Lopamudra Parida

Drama Tragedy Inspirational

4.6  

Lopamudra Parida

Drama Tragedy Inspirational

ମଣି ଓ ଭାତ

ମଣି ଓ ଭାତ

4 mins
118



 କନକଦେଶର ଅମୃତପୁରୀ ରାଜ୍ଯର ଜେମା ମୁଁ ,ଆଉ ତୁ ମୋ କୁକୁଡା .....କଣ କିଛି ବୁଝିଲୁ ଲୋ ମୋ ଝୁମ୍ଝୁମୁରୀ ।ମୋ ନାଁ ଝୁମୁରୀ ତୋ ନାଁ ଝୁମ୍ମୁ ହେଲା ,ମୋ ନାଁ ର ଅଧା ତୋ ନାଁ ।ଜେଜୀ ଯେତେବେଳେ ସେ କନକଦେଶ କଥା ଗପୁନଥିଲା ମୁଁ ପା ଦେଖିଲି ତୋର ମୋର ସେଇଠି ଥିଲେ ହେଲା ମୋ ନାଁ ସେତେବେଳେ ମଣିକାର୍ଣ୍ଣିକା ଆଉ ତୋ ନାଁ ଖାଲି ମଣି ଥିଲା ।କାହିଁକି ନା ତୁ ମୋର ବୋଲି ଆଉ ମୁଁ ତତେ ଭଲପାଏ ।ହୁଁ ।ବୁଝିଲୁ ଟି ।


କକ୍ କ୍ କ୍ କ୍ କକ୍କ କ୍ କକ୍ ।


ହୁଁ, ତୁ ବି ସୁନା ଟା ପୁରା ମୋରି ପରି ।


କକ୍ କ୍ କ୍ କ୍ କକ୍କ କ୍ କକ୍ କ୍ କ୍ କ୍ ।


ଆ,ଆ,ଆଇଆ,ଆ,ଆ ଆଇଲୁ ।ନେ ଡେକଚି ରେ ମୁଠେ ହବ ହାତ ବଳିଛି ତୋର ମୋର ଅଧେ ଅଧେ ହେଲା ।ମୁଠାକରୁ ଆଉ କେତେ ଦେବି ଯେ ଗୋବରା ଟା ବି ଅନେଇଛି, ତାକୁ ଦିଟା ଦବା ସେ ଡାମରା ଟା ବି ରାବୁଛି ନା କେତେବେଳୁ ଦେ ତାକୁ ଦିଟା ଆଲୋ ମୁଠାକରେ ବା ଶହେ ସରିକି ଭାତ ଥାଏ ।ଶ.....ହେ ଟା ଚାଉଳ ।ଜାଇଁଲୁଟି ।ଶହେ କେତେ କହିଲୁ, ରହ ରହ ....କାଲି ଆମ ଧନୁଆଁ ଗଣୁ ନଥିଲା .....ଏକ ,ଦୁଇ,ତିନି,ଚାରି,ପାଞ୍ଚ, ଛାଞ, ଆଉ ଆଉ କଣ ଶେଷକୁ କହିଲାନି କୁଆଡେ ଶ.....ହେ ।ମୁଁ ବା ମା କୁ ପଚାରିଲି ସିଏ କହିଲା ସେଇଟା କୁଆଡେ ଗୋଟେ ବଡ ସଂଖିଆ ।ବ.....ଡ ।ଜାଇଁଲୁଟି ।ହେ... ହେ.. ।ତୁ ତ କୁକୁଡାଟା ତୁ କେମିତି ଜାଣିବୁ ପାଠ ଗୋଟେ କି ଜିନିଷ । ପାଠ ପଢିଲେ କାଳେ ସେପଟ ଘର ଝିଲିଦେଇ ପରି ଜାମା,ଜୋତା, ରିବନ, ବେଏଗ ,ଲେଖା କାଠି କଲମ ସବୁ ମିଳେ ଆଉ ମିଠେଇ ବି । ସିଏ ଇସ୍କୁଲୁ ଯାଆନ୍ତି ତୁ ଜାଣିଛୁ? ଇସ୍କୁଲୁ ।ଆମ ଗାଁ ଇସ୍କୁଲୁ ଭଳିଆ ନୁହଁ ବା ଯୋଉଠିକି ଆମ ଧନୁଆଁ ଯାଏ ....ସେଠି ଖାଲି ଡାଲି ଭାତ ଆଉ ଅଣ୍ଡା ଦିଅନ୍ତି । ମଟର ସିଜା ବି ଦିନେ ଓଳିଏ ।ଜେଜୀ ବା ତା ବେଏଗ ରେ ଟିପିଣି ରଖିଥାଇ, କହିଥାଇ ଯମୁନିକୁ କଇବୁ ଏଇଥେରେ ଦବ ଭ୍ଉତୁ କି ।ଯା 'କ ଧନୁଆଁ ଆମର ଇସ୍କୁଲୁରୁ ଭାତ ଗଣ୍ଡେ ଆଣୁଚି ବେଲିକା ହେଇ ମୁଁ ତତେ ଅଧେ ଦେଲି ନା ନାହିଁ ।

ନ ହେଲେ ଆମର କୋଉଠୁ ଆସିବ ।


ନେ ଲୋ ନେ ।ହେଇ ମୁଁ ତତେ ଗପୁଛି ଦେଖୁନୁ ଭାଲୁଆ ଟା ଆମର କେମିତି ଚିକ୍କଣ କରି ମୋ ହାତ ଚାଟି ଖାଇସାରିଲାଣି ।ଭାତ ବା ।ପାଟିକି ସୁଆଦିଆ । ହଉ ଖା ।ଡେକ୍ଚି ଭିତରେ ଆଉ ....ରହ ରହ .....ଏକ,ଦୁଇ, ଚାରି.....ଚାରିଟା ଭାତ ଲାଗିଛି ପା ।ସେଇ ଢେର୍ ।ଆଙ୍ଗୁଠି ଅଗରେ ଗଣନ୍ତି ଜାଇଁଲୁ ।କାଲିକି ଇସ୍କୁଲୁ ଫିଟିଲେ ଖାଇବା ।ମା' ଯଦି ଚାଉଳ ମୁଠେ ଆଳୁ ଦିଟା ଯୋଗାଡିଥିବ ହବ ଯେ ରାତିକି ଭୋଜି କେଜାଣି??


ବା' ତ କଲିକତା ଯାଇଚି ଯେ ଯାଇଚି ।ଜେଜୀ ତ ମୁହଁ ଗୁଞି ବଉଚି ଯେ ବଉଚି, ଆଉ ମା ' ....ଏ ତ ଗାଁ କଥା ସବୁଦିନିଆ କାମପାଇଟି କୁ କିଏ ରଖିବ ନା ମାଗେଣାରେ ପୋଷିବ କଉନୁ ।ଆଜି ମୁଗବାରି ରେ ମୁଗ ଦୁଇଁଲାଣି, କାଲି କା' ବିଲେରେ ହଳଦୀ ରୋଇଲାଣି, କୋଉଠି ଧାନ ଓର୍ଦା ହବ ସେଠି ଖଟିଲାଣି ।କା' କା' ଘରେ ଖଟୁଛି ଯେ ଆଉ କଅନା ।ସେଇ ଯୋଉ ନହକା ନୋକଟା ...ମତେ ଭାରି ଗନ୍ଧିଆ ଲାଗେ ମା' ବି ତାକୁ ଭାରି ଚିଡେ ସିଏ କାଇଁ ଆମ ଘର ଚାରିକଡେ ଡାଙ୍ଗରା ମାରୁଛି ଆଜିକାଲି ।ଧନୁଆଁ ତ ଢେଲା ବାଛିକି ରଖିଛି, ଟାଣୁଆ, ମୁନିଆଁ......ଦୁଶିଲେ ମାରିବ ବୋଲି ।ମା' ଆଖି ଦେଖେଇଛି ବୋଲି ରଇଚି ନ ହେଲେ .....ଯାଆନ୍ତାଣି ତା' ମୁଣ୍ଡ ଫାଟି କୋଉଦିନୁ ।ବା' କାଳେ କଣ ଦଶ ଶୁଉକି କରଜ କରିଥିଲା ତା' ଠୁ ଯେ ସିଏ କାଳେ ସୁଧମୂଳ ମିଶି ମା' ପରି ହେଲାଣି ବୋଲି ।ମା କହେ ଅନାର୍ଯ୍ୟ ସାହୁକାର ସିଏ ।ବା ଟା ଭି ଏଇ ନହକା ପେଚେରା ଲୋକ ଠୁ କାଇଁ କରଜ ନିଏ ଯେ ।ମତେ କହିଥାନ୍ତା ନା ।ମୋର ତ ସୁନା କୁକୁଡା, ସୁନା ପତର ଗଛ,ସୁନା ପାଣି ମାଠିଆ, ସୁନା ଭାଲୁଆ, ସବୁ ଅଛି ,ମୁଁ ପୁଣି ନିଜେ ମଣିକର୍ଣିକା ।ହା... ହା... ହା... ।ବା ' ପା ଜାଣିନି ସବୁ ।ସିଏ କେମିତି ଜାଣିବ ଯେ ,ତୋ ଦେହର ସବୁ ପର ସୁନା ଆଉ ମୋ ହସରୁ ଗୋଟେ ସୁନାପରୀ ଉଡେ ବୋଲି ।ଇଏ ସବୁ ତ ଖାଲି ଆମେ ତୋର ମୋର ଦେଖି ପାରିବା ନା ।


****


ଏବେ ତ ଆଉ ଇସ୍କୁଲୁ ଫିଟୁନି ସମତେ କଣ ଦୁରୁଦୂରିଆ ନାକ ପାଟି ବନ୍ଧା ବାନ୍ଧି କରି ଯା ଯେମିତି ଖଟୁଛନ୍ତି ।ମା' ବହୁତୁ ଦିନରୁ ଭାତ ଖାଇନି ତ ନଇଁ ନଇଁ ଚାଲୁଛି ।ସାହୁକାର ଘରେ କାମ କରୁଛି, କୂଅରୁ ପାଣି କାଢୁଛି, ମୁଣ୍ଡ ବୁଲେଇଲେ ବି ତାଙ୍କ ବିଲେରେ ଘାସ ଖୁଣ୍ଟୁଚି, ଶାଗ ପଟାଳିରେ ପାଣି ଦଉଚି ଧନୁଆଁ ଏବେ ଛେଳି ଜଗିଲାଣି ନିମସାହିରେ, ଜେଜୀର ଆଉ ଉଁ ଚୁଁ ନାଇଁ କିଛି ଗପ ବି କଉନି ।ଭାଲୁଆ ଟା ଦାଣ୍ଡ ବାରି ଧାଇଁ ଧାଇଁ କାନ୍ଦୁଚି ।ତୋର ମୋର ତ ଏଇଠି ।ମୁଁ କଣ କରିବି ଯେ ବା' କଇଥିଲା କଲିକତା ରୁ ମୋର ଗୋଟେ କାଠ ଗୋଡ ଆଣିବ ବୋଲି, ରିବନ ବି ।ତା ହେଲେ ମୁଁ ବି ଇସ୍କୁଲୁ ଯିବି ।ତୋର ସୁନା ପର ସବୁ ଝଡିଗଲାଣି, ସାହୁକାର ଘର କାଳେ ପୁଅ ହେଇଚି ।କୁକୁଡା ଭୋଜି କରିବେ । ମା କୁ କଇଥିଲା ।ତୁ ଆମର ନୁଚିଯା ନହେଲେ ହଜିଯା ହେଲେ ଯେମିତି କେଇ ପାଇବେନି ।


କକ କକ୍ କ୍ କ୍ କ୍ କକ୍କ କ୍ କକ୍ କ୍ ।


*****

କଲିକତାରେ ଜୋର୍ ଧରିଛି ଏଇ ଲୋ ।ବା' କାଳେ ଫେରୁଚି ।ଖବର ଉଡୁଚି ମା' ତା କାନିରେ ଗଣ୍ଠି ପକେଇ ଧରି ଆଣିଚି ।ବା' ଆଉଚି ।ରହ ଖାଲି ବା' ପହଞ୍ଚୁ ତୁ ଦେଖିବୁନି କି ମୁଁ ପୁଣି ମଣିକାର୍ଣ୍ଣିକା ହେବିନି କି ! ତୁ ପୁଣି ମଣି ହବୁ ।କାଠ ଗୋଡ ଲଗେଇ ତୋର ମୋର ଧାଇଁବା ।ହେଲେ ତୁ କୋଉଠି ଯେ ।  


ଏ ଏ ହେଇ ,ଡାଲା ଝୁଡି ତଳେ ।ବାଉଁଶ ସନ୍ଧି ରୁ ଦେଖିଦେଲି ।ଭଲ କଲୁ, ଲୁଚିଗଲୁ ।ବା' ଆସୁ ଆମେ ବହୁତୁକି ଭାତ ଖାଇବା ।ପେଟେ ପେଟେ ।


କକ୍ କ୍ କ୍ କ୍ କକ୍କ କ୍ କକ୍ କ୍ କ୍ କ୍ କ୍ କକ୍କ କ୍ ।



Rate this content
Log in

Similar oriya story from Drama