ନେତି ଆଈ
ନେତି ଆଈ
ନଈ ଉଛୁଳୁଛି. ଦୁଇକୁଳ ଖାଇ ଫୁଲୁଛି ଶୁଣି ସମସ୍ତେ ପେଡିପୁଟୁଳା ବାନ୍ଧି ଆଶ୍ରୟ ଗୃହକୁ ଯିବାକୁ ପ୍ରସ୍ତୁତ. ଗାଁଟା ସାରା ଯୁବକମାନେ କେତେ ଚେଷ୍ଟା କଲେଣି ବାଲିବସ୍ତା ପକାଇ ରୋକିବାକୁ ଚେଷ୍ଟା କଲେଣି ହେଲେ ସବୁ ନିରର୍ଥକ ମନେ ହେଉଛି. ଘରର ବୟସ୍କ ଲୋକେ ତାଗିଦ କଲେଣି. ଚଞ୍ଚଳ ପେଡି ପୁଟୁଳି ସଜାଡି ପିଲାଛୁଆ ସହ ଚାଲିଯିବାକୁ ବସିଥିବା ଗାଁ ଲୋକଙ୍କୁ ପଛକୁ ବୁଲି ଅନେଇବାକୁ ସମୟ ନାହିଁ. ଏମିତି ଫି ବରଷ ନଈ ଉଛୁଳି ଦୁଇ କୂଳ ଲଙ୍ଗେ. ସମସ୍ତେ ଘରଦ୍ୱାର, ଗଛପତ୍ର ଛାଡ଼ି ଉଠିଯାଆନ୍ତି ସ୍କୁଲ ଘରକୁ. ଆପେ ବଞ୍ଚିଲେ ବାପାଙ୍କ ନାମ ଭାବି ସମସ୍ତେ ଜୀବନ ବିକଳରେ ଚାଲିଯାଉଥିବା ବେଳେ ନେତି ଆଈ ପଡି ଥାଏ ଘରେ. ଦି ପାହୁଣ୍ଡ ମଧ୍ୟ ଆଗକୁ ବଢେନା ତାର. ଯୋଉ ଉଛୁଳା ନଈ ତା ଜୀବନଧନକୁ ନେଇଛି, ସେଇ ନଈ ଉଛୁଳି ପୁଣି ତା ଶଙ୍ଖାଳିକୁ ଫେରେଇଦେଇଯିବର ବିଶ୍ୱାସରେ ନିଶ୍ୱାସ ନେଉଛି ନେତି ଆଈ.
ସମସ୍ତେ ଜାଣନ୍ତି. ଆଈ କଥା ମାନିବନି. କାହା କଥା ଶୁଣିବନି. ନେତି ଆଈ ଏମିତି ଚାହିଁଛି ଉଛୁଳା ନଈକୁ. ସ୍ୱାମୀର ଏକମାତ୍ର ସନ୍ତକ ତା ଧନକୁ ନେଇ ଯାଇଛି ସିନା ଫେରେଇଦେବ ନିଶ୍ଚୟ ଭରସା ଓ ବିଶ୍ୱାସ ରଖି ଚାହିଁଛି ଉଛୁଳା ନଈକୁ.ଶ୍ରୀରାମ ବନଗମନ ପାଇଁ ଗଲା ପରେ ରାଜା ଦଶରଥଙ୍କ ଯେଉଁଭଳି ମୁର୍ଚ୍ଛା ଯାଉଥିଲେ ଓ ପୁଣି ପ୍ରକୃସ୍ଥିତ ହେଉଥିଲେ, ଆଇର ଅବସ୍ଥା ସେୟା.ରାଜା ଦଶରଥ ଉଠି ପଡି ମନ୍ତ୍ରୀ ସୁମନ୍ତଙ୍କୁ କହିଥିଲେ,"ମୋ ପ୍ରାଣଧନ ରାମ ବନକୁ ଗଲେ ଅଥଚ ମୋ ପ୍ରାଣ ଗଲା ନାହିଁ.କେଉଁ ସୁଖ ପାଇଁ ଏ ପ୍ରାଣ ପିଣ୍ଡରେ ପଡ଼ି ରହିଛି,ଆଉ କେଉଁ ବ୍ଯଥା ଏହାଠୁ ଅଧିକ ହେବ ଯେ ସେହି ଦୁଃଖରେ ପ୍ରାଣ ଛାଡିବ? ଦଶରଥ ପୁଣି ଧୈର୍ଯ୍ୟ ଧରି ସୁମନ୍ତଙ୍କୁ କହିଲେ,"ହେ ସଖା! ତୁମେ ରଥ ନେଇ ଶ୍ରୀରାମଙ୍କ ସହ ଯାଇ ସେହି ସୁକୁମାର ଦୁଇ ଭାଇ ଓ ସୁକୁମାରୀ ଜାନକୀଙ୍କୁ ରଥରେ ବସାଇ ବନ ଦେଖାଇ ଦି ଚାରି ଦିନ ପରେ ଫେରାଇ ଆଣିବ.ଦୁଇଭାଇ ଅତି ଧୈର୍ଯ୍ୟବାନ.ରଘୁନାଥ ହେଉଛନ୍ତି ସତ୍ୟପ୍ରତିଜ୍ଞ ଓ ଦୃଢ.ଏହିସବୁ କାରଣରୁ ଯଦି ସେମାନେ ନଫେରନ୍ତି, ତେବେ ବିନୟରେ କହିବ, ଅନ୍ତତଃ ମିଥିଳା ନରେଶ ନନ୍ଦିନୀ ସୀତାଙ୍କୁ ଫେରାଇ ଦିଅନ୍ତୁ. ସୀତା ବନ ଦେଖି ଡରୁଥିଲେ ସେହି ସୁଯୋଗ ନେଇ କହିବ, ଆପଣଙ୍କ ଶାଶୁ ଓ ଶ୍ଵଶୁର ଖବର ଦେଇଛନ୍ତି ତାଙ୍କ ପୁତ୍ରୀଙ୍କର ବନରେ ରହିବା ଅତ୍ୟନ୍ତ କଷ୍ଟକର.ତେଣୁ "ମାଆ! ତୁମେ ଫେରିଚାଲ. କେତେବେଳେ ବାପଘରେ ତ କେତେବେଳେ ଶ୍ଵଶୁର ଘରେ, ଯେଉଁଠି ଇଚ୍ଛା ହେବ, ସେଇଠି ରହିବ. ଏଭଳି ଫେରେଇ ଆଣିବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରିବ, ଯଦି ଅନ୍ତତଃ ସୀତା ବି ଫେରି ଆସନ୍ତି, ତେବେ ସେ ମୋ ପ୍ରାଣର ଅବଲମ୍ବନ ହୋଇପାରିବେ, ନଚେତ ମୋର ବଞ୍ଚିବା ସମ୍ଭାବନା ନାହିଁ.ବିଧାତା ବାମ ହୋଇଗଲେ କିଛି ଉପାୟ କାମ କରେ ନାହିଁ।ମୋ ରାମ, ଲକ୍ଷ୍ମଣ, ସୀତା କୁଆଡେ ଗଲେ.ହାୟ!ଏମିତି କହୁ କହୁ ରାଜା ମୁର୍ଚ୍ଛା ହୋଇ ତଳେ ପଡ଼ିଯାଉଥିଲେ ରାମାୟଣ ବିଷୟବସ୍ତୁରେ. ଏଠାରେ ନେତି ଆଈ ଚାହିଁଥିଲା ନଈ ଦେବୀଙ୍କୁ. ବିଶ୍ୱାସ ଓ ଦୃଢ଼ ଭରସାରେ.
ରାମାୟଣରେ ରାଜା ଦଶରଥଙ୍କ ଆଜ୍ଞା ମାତ୍ରକେ ନତଶିର ହୋଇ ସୁମନ୍ତ ଖୁବ ଶୀଘ୍ର ଗୋଟିଏ ବେଗଗାମୀ ରଥ ସଜାଇ, ନଗର ବାହାରେ ଯେଉଁଠାରେ ରାମ ଲକ୍ଷ୍ମଣ ଦୁଇ ଭାଇ ଥିଲେ ସେଠାକୁ ରଥ ବାହି ନେଲେ.ଶ୍ରୀରାମଙ୍କୁ ରାଜା ଦଶରଥଙ୍କ କଥା କହି ବହୁ ଅନୁନୟ ବିନୟ କରି ରାମ, ଲକ୍ଷ୍ମଣ, ସୀତାଙ୍କୁ ରଥରେ ବସାଇଲେ.ସୁମନ୍ତ ମନେ ମନେ ଅଯୋଧ୍ୟାକୁ ପ୍ରଣାମ କଲେ.ସେମାନଙ୍କୁ ରଥରେ ବସାଇ ବନପଥରେ ଯାତ୍ରା ଆରମ୍ଭ କଲେ.ଶ୍ରୀରାମ ବନ ଆଡେ଼ ଚାଲି ଯାଉଛନ୍ତି, ଅଯୋଧ୍ୟା ଅନାଥ ହୋଇ ଯାଉଛି, ଏହିଭଳି ଦେଖି ନଗରର ଲୋକମାନେ ବ୍ଯାକୁଳ ହୋଇ ତାଙ୍କ ପଛରେ ଚାଲିଲେ.କୃପାସିନ୍ଧୁ ଶ୍ରୀରାମ ସେମାନଙ୍କୁ ଅନେକ ପ୍ରକାର ବୁଝାଇଲେ.ତାଙ୍କ କଥା ଶୁଣି ଲୋକମାନେ ଅଯୋଧ୍ୟା ଆଡ଼କୁ ଫେରୁଥାନ୍ତି, ପୁଣି କିଛି ସମୟ ପରେ ପ୍ରେମବଶତଃ ତାଙ୍କ ପଛରେ ଚାଲିବାକୁ ଲାଗନ୍ତି.ଆଈ କିନ୍ତୁ କୁଆଡେ ଯିବ? ନଈକୁ ଅନୁନୟ କରେ. ବିନତି କରେ ଫେରେଇଦେବାକୁ ତା ଧନମାଳିକୁ.ସେଦିନ ନଈ କୂଳରେ ନେତି ଆଈ ଦେଖିଥିଲା ମଣିଷ ପରି କିଏ ଗୋଟେ ଭାଷି ଆସୁଛି. କୂଳକୁ ଯାଇ ଅପେକ୍ଷା କଲା ନେତି ଆଈ. ପାଖକୁ ଆସିବାରୁ ଜାବୁଡି ଧରିଲା. ହେଲେ ମାଟି ପଙ୍କ ହୋଇ ପାଣିରେ ମିଳାଇ ଗଲା ପରେ ତା ହାତମୁଠାରେ ଲାଖିରହିଥିଲା ମୁଠେ ମୋଟାଳିଆ କୁଟା. ନେତି ଆଈ ଆଖିରେ ଲୁହ. ମନ ହୃଦୟରେ ଅଭିମାନ ଆଉ ଗାଁ ଟୋକାଙ୍କ ଉପରେ ରାଗ. କୋଉଠି ତୁମକୁ ମିଳୁନି ଜଗା ଠାକୁର ଠାକୁରାଣୀଙ୍କୁ ବିସର୍ଜ୍ଜନ କରିବାକୁ. ମାଆ ଲଷ୍ମୀ,କାଳୀ, ଦୁର୍ଗା, ସାରସ୍ବତୀ, ଦେବ ଗଣେଷ, ବିଶ୍ୱକର୍ମାଙ୍କୁ ନଈ ମାଆ କୋଳରେ ବିସର୍ଜ୍ଜନ ଦେଉଛ.କାହିଁ ପୋତିଦେଉନ ମାଟିରେ, ଦେବ ଦେବୀଙ୍କ ସ୍ପର୍ଶ ପାଇ ମାଟି ହେବ ଉର୍ବର, ଫଳେଇବ ସୁନା ଫସଲ ହସିବ ଫୁଲ ମହଲ. ନଚେତ ନଈ ମାଆ କୋପ କରିବ ନାହିଁ? ତଥାପି ବିଶ୍ୱାସ ଓ ଭାରସାରେ ଅପେକ୍ଷା କରିଛି ନେତି ଆଈ. ତା ପୁଅକୁ ନେଇକି ନଈ ନିଶ୍ଚୟ କୋଉଠି ରଖିଛି. ବେଳ ଉଣ୍ଡି ଫେରାଇଦେବ. ସେ କାହା ମନରେ ଦୁଃଖ ଦେଇନି କଷ୍ଟ ଦେଇନି. ସମସ୍ତଙ୍କର ଯତ୍ନ ନେଇଛି. ଗୋମାତାର ସେଵା କରିଛି. ନଈ ମାତା ନିଶ୍ଚୟ ତା ଦୁଃଖୀଧନକୁ ଫେରାଦଦେବ. ସେହି ବିଶ୍ୱାସରେ ନେତି ଆଈ ଫି ବରଷ ନଈ ଉଛୁଳିଲେ ଯାଏ ନାହିଁ ଗାଁ ଛାଡ଼ି. ଅପେକ୍ଷା କରେ ନଈ ମାଆଙ୍କ କରୁଣାକୁ ମୁଣ୍ଡପାତି, ହାତ ବଢ଼େଇ ଓଦା ପଣତ ବଢ଼େଇ.
ସେପଟେ ଗାଁ ଲୋକ ଭାବୁଥାଆନ୍ତି ଏଥର ବୁଢ଼ୀଟା ଗଲା ଜାଣ. ସମୟ ବୟସ ଓ ଆୟୁଷକୁ ନେଇ ଆଉ କେତେ ଖେଳିବ ବୁଢ଼ୀ. ଏଠିକୁ ଆସିଥିଲେ ଭାତ ଡାଲମା ଖାଇ ଆଶ୍ରୟ ପାଇଥାନ୍ତା. ସେପଟେ ନେତି ଆଈ ଶୀତ ଦିନ ଟାରେ ଅଦିନିଆ ବରଷାରେ ଜନ୍ମ କରିଥିବା କୁକୁରଟାକୁ ଚୁ ଚୁ କରି ଡାକୁଥିଲା ଚାଳିଆର ଗୋଟେ ପଟକୁ ଆଶ୍ରୟ ନେଇଯିବାକୁ, ପେଜ ମୁନ୍ଦେ ପି ଦେଇ ଛୁଆଙ୍କୁ ସମ୍ଭାଳିବାକୁ.ଚାଳରୁ ଠାଆକୁ ଠାଆ କଣାରେ ଉପର ଓଦା କୁ ତଳ ଓଦା. ଚାହିଁଛି ନେତି ଆଈ ଉଛୁଳା ନଈକୁ. ଦେଖିଲା ନଈ ପାଖେ ଥିବା ଗୁଳ୍ମ ବୁଦାକୁ ଲାଗି ମଣିଷଟା. ନିଶ୍ଚେ ତା ନୀଳମଣି. ଏତେ ଦିନେ ନଈ ମାଆ ତା ପୁଅକୁ ଫେରେଇ ଦେଇଛି. ଦଉଡି ଗଲା ବୁଢ଼ୀ. ପୁଅକୁ ଫେରିପାଇ ବଳ କୌଶଳ ଦୁଇଗୁଣା ବଢିଛି ନେତି ଆଇର. ମଣିଷଟାକୁ ଭିଡି ଆଣି ସାଷ୍ଟାଙ୍ଗ କଲା. ପେଡିରୁ କାଢ଼ି ଗାମୁଛା ପିନ୍ଧାଇଲା ଓ ଘୋଡ଼େଇଲା. ପାଟିରେ ମୁଢ଼ି ଦେଇ ଓଦା ଦିହ ପୋଛୁଥିଲା ମମତାର ସ୍ପର୍ଶରେ. ପୁଅ ଡାକିଲା ମାଆ. ନେତି ଆଈ ହସିଲା. କହିଲା ମୋ ନୀଳମଣି.
ନଈ ଦେବୀଙ୍କୁ ମୁଣ୍ଡିଆ ମାରିଲା ଆଈ. ନଈ ଏବେ ଶାନ୍ତ. କମନୀୟ. ଘର ଅଗଣା ମାଆ ପୁଅ ଲାଗି ସଜାଡୁଥିଲେ. ଗାଁ ଲୋକ ଫେରିଲେଣି. କିଏ ନଇଁ ପଡ଼ିଥିବା ଚାଳକୁ ଉପରକୁ ଉଠାଉଛି ତ କିଏ ପୋତି ହୋଇ ପଡିଥିବା କଖାରୁ ଡଙ୍କ. ଚହଳ ପଡିଗଲା ନେତି ଆଈ ବଞ୍ଚିଛି. ଖାଲି ବଞ୍ଚିନି ପନ୍ଦର ବର୍ଷ ତଳର ପୁଅକୁ ବି ଫେରି ପାଇଛି. ଦୌଡିଲେ ଗାଁ ଟୋକା. ଖିଅର ହୋଇ ଚୁଟି କାଟି ଧଳା ଲୁଗା ପିନ୍ଧା ଲୋକଟା ଅନେକାଂଶରେ ନଈ ଉପରମୁଣ୍ଡରେ ବେଳ ଅବେଳରେ ବୁଲୁଥିବା ପାଗଳ ଭଳି ଦିଶୁଥିଲା ହେଲେ ସେକଥା କହିବାକୁ କାହା ଜିଭରେ ହାଡ଼ ନଥିଲା. ପାଗଳ ମଧ୍ୟ ଭଲ ମଣିଷ ହୋଇ ଘର ବାରି ସଜାଡଥିଲା ମାଆ ମାଆ ଡାକ ଛାଡ଼ି. ଲୋକଙ୍କ ପାଟିରୁ ବାହାରୁଥିଲା ବିଶ୍ୱାସେ ମିଳଇ ହରି.ପୁତ୍ର ଶୋକରେ ଦଶରଥ ସିନା ପ୍ରାଣ ଛାଡିଥିଲେ ଯାହା ହେଉ ବୁଢ଼ୀଟା ବଞ୍ଚିଗଲା କହୁଥିଲେ ସମସ୍ତେ.।
