Puspita Bhuyan

Comedy Others

3  

Puspita Bhuyan

Comedy Others

ମୂଷା ଯନ୍ତା

ମୂଷା ଯନ୍ତା

4 mins
2.1K


କଲୋନୀଠାରୁ ଅଳ୍ପ ଦୂରରେ ଛୋଟିଆ ପାର୍କଟିଏ । କେତେଗୁଡିଏ ଫୁଲଗଛ, ଫଳଗଛ ଓ ସୋ ଗଛରେ ସଜେଇ ହୋଇଛି ପାର୍କଟି । ଚାରି କଡରେ ବସିବା ଲାଗି କେତେଗୁଡିଏ ସିମେଣ୍ଟ ବେଞ୍ଚର ବି ସୁବିଧା ଅଛି। ପାର୍କର ଚଟାଣରେ ଘାସ ଗୁଡିକ ସବୁଜ ଗାଲିଚା ପରି ସୁନ୍ଦର ଦିଶେ। ଦୁଇ ଜଣ ମାଳି ସବୁବେଳେ ପାର୍କକୁ ଜଗନ୍ତି । ସକାଳ ହେଲେ ପାର୍କଟି ହୋଇଯାଏ ଗହଳ ଚହଳ। କିଏ ଦଉଡୁ ଥାଏ ତ କିଏ ବ୍ୟାୟାମ କରୁଥାଏ। ପିଲାଠାରୁ ବୁଢ଼ାଯାଏ ସବୁ ବର୍ଗର ଲୋକ ଦେଖିବାକୁ ମିଳନ୍ତି ସେଠାରେ। ପିଲାମାନଙ୍କର ଖେଳିବାର ବିଭିନ୍ନ ଉପକରଣ ମଧ୍ୟ ସେଠାରେ ରହିଛି। ଉପରବେଳା ପିଲାଙ୍କର ଭିଡ ଜମୁଥିବା ବେଳେ ସକାଳ ବେଳା ବୟସ୍କ ଓ ବଡ଼ ପିଲାମାନଙ୍କୁ ଦେଖିବାକୁ ମିଳେ ପାର୍କରେ । ପାର୍କରେ ଘଣ୍ଟାଏ ବସି ପଡିଲେ ପାର୍କର ସାଜ ସଜ୍ଜା ଓ ଗହଳ ଚହଳ ଯୋଗୁ ମନ ହାଲୁକା ହୋଇଯାଏ ।

ମହାନ୍ତିବାବୁ , ମିଶ୍ରବାବୁ ,ପଣ୍ଡା ବାବୁ ଓ ଦାସବାବୁ ସବୁଦିନ ସକାଳ ହେଲେ ମାର୍ନିଙ୍ଗଵାକରେ ଯାଇ ପାର୍କରେ ବସିପଡନ୍ତି ଘଣ୍ଟାଏ। କୁଆଡୁ କେତେ ପ୍ରକାର ଗପ ଜମେ , କେତେବେଳେ ପୁରୁଣା ଅଫିସ କଥା ତ ପୁଣି କେତେବେଳେ ଦେଶ ବିଦେଶ କଥା ପୁଣି କେତେବେଳେ ପିଲାଛୁଆଙ୍କ କଥା ।

ସମସ୍ତେ ଅବସରନେଇ ସାରିଲେଣି ଚାକିରିରୁ । ବାହାରୁ ଟିକେ ବୁଲାବୁଲି କରି ଫେରିଲେ ମନ ଚଞ୍ଚଳ ରୁହେ ଓ ଦେହରେ ଫୁର୍ତ୍ତିଆସେ। ତା'ପରେ ଘରକୁ ଫେରି ନିଜ ନିଜ କାମରେ ଲାଗିପଡନ୍ତି ।

ସବୁଦିନ କିନ୍ତୁ ସମସ୍ତଙ୍କ ଉପସ୍ଥିତି ସମସ୍ତଙ୍କୁ ନିହାତି ଦରକାର। କେହିଜଣେ ନଆସିଲେ ଅନ୍ୟ ତିନିଜଣ ଚିନ୍ତାରେ ପଡିଯାନ୍ତି , ତା' ଘରକୁ ଦୌଡ଼ିଯାନ୍ତି ଦେଖିବାକୁ କାଳେ କିଛି ଅସୁବିଧା ହେଲାକି ବୋଲି ! ଆଜିକାଲି ସହର ବଜାରରେ କିଏ କାହା କଥା ପଚାରୁଛି ନା କାହା ଘରକୁ ଯାଉଛି । କିନ୍ତୁ ଏ ଚାରିଜଣ ଅଲଗା ଅଲଗା ଅଫିସରୁ ଅବସର ନେଇଥିଲେ ମଧ୍ୟ ଏଇ ପାର୍କଟି ସେମାନଙ୍କୁ ନିଜର କରିଦେଇଛି।

ମହାନ୍ତି ବାବୁଙ୍କର ଗୋଟିଏ ପୁଅ ଚାକିରି କରେ ବମ୍ବେରେ , ତା' ସ୍ତ୍ରୀ ସହିତ ସେ ସେଠାରେ ରୁହେ। ଘରେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ମିଶ୍ରବାବୁଙ୍କର ଦୁଇ ଝିଅ ବାହାହୋଇ ଶାଶୁଘରକୁ ଗଲେଣି , ପଣ୍ଡା ବାବୁଙ୍କର ଝିଅଟିଏ ବାହା ହୋଇ ସାରିଛି । ଦାସ ବାବୁଙ୍କର ପିଲାଛୁଆ ନାହାଁନ୍ତି , ପୁତୁରାଟିଏ ପାଠ ପଢେ ପାଖରେ ରହି। ସମସ୍ତେ ସମସ୍ତଙ୍କ ସୁଖଦୁଃଖ ବାଣ୍ଟନ୍ତି। ଦାସବାବୁଙ୍କ ସ୍ତ୍ରୀଙ୍କର ପିଲାପିଲି ନଥିବାରୁ ସବୁବେଳେ ଦୁଃଖୀ ରୁହନ୍ତି । କେଉଁଥିରେ ତାଙ୍କର ନଜର ନଥାଏ।

ଦାସବାବୁ ସେଦିନ ସକାଳୁ ସକାଳୁ ପୋଷାକପତ୍ର ପିନ୍ଧି ପାର୍କକୁ ବାହାରିଲା ବେଳକୁ ଦେଖିଲେ ତାଙ୍କ ସ୍ବେଟର ରେ ଗୋଟେ କଣା। ସ୍ତ୍ରୀଙ୍କୁ ଡାକ ପକାଇଲେ ଦାସବାବୁ , "ହଇଓ ଶୁଣୁଛ ମୋ ସ୍ବେଟର କିଏ କାଟିଲା , କ'ଣ ଏତେବଡ଼ କଣା ହୋଇଛି ସେଥିରେ ।" ଦାସବାବୁଙ୍କ ପାଟି ଶୁଣି ସ୍ତ୍ରୀ ଦଉଡି ଆସିଲେ କ'ଣ ହେଲା ବୋଲି ଓ କହିଲେ "କାଲି ସନ୍ଧ୍ୟାବେଳେ ଗୋଟେ ବଡ଼ ମୂଷା ପଶିଆସିଥିଲା , ସିଏ ବୋଧେ କାଟି ଦେଇଛି । ମୁଁ ତାକୁ ଯେତେ ବାହାର କରିବାକୁ ଚେଷ୍ଟା କଲି ସେ ଏ କୋଣରୁ ସେ କୋଣକୁ ଖାଲି ଡେଇଁଲା ,ତା'ପରେ ମୁଁ ଆଉ ତାକୁ ପାଇଲିନି। " ଏତିକିବେଳେ ଗୋଟେ କୋଣରେ କୁଟୁରୁ କୁଟୁରୁ ଶୁଭିଲା । ଦୁହେଁ ଶବ୍ଦକୁ ବାରି ବାରି ଯାଇ ଦେଖିଲେ ତ ମୂଷା ବସି କାଗଜ କାଟୁଛି। ଦାସବାବୁ ଗୋଟେ ବଡ଼ ବାଡ଼ି ଆଣି ମୂଷାକୁ ବାଡେଇବାକୁ ଚେଷ୍ଟାକଲେ। ହେଲେ ମୂଷାକୁ ବାଡ଼େଇବା କ'ଣ ଏତେ ସହଜ। ସ୍ୱାମୀ ସ୍ତ୍ରୀ ଦୁହେଁ ଏମିତି ମୂଷା ପଛରେ ଗୋଡେଇ ଗୋଡେଇ ଥକିଗଲେ ହେଲେବି ବାଡେଇ ପାରିଲେନି। ବେଳ ଉଛୁର ହୋଇଗଲା ଆଉ ପାର୍କ ବି ଯାଇପାରିଲେନି ଦାସବାବୁ।

ଏପଟେ ସାଙ୍ଗମାନେ ଦାସବାବୁଙ୍କୁ ଅପେକ୍ଷା କରିକରି ଚିନ୍ତାରେ ପଡିଲେ । କାହିଁକି ଆସିଲେଣି ନାନା ଚିନ୍ତା ଘାରିଲା ତାଙ୍କୁ । ମିଶ୍ରବାବୁ କହିଲେ ଏତେ ଚିନ୍ତାକରିବା ଅପେକ୍ଷା ଚାଲ ଆମେ ତାଙ୍କ ଘର ଆଡ଼େ ଟିକେ ବୁଲି ଆସିବା। ସବୁକଥା ଜଣା ପଡିଯିବ ।

ସେମାନେ ଆସି ଦାସବାବୁଙ୍କ ଘରେ ପହଁଚିଲା ବେଳକୁ ଦାସ ଦମ୍ପତି ହାଲିଆ ହୋଇ ବସିଛନ୍ତି। ଏମିତି ଅବସ୍ଥାରେ ତାଙ୍କୁ ଦେଖି ମହାନ୍ତିବାବୁ କହିପକାଇଲେ କଣ ହେଲା ! ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀ !

ଦାସବାବୁ କହିଲେ ନାଇଁ ଚିନ୍ତାର କିଛି କାରଣ ନାହିଁ । ତା'ପରେ ମୂଷା ଉପାଖ୍ୟାନ ଗପିବାକୁ ଲାଗିଲେ। ତାଙ୍କ ସ୍ତ୍ରୀ ସମସ୍ତଙ୍କ ପାଇଁ ଚା ' ବସେଇବାକୁ ରୋଷେଇ ଘରକୁ ପଶିଗଲେ।

ସବୁ କଥା ଶୁଣି ପଣ୍ଡାବାବୁ କହିଲେ ," ବ୍ୟସ୍ତ ହୁଅନ୍ତୁନି ଆମର ମୂଷା ଧରା ଯନ୍ତା ଟିଏ ଅଛି ମୁଁ କାଲି ସକାଳୁ ଆପଣଙ୍କୁ ଆଣିଦେବି , ଆପଣ ଯନ୍ତା ବସାଇ ମୂଷାଟିକୁ ଅକ୍ଳେଶରେ ଧରି ପାରିବେ । ତାପରେ ଯେଝା ଘରକୁ ଯେଝା ଗଲେ ।

ପଣ୍ଡା ବାବୁ ଘର ଭିତରକୁ ପଶୁପଶୁ ଶ୍ରୀମତିଙ୍କୁ ଡାକ ପକାଇଲେ , " ହେଇଟି ଜାଣିଛ ଆଜି ଦାସବାବୁଙ୍କ ଘରେ ମୂଷା ପଶି ବଡ ହଙ୍ଗମା କରିଛି , ତୁମେ ଗଲ ଆମ ମୂଷା ଧରା ଯନ୍ତାଟା କେଉଁଠି ଅଛି ବାହାର କରିବ ,ମୁଁ କାଲି ସକାଳେ ତାଙ୍କୁ ନେଇକରି ଦେବି। ସେ ବିଚାରା ଭାରି ହଇରାଣ ହୋଇଛନ୍ତି ଆଜି। ମୂଷା ଟାକୁ ମାରିଲେ ସେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ , ସବୁ କାଟିକୁଟି ନଷ୍ଟ କରିସାରିଲାଣି ତାଙ୍କର।" ଘରଣୀ ସବୁ ଶୁଣି ଚୁପ ହୋଇ ଛିଡ଼ାହୋଇଥହାନ୍ତି । ପଣ୍ଡାବାବୁ ପୁଣି କହିଲେ ," ଆରେ ଠିଆଟା କ'ଣ ହୋଇଛମ ,ଯାଅ ବାହାର କରିକି ରଖ ଏବେ , ମୁଁ ସକାଳୁ ସକାଳୁ ନେଇକି ଯିବିନା , ତୁମେ ତ ଉଠି ନଥିବ ସେତେବେଳେକୁ ନା।"

ଘରଣୀ କ'ଣ କହିବେ କିଛି ଜାଣିପାରୁ ନାହାଁନ୍ତି , ସେଟା ଆଉ ଆଉ କାମରେ ନ ଆସିବାରୁ ତାକୁ ସେ ଘର ସଜେଇବା କାମରେ ଲଗେଇ ଦେଇଛନ୍ତି। କେଡେ ସୁନ୍ଦର ଫୁଲ କୁଣ୍ଡଟିଏ ତା ଭିତରେ ରଖି ପିଞ୍ଜୁରୀରେ ଶୁଆ ରଖିଲା ପରି ଟାଙ୍ଗୀ ଦେଇଛନ୍ତି ଦାଣ୍ଡଘରର ଗୋଟେ କୋଣରେ । ଘର ସଜେଇବାରେ ତାଙ୍କର ଭାରି ଦକ୍ଷତା ଅଛି , କେଉଁ ଜିନିଷ କେମିତି କେଉଁଠି ରଖିଲେ ଭଲ ଦିଶିବ ତାଙ୍କୁ ବେଶ୍ ଜଣା। କିଛି ସମୟ ଚୁପରହି ଘରଣୀ ଫୁଲେଇ ହୋଇ କହିଲେ , "ମଲା ଆମର କ'ଣ ଆଉ ମୂଷା ଯନ୍ତା ଅଛି ନା କ'ଣ , ମୁଁ ପା' ତାକୁ ଆମ ଦାଣ୍ଡଘରେ ସୋ ପିସ୍ କରି ଟାଙ୍ଗି ଦେଇଛି। ତୁମେ ଦେଖିନ ନା କ'ଣ ।" ପଣ୍ଡା ବାବୁ ଆଁ ଟା କରି ଘରଣୀଙ୍କ ମୁହଁକୁ ଚାହିଁ କହିଲେ " ତୁମେ ମୋତେ ଏ ଯାଏ ସେକଥା କହିଁନ କାହିଁକି , ମୁଁ କାଲି ଦାସବାବୁଙ୍କୁ ନେଇ ଯନ୍ତାଟା ଦେବି ବୋଲି କଥା ଦେଇ ଆସିଛି।" ଘରଣୀ କହିଲେ ," ମଲା ସେଟା ତ ଆଗରେ ଟଙ୍ଗା ହୋଇଛି ତୁମେ ଏବେ ଦେଖିନଥିବ ବୋଲି ମୁଁ କେମିତି ଜାଣିବି ବା !

ପୁଷ୍ପିତା ଭୂୟାଁ , ପ୍ରତାପନଗରୀ , କଟକ

ଫୋନ.ନଂ --- ୯୯୩୮୫୪୫୪୯୨ , ୭୯୭୮୫୨୪୮୦୬


Rate this content
Log in

Similar oriya story from Comedy