କ୍ଷୀର ଓ ନୀର
କ୍ଷୀର ଓ ନୀର
ଜୀବନର ଚଲାପଥ ରେ ଅନେକ ସାଙ୍ଗ ଆସିବେ କିନ୍ତୁ ସବୁଦିନ ସବୁ ସମୟରେ ସେମାନେ ସାଙ୍ଗ ହୋଇ ରହିପାରିବେନି. ପିତା ମାତା ସୁଖ ଦୁଃଖର ସାଥି, ସଖା ସହୋଦର ଓ ବନ୍ଧୁ ନିଶ୍ଚୟ କିନ୍ତୁ ଦିନେ ସେମାନେ ନଥିବେ କିନ୍ତୁ ତାଙ୍କୁ ଖୋଜିବାକୁ ସନ୍ତାନ ହିଁ ଉତୁରି ପଡୁଥିବ କ୍ଷୀର ପରି. ଯେମିତି ପାଣି ଓ କ୍ଷୀର ଭିତରେ ବନ୍ଧୁତ୍ୱ ସେମିତି ବନ୍ଧୁତ୍ୱ ମାଆ ଓ ଝିଅ ଭିତରେ ତଥା ବାପା ଓ ପୁଅ ଭିତରେ. ନିଜ ଅଲକ୍ଷରେ ପୁଅ ବାପାଙ୍କ ଗୁଣସୂତ୍ର ଆହରଣ କରିବା ପରି ଝିଅଟି ମାଆ କୁ ଅନୁସରଣ କରୁଥାଏ. ମାଆ ସୁମତି ଭାବୁଥାଆନ୍ତି ତାଙ୍କ ବୋଉ କହିଥିବା କଥାଟି. ଏଇ କ୍ଷୀର ଓ ନୀର ର କାହାଣୀ. ପ୍ରଗାଢ଼ ବନ୍ଧୁତ୍ୱ ଦୁହିଁଙ୍କ ଭିତରେ ବୋଲି ପାଣି ଜାଣିଥାଏ. କ୍ଷୀର ସଙ୍ଗେ ମିଶିଲେ ତା ରୂପ ରଙ୍ଗ ପ୍ରକାଶ ପାଏ. ମୂଲ୍ୟ ବଢେ. ଏକଥା ଜାଣିପାରି ପାଣି ଯେବେ କ୍ଷୀର କୁ ପଚାରେ ସେତେବେଳେ କ୍ଷୀର କହେ ତୁମେ ହିଁ ମୋର ଅସ୍ତିତ୍ୱ ବନ୍ଧୁ. ତୁମ ବିନା ମୁଁ ସାର୍ଥକ ନୁଁହଁ. ତୁମ ଓ ମୋ ଭିତରେ ଯୁଗ ଯୁଗର ଅତୁଟ ବନ୍ଧନ. ଠିକ ମାଆ ଓ ଝିଅ ଭଳି. ଝିଅ ଟି ପିଲା ଥିଲାବେଳେ ଭାବେ ମାଆ ହିଁ ତାର ପ୍ରତିବନ୍ଧକ. ସବୁକଥାରେ ଆକଟ. ଏଠି ଠିଆ ହେବୁନି ସେଠିକି ଯିବୁନି. ଗଲେ ନଜର ରଖିଥିବ. ଠିକ ଯେମିତି ଲୋକେ କ୍ଷୀର ଫୁଟାଇଲା ବେଳେ ପାଣି ବାସ୍ପ ହୋଇ ଉପରକୁ ଉଠିଲେ କ୍ଷୀର ମଧ୍ୟ ଉତୁରିପଡ଼ି ଖୋଜୁଥାଏ ପାଣିକୁ. ସେ ମଧ୍ୟ ବାଷ୍ପ ହୋଇ ଲକ୍ଷ ରଖିଥାଏ ଏକତ୍ରିତ ହୋଇ ବାସ୍ପ ରୁ ଅମୃତ ବାରିଝର ପରି ବର୍ଷା ଟୋପା ହୋଇ ମାଟିରେ ମିଶି ସୁନା ଫଳେଇବାରେ ସାହାଯ୍ୟ କରିବାକୁ. ଯେମିତି ଝିଅକୁ ବିଦା କରିସାରିବା ପରେ ଝିଅ ତା ଶାଶୁଘର ସଜାଡୁଥାଏ ମାଆ ଆଦର୍ଶ ରେ, ମାଆର ସଂସ୍କୃତି,ସଂହତି,ଆଚରଣ ଓ ଉଚ୍ଚାରଣ ରେ. ସେମିତି ସୁମତିଙ୍କ ଝିଅ ଆଶା ମଧ୍ୟ ସଂସାର ନାଆ କୁ ସୁଚାରୁ ରୂପେ ବାହି ନେଲାବେଳେ ଭାବୁଥାଏ ମାଆ ସୁମତି ଯୋଗୁଁ ଆଜି ସେ ସଫଳ ନାରୀ, ଯିଏ ଭୋଗରେ ନୁଁହଁ ବରଂ ତ୍ୟାଗ ରେ ବିଶ୍ୱାସ କରି ସ୍ୱାମୀ ଓ ଗୁରୁଜନମାନଙ୍କ ପାଖେ ପ୍ରିୟପାତ୍ର ହୋଇପାରିଛି ଓ ନିଜ ବଡ଼ ଝିଅକୁ ଠିକ ମାଆ ସୁମତିଙ୍କ ଠାରୁ ଶିଖିଥିବା ସଂଠଣା ପରି ଝିଅକୁ ମଧ୍ୟ ବଢ଼େଇ ଚାଲିଛି.ପ୍ରତିଟି ସୁଖରେ ମାଆ ମନେ ପଡେ ଓ ପ୍ରତିଟି ଦୁଃଖରେ ମଧ୍ୟ ମାଆ ମୁଁହଁ ଦିଶୁଥାଏ. ତାରି ମୁଁହଁ ରୁ ଧର୍ଯ୍ୟ, ସାହାସ, ଶକ୍ତି ଶିଖୁ ଶିଖୁ ମାଆ ସହ ଦେଖାହେଲେ ମାଆ କୁହେ ଝିଅଲୋ ମୁଁ ଯଦି ଆଗ ଚାଲିଯାଏ ତେବେ ବପାଙ୍କୁ ତୋ ପାଖକୁ ନେଇଯିବୁ.
କହିବା କଥା ବେଳେ ବେଳେ ସତ ହୋଇଗଲା ପରି ମାଆ ସୁମତି ପଡି ଗଲା ପରେ ଯଦିଓ ସେମିତି କିଛି ବିରାଟ କଥା ନଥିଲା କିନ୍ତୁ ଶାରୀରିକ କଷ୍ଟ ଅପେକ୍ଷା କେଜାଣି କାହିଁକି ମାଆ ସୁମତିଙ୍କୁ ଦିନକୁ ଦିନ ଦୁର୍ବଳ କରିଦେଲା ମାନସିକ ଯନ୍ତ୍ରଣା. ବାମ ହାତଟିକୁ ଆଗ ପରି ବୁଲେଇ ନପାରି ଶାଢ଼ୀ ପିନ୍ଧିଲା ବେଳେ, ଚୁଟି ବାନ୍ଧିଲା ବେଳେ ତଥା ବାମ ପଟେ ବସି ରକ୍ତ ଶୋଷି ଜୀବାଣୁ ଭୁତାଣୁ ବାହାକ ମଶା ଘଉଡ଼ାଇବାକୁ ଗଲାବେଳେ ସୁମତି ଝୁରୁଥିଲେ ଆଶାକୁ.ପୁଣି ଭାବୁଥିଲେ ତା ସଂସାର ରେ ସେ ଶାଶୁ, ଶଶୁର, ଝିଅ ଓ ପୁଅକୁ ନେଇ ସ୍ୱାମୀ ସହ ଖୁସିରେ ଥାଉ. ଏମିତିରେ ସେ ତ ଝିଅକୁ କହିଦେଇଛନ୍ତି ବାପା ତତେ ଲାଗିଲେ. ହଠାତ ଦିନେ ରାତିରେ ହାର୍ଟ ଷ୍ଟ୍ରୋକ ରେ ସତକୁ ସତ ସୁମତି ଚାଲିଗଲେ. ଝିଅ ଓ ପୁଅ ଦୁହେଁ ମିଶି ସବୁ ଦାଇତ୍ୱ କର୍ତ୍ତବ୍ୟ ନିଭେଇ ସାରି ବାପାଙ୍କୁ ନେବାକୁ ଝିଅ ଆଶା ପ୍ରସ୍ତୁତ ହେଲବେଳେ ପୁଅ କହୁଥିଲା ମାଆ ତୋର ପ୍ରକୃତ ସାଙ୍ଗ ଥିଲା ବୋଲି ତା ଆଦର୍ଶ ରେ ଆଜି ତୁ ଭଲ ବୋହୁ, ଭଲ ସ୍ତ୍ରୀ ବା ଘରଣୀ. ଭଲ ମାଆ ଓ ସର୍ବଗୁଣସମ୍ପର୍ଣ୍ଣା ନାରୀ ମଧ୍ୟ. ଝିଅଟିଏ କିନ୍ତୁ ସଫଳ ନାରୀ ହେବା ରେ ପ୍ରଚ୍ଛନ୍ନ ରେ ତା ମାଆ ର ହାତ ଥାଏ. କାରଣ ମାଆ ତାର ସହଚରୀ ସାଜି ଭଲ ସଂସ୍କାରୀ ମାଆ ଓ ପତ୍ନୀ ଦାଇତ୍ୱ ସହ କର୍ତ୍ତବ୍ୟ ନିଭେଇ ପରିବାକୁ ସକ୍ଷମ ହୋଇ ନିଜ ପରିଚୟ ସୃଷ୍ଟି କରାଇପାରେ ଝିଅର.ସେମିତି ମୁଁ ଜଣେ ସଫଳ ପୁରୁଷ ର ବ୍ୟକ୍ତିତ୍ୱ ପାଇଛି କେବଳ ବାପଙ୍କ ଯୋଗୁଁ. ସେ ମୋର ପରୋକ୍ଷ ସାଙ୍ଗ, ପ୍ରଚ୍ଛର୍ଣ୍ଣ ପ୍ରେରଣା ର ଉତ୍ସ. ସାଙ୍ଗ ସାଥି ତଥା ସହଚର. ମତେ ବାପାଙ୍କୁ ନେବା ପାଇଁ ମନା କରନା ଆଶା. ଭଉଣୀ ଆଖିରେ ମାଆ ର ମୁଁହଁ. ସତେ ଯେମିତି କହୁଥିଲା ହଉ ମାଆ.. ମୋ ଝିଅ ତୁ ତୋ ଶାଶୁ, ଶଶୁର, ସ୍ୱାମୀ ଓ ଦୁଇ ସନ୍ତାନ ଝିଅ ଓ ପୁଅର ସାଙ୍ଗ ହୋଇଛୁ ଯେମିତି ହୋଇକି ରହିଥା ସବୁଦିନ ସେମିତି. ଆଖିରୁ ଲୁହ ପୋଛି ଆଶା ନୀରବ ରହିବା ବେଳେ ବାପା ବେଣୀମାଧବ ମୁଁହଁ ଖୋଲିଥିଲେ. ତୁମ ଦୁହିଁଙ୍କ ମାଆ ମୋ ବାନ୍ଧବୀ ତଥା ସୁଖ ଦୁଃଖର ସାଥି ବୋଲି ଭୁଲିଗଲେ କେମିତି ହେବ! ଯୋଉ ଗାଁ ଘରେ ମୋ ସାଥିର ସ୍ମୃତି ସେଘର ଛାଡ଼ି ବର୍ତ୍ତମାନ ମୁଁ କୁଆଡେ ଯାଉନି. ପୁଅ ଝିଅ କାନ୍ଦି ପକେଇଥିଲେ ବାପାଙ୍କ କଥା ଶୁଣି.
