Laxman Kumar Behera

Inspirational Abstract

3.0  

Laxman Kumar Behera

Inspirational Abstract

ମିତ୍ରତା

ମିତ୍ରତା

8 mins
605


 

        ଅଳ୍ପ ଦିନ ତଳେ ମୋ ପ୍ରିୟ ମିତ୍ର ଅରୁଣ ଘରକୁ ଯାଇଥିଲି । ଦେଖିଲି ସେ ଏକୁଟିଆ ଖଟ ଉପରେ ଶୋଇ ବହୁତ କଷ୍ଟ ପାଉଛି । ତା'କୁ ଦେଖି ମୋତେ ଭାରି ଦୁଃଖ ଲାଗିଲା । ଆଖି ଉପକୂଳରେ ଅଶ୍ରୁ ଜମାଟ ବାନ୍ଧିଗଲା । ସତରେ ସମୟ ମଣିଷକୁ ଏମିତି ପରିସ୍ଥିତିରେ ଛିଡା କରିଦିଏ ଯେ, ନିଜର ପ୍ରିୟ ମଣିଷ ମାନେ ମଧ୍ଯ ଅଣଦେଖା କରିବାକୁ ପଛାନ୍ତି ନାହିଁ । ବିରହ ଆଉ ପ୍ରତାରଣାର ଜ୍ବାଳାରେ ଜଳିବାକୁ ଛାଡି ଦିଅନ୍ତି ନିଜର ଦେହ ସୁଖ ପାଇଁ । ଫୋପାଡି ଦିଅନ୍ତି ନର୍କରୂପି ଡଷ୍ଟବିନ୍ ରେ । କେବେବି ମୁହଁ ବୁଲାଇ ଥରୁଟିଏ ଚାହିଁ ଦେଖନ୍ତିନି ବଞ୍ଚିଛି କି ମରିଛି ବୋଲି । ନିଜର ଦୁଃଖ ସମୟରେ ସାଙ୍ଗରେ ଛିଡା ହେବା ବଦଳରେ ସ୍ମୃତି ଭିଜା ଜୀବନ ବାଟରୁ ସବୁଦିନ ପାଇଁ ମୁହଁ ମୋଡି ଚାଲିଯାନ୍ତି ଆଉ କାହାକୁ ପଟେଇ ଆପଣାର କରି । ମୋ ପ୍ରିୟ ମିତ୍ର ଅରୁଣ ଅନେକ ଭଲ ପାଉଥିବା ସତ୍ତ୍ବେ ମଧ୍ୟ ତା' ସ୍ତ୍ରୀ ସୁଲୋଚନା କେମିତି ତା'କୁ ଧୋକା ଦେଇଛି ତାହା ହିଁ ଏ ଗଳ୍ପର ମୁଖ୍ୟ ବିଷୟ ।


      ମୋ ସହପାଠୀ ଅରୁଣ । କଲେଜ୍ ରେ ପଢିଲା ବେଳେ ଆମେ ଦୁହେଁ ଭଲ ମିତ୍ର ଥିଲୁ । ସୁବିଧା ଅସୁବିଧାରେ ଆମେ ପରସ୍ପରକୁ ସାହାଯ୍ୟ କରୁଥିଲୁ । ସେ ବହୁତ୍ ଗରିବ ଥିଲା । ମୋ ବାପା ଆଉ ମାଆ ଉଭୟେ ଉଚ୍ଚ ପଦବୀରେ ଚାକିରି କରୁଥିବାରୁ ମୋ ଚଳଣୀ ତା' ଠାରୁ ବହୁତ ଭଲ ଥିଲା । ସେ କଲେଜ୍ ରେ ଭଲ ପଢୁଥିଲା । ମୋ ଠାରୁ ବି ଭଲ । ତେଣୁ ତା' ସହିତ ମିତ୍ରତା କରିବାକୁ ମୁଁ ସଜ ହେଇଥିଲି । କିନ୍ତୁ ସେ ମୋତେ ଦେଖିଲେ ଲୁଚୁଥିଲା । ସେ ମୋ ସହ ମିଶିବାକୁ ସଂକୋଚ ଅନୁଭବ କରୁଥିବା ମୁଁ ଜାଣି ପାରିଥିଲି । ତେଣୁ ତା' ସହ ବନ୍ଧୁତା ପାଇଁ ମୁଁ ନିଜକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲି । ଠିକ୍ ତା' ପରି ମୋ ବେଶଭୂଷା, ଖାଦ୍ଯପେୟ ଆଉ ହଷ୍ଟେଲ୍ ରେ ରହଣୀ ଏମିତିକି ସବୁକିଛି । କେବେ ତା'କୁ କହି ନଥିଲି ଯେ, ମୋ ବାପା ମାଆ ଚାକିରି କରନ୍ତି ବୋଲି । ତାଙ୍କ ଘରକୁ ମୁଁ ଅନେକ ଥର ଯାଇଛି । କେବେବି ଆମ ଘରକୁ ସେ ଯିବା ପାଇଁ ମୋତେ କହିନି କି ମୁଁ ମଧ୍ୟ ତା'କୁ ଆମ ଗାଆଁକୁ ବୁଲି ଯିବା ପାଇଁ ଡାକିନି । ମୁଁ ତା'କୁ ଆମ ଘରକୁ ଡାକିବା ପାଇଁ ଡରୁଥିଲି । ଭାବୁଥିଲି ଆମେ ତାଙ୍କ ଅପେକ୍ଷା ଧନୀ ବୋଲି ଜାଣି କାଳେ ସେ ମୋ ମିତ୍ରତାକୁ ବାରଣ କରିବ । ସେଥିପାଇଁ କେବେବି ମୋ ପରିବାର ବିଷୟରେ ତା'କୁ ଜଣାଇନି ଆଜିଯାଏଁ । 


     ଆମେ ଗାଆଁର ଧନୀ ବ୍ଯବସାୟୀ ଥିଲୁ । ମୋ ଅଜା ବ୍ଯବସାୟ କଥା ବୁଝୁଥିଲେ । ଟ୍ରାକ୍ଟର, ବସ୍, ଟ୍ରକ୍ ଆଦି ଗାଡି ମଟର, ଜମିବାଡିରେ ଚାଷବାସ ଆଉ ଆୟବ୍ୟୟର ସମସ୍ତ ହିସାବ କଥା ମୋ ଅଜା ହିଁ ଦେଖାଶୁଣା କରୁଥିଲେ ।


     କଲେଜ୍ ରେ ସ୍ନାତକ ପଢିଲା ପରଠାରୁ ଆଜିଯାଏଁ ପ୍ରାୟ ଦୀର୍ଘ ସାତ ବର୍ଷ ହେଇ ଗଲାଣି ଅରୁଣ ସହ ମୋର ଦେଖା ହେଇନି । କେବଳ ଫୋନ୍ ରେ ଯାହା କଥାବାର୍ତ୍ତା । ମୂଲ୍ୟବାନ ସମୟ ଚାଲି ଯାଉଥାଏ । ପ୍ରିୟ ମିତ୍ରର କଥା ଭାରି ମନେ ପଡୁଥାଏ । ଭେଟ ସିନା ହେଇ ପାରୁ ନଥାଏ, ହେଲେ, ମିତ୍ରତାର ଯେଉଁ ଅମୃତର ଭାବ ହୃଦୟରେ ବସା ବାନ୍ଧିଥିଲା ତାହା ମିତ୍ର ଆଡକୁ ଧିରେ ଧିରେ ଟାଣି ନେଉଥିଲା । ମୋ ମିତ୍ରକୁ ମୁଁ ପ୍ରଚୁର ଭଲ ପାଉଥିଲି । ତା' ସଂସାରରେ ସେ ସୁଖରେ ଥାଉ ଏହାହିଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲି । ତା' ବାପାମାଆ ତା'କୁ ଅନେକ ଥର କହିବାରୁ ସେ ସ୍ନାତକ ପରେ ପରେ ବିବାହ କଲା । ସେ ତା'କୁ ହିଁ ବିବାହ କରୁଛି ବୋଲି କହିଲା ଯେଉଁ ଝିଅଟି କଲେଜ୍ ରେ ପଢିଲା ବେଳେ ବଳାତ୍କାର ର ଶୀକାର ହେଇଥିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଯେଉଁ ଝିଅକୁ କେହି ଯେତେବି ଧନ ଲୋଭ ଦେଖାଇଲେ ବିବାହ କରିବେ ନାହିଁ ସେ ଝିଅକୁ ସେ କେମିତି ବିବାହ କରୁଛି ? ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା । ତା'କୁ ବିବାହ କରିବାର ଉଦ୍ଦେଶ୍ୟ ପଚାରିଲି । ସେ ମୋତେ ଯେଉଁ ଉତ୍ତର ଦେଲା ସେଥିରେ ମୁଁ ଆଚମ୍ବିତ ହେଲି । ସେ କହିଲା, ଯେଉଁ ଝିଅଟି ସମାଜ ପାଇଁ ଅଲୋଡା ତା'କୁ ସମାଜରେ ଉଚ୍ଚ ସମ୍ମାନ ଦେଇ ବଞ୍ଚିବାର ରାହା ଦେବା ହିଁ ମୋ ପାଇଁ ପରମ ଧର୍ମ ହେବ । ଏହା ପାପ ନୁହେଁ ପୂଣ୍ୟ କାର୍ଯ୍ଯ ହେବ । ଏ ଜଗତ ଯୁଗଯୁଗ ପାଇଁ ମୋର ହିତକାର୍ଯ୍ଯକୁ ସ୍ମରଣ କରୁଥିବ । ସେ କାହିଁକି ସମାଜରେ ନିନ୍ଦା ଅପମାନ ମୁଣ୍ଡରେ ବୋଝେଇ ଜୀଇଁବ ? ସେ ଆମର ସହପାଠିନୀ । ତା'ର ମଧ୍ୟ ସମାଜରେ ବଞ୍ଚିବାର ଅଧିକାର ଅଛି ।


ତା' କଥା ଶୁଣି ମୁଁ ସ୍ତବ୍ଧ ହେଇଗଲି । ଆଉ ପଦୁଟିଏ ବି ମୋ ପାଟିରୁ କଥା ବାହାରିଲା ନାହିଁ । ବିବାହକୁ ମୋତେ ନିମନ୍ତ୍ରଣ କରିଥିଲା । ହେଲେ ତା' ବିବାହରେ ମୁଁ ପହଞ୍ଚି ପାରି ନଥିଲି । ତା' ବିବାହକୁ ଯାଇ ନଥିବାରୁ ସେ ମୋତେ ବହୁତ ରାଗୁଥିଲା । ମୁଁ ହେଲେ କଣ କରିଥାନ୍ତି ? ଭୁବନେଶ୍ବରରେ ମୋର ସେଦିନ ଏମ୍• ବି• ଏ• ପରୀକ୍ଷା ଥିଲା । ତା'ର ବିବାହରେ ମୁଁ ଗୋଟିଏ ସାହାଯ୍ୟ କରିଥିଲି । ଯେଉଁଟା ହେଲା ମୋ ଭଉଣୀକୁ ମୁଁ ତା' ବାହାଘରକୁ ପଠାଇଥିଲି । ମୋ ଭଉଣୀକୁ ମୁଁ ତା' ବାହାଘରକୁ ପଠାଇବାର କାରଣଟି ଥିଲା ଯଦି ମୋ ମିତ୍ର କିଛି ଅସୁବିଧାର ସମ୍ମୁଖୀନ ହୁଏ ତେବେ ଅତିଶିଘ୍ର ତା'କୁ ସେ ସାହାଯ୍ୟ କରିବ । ମୋ ଭଉଣୀ ତା' ସାଙ୍ଗ ସହ ବିବାହ ଦିନ ତାଙ୍କ ଘରେ ପହଞ୍ଚିଲା । ମୋ ଭଉଣୀକୁ ତାଙ୍କ ଘରେ କାହାର ସଂପର୍କୀୟ ବୋଲି ଅନେକ ପଚାରିଲେ । ସେ ବିବାହ ନିମନ୍ତ୍ରଣ ପାଇ ଆସିଛି ବୋଲି କହିଲା ।


     ମୋ ଭଉଣୀକୁ ମୁଁ କହିଥିଲି ଯିଏ କେହି ପଚାରିଲେ ମଧ୍ଯ କେବେ ମୋ ପରିଚୟ ନ ଦେବା ପାଇଁ । ସେଥିପାଇଁ ସେ ନିଜର ପରିଚୟ ସେଠାରେ ସେଦିନ ଲୁଚାଇଥିଲା ।


     ବିବାହ ଦିନ ମୋ ପରମ ମିତ୍ରର କୌଣସି ପ୍ରକାର ଅସୁବିଧା ହେଇନି ବୋଲି ମୋ ଭଉଣୀ ମୋତେ ଫୋନ୍ ରେ ଜଣାଇଲା । ମୁଁ ତା' ଠାରୁ ଏଭଳି ଶୁଣି ଖୁସିରେ ଆତ୍ମବିଭୋର ହେଇଗଲି ।


        ( ବିବାହ ଦିନ ମୋ ପ୍ରିୟ ମିତ୍ର ମୋତେ ଫୋନ୍ ରେ ଗାଳି କରି ହୁଡୁଥାଏ ) ତୋ ଭଳି ମୋର ହଜାରେ ମିତ୍ର ଥିଲେ କ'ଣ ହେବ ? ଯିଏ ମୋ ବିବାହରେ ଆସି ପାରିଲାନି ସେ କେବେବି ମୋ ମିତ୍ର ହେଇ ନପାରେ । ମୁଁ ତୋ ସହ ସଚ୍ଚା ମିତ୍ରତା ଲିଭାଏ ବୋଲି ଭଗବାନ୍ ଜଣେ ଝିଅକୁ ମୋ ପାଖକୁ ମୋତେ ସାହାଯ୍ୟ କରିବା ପାଇଁ ପଠାଇଛନ୍ତି । ( କାନ୍ଦି କାନ୍ଦି କହିଲା ) ସେ ସାକ୍ଷାତ୍ ଲକ୍ଷ୍ମୀରେ ମିତ୍ର । ସେ ଆସି ନଥିଲେ ମୁଁ ଭାରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜାଣିଛୁ ସେ ମୋତେ ପଚାଶ ହଜାର ଟଙ୍କା ଦେଇ କହିଲା ଭାଇ ଆଉ ଦରକାର ହେଲେ କହିବ । ୟା ଠାରୁ ବଳି ସହଯୋଗ ସଂସାରରେ ଆଉ କ'ଣ ଅଛି କୁହ ତ ମିତ୍ର । ମୁଁ ସେ ଝିଅକୁ ନା ଚିହ୍ନିଛି ନା ଜାଣିଛି । ମୁଁ ପ୍ରଥମ ଥର ତ ଦେଖିଲି । ତୁମେ କିନ୍ତୁ ବଡ ଧୋକାବାଜ୍ ମିତ୍ର ।


      ବିବାହ ଭୋଜି ସରିଲା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ । ଅରୁଣ ଅନେକ ଖୋଜିଲା ସେ ଝିଅକୁ ଯେଉଁ ଝିଅ ତା'କୁ ପଚାଶ ହଜାର ଟଙ୍କା ଦେଇଥିଲା । ହେଲେ ସେ ତା'କୁ ପାଇଲା ନାହିଁ । କେହି ମଧ୍ୟ ପରିବାରର ତା'କୁ କି ତା' ସାଙ୍ଗକୁ ଚିହ୍ନି ନଥିଲେ । ଅରୁଣ ଭାରି ମନ ଦୁଃଖ କଲା ।


    ଭାରି ବ୍ଯସ୍ତ ହୋଇ ସେଦିନ ସଂନ୍ଧ୍ଯା ସମୟରେ ଅରୁଣ ଫୋନ୍ କରି ମୋତେ ଜଣାଇଲା ମିତ୍ର, ଆମ ଘରକୁ ଜଣେ ଝିଅ ଆସିଥିଲେ । ସେ ପଚାଶ ହଜାର ଟଙ୍କା ସାହାଯ୍ୟ ଦେଲେ, ହେଲେ; ମୁଁ ଅତ୍ୟନ୍ତ ଦୁଃଖିତ ତା'ର ପରିଚୟ ଅନେକ ପଚାରିଥିବା ସତ୍ତ୍ବେ ମଧ୍ୟ ସେ ମୋତେ କିଛି ନ କହି ହସି ଦେଇଥିଲା । ମୁଁ କିଛି ବୁଝି ପାରୁନି । ସେ ଝିଅ କିଏ ? ମୋ ଭଳି ଜଣେ ଗରିବ ପିଲାକୁ ସାହାଯ୍ୟ କରିବାର କାରଣ କ'ଣ ହେଇପାରେ ? ଜଣେ ପୀଡିତାକୁ ବିବାହ କରିଥିବାରୁ ସେ ମୋତେ ସାହାଯ୍ଯ କଲା କି ? ମୁଁ ତା'କୁ କହିଲି, ତୁ ତ ମୋତେ କହିଲୁ ସେ ସାକ୍ଷାତ୍ ଲକ୍ଷ୍ମୀ ବୋଲି । ଆଉ ଧନ ଲକ୍ଷ୍ମୀ ତ ଧନ - ଟଙ୍କା ଦିଏ ନା ! ତା' ପରିଚୟ ପାଇଲେ କ'ଣ କରିବୁ ଯେ ? ଯିଏ ମୋ ମିତ୍ରର ସାହାଯ୍ୟ କଲା ସେ ବାସ୍ତବରେ ମହିୟସୀ ତ ହେଇଥିବ ନିଶ୍ଚିତ । ହୃଦୟ ତା'ର ପବିତ୍ର ଆଉ ବିଶାଳ ହେଇଥିବ । ଆଉ କିଛି କହିବା ଆଗରୁ ସେ ଫୋନ୍ ବନ୍ଦ କରି ସାରିଥିଲା ।


      ମୋ ଭଉଣୀ ମୋତେ ଫୋନ୍ ରେ ଜଣାଇଲା ମୁଁ ଭୋଜିରେ ଯୋଗ ଦେଇ ଘରକୁ ଆସିଲିଣି । ମୁଁ ବିବାହରେ ଧୁମ୍ ମସ୍ତି କଲି । ଏହା ଶୁଣି ମୁଁ ନିଜକୁ ହାଲୁକା ମନେକଲି । ଭଉଣୀର କାର୍ଯ୍ଯରେ ମୁଁ ଭାରି ଖୁସିହେଲି । ସେ ମୋତେ ଜମାରୁ କହିଲା ନାହିଁ ଯେ, ମୋ ମିତ୍ରକୁ ପଚାଶ ହଜାର ଟଙ୍କା ଦେଇଛି ବୋଲି । ମୁଁ ତା'ର ନିଃସ୍ବାର୍ଥ ସାହାଯ୍ୟରେ ଭାରି ପ୍ରୀତ ହେଲି । 


    ମୋ ମିତ୍ର ଅରୁଣ ଆଜିଯାଏଁ କେବେ ମୋ ଭଉଣୀ ବୋଲି ଜାଣି ପାରିନି କି ମୁଁ ମଧ୍ୟ ତା'କୁ ଜଣାଇନି ।


      ଦୀର୍ଘ ସାତ ବର୍ଷ ପରେ ମୁଁ ହଠାତ୍ ଫୋନ୍ ନକରି ତା' ଘରେ ପହଞ୍ଚି ଗଲି । ତା' ବାପାମାଆ ଆରପୁରକୁ ଚାଲି ଯାଇଥିଲେ । ସେ ଏକୁଟିଆ ଖଟରେ ଶୋଇଥିଲା । ସେ ମୋତେ ଦେଖି କାନ୍ଦିବାକୁ ଲାଗିଲା । ମୁଁ କିଛି ବୁଝି ପାରୁ ନଥାଏ । ସୁସ୍ଥ ଶବଳ ପିଲାଟି ମାତ୍ର ତିରିଶ୍ ବର୍ଷ ବୟସରେ ଏତେ ଦୁର୍ବଳ କେମିତି ? ମୁଁ ଆଶ୍ଚର୍ଯ୍ୟ ହେଲି । ତୁମ ସ୍ତ୍ରୀ କୁଆଡେ ବୋଲି ମୁଁ ପ୍ରଶ୍ନ କଲି । ମୋ କଥା ଶୁଣି ସେ ଯେଉଁ ଉତ୍ତର ଦେଲା ମୁଁ କାନ୍ଦି ପକାଇଲି ।


      ଜୀବନ ବାଟରେ ଆଜି ମୁଁ ଏକୁଟିଆ ହେଇଗଲି ମିତ୍ର । ଭାବିଥିଲି ସୁଖର ସଂସାରରେ ଜୀବନ ସାଥୀକୁ ନେଇ ସୁଖରେ ଜୀବନ ଜୀଇଁବି । ହେଲେ; ବିଧାତାଙ୍କର ବୋଧେ ଏଇ ଇଚ୍ଛା ଥିଲା । ମୋତେ ମାସେ ହେଲାଣି ଏଡ୍ସ ରୋଗ । କେମିତି ହେଲା ମୁଁ ଜାଣିନି । ଅନ୍ଯ କାହା ସହ ତ ମୋର ଅବୈଧ ସଂପର୍କ ନାହିଁ । ମୁଁ ପରକୀୟା ପ୍ରୀତିକୁ ଘୃଣା ଆଉ ପାପ ବୋଲି କହେ । ହେଲେ ମୋତେ ଏ ରୋଗ କେମିତି ହେଲା ବୁଝି ପାରୁନି । ଜାଣିଛି ଏ ଧରାରେ ଆଉ ଅଳ୍ପ ଦିନ ଜୀଇଁବି । ହେଲେ ମଲା ବେଳେ ନିନ୍ଦା ଅପମାନ ମୁଣ୍ଡରେ ବୋଝେଇ ମରିବି ଏକଥା ଜାଣି ନଥିଲି ମିତ୍ର । ମୋତେ ଏଡ୍ସ ରୋଗ ହେଇଥିବା ଜାଣି ମୋ ସ୍ତ୍ରୀ ମୋତେ ଛାଡି ତା' ବାପ ଘରକୁ ଚାଲିଗଲା । ଏ ଗାଆଁ ରେ ମୋତେ ଏକ ଘରକିଆ କରି ଦେଇଛନ୍ତି । ମୋତେ ଅଛୁଆଁ ବୋଲି କହୁଛନ୍ତି । ମୁଁ ଆଜି ନିଃସ୍ବ ହେଇଗଲି ମିତ୍ର । ମୋ ବଂଶକୁ ମୁଁ ରକ୍ଷା କରି ପାରିଲିନି । ଏ ପୃଥିବୀରେ ସୁଖ ଶାନ୍ତିରେ ବଞ୍ଚିବା ପାଇଁ ବହୁତ ଇଚ୍ଛା ଥିଲା । ହେଲେ ସମ୍ଭବ ହେଲା ନାହିଁ । ମୋ କଥା ତୋତେ ଜଣାଇବା ପାଇଁ ଚାହୁଁଥିଲି ହେଲେ ମୁଁ ଲଜ୍ଜ୍ଯା ଅନୁଭବ କଲି । କାଳେ ତୁ ମୋତେ ଭୁଲ୍ ବୁଝିବୁ ।


  ମୋର ଗୋଟେ କଥା ରଖିବ ମିତ୍ର ? ହଁ ହଁ କୁହ ( ମୁଁ କହିଲି )। ମୋତେ ଏ ନିନ୍ଦା ଅପମାନରୁ ମୁକ୍ତ କରି ପାରିବ ?


       ମୁଁ କଲେଜ୍ ରେ ପଢିଲା ବେଳେ ଭଲଭାବେ ତା'କୁ ଜାଣିଛି ସେ ତ କୌଣସି ଝିଅ ସହ ମିଶି କଥା ହେବା ତ ଦୂରର କଥା ଆଡନେତ୍ରେ ମଧ୍ୟ କେବେ ଝିଅ ପିଲାକୁ ଦେଖେ ନାହିଁ । ସେ କେମିତି ଏଡ୍ସ ରୋଗୀ ହେଇଗଲା । ଅନ୍ଯ କୌଣସି କାରଣ ହେଇଥିବ ଭାବି ତା'କୁ ଅନେକ ପ୍ରଶ୍ନ ପଚାରିଲି । ମୁଁ ତୋତେ ଯାହା ବି ପଚାରିବି ତୁ ସବୁ ସତ ସତ କହିବୁ । ସେ ମୋ ପ୍ରଶ୍ନର ସବୁ ଉତ୍ତର ଦେଲା ।


     - ତୁ ଦାଢି ନିଜେ ଖିଅର୍ ହେଉ ନା ଭଣ୍ଡାରୀ ପାଖକୁ ଯାଉ ? 


        - ନିଜେ ଦାଢି ଖିଅର୍ ହୁଏ । ସେଲୁନ୍ ରେ କେବଳ ଚୁଟି କାଟିବାକୁ ଯାଏ । ମାସେ ହେଲାଣି ନିଜେ ଚୁଟି ଆଉ ଦାଢି ଖିଅର୍ ହେଉଛି । ଏଡ୍ସ ରୋଗ ପାଇଁ ସେଲୁନ୍ ବାଲା ମାନେ ମୋତେ ଖିଅର୍ କରିବା ପାଇଁ ମନା କରୁଛନ୍ତି । 


        - ନଖ ତୁ ନିଜେ କାଟୁଥିବୁ ତ ? 


        - ହଁ ନିଜେ କାଟୁଛି ।


        - କୌଣସି ରୋଗରେ କେବେ ଡାକ୍ତରଙ୍କ ପାଖକୁ ଯାଇ ପୂର୍ବରୁ ବ୍ଯବହୃତ ଅଶୋଧିତ ସିରିଞ୍ଜ୍ ରେ ଇଞ୍ଜେକସନ୍ ନେଇଛୁ କି ? 


        - ନାଇଁ ମ ମିତ୍ର ମୁଁ ସେ ଦିଗରେ କଲେଜ୍ ରେ ପଢିଲା ବେଳୁ ସଚେତନ ଅଛି । ଆଉ କିଛି କାରଣ ହେଇଥିବ ।


        - ତୋ ସ୍ତ୍ରୀ ଆଉ କାହା ସହ ••• ?


        - ନା ନା ସେ ସେମିତି ନୁହେଁ । ସେ ପତିବ୍ରତା । ସେ ସତୀ - ସାବିତ୍ରୀ । ତା'କୁ ସେମିତି ଭାବିବା ମୋ ପାଇଁ ପାପ ହେଇଯିବ । ହଁ, କଲେଜ୍ ରେ ସେ ପଢି ସାରିବା ପର ଠାରୁ ଆଉ ମୁଁ କେବେବି ତା'କୁ ନଷ୍ଟ ଚରିତ୍ର ହେବାର ଜାଣିନି ଆଜିଯାଏଁ । କୌଣସି ପରପୁରୁଷ ସହ ମିଳାମିଶା କଥାବାର୍ତ୍ତା ହେବାର ଜାଣିନି । ତା' ବିଷୟରେ ଏମିତି କେମିତି ଖରାପ ଭାବିବି ?


        - ତୁ କି କି କାମ କରି ପରିବାର ପୋଷୁଥିଲୁ ?


        - ଜଙ୍ଗଲରୁ କାଠ ସଂଗ୍ରହ କରି ବିକୁଥିଲି । ମୋ ସ୍ତ୍ରୀ ପରର ଭୁତି ମୂଲ କରି ଯାଉଥିଲା । ଚାରି ପାଞ୍ଚ ଘରର ପାଇଟି ସହ ଖତ ପକାଇ ମାସକୁ ପନ୍ଦର ରୁ ସତର ହଜାର ଟଙ୍କା କମାଣି କରୁଥିଲା ।


     ମୋ ପ୍ରିୟ ମିତ୍ର ଠାରୁ ଉତ୍ତର ଶୁଣି ମୁଁ ଠଉରେଇ ସବୁ ବୁଝି ସାରିଥିଲି ଯେ, ତା' ସ୍ତ୍ରୀ ହିଁ ଏ ରୋଗର କାରଣ ।


        ମୁଁ ତା'କୁ ଧରି ମୋ ଗାଆଁକୁ ଆସିଲି । ମୋ ଘର ଦେଖି ସେ ଲୁହ ଛଳଛଳ ହେଇ ମୋତେ ଅନେଇ ରହିଲା । ସେ ମୋତେ କ'ଣ କହିବାକୁ ଚାହୁଁଥିଲା ସେସବୁ ମୁଁ ବୁଝି ସାରିଥିଲି । ମୋ ଭଉଣୀ ତା' ଶାଶୁ ଘରୁ ଆସି ସେଦିନ ପହଞ୍ଚି ଥାଏ । ଆମ ଘରେ କାହାରିକୁ ତା' ରୋଗ ବିଷୟରେ ମୁଁ ଜଣାଇବା ଉଚିତ୍ ମଣିଲି ନାହିଁ । ମୋ ଠାରୁ ସବୁଦିନେ ମୋ ପ୍ରିୟ ମିତ୍ରର କଥା ପରିବାର ଲୋକେ ଶୁଣୁଥିବାରୁ ପରିବାରର ସମସ୍ତ ସଦସ୍ଯ ତା'କୁ ଦେଖି ହଠାତ୍ ଚିହ୍ନି ପାରିଲେ । ତା'କୁ ସମସ୍ତେ ଆଦର କଲେ, ଭଲ ବ୍ଯବହାର ଦେଲେ । ମୋ ଭଉଣୀକୁ ଦେଖି ସେ ସବୁକିଛି ବୁଝି ଗଲା । ମୋ ଆଡକୁ ଦେଖି କହିଲା, ମୁଁ ସେଦିନ ତୋତେ ଏତେ ଗାଳି କରୁଥିଲି ହେଲେ ତୁ ଚୁପଚାପ୍ ଶୁଣୁଥିଲୁ, କାହିଁକି ? କାହିଁକି କହିଲୁ ନାଇଁ ଯେ ସେ ଆମ ଭଉଣୀ ବୋଲି ? 


       ( ଟିକିଏ ଭାବ ବିହ୍ବଳ ହେଇ ) ତୁ ମୋର ଶ୍ରେଷ୍ଠ ମିତ୍ର କନ୍ଦର୍ପ । ଏ ଜନ୍ମରେ ତୋ ଭଳି ମିତ୍ର ପାଇ ମୁଁ ଧନ୍ଯ ଆଉ ଗର୍ବିତ । ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି ପ୍ରତିଟି ଜନ୍ମରେ ତୁ ମୋର ମିତ୍ର ହୋଇ ଜନ୍ମ ନେଉଥାଆ ଆଉ ଏ ଜଗତରେ ସମସ୍ତଙ୍କୁ ତୋ ଭଳି ହିଁ ମିତ୍ର ମିଳୁଥାନ୍ତୁ ।


     ଆଜି ମୋର ପ୍ରିୟ ମିତ୍ର ଅରୁଣ ଆଉ ଏ ଧରା ଧାମରେ ନାହିଁ । ସେ ଆଜି ଆକାଶର ତାରାଟିଏ ସାଜି ମୋ ଠାରୁ ବହୁତ ଦୂରରେ । 


      


Rate this content
Log in

Similar oriya story from Inspirational