Lopamudra Parida

Abstract Action Inspirational

3  

Lopamudra Parida

Abstract Action Inspirational

ମୁଁ ଗଛ କାନ୍ଦୁଛି

ମୁଁ ଗଛ କାନ୍ଦୁଛି

3 mins
210


ଗୋଟିଏ ଗଛ ମୂଳେ ଚାରୋଟି ଜୀବ ଠିଆ ... ବାଳକ,ବୃଦ୍ଧ,ନାନୀ ଓ ଯୁବକ ।ଗଛ ତାର ଶାଖାପ୍ରଶାଖା ମେଲି ଦେଇଚାଲିଛି ଅନନ୍ତ ଛାୟା ପ୍ରଶାନ୍ତ ମନରେ ।ତା' ଡାଳରେ ତ ଚଢେଇଠୁ ଯେ ଗୁଣ୍ଡୁଚି ଯାଏଁ ସାପଠୁ ଯେ ପେଚା, ଶାଗୁଣା ଯାଏ ସମସ୍ତଙ୍କ ଘର ,ଯିଏ ଯେତେ ବେଳେ ମୁଣ୍ଡ ଗୁଞିବାକୁ ଥାନ ଖୋଜିଛି ତା'ଠି ସେ ଅକୁଣ୍ଠ ଚିତ୍ତ ରେ ହାତ ବଢେଇଛି ।ଚାରିପାଖକୁ ଘେରେଇଥିବା ତାର ବିରାଟ ଚେର ,ଓହଳ,ଡାଳ ସବୁ ମିଶି ତାକୁ ମହାଦ୍ରୁମ କରିଛନ୍ତି ସତ ହେଲେ ସେ ନମ୍ର ।ସେ ତା ଫଳ,ଫୁଳରେ ନଇଁ ରହିଛି ଅନବରତ ।କେତେ ୠତୁ ଆସୁଛି ଯାଉଛି, ପତ୍ରଝଡା ଠୁ ଯେ ବସନ୍ତ ଯାଏ ସେ କିନ୍ତୁ ନିର୍ବିକାର ହେଇ ଠିଆ ହେଇଠି ସେଇଠି ମୂଳକୁ ଜଡେଇ ।ସେ ଭୋଗୁଛି ସମୟ କୁ ଯୁଗଯୁଗାନ୍ତରୁ, ଟାଣି ଚାଲିଛି ।ସବୁ ସମସ୍ତେ ସମାନ ଥିବା ବେଳେ ସିଏ ଆଶ୍ଚର୍ଯ୍ୟ ହେଇଛି ଏଇ ମଣିଷ ଟିକୁ ଦେଖି ।ଆଜି ଏଇ ଚାରିଜଣ ଯୋଉ ଠିଆ ହେଇଛନ୍ତି ତା' ମୂଳରେ ସାମୟିକ ଆଶ୍ରା ଟୋପେ ପାଇଁ ସେ ଏମାନଙ୍କୁ ଚିହ୍ନେ ।କେତେ କାଳରୁ ଏଇ ମାନେ ହିଁ ଆସୁଥାନ୍ତି ।ଏଇ ତ ସେଦିନ ସତ୍ଯଯୁଗ ଚାଲିଥାଏ, ମୋ ଡାଳରେ କପୋତି କପୋତ ହଳି ଖେଳୁଥାନ୍ତି ।ଜଣଙ୍କ ପରେ ଜଣେ ଏଇମାନେ ଆସିଲେ ।ସମସ୍ତେ ସଭିଙ୍କୁ ସାଦରେ ଆଦର କଲେ ।ଏଇମିତି ବର୍ଷା କମିବାର ନାଁ ନେଉ ନ ଥିଲା, ଠିକ୍ ଆଜିପରି ଏମାନେ ଏକ ସଙ୍ଗେ ହେଲେ କ୍ଷୁଦାରେ ଆର୍ତ୍ତ ।ଫଳ ଟିଏ ଥିଲା କେବଳ ଜଣଙ୍କଠି .....ଯୁବକ ଠି ।ସେ ଜଣଙ୍କ ପ୍ରଥମେ କାହାକୁ ଦେବ କି ନିଜେ ଭକ୍ଷିବ ବିଚାରକୁ ନେଉ ନେଉ ସିଦ୍ଧାନ୍ତ ରେ ପହଞ୍ଚିଲା ଯେ ନାରୀ ହିଁ ଏ ସଚରାଚରେ ଯେ କୌଣସି  ବିଷମ ସମସ୍ଯା କୁ ପାରେ, ସେ ହି ମୋକ୍ଷ ଦାତ୍ରି ଯୁଗେ ଯୁଗେ ...... ଏବଂ ମୋର ଅନୁରାଗ ତ ଅବ୍ଯକ୍ତ ।ମୂହୁର୍ତ୍ତକରେ ଫଳଟି ନାରୀଟିର ହାତରେ ଥିଲା ।ନାରୀଟି ଚିନ୍ତା କଲା ବୃଦ୍ଧଙ୍କୁ ଦିଆଯାଉ ଫଳଟି ଯେହେତୁ ବୟସ୍କ ଓ କ୍ଷୀଣଶରୀର ତେବେ ବର୍ଷା ଶେଷ ଯାଏ ସେ ସୁସ୍ଥ ରୁହନ୍ତୁ ଅନ୍ତତଃ ପୁଣି ପର ମୂହୁର୍ତ୍ତରେ ମାତୃସୁଲଭତା ଗୁଣେ ସୁନ୍ଦର ମନଟି ଶିଶୁ ଟି ପାଇଁ ଦ୍ରବିଭୂତ ହେଲା ସତସହସ୍ର ସ୍ନେହ କୁସୁମରେ ..... ତଥାପି ତା' ବୁଦ୍ଧି ତାକୁ ବୃଦ୍ଧ ଙ୍କୁ ଦେବାକୁ ବତେଇଲା  ।ବୃଦ୍ଧ ହସ୍ତରେ ଫଳଟି ଧରି ଭକ୍ଷିବାକୁ ଉଦ୍ଯତ ହୁଅନ୍ତେ ତାଙ୍କ ନଜର ପଡିଲା ଶିଶୁବାଳକ ଟିର ନିଷ୍ପାପ ସରଳ ମୁହଁ ଟି ଉପରେ .... କରୁଣାର୍ଦ ହେଲା ବିବେକ ।ସେ ଚିନ୍ତିଲେ ଶିଶୁ ଈଶ୍ବର, ଆହା କି ଅଧର୍ମ ଯଦି ମୁଁ ଶିଶୁ ଟିକୁ ଅଭୁକ୍ତ ରଖି ନିଜ ସ୍ବାର୍ଥ ଦେଖେ ।ସେ ବାଳକଟିକୁ ପାଖକୁ ଡାକି ତା ହାତରେ ଫଳଟି ଦେଲେ, କହିଲେ " ବାପାରେ ତୁ ଏଇଟି ଖାଇନେ ।ମୋର କଣ ଅଛି! ମୁଁ ତ ଶୁଖିଲା ପତ୍ର, ଦଲକାଏ ମାତ୍ର ପବନର ଜୀବନ ନେଇ ଶାଖାରେ ଝୁଲିଛି ।କେତେ ବେଳେ ଝରିଯିବି କିଏ କହିବ ! କିନ୍ତୁ ତୁ ଈଶ୍ବର, ଆଗାମୀ ସକାଳ ।ତୁ ତିଆରିବୁ ସକଳ ଧରଣୀ ର ଜାତକ ତୋର କର୍ମ ରେ ।ରଚିବୁ ନୂତନ ଇତିହାସ ତୋ କର୍ମଫଳ ରେ ।ନେ ବାପା ନେ ।" ଶାନ୍ତ କୋମଳ ବାଳକ ଟି ଏକ ଅଦ୍ଭୁତ ଦିବ୍ୟ ହସରେ ଉଦ୍ଭାସିତ ହୋଇଉଠିଲା ଓ ଫଳଟି ବୃଦ୍ଧ ଙ୍କ ହାତରୁ ନେଇ ତଳେ ପଡିଥିବା ପଥରରେ ଭାଙ୍ଗି ଚାରିଖଣ୍ଡ କଲା ଓ ନିଜେ ଜଣ ଜଣ ଙ୍କ ପାଖକୁ ଯାଇ ହାତରେ ଥମେଇ କହିଲା, "ନିଅନ୍ତୁ ଏହା ଆପଣଙ୍କ ପାଇଁ " ।ସେତେବେଳେ ମୁଁ ଭାବୁଥିଲି ,ହେ ଈଶ୍ବର ମତେ ବଟ ନ କରି ଆମ୍ର କାହିଁ ନକଲ? ହୋଇଥାନ୍ତା ଯଦି ମୁଁ ମୋ ରସାଳ ଫଳରେ ଏ ସତ୍ ସଭିଁଙ୍କ ଉଦରକୁ ଭରି ଦେଇଥାନ୍ତି ।ଆହା ସତରେ ତୁମ ମଣିଷ ଅଦ୍ବିତୀୟ ।ସର୍ବ ଶ୍ରେଷ୍ଠ ।କେତେ ତ୍ଯାଗ, କେତେ ସୁଲଝାପଣ, କେତେ ସୁନ୍ଦର ବିଚାର ଏ ଜାତିର ।

ମୁଁ ସେଇ ମୁଁ ।ଚାରିଯୁଗରୁ ଏଇଠି, ଏମିତି ହିଁ ଠିଆ ହେଇଛି ସବୁ ଯୁଗରେ ସେଇ ଚାରିହେଁ ଆସନ୍ତି ,ଫଳର ପ୍ରକାର ଓ ବଣ୍ଟନ ଭିନ୍ନ ହୁଏ ।ମୁଁ ସ୍ତମ୍ଭୀଭୂତ ଓ ଦୁଃଖ ରେ ଭାଙ୍ଗେ ....ତଥାପି ସାନ୍ତ୍ବନା ଥାଏ, ହଁ ହଁ ଏ ପରା ଶ୍ରେଷ୍ଠ ଜୀବ ।ସେ ଏପଥରେ ନ ଯାଇ ପାରେ ।ହଁ ହଁ ଏ ପରା ଶ୍ରେଷ୍ଠ ଜୀବ ,ନିଶ୍ଚିତ ଫେରିବ ଦିବ୍ଯତା କୁ ପୁନଶ୍ଚ ଏକ ଦିନେ ।

ଏହା ଆଜ କଳିକାଳ, ଶେଷ କାଳ ,ଯୁଗାଧିପତି ଏ ମଣିଷ ଚାରିହେଁ ପୁନଶ୍ଚ ଉପନୀତ ମୋ ଛାୟା ତଳେ ।ମୋ ଛାୟା ଖିନ୍ନ, ରୁଗ୍ଣ ।ସେଇ କ୍ଷୁଦା, ସେଇ ଫଳ ।ସେଇ ନ୍ଯାୟ ର ଦାବୀ, ସେଇ ଚେତନାର ପ୍ରଶ୍ନ ।ଉଦ୍ବୁଧ ହେଉଥିବା କୋହ ସବୁ କୁ ଚାପି ଧରି ଧରି ମୁଁ ଶୁଷ୍କ, ହଁ ଶୁଷ୍କ ..... କିନ୍ତୁ ଜଡ ନୁହେଁ ।ଏବେ ବି ବୁଝୁଛି ସବୁ ।

ଫଳଟି ଗୋଟା ସେଇଠି, ଓ ସେଇଠି ମୋ ଚେର ଠୁ ଅଳ୍ପ ଦୂରରେ ଭୂପତିତ, ଧୂଳିଧୂସରିତ ହୋଇ ଗଡୁଛି ।ଆଉ ଏ ଚାରିହେଁ ରକ୍ତ ମୁଖା ହୋଇ ପଡିଛନ୍ତି ମୋରି ମୁଳରେ ।ହଁ ମୃତ ।ନିଶ୍ଚିତ ମୃତ ।ତାହାହିଁ ତ ହେବାର ଥିଲା ।ଜୀବନ ବି ଫେରେଇ ଆଣିବାକୁ ଚାହିଁନି ନିଜକୁ ଏ କ୍ରୃର ବିବେକ ଶୂନ୍ୟ ଶରୀର ଟି ମାନଙ୍କ ଭିତରକୁ ।

ମୁଁ ଭାବୁଛି, ହେ ଈଶ୍ବର ମୋତେ ବଟ ନ କରି କାହିଁ କଣ୍ଟକ ନ କଲ ..... ଏ ଜାତିକୁ ମୁଁ କିଞ୍ଚିତ ଛାୟା ଦେବାକୁ ବି ଚାହେଁନା, ଛାୟା ଦେବାକୁ ବି ଚାହେଁନା ।

ଓଃ ମୁଁ କାନ୍ଦୁଛି ।ମୁଁ ଗଛ କାନ୍ଦୁଛି ।



Rate this content
Log in

Similar oriya story from Abstract