Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kailash Chandra Sahani

Romance

3  

Kailash Chandra Sahani

Romance

ନାଲି ଗଞ୍ଜା ଓ ପହିଲି ପ୍ରେମ

ନାଲି ଗଞ୍ଜା ଓ ପହିଲି ପ୍ରେମ

8 mins
312



କୋଇଲା ଧୂଆଁର ଆସ୍ତରଣ ଭିତରେ ଗୋଟେ ମହିମା ଦୀପ୍ତ ଆକାଶ କେବେ କେବେ ନିଷ୍ପ୍ରଭ ଲାଗୁଥିଲା ।

କେବେ ଜୀବନ ବି କୁହୁଳୁଥିଲା କୋଇଲା ଆଞ୍ଚରେ ନିଆଁ ସଂଯୋଗ କଲା ପରି । ବିଶ୍ବମୋହନ ଓରଫ୍ ବିଶୁ ଆଞ୍ଚ ଧରାଇବାରେ ଥିଲା ମାହିର୍ । ପ୍ରଥମେ ଗୋଟେ କାଗଜକୁ ଚାରିଭାଙ୍ଗ କରି ତା ଉପରେ ଚୂଲିର ପାଉଁଶ ସଯତ୍ନରେ ରଖୁଥିଲା ତା ଉପରେ ଟିକେ କିରୋସିନିର ଆଦ୍ରତା । ଆଉ ଏକଫୁଟ ଗଭୀରତା ବିଶିଷ୍ଟ ତଥା ଏକଫୁଟ ଚଉଡା ଗୋଲେଇ ଚୂଲା ଭିତରେ ତାକୁଥୋଇ ନିଆଁ ଲଗାଉଥିଲା ,ପୂର୍ବ ପ୍ରସ୍ତୁତ ଛୋଟ ଛୋଟ କାଠର ଟୁକୁଡାକୁ ହୋମାନଳରେ ସଜାଇଲା ପରି ସଜାଇ ଆବଶ୍ୟକ ସାମାନ୍ୟ ଲମ୍ବା କାଠ ଖଞ୍ଜୁଥିଲା । ତାପରେ ଯେତେ ବେଳେ କାଠଗୁଡିକ ହୁତ୍ ହୁତ୍ ଜଳିବାକୁ ଉପକ୍ରମ କରୁଥିଲେ ସେତେ ବେଳେ ବିଶୁ ତା ଉପରେ ବିଖଣ୍ଡିତ ଛୋଟ କୋଇଲା ଢାଳି ଦେଉଥିଲା । ଆଉ ଆକାଶା ମନେ ହେଉଥିଲା ଅଦିନ ମେଘର ସମ୍ଭାର !


         ବିଶୁ ଜୀବନର ଏ ନିତି ଦିନିଆ କାହାଣୀ ତା'ର ଦୈନନ୍ଦିନ ଜୀବନର ପରିଚର୍ଯ୍ୟା କହିଲେ ଅତ୍ୟୁକ୍ତି ହେବନି । ସହର ତଳି ଅଞ୍ଚଳର କେଉଁ ବସ୍ତିରେ ତାଙ୍କ ଘର । ଗୋଟେ ମାଟି କାନ୍ଥର ପୁରୁଷେ ଉଚ୍ଚତାରେ

କିଛି ଟିଣ କିଛି ଆଜବେଷ୍ଟର ମିଳିତ ଛପର । ଘରର ପଛପଟକୁ ଓହଳି ଆସିଥିବା ଅନୁଚ୍ଚ ଚାଳିଆ ଉପରେ ବହୁ ଦିନର ମାଟି ଟାଇଲ । ଘରଟି ଦୁଇ ବଖରା ବିଶିଷ୍ଟ । ତା'ରି ଭିତରେ ପ୍ରଥମଟି ଦୋକାନ ଘର,ଆରଟି ଶୋଇବା ଘର । ଦୁଇ ଘର ମଝିରେ କିଛି ପରିତ୍ୟକ୍ତ ଟିଣ ଚଦରର ମିଳିତ ପ୍ରାଚୀର ।


          ବିଶୁ ସବୁଦିନ ପରି ଗୋଟେ ଖାଲି ମୋବିଲ ଡବାରେ ପାଣି ନେଇ ଚାଲି ଯାଏ ପାଖ ରେଳ ଲାଇନ୍ ଉପରକୁ ସକାଳୁ ସକାଳୁ ସମସ୍ତଙ୍କ ପରି । ସେଠାରେ ନିଜ କାର୍ଯ୍ୟ ସାରି ଫେରିଲା ବେଳକୁ ରେଳ ଲାଇନ ଉପରେ କାଁ ଭାଁ ପଡିଥିବା କୋଇଲା ଗୋଟାଇ ଆଣି ଗଦା କରିଦିଏ ଚୂଲି ପାଖରେ ଅନତି ଦୂରରେ ଥିବା ପାଣି କଳରେ ହାତ ମୁହଁ ଧୁଏ ,ଦାନ୍ତ ଘଷି ଜିଭ ଛେଲାଏ । ବାଲ୍ଟିଏ ପାଣି ନେଇ ଫେରେ ଘରକୁ । ସେତବେଳକୁ କୋଇଲାର କୁହୁଳା ଧୂଆଁ କୁଆଡେ ହଜିଯାଇ ଶରତ ଆକାଶ ପରି ସବୁ ନିର୍ମଳ ଦିଶୁଥାଏ । ମାଳ ମାଳ ଲୋକଙ୍କର ଭିଡ ଜମୁଥାଏ । ସେଇ ଭିଡକୁ ଅତିକ୍ରମ କରି ବିଶୁ ଶୋଇବା ଘରକୁ ଚାଲି ଯାଏ । ବାପା ହାତରେ ଧରାଇ ଦିଅନ୍ତି ଦି ଚାରିଟା ଗୁଲୁଗୁଲା ସହ କିଛି ଘୁଗୁନି ମିଶ୍ରିତ ପାତ୍ର । ମହା ଆନନ୍ଦରେ ସେତକ ଉଦରସ୍ଥ କଲା ପରେ ଦେକାନ ଭିତରକୁ ଚାଲିଆସେ । ଗୋଟେ ମହାଜନ ପରି ଲେଖିବସେ ବାକିଖାତାରେ ଗରାଖଙ୍କ ନାମ ଏ ସେମାନେ ଖାଇଥିବା ଜଳଖିଆର ମୋଟ ମୂଲ୍ୟ । ସେ ମନେ ମନେ ବେଶ୍ ଖୁସୀ ହୁଏ ଏ କାମରେ । ମାତ୍ର କେହି ଗରାଖ ଯେତେବେଳେ ସାଦା ଚା ମାଗନ୍ତି ସେ ଚିଡିଉଠେ । ପହିଲେ ପହିଲେ ସେ ବୁଝୁପାରୁ ନଥିଲା ଏ ସାଙ୍କେତିକ ଶବ୍ଦକୁ । ଏବେ ସେ ଢେର୍ ବୁଝିଲାଣି । ଘର ପଛପଟେ ଥିଲା ସେଇ ଟାଇଲ ଛପର ଚାଳିଆ ତଳେ ଗୋଟେ ଛୋଟ ଗୋଦାମ । ଗୋଟେ ପଟା ଭଙ୍ଗା ସାଇକେଲ,ଗୋଟେ କୋଣରେ କିଛି କୋଇଲାର ସ୍ତୁପ । ଆଉଗୋଟେ କୋଣରେ ଘରର ପରିତ୍ୟକ୍ତ ଆସବାବ ପତ୍ର । ଠିକ୍ ତାରି ପାଖରେ କିଟିମିଟି ଅନ୍ଧାର କୋଣରେ ଗୋଟେ ଅଣ୍ଡରଗ୍ରାଉଣ୍ଡ ଦୁଇଫୁଟ ଓସାର ଦୁଇଫୁଟ ଗଭୀରର ଗର୍ତ୍ତ ଟିଏ । ଉପର ପଲସ୍ତରା ହୋଇ ନିବୁଜ କରାଯାଇଛି । ଫୁଟେ ଚଉଡା ଓ ଲମ୍ବ ଆକୃତିର ଗର୍ତ୍ତ ମୁହଁରେ ପଟା ଟିଏ । ବିଶୁ ପଟା କାଢି ଭିତରୁ ଗୋଟେ ପାଞ୍ଚ ଲିଟରିଆ ଗୋଲେଇ ଜାର୍ ନେଇଆସିଲା । ଟର୍ଚ୍ଚ ଆଲୁଅରେ ଗୋଟେ ଖାଲି ବିଅର ବୋତଲରେ କାହାଳି ଦେଇ ତାକୁ ଢାଳିଲା । ପହିଲେ ତ ସେ କେତେ ଥର ବାନ୍ତି କରିଦେଇଛି ସେ ମହୁଲି ମଦର ଗନ୍ଧରେ । ଏବେ ଦେହ ସୁହା ହୋଇ ଗଲାଣି ।


         ସକାଳ ସାତଟା ପରେ ଗରାଖ ମାନେ ନିକଟସ୍ଥ କାରଖାନାକୁ କାମପାଇଁ ଚାଲିଗଲା ପରେ ଟିକେ ଫାଙ୍କା ହୁଏ ଦୋକାନ । ବିଶୁ କୋଇଲା ଆଞ୍ଚ ଉପରେ ଭାତ ହାଣ୍ଡିଟା ବସାଇ ଦେଇ ପଢି ବସେ । ବାପା ଅନ୍ୟ କେଉଁ କାମରେ ବାହାରି ଯାଆନ୍ତି ।

"କହିଲେ କିଶା ଗୌତମୀ ପ୍ରଭୁ ଭ୍ରମିଲି ଲକ୍ଷେ ଘର

ମୁଠାଏ ତ ନୁହେଁ ସର୍ଷପ ଏକ ନୁହଁଇ ସମ୍ଭବ ପର । "

ଏ ପଦଟି କାହିଁକି କେଜାଣି ବିଶୁ କୁ ଗୋଟେ ଅତି ମାନସ ଚେତନାକୁ ନେଇ ଯାଉଥିଲା । ତା ମନ ଗହ୍ବରରେ ଅତିନ୍ଦ୍ରିୟ ଚେତନା ଜାଗରିତ କରୁଥିଲା । ବିଶ୍ବମୋହନଙ୍କ ସୃଷ୍ଟିକୁ ଏତେ ସହଜରେ କଣ ବୁଝିପାରିଥାନ୍ତା ବିଶୁ !


     ହଠାତ୍ ଦିନେ ବଦଳି ଗଲା ଦୋକାନର ମାନଚ୍ଚିତ୍ର । ବାପା ସବୁଦିନ ପାଇଁ ଦେକାନ ବନ୍ଦ କରିଦେଲେ । ବଦଳରେ ସେ ଦେଖିଲା ଗୋଟେ ବସ୍ତାରେ କିଛି ପରିବା ଆଣି ପାଖ ଫ୍ୟାକଟ୍ରି କେଣ୍ଟିନରେ ରେ ଦେଉଛନ୍ତି । କିଛି ବଛାବଛି ପୋକା ବାଇଗଣ ପାଚିଲା କଲରା ଘରର ରୋଷେଇ ପାଇଁ ରଖି ଦେଉଛନ୍ତି । ଦେଶୀ ମଦ ବିକାବା ଅପରାଧରେ ଯେଉଁ ଦିନ ପୋଲିସ ବାପାଙ୍କ ହାତରେ ହାତକଡି ପକାଇଲେ ସେଦିନ ଭୋ ଭୋ ହୋଇ କାନ୍ଦିଥିଲା ସେ । କିଛି ଟଙ୍କା ଦେଇ ବାପା ମୁକ୍ତି ପାଇଥିଲେବି ଗୋଟେ କଳଙ୍କର ଦାଗ ତାଙ୍କ ଚନ୍ଦ୍ର ଉଦିଆ ମୁହଁକୁ ବିବର୍ଣ୍ଣ କରିଦେଇଥିଲା । ଦୁଇ ଦିନ ପାଇଁ ଗାଁ କୁ ଯାଇ ବୋଉ କୁ ସାଙ୍ଗରେ ନେଇ ଫେରିଥିଲେ ବାପା । ବିଶୁ ଜୀବନର ମୋଡ ବଦଳୁଥିଲା କ୍ରମଶଃ ।


       ବୋଉ ଆସିଲା ପରେ କେମିତି ପ୍ରଫୁଲ୍ଲ ଦେଖାଯାଉ ଥିଲା ବିଶୁ । ତାକୁ ଆଉ ରୋସେଇ କରିବାକୁ ପଡୁନଥିଲା । ଏବେ ପାଠ ପଢିବାକୁ ପ୍ରଚୁର ସମୟ ପାଉଥିଲା ସେ । ରାତି ତିନିଟାରେ ପଢିବାର ଅଭ୍ୟାସ ପହିଲେ ପହିଲେ କଷ୍ଟ ଲାଗୁଥିଲା ମାତ୍ର ପରେ ଯେମିତି ଦେହସୁହା ହୋଇ ଯାଇଥିଲା ବିଶୁର ।


         ସ୍କୁଲ ସହପାଠୀଙ୍କ ଭିତରେ ସେ ଅନେକ ସାଙ୍ଗ ପାଇଥିଲେ ବି ସେମାନେ ଯେମିତି ତାକୁ ଭିନ୍ନ ଏକ ରାସ୍ତାରେ ନେଇ ଯିବାକୁ ବସୁଥିଲେ । ସାରୁ ପତ୍ରର ଜଳ ପରି ତା ଆତ୍ମା କିନ୍ତୁ ନିମଜ୍ଜୀତ ହେଉ ନଥିଲା କୁ ଅଭ୍ୟାସରେ । ଶାରିରୀକ ଗଠନର ଅଦ୍ଭୁତ ପରିବର୍ତ୍ତନ ଦେଖୁଥିଲା ନିଜ ଭିତରେ । ଧୀରେ ଧୀରେ ନାଙ୍କ ତଳେ ନିଶ ଗଜୁରିବାର ପହିଲି ପୁଲକ ଓ ଦେହରେ ଅତନୁର ରୋମାଞ୍ଚ ସେ ଅନୁଭବ କରୁଥିଲା । କ୍ଲାସ ରୁମରେ ସହପାଠିନୀ ମାନଙ୍କ ଭୂରୁନଚା ଇଙ୍ଗିତ ଓ କଥା ଛଳରେ ମାଇଚିଆ ଶବ୍ଦକୁ ସେ ଗ୍ରହଣ କରିପାରୁନଥିଲା ।


          ହଠାତ୍ ଦିନେ ଆବିଷ୍କାର କଲା ତା ଘରର ଅନତି ଦୂରରେ ଏକ ଅସମାନ୍ୟା ଦିବ୍ୟ ସୁନ୍ଦରୀ କିଶୋରୀ । ଅନୁସନ୍ଧାନରୁ ଜାଣିଲା ସେମାନେ ସୁଦୂର ବିହାରରୁ ବଦଳି ହୋଇ ଆସିଛନ୍ତି ଏ ସହରକୁ । ବାପା ତା'ର ଲୋକଇଞ୍ଜିନ୍ ଡ୍ରାଇଭର । ରେଳ ବିଭାଗରେ ଚାକିରୀ । ପାଖ ନଳ କୁ ପାଣିପାଇଁ ଆସିଥିଲା ବେଳେ ବିଶୁ ବି ବାଲଟି ଦୁଇଟି ଦୁଇ ହାତରେ ଧରି ପହଞ୍ଚି ଯାଇଥିଲା । ଚାରି ଚକ୍ଷୁର ମିଳନ ହେଲା ପରେ ବିଶୁ ଯେମିତି ଲାଜରେ ତରଳି ଯାଉଥିଲା । ଝିଅଟି ନିରବତା ଭଙ୍ଗ କରି ପ୍ରଶ୍ନ କଲା " ତମ ଘର କ'ଣ ଏଇଠି ? "

"ହଁ ,ସେଇ ଟିଣ ଘରଟା । "

"ତମ ଘରେ ଆଉ କିଏ ଅଛନ୍ତି ?" କହିଲା ଝିଅଟି ।

"ମୋ ବାପା ବୋଉ ଆଉ ମୁଁ । "

"ତୁମ ବୋଉ ମାନେ ମାଆ ତ ?"

"ହଁ,ଆମେ ବୋଉ କୁ ମାଆ କହୁ । ସେ ଗାଁ ରେ ଥାଏ । ଏବେ ଆସିଛି ନୂଆ ନୂଆ । ସେଇଥି ପାଇଁ ମୁଁ ପାଣି ନଉଛି । "

" ମାଉସୀ ବହୁତ ଭଲ ହେଇଥିବେ ନା ?"

ବିଶୁ ମନେ ହେଉଥିଲା ସେ ଟିକେ କହନ୍ତାନି

'ତୁମେ ବି ବହୁତ ଭଲ !'

ବିଶୁର ଅନ୍ୟମନସ୍କତାକୁ ଲକ୍ଷକରି ଝିଅଟି କହିଲା "ତୁମ ନାଁ କ'ଣ ?"

"ମୋ ନାଁ ବିଶୁ । ବିଶ୍ବମୋହନ । ଆଉ ତୁମ ନାଁ ?"

" ମୋ ନାଁ ରାଜେଶ୍ବରୀ ,ଘରେ ଡାକନ୍ତି ରାଜୁ । "

" ବାଃ , ବଢିଆ ନାଁ ଟେ ହୋଇଛି ....."

କଥା ନ ସରୁଣୁ ଝିଅଟି କହିଲା" ତୁମ ବି କେଉଁ ମନ୍ଦ କି !"

ଉଭୟଙ୍କ ପ୍ରାଣ ଖୋଲା ହସରେ ଉଛୁଳି ଉଛୁଥିଲା ଗରା ଓ ବାଲଟିର ପାଣି ।


             ଆଜି ଯେମିତି ଗୋଟେ ନୂଆ ଗ୍ରହରେ ପାଦ ଥାପିଚି ବିଶୁ । ତା ମନ ରାଇଜରେ ଅସୁମାରି ଫୁଲ ଆଉ ଫୁଲ । ସେ ପ୍ରଜାପତିପରି ଛୁଇଁଯାଉଛି ପ୍ରତିଟି ପାଖୁଡା । ସମ୍ପର୍କର ମୂଳଦୁଆ ଉପରେ ଧୀରେ ଧୀରେ ଇମାରତ ମୁଣ୍ଡ ଟେକିବା ଆରମ୍ଭ କରିଦେଲାଣି । ଏହା ଭିତରେ ଆକାଶର ନେଳି ରଙ୍ଗ ସହ ମାଟିର ଧୂସରତା ଏକାକାର ହେବାର ସ୍ବପ୍ନରେ ଚୁର୍ ହେଲେଣି । ପକ୍ଷୀମାନେ ପ୍ରୀତିର ଗଜଲ ଗାଇଲେଣି । ନଦୀମାନେ ଉଚ୍ଚାଟ ହେଲେଣି । ଚାରିଆଡେ ପ୍ରେମ ଫଗୁଣର ଋତୁ ଚହଟି ଗଲାଣି ।


         ଦିନେ ସାହାସ କରି ବିଶୁ ପଚାରିଦେଲା ମନ କଥା । "ତୁମେ ମୋତେ ବହୁତ ଭଲ ଲାଗ ରାଜୁ । ତୁମେ ଆସିବା ଦିନୁ ମୋ ଜୀବନ କେମିତି ଗୋଟେ ଆନନ୍ଦରେ ବିଗଳିତ ହୋଇ ଯାଉଛି । "ସତେ ! ଆଖି ନଚାଇ ଇଙ୍ଗିତ ଭଙ୍ଗୀରେ କହିଥିଲା ରାଜୁ । ମୁଁ ବି ନା ତୁମକୁ ବହୁତ ଭଲ ପାଏ । "ଗୋଟେ ସୁଖିଲା ସଫେଦ ତୂଳ। ପରି ବାଦଲଟା ଯେମିତି ଭାସିଗଲା ମନ ଆକାଶରେ । ବରଷିବାର କୌଣସି ସମ୍ଭାବନା ନଥାଇ । ତଥାପି ବିଶୁ ଆଶା ହରାଇ ନଥିଲା ।


            ଇତି ମଧ୍ୟରେ ପରସ୍ପର ପରିବାର ଭିତରେ ଗୋଟେ ସମ୍ପର୍କର ସେତୁଟିଏ ଗଢି ଉଠି ସାରିଥିଲା ।

ଦୂର୍ଗାପୂଜାର ପାର୍ବଣ ଛୁଟିରେ ରାଜୁର ପରିବାର ସାତଦିନ ପାଇଁ ସୁଦୂର କୋରାପୁଟ ମାମୁଁ ଘରକୁ ଚାଲିଯିବାର ଖବର ଯେଉଁ ଦିନ ବିଶୁ ପାଇଲା ,ସତେ ଯେମିତି ଆକାଶଟା ତା ମଥାରେ ଛିଣ୍ଡିି ପଡିଲା । ପାଣି କଳ ପାଖରେ ରାଜୁ ର ସେଇ ଗୋଲାପୀ ଓଠ ,ଆୟତ ଆଖି ,କୁଞ୍ଚିତ କେଶ କୁ ଟିକେ ମନ ପୁରାଇ ଦେଖି ନେବାକୁ ଚାହିଁଲା ।

"କ'ଣ ଏମିତି ଦେଖୁଚ ?"ପ୍ରଶ୍ନ କଲା ରାଜୁ ।

"ଦେଖୁଚି ଆକାଶର ଜହ୍ନଟା କେମିତି ଧୀରେ ଧୀରେ ପକ୍ଷ ପରେ ପକ୍ଷ ହଜୁ ହଜୁ ହଜି ଯାଏ ନିଃସଙ୍ଗ ରାତିର ଛାତିରେ ଚକୋରକୁ ଛାଡି !ତମ ବିନା ରାଜୁ ମୁଁ ବଞ୍ଚି ପାରିବିତ !"


"ଆରେ ବ୍ୟସ୍ତ ହେବାର ନାହିଁ । ସାତ ଦିନ ପରେ ପୁଣି ଦେଖା ହେବାନି । ଦେଖ ମୁଁ ଗୋଟେ ସନ୍ତକ ଛାଡି ଯିବି ତୁମ ପାଖରେ । ତୁମେ ତାକୁ ମୁଁ ଭାବି ଭଲ ପାଇବ । ବହୁତ ଆଦର କରିବ । ଦରକାର ହେଲେ ପାଖରେ ଶୁଆଇବ । "

ଏଇ ଶେଷ ପଦକ କହି ଖିଲି ଖିଲି ହସି ଉଠିଲା ରାଜୁ ।

"ତୁମେ ଏମିତି କ'ଣ ଦେବକି "?

"ଦେଖିବନି ,ସେ ଅପୂର୍ବ ଜିନିଷ ପରେ ..."

ପାଣି ଗରାଧରି ଚାଲି ଗଲା ପରେ ରାଜୁର ସେ ଚାଲିକୁ

ନିର୍ମିମେଷ ନୟନରେ ଅନାଇ ରହିଥିଲା ବିଶୁ ।


ସତକୁ ସତ ଗୋଟେ ନାଲି ଗଞ୍ଜାଧରି ପହଞ୍ଚି ଯାଇଥିଲା ସଂଧ୍ୟାବେଳେ ରାଜୁ । ବିଶୁ ହାତକୁ ବଢାଇ ଦେଇ ଇସତ୍ ହସି କହିଲା "ଇଏ କିଏ କହିଲ ?"

ବୋକାଙ୍କ ପରି ବିଶୁ କହିଲା "କୁକୁଡା ,ନାଲି ଗଞ୍ଜା "!

 "ଆଖି ନଚାଇ ରାଜୁ କହିଲା "ଧେତ୍ ,ଏ ତୁମ ପ୍ରିୟ ରାଜୁ । ଯାହାକୁ ତୁମେ ଭଲ ପାଅ । ପ୍ରାଣ ଭରି ଭଲ ପାଅ । ଆରି ଭିତରେ ମୋ ଆତ୍ମା ଛାଡି ଯାଉଛି । ତୁମେ ଜମା ମନ ଦୁଃଖ କରିବନି । ମୋ ରାଣ । ତାକୁ ଯତନରେ ରଖିବ ଖୁଆଇବ ,ଶୁଆଇବ ,ପାଖରେ ରଖିବ । ଭାବି ନେବ ଏ ହେଉଛି ମୁଁ । "


ସତକୁ ସତ କିଁ କର୍ତ୍ତବ୍ୟବିମୂଢ ପାଲଟି ଯାଇଥିଲା ବିଶ୍ବମୋହନ ଓରଫ ବିଶୁ । ଗୋଟେ ନାରୀର ସମ୍ମୋହନ ମନ୍ତ୍ରରେ ସେ ମନ୍ତ୍ରିତ ଗୋଟେ ଚଳମାନ ଜୀବ । ସାତ ଦିନ ସାତ ବର୍ଷ ପରି ଲାଗିଲେବି । ନାଲି ଗଞ୍ଜାର ଯତ୍ନ ନେବାରେ କେବେ କାର୍ପଣ୍ୟ କରିନି । ଯେଉଁ ଦିନ ଛୋଟ ଚାଳିଆଘରେ ବୋଉ ପ୍ରଥମେ ଆବିଷ୍କାର କରିଥିଲା ସେଦିନ ବାତ୍ସଲ୍ୟମମତାର ସବୁ ସୀମା ଟପି ଯାଇଥିଲା । ଝିଙ୍ଗାସ ବଚନକୁ ହଜମ କରିବାର ସାମର୍ଥ୍ୟ କୌଣସି ମତେ ଯୋଗାଡ କରି ବୋଉକୁ ବୁଝାଇ ଦେଇଥିଲା । ବୋଉର କୋପ ଦୃଷ୍ଟିର ଅନ୍ତରାଳେ ଭାତ ଖାଇଲା ପରେ ମୁହ୍ଁ ଧୋଇବା ବାହାନାରେ ପାଟିରେ ଭାତନେଇ ଦଉଥିଲା ନାଲି ଗଞ୍ଜାକୁ । ରାତିରେ ଚୁପି ଚୁପି ମୁଠା ମୁଠା ଚାଉଳ ବିଞ୍ଚୁଥିଲା ନାଲିଗଞ୍ଜା ପାଖରେ । କେବେ କାଖରେ ଧରି ବୋକ ଦେଉଥିଲା ଓ ଅନୁଭବ କରୁଥିଲା ଗୋଟେ ଅଦମନୀୟ ଅତନୁ ଉଚ୍ଛ୍ବାସ ।


ସାତ ଦିନ ପରେ ଫେରି ଆସିଥିଲା ରାଜୁ ପରିବାର ସହ । ଆଉ ପହିଲି ପୁଲକ ଅନୁଭବ କରୁଥିଲା ବିଶୁ । ରାଜୁ ନାଲି ଗଞ୍ଜାଟିକୁ ଫେରାଇ ନେବା ଅବସରରେ ବିଶୁ କୁ କହିଥିଲା ସଞ୍ଜରେ କଳ ପାଖରେ ଭେଟିବ । ବହୁତ କିଛି କହିବାର ଅଛି ।


ବିଶୁ ମନରେ ଉତ୍କଣ୍ଠା ସାତଦିନର ଗପ ଆଜି ଗୋଟିଏ ଦିନରେ ସାରିବ । ଢେର ଗପିବ । ଆବଶ୍ୟକ ହେଲେ ନାଲି ଗଞ୍ଜା କୁ ଦେଉଥିବା ବୋକ ,ତା ଗୋଲାପି ଗାଲରେ ଆଙ୍କିଦେବ । କିଶୋର ମନର ଅଫୁରନ୍ତ ଆବେଗକୁ କିଏ ବା ରୋଧିପାରେ !ବିଶୁ ତ ଛାର ମଣିଷ ଟିଏ ।


                    ସଞ୍ଜ ନଇଁ ଆସିଲାଣି । ବିଶୁ ବାଲଟି ଦୁଇଟି ଧରି କଳ ପାଖକୁ ଗଲା । ରାଜୁ କେବେଠୁ ଠିଆ ହୋଇଛି । ହେଲେ ଏ କଣ ତା ଆଖିରେ ଲୁହ !ନିଜ ଆଖି କୁ ବିଶ୍ବାସ କରିପାରିଲାନି ବିଶୁ । ଯିଏ ସଦା ଛଳ ଛଳ ବେଗବତୀ ଝରଣା ପରି ଖିଲି ଖିଲି ହସରେ ଫାଟି ପଡେ ସେ କାନ୍ଦୁଛି ।


    "ହେ ,ରାଜୁ । ତୁ କାନ୍ଦୁଛୁ ?କାହିଁକି କିଏ କଣ କହିଲା ??ବ୍ୟସ୍ତ ହୋଇପଡୁଥିଲା ବିଶୁ ।

 ""ତୁମେ ମୋତେ ବହୁତ ଭଲ ପାଅନା ?"

 "ହଁ, ଜୀବନ ଠୁ ବି ଅଧିକ ..."

"ମୋର ଗୋଟେ କଥା ରଖିବ ,ରାଣ ପକାଅ ,ମୋ ରାଣ । ""

 "ହଁ ବାବା ତୁମ ରାଣ ପକାଉଛି । ତ୍ରିବାର ସତ୍ୟ ବି କରୁଛି । କୁହ କଣ ?"


     "ଆମଘରେ ମୋ ବାହାଘର ଠିକ୍ କରିଦେଇଛନ୍ତି । ମୋ ତେ ମାମୁଁ ଘରେ ଦେଖି ପସନ୍ଦ କରି ମୁଦି ଦେଇଛନ୍ତି । ଦି ମାସ ପରେ ବାହାଘର । ""


    "ଠିକ୍ ଅଛି ରାଜୁ । ତା ପୂର୍ବରୁ ଆମେ ପଳାଇବା । ବହୁତ ଦୂରକୁ.......କେହି ଯେମିତି ଆମ ଠିକଣା ବି ପାଇବେନି । ମୁଁ ନିଜ ହାତରେ କାମ କରିବି । ସେ କୁଲି କାମ ହେଉ କି ହୋଟେଲରେ ପ୍ଲେଟ ଧୂଆ । ତୁମ ପାଇଁ ସବୁ କରିବୀକୁ ମୁଁ ରାଜି । ନୋ ରୀଜୁ ପାଇଁ ମୁଁ କିଛି ବି କରିପାରେ । "

ବିଶୁ ର କମ୍ପିତ ହାତଟା ରାଜୁର ଲୁହ ପୋଛି ବୋକଟିଏ ଦେବାକୁ ଉଦ୍ୟତ ହେଉ ହେଉ ରାଜୁ ମୁହଁ ବୁଲାଇ ନେଲା ।


" ଛି ,ଏ କଣ କରୁଛ?"

"ମୁଁ ତୁମକୁ ଭଲ ପାଏ ରାଜୁ । ଜୀବନ ଠୁ ବି ଅଧିକ "!

" ହଁ, ମୁଁ ଜାଣେ । କିନ୍ତୁ ତୁମ ଆଗରୁ ମୁଁ ଆଉ ଜଣକୁ ଭଲପାଇସାରିଛି ବିଶୁ । ମନ୍ଦିରରେ ଆମର ବାହାଘର ସରିଛି । ଲୁଚି ଲୁଚି ଆମେ ସ୍ବାମୀ ସ୍ତ୍ରୀ ହୋଇଛୁ । ଆଉ ଆମ ଘରେ ଜାଣନ୍ତି ଯେ ସେ ମୋର ଧରମ ଭାଇ ........!"


ଆକାଶଟା ଯେମିତି ଛିଣ୍ଡି ପଡିଲା ବିଶୁ ମଥାରେ । ହେ ବିଶ୍ବମୋହନ.....ଏ ତୁମେ କ'ଣ କଲ !ମୋ ସରଳ ମନକୁ ନେଇ କାହିଁକି ଖେଳ ଖେଳିଲ ହେ ପ୍ରଭୁ !!

ବିଶୁ ଆଖିର ଲୁହ ବୋଲ ମାନୁ ନଥିଲା ।


""ହେ ବିଶୁ । ମୋର ଭୁଲ କେଉଁଠି କୁହ ? ଯାହା ହାତରୁ ଦିନେ ମଥାରେ ସିନ୍ଦୁର ପିନ୍ଧିଥିଲି । ତାକୁ ଭୁଲିବି କେମିତି । ତୁମେ ସପଥ କରିଛ ବିଶୁ । ମୋ ରାଣ ଖାଇଛ । ଏବେ ଟିକିଏ ଯାଅ ,ମୋ ପ୍ରିୟ ପୁରୁଷ କୁ ଖବର ଦିଅ । ଯାହାଙ୍କୁ ଧରମ ଭାଇ ନାଁରେ ଏତେ ଦିନ ଲୁଚାଇ ଆସିଥିଲି । ଆମେ ଚାଲି ଯୁବୁ ,ବହୁତ ଦୂରକୁ ଚାଲିଯିବୁ । "


ବିଶୁର ଅବଶ ପାଦ କ୍ରମଶଃ ଆଗକୁ ବଢୁଥିଲା ଚା ପହିଲି ପ୍ରେମିକାର ଇପ୍ସିତ ପୁରୁଷ ପାଖକୁ .....

ଗୋଟେ ଗୋଧୂଳିର ଲଗ୍ନ ଅସ୍ତ ହୋଇସାରିଥିଲା ।



Rate this content
Log in

More oriya story from Kailash Chandra Sahani

Similar oriya story from Romance