Puspita Bhuyan

Others Tragedy

3  

Puspita Bhuyan

Others Tragedy

ଏକ ଦାଦନର କାହାଣୀ

ଏକ ଦାଦନର କାହାଣୀ

8 mins
439


ରାଜା ରାଜୁଡା ଅମଳର କ୍ରୀତଦାସ ପ୍ରଥା ଆମ ସମାଜରୁ କେତେଦିନରୁ ଉଠି ଯାଇଥିଲେ ମଧ୍ୟ ଆଜି ବି ଦେଖିବାକୁ ମିଳୁଛି ଏପରି ଅନେକ ହୃଦୟ ବିଦାରକ ଦୃଶ୍ୟ। ଯାହାକୁ ନିଜ ଆଖିରେ ନଦେଖିଲେ କି କାନରେ ନଶୁଣିଲେ କେହି ବିଶ୍ୱାସ କରିପାରିବେନି। ସରକାରଙ୍କର ଗରିବ ମାନଙ୍କ ପ୍ରତି ଏତେ ପ୍ରକାର ଯୋଜନା ଆସୁଥିଲେ ମଧ୍ୟ , ତାହା ନିରୀହ ଗରିବ ଆଦିବାସୀ ମାନଙ୍କର ଅପହଞ୍ଚ ଦୂରରେ। ଆଜି ବି ଖାଇବାକୁ ଗଣ୍ଡେ ନ ପାଇ ପେଟର ଦାଉ ସହିନପାରି ଦାଦନ ଖଟିବାକୁ ବାଧ୍ୟ ହେଉଛି ମଣିଷ। ସମାଜର କେତେକ ନିଷ୍ଠୁର ଲୋକଙ୍କ ନିକଟରେ ନିଜକୁ ନିଜ ଅଜାଣତରେ ବିକ୍ରିକରି ଦେଉଛନ୍ତି। ତା'ର ପରିଣାମ ସ୍ୱରୂପ ସେ ହେଇଯାଉଛି ଅପଙ୍ଗ ଓ କେତେବେଳେ ଶିକାର ହେଉଛି ମୃତ୍ୟୁର।

ନିଜ ପରିବାରର ପ୍ରତିପୋଷଣ ପାଇଁ କେଉଁ ପୁଅଝିଅ ଆଗକୁ ଅଣ୍ଟା ନଭିଡନ୍ତି। କେମିତି ମା' ବାପା ଭାଇ ଭଉଣୀଙ୍କ ମୁଁହରେ ହସ ଫୁଟାଇବେ ସେଇ ଚିନ୍ତାରେ ସବୁବେଳେ ମଗ୍ନ ଥାନ୍ତି। ନିଜ ଗାଁ ରେ କାମ ମିଳେନି ସେମାନେ ଖାଇବେ କ'ଣ ଚଳିବେ କିପରି। ଜମିବାଡ଼ି ବିହୀନ ଏଇ ଲୋକ ମାନଙ୍କର ଦୁର୍ଦ୍ଦଶା କହିଲେ ନସରେ।

ପରମା ଯେଉଁ ଦିନ ପର୍ଶୁଠାରୁ ଶୁଣିଲା ଯେ ସେ ଏମିତି ଜାଗା ଜାଣିଛି , ଯେଉଁଠାକୁ ଗଲେ ତାକୁ କାମ ମିଳିବ ଆଉ ତା' ବଦଳରେ ଭଲ ପଇସା ମିଳିବ, ଆଉ ସେଇ ପଇସାରେ ସେ ତା' ବାପା ମା'ଙ୍କ ଓଠରେ ହସ ଫୁଟାଇ ପାରିବ। ସେ ମନେ ମନେ ସ୍ଥିରକଲା ଗାଁ ଛାଡି ପରିବାର ଠାରୁ ଦୂରକୁ ଯିବ ପଛେ, କାମ କରି ପଇସା ରୋଜଗାର କରିବ। ପର୍ଶୁ ତାକୁ କାମ ଦେବ ବୋଲି ସବୁବେଳେ ତା'ସହିତ ବସାଉଠା କଲା ତାକୁ ଭଗବାନ ମଣିଲା। ତା' ସହିତ ସେ ଆହୁରି ଚାରି ପାଞ୍ଚ ଜଣଙ୍କୁ ନେଇ କରି ଯିବ ବୋଲି କହିଲା। ପରମାର ମନରେ ଆନନ୍ଦର ସୀମା ରହିଲାନି। ଦିନରାତି ସ୍ବପ ଦେଖିବାରେ ଲାଗିଲା।

ଯିବାର ଆଗ ଦିନ ଘରକୁ ଦଉଡି ଆସି ପରମା ତା'ର ମା'କୁ ଡାକ ପକାଇଲା । ମା' ତା'ର ଖୁସି ଦେଖି ପଚାରିଲା , "ଆଜି ତୋର କ'ଣ ହୋଇଛି ଏତେ ଖୁସିର କାରଣ କ'ଣ ? " ପରମା ଗଦ ଗଦ ସ୍ୱରରେ କହିପକାଇଲା , " ମା' ପର୍ଶୁ ଭାଇ ଆମ ଗାଁର ପାଞ୍ଚ ଜଣଙ୍କୁ ନେଇ କୋଠମାଲରେ କାମରେ ଲଗେଇ ଦେବ ସେଠିକା ମାଲିକଙ୍କ ସଙ୍ଗେ ତା'ର ଜଣା ଶୁଣା ଅଛି। " ମା' ସେଦିନ ଏକ ଅଜଣା ଆତଂକରେ ଆତଙ୍କିତ ହୋଇ କହିଥିଲା , " ପୁଅ ତୁ ଏତେ ବାଟ ଯିବୁ ଅଜଣା ଜାଗା ଆମେ କେମିତି ତୋ ଖବର ପାଇ ପାରିବୁ। " ପରମା ସେ ଦିନ ଛାତି ଫୁଲାଇ କହିଥିଲା ," ତୁ ବ୍ୟସ୍ତ ହୋନି ମା' ମୁଁ କାମ କରି ପଇସା ରୋଜଗାର କରିବି , ଆମେ ଦୁଇ ଓଳି ଠିକ୍ ରେ ଖାଇବାକୁ ପାଉନେ ଘରେ ବସିଲେ କ'ଣ ଖାଇବାକୁ ମିଳିବ ! ମୁଁ ଦୂରକୁ ଯାଇ ଯଦି କିଛି ରୋଜଗାର କରିପାରିବି ତେବେ କ୍ଷତି କ'ଣ? ତା ଛଡା ଆମ ଗାଆଁରେ ତ କାମ ଦାମ ନାହିଁ। ମୁଁ ଏମିତି ଘରେ ବସି ହଇରାଣ ରେ ବଞ୍ଚିବା ଅପେକ୍ଷା ମୁଁ ବରଂ ବାହାରକୁ ଯାଏ। ତୁ ମନା କରନି ମା' , ବିମଳ , ରାମ, ରାଜୁ , ମଦନା କାକା ଆମେ ପାଞ୍ଚ ଜଣ ମିଶିକରି ଯିବୁ। ତେଣୁ ଡର ଆଉ କ'ଣ !" ମା' ସେଦିନ ଆଖିରୁ ଲୁହ ପୋଛି ପୁଅକୁ ପାଖରୁ ଛାଡିବାକୁ ଇଛା ନଥିଲେ ମଧ୍ୟ ବାଧ୍ୟ ହୋଇଥିଲା ହଁ କରିବାକୁ।

ପରମା ଅନ୍ୟ ଚାରିଜଣଙ୍କ ସହିତ ମିଶି ବେଶ ଖୁସିରେ ପର୍ଶୁଭାଇ ସହିତ ବାହାରି ପଡିଥିଲା ଭବିଷ୍ୟତ ଆଶାରେ । ସ୍ୱପ୍ନ ଦେଖିବାକୁ କାହାକୁ ଭଲ ନଲାଗେ। ଦିନେ ସେମାନେ ଘରକୁ ଫେରିବେ ଢେର ପଇସା ନେଇ ଆଉ ତା'ର ମା' ବାପାଙ୍କ ମୁଁହ ରେ ହସ ଦେଖିବେ । ଅଭାବ ଅସୁବିଧା ତାଙ୍କର ଦୂରେଇ ଯିବ। ରାଣୀକୁ କଥା ଦେଇଛି ବହାହେବ ବୋଲି। ରୋଜଗାର ନଥିବାରୁ ନିରୁପାୟ ହୋଇ ରହିଛି। ଏବେ ସେ ରୋଜଗାର କରି ଗାଁକୁ ଫେରିବ ଆଉ ଦମ୍ଭର ସହିତ ଛାତି ଫୁଲାଇ ରାଣୀକୁ ଘରକୁ ବୋହୂ କରି ଆଣିବ। ମା' ମୁହଁରେ ବିଷାଦର ଛାୟା ଦୂରେଇ ଯିବ ସବୁ ଦିନ ପାଇଁ । ରାତି ପାହିଲେ ସମସ୍ତଙ୍କୁ କ'ଣ ଖୁଆଇବ ଚିନ୍ତା ଦୂରେଇ ଯିବ ।

ସେଦିନ ସେମାନେ ପର୍ଶୁ ସହିତ ଯାଇ ପହଞ୍ଚିଥିଲେ କୋଠମାଲ ଗାଁରେ। ପର୍ଶୁ ସେମାନଙ୍କୁ ମାଲିକ ସହିତ ଭେଟ କରାଇ ଫେରି ଆସିଥିଲା। ମାଲିକର ଦୁଇଟି ଲୋକ ସେମାନଙ୍କୁ ନେଇ ଗୋଟେ ଛୋଟ ନଡାଛପର ଇଟାଘର ଦେଖାଇ ସେଇଠି ରହିବା ପାଇଁ କହିଥିଲେ ଓ କାଲି ସକାଳୁ ତୁମକୁ କାମ ଯୋଗାଇ ଦିଆ ଯିବ ବୋଲି କହି ସେଠାରୁ ପଳାଇଥିଲେ। ଖାଇବାର କିଛି ବ୍ୟବସ୍ଥା ନଥିଲା ସେଠି କେବଳ ଗୋଟିଏ ପାଣି ମାଠିଆ ରଖାଯାଇଥିଲା। ପାଞ୍ଚଜଣ ଯାକ ପାଖରେ ଥିବା ବିସ୍କୁଟରୁ କିଛି ଖାଇ ମାଠିଆରୁ ପାଣି ପିଇ ଶୋଇଯାଇଥିଲେ। ରାତି ପାହିଲେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହେବ । ନିରୀହ ଆଦିବାସୀ ଲୋକ ଖଟିବେ ତା' ବଦଳରେ ଯେଉଁ ପାରିଶ୍ରମିକ ପାଇବେ ତାହା ତାଙ୍କ ପାଇଁ ହେବ ଅମୃତ ତୁଲ୍ୟ। ଦରମା ପାଇବା କ୍ଷଣି କିଛି କିଛି ଘରକୁ ପଠାଇଦେବେ। କିନ୍ତୁ କିଏ କାଲି ଦେଖିଛି , କାଲି କ'ଣ ହେବ କିଏ ଜାଣିଛି। ମାଲିକ କହିଛି ଭଲ କାମ କଲେ ତାଙ୍କୁ ବିଶାଖାପାଟଣା ପଠାଇବ ଆହୁରି ଭଲ କାମ ଦେବ ସେଠି। ଭଲ କାମକୁ ଭଲ ପଇସା ତ ନିଶ୍ଚୟ ମିଳିବ। ଗରିବ ଲୋକ ପାଇଁ ସେଇଟା ବହୁତ ବଡ଼ ,ସେ ବେଶି ଆଶାକରେନି କେବେ।

ମନରେ କେତେ କ'ଣ ଭାବନା ସହିତ ରାତି ପାହିଥିଲା ସେମାନଙ୍କର ସେଦିନ। ସକାଳୁ ମାଲିକର ଦୁଇ ଲୋକ ଆସି ସେମାନଙ୍କୁ ଇଟା ଭାଟିକୁ ନେଇଯାଇଥିଲେ। ଇଟାଭାଟିରେ ମନ ଲଗାଇ ସେମାନଙ୍କ ପାରୁ ପର୍ଯ୍ୟନ୍ତ କାମ କରିବାକୁ ଲାଗିଲେ। ଚାରିଦିନ ବିତିଯାଇଥିଲେ ବି ସେମାନଙ୍କର କିଛି ଖାଇବା ବ୍ୟବସ୍ଥା କରି ନଥିଲେ ମାଲିକର ଲୋକମାନେ। ସେଇ ବିସ୍କୁଟ ଖାଇ ସେମାନଙ୍କୁ ଭୋକ ମେଣ୍ଟାଇବାକୁ ପଡୁଥାଏ। ଖାଇବା କଥା କହିଲେ କିଛି ବିସ୍କୁଟ ପ୍ୟାକେଟ ମିଳୁଥିଲା ତାଙ୍କୁ। ହେଲେ ଭେଣ୍ଡିଆ ଲୋକ ଗୁଡା ବିସ୍କୁଟ ଖାଇ ପାଣି ପିଇ କେତେଦିନ ରହି ପାରିବେ ! ଦିନ ପରେ ଦିନ ବିତିବାକୁ ଲାଗିଲା , ମାସ ବିତିଲା । ମାଲିକଙ୍କୁ ପଇସା ମାଗିବାକୁ ଗଲେ ସେମାନେ , ହେଲେ ମାଲିକ ସେମାନଙ୍କୁ ପାଞ୍ଚଶହ ଟଙ୍କା ଧରେଇ ଦେଇଥିଲା। ଏତେ କମ୍ ପଇସା ,ଆଉ ପଇସା କାହିଁକି ଦେଉନାହାନ୍ତି ପଚାରିବାରୁ , ପଇସା ବଦଳରେ ମାଡ଼ ମିଳିଥିଲା ତାଙ୍କୁ। ଯାଇ କାମ କର ବୋଲି ତାଗିଦ କରିଥିଲା ମାଲିକ। ଖାଇବା ବିନା ସମସ୍ତଙ୍କର ଦେହ ଖରାପ ହେଲା ସେଥିରେ ପୁଣି କାମ , କାମ ନକଲେ ମାଡ଼ , ଜୀବନ ଦୁର୍ବିସହ ହେବାକୁ ଲାଗିଲା। ହାତଗୋଡ଼ ଅବସ ହୋଇ ଚାଲିବାକୁ ବଳ ପାଇଲାନି। ସେଥିରେ ପୁଣି କାମ ନକଲେ ମାଡ଼ର ଭୟ। ପଇସା କଥା କହିଲେ , ମାଲିକ କୁହେ ମୁଁ ପର୍ଶୁକୁ ପଇସା ଦେଇସାରିଛି। ମୁଁ ଟଙ୍କା ଖର୍ଚ୍ଚ କରିଛି ମାନେ ମୋତେ କାମ ଦରକାର। ନିରୀହ ଆଦିବାସୀଙ୍କର ଆଉ କିଛି ଉପାୟ ନଥିଲା କାମ କରିବା ଛଡା। ମନେମନେ ଭାବନ୍ତି ସତରେ କ'ଣ ପର୍ଶୁ ସେମାନଙ୍କୁ ମାଲିକକୁ ବିକ୍ରି କରି ଦେଇଛି ତାଙ୍କ ଅଜାଣତରେ ଆଉ ପଇସା ନେଇ ଯାଇଛି। ବିଶ୍ୱାସ ହୁଏନି ତାଙ୍କ ଗାଁର ପର୍ଶୁଭାଇ ନିଜ ପରି ,ସେ କେମିତି ତାଙ୍କ ସହିତ ବିଶ୍ୱାସ ଘାତ କରିପାରିବ। ମନ ତାଙ୍କର ବିଦ୍ରୋହ କରି ଉଠେ , ଦିନେ ସାହସ ସଞ୍ଚୟକରି ସେମାନେ ମାଲିକଙ୍କୁ କୁହନ୍ତି ତାଙ୍କୁ ପର୍ଶୁଭାଇ ସହିତ କଥା କରେଇ ଦିଅନ୍ତୁ ଓ ସେମାନେ ଘରକୁ ଯିବାକୁ ଚାହାଁନ୍ତି ତାଙ୍କ ପଇସା ହିସାବ କରିଦିଅନ୍ତୁ। ମାଲିକ ସେଦିନ ଗର୍ଜନ କରି ଉଠିଥିଲା ଓ ପର୍ଶୁକୁ ଫୋନ କରି ଗାଳି କରିଥିଲା। " ତୁ ପଇସା ନେଇଗଲୁ ଆଉ ଏମାନେ କାମ ନକରି ଘରକୁ ବହାରିଲେଣି , ନେ ତାଙ୍କ ସହିତ କଥା ହୋ ।" ଫୋନ ଟି ଧରାଇ ଦେଇଥିଲା ମଦନାକୁ । ମଦନାକାକା ଫୋନ ଧରି ନେହୁରା ହେଲାବେଳକୁ ସେପଟୁ ଫୋନଟି କାଟି ଦେଇଥିଲା ପର୍ଶୁ। ସେମାନେ ଯେ ମାଲିକ ପାଖରେ ବିକ୍ରି ହୋଇଯାଇଛନ୍ତି ଏକଥା ସ୍ପଷ୍ଟ ଭାବରେ ଜାଣି ତାଙ୍କ ପାଦତଳୁ ମାଟି ଖସିଗଲା ପରି ଲାଗିଥିଲା। ସେମାନେ ଏବେ ବନ୍ଦୀ , ନା ଘରକୁ ଯାଇ ପାରିବେ ନା ଘର ଖବର ପାଇ ପାରିବେ। ସେପଟେ ତାଙ୍କ ପରିବାର ଲୋକ ତାଙ୍କ ଫେରିବା ବାଟକୁ ଚାହିଁବସି ଥିବେ।

ଏ କଥା ଭାବିଲା ବେଳକୁ ମୁଣ୍ଡ ଝାଇଁ ଝାଇଁ ମାରିଲା ସେମାନଙ୍କର। ପାଞ୍ଚଜଣ ଯାକ କାନମୁଣ୍ଡା ଆଉଁସି ପୁଣି କାମରେ ଲାଗିଥିଲେ। ହେଲେ ମନରେ ଆଉ ସେ ସରାଗ ନଥିଲା। ଖାଲି ପାଣି ପିଇ ପିଇ କ'ଣ ମଣିଷ କାମ କରି ପାରିବ ! କାମ ନକଲେ ମାଡ଼ । ମାଡ଼ ଖାଇ ଖାଇ ଦେହ ମୁଣ୍ଡ ଦରଜ। ନିଜ ନିଜ ଭାଗ୍ୟକୁ ନିନ୍ଦି ବାକୁ ଲାଗିଲେ। ଦିନେ ରାତିରେ ପାଞ୍ଚଜଣ ଯାକ ଠିକ୍ କଲେ ସେଠାରୁ ଲୁଚିକି ପଳାଇବେ ନହେଲେ ଖାଇବା ବିନା କାମ କରି କରି ମରିଯିବେ। ମନରେ ଡର ଲାଗିରହୁଥାଏ ଯଦି ଧରା ପଡିବେ ତେବେ କ'ଣ ହେବ ତାଙ୍କ ଅବସ୍ଥା। ରାତିର ଅନ୍ଧାରରେ ସେମାନେ ଲୁଚି ଲୁଚି ଯାଇ ଷ୍ଟେସନ ରେ ପହଁଚିଥିଲେ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ମାଲିକ ସେମାନଙ୍କୁ ଝୁମ୍ପୁଡିରେ ନପାଇ ତା'ର ଦୁଇ ଚମଚାଙ୍କୁ ଧରି ସେଠାରେ ପହଞ୍ଚିଗଲା। ସେମାନଙ୍କୁ ସେଠାରେ ଦେଖି ତା' ରାଗ ପଞ୍ଚମକୁ ଉଠିଗଲା। ଦୌଡା ଦଉଡି ମଧ୍ୟରେ ପରମା ଓ ମଦନା ସେମାନଙ୍କ ହାତରେ ଧରା ପଡି ଯାଇଥିଲେ। ଅନ୍ୟମାନେ ଖସି ପଳେଇବାରେ ସଫଳ ହୋଇଥିଲେ। ସେମାନଙ୍କ ଉପରେ ବସିଥିଲା ନିର୍ଘାତ ପ୍ରହାର। ଏଦୁଇ ଜଣଙ୍କୁ ନେଇ ନଜର ବନ୍ଦୀ କଲେ। ତା' ପରଦିନ ସେମାନଙ୍କୁ ନେଇ ଧାନକଟା ରେ ଲଗାଇଥିଲେ ଅନ୍ୟଜାଗାରେ। ଦିନବେଳା ଓଳିଏ ଗଣ୍ଡାଏ ଭାତ ଡାଲମା ଖାଇବାକୁ ଦିଅନ୍ତି , ସେଥିରେ ବି ସେମାନଙ୍କ ପେଟ ପୁରେନି । ଏମିତି ଚାଲିଲା କିଛି ଦିନ।

ମାଲିକ ଓ ମାଲିକର ଦୁଇ ଚମଚାଙ୍କୁ ଡରି ଡରି କିଛିଦିନ ବିତିଯାଇଥିଲା ସେମାନଙ୍କର। ଦେଖିଥିବା ସ୍ବପ୍ନ ସବୁ ପାଣି ଫୋଟକା ପରି ମିଳାଇ ଯାଇଥିଲା ଆଖି ସାମନାରେ। କିନ୍ତୁ ମନରେ ବିଦ୍ରୋହ ବଢି ବଢି ଚାଲେ। ସବୁବେଳେ ମଉକାର ଅପେକ୍ଷାରେ ଥାଆନ୍ତି ଦୁଇଜଣ ଯାକ। ଏପଟେ ଡର ସେପଟେ ବିଦ୍ରୋହ। ମାଲିକର ତୀକ୍ଷ୍ମ ନଜର ତାଙ୍କ ଉପରେ। ମାଲିକର ଦୁଇ ଚମଚା ଗୋଡେ ଗୋଡେ ଜଗନ୍ତି ସେ ଦୁଇ ଜଣଙ୍କୁ। ବେଳେବେଳେ ବିଧା ଗୋଇଠା ଖାଇବାକୁ ପଡେ ବିନା କାରଣରେ। ଗୋଟେ ଦିନରେ ଦୁଇଦିନର କାମ ଆଦାୟ କରନ୍ତି। ନିଜ ଆଖିର ଲୁହ ନିଜେ ପିଇ କାମରେ ଲାଗି ପଡନ୍ତି। ଭଗବାନଙ୍କୁ ଡାକନ୍ତି କେମିତି କୋଉଁଦିନ ଏ ଚକ୍ରବିହ୍ୱରୁ ମୁକ୍ତି ମିଳିବ ତାଙ୍କୁ।

ମଣିଷ ଏତେ ନିଷ୍ଠୁର କେମିତି ହୋଇପାରେ ! ଏମାନଙ୍କ ମଧ୍ୟରେ କ'ଣ ମାନବୀୟତା ନାହିଁ ! ଭଗବାନଙ୍କ ସୃଷ୍ଟିରେ ସବୁ ମଣିଷ ତ ସମାନ ସମସ୍ତଙ୍କର ଇଚ୍ଛା ଅଛି ଆଶା ଅଛି , କିନ୍ତୁ ଏମାନେ କାହିଁକି ତାଙ୍କ ଉପରେ ଦାଉ ସାଝୁଛନ୍ତି। ପରମା ଭାବି ଭାବି ଲୁହ ଗଡ଼ାଏ। କିନ୍ତୁ ତାଙ୍କୁ ଆହା ପଦେ କହିବାକୁ ତାଙ୍କ ପାଖେ କେହି ନଥାନ୍ତି କି ତାଙ୍କ ଆଖିର ଲୁହ ପୋଛିବାକୁ କେହି ନଥାନ୍ତି। ମା' କଥା ତା'ର ଭାରି ମନେପଡେ। ସେଦିନ ଯଦି ସେ ମା' କଥା ମାନିଥାନ୍ତା! ଲୁହକୁ ଗାମୁଛାରେ ପୋଛି ମଦନ କାକା ପାଖକୁ ଟିକେ ଘୁଞ୍ଚି କରି ଶୁଏ। ଦୁହେଁ ଦୁହିଁଙ୍କ ଭରସା।

ଦିନେ ପରମା କହିଲା ," କାକା ଯାହା ବି ହୋଇଯାଉ ଆମେ ଆଉ କାମ କରିବାନି। ଏମିତି ମାଡ଼ ଖାଉଛେ ସେମିତିବି ଖାଇବା।" ସେମାନେ ଆମକୁ ଜୀବନରୁ ମାରିଦେବେ ପରମା , "ମଦନା ବୁଝେଇବାକୁ ଚେଷ୍ଟା କଲା।

"ଜୀବନରୁ ମାରି ଦିଅନ୍ତୁ ପଛେ ମୁଁ ଆଉ କାମ କରିବିନି । ନହେଲେ ମୁଁ ଯାଇ ଟ୍ରେନ ଲାଇନ୍ ରେ ଶୋଇ ପଡିବି । "

ସେଦିନ ମାଲିକ ଓ ତା' ଲୋକମାନେ ଟିକେ ଦୂରରେ ବସି ମଦ ମାଂସ ର ଆସର ଜମାଇ ଥିଲେ। ଏମାନଙ୍କ କଥା ତାଙ୍କ କାନରେ ପଡିଗଲା , ସବୁବେଳେ ତ ତାଙ୍କ ନଜର ଏମାନଙ୍କ ଉପରେ ଥିଲା। ମାଲିକ ନାଲି ଆଖି କାଢି ଏମାନଙ୍କ ଆଡକୁ ମାଡି ଆସିଲା। ଆଉ ତା'ର ସେ ଡାହାଳ ପରି ଲୋକ ଦୁଇଟାଙ୍କୁ ଆଦେଶ ଦେଲା ," ଏ ଦୁଇଟା ପଳାଇବା ପାଇଁ ଏତେ ବ୍ୟଗ୍ର ହେଉଛନ୍ତି ,ତାଙ୍କୁ ଏମିତି ମାଡ଼ ଦିଅ ଆଉ ସେ ଉଠି ପାରିବେନି ଆଉ ତାଙ୍କ ଡାହାଣ ହାତ ଦୁଇଟି କାଟି ଦିଅ।" ସତକୁ ସତ ସେମାନେ ମଣିଷତ୍ୱ ଭୁଲି ହିଂସ୍ର ପାଲଟି ଯାଇଥିଲେ। ଆଗ ମଦନାର ହାତ ପାପୁଲିକୁ ସେମାନେ ପରମା ଆଖି ସାମ୍ନାରେ କାଟି ଦେଇଥିଲେ ଏକ ତିଖ୍ଣ ଛୁରିରେ , ଆଉ ତା' ପରେ ପଡିଲା ପରମାର ପାଳି । ଯନ୍ତ୍ରଣାରେ ତଳେ ପଡି ଛଟ ପଟ ହେବାକୁ ଲାଗିଥିଲେ ଦୁଇ ଜଣ ଜାକ। ସେମାନେ ଅଟ୍ଟହାସ୍ୟ ଦେଇ ସେ ଜାଗାରୁ ଚାଲି ଯାଇଥିଲେ। ରକ୍ତ ଜୁଡୁବୁଡୁ ହାତକୁ ଗାମୁଛାରେ ଗୁଡ଼ାଇ ଘୁସୁରି ଘୁସୁରି ସେ ଜାଗାରୁ ଆସି ରାସ୍ତାକଡ଼ ଦୋକାନରେ ପହଞ୍ଚିଥିଲେ ଦୁହେଁ ।

ଦୋକାନୀର ମାଲିକ ଥିଲା ଜଣେ ସହୃଦୟ ବ୍ୟକ୍ତି। ଅରକ୍ଷିତ କୁ ଦଇବ ସାହା ପରି ସେ ସେମାନଙ୍କୁ ସାହା ହେଲା। ବହୁତ ରକ୍ତ ବୋହି ଯାଇଥିଲା ,ତେଣୁ ସେ ଦୁଇଟି ଜରି ସାହାଯ୍ୟରେ ହାତକୁ ଗୁଡ଼ାଇ ଦେଲା , ତାପରେ ସେମାନଙ୍କୁ ଭବାନୀପାଟଣା ଯାଉଥିବା ଏକ ବସରେ ଚଢାଇ ଦେଇଥିଲା । ଯନ୍ତ୍ରଣା ଜର୍ଜରିତ ହାତକୁ ଧରି ବହୁତ କଷ୍ଟରେ ଭବାନୀପାଟଣା ଯାଇ ,ସେଠିକା ମେଡିକାଲରେ ପହଁଚିଲେ ଓ ଡାକ୍ତରୀ ଉପଚାର କରିଥିଲେ। ଜୀବନ ସିନା ବଞ୍ଚିଗଲା ହେଲେ ସେମାନେ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଗଲେ। ଥାନାରେ ଅଭିଯୋଗ କଲା ପରେ ମାଲିକ ଓ ତା' ଦୁଇ ଚମଚା ଧରାହେଲେ।

ନିମିଷକେ ଘଟଣା ପ୍ରଚାର ହୋଇ ତାଙ୍କ ଗାଁରେ ପହଁଚିଥିଲା। ଯେଉଁ ହାତକୁ ନେଇ ଦମ୍ଭର ସହ ପରିବାରର ସାହାରା ହେବା ପାଇଁ ବାହାରିଥିଲେ ମନରେ ଅସୁମାରୀ ସ୍ବପ୍ନନେଇ , ସବୁ ଆଶା ଆକାଂକ୍ଷା ତାଙ୍କର ମଉଳି ଯାଇଥିଲା ରାକ୍ଷସ ମାନଙ୍କର ନାରକୀୟ କାଣ୍ଡରେ । "କଟାହାତ ନେଇ ଆଉ କାହାର ସାହାରା ହେବୁ ଏବେ ଆମେ ନିଜ କାମ କରିବାପାଇଁ ଅସମର୍ଥ , ଆମେ ଅକର୍ମଣ୍ୟ " ପରମା କାନ୍ଦି କାନ୍ଦି ସମସ୍ତଙ୍କୁ କହୁଥାଏ।

ଏ ହୃଦୟ ବିଦାରକ ଦୃଶ୍ୟ ଦେଖିଲେ କିଏ ବା ଆଶ୍ଚର୍ଯ୍ୟ ଚକିତ ନହେବ । ଏମାନଙ୍କୁ ନର ମାଂସ ଭକ୍ଷକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅମାନବୀୟତାର ଚରମ ସୀମାର ନିଶ୍ଚକ କାହାଣୀ। ଏମିତି ଘଟଣା ଆମ ସମାଜରେ ଅନେକ ଘଟୁଛି , ପରମା ପରି ଅନେକ ନିରୀହ ମଣିଷ ଏଥିରେ ବଳି ପଡୁଛନ୍ତି। ନିଜ ଜାଗାରେ ଯଦି ଲୋକଙ୍କୁ ଅଧିକରୁ ଅଧିକ କାମ ମିଳିବ ତେବେ ଲୋକେ ଆଉ ଦାଦନ ଖଟିବାକୁ ବାହାରକୁ ଯିବେନି।

ପୁଷ୍ପିତା ଭୂୟାଁ , ପ୍ରତାପନଗରୀ , କଟକ


Rate this content
Log in