ନାଲି ବ୍ୟାଗ
ନାଲି ବ୍ୟାଗ
ଧୂଳିଭରା ସହରର ଦିନ ଦିପହରରେ, ଗାଡି ମୋଟରର ଶୋର ଶବ୍ଦ ଭିତରେ, ସାରା ସଂସାରର ଅସ୍ଥିରତା ଭିତରେ ଯଦି ସ୍ଥିରତା ଟିକିଏ ଖୋଜିବାର ଆଶା ରହିଥିବ, ତାହା ରୂପାନ୍ତରିତ ହୋଇଯିବ ସେହି ଫକୀରର ଦୁଇଟି ଆଖି କୋରଡ ମଧ୍ୟରେ I ଅନେକଙ୍କ ମନରେପ୍ରଶ୍ନ ଅଛି , ଏମିତି ଧୁ ଧୁ ଖରାରେ ବିନା କିଛି କରି କେମିତି ମଣିଷ ଜଣେ ସମୟ ନଷ୍ଟ କରି ପାରେ? ତୁମ ପ୍ରଶ୍ନର ଉତ୍ତର ଦେବା ଲାଗି, ପରସ୍ତ ପରସ୍ତ ଧୂଳିରେ କଳା ପଡି ଯାଇଥିବା ବସ୍ତ୍ରକୁ କଳା ପଟା କରି ଅନେକ କିଛି ଲେଖି ହେଇଯିବ ହୁଏତ ତାହାର ଅତୀତ ବିଷୟରେ: ତାହାର ଦାଦନ ହୋଇ ନିଜ ରାଜ୍ୟରୁ ଦୂରରେ ଜୀବନର ସୁଖ ଦୁଃଖ ଭୋଗିବା ଲାଗି କରିଥିବା ପ୍ରୟାସ ଅଥବା ସର୍ଵହରା ହୋଇ ଶେଷରେ ନିଜର ସ୍ଵଳ୍ପ ସଞ୍ଚୟ ନେଇ ଆଉ କିଛି ଦିନ ବଞ୍ଚିଯିବାର ଆଶାକୁ ନେଇ I ଯେଉଁଠାରେ କୋଟି କୋଟି ଲୋକ ଭୋକ ଆଉ ଦାରିଦ୍ର୍ୟତାର ପ୍ରତିଦିନ ଶିକାର ହେଉଛନ୍ତି, ଆଉ ଗୋଟିଏ ମଣିଷର କାହାଣୀ କେତେ ଅବା ଭିନ୍ନ ହୋଇ ପାରେ? ନାମହୀନ ବ୍ୟକ୍ତିଟିଏର ଅସ୍ତିତ୍ଵ କେତେ ବେଳେ ସମାପ୍ତ ହେବ: ଅନ୍ୟ ମାନଙ୍କ ଭଳି, ଯେଉଁମାନେ ନା ପରିବାରର ସାହାଯ୍ୟ ପାଆନ୍ତି ନା ସମାଜର, ନା ସରକାରଙ୍କର ଜନ କଲ୍ୟାଣରେ ସଂଲିଷ୍ଟ ହୁଅନ୍ତି ନା କୌଣସି ବିଦ୍ରୋହରେ I ଭିଡ଼ରେ ହଜିଯାଇଥିବା ଅଲିଖିତ କଥାଟିଏ ହୋଇ ଶେଷ ନିଶ୍ଵାସ ପରେ ରାସ୍ତା କଡ଼ରେ ଆଉ ଗୋଟିଏ ଶରୀରରେ ପରିଣତ ହେବାରେ ଆଶ୍ଚର୍ଯ୍ୟଚକିତ ହେବାରେ କିଛି ନାହିଁ I
କିନ୍ତୁ ତୁମେ ଯଦି ଭେଟିବ ସେହି ଚରିତ୍ରକୁ କିଛି ନିଶ୍ଚୟ ଅଲଗା ଲାଗିବ ତୁମକୁ I ଅସଜଡ଼ା ବଢ଼ିଯାଇଥିବା ଦାଢ଼ି ଓ ମୁଣ୍ଡର ନୁଖୁରା ବାଳ ମଧ୍ୟରେ ରେଖାଙ୍କିତ ଅନେକ ଅଭିଜ୍ଞତା ଜୀବନର ବିଷାଦର, ତଥାପି ମଣିଷଟିଏ ହସି ପାରେ ! ତୁମେ ଯଦି କିଛି ଟଙ୍କା ଦିଅ , ସେ ସେମିତି ମୁରୁକି ହସି ଦେବ ଆଉ ନମସ୍କାର ଟିଏ ପକେଇଦେବ I ତାହାର ଆଖିରେ ନା ଥିବ ଘୃଣାର ଭାବ, ଭିକାରୀର ମର୍ଯ୍ୟାଦା ପାଇଥିବାରୁ ନା ଥିବ କୃତଜ୍ଞତାର ସଂଳାପ, ଭୋକିଲା ହୋଇ କିଛି ଟଙ୍କା ପାଇ ଥିବାରୁ I ତୁମେ ପ୍ରଶ୍ନ କରିପାର ଏମିତି ଅଜବ ମଣିଷଟିଏ କାହିଁକି ବସିଛି ରାସ୍ତା ମଝିରେ, ଯାନ ବାହନ ମଧ୍ୟରେ ବିପଦ ଶଙ୍କୁଳ ହୋଇ? କଣ ଚାହୁଁଛି ସିଏ ?
ସତରେ କହିବାକୁ ଗଲେ ସିଏ କିଛି ଚାହୁଁନି କାହା ଠାରୁ ଆଉ I ତୁମ ଭଳି ସିଏ ମଧ୍ୟ ଅପେକ୍ଷା କରିଛି ସମୟର I ତାହାର ଅତୀତ ଏବଂ ବର୍ତ୍ତମାନ ହୁଏତ ଅନ୍ଧାରମୟ ହୋଇ ଥାଇ ପାରେ କିନ୍ତୁ ତାହାର ଭବିଷ୍ୟତ ଅତ୍ୟନ୍ତ ମନୋରମ I ଫେରି ପାରିବ ଯଦି ଫେରି ଯାଅ ତାହା ପାଖକୁ ପ୍ରତି ଦିନ, ଯେଉଁ ଦିନ ଯାଏଁ ଅକସ୍ମାତ ତାହାର ଜୀବନର ପରିବର୍ତ୍ତନ ନ ହୋଇଛି, ଗୋଟିଏ ଲଟେରୀର ସଂଖ୍ୟାରେ ଆଉ ସିଏ ନ ସାଜିଛି ଅଜସ୍ର ସମ୍ପତ୍ତିର ମାଲିକ, ତାହାର ନାଲି ବ୍ୟାଗରେ ପଡ଼ିଥିବା ସେହି କାଗଜ ଖଣ୍ଡିକର କୃପାରେ I ସେଥି ଲାଗି ତ ଛୋଟ ବାଉଁଶ ଖଣ୍ଡିଏରେ ତାହାର ଦୁନିଆଁଟିକୁ ସୁରକ୍ଷିତ ରଖିଛି ସେହି ନାଲି ବ୍ୟାଗ ଭିତରେ !
ତେଣୁ ସିଏ କିଛି ଚାହୁଁନି ତୁମଠୁ: ନା ଅର୍ଥ ,ନା ଅନର୍ଥ, ନା ତାହାର ଚରିତ୍ରର ତର୍ଜମା ! ଆଜି ଲାଗି ସିଏ କେବଳ ମୋର ସ୍ଥାପିତ ଚରିତ୍ରଟିଏ, ତୁମର ମନୋଭାବ ଜାଣିବା ଲାଗି, ରାସ୍ତା କଡରେ ବେକାର ଭଳି ବସି ଥିବା ମଣିଷଟିଏ ପ୍ରତି !