Puspita Bhuyan

Tragedy

3  

Puspita Bhuyan

Tragedy

ଅପହରଣ

ଅପହରଣ

5 mins
251



     " ଦୁଇଦିନ ହେଲାଣି ଝିଅଟିକୁ ଖୋଜିଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି। ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ , ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ ଦେଇନୁ। କିନ୍ତୁ ବାବୁ ଝିଅର କିଛି ଖୋଜ ଖବର ମିଳୁନି। ସାଙ୍ଗସାଥି କେହିବି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ। "


   କାନ୍ଦିକାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା। ଗରିବ ପରିବାର ଧନୁ ମୁଣ୍ଡାର । ସମୁଦ୍ର କୂଳ ବସ୍ତିରେ ତା ଘର। ସମୁଦ୍ରରୁ ମାଛ ମାରି ପରିବାର ପୋଷଣ କରେ। ହେଲେ ତା' ନିଜର ଡ଼ଙ୍ଗା ନାହିଁ , ଅନ୍ୟମାନଙ୍କ ସହିତ ମିଶି ମାଛ ମାରିବାକୁ ଯାଏ। ହେଲେ ଭାରି ଖୁସି ମିଜ଼ାଜିଆ ଲୋକଟା। ସମସ୍ତେ ତାକୁ ଆଦର କରନ୍ତି। ଯାହାର ଲୋକ ଦରକାର ହୁଏ ତାକୁ ଡାକିନିଅନ୍ତି।


ଦୁଃଖେ କଷ୍ଟେ ତା ପରିବାର ଚଳିଯାଏ। ପରିବାର କହିଲେ ସ୍ତ୍ରୀ ଓ ଝିଅ ସୁନା। ନା' ଯେମିତି ଝିଅଟି ସେମିତି । ଭାରି ଗୁଣର। ଗାଁ ସ୍କୁଲରେ ପାଠ ସାରି ଏଇବର୍ଷ କଲେଜ ଯାଇଛି। ଝିଅଟିର ଚାଲିଚଳନ ଆଚାର ବ୍ୟବହାର ଦେଖିଲେ କେହିବି କହିବନି ସେ ଗୋଟେ ମୂର୍ଖ ମୁଣ୍ଡା ବାପାର ଝିଅ ବୋଲି। ପାଠ ବି ଏକଦମ ଭଲ ନହେଲେବି ଭଲ ପଢୁଛି। ଗାଁ ସ୍କୁଲରୁ ଦଶମ ଶ୍ରେଣୀ ପଢ଼ିସାରି କଲେଜରେ ନା' ଲେଖେଇଛି ଏଇ ବରଷ। ସବୁଦିନ ବସରେ ବସି ସହର କୁ ପଢିବା ପାଇଁ ଯାଏ।

 

   ଧନୁ ମୁଣ୍ଡା କଲେଜ ଯାଏ ଯାଇ ବି ବୁଝାବୁଝି କରି ଫେରିଛି। କେହି ତା' ବିଷୟରେ କିଛି କହି ପାରୁନାହାଁନ୍ତି। ଧନୁ ମୁଣ୍ଡା ସ୍ତ୍ରୀର ବି ଜମା ମନ ନଥିଲା ଝିଅକୁ ସହର ଛାଡିବା ପାଇଁ। ସବୁବେଳେ କୁହେ ,"ସ୍କୁଲ ପାଠ ତ ସରିଲା , ଆଉ ପାଠ ପଢିବା କ'ଣ ଦରକାର। ଭଲ ପାତ୍ରଟିଏ ଦେଖି ବାହା ଦେଇଦେଲେ ବାପ ମା' ର କର୍ତ୍ତବ୍ୟ ସରିଯିବ। ଆମ ଜାତିରେ ଅଧିକା ପାଠ ପଢିଲେ କ'ଣ କରିବ। ଆମେ ଗରିବ ଲୋକ , ବେଶି ପାଠ ପଢିଲେ ପାଠୁଆ ଜ୍ୱାଇଁ କୋଉଠୁ ଖୋଜିବା।" ହେଲେ ଝିଅ ଜିଦି ଧରିଲା କଲେଜ ଯିବ ପାଠ ପଢିବାକୁ। ପାଠ ପଢି ଚାକିରି କରିବ। ସରକାର ପଛୁଆ ବର୍ଗର ଲୋକଙ୍କ ପାଇଁ କେତେ ସୁବିଧା କଲେଣି। ପାଠ ପଢା ସରିଗଲେ ତାକୁ ଚାକିରି ନିଶ୍ଚୟ ମିଳିଯିବ। ଝିଅ ଚାକିରି କଲେ ତା ଦୁଃଖ ନିଶ୍ଚୟ ଯିବ। ସେ ଆଉ ଏତେ କଷ୍ଟ କରି ସମୁଦ୍ରକୁ ଯିବନି ମାଛ ମାରିବାକୁ। ଧନୁ ଆଖିରେ ଆଖିଏ ସପନ। ବୁଢା ହୋଇଗଲେ ତା ଜୀବନଟା ଖୁସିରେ କଟିଯିବ। ଆଉ କେତେଦିନ ବା ସେ କାମ କରିପାରିବ। ଦେହ ମୁଣ୍ଡ ତ ଏବେଠୁ କେତେ ଖରାପ ହେଉଛି ତା'ର , ଓଷଦ ପାଣି ପାଇଁ ତା ଅଣ୍ଟାରେ କେତେ ବା ଟଙ୍କା ଅଛି।

    ଝିଅ ମନରେ ପାଠ ପଢ଼ାର ଆଗ୍ରହ ଦେଖି ଧନୁ ମୁଣ୍ଡା ଝିଅ କଥାକୁ ଭାଙ୍ଗି ପାରିନଥିଲା ସେଦିନ। ସ୍ତ୍ରୀକୁ ବୁଝାଇ କହିଥିଲା ," ଝିଅ ଯେବେ ଚାହୁଁଛି ପାଠ ପଢୁ, ପାଠ ପଢି ଚାକିରି କଲେ ଦୁଇ ପଇସା ରୋଜଗାର କରି ପାରିବ । ଆମର ବି ଦୁଃଖ କଷ୍ଟ ଯିବ। ଭଗବାନ ଯେତେବେଳେ ଜନମ ଦେଇଛନ୍ତି , ବାହାଘର ପାଇଁ ପିଲାଟିଏ ବି କେଉଁଠାରେ ରଖିଥିବେ ନିଶ୍ଚୟ ତା' ପାଇଁ , ତା' ଖୁସିରେ ଆମେ ଖୁସି ହେବା । ତୁ ଆଉ ମନ ଉଣା କରନି , ସେ ପାଠ ପଢୁ ତା'ର ଯେତିକି ଇଛା।"

    ସୁନା କଲେଜ ଯାଏ ,କଲେଜ ତରଫରୁ ତାକୁ କିଛି ସାହାଯ୍ୟ ବି ମିଳେ।ତା'ର କଲେଜ ଯାଇ ପାଠ ପଢିବାଟା କିନ୍ତୁ ସହିପାରନ୍ତିନି ସାହିର କିଛି ଲୋକ। ସବୁଦିନ ତାକୁ କିଛି ନା କିଛି କମେଣ୍ଟ କରନ୍ତି ଯିବା ଆସିବା ବାଟରେ। ସୁନା ମନ ରେ ବେଳେବେଳେ ଭୟ ବି ଆସେ। ଘରେ ଯାଇ ସବୁ କଥା କୁହେ । ଧନୁ ମୁଣ୍ଡା ତା ମନରେ ସାହସ ଦିଏ।

 କିନ୍ତୁ ଆଜି ଏମିତି ଏକ ଘଟଣା ଘଟିଛି , ସ୍ବାମୀ ସ୍ତ୍ରୀ ଦୁହିଁଙ୍କର କାନ୍ଦିକାନ୍ଦି ଅବସ୍ଥା ଖରାପ ହେଲାଣି। ସକାଳୁ ସକାଳୁ ପୋଲିସ ଷ୍ଟେସନ ଯାଇ ପୋଲିସ ବାବୁଙ୍କୁ ଗୁହାରି କରିଛି ସେ। ପୋଲିସ ବାବୁ ମଧ୍ୟ ରିପୋର୍ଟ ଲେଖି ଆଶ୍ୱାସନା ଦେଇ ଘରକୁ ପଠାଇଦେଇଛନ୍ତି।

      ପରଦିନ ପୋଲିସ ଥାନରୁ ଗୋଟେ ହାବିଲଦାର ଯାଇ ଧନୁ ମୁଣ୍ଡାକୁ ଖବର କଲା ତୋ ଝିଅର ଖବର ମିଳିଛି , ସାହେବ ଡକାଇଛନ୍ତି ଥାନାକୁ ଯିବାକୁ। ଧନୁ ମୁଣ୍ଡାର ପିଣ୍ଡରେ ପ୍ରାଣ ପସିଲା ପରି ଲାଗିଲା , ରାତି ଦୁଇଟା ଯେ କେମିତି କଟିଛି ତାଙ୍କର କେବଳ ସେମାନେ ଜାଣିଛନ୍ତି। ପାଣି ଟୋପେ ବି ତଣ୍ଟିରେ ଗଳୁନି ତାଙ୍କର ଦୁଇଦିନ ହେଲାଣି। ବସିଲା ଜାଗାରୁ ଦୁହେଁ ଉଠିକି ଥାନା ମୁଁହା ଦୌଡ଼ିଲେ , ଏବେ ଏତେ ବଳ କୋଉଠୁ ଆସିଲା ତାଙ୍କ ଦେହରେ ।

      ରାତି ପ୍ରାୟ ବାରଟା ଅସହାୟ ଅବସ୍ଥାରେ ଯୁବତୀଟି ଶୂନ୍ ଶାନ୍ ରାସ୍ତାରେ ଦୌଡୁଥିଲା , ମଝିରେ ମଝିରେ ' ମୋତେ ବଞ୍ଚାଅ , ବଞ୍ଚାଅ 'ବୋଲି ଚିତ୍କାର କରୁଥିଲା। ତା' ପଛରେ ବୁଲା କୁକୁର ଦୁଇଟା ବି ଭୋ ଭୋ ହୋଇ ଗୋଡାଉଥାନ୍ତି। କିଛି ସମୟ ପରେ ଯୁବତୀଟି ଆଖିରେ ପଡ଼ିଲା ପି ସି ଆର ଭ୍ୟାନ। ସେ ବିକଳ ହୋଇ ଭ୍ୟାନ ଆଡକୁ ଦୌଡ଼ିଲା। ପୋଲିସ ବାବୁମାନେ ମଧ୍ୟ ତାକୁ ଦେଖି ପାରିଲେ। ସେମାନେ ତାକୁ ଉଦ୍ଧାର କରି ଥାନାକୁ ନେଇଗଲେ। ସେ ଯେଉଁ ବୟାନ ଦେଲା , ତାହା ପୋଲିସ ବାବୁଙ୍କୁ ତାଜୁବ କଲା।

 

     ଝିଅଟିର ଘର ବାଲେଶ୍ୱର ଚାନ୍ଦିପୁର ଅଂଚଳର ତାକୁ ଜଣେ କେହି କଲେଜରୁ ଫେରୁଥିବା ବେଳେ ଅପହରଣ କରି ଆଣିଥିଲା ତା ଅଜାଣତରେ। ତାଙ୍କ ସାହିର କେଶବ ବସ ରେ ତା' ପାଖରେ ବସିଥିଲା ତାକୁ ବାଟରେ ବିସ୍କୁଟ ଦେଇଥିଲା ଖାଇବାକୁ । ସେ ଲୋକକୁ ଜାଣିଥିବାରୁ ସେ ବିସ୍କୁଟ ଖାଇଥିଲା। ବିସ୍କୁଟ ଖାଇବା ପରେ କ'ଣ ହେଲା ତାକୁ କିଛି ଜଣା ନଥିଲା। ହୋସ ଆସିଲା ପରେ ସେ ନିଜକୁ ଏକ ପରିତ୍ୟକ୍ତ ଘରେ ପାଇଥିଲା । ଯେଉଁଠାରେ ତାକୁ କେତେଜଣ ବଳାତ୍କାର କରୁଥିଲେ ଦୁଇଦିନ ହେଲାଣି ।  

ଲୁଗାପଟା ଚିରି ଯାଇଥିଲା , ନିଜକୁ ବହୁତ କଷ୍ଟରେ ସମ୍ଭାଳି ଉଠି ବସିଲା ସେ। ସେ ନରପିଶାଚ ମାନେ ନିଶାରେ ଚୁର ଥିଲେ । ତାର ସୁଯୋଗ ନେଇ ସେ ବଡ ସନ୍ତର୍ପଣରେ ସେଠୁ ଖସି ମେନ ରୋଡକୁ ଚାଲିଆସିଥିଲା ହେଲେ ସେ କେଉଁଠାରେ ଅଛି ତାକୁ ଜଣା ନଥିଲ। ସୁନା ପୋଲିସ ବାବୁଙ୍କ ଗୋଡ଼ ଧରି ତାକୁ ବଞ୍ଚେଇବାକୁ ବିକଳରେ ରଡି କରୁଥିଲା।

    ଘରର ଠିକଣା ବାଲେଶ୍ୱର ଚାନ୍ଦିପୁର ବୋଲି ଜଣାପଡିଲା ପରେ ସୁନାକୁ ଦାରୋଗା ବାବୁ ମହିଳା ଥାନାକୁ ପଠାଇ ଦେଇଥିଲେ। ପୋଲିସ କେଶବକୁ ଖୋଜିବାକୁ ଆରମ୍ଭ କରି ଦେଇଥିଲେ। ମହିଳା ଥାନାର ପୋଲିସ ତା' ବୟାନ ଲେଖିରଖି ,ସୁନାକୁ ଡାକ୍ତରଖାନା ପଠେଇ ଦେଇଥିଲେ ଚେକଅପ ପାଇଁ। 

     ଧନୁ ମୁଣ୍ଡା କାନ୍ଦ କାନ୍ଦ ହୋଇ ଝିଅର କ'ଣ ହୋଇଛି ବୋଲି ପୁଲିସ ବାବୁଙ୍କୁ ପଚାରିଲା।" ଝିଅ ଭଲ ଅଛି ତ ବାବୁ "! ମା'ର ଛାତିଟା ଉଠୁଥିଲା ପଡୁଥିଲା। " ତୋ ଝିଅକୁ ତୁମ ଗାଁର କେଶବ ଅପହରଣ କରି ନେଇଥିଲା ବୋଲି ସନ୍ଦେହ ହେଉଛି ତୋ ଝିଅ ବୟାନରୁ , ଏବେ ସେ ପୋଲିସ ହେପାଜତରେ ଆଉ କେଶବ ଅତି ଶୀଘ୍ର ଧରା ପଡିବ , ତୁ ବ୍ୟସ୍ତ ହୋନି ।" ପୋଲିସ ବାବୁଙ୍କ ଉତ୍ତରରେ ବାପ ମା' ଦୁହେଁ କାଠ ହୋଇଯାଇଥିଲେ।


    ଧନୁ ମୁଣ୍ଡା ତା ଝିଅକୁ ସିନା ପାଇଗଲା , ହେଲେ ଝିଅଟିର ଯେଉଁ ଅପୁରଣୀୟ କ୍ଷତି ହେଲା ତାକୁ କ'ଣ ସେ ଏ ଜନ୍ମରେ ଆଉ ପାଇପାରିବ। ପୁଲିସ ବାବୁଙ୍କୁ ନେହୁରା ହୋଇ ଧନୁ ଝିଅପାଇଁ ଗୁହାରି କରୁଥିଲା ବାରମ୍ବାର ," ବାବୁ ମୋ ଝିଅର ଅପହରଣ କାରିକୁ କଡାରୁ କଡା ଦଣ୍ଡ ବିଧାନ କରନ୍ତୁ । ସେ ମୋ ଝିଅକୁ ଯେମିତି ହୀନିମାନ କରିଛି ଭଗବାନ ତାକୁ ବି ସେମିତି ଦଣ୍ଡ ଦିଅନ୍ତୁ। "

     ସନ୍ଧ୍ୟା ଘନେଇ ଆସୁଥାଏ , ସ୍ୱାମୀ ସ୍ତ୍ରୀ ଦୁହେଁ ପୋଡ଼ା କପାଳକୁ ଧରି ବସରେ ବସିଲେ କଟକ ଯିବା ପାଇଁ । ଗରିବ ଘରର ଝିଅ ବୋଲି କ'ଣ ତା ଝିଅ ପାଠ ପଢି ସମାଜର ସ୍ରୋତରେ ସାମିଲ ହୋଇ ପାରିବନି !! ଗୋଟେ ଭଲ ଚାକିରି କରି ତା ବାପ ମା' ଙ୍କ ଦାୟିତ୍ବ ବହନ କରି ପାରିବାନି ! ଏ ପ୍ରଶ୍ନ ରେ ତା' ମନ ମୁଣ୍ଡ ଖିନ୍ ଭିନ୍ ହୋଇଯାଉଥାଏ।  ବସ୍ଟି ଯେତେ ଆଗକୁ ଆଗକୁ ଗଡି ଚାଲିଥାଏ ,ତାଙ୍କ ଆଖିରୁ ସେତିକି ସେତିକି ଲୁହ ଗଡି ଚାଲିଥାଏ। ଆଖିର ଲୁହ ରେ ତା' ଝିଅର ସ୍ୱପ୍ନ ସବୁ ଧୋଇ ହୋଇଯାଉଥାଏ ଯେମିତି।


ବିସ୍ମିତ ସାହୁ ଙ୍କର ଗଳ୍ପଆଂଶ କୁ ନେଇ ମୁଁ ଏଇ ଗଳ୍ପଟି ରଚନା କରିଛି।

ସମାଜରେ ଏପରି ଘଟଣା ଯେମିତି ନୀତି ଦିନିଆ ହୋଇଗଲାଣି। ଏ ସବୁ ଘଟଣା ଘଟାଉ ଥିବା ଓ ଘୃଣ୍ୟ କାମ କରୁଥିବା ଲୋକକୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ୍। ନାରୀ ସମାଜ କୁ ନ୍ୟାୟ ମିଳିବା ଉଚିତ୍ ।



Rate this content
Log in

Similar oriya story from Tragedy