Kailash Chandra Sahani

Tragedy

1.7  

Kailash Chandra Sahani

Tragedy

ସେଇ କେତୋଟି ମୁହୂର୍ତ୍ତ

ସେଇ କେତୋଟି ମୁହୂର୍ତ୍ତ

5 mins
864



ସନାତନ ରାତିସାରା ଉଜାଗର । ମାଆ ପାଖରେ ବସି ଗୋଡ ଆଉଁଶି ଦେଉଛି । ଚାଲିଲା ବୁଲିଲା ଲୋକ ,ହଠାତ୍ ଉଚ୍ଚ ରକ୍ତଚାପରେ ପୀଡିତା ମାଆ ତା'ର ଛାତିରେ ଯନ୍ତ୍ରଣା ଅନୁଭବ କରୁଛି । ସ୍ତ୍ରୀ ଦିନସାରା ସଂସାର ଜଞ୍ଜାଳରେ ଆଉଟୁ ପାଉଟୁ ହୋଇ ସେଇଠି ଛୁଆ ଦୁଇଟାଙ୍କୁ ନେଇ ଟିକେ ସପରେ ଗଡିପଡିଛି । ରାତି ପାହିଲେ ସନାତନ ଯିବ ମେଡିକାଲ ।      


        ଆମ୍ବୁଲାନ୍ସକୁ ଫୋନ କରିବା ପାଇଁ ପାଖ ପଡୋଶୀ ଙ୍କୁ ନେହୁରା ହେଲା ପରେ ସେପଟୁ କିଛି ଉତ୍ତର ନ ପାଇ ଚିନ୍ତାରେ ସନାତନ । ଆମ୍ବୁଲାନ୍ସ ବି କୋଉ ଗାଁ କୁ ଆସିଥାନ୍ତା ଯେ । ସେଇ ନଈକୂଳ ଯାଏ । ଏବେ ସନାତନ କୌଣସି ପ୍ରକାରେ ନଈ କୂଳକୁ ଯାଇ ଡଙ୍ଗାରେ ପାରି ହୋଇ ଆରପଟକୁ ଯିବ । ସେଠୁ କୌଣସି ଗାଡି ବ୍ୟବସ୍ଥା ବି ନାହିଁ । ଦଶ କିଲୋମିଟର ଗଲେ ଗାଡି ରାସ୍ତା ,ତା ପରେ ସହର ସେଠୁ ଆଉ କୋଡିଏ କିଲୋମିଟର ।


             ସନାତନ ମାଟ୍ରିକ ଦୁଇ ଥର ଫେଲ ହେଲା ପରେ କିଛି ଦିନ ପାଇଁ ସାଙ୍ଗ ମାନଙ୍କ ସହ ଦାଦନ ଯାଇଥିଲା ଆନ୍ଧ୍ରପ୍ରଦେଶ ଗୋଟେ ଇଟା ଭାଟିରେ କାମ କରିବାକୁ । ବର୍ଷେ ରହିଲା ପରେ ସେଠାକାର ମାଲିକ ଜୁଲୁମ ସହି ନ ପାରି ଲୁଚି ପଳାଇ ଆସିଥିଲା । ଗାଁରେ ଏପଟ ସେପଟ ହୋଇ କିଛି ରାଜମିସ୍ତ୍ରୀ ସହ କୁଲି କାମ କଲା । ଧୀରେ ଧୀରେ କାମ ଶିଖି ଏବେ ଦୁଇ ବର୍ଷ ହେଲା ସେ ମିସ୍ତ୍ରୀ ହୋଇ ଗଲାଣି । କିଛି ପଇସା ବି କମାଇ ଲାଣି । ସାଇକେଲରେ ତିରିଶି କିଲୋମିଟର ରାସ୍ତା ଯିବା ଆସିବା ସବୁବେଳ ସମ୍ଭବ ହେଲାନି । ଭାବିଲା ଗୋଟେ ପୁରୁଣା ମଟର ସାଇକେଲଟେ କିଣିବ । ସାନଭାଇ ଓ ତା ସ୍ତ୍ରୀ ତିନିଜଣ କାମ କଲେ ସେଇ ଗାଡିରେ ଯିବେ ଆଉ ଆସିବେ । ସତକୁ ସତ ଦିନେ ଠିକାଦାରଙ୍କ ମୁନିସୀ ଠାରୁ ଦଶ ହଜାର ଟଙ୍କାରେ କିଣିଲା ସେ ପୁରୁଣା ବଜାଜ ମଟର ସାଇକେଲ । ଏଣିକି ତା ପାଇଁ ଶ୍ରମ ଟିକେ ଲାଘବ ହେବ । ହେଲେ ମାସକୁ ମାସ ଦୁଇ ହଜାର ଟଙ୍କା କିସ୍ତି ବାବଦରେ ମୁନୁସୀ କାଟି ରଖୁଥିଲେ । କିସ୍ତି ସରିଲେ କାଗଜପତ୍ର ଦେବେ ବୋଲି ପ୍ରତିଶ୍ରୁତି ଦେଲେ ।


      ସନାତନ ସକାଳୁ ସକାଳୁ ମାଆକୁ ଟେକି ଟାକି ବସାଇଲା ଗାଡିରେ । ସାନଭାଇ ପଛରେ ମାଆକୁ ଭିଡି ଧରିଥାଏ । ଅସହ୍ୟ ଯନ୍ତ୍ରଣାରେ ମାଆ ବେଳେ ବେଳେ ଉଃ ଆଃ ହେଉ ଥାଏ । ନଈ ଡଙ୍ଗାରେ ପାରି ହେଲାପରେ କଚା ଖାଲ ଢିପ ରାସ୍ତାରେ ଗାଡି ଚଲାଇଲା ସନାତନ ।


      ପିଚୁ ରାସ୍ତା ପରେ ତା ଆଶା ସଞ୍ଚାର ହେଲା ଆଉ କିଛି ସମୟ ପରେ ସେ ପହଞ୍ଚିବ ମେଡିକାଲରେ । ସକାଳର ସୂର୍ଯ୍ୟ ଟିକେ ଉପରକୁ ଉଠିଲେଣି । ଝିପି ଝିପି ଅସରାଏ ବର୍ଷା ଭସା ବାଦଲ ସହ ଉଡିଗଲାଣି । ପଶ୍ଚିମ ଆକାଶର ଇନ୍ଦ୍ରଧନୁଟା ତା ଆଶାର ସପ୍ତରଙ୍ଗପରି ଝଳିଉଠ ପୁଣି ମିଳାଇ ଗଲାଣି । ସହର ପାଖା ପାଖି ଏବେ । ସମୟ ସକାଳ ନଅଟାରୁ ଟିକେ ବେଶୀ । ସନାତନ ବୋଧ ଦେଉଛି ମାଆକୁ । ଏଇ ଆମେ ପହଞ୍ଚି ଗଲେଣି । ବ୍ୟସ୍ତ ହନା । ସବୁ ଠିକ୍ ହେଇ ଯିବ ।


    ଆଗରେ କଲେଜ ଛକ । ସେଠୁ ବାଁ ପଟେ ଗୋଟେ କିଲୋମିଟର ଗଲେ ମେଡିକାଲ । ସାନ ଭାଇକୁ ମଝିରେ ମଝିରେ ତାଗିଦ କରୁଛି ସନାଦନ । ଭଲ କରି ମାଆକୁ ଧରିଥିବୁ । ହଠାତ୍ ଟ୍ରାଫିକ ପୁଲିସ ର ଇଙ୍ଗିତ ।

 "ଗାଡି ସାଇଡ୍ କର !"

ସନାତନ ସୁନାପିଲା ପରି ଗାଡି ସାଇଡ କଲା ।

ପୁଲିସ ବାବୁ ପଚାରିଲେ "ହେଲ ମେଟ୍ କାହିଁ ?"

ସରଳ ଉତ୍ତର ଟିଏ,"ହେଲମେଟ ନାହିଁ "

"ଡ୍ରାଇଭିଙ୍ଗ ଲାଇସେନ୍ସ,ଇନସୁରାନ୍ସ,ରେଜିଷ୍ଟ୍ରେସନ୍,ପଲ୍ୟୁସନ୍ ଏ ସବୁ କାଗଜ ଅଛି ?"


ସଂଶୟ ଭରା ନିରିହ ଆଖିରେ ଚାହିଁଲା ସନାତନ ପୁଲିସ ବାବୁଙ୍କ ମୁହଁକୁ । ଏ ନାଁ ସବୁ ତାକୁ ନୂଆ ନୂଆ ଲାଗୁଥିଲା । ସରଳ ଉତ୍ତର ଟିଏ ଦେଲା " ସାର୍ ,ଏ ସବୁ କିଛି ମୋ ପାଖରେ ନାହିଁ । ମୋ ମାଆ ଅସୁସ୍ଥ ।

ଛାତି ରେ କ'ଣ ହେଇ ଯାଉଛି । ମେଡିକାଲ ଆଣିଥିଲି ବାବୁ । ମୋତେ ଦୟାକରି ଛାଡି ଦିଅନ୍ତୁ । ମୋ ମାଆକୁ ଡାକ୍ର ଦେଖିଲା ପରେ ଆପଣ ଯାହା କରିବେ । ମୋ ଗାଡି ନିଅନ୍ତୁ ବା ଜେଲ ଦିଅନ୍ତୁ ,ମୁଁ ରାଜି । "


   ପାଖରେ ଥିବା ଆଉ ଜଣେ କନେଷ୍ଟବଳ ଚିଡି ଉଠି କହିଲେ "ଶଳା ସବୁ ପେଖନା ବାହାରୁଛି । ତିନି ଜଣ କ'ଣ ପାଇଁ ବସିଛ ?ଗାଡି ଆଗରେ ନମ୍ବର ପ୍ଲେଟ କାହିଁକି ନାହିଁ ??ଓହ୍ଲା ଶଳା ଗାଡିରୁ !"


     ସୁନା ପିଲାପରି ସନାତନ ଏହ୍ଲାଇ ପଡିଲା ଗାଡିରୁ । ସାନ ଭାଇ ମାଆକୁ ଧରି ପାଖ ଫୁଟପାଥରେ । ମାଆର ଚେତା ବୁଡି ସାରିଛି କେତେ ବେଳୁ । ଗାଡିର ଷ୍ଟାଣ୍ଡ ଦେଉ ଦେଉ ପୁଲିସ ବାବୁ ଧରାଇ ଦେଲେ ତା ହାତରେ ଗୋଟେ ଲମ୍ବା ରସିଦ । ପଢିବାକୁ ବେଳ ନାହିଁ । " ପଚାରିଲା ଇଏ କ'ଣ ବାବୁ ?"

" ଗାଡିର ଫାଇନ୍ ସତେଇଶ ହଜାର ଟଙ୍କା । "

ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଲା ତା'ର । ସନାତନ ଗାଡି ଛାଡି ଦେଇ ଧାଇଁଲା ମାଆ ପାଖକୁ । ଗୋଟେ ଅଟୋକୁ ହାତ ଦେଖାଇ ଅଟକାଇଲା । ଦୁଇ ଭାଇ ଟେକାଟେକି କରି ମାଆ କୁ ବସାଇଲେ ।

"ଚାଲ ମେଡିକାଲ ..." କହିଲା ସନାତନ ।


       ମେଡିକାଲ ବାରଣ୍ଡାରେ ମାଆ କୁ ଶୁଆଇ ଦେଇ ଟିକଟ କଲା । ଡାକ୍ତର ବାବୁଙ୍କୁ ନେହୁରା ହୋଇ ମାଆର ଅସୁସ୍ଥତା କଥା ବଖାଣିଲା । ଡାକ୍ତରଙ୍କ ଇଙ୍ଗିତରେ ଟ୍ରେଚରେ ବୁହା ହୋଇ ମାଆକୁ ଅଣାଗଲା ଗୋଟିଏ ପ୍ରକୋଷ୍ଠକୁ । ଡାକ୍ତର ପରୀକ୍ଷା ନୀରିକ୍ଷା କରି ପଚାରିଲେ "କେତେ ବେଳେ ହାର୍ଟ ଆଟାକ୍ ହେଲା ?"

"ସାର୍ ରାତି ଦଶଟାରେ । ଆମେ ଖାଇ ପିଇ ଶୋଇବାକୁ ଯାଉଥିଲୁ । ସେ ଚଲାବୁଲା ସବୁ କାମ କରୁଥିଲା ବାବୁ । ହଠାତ୍ ଏମିତି କେମିତି ହେଇଗଲା । "

ଡାକ୍ତର ବିରକ୍ତ ହୋଇ କହିଲେ " ଆଉ ଅଧଘଣ୍ଟା ଆଗରୁ ଆସି ପାରିଲନି ?ଘରକୁ ନେଇ ଯାଅ । ସେ ଆଉ ନାହାନ୍ତି !"


  ଶେଷ ପଦକ ସନାତନ ବିଶ୍ବାସ କରିପାରୁନଥିଲା ।

ତା ମାଆ କୁ ସେ ବଞ୍ଚାଇ ପାରିଲାନି କାହିଁକି ?କ'ଣ ତା'ର ଦୋଷ ଥିଲା ? ସେ ହେଲମେଟ ପିନ୍ଧି ନଥିଲା ବୋଲି ,ନା ଗାଡିର କାଗଜ ପତ୍ର ତା ପାଖରେ ନଥିଲା ବୋଲି !ସେମାନେ ତିନି ଜଣ ଆସିଲେ ବୋଲି ନା ଗାଡି ଆଗରେ ନମ୍ବର ପ୍ଲେଟ ଲେଖା ନଥିଲା ବୋଲି !!

ସେଇ କେତୋଟି ମୁହୂର୍ତ୍ତର ବିଳମ୍ବ କ'ଣ ତା ମାଆ ମୃତ୍ୟର କାରଣ ???


     ସନାତନ ଭୋ କରି କାନ୍ଦିଉଠି ମା ଛାତିରେ ଲୋଟି ପଡିଲା । ସାନ ଭାଇ ରାହା ଧରି କାନ୍ଦୁଛି ।

ସେ ଛାତି ଫଟା କାନ୍ଦ ମେଡିକାଲର ପରିବେଶ କୁ କିଛି ମୁହୂର୍ତ୍ତ ପାଇଁ ବିବଶ କରି ଦେଉଥିଲା । ଚାରି ପାଖରେ ବେଢି ରହିଥିଲେ ଲୋକ । ଡାକ୍ତର ବିରକ୍ତ ହୋଇ କହିଲେ "ଉଠାଅ ଲାସ୍ ,ଏଠି ଗହଳି କରନି । "


      ହଠାତ୍ ଚିତ୍କାର କରିଉଠିଲା ସନାତନ ଗୋଟେ କ୍ରୋଧିତ ଶାର୍ଦ୍ଧୁଳ ପରି । " ତମେ ମୋ ମାଆକୁ ମାରି ଦେଇଛ ହେ ସରକାର ! ତମେ ପୁଲିସ ମିଳି ମିଶି ମାରିଚ ମୋ ମାଆକୁ !! କେମିତି ପହଞ୍ଚି ଥାନ୍ତି ନଈ ପାରିହୋଇ କଚା କାଦୁଅ ରାସ୍ତାରେ ଅଧଘଣ୍ଟା ଆଗରୁ । କେମିତି ଦେଇଥାନ୍ତି ପୁଲିସ ବାବୁ ସତେଇଶ ହଜାର ଟଙ୍କା ...!ଯାହା ସ୍ବପ୍ନରେ ବି ଦିନେ ଦେଖିନି । ଆମ ଗରିବୀ ପଣିଆକୁ ତୁମ ଉପହାସ ଭଗବାନ ସହିବେନି ହେ ସରକାର । ହେ ଅନ୍ଧ ଆଇନର କରପଟଦାର ପୋଲିସ ବାବୁ ! ମୋ ଗାଁରେ ପୋଲକର ,ମୋ ଗାଁ କୁ ରାସ୍ତା କର । ଆମକୁ ଜୀବନ ଜୀବିକା ଦିଅ । ତେବେ ତୁମ ଆଇନ ମାନିବୁ । ଆଉ କେଉଁ ପୁଅ ତା ମାଆ କୁ ଏମିତି ହରାଇ ଦାଣ୍ଡର ଭିକାରୀ ନ ସାଜୁ !! "


  ମେହନ୍ତର ଦୁଇଜଣ ଟେକି ଟାକି ବାରଣ୍ଡାକୁ ନେଇଆସିଲେ ଶବ । ଆମ୍ବୁଲାନ୍ସ ପାଇଁ କାକୁତି ମିନତି ହେଲା ପରେ ବି କେହି କର୍ଣ୍ଣପାତ କଲେନି ସନାତନ ର କଥାକୁ । ସାନଭାଇ ଦେହରେ ପଡିଥିବା ଚାଦରୁ ଢାଙ୍କି ଦେଲା ମାଆର ଆପାଦ ମସ୍ତକ ସନାତନ । ଆଉ କାଳ ବିଳମ୍ବ ନ କରି ଦୁଇ ଭାଇ କାନ୍ଧରେ ବୋହିଲେ ମାଆର ଶବ ।



Rate this content
Log in

Similar oriya story from Tragedy