ବି. ନିରୁପମା

Abstract Children Stories Inspirational

4.7  

ବି. ନିରୁପମା

Abstract Children Stories Inspirational

ମୁକ୍ତିଦୂତ

ମୁକ୍ତିଦୂତ

5 mins
62



ସକାଳ ହେବାକୁ ଘଡ଼ିଏ ବାକି ଥାଏ। ପଲିଥିନ ଘେରା କୁଡ଼ିଆ ଭିତରେ

ଉଠି ପଡି ବସିଲା ମାନସୀ । ଦେହରେ ଦରଜ, ନିଦ ଛାଡ଼ିନି ଭଲକରି । ତଥାପି ଷ୍ଟୋଭ ଜାଳି ଭାତ ପାଣି ବସେଇଲା ।ବାପା ଆଉ ସାନ ଭଉଣୀ ନିଦରୁ ଉଠିଲେ ତିନିଜଣ ମିଶି ପଖାଳ, ଆଳୁ ଚକଟା ଖାଇବେ, ଭାଟିକୁ ଯିବେ ଇଟା ଗଢ଼ିବାକୁ। ଫେରିବା ବେଳକୁ ଦିନ ଦୁଇଟା । ଅଧଘଣ୍ଟା ଭିତରେ ତୋରାଣି ପାଣି ମୁନ୍ଦିଏ ପିଇ ପୁଣି ରାତି ଦଶଟା ଯାଏ ଖଟିବାକୁ ହେବ ଇଟା ତିଆରି କାମରେ ।


ସେମାନଙ୍କ ଭଳି ଆହୁରି ଅନେକ ଶ୍ରମିକ ଏଠି କାମ କରନ୍ତି । ଓଡିଶା ଠାରୁ ଆରମ୍ଭ କରି ୟୁପି, ବିହାର, ଝାଡଖଣ୍ଡର ଶହ ଶହ ଶ୍ରମିକ ପରିବାର ନିଜ ଭିଟାମାଟି ଛାଡି, ସୁଦୂର ତାମିଲନାଡୁ ଆସି ଇଟା ଗଢିବା କାମରେ ଲାଗିଛନ୍ତି। ଜନବସତି ଠାରୁ ଟିକିଏ ଦୂରରେ ଥିବା ଅଞ୍ଚଳରେ ଅନେକ ଇଟାଭାଟି। ଏଇଠି ଇଟା ଗଢିବା ଏକ ବିଶାଳ ଉଦ୍ୟୋଗ। ଇଟା ତିଆରି ଲାଗି ଶ୍ରମିକମାନଙ୍କୁ ମାଟି ଖୋଳି, ସେଥିରେ ବାଲି,ପାଣି ମିଶେଇ ପାଗ କରିବା ପରେ ତାକୁ ଛାଞ୍ଚରେ ପକେଇ କଞ୍ଚା ଇଟା ତିଆରି କରିବାକୁ ହୁଏ। ତାକୁ ଧାଡି କରି ଖରାରେ ଶୁଖାଇବା ପରେ, ଭାଟି ଭିତରେ ଇଟା ସହ ଛଣ, କାଠ, କୋଇଲାକୁ ସଜାଇ ରଖି ନିଆଁ ଲଗାଇ ପୋଡାଯାଏ। ସକାଳୁ ରାତି ପର୍ଯ୍ୟନ୍ତ ହାଡ଼ଭଙ୍ଗା ପରିଶ୍ରମ, ହେଲେ ସନ୍ତୋଷଜନକ ପାଉଣା ମିଳେନାହିଁ ।


କିନ୍ତୁ ମୂଳରୁ ଏପରି ନ ଥିଲା । କିଛି ମାସ ତଳେ, ବଲାଙ୍ଗୀରର ଛୋଟ ଏକ ଗାଁରେ ବାପା ମାଆ ଆଉ ସାନଭଉଣୀ ମେଳରେ ମାନସୀ ବେଶ ଆନନ୍ଦରେ ଥିଲା। ଅଳ୍ପ କିଛି ଚାଷ ଜମିରୁ ମିଳୁଥିବା ଆହାର ପେଟକୁ ନିଅଣ୍ଟ ହେଲେ ପଡ଼ୋଶୀଙ୍କ ଘରେ ଦୁଇଦିନ ଖଟି ବାପା ଯାହା ମଜୁରୀ ପାଆନ୍ତି, ସେଥିରେ ତାଙ୍କ ପରିବାର ସୁରୁଖୁରୁରେ ଚଳି ଯାଉଥିଲା। ଆଗାମୀ ସାଲ ତାକୁ ଅଠର ବର୍ଷ ପୂରିଥାନ୍ତା। ତେଣୁ ଭଲ ଜାଗାରେ ବାହା ଦେବାକୁ ଚିନ୍ତା କରି ଘରେ ଦୁଇ ପଇସା ସଞ୍ଚିବା ଆରମ୍ଭ କରିଥିଲେ ବାପା । ହେଲେ, ହଠାତ ମାଆକୁ ଅଜଣା ବେମାରି ଧରିଲା ।ଯେତେ ଚିକିତ୍ସା କଲେ ଭଲ ହେଲାନାହିଁ ।ବହୁତ ଟଙ୍କା ଖର୍ଚ୍ଚ ହେଲା । ଗରିବ ଚାଷୀଟି କେତେ ଟଙ୍କା ଅବା ଖର୍ଚ୍ଚ କରି ପାରିବ ?ତେଣୁ ଗାଆଁରେ ଶ୍ରମିକ ଠିକାଦାରଠୁ ଟଙ୍କା ଧାର ଆଣି ମାଆର ଚିକିତ୍ସା କଲେ ।

ଦୁଇମାସ ପରେ ଠିକାଦାରର ସର୍ତ୍ତ ଅନୁଯାୟୀ ବାପା ଓ ଦୁଇଝିଅଙ୍କୁ ଅନ୍ୟ ଶ୍ରମିକଙ୍କ ସହିତ ତାମିଲନାଡୁ ଯିବାକୁ ପଡ଼ିଲା । ସେମାନଙ୍କୁ ଖଟିବାକୁ ପଡ଼ିଲା ସେଠିକା ଇଟା ଭାଟିରେ ।ହେଲେ କିଏ ଜାଣିଥିଲା ଶ୍ରମିକମାନଙ୍କୁ ଏଠି ଏତେ ଶୋଷଣ କରାଯାଉଥିବ ବୋଲି !!ଦିନକୁ ବାର, ଚଉଦ ଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ ପରେ ବହୁତ କମ ମଜୁରି ମିଳୁଥିଲା । ପ୍ରତିବାଦ କରିବାକୁ ଉପାୟ ନାହିଁ ।ଯିଏ ମୁହଁ ଖୋଲିଲା ଇଟାଭାଟି ମାଲିକର କର୍ମଚାରୀ ଆଉ ଗୁଣ୍ଡା ଦ୍ୱାରା ମାଡ଼-ନିର୍ଯ୍ୟାତନା ସହିବାକୁ ପଡ଼ିଲା ।କେତେଜଣ ଶ୍ରମିକ ରାତିରେ ଲୁଚି ଚାଲିଯିବାକୁ ଚେଷ୍ଟା କରିଥିଲେ ।ହେଲେ ସେମାନଙ୍କୁ ରାସ୍ତାରୁ ଧରିଆଣି ଗୋଡ଼ରେ ବେଡ଼ି ପକାଇଦେଲେ ।


ମାନସୀ ଅନ୍ୟ ଶ୍ରମିକଙ୍କ ସହ କଥା ହେଉଥିଲା । ଅଧିକାଂଶଙ୍କର ସମାନ କାହାଣୀ ।ରୋଗ ବୈରାଗ କିମ୍ବା ବିବାହ ବ୍ରତ ଲାଗି ଶ୍ରମିକ ଠିକାଦାର ପାଖରୁ ଉଦ୍ଧାର ନେଇ ସେମାନେ ମାଆ ମାଟି ଛାଡି ଆଜି ଏତେ ଦୂରରେ ଦାଦନ ଶ୍ରମିକ ସାଜିଛନ୍ତି । ହେଲେ ଲକ୍ଷ୍ମୀର କାହାଣୀ ଅଲଗା। ସେମାନେ ପାଞ୍ଚବର୍ଷ ହେଲାଣି ପ୍ରତିବର୍ଷ ଦାଦନ ଖଟିବାକୁ ଆସନ୍ତି । ଠିକାଦାର ଠାରୁ ଅଗ୍ରୀମ ଟଙ୍କା ଆଣି ପରିବାର ସହ କିଛିଦିନ ଖୁସିରେ ବିତାନ୍ତି। ତା ପରେ କେଇମାସ ଇଟା ଗଢିବାକୁ ଆସନ୍ତି। ଲକ୍ଷ୍ମୀ କହୁଥିଲା- " ଏଠି ଅଧିକ ସମୟ ଖଟିବାକୁ ପଡ଼େ । ଚୁପଚାପ କାମ କରିଗଲେ କେହି କିଛି କହିବେନି। ପ୍ରତିବାଦ କଲେ ସମସ୍ୟା। ପ୍ରବଳ ମାଡ଼ ଆଉ ନିର୍ଯ୍ୟାତନା ମିଳେ। ଖସି ଚାଲିଯିବା ଏତେ ସହଜ ନୁହେଁ। ପୁଣି ଏଠି କେହି ଓଡ଼ିଆ ବୁଝନ୍ତି ନାହିଁ । ତାମିଲ ଭାଷୀ ପୋଲିସ କିମ୍ବା ଅନ୍ୟ କାହା ପାଖରେ ଅଭିଯୋଗ କରିବା ସମ୍ଭବ ନୁହେଁ ।ତେଣୁ ସବୁ ଦୁଃଖ କଷ୍ଟକୁ ମଥାପାତି ସହିଯିବା ଭଲ ।"


ଲକ୍ଷ୍ମୀର କଥାକୁ ଗ୍ରହଣ କରି ପାରୁ ନଥିଲା ମାନସୀ। ସେ ଏ ସବୁ ଅନ୍ୟାୟକୁ ନା ସହି ପାରୁଥିଲା ନା ବିରୋଧ କରିପାରୁଥିଲା !! ଚୁପ ହୋଇ ବସିବା ବି ସମ୍ଭବ ନ ଥିଲା ।ତେବେ ଏଇ କରୋନା ଭୂତାଣୁ ବ୍ୟାପିବା ଦିନଠୁ ସେମାନଙ୍କ କଷ୍ଟ ଆହୁରି ବଢ଼ି ଯାଇଛି ।ଅଧିକ ଖଟଣି ସାଙ୍ଗକୁ କମ ଦରମା ମିଳୁଥିଲେ ବି ଖାଇବାକୁ ଚାଉଳ,ଆଳୁ ଆଦି ଆଗରୁ ସହଜରେ ମିଳିପାରୁଥିଲା ।ଏବେ ଖାଇବା ଜିନିଷର ଅଭାବ ସାଙ୍ଗକୁ ଦରବୃଦ୍ଧି ଭାରି ବାଧୁଛି । ଦେହପା'ରେ ଔଷଧ ଟିକିଏ ବି ମିଳୁନି। ପୁଣି ଏ ଅଜଣା ବେମାରି ପ୍ରତି ଚାରିଆଡ଼େ ଭୟ ଆଉ ଆତଙ୍କର ବାତାବରଣ।


ଗତକାଲି ଭୋକଜ୍ୱାଳା ଓ ପ୍ରାଣ ଭୟରେ କେତେଜଣ ଶ୍ରମିକ ଲୁଚି ଚାଲି ଯାଉଥିଲେ। ହେଲେ କେତେଦୂର ବା ଯାଇ ପାରନ୍ତେ! ଲକ ଡାଉନ ଯୋଗୁ ସଡକ ଫାଙ୍କା। ଗୋଟିଏ ବି ମାଲବୁହା ଟ୍ରକ ମିଳିଲାନି। ଖବର ପାଇ ଭାଟି ମାଲିକର କର୍ମଚାରୀ ଗୋଡେଇଲେ। ଶେଷକୁ ଧରାପଡି ଇଟାଭାଟି ମାଲିକର ନିର୍ଦ୍ଦୟ ଗୁଣ୍ଡାଙ୍କ ହାତରେ ପ୍ରବଳ ମାଡ଼ ଖାଇଛନ୍ତି । କାହାର ହାତ ଭାଙ୍ଗିଛି ତ ଆଉ କାହାର ଗୋଡ଼। ସେଇ ଶ୍ରମିକଙ୍କ ନେତା ରାଜୁ ସୋରେନର ହାତ ଗୋଡ଼ରେ ବେଡ଼ି ପକେଇ ବାନ୍ଧି ଦେଇଛନ୍ତି ଗଛରେ ।


ମାନସୀକୁ ଭୀଷଣ କଷ୍ଟ ଲାଗିଲା । ସତରେ ସେମାନେ କେତେ ଅସହାୟ !! ମଣିଷର ଜୀବନ ପଶୁଠୁ ବି ଏତେ ହୀନ ହୋଇ ପାରେ! ସତରେ କଣ ଏ ଦେଶ ସ୍ଵାଧୀନ ହୋଇଛି! ଗରିବୀ ହଟାଇବା କୁ ସ୍ୱପ୍ନ ଦେଖେଇ କେତେ କେତେ ସରକାର ଶାସନ କଲେଣି। ହେଲେ ଗରୀବର ସମସ୍ୟା ବଢି ଚାଲିଛି କାହିଁକି! ସ୍ୱାଧୀନତାର ଏତେ ବର୍ଷ ପରେ ବି ସାଧାରଣ ନାଗରିକଟିଏ କେତେ ପରାଧୀନ ସତରେ! ଏ ବନ୍ଧନରୁ ମୁକୁଳିବାକୁ ସତରେ କ'ଣ କୌଣସି ଉପାୟ ନାହିଁ ?

ବ୍ୟାଗ ଅଣ୍ଡାଳି ମୋବାଇଲ କାଢ଼ିଲା ମାନସୀ। ପୋଲସକୁ ସବୁକଥା ଜଣାଇଦେବ ବୋଲି ଭାବିଲା ।ହେଲେ ତାକୁ ତ ତାମିଲ ଆସେ ନାହିଁ ।ଇଂରାଜି ବି ଜଣାନାହିଁ ।ଅଳ୍ପ ପାଠ ହେତୁ ବଡ଼ କଷ୍ଟରେ ଓଡ଼ିଆରେ ଦୁଇଧାଡ଼ି ଲେଖିପାରେ ।ତେବେ ସେ ଜଣାଇବ ବା କାହାକୁ ? ଓଡ଼ିଶାର ପୋଲିସକୁ ଜଣାଇଲେ ବି ସେମାନେ ଶହ ଶହ କିଲୋମିଟର ଦୂର ଏଇ ସ୍ଥାନକୁ ଆସି ଆମକୁ ଖୋଜି ପାଇବା ସମ୍ଭାବନା ବି କମ ।


ହଠାତ ଇଟାଭାଟି ମାଲିକର କେତେକ ଗୁଣ୍ଡା ଠେଙ୍ଗା ଧରି ଜାଗାରେ ପହଞ୍ଚିଲେ। ପୂର୍ବଦିନର ପଳାତକ ଶ୍ରମିକମାନଙ୍କୁ ଏକାଠି କରି ନୃଶଂସ ଭାବରେ ମାଡ଼ ମାରିଲେ । ଚିତ୍କାର କରି ଗାଳି ଦେଲେ ଆଉ ଖଣ୍ଡି ଓଡ଼ିଆରେ ଧମକ ଦେଲେ ଯେ "କାମରେ ଠକିଲେ କିମ୍ବା ଖସି ଚାଲିଯିବାକୁ ଚେଷ୍ଟାକଲେ ଆଗକୁ ଆହୁରି ଭୟଙ୍କର ଅବସ୍ଥା ହେବ ।ମାଲିକ କହିଛି, ମାଡ଼ ମାରୁ ମାରୁ ଗୋଡ଼ ହାତ ଭାଙ୍ଗିବ ତ ନିଶ୍ଚୟ, ତେବେ ମରିଗଲେ ବି ଚିନ୍ତା କରିବାର କିଛି ନାହିଁ ।"

ଶ୍ରମିକମାନେ ଭୟରେ ଥରୁଥିଲେ । କେତେଜଣ ରକ୍ତ ଜୁଡୁବୁଡୁ ହୋଇ ସାହାଯ୍ୟ ପାଇଁ ନେହୁରା ହେଉଥିଲେ। ଭୋକ ଆଉ ଶୋଷରେ ଛଟପଟ ହେଉଥିଲା ରାଜୁ ସୋରେନ। ହେଲେ ତାକୁ ପାଣି ଟୋପାଏ ନ ଦେଇ, ଜଣେ ତା ମୁହଁରେ ପୁଳାଏ ପାନ ଛେପ ପକେଇ ଦେଲା। ତେବେ ସଭିଙ୍କ ଦୃଷ୍ଟି ଆଢୁଆଳରେ, ଚତୁରତାର ସହ ମୋବାଇଲରେ ସବୁକିଛି ଦୃଶ୍ୟର ଭିଡିଓ ରେକର୍ଡ଼ିଂ କରିନେଇଥିଲା ମାନସୀ ।

ଉତ୍ତେଜନାରେ ଥରୁଥିଲା ମାନସୀ। ଯାହା ବି ହେଉ ଏ ନିର୍ଯ୍ୟାତନାର ଚିତ୍ର ପୋଲିସର ଦୃଷ୍ଟିକୁ ଆଣିବାକୁ ହେବ। ନହେଲେ, ଏ ଶୋଷଣ ଆଉ ଆକ୍ରମଣ ଆଗକୁ ବଢି ଚାଲିବ । ହେଲେ କେମିତି ଆଉ କାହାକୁ ବା ଜଣେଇବ! ସେ ଉପାୟଟିଏ ପାଞ୍ଚିଲା। ସମଗ୍ର ଦୃଶ୍ୟକୁ ତା ମୋବାଇଲ ଇଣ୍ଟରନେଟ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଦାଖଲ କଲା। ଆଉ ନିଜ ବନ୍ଧୁ, ପରିଜନ ସହ ସାଧାରଣ ଜନତା, ସମାଜସେବୀଙ୍କୁ ସହାୟତା ଲାଗି ଆକୁଳ ନିବେଦନ କଲା ।

ଏଇ ଭିଡିଓ କେତେଜଣ ସମାଜସେବୀଙ୍କ ନଜରକୁ ଆସିବାରୁ ସେମାନେ ପୋଲିସକୁ ଜଣାଇଲେ ।କେଇଦିନ ପରେ ଅତର୍କିତ ଭାବରେ ପୋଲିସ ସଦଳବଳେ ସେଇ ଇଟାଭାଟି ଉପରେ ଚଢ଼ାଉକଲା ।ଇଟାଭାଟିର କର୍ମଚାରୀ ଓ ଗୁଣ୍ଡାମାନଙ୍କୁ ଗିରଫ କରିବା ସହ ଶହ ଶହ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କଲା ।


ସଭିଙ୍କ ମୁହଁରେ ମାନସୀ ବରିହାର ପ୍ରଶଂସା । ଏକ ପଛୁଆ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅର୍ଦ୍ଧଶିକ୍ଷିତା କନ୍ୟା ଆଜି ସମସ୍ତଙ୍କ ଲାଗି ପ୍ରେରଣାର ପ୍ରତୀକ। ତା' ଉପସ୍ଥିତ ବୁଦ୍ଧି ଆଉ ସାହସିକତା ଲାଗି ଦେଶର ବିଭିନ୍ନ ରାଜ୍ୟର ଶହ ଶହ ଦାଦନ ଆଉ ଗୋଟି ଖଟୁଥିବା ଶ୍ରମିକଙ୍କୁ ମୁକ୍ତି ମିଳିଲା ।


Rate this content
Log in

Similar oriya story from Abstract