The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kailash Chandra Sahani

Drama

3  

Kailash Chandra Sahani

Drama

ପୂଣ୍ୟର ନଦୀ ତୀରେ

ପୂଣ୍ୟର ନଦୀ ତୀରେ

5 mins
315



'ବୈତରଣୀ ବଞ୍ଚାଅ' ଆନ୍ଦୋଳନରେ କେବଳ ଅଞ୍ଚଳ ବାସୀ ସାମିଲ ହୋଇ ନାହାନ୍ତି ପରନ୍ତୁ ଅନେକ ବୁଦ୍ଧିଜୀବୀ ,ନାଗରିକ କମିଟି ର ସଦସ୍ୟ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି । ବୈତରଣୀ ନଦୀର ଅନତି ଦୂରରେ ବାସୁଦେବପୁର ଗାଁ । ସେଇ ଗାଁର ଶେଷ ମୁଣ୍ଡରେ ବିରାଟ ପଡିଆ ।ସେଇଠି ଚାଲିଛି ଗଣଧାରଣା ।ଅନେକ ସାଧୁ ସନ୍ଥ ଉପସ୍ଥିତ ହେଲେଣି ।

କିଛି ସାମାଜିକ କର୍ମୀ ପ୍ରତିଦିନ ଭାଷଣ ପରେ ଭାଷଣ ଦେଇଚାଲିଛନ୍ତି । କିଛି ବିରୋଧୀ ନେତା ଗୋଳିପାଣିରେ କଙ୍କଡା ପରି ଧସେଇ ପଶୁଛନ୍ତି ।ଏଣିକି ଏ ଆନ୍ଦୋଳନ ଜୋରଦାର ହେବ ।କେହିଜଣେ ଭାଷଣ ଦେଉଛନ୍ତି ।"ବୈତରଣୀ ଆମର ମାଆ ।ସେ ପାତକ ନାଶିନୀ ପୂଣ୍ୟତୋୟା ।କେନ୍ଦୁଝର ମାଟିର ମହାତୀର୍ଥ କେବଳ ନୁହେଁ ,ଜଗତର ଉଦ୍ଧାର ପାଇଁ ମାଆର ଆବିର୍ଭାବ ।ଶୂଦ୍ରମୁନି ସାରଳା ଦାସଙ୍କ ମହାଭାରତର ଆଦିପର୍ବରେ

ଏ ନଦୀର ବର୍ଣ୍ଣନା ରହିଛି ।

     'କଉତୁକେ ବିହଡନ୍ତି ସ୍ବାମୀ ଦେବରାଜେ

ବଇଲ ଆରୋହିଣ ଦେବ ମଧ୍ୟପୁରେ ଦିଗବିଜେ ।

ଅନେକ ତୀର୍ଥେ ପଶି ଆସନ୍ତି ସୁଢଳେ

ଚଳନ୍ତି ମହେଶ୍ବର ବଇତରଣୀ ନଦୀ କୂଳେ ।'

ଦେଖନ୍ତୁ ଆଜ୍ଞା ପୁରାଣ ବି ପ୍ରମାଣ ଦେଉଛି କେମିତି ଏ ନଦୀ ପୂଣ୍ୟବତୀ !"

   ଦର୍ଶକ ଭିତରୁ ପ୍ରବଳ କରତାଳି । ସତେ ଯେମିତି ଏ ଭାଷଣ ଭିତରେ ପୁରାଣରେ ଲେଖା ଯାଇଥିବା ବୈତରଣୀ ନଦୀର ମାହାତ୍ମ୍ୟ ଲୋକଙ୍କ ମନରେ ମାତୃପ୍ରୀତି ସଂଚାରିତ କଲା ।କେହି କେହି କହିଲେ ଜୀବନ ଦେଇ ଦେବୁ ପଛେ ମାଆ କୁ ବିକିବୁନି ।ଯଦିଓ ସେମାନଙ୍କ ଭିତରୁ ଅନେକ ଭିଟାମାଟି ହରାଇ ବିସ୍ତାପିତ ହୋଇ ବଞ୍ଚିଛନ୍ତି କାନପୁର ଜଳଭଣ୍ଡାର ପାଇଁ ।କେତେ ଲୋକଙ୍କ ଗାଁ ହଜି ଯାଇଛି ।ହଜି ଯାଇଛି ,ଚାଷ ଜମି ,ଜଗନ୍ନାଥ ମନ୍ଦିର ,ଗାଁ ମଶାଣୀ । ନୀଳକଇଁ ଫୁଟା ଦଳମିଶା ପୋଖରୀ । ସେଇଠି ଦିନେ ଆଦିବାସୀ ବାଳକ ଟିଏ ବନିଶୀରେ ମାଛ ଧରୁଥିଲା । ପୁନେଇଁ ପରବରେ କଇଁ ଫୁଲ ତୋଳୁଥିଲା ।କେବେ ବଡହେଲା ସେ ଜାଣେନି ।କିନ୍ତୁ ଯେଉଁଦିନ ଆରସାଇର ଚୁମକି ତାକୁ କଇଁ ଫୁଲ ମାଗିଲା ସେଇଦିନ ସେ କେମିତି ଏକ ସୀହରଣ ଅନୁଭବ କଲା । ତାପରେ ସେ କେବେ କୁରେଇ ଫୁଲ ତ କେବେ କୃଷ୍ଣ ଚୂଡା ଫୁଲ ତୋଳି ଦେଇଛି । ଚୁମୁକିର ଭୂରୁନଚା ଆଖିରେ ସେ ଲାଜ ସର ସର ହୋଇ ଯାଏ ।କିନ୍ତୁ ମନତଳେ ବୋହି ଯାଏ ଗୋଟେ ପ୍ରେମର ବୈତରଣୀ ।ମନ ହୁଏ ନିଜ ହାତରେ ଖୋସି ଦିଅନ୍ତାକି ଫୁଲ ପେନ୍ଥା ତା ଗଭାରେ !


 ମଙ୍ଗଲ ତିରିଆ ଏବେ ଯୁଆନ ଟୋକା । ନିଶ ଗଜୁରିଲାଣି ।ଦେହରେ ବଳ ଖୁନ୍ଦି ହେଲାଣି ।ଚୁମୁକିକୁ ଦିନେ ନ ଦେଖିଲେ ତାକୁ ପାଗଳ ପରି ଲାଗୁଛି ।ଆଜି କାଲି ଚୁମୁକି ବି ବହୁତ ସଜେଇ ହେଲାଣି ।ନିମ ତେଲ ଆଉ ମୁଣ୍ଡରେ ମାରୁନି ।କଣ୍ଡରା ହାଟରୁ ମଙ୍ଗଲ କିଣି ଦେଇଛି ନଡିଆ ତେଲ ।ନାଲି ରିବନ୍ ଆଉ ନଖ ପାଲିସି ।ଫେରିବାଲାଠୁ କିଣିଥିବା ଲିପିଷ୍ଟିକି ଓଠରେ ବୋଳିଦେଲେ ମନ୍ଦାର ଫୁଲ ଫୁଟି ଯାଉଛି । ଏଇଥର ରାମତୀର୍ଥ ମକରମେଳା ବୁଲାଇ ନେବ ବୋଲି କଥା ଦେଇଛି ମଙ୍ଗଲ ।ଆଉ ନୂଆ ଲୁଗାବି କିଣିଦେବ ।


            ଦିନ ଗଣୁଛି ମଙ୍ଗଲ କେବେ ମକର ଆସିବ ।ବୁଆକୁ କହି ବିହା କରିଦେବ ଚୁମୁକିକୁ ।ଲୁଚା ଚୋରା ପ୍ରେମ କେତେ ଦିନ ଯେ ...! ସାଙ୍ଗ ପିଲାଙ୍କ ସହ ଖାଦାନରେ ପଥର ଫଟାଉଛି ମଙ୍ଗଲ ।ତାର ବେଶୀ ପଇସା ଦରକାର ।ପୁତୁଲ ସାୟାଁ ବି ଆଖେଇଚି ଚୁମୁକିକୁ ।ସିଏ ବି କହୁଥିଲା ମେଳା ବୁଲାଇ ନେବ ।ମଙ୍ଗଲ ଛାତିରେ କିଏ ପଥର ଥୋଇଲା ପରି ଲାଗେ ଯେବେ ଚୁମୁକି କଥା କିଏ କୁହେ ।ଗୋଟିଏ ବାକ୍ୟ ପଥର ବାଡେଇଲେ କୋଡିଏ ଟଙ୍କା ।ତିନିବାକ୍ୟ ହେଲା ବେଳକୁ ଅଠାଠିକ୍ ।ତଥାପି ଟାଣି ଓଟାରି ଚାରିବାକ୍ୟ କରିଦିଏ ।ହପ୍ତାକୁ ତିନିଶ ଟଙ୍କା ଢେର ।ବାକି ପଇସା ଚୁମୁକିର ।ତା ଖର୍ଚ୍ଚ ।


               ଦିନେ ନାଲି ପତାକା ବାଲା ଖଣି କାମ ବନ୍ଦ କରିଦେଲେ ।ଲେବର ଷ୍ଟ୍ରାଇକ ହେବ କହିଲେ ।ସମସ୍ତଙ୍କୁ ଡକାଗଲା ଜୁରୁଡି ହାଟ ପଡିଆକୁ ।ସେଇଠି ମିଟିଙ୍ଗ ।ମଙ୍ଗଲ ବି ଗଲା ସାଙ୍ଗ ମାନଙ୍କ ସହ ।ଲେବର ପେମେଣ୍ଟ ବଢିବ ।ମେଡିକାଲ ଖର୍ଚ୍ଚ ମିଳିବ ।ସେମାନେ ବୋନସ ପାଇବେ ।ଏଇମିତି କେତେ କ'ଣ ।ଗୋଟେ କାଗଜରେ ଦସ୍ତଖତ ଟିପ ନିଆଗଲା ।ତୃତୀୟ ଯାଏ ପଢିଥିବା ମଙ୍ଗଲ ଓଡିଆରେ ଦସ୍ତଖତ ବି କଲା ।ନେତା ଘୋଷଣା କଲେ ଆସନ୍ତା ରବିବାର ଦୀଲ୍ଲି ଚଲୋ ।ଖାଇବା ପିଇବା ଯିବା ଆସିବା ସବୁ ମାଗଣା ।ପାଞ୍ଚପଇସା ହାତରୁ କେହି ଖର୍ଚ୍ଚ କରିବେନି । ସାଙ୍ଗମାନଙ୍କ ସହ ଦୀଲ୍ଲି ଯିବାର ସ୍ବପ୍ନ ମଙ୍ଗଲକୁ ଆତୁର କଲା ।


     ଦୀଲ୍ଲିର ରାମଲୀଳ ମୈଦାନରେ ସଭା ,ଧାରଣା ।ତମ୍ବୁରେ ଦୁଇ ଦିନ ରହଣି ।ତାପରେ ଫେରିବାର ମୁହୂର୍ତ୍ତ ।ଜନଗହଳି ଭିତରେ ସରଳ ଆଦିବାସୀ ମଙ୍ଗଲ ହଜିଗଲା ।କେତେ ବେଳେ ସାଙ୍ଗମାନେ ସାଙ୍ଗଛଡା ହୋଇଗଲେ ଜାଣି ପାରିଲାନି ସେ ।

କେତେ ଟ୍ରେନ ଆସୁଥାଏ କେତେ ଯାଉଥାଏ ।ପାଖରେ ପାଞ୍ଚ ପଇସା ନାହିଁ ।କାନ୍ଦମାଡିଲା ତାକୁ ।ଚାଲିଗଲା ପ୍ଲାଟଫର୍ମର ଶେଷକୁ ।ସେଇଠି ବସି ବହେ କାନ୍ଦିଲା ।ମନେ ପଡିଲା ଘର କଥା ,ତା ଚୁମୁକିର କଥା ।କୋହ ସମ୍ଭାଳି ପାରିଲାନି ।ଆଖି ଲୁହ ବୋଲ ମାନୁ ନଥାଏ ।ସଭ୍ୟ ମଣିଷର ନାଗଫାଶରେ ଏଇମିତି କେତେ ସରଳ ଆଦିବାସୀ ଶୀକାର ହୋଇ ଯାଆନ୍ତି ।ଫୁସୁଲା ଫୁସୁଲି କରି ନେଇ ଆସନ୍ତି ।କାମ ସରିଗଲେ କାଶିଆ କପିଳା ଅବସ୍ଥା ।


        ଦୂରରୁ ଜଣେ ସାଧୁ ନିରିକ୍ଷଣ କରୁଥିଲେ ମଙ୍ଗଲକୁ ।ପାଖକୁ ଆସି ପଚାରିଲେ "କିସଲିଏ ରୋ ରହା ହୈ ବେଟା ? କୁଛ ତକଲିପ୍ ହୈ କ୍ୟା ?"

ସାଧୁଙ୍କ ଭାଷା ବୁଝି ପାରୁନଥିଲା ମଙ୍ଗଲ ।ଖାଲି ଜଳ ଜଳ ଚାହୁଁ ଥିଲା ।ଘର କେଉଁଠି କୁଆଡେ ଆସିଥିଲ ଇତ୍ୟାଦି ।ମଙ୍ଗଲ ଖାଲି ଟ୍ରେନ ଆଡେ ହାତ ଦେଖାଇ ଜଣାଇବାକୁ ଚାହୁଁଥିଲା ସେ ଗାଡି ଫେଲ୍ ହୋଇ ଯାଇଛି ।ସାଧୁ ସେଦିନ ସାଥୀରେ ନେଇଗଲେ ଆଶ୍ରମକୁ ।ସେଇଠି ନୂଆ ଜୀବନ ଆରମ୍ଭ ହେଲା ମଙ୍ଗଲର ।ଧୀରେ ଧୀରେ ହିନ୍ଦି ବୁଝିଲା କିଛି ପଢା ଲେଖା ବି ଶିଖାଇଲେ ସାଧୁ ।କ୍ରମଶଃ ବିତିଗଲା ତିରିଶ ବର୍ଷ ।


           ଆଜି ବୈତରଣୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ଅନେକ ସାଧୁଙ୍କ ସହ ମଙ୍ଗଲ ଓରଫ ସ୍ବାମୀ ମଙ୍ଗଳାନନ୍ଦଜୀ । ନିଜ ଜନ୍ମ ମାଟିକୁ ଚିହ୍ନୁଛନ୍ତି ଧୀରେ ଧୀରେ । ସବୁ ଉଜୁଡି ଯାଇଛି ।କେତେ ଘଞ୍ଚ ଜଙ୍ଗଲ ନିଶ୍ଚିହ୍ନ ।ପାହାଡ ସବୁ ଉଜୁଡି ଯାଇଛି ।ହଜାର ହଜାର ଗାଡି ରାସ୍ତାକୁ ଦଳିମକଚି ଧୂଳି ଉଡାଇ ଚାଲିଯାଉଛନ୍ତି ।କେତେ କଳ କାରଖାନାର ଧୂଆଁରେ ଆଚ୍ଛନ୍ନ ଆକାଶ ।ବୈତରଣୀର କାଚକେନ୍ଦୁ ଜଳ କର୍ଦ୍ଦମାକ୍ତ ଆବିଳ । ସନ୍ୟାସୀ ମଙ୍ଗଳାନନ୍ଦଜୀଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଗଡିପଡିଲା ନିଜ ଅଜାଣତରେ ।


           ଆମରଣ ଅନଶନରେ ସାଧୁ ମାନଙ୍କ ଗହଣରେ ସ୍ବାମୀ ମଙ୍ଗଳାନନ୍ଦ ଜୀ ।ବେକରେ ଫୁଲ ମାଳ । ସ୍ବେଚ୍ଛା ସେବୀ ମାନେ ସାଧୁଙ୍କ ସେବାରେ ନିମଗ୍ନ ।ମିଡିଆ ବାଲାଙ୍କ ଘନ ଘନ ଇଣ୍ଟରଭ୍ୟୁ ।

"ସ୍ବାମିଜୀ ,ଏ ଆନ୍ଦେଳନ କୁ ଆପଣ କେମିତି ଦେଖୁଛନ୍ତି ?"

 "ମାଆ କୁ ବିକି କେହି ଜୀବନ ସାର୍ଥକ କରିନି ,ସେ ମାଟି ହେଉ ବା ଜଳ ଜଙ୍ଗଲ ।ତାକୁ ସୁରକ୍ଷା ଦେବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ।ମିଛ ପ୍ରହସନରେ ଆନ୍ଦୋଳନ ସଫଳ ହୁଏନି ।ସେଥି ପାଇଁ ନିଷ୍ଠା ଦରକାର ।"

 "ଆପଣ କ'ଣ ଭାବୁଛନ୍ତି ଏଠାରେ ଯେତେ ଆନ୍ଦୋଳନ ହେଇଛି ତାହା ବିଫଳ ହେବାରେ ନିଷ୍ଠାର ଅଭାବ ?"

 "ନିଶ୍ଚୟ !ସେଦିନ ଗାନ୍ଧିଜୀ ନିଷ୍ଠାର ସହ ଆନ୍ଦୋଳନ ନ କରିଥିଲେ କ'ଣ ଦେଶ ସ୍ବାଧୀନ ହୋଇଥାନ୍ତା ? ଆଜି ନିଷ୍ଠା କମ୍ ,ରାଜନୀତି ବେଶୀ ।କହିପାରିବେ ଯେଉଁ ପାହାଡ ତିରିଶ ବର୍ଷ ତଳେ ସବୁଜ ମଣ୍ଡିତ ଥିଲା ଆଜି ଲଣ୍ଡିତ ହେଲା କେମିତି ।ସମଗ୍ର ଯୋଡା ବଡବିଲରୁ ଲୁଟ ହୋଇଥିବା ଖଣି ପଇସା କୁଆଡେ ଗଲା ?କୋଟି କୋଟି ଟଙ୍କାର ଖଣିଜ ପଦୀର୍ଥ ବିନିମୟରେ ଆଜି ମୋ ରାଜ୍ୟ ଗରିବ କାହିଁକି ?"

      ସାମ୍ବାଦିକ ବନ୍ଧୁ ଏ ପ୍ରଶ୍ନର ଉତ୍ତର ଦେବା ଅବସ୍ଥାରେ ନଥିଲେ । ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଇତିମଧ୍ୟରେ ଯୋଜନା ଆରମ୍ଭ ହୋଇଯାଇଥିଲା ।ସଭା ମଞ୍ଚକୁ ଆସୁଥିଲେ ଜଣେ ମହିଳା ସ୍ବେଚ୍ଛାସେବୀ । ସ୍ବାମିଜୀଙ୍କ ବେକରେ ଗେଣ୍ଡୁମାଳଟିଏ ଲମ୍ବାଇ ଦେଇ ପ୍ରଣିପାତ କଲେ ।ଅନସନରେ ସେ ବି ସାମିଲ ହେବାକୁ ଚାହାନ୍ତି ଜଣାଇଲେ ।ସ୍ବାମିଜୀଙ୍କ ଦୃଷ୍ଟି କିଛି କ୍ଷଣ ପାଇଁ ଅଟକି ଗଲା ମହିଳାଙ୍କ ଉପରେ ।ସେ ଆଖିକୁ ବିଶ୍ବାସ କରି ପାରୁନଥିଲେ ଯେ ତିରିଶି ବର୍ଷ ତଳର ଚୁମୁକି ଇତି ମଧ୍ୟରେ ଜଣେ ସମାଜ ସେବୀ ! କେବଳ ସେ ଇଙ୍ଗିତ କଲେ ପଥାଙ୍କ ଅନୁସରଣ କରିବାକୁ ।


           ହଠାତ୍ ସଭା ମଝିରେ ଗଣ୍ଡଗୋଳର ସୂତ୍ରପାତ ।ପୋଲିସର ମୃଦୁ ଲାଠି ଚାଳନା । ଧସ୍ତା ଧସ୍ତି ।ସ୍ବାମିଜୀ ସେଇମିତି ନିଶ୍ଚଳ ।କେହି ଦୂରରୁ ଫାୟରିଂ କରି ଚମ୍ପଟ ମାରିବାର ଦୃଶ୍ୟ ।ସ୍ବାମିଜୀ ଙ୍କ ପାଦତଳେ ପ୍ରଣିପାତ କରୁଥିବା ସ୍ବେଚ୍ଛାସେବୀ ଚୁମୁକି ବାମ କାନ୍ଧରେ ଗୁଳି ପଶି ଯାଇଛି ।ଅଚେତ ଚୁମୁକିକୁ ତୁରନ୍ତ ହସପାତାଲ ପଠାଇ ଦିଆ ଯାଇଛି । ପୋଲିସ୍ ଜୋର ଜବର ସ୍ବାମିଜୀଙ୍କୁ ଆରେଷ୍ଟ କରୁଛି ।ଗୋଟିଏ ଶବ୍ଦ କେବଳ ଶୁଭୁଚି "ଆନ୍ଦୋଳନ ପାଇଁ ନିଷ୍ଠା ଦରକାର "!


        ସକାଳ ର ଖବର କାଗଜରେ ବଡ ବଡ ଅକ୍ଷରରେ ବାହାରିଲା'ସରକାରଙ୍କ ବିରୋଧରେ ଜନତାଙ୍କୁ ମତାଇ ସାଧୁ ଜେଲ୍ ରେ ।"



Rate this content
Log in