STORYMIRROR

Madhabi Patel

Children

4  

Madhabi Patel

Children

ନଈ

ନଈ

7 mins
237


ଲିନା ଏଗାର ବାରବର୍ଷର ଝିଅଟିଏ। ସେ ବାବା ମାଆସହ ବମ୍ବେରେ ରହୁଥିଲା।କରୋନା ହେବାପରେ ତାର ପରିବାର ଗାଆଁକୁ ଫେରି ଆସିଛନ୍ତି।ଘରେ ରହି ଅଫିସ କାମ କରୁଛନ୍ତି।ସବୁଠୁ ବେଶି ଆନନ୍ଦ ଅନୁଭବ କରୁଛି ଛୋଟ ଝିଅ ଲିନା। ସେ ଗାଁର ପାକୃତିକ ପରିବେଶରେ ଅନେକ ଜିନିଷ ବିଷୟରେ ଜାଣିବାର ଜିଜ୍ଞାସା ରଖୁଥିଲା।ନିଜ ଜେଜୀକୁ ସବୁ ଜିନିଷ ବିଷୟରେ ପଚାରି ବୁଝୁଥିଲା।ପ୍ରକୃତିର ଏ ଜିନିଷ ମାନେ ଆମର କି କାମରେ ଆସନ୍ତି ଓ ଆମେ ତାଙ୍କଠୁ କୋଉ ଭଲ ଗୁଣ ଶିଖିବା ଉଚିତ।

ଲିନା ଗାଆଁକୁ ଆସିବାପରେ ଚାରିଆଡେ ବୁଲୁଥିଲା।ପ୍ରତିଟି ଜିନିଷକୁ ନିରେଖି ଦେଖୁଥିଲା।ତାକୁ ଏ ପ୍ରାକୃତିକ ପରିବେଶ ବହୁତ ଭଲ ଲାଗୁଥିଲା।ଖୋଲା ଆକାଶ ତଳେ ଶୁଦ୍ଧ ବାୟୁର ସ୍ପର୍ଶରେ ତା ମନରେ ନୂତନ ଉନ୍ମାଦନା ସୃଷ୍ଟି ହେଉଥିବା ଅନୁଭବ କରୁଥିଲା।ବମ୍ବେର ସେ ଧୂଆଳିଆ ଆକାଶ ନାହିଁ ଏଠି।ଏବେ ଭାଦ୍ରବମାସ ଆସିଯିବା ପରେ ଆକାଶରୁ ମେଘମାନେ ଅପସରି ଗଲେଣି।ଏବେ ଆକାଶଟା ଅଭ୍ର ପରି ସ୍ବଚ୍ଛ ସୁନିର୍ମଳ ଦିଶୁଛି।ରାତିରେ ଜନ୍ହ ତାର ରୂପେଲି ଜ୍ୟୋତ୍ସା ବିଛେଇ ଚତୁର୍ଦିଗକୁ ଲୋଭନୀୟ କରି ତୋଳୁଛି।ପୃଥିବୀର କାଦୁଅ ଶୁଖି ଏବେ ଚାରିଆଡ ନିର୍ମଳ ଦିଶୁଛି।କ୍ଷେତ ମାନଙ୍କରେ ଧାନ ଗଛ ସବୁଜ ପାଟ ପିନ୍ଧି ପବନରେ ଦୋଳି ଖେଳୁଛି। ଯୁଆଡେ ଚାହିଁଲେ ସବୁଜ ଦିଶୁଛି। ବାଡି ବଗିଚାରେ ବିଭିନ୍ନ ରକମର ଲତା ଲଟେଇଛି।ଚାଳ ମାନଙ୍କରେ ଜହ୍ନିଫୁଲ କଖାରୁ ଫୁଲ ଡୁଡୁକା ଫୁଲ ଫୁଟି ତାରା ପରି ସୁନ୍ଦର ଦେଖା ଯାଉଛନ୍ତି।ଫଳ ଓ ବିଭିନ୍ନ ପରିବାରେ ବାଡି ବଗିଚା ଭରପୂର ହେଇଛି। ଯାହା ବାଡିରେ ଦେଖିଲେ।କଖାରୁ କଲରା ଜହ୍ନି ଝୁଡଙ୍ଗ ଭେଣ୍ଡି,କାଙ୍କଡ,ଲାଉ ଆଦି ପରିବା ରେ ଲତାମାନେ ଭରି ପଡିଛନ୍ତି।ପୋଇ ଲତା ମାନ ମାଡିଛି ବାଡ ମାନଙ୍କରେ।

ଗାଆଁ ଭିତରଟା ବି ଏବେ ସଫା ସଫା ଲାଗୁଛି।ଏଇ କିଛିଦିନ ତଳେ ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀ ଯାଇଛି।ପର୍ବ ପାଇଁ ସଭିଏଁ ଗାଆଁ ଦାଣ୍ଡ ସଫା ସୁତୁରା କରିଛନ୍ତି।

ଏବେ ପୁଣି ଗଣେଶପୂଜା ଆସିବ ତାପରେ ନୂଆଖାଇ।

ନୂଆଁଖାଇ ପରେ ବିଭିନ୍ନ ଓଷା ପରବ ଆସିବା ଆରମ୍ଭ ହେଇଯିବ।ପୁଅ ଜିଉନ୍ତିଆ ଅନନ୍ତ ବ୍ରତ ଦୁର୍ଗାପୂଜା ଗୋଟେପରେ ଗୋଟେ ପଛକୁ ପଛ ଲାଗିଥିବ ଧାଡିବାନ୍ଧି।ସେଥିପାଇଁ ଏବେ ଗାଁ ଉତ୍ସବ ମୁଖର ହେଇ ଉଠିଛି।

ଘର ମାନଙ୍କୁ କୁଣିଆଁ ସବୁ ଆସିବେ,ଗାଆଁ ଗହଗହ ହେଇ ଉଠିବ।

ଏମିତି ଲୋଭନୀୟ ପରିବେଶରେ ଲିନା ର ଖୁସି ବି ବଢି ଯାଉଥିଲା।ସେ ଜେଜେମା କୁ କହିଲା ଆଜି ଚାଲ ନଈକୁ ଗାଧୋଇ ଯିବା।ନାତୁଣୀର ସ୍ପୃହା ଦେଖି ଜେଜୀବି ବାହାରିଲେ ନଈକୁ।ଗାଧୋଇବାର ସବୁ ସରଞ୍ଜାମ ଧରି ଜେଜୀ ଆଗ ଆଗ ଚାଲି ଥାନ୍ତି।ଲିନା ତାଙ୍କୁ ଅନୁସରଣ କରୁଥାଏ।ସେମାନେ ଧାନର ସବୁଜ କ୍ଷେତ ଅତିକ୍ରମ କରି ନଈକୁ ଯାଉ ଥାନ୍ତି।କ୍ଷେତର ହିଡ ମାନଙ୍କରେ ବେଣା ଓ କାଶତଣ୍ଡୀ ଫୁଟିବା ଆରମ୍ଭ ହେଇଥାଏ।ଲିନା ଜେଜୀକୁ ପଚାରୁ ଥାଏ ଏଇ ହିଡରେ

ଧଳା ଧଳା ଚଅଁର ସବୁ ଦିଶୁଛି ସେଗୁଡାକ କଣ?

ଆଉ ଗୋଟିଏ ପ୍ରକାର ହଳଦିକଳା ମିଶାମିଶି ଲମ୍ବା ଫୁଲ ଫୁଟିଛି ସେ ଘାସର ନାଆଁ କଣ?

ଜେଜୀ କହିଲେ ସେ ଧଳା ଧଳା ତୁଳାପରି ଯାହାକୁ ତୁ ଚଅଁର କହୁଛୁ ସେ ଘାସକୁ କାଶତଣ୍ଡି କୁହନ୍ତି।

ଆଉ ଗୋଟେ ସେଇ ଲମ୍ବାଳିଆ ଘାସ ଫୁଲକୁ ବେଣା

କହନ୍ତି।

ଏପରି ତା ଆଖିରେ ଯାହା ପଡୁଥିଲା ସେ ତାର ନାଆଁ ପଚାରୁ ଥିଲା ଓ କାମ ବି ପଚାରୁଥିଲା। ଜେଜୀ କହୁଥିଲେ ଏଇ ବେଣା ରୁ ଝାଡୁ,ଓ ସୁନ୍ଦର ସୁନ୍ଦର ଟୋକେଇ ପରାତ ତିଆରି ହୁଏ ମାଛ ଧରିବା ପାଇଁ ଚୁରିଆ ବା ଖଇଞ୍ଚି ତିଆରି ହୁଏ।ପାଣି ଧାର ଯୋଉଠି ଉଠାଣିରୁ ଗଡାଣୀକୁ ବହୁଥାଏ ସେ ଜାଗାରେ ଏ ଚୁରିଆ କୁ ସଜାଇ ରଖି ଦିଆଯାଏ।ମାଛମାନେ ପାଣିଧାର ସହ ୟା ଭିତରେ ପଶିଯାନ୍ତି।ପାଣିତକ ତ ୟାର ଜାଲିବାଟେ ଗଳି ଚାଲିଯାଏ ହେଲେ ମାଛମାନେ ଯାଇ ପାରନ୍ତିନି।ସେ ମାଛକୁ ଧରିଆଣି ଲୋକେ ଭାଜି ଖାଆନ୍ତି।ଆଉ ଏକ ପ୍ରକାର ଘାସକୁ ଦେଖାଇ କହିଲେ ଏହାକୁ କଣ୍ଟା ବାଢୁନ କୁହନ୍ତି

ଏହାର ଫୁଲ କଣ୍ଟାଳିଆ।ଲୁଗାରେ ଗଡି ରହିିଯାଏ ଓ ଦେହରେ ଗଡେ।ସେଥିପାଇଁ ଏହାର ନାଆଁ କଣ୍ଟା ବାଢୁନ।ଏହାର ଖଡିକାରେ ପ୍ରାୟତଃ ଝାଡୁ ବା ବାଢୁନ ତିଆରି ହୁଏ।

ଏସବୁ ପ୍ରକୃତି ଦତ୍ତ ଜିନିଷ ନିଜକୁ ଆମପାଇଁ ଉତ୍ସର୍ଗ କରିଥାଏ।ଅନ୍ୟର କାମରେ ଲାଗି ସେ ନିଜକୁ ମହାନ ଭାବେ।ଆମେ ଏମାନଙ୍କ ଠାରୁ ଏ ଗୁଣ ଶିଖିବା ଉଚିତ।

ଏମିତି କଥା ହେଉ ହେଉ ସେମାନେ ନଈ ଖଣ୍ଡିରେ ପହଞ୍ଚି ଯାଇଥିଲେ।ନଈଟି ଏବେ ପୂର୍ଣଗର୍ଭା ହେଇ ବହୁଥିଲା।ଲିନା ପଚାରିଲା ଜେଜୀ ଏ ନଈର ନାଆଁ କଣ?ଏ ନଈରେ କଣ ସବୁବେଳେ ଏମିତି ପାଣି ଭର୍ତ୍ତି ଥାଏ। ଜେଜୀ କହିଲେ ଏ ନଈର ନାଆଁ ଭେଡେନ ନଈ।ବହୁ ଦୂରରୁ କେଉଁ ଏକ ପର୍ବତରୁ ବାହାରି ଆସିଛି। ବର୍ଷା ଦିନ ବର୍ଷାପାଣି ବହିଆସି ଏହା ଦେହରେ ମିଶି ସେତେବେଳେ ଏହାର ଦେହ ପ୍ରସାରିତ ହେଇ ଯାଏ।ଗର୍ଭିଣୀ ନଈ ପାଲଟିଯାଏ ସେତେବେଳେ।ବାକି ସମୟରେ କ୍ଷୀଣ କଳେବରରେ ମଝିରେ ସ୍ରୋତଟେ ହେଇ ବହୁଥାଏ।ବର୍ଷା ପାଣି ପାଇଲେ ଏହାର ସ୍ବଚ୍ଛ ପାଣି କାଦୁଆ ହେଇଯାଏ।କର୍ଦମାକ୍ତ ଜଳ ଅଧିକ ହେଲେ ତା ଗର୍ଭରୁ ଉଛୁଳି ବନ୍ୟା ସୃଷ୍ଟି କରିଥାଏ ତା ଉପକୂଳ ଅଞ୍ଚଳରେ ।ବନ୍ୟାହେଲେ ପାଣି ଚଢିଯାଏ ଧାନ କ୍ଷେତ ମାନଙ୍କରେ ବାଲି ଚରି ଯାଇ ଫସଲ ନଷ୍ଟ କରିଦିଏ।ଲୋକ ବାକ ପଶୁ ଧନ ସମ୍ପଦ ଯାହାପାଏ ସୁଅରେ ଭସାଇ ନିଏ ଉଦଣ୍ଢୀ ନଈ।ତାହେଲେ ତ ଏ ନଈ ବଡ ଖତର୍ନାକ ଜେଜୀ? ଲିନା କହିଲା।

ଜେଜୀ କହିଲେ ନାଆଁଲୋ ନାତୁଣୀ ଏ ନଈ ବଡ ଉପକାରୀ।ଆମ ଜୀବଜଗତ ର ବଞ୍ଚିବା ପାଇଁ ପଞ୍ଚ ତତ୍ତ୍ବ ଦରକାର।ମାନେ ପାଞ୍ଚଟା ଜିନିଷ।ଆମ ଦେହ ବି ପଞ୍ଚଭୁତରେ ଗଢା।ଏ ପାଞ୍ଚଟା ଜିନିଷ ହେଲା।

ମାଟି, ବାୟୁ ,ଜଳ, ଉତ୍ତାପ, ଓ ଆକାଶ।

ଏସବୁ ଆମ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଜରୁରୀ।ଗୋଟିଏର ଅଭାବରେ ଆମେ ବଞ୍ଚି ପାରିବା ନାହିଁ।ମାଟି ନହେଲେ ଆମର ସ୍ଥିତି ନାହିଁ।ମାଟିରେ ଉଦ୍ଭିଦ ସୃଷ୍ଟି ହେଉଛି ବୋଲି ଆମେ ଆମର ଦରକାରି ସବୁ ଜିନିଷ ତାଠୁ ନେଇ ଜୀବନ ନିର୍ବାହ କରୁଛୁ। ଖାଦ୍ୟ ପାନୀୟ ବାସଗୃହ ସବୁ ଉଦ୍ଭିଦ ଆମକୁ ଦିଏ।ପରୋପ କାର ପାଇଁ ଏ ମାନଙ୍କର ସୃଷ୍ଟି।ଉଦ୍ଭିଦ ହେଉ ବା ମାଟି

ଜଳ ହେଉ ବା ଆକାଶ ନିଜେ କେତେ କଷ୍ଟ ସହି ଆମର ସେବାରେ ଲାଗେ।ତା ପାଖରୁ ଆମକୁ ସହନ ଶୀଳ ଗୁଣ ଶିଖିବାକୁ ମିଳୁଛି।ମାଟିକୁ କୋଡିଲେ ଦଳିଲେ ଗାଡିଚଳାଇଲେ ପୋଡିଲେ ସେ ଆମ ଅତ୍ୟାଚାର ସବୁ ନୀରବରେ ସହିଯାଏ ।ଜଳକୁ ବି ଆମେ ପିଇଲେ ଧୋଇଲେ ସିଝାଇଲେ ମଇଲା କଲେ ସେ ସବୁ ସହିଯାଏ।ନଈଟିଏ ତାର ଜଳଦେଇ ଆମର ଫସଲ ଫଳାଏ।ଚାଷିକୁଳ ତା ଗର୍ଭରୁ ଜଳକୁ ବିଭିନ୍ନ ଉପାୟରେ ଉଠାଇ ନେଇ ବରମାସ କେତେ ପ୍ରକାର ଚାଷ କରନ୍ତି।ଆମେ ତା ପାଣିରେ ସ୍ନାନ ଶୌଚ କରୁ।

ମଇଳା ଧୋଉ।ପାଣି ଭିତରେ ରହୁଥିବା ମାଛ କଙ୍କଡା ଚିଙ୍ଗୁଡି ଆଦିକୁ ଧରି ରୋଷେଇ କରି ଖାଉ।ନଈରେ ଡଙ୍ଗା ଚଲାଇ ମାଛ ଧରୁ।କେବେ ଡଙ୍ଗାରେ ଆରପାରିକୁ ଯାଉ।ନଈ ପାଣିକୁ ବନ୍ଧ କରି କୃଷି କାମରେ ଲଗାଉ।ତା,ସହିତ ବିଜୁଳି ଉତ୍ପାଦନ ମଧ୍ୟ କରୁ।କଳକାରଖାନା ଚଳାଇବା ପାଇଁନଈ ଜଳର ଆବଶ୍ୟକତା ପଡେ।ଯିଏ ଯାହା ନେଲେ ବି

ସେ କାହାକୁ ମନା କରେନି।ଜଳ ବିନା ନା ଆମର ତୃଷ୍ଣା ନିବାରଣ ହେଇ ପାରିବ ନାଁ ଖାଦ୍ୟ ରୋଷେଇ ହେଇ ପାରିବ।ଜଳ ନିଜକୁ ତିଳତିଳ ଜଳାଇ ମେଘ ତିଆରି କରେ ଓ ବର୍ଷା ରୂପ ଧରି ଲେଉଟି ଆସେ।ଜଗତର ପଶୁ ପ୍ରାଣୀ ବୃକ୍ଷଲତା ସମସ୍ତଙ୍କୁ ପାଳନ କରିବା ପାଇଁ।ନଈର ଜଳ କୌଣସି ଜାତି ଧର୍ମର ଲୋକକୁ ନିରାଶ କରେ ନାହିଁ।ଯିଏ ଆସିଲେ ତା କାମରେ ସେ ଲାଗିଥାଏ।ପଶୁ ପକ୍ଷୀ ଗଛ ବୃକ୍ଷ ପାହାଡ ପର୍ବତ ବୋଲି ବାଛ ବିଚାର କରେ ନାହିଁ।ଯତେବେଳେ ବର୍ଷା ଆସେ ସବୁ ଜାଗାରେ ସମାନ ଭାବରେ ବର୍ଷିଥାଏ।ସମୁଦ୍ର ବୋଲି ବେଶି ଓ ପାହାଡ ବୋଲି କମ୍ କରେ ନାହିଁ ଜଳଦାନରେ।ନଈର ଜଳ ବାଛ ବିଚାର କରେ ନାହିଁ କାହାକୁ। ତାଠୁ ଏ ଗୁଣ ଶିଖିବା ଉଚିତ।ନଈ ଉଚ୍ଚ ନିଚ୍ଚ ଖାଲଖମା ଦେଖି ଡରି ଯାଏ ନାହିଁ।ସେ ନିଜ କର୍ତ୍ତବ୍ୟ ପଥରେ ସଦା ଅଗ୍ରସର ହେଉଥାଏ।ଆମେ ଏହି ଗୁଣ ବି ତାଠୁ ଶିଖିବା ଉଚିତ।ନଈଜଳରେ ଆମେ ଯୋଉ ବି ରଙ୍ଗ ମିଶାଇ ଦେଉ ସେ ସେହି ରଙ୍ଗରେ ରଙ୍ଗି ଯାଏ।ନାଲି ନେଳି ହଳଦିଆ ସବୁଜ ସବୁରଙ୍ଗରେ ମିଶିଯାଏ।ଆମେ ବି ସଭିଙ୍କସହ ମିଶିବା କଥା।ଏଗୁଣ ବି ନଈଠୁ ଶିଖିବା ଉଚିତ୍।ନଈ ସବୁ ଜାଗାରେ ନିଜକୁ ଢାଳି ଯେମିତି ଜାଗା ଥାଏ ସେମିତି ଆକାର ନେଇଯାଏ। ଓସାର ଜାଗା ପାଇଲେ ଓସାର ହେଇ ବହେ ସଂକୀର୍ଣ ଜାଗାରେ ନିଜ ଅବୟବକୁ ଛୋଟ କରି ସେ ପଥରେ ସହଜରେ ବହିଯାଏ।ଏମିତି ଆମେ ବି ସବୁ ପରିବେଶରେ ନିଜକୁ ଢାଳି ଶିଖିବା ଉଚିତ।ନଈ ସବୁବେଳେ ନିମ୍ନଗା।ଥରେ ତଳକୁ ବହିଗଲେ ଆଉ ଉପରକୁ ଲେଉଟି ଦେଖେ ନାହିଁ।ସାଗର ସଂଗମ ପଥରେ ଅଗ୍ରସର ହୁଏ।ଶେଷରେ ସାଗର ଦେହରେ ମିଶି ନିଜର ଅସ୍ତିତ୍ବ ହରାଇ ଦିଏ।ନିଜର ମଧୁରତାକୁ ଛାଡି ସାଗରର ଲୁଣିପଣ ରେ ରଙ୍ଗିଯାଏ।ନଈଠୁ ଏ ସମର୍ପଣ ଭାବ ଆମକୁ ଶିଖିବା ଉଚିତ।

ନଈ ଆମର ମାଆ ତୁଲ୍ୟ।ମାଆ ବକ୍ଷର ଖିର ଦେଇ ଆମକୁ ବଞ୍ଚାଏ।ନଈ ବି ତାରବକ୍ଷର ଅମୃତ ତୁଲ୍ୟ ଜଳ ଦାନ କରି ଆମର ଜୀବନ ବଞ୍ଚାଏ।ସେଥିପାଇଁ ଜଳର ଅନ୍ୟ ନାମ ଜୀବନ।ଆମ ଭାରତୀୟ ସଂସ୍କୃତି ରେ ନଈ କୁ ମାଆ ବୋଲି ମାନ୍ୟତା ଦିଆ ଯାଇଛି।ଏମିତି ଏକ ନଈର ନାଆଁ କହିଲୁ ଯାହାକୁ ଆମେ ମାତା ସମ୍ମାନ ଦେଇ ଡାକୁ?

ଜେଜୀ ପଚାରିଲେ।

ତତ୍କ୍ଷଣାତ୍ ଲିନା ଉତ୍ତର ଦେଲା ଗଙ୍ଗା ମାତା ବୋଲି ଆମେ ଗଙ୍ଗାନଦୀ କୁ କହିଥାଉ।ଆମ ଭାରତର କେତୋଟି ନଈର ନାଆଁ ଯାହା ଜାଣିଛୁ କହିଲୁ?

ଲିନା ଗୋଟେ ଗୋଟେ ମନେ ପକାଇ ନେଟରୁ ଦେଖି ଯାହା ଜାଣିଥିଲା କହିବାକୁ ଲାଗିଲା।ଗଙ୍ଗା ଯମୁନା,ସରସ୍ବତୀ,ବ୍ରହ୍ମପୁତ୍ର କାବେରୀ ତାପ୍ତୀ, ଗୋଦାବରୀ,ଗଣ୍ଡୁକି ଫଲ୍ଗୁ,ତମସା ଇନ୍ଦ୍ରାବତୀ ଚିତ୍ରୋତ୍ପଳା,ମହାନଦୀ,ଇବ,ତେଲ ହାତୀ ସଫେଇ ଭେଡେନ ଇଚ୍ଛାନଦୀ, ଏତିକି କହି ଚୁପ୍ ପଡିଲା। ଜେଜୀ କହିଲେ ପଞ୍ଜାବର ପଞ୍ଚନଦୀ ଝେଲମ୍ ଚେନାବ୍ ରାଭି ବିଜ,ସତଲେଜ ପ୍ବଭୃତିବି ବଡ କାମର ନଦୀ। ଆହୁରି ସିନ୍ଧୁ ନଦୀ ପଞ୍ଜାବ କୁ ଘେରି ରହିଛି। ଶଙ୍ଖ ,କୋଇଲି, ନର୍ମଦା ବ୍ରାହ୍ମଣୀ, ବୈତରଣୀ,ବୁଢାବଳଙ୍ଗ ଋଷିକୂଲ୍ୟା ଓ ଆହୁରି ଅନେକ ନଦୀ ରହିଛନ୍ତି ଓଡିଶାରେ। ଅନେକ ନାମ ଆମକୁ ବି ଜଣାନାହିଁ।ଏ ନଦୀ ମାନେ ଅଛନ୍ତି ବୋଲି ତାଙ୍କ ଉପକୂଳରେ ମଣିଷ ବସତି କରି ରହିଛି।ମଣିଷର ପ୍ରତିଟି କାମପାଇଁ ଜଳ ଆବଶ୍ୟକ।ବର୍ଷସାରା ଅନେକ ରକମ ପରିବା ଚାଷ କରାହୁଏ ଏଇ ନଦୀ ମାନଙ୍କ ପାଣି ନେଇ।ଘର ତିଆରି କୋଠା ତିଆରି ପାଇଁ ଜଳ ଆବଶ୍ୟକ ହେଇଥାଏ।ପଶୁପାଳନ ହେଉ ବା କୌଣସି ବି ଉଦ୍ୟୋଗ ପାଇଁ ଜଳ ଆବଶ୍ୟକ

ପଡିଥାଏ।ବିଜୁଳି ବତୀ ଉତ୍ପନ୍ନ ହୁଏ ବୋଲି ଆମ ଜୀବନ ସୁଖମୟ ହେଇ ଯାଇଛି।ସବୁ କାମ କଳ ଦ୍ବାରା ହେଉଛି।ଆଉ ଏ କଳ ବିଜୁଳି ଦ୍ବାରା ଚାଲେ।ମୋବାଇଲ ଆସିବା ପରେ ସରା ଦୁନିଆଁ ଆମ ହାତ ମୁଠାରେ ହେଇ ପାରିଛି।ଆଉ ଏହା ଚଳାଇବାକୁ ବିଦ୍ୟୁତ ଦରକାର।ଆଉ ଏ ବିଦ୍ୟୁତ ଆସେ ନଈ ପାଣିରୁ।ଆମ ଓଡିଶାରେ ମହାନଦୀକୁ ବନ୍ଧ ବାନ୍ଧି ହୀରାକୁଦ ଡେମ୍ ତିଆରି କରିଛନ୍ତି।ଏଠାରୁ ବିଦ୍ୟୁତ ଉତ୍ପାଦନ ହୁଏ।

ଆଉ ଜାଣିଛୁ ଏ ଭେଡେନ ନଦୀ ବି ଆଗରେ ଯାଇ ଇବ୍ ଓ ସଫେଇ ନଦୀ ସହିତ ମିଶି ଶେଷରେ ମହାନଦୀ ସହିତ ମିଶିଛି।ମାନେ ଏଇ ନଦୀବି ହୀରାକୁଦ କୁ ଯାଉଛି ଓ ବିଜୁଳି ଉତ୍ପାଦନରେ ସହାୟତା କରୁଛି।ଦେଖିଲୁ ତ ପ୍ରତି ଛୋଟ ଛୋଟ ନଦୀ କେମିତି ପରସ୍ପର ଭିତରେ ମିଳିତ ହେଇ ଜନହିତରେ ନିଜକୁ ଉତ୍ସର୍ଗିତ କରିଦିଅନ୍ତି।ସେମାନଙ୍କ ଠାରୁ ଆମକୁ ଏଇ ପରସ୍ପର ଭିତରେ ମିଶିବା ଗୁଣ ଶିଖିବା ଚାହି।ଆମେ ନିଜ ନିଜ ଭିତରେ ଝଗଡା ନକରି ଏକତ୍ର ମିଶି କାମ କଲେ ନିଶ୍ଚୟ ନିଜର ଉନ୍ନତି ସହିତ ଦେଶର ବି ଉନ୍ନତି କରିବା।

ଜେଜୀ ନଈକୂଳରେ ଚାଷ ହେଇଥିବା ଆଖୁକ୍ଷେତ ଓ ବିଭିନ୍ନ ପରିବା କ୍ଷେତକୁ ଦେଖାଇ କହିଲେ ଦେଖ ଏଇ ନଈର ଦାନକୁ।ଏହାର ପାଣି ନେଇ ଏସବୁ ଫସଲ ହସୁଛି।ଆମ ଗାଆଁ ଲୋକେ ଏସବୁ ତାଜା ଫସଲ ଖାଇପାରୁଛୁ ଏଇ ନଈର ପାଇଁ।

ଲିନା ନଈ ବିଷୟରେ ଅନେକ କଥା ଜାଣିଲା।ଯଦିଓ ନଈ ବେଳେ ବେଳେ ବନ୍ୟା ଘଟାଏ ହେଲେ ଅନେକ ଉପକାର ବି କରିଥାଏ।

ତାପରେ ସେ ଜେଜୀସହ ନଈରେ ଭଲକରି ଗଧୋଇଲା।ସବୁଦିନ ବାଥରୁମ୍ ରେ ଗାଧୁଥିବା ଝିଅ ନଈରେ ଗାଧୋଇ ବଡ ଶାନ୍ତି ଅନୁଭବ କଲା।କେତେ ସ୍ବଚ୍ଛ କାଚକେନ୍ଦୁ ପାଣି।ପାଣିରେ ରୂପା ମାଛ ମାନେ ସନ୍ତରଣ କରୁଥାନ୍ତି।ଗେଣ୍ଡା ଶାମୁକା ଚିଙ୍ଗୁଡି ମାନେ ନଈ ବାଲିରେ ଚାଲୁଥାନ୍ତି ।ଏମାନଙ୍କୁ ଦେଖି ଲିନା ବହୁତ ଖୁସି ହେଇଗଲା।ସତ ର ପ୍ରାକୃତିକ ଜୀବ ମାନଙ୍କୁ ଦେଖି ତାର ମନସାଧ ପୂରା ହେଇଯାଇଥିଲା।ନଈ କୂଳରେ କେନ୍ଦେଇ ବା ଲିଲି ଫୁଲର ବୁଦାମାନ ଧାଡି ହୋଇ ଲାଗିଥିଲା।ଧଳା ଧଳା ଫୁଲଗୁଡିକ ବହୁତ ସୁନ୍ଦର ଦିଶୁଥାନ୍ତି।ନଈ ଭିତରେ ବଡବଡ ପଥର ସବୁ କିଛି କିଛି ପାଣି ଭିତରୁ ଉହୁଙ୍କି ନିଜର ଅସ୍ତିତ୍ବ ଜାହିର କରୁଥାନ୍ତି।ଦୂରରୁ ଦେଖିଲେ ହାତୀଟିଏ ପାଣିରେ ଗାଧୋଉଛି ପରି ପ୍ରତେ ହେଉଥାଏ ସେ ଅଧାବୁଡା କଳା ପଥର ଗୁଡାକ।ହଂସ ହଂସରାଳୀ ମାନେ ନଈ କୂଳରେ ଥିବା ଜଳଉଦ୍ଭିଦ ଙ୍କ ଭିତରେ ପହଁର ବୁଲି ନିଜ ଖାଦ୍ୟ ସଂଗ୍ରହ କରୁଥିଲେ।ଅନେକ ଜଙ୍ଗଲି ପକ୍ଷୀଙ୍କ ମଧୁର ଗୁଞ୍ଜନ ଭାସି ଆସି କାନରେ ମଧୁରତା ଭରି ଦେଉଥିଲା।ସତରେ ସେ ଜାଗାଟି ସ୍ବର୍ଗିୟ ଆନନ୍ଦ ପ୍ରଦାନ କରୁଥିଲା।ନିର୍ଜନତା ଭିତରେ ଏତେ 

ଆନନ୍ଦ ଥାଏ ସେ ପ୍ରଥମ ଅନୁଭବ କରୁଥିଲା।ଛୋଟ ଝିଅଟେ ହେଲେ ବି ସେ ଅନ୍ୟ ମାନଙ୍କଠୁ ଟିକେ ଅଲଗା ଥିଲା।ସେ ଛୋଟ ଛୋଟ ଜିନିଷରେ ବି ଖୁସୀ ଖୋଜି ନେଉଥିଲା।

ଜେଜୀ ଡାକୁଥିଲେ ଚାଲ ଯିବା ଘରକୁ ଆଉ କେତେ ଅନେଇ ରହିବୁ ଏ ନଈକୁ।ତାପରେ ସେ ତାର ଭାବନା ଭିତରୁ ବାହାରି ଜେଜୀ ସହିତ ଘରକୁ ଫେରି ଆସିଲା।



Rate this content
Log in

Similar oriya story from Children