Jyotiranjan Sahu

Romance

2  

Jyotiranjan Sahu

Romance

ମଧୁ-ସ୍ମିତା୦୨(ଏକାହାଣୀଟିକିଏନିଆରା

ମଧୁ-ସ୍ମିତା୦୨(ଏକାହାଣୀଟିକିଏନିଆରା

6 mins
471


ଲଗଜା ଗଲେ କେ ଫିର ୟେ ହସିଁ ରାତ ହୋ ନା ହୋ , ସାୟଦ ଫିର୍ ଇସ୍ ଜନମ ମେଁ ମୁଲାକାତ ହୋ ନା ହୋ ଲଗଜା ଗଲେ..' । ସବୁଦିନ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ଗଲାବେଳେ ସାମନା ଘରୁ ଭାସିଆସୁଥାଏ ଏ ଗୀତ । ସାହୁ ବାବୁ ନୂଆ ଘରକୁ ଆସିବାର ଦୁଇ ମାସ ଭିତରେ ଏମିତି କେଉଁ ଗୋଟିଏ ଦିନ ନାହିଁ ଯେଉଁ ଦିନ ଏ ଗୀତ ଟି ତାଂକ ସାମନା ଘରେ ନ ବାଜିଛି ସବୁଦିନ ଏ ଗୀତ ଟି ଶୁଣି ଶୁଣି ସେ ମଧ୍ୟ ଅନେକ ସମୟରେ ଏଇଟିକୁ ଗୁଣୁଗୁଣୁ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି । ଆଜି ସକାଳୁ ମର୍ଣ୍ଣିଂ ୱାକ୍ ସାରି କରୁଣା ଇଲେକଟ୍ରୋନିକ୍ ଦୋକାନ ପାଖ ଖଟିରେ ବସିଥିବା ବେଳେ ଜଣେ ମହିଳା ସେହି ବାଟ ଦେଇ ଚାଲିଗଲେ । ଗଲାବେଳେ କରୁଣା କୁ ପଚାରିଲେ " କରୁଣା ବାବୁ ମୋ ଟେପ୍ ଟା ଖରାପ ହୋଇଯାଇଛି । ଟିକିଏ ଠିକ୍ କରିଦେବେ ନା " ହସିଦେଇ କରୁଣା ବାବୁ କହିଲେ " ହଁ ହଁ ମ୍ୟାଡାମ୍ ଠିକ୍ କରିଦେବି । ୯ଟା / ୧୦ଟା ବେଳେ ଦୋକାନ ଖୋଲିଲେ ଆସିଦେଇଯିବେ ।  

କରୁଣା କର ସାହୁ ବାବୁକଂର ମର୍ଣ୍ଣିଂ ୱାକ୍ ଫ୍ରେଣ୍ଡ । ସେ ମହିଳା ଜଣକ ସେଠାରୁ ଗଲାପରେ ସାହୁ ବାବୁ କରୁଣା ବାବୁକୁଂ ପଚାରିଲେ " ଏହି ମହିଳା ବୋଧହୁଏ ଆମ ସାମନା ଘର " ହସିଦେଇ କରୁଣା ବାବୁ କହିଲେ " ହଁ ହଁ ଆପଣକଂ ଘର ସାମନା ଘର ସ୍ମିତା ମ୍ୟାଡାମ୍ । ସେ ଯେତେବେଳେ ଗୀତ ଗାଆନ୍ତି ଇଚ୍ଛା ହୁଏ ସବୁ କାମଦାମ ଛାଡି ଆଖି ବନ୍ଦକରି କିଛି ସମୟ ପାଇଁ ସ୍ବପ୍ନରେ ନିଜକୁ ହଜାଇ ଦିଅନ୍ତି  କେବେ ଷ୍ଟେଜ୍ ରେ ଗୀତ ଗାଇଲେ ଶୁଣିବେ " ।


ସାହୁ ବାବୁ କହିଲେ" ଆରେ ହେଲା ଯେ ହେଲେ ଆଜିକାଲି ବି କେହି କଣ ଟେପ୍ ରେକର୍ଡର ବ୍ୟବହାର କରୁଛନ୍ତି ଦିନରାତି ତାଂକ ଘରେ ସେହି ଗୋଟିଏ ଗାନା ବାଜୁଥିବ । ଲଗଜା ଗଲେ... । ଶୁଣିଶୁଣି ମୋର ବି ସେ ଗାନାଟା ମୁଖସ୍ତ ହୋଇଗଲାଣି " ।

କରୁଣା ବାବୁ - " ଆରେ ସେ ଟେପ୍ ରେକର୍ଡର ଟା ଆଜିର ନୁହେଁ । ତିରିଶି ବର୍ଷ ପୁରୁଣା । ମଧୁ ବାବୁକୁଂ ସେଇଟା ଯୌତୁକରେ ମିଳିଥିଲା ; ଆଉ ସ୍ମିତା ମ୍ୟାଡାମ୍ ତାକୁ ଆଜିବି ସାଇତି ରଖିଛନ୍ତି । ମଧୁ ବାବୁ ! ଭାରି ରୋମାଣ୍ଟିକ୍ ଟାଇପର ଲୋକଟେ ।" ।

ସାହୁ ବାବୁ -" ବହୁତ ଭଲ ପାଉଥିବେ ଦୁହେଁ ଦୁହିଁକୁଂ ନିଶ୍ଚୟ । ମଧୁ ବାବୁ ତାହା ହେଲେ ତାଂକର ହଜବ୍ୟାଣ୍ଡ । ହେଲେ ସେତ..." ।

କରୁଣା ବାବୁ -"ହଁ ସେ ଆଉ ନାହାନ୍ତି ଆଜିକୁ ପନ୍ଦର ବର୍ଷ ହେଲା । ହେଲେ ମଧୁ-ସ୍ମିତା ର ପ୍ରେମ କାହାଣୀଟା ଏ ଏରିଆ ରେ ବିଖ୍ୟାତ୍ " ।

ସାହୁ ବାବୁ- " ମଧୁ-ସ୍ମିତା"

ଏଥର କରୁଣା ବାବୁ କହିଲେ :

" ହଁ ମଧୁ-ସ୍ମିତା ଗୋଟିଏ ନିଆରା ପ୍ରେମ କାହାଣୀ । ମୋର ଠିକ୍ ମନେଅଛି ସେଦିନଟା । ହାତରେ ଛତା ଖଣ୍ଡେ ଧରି ମଧୁ ବାବୁ ମୋ ଦୋକାନ କୁ ଆସିଥିଲେ । ଆସୁ ଆସୁ ପଚାରିଲେ ' ହୋଇରେ କରୁଣା ! ମୋ ଟେପ୍ ଟା ଠିକ୍ କଲୁଣି ନା ନାହିଁ ! ଛଅ ଦିନ ହେଲାଣି ମୁଁ ଗୀତ ଶୁଣିନାହିଁ ' । 

କରୁଣା ବାବୁ -' ହଁ ହଁ ; ଠିକ୍ କରିଦେଇଛି ' ।

ହେଲେ ସେଦିନ ମଧୁ ବାବୁକଂ ମୁହଁଟା କେମିତି ଟିକିଏ ଅଲଗା ଅଲଗା ଦିଶୁଥିଲା । ମୁଡ୍ ବି ଟିକିଏ ଅଫ୍ ଥିବାପରି ଜଣାପଡୁଥିଲା । କରୁଣା ବାବୁ ଟେପ୍ ଟିକୁ ପ୍ୟାକ୍ କଲା ଭିତରେ ମଧୁ ବାବୁ ପାଖ ମେଡିସିନ୍ ଦୋକାନ ର ବାବୁଲା କୁ କହିଲେ ' ହୋଇରେ ! ଏ କୁକୁର ଗୁଡାକ ରାତିରେ ଆଉ ଶୁଆଇ ଦେବେନି । ଏତେ ଭୋ ଭୋ ହେଉଛନ୍ତି ଯେ ଅଶାନ୍ତି ଲାଗୁଛି । ଇଚ୍ଛା ହେଉଛି ସବୁଯାକୁ ବିଷ ଦେଇ ମାରିଦିଅନ୍ତି ' । ମଧୁ ବାବୁକଂ କଥା ଶୁଣି ବାବୁଲା କହିଲା ' ଅଛି ! ମେଡିସିନ୍ ଅଛି । ଖାଇବାରେ ଗୋଳେଇ ଦେଇଦେଲେ ଜମାରୁ କଷ୍ଟ ହେବନି ! ଧିରେ ଧିରେ ମରିଯିବେ । ଜାଣିପାରିବେନି । ମଣିଷକୁ ଦେଲେ ପରା ଚାରି ଘଣ୍ଟା ଭିତରେ ହାର୍ଟବିଟ୍ କୁ ଏତେ ସ୍ଲୋ କରିଦେବ ଯେ ମଣିଷ ବି ମରିଯିବ ; ଜାଣିପାରିବନି କଷ୍ଟ । ଏଇଟା ବିଷ ନୁହେଁ । ଖାଲି ହୃତସ୍ପନ୍ଦନଟା ଧିରେଧିରେ ସ୍ଲୋ କରି ବନ୍ଦ କରିଦେବ ।

ମଧୁବାବୁ -' ଭଲ ଉପାୟଟା କହିଲୁ । ଦେଲୁ ଦେଲୁ ଆଜି ରାତି ଶାନ୍ତିରେ ଗୀତ ଶୁଣି ମଣିଷ ଟିକିଏ ଶୋଇବ ; ନହେଲେ ରାତି ହେଲାମାନେ କୁକୁର କାନ୍ଦ ଶୁଣୁଛୁ । କେତେ ଘରୁ ବାହାରି ସେମାନକୁଂ ଘଉଡାଇବ ' ।

ଏହାପରେ ଟେପ୍ ଆଉ କୁକୁର ମରା ମେଡିସିନ୍ ନେଇ ମଧୁ ବାବୁ ଘରକୁ ଚାଲିଗଲେ । ସେଦିନ ରାତିରେ ମଧୁ ବାବୁ ସ୍ମିତା ମ୍ୟାଡାମ୍ କୁଂ ନିଜ ହାତରେ ଖୁଆଇ ଦେଉ ଦେଉ କହିଲେ ' ଆଜି ଆମକୁ ଏ କୁକୁର ଗୁଡା ଆଉ ଡିସଷ୍ଟର୍ବ କରିପାରିବେନି । ଆଚ୍ଛା ସ୍ମିତା ! ତୁମର ମନେଅଛି ସେଦିନ ର କଥା '! ସେତିକିବେଳେ ଟେପ୍ ରେ ବାଜିଉଠିଲା ' ଲଗଜା ଗଲେ କେ ଫିର ୟେ ହସିଁ ରାତ ହୋ ନା ହୋ ।  

ସ୍ମିତା ମ୍ୟାଡାମ୍ - ' ସାୟଦ ଫିର୍ ଇସ୍ ଜନମ୍ ମେ ମୁଲାକାତ ହୋ ନା ହୋ ...। ଏଇ ଗୀତକୁ କେମିତି ଭୁଲିବି । ସେଦିନ ସେ ବର୍ଷା ରାତିରେ ତୁମେ ଏ ଗୀତ ଶୁଣିନଥିଲେ ମଧୁ-ସ୍ମିତା କଣ ଏକାଠି ହୋଇପାରିଥାନ୍ତେ ' ।

ମଧୁ ବାବୁ -' ଠିକ୍ କହିଛ ସ୍ମିତା ! ଆଜିବି ମୋର ମନେଅଛି ସେ ଭୟକଂର ବର୍ଷାରାତି । ତୁମ ଚାଳ ଘର ପିଣ୍ଡା ଆଉ ଛାତି ଥରାଇ ଦେଉଥିବା ବିଜୁଳି ର ଚକମକ ଆଲୁଅ ସାଂଗରୁ ଘଡଘଡିର ଗର୍ଜନ । କାନରେ ବର୍ଷାର ଶବ୍ଦ । ବେଳକୁ ବେଳ ବର୍ଷାର ପ୍ରବଳତା ବଢିଚାଲିଥାଏ । ଘର କୁ କେମିତି ପହନ୍ଚିବି ସେକଥାଟା ଭାବିଲାବେଳକୁ ହଠାତ୍ କାନରେ ବାଜେ କାହାର ଏକ ସୁନ୍ଦର ସ୍ବର । ବର୍ଷାର ତାଣ୍ଡବକୁ ତାଚ୍ଛଲ୍ୟ କଲାଭଳି ସେହି ଚାଳ ଘର ଭିତରୁ ବହିଆସିଲା ସୁନ୍ଦର ସ୍ବର ରେ ଗୀତଟିଏ' ଲଗଜା ଗଲେ କେ ଫିର ୟେ ହସି ରାତ ହୋ ନା ହୋ ; ସାୟଦ ଫିର ଇସ୍ ଜନମ ମେ ମୁଲାକାତ ହୋ ନା ହୋ...' । 'କିଏ ଏତେ ସୁନ୍ଦର ଗାଉଛି ମୋର ସବୁଠାରୁ ପ୍ରିୟ ଗୀତ ଟା ! କାହାର ଏ ସ୍ବର ' ! ଏ କଥା ଭାବୁଭାବୁ ଏହାଭିତରେ ଅନେକ ସମୟ ବିତିଗଲା ; କିନ୍ତୁ ମୋ ମନରେ ରହିଯାଇଥିଲା ସେ ବର୍ଷା ଭିଜା ସ୍ବର । ସତେ କି ପ୍ରେମ ରସରେ ଜୁଡୁବୁଡୁ ସେ ସ୍ବର ଟା ମୋତେ ବି ଭିଜାଇ ଦେଇଥିଲା ପ୍ରେମ ରସର ଧାରା ଶ୍ରାବଣରେ ' । ' ଧେତ୍' ବୋଲି କହି ଟିକିଏ ଲାଜେଇଗଲେ ସ୍ମିତା ମ୍ୟାଡାମ୍ । 

ମଧୁ ବାବୁ - ' ସତରେ ସ୍ମିତା ! ତୁମକୁ ପାଇଲା ପରେ ମୁଁ ବୁଝିଲି ପ୍ରେମ ର ସଂଜ୍ଞା । ତୁମର ମନେଅଛି ଆମ ମିଳନର ପ୍ରଥମ ରାତି । ମୁଁ ତୁମ କୋଳରେ ମୁଣ୍ଡ ରଖି ଶୋଇଥିଲି ଆଉ ତୁମେ... । '

ସ୍ମିତା ମ୍ୟାଡାମ - ' ଆଉ ମୁଁ ତୁମକୁ ତୁମ ପସନ୍ଦର ଗୀତ ଲଗଜା ଗଲେ..ଗାଇ ଶୁଣାଇଥିଲି ' ।

ମଧୁବାବୁ -' ହଁ ! ବାସ୍ ବାସ୍ ! ସେଇ ଗୀତ ଟା ପୁଣି ଥରେ ଶୁଣିବାକୁ ଇଚ୍ଛା ହେଉଛି ତୁମ କୋଳରେ ମୁଣ୍ଡ ରଖି । ଇଚ୍ଛା ହେଉଛି ପୁଣିଥରେ ତୁମ ସହ ସ୍ବପ୍ନ ଦେଖିବାକୁ ତୁମ କୋଳରେ ମୁଣ୍ଡ ରଖି ' । 

ଏହାପରେ ମଧୁବାବୁ ଚୁପଚାପ୍ ସ୍ମିତା ମ୍ୟାଡାମ୍ କଂ କୋଳରେ ମୁଣ୍ଡ ରଖି ହଜିଗଲେ ସ୍ବପ୍ନ ଦୁନିଆଁରେ ଆଉ ସ୍ମିତା ମ୍ୟାଡାମ୍ ! ସେ ମଧ୍ୟ ହଜିଗଲେ ନିଜ ସ୍ବର ନଗରୀରେ ' ଲଗଜା ଗଲେ କେ ଫିର ୟେ ହସିଁ ରାତ ହୋ ନା ହୋ ..ସାୟଦ ଫିର୍ ଇସ୍ ଜନମ ମେଁ ମୁଲାକାତ ହୋ ' ।


        ହଠାତ୍ ତାଂକ ଘର କବାଟ ଟା ଖୁବ୍ ଜୋର ରେ ଖୋଲିଯିବାପରି ଶବ୍ଦ କଲା । ' କିଏ ' ବୋଲି ଚମକି ପଡି ଚିତ୍କାର କଲେ ସ୍ମିତା ମ୍ୟାଡାମ୍ । ରୁମ୍ ଭିତରକୁ ତ୍ବରିତ ପଶିଆସିବାର ଶବ୍ଦ । ' କିଏ ଆସିଛନ୍ତି ମୋ ଘରକୁ ' ? ପ୍ରଶ୍ନ କଲେ ସ୍ମିତା ମ୍ୟାଡାମ୍ । ' ପୋଲିସ୍ ! ଆମେ ଆସିଛୁ । ଆମକୁ ଖବର ମିଳିଲା ଯେ ଏ ଘରେ କେହି ଜଣେ ସୁଇସାଇଡ୍ କରିଛନ୍ତି ' ।

ସ୍ମିତା ମ୍ୟାଡାମ୍ - ' ନା ! ନା ! ପୋଲିସ୍ ବାବୁ ଏଇଠି କିଏ କାହିଁକି ସୁଇସାଇଡ୍ କରିବ ? ଏଇଠି ତ ମୁଁ ଆଉ ଇଏ ମୋ ସ୍ବାମୀ ରହୁଛୁ । କିଏ ଆପଣକୁଂ ମିଛ କହିଛି । ହେଇଟି ଶୁଣୁଛ ଶୁଣୁଛ କଣ ଏମିତି କୋଳରେ ଶୋଇଛ ମ ଉଠ ଦେଖ ପୋଲିସ୍ ବାବୁ କଣ କହୁଛନ୍ତି ! ଏ ଘରେ କିଏ ସୁଇସାଇଡ୍ କରିଛି ବୋଲି ହେଇଟି ଉଠ ଉଠୁନ କଣ ପାଇଁ ଉଠ . . ଉଠ.. ' ।

 ହଠାତ୍ ନୀରବ ହୋଇଗଲେ ସ୍ମିତା ମ୍ୟାଡାମ୍ । ସ୍ଥିର ହୋଇଉଠିଲା ତାଂକ ଚାରିପାଖର ଦୁନିଆଁ । କାହିଁକି ନା ତାଂକ ଉଷ୍ମ ହାତରେ ଥିଲା ମଧୁ ବାବୁକଂ ଶରୀର ର ଶୀତଳ ସ୍ପର୍ଶ । 


ସାହୁ ବାବୁ - ଓଃ ! ସ୍ମିତା ମ୍ୟାଡାମ୍ କଣ ଜାଣିପାରିଲେନି ମଧୁ ବାବୁ ସୁଇସାଇଡ୍ କରିବାକୁ ଯାଉଛନ୍ତି ବୋଲି ।

କରୁଣା ବାବୁ - କେମିତି ଜାଣିବେ ? ବିଚାରି ପିଲାବେଳୁ ଅନ୍ଧ ପରା ।

ସାହୁବାବୁ - କଣ କହୁଛନ୍ତି ! ସେ ତ ଏବେ ଏବେ

କରୁଣା ବାବୁ - ହଁ ! ସେ ପିଲାବେଳୁ ଅନ୍ଧ ଥିଲେ । ତେବେ ମୁଁ ଯାହା ଜାଣିଛି ସେଦିନ ରାତିରେ ପୋଲିସ୍ କୁ ମିଳିଥିଲା ମଧୁ ବାବୁକଂର ଏକ ସୁଇସାଇଡ୍ ନୋଟ୍ । ଯେଉଁଥିରେ ସେ ବହୁତ ବହୁତ ଅନୁରୋଧ କରି ଲେଖିଥିଲେ ତାଂକ ଆଖି ରେ ସ୍ମିତା ମ୍ୟାଡାମ୍ ଏ ଦୁନିଆଁ କୁ ଦେଖନ୍ତୁ ବୋଲି ।

ସାହୁ ବାବୁ - ହେଲେ ମଧୁ ବାବୁ ! ସେ କାହିଁକି ସୁଇସାଇଡ୍ କଲେ ! କଣ ଏମିତି ଅସୁବିଧା ହୋଇଥିଲା ତାଂକର ?

ହଠାତ୍ ପଛପଟୁ କେହିଜଣେ କହିବାର ଶୁଣାଗଲା ଡାକ୍ତର କୁଆଡେ ତାଂକୁ କହିଥିଲେ 'ତାଂକ ବ୍ରେନ୍ ରେ ଟ୍ୟୁମର ହୋଇଛି । ଅପରେସନ ଦରକାର । କିନ୍ତୁ ଅପରେସନ ରେ ସଫଳତାର ଆଶା ମାତ୍ର ଦୁଇ ରୁ ତିନି ପ୍ରତିଶତ । ସେଥିପାଇଁ ସେ ସବୁକିଛି ମୋ ନାଁରେ କରିଦେଇ ମୋତେ ଏକାଛାଡି ଚାଲିଗଲେ ' । ଦୁହେଁ ବୁଲିପଡି ଦେଖିଲେ ସ୍ମିତା ମ୍ୟାଡାମ୍ କାନ୍ଦୁଛନ୍ତି ଆଉ ହାତରେ ଅଛି ଗୋଟିଏ ସନ୍ତୋଷ ଟେପ୍ । ଦୁହେଁ ନିଜ ନିଜର ହାତ ଘଣ୍ଟା ଦେଖିଲେ । ସେତେବେଳକୁ ଘଣ୍ଟାରେ ସାଢେ ୯ଟା ବାଜିଲାଣି


Rate this content
Log in

Similar oriya story from Romance