ୍ତ ହେଲେ କ'ଣ ହେବ ? ସମସ୍ତେ ତ ଏବେ ସ୍ଵାର୍ଥପର ହୋଇପଡିଛନ୍ତି ଓ ଅର୍ଥ ପଛରେ ପଡ଼ିଛନ୍ତି । ମଣିଷ ଜାତି ଯେତେ ଶିକ୍ଷିତ ହେଉଛି ସେତେ ସ୍ଵାର୍ଥପର ହୋଇପଡୁଛି ଆଉ କ'ଣ କରାଯାଇ ପାରିବ କୁହ ? ଶୁଭମ୍ କହିଲା, ହଁ ସେଇୟା ନୁହେଁ ତ ଆଉ କ'ଣ ? କିଏ ବା ଏ ବୁଦ୍ଧିଜୀବି, ବୈଜ୍ଞାନିକ, ନିଃସ୍ଵାର୍ଥପର, ସମାଜ ସଂଗଠକ ମାନଙ୍କ କଥାକୁ କାନଉଛି ? ସମସ୍ତେ ଖାଲି ଅର୍ଥ ପଛରେ, କ୍ଷମତା ପଛରେ, ପୁଞ୍ଜି ପଛରେ, ମିଛ ବିକାଶ ପଛରେ, ମିଛ ଅହଂକାର ପଛରେ ଧାଇଁ ଚାଲିଛନ୍ତି । ବିକାଶ ନାଁ ରେ ଅଙ୍ଗ ପ୍ରଦର୍ଶନ କରିବା, ବ୍ୟବସାୟ ନାଁ ରେ ଅଶ୍ଳୀଳଳତାକୁ ପ୍ରାଧାନ୍ୟ ଦେବା, ହାସ୍ୟ ଅଭିନୟ ନାଁ ରେ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ଭାଷା ଜ୍ଞାନକୁ ଭୁଲିଯାଇ ଅଶ୍ଳୀଳ ଭାଷା ବ୍ୟବହାର କରିବା ଆଦି ଆଜିକା ଦୁନିଆଁର ଏକ ପ୍ରକାର ଫେସନ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେହି ହାସ୍ୟ ରସାତ୍ମକ ପ୍ରଦର୍ଶନକୁ ଅନେକ ବୁଦ୍ଧିଜୀବି ମଧ୍ୟ ଅମୃତ ପାନ କଲା ପରି ନିସଙ୍କୋଚରେ ପିଇଯାଉଛନ୍ତି । ନାରୀ ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, କନ୍ୟା ଭୃଣ ହତ୍ୟା, ଲିଙ୍ଗ ନିରୂପଣ, ଦୁଷ୍କର୍ମ, ବଧୂ ହତ୍ୟା, ନିଶା ସେବନ, ଅନ୍ୟାୟ, ଅତ୍ୟାଚାରରେ ମଣିଷ ଲିପ୍ତ ରହି ସାମାଜିକ ସନ୍ତୁଳନ ହରାଇବାକୁ ବସିଲାଣି । ମଣିଷ କିନ୍ତୁ କହୁଛି ତା ଜାତି କୁଆଡ଼େ ବିକାଶ କରୁଛି ବିକାଶ । ପ୍ରତି ମୁହୂର୍ତ୍ତରେ ଗଣ ହତ୍ୟା, ଦୁଷ୍କର୍ମ, ଯୁବ ସମାଜ, ଛାତ୍ର ସମାଜ ନିଶାରେ ଉବୁଟୁବୁ । ପରୋପକାର ବଦଳରେ ପରର ଅମଙ୍ଗଳ ପାଞ୍ଚିବା, ପର ଘର ଭାଙ୍ଗିବା ସମାଜକୁ ଧ୍ଵଂସ କରି କେମିତି ନିଜେ ବଡ ହେବା । କାର୍ଯ୍ୟାଳୟ ଠାରୁ ଭାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଅଶାନ୍ତି । ବାଡ ଏବେ କ୍ଷେତ ଖାଉଛି ରକ୍ଷକ ଭକ୍ଷକ ସାଜିଛନ୍ତି । ଉଚ୍ଚ ପଦାଧିକାରୀ ଅଫିସର ମାନେ ତାଙ୍କର ଦରମା, ଭତ୍ତା, ଲାଞ୍ଚ, ମିଛରେ ମାତି ପଦପଦବୀ ର ମିଆଦୀ ପୂରା
ଇ ଦେଇ ଚାଲିଗଲେ ଗଲା, ନେତାଏ ଏଠି ତାଙ୍କ ସିଂହାସନ, ତାଙ୍କ କ୍ଷମତା ସମ୍ଭାଳି ସମ୍ଭାଳି ତାଙ୍କ ପାଞ୍ଚ ବର୍ଷିଆ ପାଳି ମିଛ ଭାଷଣ ବାଜିରେ ସାରିଦେଲେ ଗଲା, ଆଉ ବିଚରା ଜନତା ସେ ତାଙ୍କର ମାଗଣା ଖାଇବା, ମାଗଣା ପିନ୍ଧିବା, କର୍ମ କୋଢିଆ ହୋଇ ନିଜକୁ ନିଜେ କର୍ମ ନ କରି ଠକି ହେବାରେ ବ୍ୟସ୍ତ । ପୋଡା ରୁଟି ଖାଇ ବଞ୍ଚିବେ ଜନପ୍ରତିନିଧି ଙ୍କ ମିଛ ପ୍ରଲୋଭନରେ ପଡି ନିଜକୁ ବେକାର ପିଲା ଛୁଆଙ୍କୁ ବେକାର କରିବା ଛଡା ତାଙ୍କର ଆଉ ଚାରା କ'ଣ ? ଏତେ ଗୁଢ ତତ୍ତ୍ଵ ବାଣୀ ଶୁଣିବା ପରେ ମିନାକ୍ଷୀ ବିରକ୍ତ ହୋଇ ଶୁଭମ୍ କୁ କହିଲେ ଆଉ ଏତେ ଗୁଡା ଏ ସମାଜ, ଦେଶ, ବିଶ୍ଵ କଥା ଭାବି ଭାବି ରାତି ଅନିଦ୍ରା ହୋଇ ନିଜ ଦେହକୁ ଖରାପ୍ କରନି, ଚୁପ୍ ଚାପ୍ ଶୋଇପଡ । ସ୍ତ୍ରୀଙ୍କ ତାଗିଦ୍ ଶୁଣି ଶୁଭମ୍ ମିଛି ମିଛିକା ଆଖି ବୁଜି ଶୋଇବାକୁ ଚେଷ୍ଟା କରୁଥିଲେ ହେଲେ ନିଦ ଆସୁ ନ ଥିଲା ମାନସିକ ଚାପରେ ତାଙ୍କ ମୁଣ୍ଡ ଭାରାକ୍ରାନ୍ତ ହୋଇଯାଉଥିଲା । ପୁଣି ସେ ମନେ ମନେ ଭାବୁଥିଲେ ପ୍ରକୃତରେ ମୁନି, ଋଷି, ସନ୍ନ୍ୟାସୀ, ଦେଶ ସେବକ, ଦେଶର ସୁରକ୍ଷା କର୍ମୀ, କୃଷକ, ଶ୍ରମିକ, ଦପ୍ତରର ସମସ୍ତ କର୍ମଚାରୀ ଆଦି ଯେତେ ବୁଦ୍ଧିଜୀବି ଯଦି ଏମିତି କାହାର ନା କାହାର ଚାପରେ ହେଉ, ପରିବାରର ଚାପରେ ଅବା ତାଙ୍କ ନିକଟ ସମ୍ପର୍କୀୟଙ୍କ ଚାପରେ ହେଉ, ରାଜନୈତିକ ଚାପରେ ହେଉ ଯଦି ସମସ୍ତେ ଅନ୍ୟାୟ ଅନୀତି ଆଗରେ ମୁଣ୍ଡ ନୁଆଁଇ ସମସ୍ତ ଅନ୍ୟାୟ ଅତ୍ୟାଚାର କୁ ସହି ଯିବେ ତେବେ ଏ ବିଶ୍ଵର ଅବସ୍ଥା କ'ଣ ହେବ ? ରାଜନୀତି, କୂଟନୀତି, ସମାଜ ନୀତି ସମଗ୍ର ବିଶ୍ବକୁ ଏବେ ଗ୍ରାସି ସାରିଲାଣି, ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇସାରିଲାଣି । ସମଗ୍ର ବିଶ୍ଵ ଏବେ ଦିନୁଁ ଦିନ ଉତ୍ତପ୍ତ ହେବାରେ ଲାଗିଛି, ଜଙ୍ଗଲ ସମ୍ପଦ, ପ୍ରାଣୀ ସମ୍ପଦ, ଖଣିଜ ସମ୍ପଦ ଆଦି ସମସ୍ତ ପ୍ରାକୃତିକ ସମ୍ପଦ ଶେଷ ଓ ଧ୍ଵଂସ ହେବାକୁ ବସିଲାଣି ।ଜଳ, ସ୍ଥଳ, ବାୟୁ ସମସ୍ତ ଭାଗ ଏବେ ବିଷାକ୍ତ। ତଥାପି ମଣିଷ କହୁଛି ମୁଁ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ। ସମସ୍ତ ଜୀବଜଗତକୁ ଧ୍ଵଂସ କରିବାକୁ ଚେଷ୍ଟିତ ପ୍ରାଣୀ ନିଜକୁ ବୁଦ୍ଧିମାନ୍ ଓ ବିଜ୍ଞ ପ୍ରାଣୀ ବୋଲି ଦାବି କରୁଥିବା ବେଳେ ଏତେ ହୀନ କର୍ମମାନ କରି ନିଜକୁ ପ୍ରମାଣିତ କରୁଛି ଯେ ସେ ଯେଉଁ ବିକାଶର ଜାଲକୁ ନିଜ ହାତରେ ନିଜେ ବୁଣୁଛି ସେ ଜାଲରେ ସ୍ଵାର୍ଥପର ହୋଇ ବୁଢିଆଣୀ ଜାଲରେ ବୁଢିଆଣୀ ନିଜେ ଛନ୍ଦି ହେଲାପରି ପରି ଛନ୍ଦି ହୋଇଯାଉଛି । ଏମିତି ଅନେକ କଥା ଭାବି ଭାବି ବିଶ୍ଵର ବିକାଶ ଓ ବିନାଶର କଥା ଭାବି ଭାବି ମଣିଷ ଜାତି ତଥା ମଣିଷ ସମାଜର ଆଗାମୀ ବଂଶଧରଙ୍କ କଥା ଭାବି ରାତି ପାହି ଯାଇଛି, ସହଧର୍ମିଣୀ ମିନାକ୍ଷୀ ସବୁ ଲକ୍ଷ୍ୟ କରି କରି ଶେଷରେ କହିଛନ୍ତି ତୁମରି ବୈଜ୍ଞାନିକ ଭାଇ ଆଇନ୍ ଷ୍ଟାଇନ୍ ପରା ଦିନେ କହିଥିଲେ ଟେକା ଫିଙ୍ଗାରୁ ରକେଟ୍ ଯେମିତି ତିଆରି ହୋଇଥିଲା ଠିକ୍ ସେମିତି ରକେଟ୍ ରୁ ପୁଣି ମଣିଷ ଟେକା ଫିଙ୍ଗା ଅବସ୍ଥାକୁ ଫେରି ଆସିବ । ଅର୍ଥାତ୍ ଭଙ୍ଗା ଗଢା ସଂସାର ର ନିୟମ ଏଥିରେ ବ୍ୟତିବ୍ୟସ୍ତ ହେବାରେ କିଛି ନାହିଁ । ମଣିଷ ଗୋଟିଏ ପ୍ରାଣୀ । ତା'ର ବୁଦ୍ଧି, ବିବେକ, ଜ୍ଞାନ, ବିଚାର ଶକ୍ତି ଥିବାରୁ ସେ ଶ୍ରେଷ୍ଠ ଏବଂ ସେ ଗୋଟାଏ ଦିନରେ ଶ୍ରେଷ୍ଠ ହୋଇ ନାହିଁ ଡାରଉଇନଙ୍କ ବିବର୍ତ୍ତନ ବାଦ ମଧ୍ୟ କେତେକାଂଶରେ ଏ କ୍ଷେତ୍ରରେ ସହାୟକ ହୋଇଛି ଯାହା ଫଳରେ ମଣିଷର ମସ୍ତିଷ୍କ ର ବିକାଶ ହୋଇଛି ଯଦ୍ଦ୍ଵା ସେ ନିଜକୁ ଶ୍ରେଷ୍ଠ ଓ ସଭ୍ୟ ବୋଲି ପ୍ରମାଣିତ କରିପାରିଛି। ପ୍ରତ୍ୟେକ ବିଷୟକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଯଦି ତା'ର ବିଚାର ଶକ୍ତି, ବୁଦ୍ଧି, ବିବେକ ଓ ଜ୍ଞାନକୁ ସଦ୍ ବ୍ୟବହାର କରିବ ତେବେ ମାନବ ତିଷ୍ଠି ରହିବ ନତୁବା ବୁଢିଆଣୀ ନିଜ ଜାଲରେ ଛନ୍ଦି ହେଲା ଭଳି ନିଜେ ଛନ୍ଦି ହୋଇ ସମଗ୍ର ମାନବ ସମାଜକୁ ଧ୍ଵଂସର ବୁଢିଆଣୀ ଜାଲରେ ଡୁବେଇ ଦେବ । ଶୁଭମ୍ ଏତେବେଳ ପରେ ତାଙ୍କ ସ୍ତ୍ରୀ ମିନାକ୍ଷୀ ଦେବୀଙ୍କ କଥାରେ ହଁ ରେ ହଁ ମାରିଲେ ଓ ନିଜର ଭାରାକ୍ରାନ୍ତ ମସ୍ତିଷ୍କ କୁ ଟିକେ ଶାନ୍ତ କଲେ।ମନେ ମନେ କହି ହେଲେ ଏ ମଣିଷ ଜାତି ସଭ୍ୟ, ଶିକ୍ଷିତ ହୋଇ ମଧ୍ୟ ନିର୍ବୋଧ ପରି କର୍ମ କରି ନିଜର ଅପକର୍ମ ପାଇଁ ନିଜ ଜାଲରେ ନିଜେ ବୁଢିଆଣୀ ଭଳି ଛନ୍ଦି ହୋଇ ଶେଷରେ ନିଜେ ଧ୍ଵଂସ ହେବା ସହ ଜୀବ ଜଗତକୁ ସମୂଳେ ଧ୍ଵଂସ କରିଦେବ । ସୌଖୀନ ଦ୍ରବ୍ଯ ର ବ୍ୟବହାର, କଳ, କାରଖାନା ନିର୍ମାଣ, ଇଣ୍ଟରନେଟର ବହୁଳ ବ୍ୟବହାର, ପରମାଣୁ ବୋମା ର ବହୁଳ ପରୀକ୍ଷଣ, ଯାନବାହାନ ଗୁଡ଼ିକର ଅତି ମାତ୍ରାରେ ବୃଦ୍ଧି, ବୃକ୍ଷ ଛେଦନ, ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଆଦି ଏ ମାନବ ସମାଜ ପାଇଁ ବୁଢିଆଣୀ ଜାଲ ସଦୃଶ । ଏହି ସବୁର ବହୁଳ ପରିମାଣରେ ବ୍ୟବହାର ଯୋଗୁଁ ଦିନେ ନା ଦିନେ ସମଗ୍ର ମାନବ ଜଗତ ଓ ଜୀବଜଗତ ପୃଥିବୀ ପୃଷ୍ଠରୁ ସମୂଳେ ଲୋପ ପାଇଯିବ । କାହିଁକି ନା ବୁଢିଆଣୀ ଟି ତା ଜାଲ ବୁଣି ସାରିବା ପରେ ସେହି ଜାଲରେ ହିଁ ଛନ୍ଦି ହୋଇ ପଡିଥାଏ । ସେମିତି ଆଜି ଆମ ଏ ମଣିଷ ଜାତିର ହୋଇଛି । ଏହି କଥା ହିଁ ଭାବୁଥିଲେ ବୈଜ୍ଞାନିକ ଶୁଭମ୍ ।