ଶିଶୁ ମନ ବୃନ୍ଦାବନ
ଶିଶୁ ମନ ବୃନ୍ଦାବନ
5 mins
0
ସେଦିନ ଗଳ୍ପ କହୁ କହୁ ନାତି ନାତୁଣୀ ଙ୍କୁ ପୂଜା ଘରକୁ ବାହାରି ପୂଜା କରିବାକୁ ଚାଲିଗଲେ ଅରକ୍ଷିତ ଜେଜେ।ରବିବାରଟିରେ ଗଳ୍ପ ଶୁଣାଉ ଶୁଣାଉ ଆଜି ଏତେ ଡେରି ହୋଇଗଲାଣି। ତରବର ହୋଇ ନିତ୍ୟ କର୍ମ ବଢ଼େଇ ଅରକ୍ଷିତ ଜେଜେ ଠାକୁର ଘରେ ପୂଜା ସାରି ଦେଖନ୍ତି ତ ଲଡ଼ୁ ଗୋପାଳ ଙ୍କ ହାତରେ ଥିବା ସୁନା ବଇଁଶୀଟି ନାହିଁ। ସେ ଭାବିଲେ ଛଡା ଫୁଲ ସହ ବଇଁଶୀଟି ନିଶ୍ଚୟ କୋଉଠି ପଡିଯାଇଛି। ଯେତେ ଖୋଜିଲେ ମଧ୍ୟ ତାହା ମିଳିନଥିଲା। ସତେ ଯେମିତି ପ୍ରଭୁଙ୍କ ମାୟାରେ କୋଉଠି ଅଦୃଶ୍ୟ ହୋଇ ଯାଇଥିଲା ବଇଁଶୀଟି। ଆଖିରୁ ଧାର ଧାର ଅଶ୍ରୁ ନିଗିଡି ପଡିଲା ଅରକ୍ଷିତ ଜେଜେଙ୍କର। ଏବେ ସୁନାର ମୂଲ୍ୟ ଯାହା ଥିଲା ଆଉ ଗୋଟେ ବଇଁଶୀ କରିବା ସମ୍ଭବ ନଥିଲା ଅରକ୍ଷିତ ଜେଜେଙ୍କ ପକ୍ଷେ। ଜେଜି ବୁଢ଼ୀ ର ମଧ୍ୟ ସ୍ବର୍ଗବାସ ହେଲାଣି। କାହାକୁ କହିବ? ପୁଅ ଦୁହେଁ ସଫା ସଫା କହିବେ ଯେ ତୁମର ସବୁ ଭୁଲ ବାପା। ତୁମେ ଲଡ଼ୁ ଗୋପାଳଙ୍କ ହାତରେ ଲଡ଼ୁ ଦେଇ ସେତିକିରେ ସନ୍ତୁଷ୍ଟ ନରହି ସୁନା ବଇଁଶୀ ତିଆରି କରିବା ଉଚିତ ନଥିଲା।ସ୍ତ୍ରୀ ମରିଯିବା ପରେ ତାଙ୍କ ଗହଣା ସବୁ ତିନିଭାଗ ହୋଇ ବଣ୍ଟା ଯାଇଥିଲା। ଅରକ୍ଷିତ ଜେଜେ ଦୁଇ ପୁଅକୁ ଦୁଇଭାଗ ଦେଇ ନିଜ ଭାଗ ସୁନା ରେ ଏହି ବଇଁଶୀଟିକୁ ଗଢ଼ାଇ ଲଡ଼ୁ ଗୋପାଳ ଙ୍କ ପାଇଁ ସୁନା ବଇଁଶୀ କରିବା ନିଶ୍ଚୟ ଉଚିତ ହୋଇନାହିଁ ଭାବି ସେ କଇଁ କଇଁ ହୋଇ କାନ୍ଦୁଥାଆନ୍ତି। ଏହି ସମୟରେ ସାନ ନାତି ବୁଲୁ ଆସି ସବୁ ଶୁଣି ଜେଜେଙ୍କୁ ତୁନି ହେବାକୁ କହି ସେ ଖୋଜିଦେବ ଲଡ଼ୁଗୋପାଳ ଙ୍କ ବଇଁଶୀ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ଜେଜେ ଲଡ଼ୁ ଗୋପାଳ ଗଳ୍ପ ର ଶିଶୁ ରଘୁ କଥା ମନେପକାଇ ତୁନି ପଡିଲେ।
ଜେଜେ ଖାଇ ପିଇ ଶୋଇପଡ଼ିଲା ପରେ ବୁଲୁ ଯାଇ ଠାକୁରଙ୍କୁ ସବୁକଥା ଜଣେଇ ତାଙ୍କୁ ଅନୁରୋଧ କରିଥିଲା ଯେ ନିଜ ଜିନିଷ ନିଜେ ଖୋଜିଦେବାରେ ସହାୟ ହୁଅ ପ୍ରଭୁ। ଏହି ପ୍ରଭୁ ଏବେ ନିଷ୍ଠୁର ହୋଇଯାଇଥିଲେ ଯେମିତି।
ସେଦିନ ରାତିରେ ବୁଲୁ ସ୍ବପ୍ନ ଦେଖିଥିଲା। ଠାକୁର ତାକୁ ସ୍ୱପ୍ନରେ କାଠର ବଇଁଶୀ ଦେବାକୁ କହୁଥିବାର ଶୁଣି ଜେଜେଙ୍କୁ କହିଥିଲା ଶିଶୁ ବୁଲୁ।ଅରକ୍ଷିତ ଜେଜେ ସଙ୍ଗେ ସଙ୍ଗେ ଟାଙ୍ଗିଆ ପଜେଇ ବାରି ଆଡକୁ ଯାଇ ଜେଜେମାଆ ଲଗାଇଥିବା ଲିମ୍ବ ଗଛଟିକୁ କାଟି ତା ଡ଼ାଳ ରେ ବଇଁଶୀଟିଏ ଓ ବାକି କାଠରେ ଠାକୁରଙ୍କ ପାଇଁ ସିନ୍ଦୁକଟିଏ କରିବାକୁ ଭାବି ଯେମିତି ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତି ଦୌଡ଼ି ଆସିଲା ବୁଲୁ। ଗଛ କାଟିବାକୁ ମନା କରି ଗଛର ଉପକାରିତା ବିଷୟ ରେ କହିବା ସହ ଲିମ୍ବ ଗଛ କେମିତି ତୁଳସୀ ଗଛ ପରି ଅଧିକ ଅମ୍ଳଜାନ ଦେଉଛି ଓ ମଣିଷକୁ ନିରୋଗ ଓ ସୁସ୍ଥ ତଥା ଜୀବନ ଦାନ କରୁଛି ସେକଥା ସବୁ କହିଥିଲା।ଜେଜେ କହିଲେ ଯେ କୌଣସି ବୃକ୍ଷ ହାଣିବା ମଧ୍ୟ ଉଚିତ ନୁଁହଁ. ମୂର୍ତ୍ତିକା ସରଂକ୍ଷଣ ତଥା ଜଙ୍ଗଲ ରକ୍ଷଣ ସହିତ ପାଣି,ପବନ ଓ ଛାଇ ସହିତ ବିଶ୍ୱାସୀ ଗଛ ମଣିଷ ସମାଜକୁ ନିଶ୍ୱାସ ଯୋଗେଇ ଚାଲିଛି। ଗଛ ନକାଟି ପାରି ଗଭୀର ମାନସ୍ତାପ ରେ ଜେଜେଙ୍କ ନିଦ ସକାଳୁ ଡେରିରେ ଭାଙ୍ଗିଲା ବୁଲୁ ଡାକରେ।ବୁଲୁ କହୁଥିଲା ଦେଖ ଜେଜେ ଏଇ ତୁମ ଲଡ଼ୁ ଗୋପାଳ ମତେ ତାଙ୍କ ସୁନା ବଇଁଶୀଟିକୁ ଫେରାଇ ଦେଇଛନ୍ତି. ଜେଜେ ଆଖି ମଳି ମଳି ଉଠୁ ଉଠୁ ବୁଲୁକୁ କୁଣ୍ଢେଇ ପକେଇ କହୁଥିଲେ ପ୍ରକୃତରେ ଶିଶୁଙ୍କୁ ପ୍ରଭୁ ଦେଖାଦେବା ସହ ଶିଶୁଙ୍କ ଡାକ ଶୁଣନ୍ତି।
ସେଦିନ ଅରକ୍ଷିତ ଜେଜେ କହିଚାଲିଥିଲେ ଲଡ଼ୁ ଗୋପାଳ ଙ୍କ ନାମକରଣ ସହିତ ଗୋଟିଏ ଶିଶୁର ଭକ୍ତି ଭାବ ପୂର୍ଣ୍ଣ କଥାଟିଏ.ବ୍ରଜଭୂମି ବୃନ୍ଦାବନରେ ଶ୍ରୀକୁମ୍ଭନ ଦାସ ବୋଲି ଜଣେ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ରହୁଥିଲେ। ତାଙ୍କ ପୁତ୍ର ଥିଲେ, ରଘୁନନ୍ଦନ। କୁମ୍ଭନଦାସଙ୍କ ଉପାସ୍ୟ ଥିଲେ ଭଗବାନ୍ ଶ୍ରୀକୃଷ୍ଣ। ସେ ଘରେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କର ଏକ ପ୍ରତିମା ରଖି ପୂଜା ଆରାଧନା କରୁ ଥିଲେ ଓ ସର୍ବଦା କୃଷ୍ଣ ଭକ୍ତିରେ ତଲ୍କୀନ ରହୁ ଥିଲେ । ପ୍ରଭୁଙ୍କ ସେବାରେ ଯେପରି କୌଣସି ବାଧା ନ ଉପୁଜେ, ସେଥି ପାଇଁ ସେ ଘର ଛାଡ଼ି କୁଆଡ଼େ ଯାଉ ନ ଥିଲେ। ପ୍ରତ୍ୟହ ସେ ପ୍ରଭୁଙ୍କୁ ପ୍ରଭାତରୁ ସ୍ନାନ କରି ଦିଅନ୍ତି । ପୋଛି ପାଛି ସୁନ୍ଦର ଚନ୍ଦନ ବେଶ କରି, ପିତାମ୍ବରୀ ପାଟ ପିନ୍ଧାଇ ଦିଅନ୍ତି ଏବଂ ନାନାଜାତି ପୁଷ୍ପରେ ସଜାଇ ଦେଇ, ଧୂପ, ଦୀପ, ନୈବେଦ୍ୟରେ ପୂଜା କରନ୍ତି। ଏହା ଥିଲା ତାଙ୍କ ନିତ୍ୟ ନୈମିତ୍ତିକ ବିଧି। ଦିନେ ଭାଗବତପାରାୟଣ ପାଇଁ ଭକ୍ତ କୁମ୍ଭନଙ୍କ ନିକଟକୁ ନିମନ୍ତ୍ରଣ ଆସିଲା । ପ୍ରଭୁଙ୍କ ସେବାରେ ବିଘ୍ନଘଟିବ ବୋଲି ସେ ଯିବାପାଇଁ ପ୍ରଥମେ ମନା କରି ଦେଲେ। କିନ୍ତୁ ଭକ୍ତମାନେ ତାଙ୍କୁ ଅନୁରୋଧ କରିବାରୁ ସେ ଶେଷକୁ ଯିବାକୁ ସମ୍ମତ ହେଲେ । ସେ ଭାବିଲେ, ମୁଁ ସକାଳୁ ସକାଳୁ ପ୍ରଭୁଙ୍କ ସେବା ଶେଷ କରି ସେଠାକୁ ଯିବି ଓ କଥା ସାରି ଫେରି ଆସିବି ଫଳରେ ସେବାରେ ଆଉ କୌଣସି ତ୍ରୁଟି ରହିବ ନାହିଁ।
ଯିବାଦିନ ସେ ସକାଳୁ ଠାକୁରଙ୍କ ସ୍ନାନାଦି ସେବା ସାରି ପୁଅ ରଘୁନନ୍ଦନକୁ କହିଗଲେ, "ଠାକୁରଙ୍କ ଭୋଗ ମୁଁ ପ୍ରସ୍ତୁତକରି ରଖି ଦେଇଛି । ଠାକୁରଙ୍କୁ ଠିକ୍ ସମୟରେ ଭୋଗ ଲଗାଇ ଦେବୁ।" ଏପରି କହି ସେ ପାରାୟଣ କରିବାକୁ ଚାଲିଗଲେ।ପୁଅ ରଘୁନନ୍ଦନ ଯଥା ସମୟରେ ଭୋଗ ଥାଳିକୁ ଠାକୁରଙ୍କ ଆଗରେ ରଖି କହିଲା,'ହେ ଠାକୁରେ ! ଆସନ୍ତୁ, ଭୋଗ ଖାଆନ୍ତୁ।' ଛୋଟ ପିଲା, ମନରେ ତାର ଧାରଣାଥିଲା ଯେ, ଠାକୁର ନିଶ୍ଚୟ ଆସିବେ ଏବଂ ନିଜ ହାତରେ ଭୋଜନକରିବେ। ବାରମ୍ବାର ସେ ଅନୁରୋଧ କରିଚାଲିଥାଏ କିନ୍ତୁ ଠାକୁର ଆସୁ ନଥାନ୍ତି। ଠାକୁରଙ୍କ ନଆସିବା ଦେଖି ରଘୁ ଉଦାସ ହୋଇ ପଡ଼ିଲା ଏବଂ ଆକୁଳ ସ୍ୱରରେ କାନ୍ଦି କାନ୍ଦି ଡାକିଲା, ଠାକୁରେ ଆପଣ କାହିଁକି ଆସୁ ନାହାଁନ୍ତି।ଆସନ୍ତୁ, ଭୋଗ ଖାଆନ୍ତୁ। ରଘୁନନ୍ଦନ ଶିଶୁ ମନର ନିଶ୍ଚଳ ଭାବ ଦେଖି, ଠାକୁର ଆଉ ରହି ପାରିଲେ ନାହିଁ। ସେ ତତକ୍ଷଣାତ ଏକ ବାଳକ ରୂପ ଧାରଣ କରି ଆସି ଭୋଗ ଖାଇବାକୁ ଲାଗିଲେ । ବାଳକ ରଘୁର ଆଉ ଆନନ୍ଦର ସୀମା ରହିଲା ନାହିଁ।
ସନ୍ଧ୍ୟାରେ କୁମ୍ଭନଦାସ ଫେରି ଆସି ପଚାରିଲେ, ଆରେ ଠାକୁରଙ୍କୁ ଭୋଗ ଲଗାଇ ଥିଲୁ ତ? ରଘୁ କହିଲା, ହଁ ବାପା ମୁଁ ଠାକୁରଙ୍କୁ ଠିକ୍ ସମୟରେ ଭୋଗ ଲଗାଇ ଦେଇଛି । କୁମ୍ଭନ ଦାସ କହିଲେ, ବେଶ ଭଲ କଥା । କାହିଁ ପ୍ରସାଦ ଟିକିଏ ଆଣିଲୁ ମୁଁ ପାଇବି । ପୁଅ କହିଲା, ଆଉ ପ୍ରସାଦ କୁଆଡୁ ଆସିବ, ଠାକୁର ପା ସବୁ ଭୋଗ ଖାଇ ଦେଲେ ।
କୁମ୍ଭନ ଦାସ ଭାବିଲେ ବୋଧହୁଏ ପୁଅକୁ ଭୋକ ଲାଗିଛି ସେ ସବୁ ଭୋଗ ଖାଇ ଦେଇଛି।
ଏପରି କିଛି ଦିନ ଚାଲିଲା। କଣ ହେଉଛି ବୋଲି କୁମ୍ଭନଦାସ ସନ୍ଦେହ କରନ୍ତି। ଇଆଡ଼େ ଭାଗବତ ସପ୍ତାହ ସରିଗଲା। କୁମ୍ଭନ ଦାସ ପରୀକ୍ଷା କରିବା ପାଇଁ ସେଦିନ ଲଡ଼ୁ ପ୍ରସ୍ତୁତ କରି, ଭୋଗ ଲଗାଇ ଦେବାକୁ ପୁଅ ରଘୁକୁ କହିଲେ ଏବଂ ନିଜେ ଲୁଚି ବସିଲେ । ରଘୁ ଯଥା ସମୟରେ ଭୋଗ ଲଗାଇ ଠାକୁରଙ୍କୁ ଡାକିଲା, ଠାକୁରେ ! ଆସ ଖାଇବ । ତା' ଡାକରେ ସଙ୍ଗେସଙ୍ଗେ ଠାକୁର ବାଳକରୂପ ଧରି ଆସି ଲଡ଼ୁ ଖାଇବାକୁ ଲାଗିଲେ।
ଏହା ଦେଖି କୁମ୍ଭନ ଦାସଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଦୌଡ଼ି ଆସି ଠାକୁରଙ୍କ ପାଦ ତଳେ ପଡ଼ି ପ୍ରାର୍ଥନା କରିବାକୁ ଲାଗିଲେ। ଚକ୍ଷୁରୁ ତାଙ୍କର ବୋହି ପଡୁଥାଏ ଭକ୍ତି ଏବଂ କୋହଭରା ଆନନ୍ଦାଶ୍ରୁ। ପୁଅକୁ କୁମ୍ଭନ କୁଣ୍ଢାଇ ଧରି କହିଲେ, ତୁ ଧନ୍ୟରେ। ଯାହାଙ୍କୁ ମୁଁ ଏତେ ଦିନ ପୂଜା କରି ପାଇ ନଥିଲି ତୁ ସ୍ଵ ହସ୍ତରେ ତାଙ୍କୁ ଭୋଗ ଖୁଆଇ ଦେଲୁ ! ତୋ ଜୀବନ ଧନ୍ୟ !
କୁମ୍ଭନଦାସ ଠାକୁରଙ୍କୁ ପ୍ରାର୍ଥନା କଲା ସମୟରେ ଠାକୁର ଗୋଟିଏ ହାତରେ ଏକ ଲଡୁ ଧରିଥିଲେ। ସେ ଅନ୍ୟ ହାତରେ ସେ ଏକ ଲଡ଼ୁ ଧରି ପାଟିରେ ପୁରାଇ ଥିଲେ । ସେହି ରୂପରେ ସେ ସ୍ଥିର ହୋଇ ଗଲେ । ସେହିଦିନ ଠାରୁ ଠାକୁର ସେହି ରୂପରେ ପୂଜା ହେଲେ ଏବଂ ଲୋକଙ୍କ ପାଖରେ ପରିଚିତ ହେଲେ "ଲଡ଼ୁ ଗୋପାଳ" ନାମରେ । ଶ୍ରୀକୃଷ୍ଣଙ୍କ ଅନେକ ନାମ ମଧ୍ୟରେ ଯୋଡ଼ି ହୋଇଗଲା ଅନ୍ୟ ଏକ ନାମ "ଲଡ଼ୁ ଗୋପାଳ"।
,,,,,,,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327
