ମନ ମୌସମୀ
ମନ ମୌସମୀ
ହୁଇଲ ଚେୟାର ରେ ବସି ଛଳ ଛଳ ଆଖି ରେ ଦ୍ରାକ୍ଷା ର ହାତ ଲେଖା ଡ଼ାଇରୀ ଟି ପଢୁ ଥିଲେ ଅଜିତାଭ ଆଚାର୍ଯ୍ୟ । ବାହାରେ ଅବିଶ୍ରାନ୍ତ ବର୍ଷା ର ଧାରା ।।
ତମ ଅପେକ୍ଷା ତମ ର ଏ ନାଁ ଟା ପାଇଁ ମୁଁ ବେଶି ତମ ପ୍ରେମ ରେ ପଡି ଯାଇଥିଲି ଅଜିତାଭ । ଲାଗୁଥିଲା ଯେମିତି କେଉଁ ଏକ ହିନ୍ଦୀ ଫିଲିମ ର ନାୟକ ଅବା କେଉଁ ଉପନ୍ୟାସ ର ନାୟକ ର ନାମ ପରି । ତମ ନାଁ ର ପ୍ରତିଟି ଅକ୍ଷର ମୋତେ ମିଠା ଶୁଭୁ ଥିଲା , ସେଥି ପାଇଁ କେବେ ଅଜୁ , କେବେ ଅଜିତ କେବେ ଜିତ ଆଉ କେବେ ଅଜିତାଭ ବୋଲି ମୁଁ ଡାକୁ ଥିଲି , ଯାହା ଡାକିଲେ ବି ତମେ ଖୁସି ହେଉ ଥିଲ ।
ବିଜୁଳି ଆଲୁଅ , ରାସ୍ତା ଆଉ ପ୍ରାଇମେରୀ ସ୍କୁଲ ଟିଏ ନ ଥିବା ତମର ସେ ନିପଟ ମଫସଲ ଗାଁ ରେ ଏମିତି ଗୋଟିଏ ବିରଳ ନାଁ କିଏ ଦେଇଥିଲା ବୋଲି ଥରେ ମୁଁ ପଚାରିଥିଲି । ଉତ୍ତର ରେ ତମେ କହିଥିଲ , ମୋ ବାପା । କଣ ଭାବି ସେ ଏମିତି ନାଁ ଟିଏ ବାଛି ଥିଲେ ମୁଁ ଜାଣେନି , ଏ ନାଁ ର ଅର୍ଥ ବି ଜାଣିନି ।
ମୋ ବାପା ହାଇସ୍କୁଲ ର ଜଣେ ମାଷ୍ଟର ଥିଲେ ବି ନାମୀ ଲେଖକ ଥିଲେ , ଵୋଧ ହୁଏ ସେ କିଛି ଗୋଟାଏ ଆବେଗ ରେ ଏମିତି ନାଁ ଟିଏ ଦେଇଥିବେ ।
ସତରେ ଅଜିତାଭ , ମୁଁ ତମ ବାପା ଙ୍କୁ ଦେଖିନି ସିନା ତାଙ୍କର କେତେ ଖଣ୍ଡ ଉପନ୍ୟାସ ପଢ଼ିଛି । ଖୁବ ଅନୁଭବୀ ଆଉ ଖୁବ ସୁନ୍ଦର ବିଷୟ ବସ୍ତୁ ନେଇ ଲେଖା ଗୁଡିକ । ଚରିତ୍ର ଗୁଡିକ ଏମିତି ଲାଗନ୍ତି ଯେମିତି କୋଉଠି ଭେଟିଛି ସେମାନ ଙ୍କୁ ।
କିନ୍ତୁ ତମେ ? ସେ ସବୁ ପଢିବା ତ ଦୂର ର କଥା ସାହିତ୍ୟ କଥା କହିଲେ ମୁହଁ ବୁଲେଇ ନିଅ । ସ୍କୁଲ ରେ କୁଆଡେ ସାହିତ୍ୟ ରେ କଷ୍ଟେ ମଷ୍ଟେ ତିରିଶ ରଖି ପାସ ହେଇ ଯାଉଥିଲ । ମୁଁ ତମ ବାପା ଙ୍କର ଲେଖା ପଢି ପଢି ଲେଖିକା ହେଇଥିଲି ।ଯଦିଓ ସେତେ ବଡ଼ ସ୍ୱନାମ ଧନ୍ୟ ହେଇ ପାରିବାର ଆସ୍ପର୍ଦ୍ଧା ଏ ଯାଏ ବି କରିନି।
ଛାଡ଼ , ସେ ସବୁ କହିବା ଆଜି ବୃଥା ।
ଅଜିତାଭ , ଆଜିକୁ କୋଡିଏ ବର୍ଷ ହେଲା ଆମେ କେହି କାହାକୁ ଦେଖି ନାହେଁ । କିନ୍ତୁ ଯେତେବେଳେ ବର୍ଷା ଋତୁ ଆସିଯାଏ ତମେ ଖୁବ ମନେ ପଡ଼ । ତାର ମାନେ ନୁହେଁ ଯେ ଅନ୍ୟ ଋତୁ ରେ ମନେ ପଡନି ବୋଲି , ଏଇ କଦମ୍ବ ଫୁଲ ର ଋତୁ ଟା ପାଇଁ କିନ୍ତୁ ସବୁ ବେଳେ ମୋର ଅପେକ୍ଷା ଥାଏ । ନାକ ଅଗ ରେ ଯେମିତି କଦମ୍ବ ଫୁଲ ର ହାଲକା ହାଲକା ବାସ୍ନା ବାଜୁ ଥାଏ ରହି ରହି । ଏଇ ଋତୁ ରେ ସବୁ ସମ୍ପର୍କ ଗୁଡିକ ନିବିଡ଼ ହୁଅନ୍ତି , ପଲ୍ଲବି ଉଠନ୍ତି , ତିକ୍ତ ହେଉ ବା ମଧୁର ହେଉ ,ସ୍ମୃତି ର ସିନ୍ଦୁକ ଉଛୁଳି ପଡେ ଆଖି ଲୁହ ପରି ।
ମନେ ଅଛି ତମର କେମିତି ଆମେ ଭିଜୁ ଥିଲେ ପ୍ରଥମ ବର୍ଷା ରେ ସେଇ ବିଜେବି କଲେଜର ସେକେଣ୍ଡ ଗେଟ ପାଖରେ ଅକାରଣ ଟାରେ ଠିଆ ହୋଇ ? ସବୁ ସିନା ଏବେ ପୁରୁଣାହେଲାଣି କିନ୍ତୁ ଋତୁ ଆସିଲେ ସବୁ ପୁଣି ନୂଆ ଲାଗେ । ତମ ସାଙ୍ଗେ ସବୁ ଋତୁ ଭୋଗିବାର ଆଶା ତ ଆଶା ରେ ହିଁ ରହିଗଲା ଅଜିତାଭ । କେବଳ ବର୍ଷା ଋତୁ ହିଁ ଆମେ ଭୋଗି ଥିଲେ କାହିଁ କୋଉ ତିରିଶି ବର୍ଷ ତଳେ , କେବେ ପାର୍କ ରେ ତ କେବେ ଖଣ୍ଡ ଗିରି ଗୁମ୍ଫା ସାମ୍ନା ଝଙ୍କାଳିଆ ରବର ଗଛ ପାଖ ରେ । ପୁଣି କେବେ ଦୟା ନଦୀ କୂଳରେ ଥିବା କଲ ଭର୍ଟ ନିକଟ କଦମ୍ବ ଗଛ ପାଖ ରେ ।
ଧିରେ ଧିରେ କେଜାଣି କେମିତି ଆମ ଭିତରେ ଫାଟ ସୃଷ୍ଟି ହେଉଥିଲା ମାମୁଲି କଥା ରେ , କଥା କଟା କଟି ହେଇ ଶେଷ ହେଉଥିଲା ମାନ ଅଭିମାନ ରେ । ଦେଖା ସାକ୍ଷାତ ରେ ଦୂରତ୍ୱ ବଢ଼ୁଥିଲା ଧିରେ ଧିରେ । ଅନେକ ସମୟ ରେ କିଛି ବି ଭୁଲ ନ ଥାଇ ବି ମୁଁ ସରି କହୁଥିଲି , କେବଳ ସମ୍ପର୍କ ଟିକୁ ବଞ୍ଚେଇ ରଖିବାକୁ । ତା' ବି ହେଲାନି ଶେଷ ପର୍ଯ୍ୟନ୍ତ ।
ଆମେ ଅଲଗା ହେଇ ଯିବାର ମାତ୍ର ବର୍ଷକ ପରେ ମୋର ବାହାଘର ହେଇ ଗଲା । ତମେ ଆପତ୍ତି କଲ ନାହିଁ । ମୁଁ ଜାଣି ପାରିଲି ନାହିଁ କଣ ଉଦ୍ଦେଶ୍ୟ ଥିଲା ତମ ମନ ରେ ।
ମୋର ବିବାହିତ ଜୀବନ ସୁଖପ୍ରଦ ନ ଥିଲା ।
ଏ କଥା ଶିଳ୍ପା ତମ କୁ କହି ଥିଲା । କିନ୍ତୁ ତାହା ସତ ନୁହେଁ ।
ବାରମ୍ବାର ସେ ତମକୁ ମୋ କଥା କାହିଁକି କହେ ଅଜିତାଭ ? ତମେ ଯେ ତା କଥାରେ ଖୁବ ଗୁରୁତ୍ୱ ଦିଅ , ମୁଁ ଜାଣେ । ସେଥିପାଇଁ ସେ ଯାହା କହିଲେ ବି ମୁଁ ନିରବ ରହେ । କାରଣ ଶିଳ୍ପା କହୁଥିବା କଥାରେ କୌଣସି ସତ୍ୟତା ନ ଥାଏ ଅଥଚ ତମେ ବିନା ଦ୍ବିଧାରେ ବିଶ୍ୱାସ କରି ଯାଅ ।
ମୋର ବିବାହିତ ଜୀବନ କେତେ ସୁଖ ମୟ କି ଦୁଃଖମୟ ସେ କଥା କେବଳ ମୋ ବ୍ୟତୀତ ଶିଳ୍ପା ବା ଆଉ କେହି କେମିତି ଜାଣିବ ? ତେବେ ଅନ୍ୟ ର ଜୀବନ ଶୈଳୀ ବା ଜୀବନ ଗାଥା ଗାଇବାର ବଦଭ୍ୟାସ ଶିଳ୍ପା ର ଖୁବ ପୁରୁଣା । ସେଥିରେ ନକରାତ୍ମକ ରଙ୍ଗ ଭରିଦେଇ ଶିଳ୍ପା ଖୁବ ଖୁସି ହୁଏ ।
ତେବେ ମୁଁ ଭାବିଥିଲି ଏ ସବୁ କରି ସେ ତମକୁ ଖୁସି କରେଇ ନିଜ ଆଡକୁ କରିନେବ ଆଉ ତମେ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେବ । ହୁଏ ତ ସେ ଏଇଆ ହିଁ ଚାହିଁ ଥିବ । କିନ୍ତୁ ତମେ ତା ବି କଲନି ।
ତମ ମୋ ଭିତରେ ଯେଉଁ ବୁଝା ମଣା ଥିଲା ତାହା ହଠାତ ଦିନେ ଶେଷ ହୋଇଗଲା ଯେଉଁ ଦିନ ଜାଣିଲି ଯେ ମୁଁ ସେ ସ୍ଥାନ ରେ ନାହିଁ ଯେଉଁଠି ରହିଲେ ନିଜକୁ ଖୁବ ଭାଗ୍ୟବତୀ ବୋଲି ମୁଁ ଭାବିବି ବା ନିଜ ଜୀବନକୁ ସୁରଭିତ କରି ନିଜ କୁ ହଜେଇ ଦେଇ ପାରିବି। ସେ ସ୍ଥାନ ରେ ମୁଁ ନୁହେଁ ଆଉ କେହି , ଏ କଥା ମୁଁ ସହ୍ୟ କରିବି କେମିତି ? ଖୁବ ଡେରି ରେ ଜାଣିଲି ଏ କଥା ।।
ତଥାପି ତୁମକୁ ତଡି ପାରିଲି ନାହିଁ ମନ ଭିତରୁ ।
ଏ ଭିତ ରେ ଏତେ ଏତେ ବର୍ଷ ବିତିଗଲାଣି ।କେତେ କେତେ ଘଟଣା ଦୁର୍ଘଟଣା ଆସି ଚାଲି ଗଲାଣି । ଏବେ ତମେ କଣ କରୁଛ କୋଉଠି ଅଛ ଜାଣିନି , ତଥାପି ଖୁବ ଦୂର ରେ ଥାଇ ସୁଦ୍ଧା ତମ କୁ ଦିନ ପ୍ରତିଦିନ ହୃଦୟ ରେ ଅନୁଭବ କରୁଛି , ତମ ସହିତ କଥା ବାର୍ତ୍ତା କରୁଛି , ହସୁଛି କାନ୍ଦୁଛି । ସବୁବେଳେ ତମ କୁ କଳ୍ପନା ରେ ହଉ ପଛେ ପାଖରେ ପାଉଛି , ଇଏ କଣ କମ କଥା କି..
ଡାଇରୀ ବନ୍ଦ କରି ନୀଳ ଆକାଶ କୁ ଚାହିଁଲେ ଅଜିତାଭ ।ଅନୁତାପ କଲେ ଭୁଲ ସବୁ ସଂଶୋଧନ ହେଇ ପାରନ୍ତା ଯଦି , ସାରା ଜୀବନ କେବଳ ଅନୁତାପ ହିଁ କରନ୍ତି ଦ୍ରାକ୍ଷା । ତମ ପାଇଁ ନିତି ଦିନ ଝୁରି ହେଲେ ତମେ ଯଦି ଫେରି ଆସନ୍ତ ତେବେ ମୁଁ ଅବଶିଷ୍ଟ ଜୀବନ ତମକୁ ଝୁରନ୍ତି ।
ଯାହାର ଭାଗ୍ୟ ରେ କେବଳ ହତାଶା , ଅପ୍ରାପ୍ତି , ଅଵଶୋଷ ଲେଖା ହେଇଛି , ସମୟ କ୍ରମେ ସେ ତାହା ହିଁ ଭୋଗିବ ଦ୍ରାକ୍ଷା । କେହି କିଛି କରି ପାରିବାର ନାହିଁ ।
ଶିଳ୍ପା ମୋର ସ୍କୁଲ ରେ ସହପାଠୀନି ଥିଲା । ଆମେ ଖୁବ ନିବିଡ଼ ଥିଲୁ । ଅନେକ ବର୍ଷ ପରେ ତା ସହ ଦେଖା ହେଲା ପରେ ତମ ସହିତ ମୋର ବନ୍ଧୁତ୍ୱ ତାର ଅସହ୍ୟ ହୋଇ ଥିଲା କିନ୍ତୁ ତମ ସ୍ଥାନ ସେ ନେଇ ପାରି ନ ଥିଲା , ଏ କଥା ମୁଁ ତୁମକୁ ବୁଝେଇ ପାରୁ ନ ଥିଲି କି ତମେ ବୁଝି ପାରୁ ନ ଥିଲ ।
ସେ ଯାହା କହେ ବା କରେ ସେଥିରେ ମୋର କିଛି ବି ଯାଏ ଆସେ ନ ଥିଲା ,ସେଥିପାଇଁ ତମ ବିଷୟ ରେ ସେ ଯାହା କହିଲେ ବି ମୁଁ ଉତ୍ତର ଦେଉ ନ ଥିଲି । ଏମିତିକି ସ୍କୁଲ ରେ ପଢିଲା ବେଳେ ଅନେକ ଚିଠି ସେ ମତେ ଲେଖୁଥିଲା।,କେବେ ଡାକ ରେ ତ କେବେ ବହି ଭିତରେ , ଆଉ କେବେ ଟିଉସନ ହେଲା ବେଳେ ତାଙ୍କ ଘରେ । ତା ବାପା ଆଉ ମୋ ବାପା ଗୋଟିଏ ସ୍କୁଲ ରେ ଶିକ୍ଷକ ଥିଲେ ବି ମୁଁ ଗଣିତ ପଢିବା ପାଇଁ ତାଙ୍କ ଘରକୁ ଯାଉଥିଲି ।
ଯେତେ ଖଣ୍ଡ ଚିଠି ସେ ଲେଖିଲେ ବି ମୁଁ କୌଣସି ଖଣ୍ଡିଏ ଚିଠି ର ଉତ୍ତର ଦେଉ ନ ଥିଲି । ତାହା ମୋ ବାପା ଙ୍କର ଭୟ ରେ ହେଉ ଅବା ତା ବାପାଙ୍କର ଭୟ ରେ ହେଉ ଅବା ମୋ ନିଜ ର ଲାଜ କୁଳା ସ୍ବଭାଵ ପାଇଁ ହେଉ । କିନ୍ତୁ ମୋତେ ଭଲ ଲାଗୁଥିଲା ତାର ଚିଠି ପଢି ବାକୁ । ବହୁତ ଆଦର ରେ କେତେ କଣ ଲେଖୁଥିଲା ଯାହା ମୋ ବୁଝିବା ବାହାରେ ଥିଲା। ତଥାପି ମୋତେ ଭଲ ଲାଗୁଥିଲା ।
ଦ୍ରାକ୍ଷା , ତମ କୁ କେବେ ହେଲେ ଏ ସବୁ କଥା କହିବା ପାଇଁ ମୁଁ ଇଛା କରି ନ ଥିଲି , କେବଳ ତମକୁ ହରେଇ ଦେବା ଭୟ ରେ ।।
ଉପର କୁ ଚାହିଁଲେ ଅଜିତାଭ ।ଆଖି ବୁଜିଲେ ଦ୍ରାକ୍ଷା ର ହସ ହସ ମୁହଁ ଟି ଦିଶି ଯାଉଛି । ଏ ତ କେବଳ ତାର ଡାଇରୀ ନୁହେଁ , ଶେଷ ତମ ଉପନ୍ୟାସ । ଯେଉଁଟା ତାର ଝିଅ ଆଣି ଦେଇ ଯାଇଥିଲା । ଏଥିରେ ତାର ଆତ୍ମ କାହାଣୀ ଏତେ ନିଖୁଣ ଭାବେ ଲେଖା ହେଇଚି ଯେ , ଯେତେ ଛୁପାଇଲେ ବି ଅଜିତାଭ ନିଜକୁ ହିଁ ଦୋଷୀ ବୋଲି ମାନି ନେଉ ଛନ୍ତି । ବେଳେ ବେଳେ ଏମିତି ହୁଏ ଯେ କିଛି ଦୋଷ ନ ଥାଇ ବି ଦୋଷ ମାନିଗଲେ ଅନେକ ସମସ୍ୟା ସେଇଠି ସରି ଯାଏ । ଏ କଥା ଦ୍ରାକ୍ଷା ନିଜେ ଶିଖାଇ ଥିଲା ।
କେବଳ ଶିଖାଇ ନ ଥିଲା , ନିଜେ ବି ଶିଖି ଥିଲା ଆଉ କିଛି ଭୁଲ ନ କରି ମଧ୍ୟ ଅନେକ ଥର ସରି ବୋଲି କହୁଥିଲା ।ଯାହା ଫଳ ରେ ଅଜିତାଭ ଙ୍କର ରାଗ ଟା ବି ସେଇଠି ସରି ଯାଉ ଥିଲା ।
ଅଜିତାଭ , ତମେ କେବେ ହେଲେ ମୋତେ କିଛି ଭବିଷ୍ୟତ କଥା କହୁ ନ ଥିଲ , ସେଥିପାଇଁ ତମେ ମୋତେ ନେଇ କିଛି ଚିନ୍ତା କରୁ ନ ଥିଲ ବୋଲି ମୁଁ ନିଶ୍ଚିତ ହୋଇ ଥିଲି । କେଜାଣି ଶିଳ୍ପା କୁ ନେଇ ଯଦି ତମର କିଛି ସ୍ବପ୍ନ ଥିବ ଭାବି ମୁଁ ଧିରେ ଧିରେ ତମ ଠାରୁ ଦୂର ହେବାକୁ ଚେଷ୍ଟା କରୁଥିଲି ।
ନା ଦ୍ରାକ୍ଷା , ମୁଁ କେବେ ବି ସେମିତି ଭାବୁ ନ ଥିଲି ।
ଶିଳ୍ପା କୁ ନେଇ କିଛି ବି ନୁହେଁ । ସେ ସମୟ ହୁଏ ତ ମୋ ପାଇଁ ଆସି ନ ଥିଲା । ସ୍କୁଲ ଜୀବନ ର ସେ ଖିଆଲି ମନ କୁ ନେଇ ବଂଚି ହୁଏନା ଦ୍ରାକ୍ଷା ।ଶିଳ୍ପା କିନ୍ତୁ ସେଇ ଦିନ ଗୁଡିକ ପରି ମୋ ପଛରେ ପଡି ଯାଇଥିଲା , ତାର ବାପା ମଧ୍ୟ ତାକୁ ସମର୍ଥନ କରୁଥିଲେ ।
ମୋ ବାପା କିନ୍ତୁ ରୋକ ଠୋକ କହି ଦେଇଥିଲେ , ସେ ତାକୁ ପସନ୍ଦ କରନ୍ତିନି ବୋଲି ।
ଦ୍ରାକ୍ଷା , ମୋ ବାପା ତମକୁ ଚିହ୍ନି ନ ଥିଲେ , ଯଦି ଚିହ୍ନି ଥାନ୍ତେ ନିଶ୍ଚୟ ପସନ୍ଦ କରିଥାନ୍ତେ । ମାତ୍ର ସେ ସମୟ ଆସିବା ଆଗରୁ ତମର ବାହାଘର ହେଇ ଗଲା । ଆରମ୍ଭ ହେଇ ନ ଥିବା କିଛି ସ୍ବପ୍ନ ସେଇଠି ହିଁ ସରି ଯାଇଥିଲା । ମୋ ବାପା ଙ୍କର ପସନ୍ଦ ଅନୁସାରେ ଅନେକ ଡେରି ରେ ମୋର ବିବାହ ହୋଇଥିଲେ ବି ତାହା ଏକ ବିଫଳ ଦାମ୍ପତ୍ୟ ଥିଲା । ସେ କଥା ତମ କୁ କହିଲେ ତମେ ଦୁଃଖ ପାଇବ ।
ଫୁଲମାଳ ଦିଆ ଦ୍ରାକ୍ଷା ର ରଙ୍ଗୀନ ଫଟୋ ଟିକୁ ନିର୍ନିମେଶ ନୟନ ରେ ଚାହିଁ ରହି ଥିଲେ ଅଜିତାଭ । ଏ ସବୁ କାହିଁକି ହେଲା ତାର ଉତ୍ତର ଆଜି କାହାରି ପାଖରେ ନାହିଁ ।
ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥିଲେ କେବଳ ।
ଅଜିତାଭ ।। ଦେଖା କେବେ ହେବାର ଆଶା ରଖିନି ମୁଁ । ମୁଁ ତମ ବିଷୟ ରେ କିମ୍ବା ତମେ ମୋ ବିଷୟ ରେ ଜାଣିବାର ଆଵଶ୍ୟକତା ଆଉ ନାହିଁ । ମୁଁ କିଛି ବି ତମ କୁ କହିବିନି । କିନ୍ତୁ ଏଇ ମୌସୁମୀ ଆସିଲେ ତମେ ଏତେ ମନେ ପଡ଼ ଯେ ମୋ ଜୀବନ ର ସମସ୍ତ ଦୁଃଖ କୁ ଦୁଃସ୍ବପ୍ନ ପରି ଭୁଲିଯାଏ ।ଆଖ ପାଖ ରେ ନ ଥିଲେ ବି କଦମ୍ବ ଫୁଲ ର ଏକ କାଳ୍ପନିକ ବାସ୍ନା ରେ ମୁଁ ଆତ୍ମ ବିସ୍ମୃତ ହେଇ ଯାଏ ।
ଦ୍ରାକ୍ଷା , ମୁଁ ଜାଣେ । ସେ ସବୁ ଭାବ ପ୍ରବଣତା ଛଡା ଆଉ କଣ ହେଇ ପାରେ କହୁନ !! ବିଜେବି କଲେଜ ର ସେ ସ୍ମୃତି ସବୁ ତୁମ ସହିତ ମୋ ଠାରୁ ବହୁ ଦୂରକୁ ଚାଲି ଯାଇଛି ଏବେ । ହୁଇଲ ଚେୟାର ରେ ବସି ଅପେକ୍ଷା କରିଛି କେବଳ ଅବଶିଷ୍ଟ ଜୀବନ ର ସର୍ବ ଶେଷ ମୁହୂର୍ତ୍ତ କୁ ।
ପତ୍ନୀ ଥାଇ ମଧ୍ୟ ପତ୍ନୀ ହରା ମୁଁ । ଏକ ମାତ୍ର ପୁତ୍ର ଯେ ଗୋଟିଏ ଅଣଓଡ଼ିଆ ଝିଅ କୁ ବିବାହ କରି ସେ ନାଗପୁର ରେ ସେଟେଲ ହେଇ ଯାଇଚି ।। ବାପା ବୋଲି କେହି ଜଣେ ଅଛି ବୋଲି ତାର ମନେ ପଡେନି । ଶଶୁର ଙ୍କର କଥାରେ ସେ ପରିଚାଳିତ ।ସେଥିପାଇଁ ମୁଁ ଦୁଃଖ କରେନି । ଏକା ମୁଁ କାହିଁକି ଆଜିକାଲି ଅଧିକାଂଶ ବାପା ଙ୍କର ଏଇ ଅବସ୍ଥା ।
ଆଉ ପତ୍ନୀ ଙ୍କ କଥା ନ କହିଲେ ବରଂ ତମେ ଶାନ୍ତି ପାଇବ । ଏତିକି କହୁଛି ଯେ ମୁଁ ତାଙ୍କର ଯୋଗ୍ୟ ନ ଥିଲି , ତାଙ୍କର ଅସନ୍ତୋଷ ଆଉ ମୋ ସହିତ ରହିବା ତାଙ୍କ ପକ୍ଷ ରେ ଅସହ୍ୟ ହେବାରୁ ବିବାହ ର ଅଠର ବର୍ଷ ପରେ ବି ମୋତେ ଛାଡପତ୍ର ଦେଇ ଦେଇ ଅନ୍ୟତ୍ର ରହୁଛନ୍ତି , ଆଉ ମୁଁ ଏଇ ହୁଇଲ ଚେୟାର ରେ , ଅନ୍ୟ ର ଦୟା ଆଉ ସାହାଯ୍ୟ ରେ ।।
ଦ୍ରାକ୍ଷା ର ଡ଼ାଇରୀ ର ଶେଷ ପୃଷ୍ଠା ରେ ଆଖି ବୁଲାଉ ଥିଲେ ଅଜିତାଭ । ଏଇଟା ତମର ଶେଷ ଉପନ୍ୟାସ । ଝିଅ କହୁଥିଲା ,ତମେ ଝିଅ ସହିତ ଅଲଗା ରହୁଥିଲ ବୋଲି ।କାହିଁ ,କେଉଁଠି ହେଲେ ତ ଲେଖିନାହଁ ସେ କଥା । କାହିଁକି ଦ୍ରାକ୍ଷା ? ତା ହେଲେ ତମ ବିବାହିତ ଜୀବନ କଣ ସୁଖ ପ୍ରଦ ନ ଥିଲା ? ଶିଳ୍ପା ତା ହେଲେ ଠିକ କହୁ ଥିଲା ? ସେମିତି ସବୁ କଥା ତମେ ମନ ଭିତରେ ଚାପି ରଖିଥିଲ , ଏ ଡାଇରୀ ରେ ବି ଲେଖିଲ ନାହିଁ ।
ଶେଷ ପୃଷ୍ଠା ରେ ଶେଷ ଧାଡି ଗୁଡିକ ପଢୁ ଥିଲେ , ଅଜିତାଭ ....ଏତିକି ମୋର ଶେଷ ଇଚ୍ଛା ଥିଲା ଜୀବନ ର ଶେଷ ମୁହୂର୍ତ୍ତ ରେ ତମେ ଟିକେ ମୋ ପାଖ ରେ ଥାଆନ୍ତ । ମୋ ମଥା ଉପରେ ତମ ହାତ ର ସ୍ପର୍ଶ ଟିକେ ଅନୁଭବ କରି ଥାଆନ୍ତି ।
କିନ୍ତୁ ତମ ଆକ୍ସିଡେଣ୍ଟ ଖବର ଆଉ ପରେ ପରେ ଗୋଡ଼ ଦୁଇଟିକୁ ହରାଇବା ଖବର ଶୁଣିବା ପରେ .....
ବନ୍ଦ ଆଖି ରୁ ଦୁଇ ଟୋପା ଲୁହ ନିଗିଡି ପଡିଲା ଅଜିତାଭ ଙ୍କର ଆଖି ରୁ । ଟେବୁଲ ଉପରେ ଡାଇରୀ ଟିକୁ ରଖି ମୁଣ୍ଡ ମାଡି ବସି ରହିଲେ କିଛି କ୍ଷଣ ।। ହାତ ଦୁଇଟି ବେଢ଼ି ରହିଥିଲା ଦ୍ରାକ୍ଷା ର ସେଇ ରଙ୍ଗୀନ ଫଟୋ ଟିରେ , ଦ୍ରାକ୍ଷା ହସୁଥିଲା ଓଠ ଚାପି ଚାପି । କେଜାଣି ସ୍ୱର୍ଗ ରେ ଥାଇ ସତ କୁ ସତ ହସୁଥିବ ଏମିତି....

