ମାୟାବିନୀ : 2
ମାୟାବିନୀ : 2
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ " ମାୟାବିନୀ " କାହାଣୀର ଆଗାମୀ ଅଧ୍ୟାୟକୁ ଭଲ ଭାବରେ ପଢନ୍ତୁ। ଆଗାମୀ ଅଧ୍ୟାୟରେ ଆମେ ପଢିଥିଲେ ଯେ ଶୁଭମ ଦିଶାଙ୍କୁ ଭଲ ପାଆନ୍ତି, ହେଲେ ଆଜି ଯାଏଁ କହି ପାରି ନାହାଁନ୍ତି କାରଣ ସେ ଜାଣନ୍ତି ତାଙ୍କ ଘର ଲୋକ ଏ ବିବାହ ପାଇଁ ରାଜି ହେବେ ନାହିଁ। ଶେଷରେ ବିବାହ କାର୍ଡ ଦିଶାଙ୍କୁ ଦେଇ ନିମନ୍ତ୍ରଣ କଲେ। ଦିଶା, ଶୁଭମ, ସୋନା, ବିଭୁ ଓ ନେହା ରାସ୍ତାରେ ଯିବା ସମୟରେ ଜଙ୍ଗଲରେ ଗାଡି ଖରାପ ହୋଇ ଯିବାରୁ ସାହାଯ୍ୟ ଉଦ୍ଦେଶ୍ୟରେ ରାସ୍ତାରେ ଚାଲି ଚାଲି ଯିବା ସମୟରେ ଦିଶାଙ୍କୁ ସାପ ଦଂଶନ କଲା। ତାଙ୍କୁ ବଞ୍ଚାଇବା ପାଇଁ ଯାଇ ଶୁଭମ ମୁହଁରେ ଟାଣି ବିଷ କାଢିବା ସମୟରେ ସେ ବିଷର ପ୍ରଭାବରେ ଶୁଭମ ଅଚେତ ହୋଇ ଗଲେ ଏବଂ ଦୁହିଁଙ୍କ ଦେହ ନୀଳ ପଡି ଗଲା।
ତାପରେ :
ବିଭୁ ଓ ନେହା ଲିଫ୍ଟ ଖୋଜୁ ଥିବା ସମୟରେ ସୋନା ଗୋଟିଏ କାର ଅଟକାଇ ଲିଫ୍ଟ ମାଗିଲେ। କାର ଡ୍ରାଇଭର କହିଲେ ସାମ୍ନା ଛକ ପର୍ଯ୍ୟନ୍ତ ସେ ଯିବ। ସେଠାରେ ଗୋଟିଏ ହୋଟେଲ ଅଛି। ରାତିରେ ରହିବା ବ୍ୟବସ୍ଥା ସେଇଠି ହୋଇ ଯିବ। ପାଖରେ ଗୋଟିଏ କ୍ଲିନିକ ବି ଅଛି।
ସୋନା, ନେହା ଓ ବିଭୁ ମିଶି ଶୁଭମ ଓ ଦିଶାଙ୍କୁ ଗାଡିରେ ବସାଇଲେ। ଆସ୍ତେ ଆସ୍ତେ ଆପେ ଆପେ ଦୁହିଁଙ୍କ ଦେହ ରଙ୍ଗ ଠିକ ହେବାରେ ଲାଗିଲା ।ସବୁ ଆଶ୍ଚର୍ଯ୍ୟ ବି ହୋଇ ଗଲେ। ଗାଡି ଡ୍ରାଇଭର ସେମାନଙ୍କୁ ନେଇ କ୍ଲିନିକ ଗଲା। ସେଠାରେ ଡାକ୍ତର କହିଲେ ଦୁଇ ଜଣ ଏବେ ଠିକ ଅଛନ୍ତି। ସେଲେ ଏତେ ବିଷାକ୍ତ ସାପ କାମୁଡିଲା ପରେ ଆଉ ତାର ବିଷ ଟାଣି ଦୁହେଁ କେମିତି ଆପେ ଆପେ ଠିକ ହୋଇ ଗଲେ ଆଶ୍ଚର୍ଯ୍ୟ ର କଥା।କିଛି ସମୟ ପରେ ଦୁହିଁଙ୍କ ଚେତା ଆସିଲା। ତାପରେ ସେମାନେ ହୋଟେଲ ଗଲେ।
ସେଦିନ ହୋଟେଲରେ ଗୋଟିଏ ମାତ୍ର ହିଁ ବଡ ରୁମ ଥିଲା। ଆଉ ରୁମ ନ ଥାଏ। ସବୁ ଗୋଟିଏ ରୁମରେ ଶୋଇଲେ। ସୋନା, ଦିଶା ଓ ନେହା ଖଟରେ ଶୋଇଲେ। ବିଭୁ ଓ ଶୁଭମ ତଳେ ଗଦି ବିଛାଇ ଶୋଇଲେ। ସୋନା ନ ଚାହିଁଲେ ବି ବାଧ୍ୟ ହୋଇ ନେହା ଓ ଦିଶା ସହ ଶୋଇଲେ।
ରୁମଟି ଅନ୍ଧାର ହୋଇ ଥାଏ। ରାତି ପାଖାପାଖି ଦୁଇ ଟା ହେବ। ଦିଶା ପାଣି ପିଇବା ପାଇଁ ଉଠିଲେ। ପାଣି ସୋନା ପାଖରେ ଥିବାରୁ ଉଠି ଯାଉ ଥାଆନ୍ତି। ମୁଣ୍ଡ ବୁଲାଇବା ରୁ ସେ ଶୁଭମଙ୍କ ଉପରେ ପଡି ଗଲେ। ଶୁଭମ ବି ପୁରା ଚେତାରେ ନ ଥିଲେ। ସେ ନିଦରେ ଜାଣି ନ ପାରି ଦିଶାଙ୍କୁ ଧରି ଶୋଇ ପଡିଲେ। ଦିଶା ବି ମୁଣ୍ଡ ବୁଲାଇବାରୁ କିଛି ନ ଜାଣି ପାରି ଶୋଇ ଗଲେ। ସକାଳ ହେଲା। ଶୁଭମଙ୍କ ନିଦ ଆଗ ଭାଙ୍ଗିଲାରୁ ଦେଖିଲେ ଯେ ତାଙ୍କ ହାତରେ ଦିଶା ଶୋଇଛନ୍ତି। ସେ ଦିଶାଙ୍କୁ ଚାହିଁ ରହି ଥାଆନ୍ତି। କେତେ ସୁନ୍ଦରୀ ଦିଶା। କାଶ୍ ଦିଶା ସବୁଦିନ ପାଇଁ ତାଙ୍କର ହୋଇ ଯାଇଥାଆନ୍ତେ କି?
କେହି ଦେଖିବା ଆଗରୁ ଶୁଭମ ଦିଶାଙ୍କୁ ଡାକି ଦେଲେ। ଦିଶା ଶୁଭମଙ୍କ ହାତ ଉପରେ ଶୋଇ ଥିବାର ଦେଖି ଲାଜେଇ ଗଲେ ଏବଂ ଉଠି ବେଲକନୀ କୁ ଚାଲି ଗଲେ। ଭର ସକାଳ। ସୂର୍ଯ୍ୟ ଉଦୟ ହେଉ ଥାଆନ୍ତି। ଦିଶା ଚାଲିବା ସମୟରେ ଟିକିଏ ଛୋଟେଇ ଚାଲୁ ଥାଆନ୍ତି।
ଶୁଭମ ବି ବାଥରୁମ ରୁ ଆସି ଦିଶାଙ୍କ ପାଖକୁ ଯାଇ କହିଲେ Sorry ମୁଁ ଜାଣି ପାରିଲି ନାହିଁ । ଏତିକି କହୁ କହୁ ଦିଶା କହିଲେ ମୁଁ ବି ତ ଜାଣି ପାରିଲି ନାହିଁ। ପାଣି ପିଇବା ପାଇଁ ଯାଉ ଥିଲି। ହେଲେ ମୁଣ୍ଡ ବୁଲାଇ ଦେଲା। ଆଉ ତାପରେ ମୁଁ ଜାଣି ନାହିଁ। ତୁମେ ଡାକିବାରୁ ମୁଁ ଦେଖିଲି ମୁଁ ତୁମ ହାତରେ ଶୋଇଛି। କିଛି ସମୟ ଶୁଭମ ଓ ଦିଶା କଥା ହେଉ ଥାଆନ୍ତି। ଶୁଭମ ଦେଖିଲେ ଯେ ଦିଶାଙ୍କ ଗୋଡରେ ଏବେ ସାପ ଦଂଶନ ର ଦାଗ ରହିଛି। ସେ ଦିଶାଙ୍କୁ ଗୋଟିଏ ଚେୟାର ଦେଇ ବସିବା ପାଇଁ କହିଲେ ଏବଂ ତାଙ୍କ ଗୋଡକୁ ନିଜ ଉପରେ ରଖି ଆଉଁସି ଦେଉ ଥାଆନ୍ତି।
ଏହି ସମୟରେ ସୋନା ଉଠି ଏସବୁ ଦେଖି ରାଗି ଗଲେ ଏବଂ ଶୁଭମଙ୍କୁ ଓ ଦିଶାଙ୍କୁ ମନ ଇଚ୍ଛା ପାଟି କଲେ। ଶୁଭମଙ୍କୁ ନାନା କଟୁ କଥା କହିଲେ ଏବଂ ଦିଶାଙ୍କ ଉପରେ ହାତ ଉଠାଇବା ସମୟରେ ଶୁଭମ ଅଟକାଇ କହିଲେ ସେ ଆମ ସାଙ୍ଗ। ତାଙ୍କ ଦେହ ଭଲ ନାହିଁ। ଏ ସବୁ କଲେ ତୁମେ ଖରାପ ଭାବୁଛ କାହିଁକି?
ଠିକ ଏତିକି ବେଳେ ହୋଟେଲ ମ୍ୟାନେଜର ଫୋନ କରି କହିଲେ ମେକାନିକ ଆସିଛି..... ଗାଡି ପାଖକୁ ଯିବା ପାଇଁ। ଶୁଭମ ମେକାନିକ ସହ ଗାଡି ପାଖକୁ ଗଲେ। ଦିଶାଙ୍କୁ ସୋନା ବହୁତ କଥା କହୁ ଥାଆନ୍ତି। ନିଦରେ ଥାଇ ବିଭୁ ସବୁ ଶୁଣୁ ଥିଲେ।
ଦିଶା କିନ୍ତୁ କିଛି କହୁ ନ ଥାଆନ୍ତି। ସବୁ ଚୁପଚାପ ଶୁଣୁ ଥାଆନ୍ତି। ସୋନା ରାଗି ଯାଇ ରୁମରୁ ବାହାରକୁ ପଳାଇଲେ।
ଦିଶା ଭୋ ଭୋ ହୋଇ କାନ୍ଦି କାନ୍ଦି ବାଥରୁମକୁ ଗଲେ।
କିଛି ସମୟ ପରେ ଶୁଭମ ଗାଡି ନେଇ ଆସିଲେ। ଦେହ ଭଲ ଲାଗୁ ନ ଥିବାରୁ ଗାଡି ବିଭୁ ଚଳାଇଲେ। ସୋନା ରାଗି ଯାଇ ସାମ୍ନା ସିଟରେ ବସିଲେ। ନେହା, ଦିଶା ଓ ଶୁଭମ ପଛରେ ବସିଲେ।
ଦିଶା ମଝିରେ ବସି ଥାଆନ୍ତି। ଗୋଡ ବଥା ହେଉଥିବା ଶୁଭମ ଜାଣି ପାରି ଦିଶାଙ୍କ ଗୋଡକୁ ଟାଣି ତାଙ୍କ ଉପରେ ରଖିବାକୁ କହିଲେ।ଏ କଥା ଦେଖି ସୋନା ଇର୍ଷା ରେ ଜଳି ଯାଉ ଥାଏ।
ରାସ୍ତାରେ ଶିବ ମନ୍ଦିର ପଡିଲା। ପ୍ରକୃତରେ ସେ ମନ୍ଦିରଟି ଶୁଭମ ଙ୍କ ପରିବାର ର କୁଳ ମନ୍ଦିର। ଦିଶା କହିଲେ ଆମେ ଏତେ ବଡ ବିପଦରୁ ଉଦ୍ଧାର ହୋଇଛୁ। ଚାଲ ମନ୍ଦିର ଯାଇ ଭୋଳା ବାବାଙ୍କୁ ପୂଜା କରି ଧନ୍ୟବାଦ ଜଣାଇବା।
ମନ୍ଦିର ସିଡି ଚଢୁ ଚଢୁ ଅଧାରୁ ଦିଶା ଗୋଡ ବ୍ୟଥା ପାଇଁ ଚଢି ପାରିଲେ ନାହିଁ। ସେ ସିଡିରେ ବସି ପଡିଲେ।
ଶୁଭମ ଆସି ଦିଶାଙ୍କୁ ଉଠାଇ ମନ୍ଦିର ନେଇ ଗଲେ ମନ୍ଦିରରେ ଶୁଭମ ଦିଶାଙ୍କୁ ଓହ୍ଲାଉ ଥିବା ସମୟରେ ଶୁଭମଙ୍କ ହାତ ନନା ଧରି ଥିବା ସିନ୍ଦୂର ଓ ପ୍ରସାଦ ଥାଳି ରେ ବାଜି ଗଲା। ସିନ୍ଦୂର ଆସି ଦିଶାଙ୍କ ମୁଣ୍ଡରେ ଲାଗିଲା। ଠିକ ମଥା ସିନ୍ତାରେ ଢାଳି ଗଲା।
ନନା ଦେଖି କହିଲେ ତୁମ ଦୁହିଁଙ୍କ ଯୋଡିକୁ ଶିବ ବାବା ଆଶୀର୍ବାଦ କଲେ। ତୁମେ ଦୁଇ ଜଣ ସବୁବେଳେ ଖୁସିରେ ରହିବ। ଶୁଭମଙ୍କୁ ନନା ଡାକି କହିଲେ ଆରେ ଶୁଭ ଯାହା ହେଉ ତୁ ଆଜି ଭଳି ଦିନରେ ସୋନାକୁ ଟେକି ଏଠାକୁ ଆଣିଲୁ।
ଶୁଭମ କହିଲେ ବାବା ଏ ସୋନା ନୁହେଁ। ଇଏ ଦିଶା ମୋର ସାଙ୍ଗ।
ରାତିରେ ସାପ ଦଂଶନ ବିଷୟରେ ନନାଙ୍କୁ କହିଲେ। ନନା କହିଲେ ଏ ସବୁ ଠିକ ହେଲା ନାହିଁ। ମୁଁ ତୋ ବିହାଘର କୁ ଗଲେ ଏହାର ପ୍ରତିକାର କରିବି। କିନ୍ତୁ ଆଜି ଯେମିତି ତୋର ଓ ଦିଶା ଉପରେ ସିନ୍ଦୂର ପଡିଲା ମୋତେ ଲାଗିଲା ଯେମିତି ତୁମ ଦୁହିଁଙ୍କୁ ବାବା ଯୋଡି କରିଛନ୍ତି। ସବୁ ସେଇ ଭୋଳା ବାବାଙ୍କ ମହିମା।
କିଛି ସମୟ ପରେ ସୋନା ତଳେ ଛିଡା ହୋଇ କହିଲେ ଶୁଭ ତୁମେ ଆସିବ ନା ଏମିତି ଡେରି କରିବ।
ଶୁଭମ : ଆରେ ସୋନା ଆସ। ଶିବ ବାବାଙ୍କର ଆଶୀର୍ବାଦ ନେବ।
ସୋନା : ମୋତେ ଏ ବେକାର କଥାରେ ସମୟ ନଷ୍ଟ କରିବାକୁ କହିବ ନାହିଁ।
ଦିଶା ଓ ଶୁଭମ ନନାଙ୍କୁ ପ୍ରଣାମ କରି ଗଲେ।
ନନା ସୋନା କଥା ଶୁଣି ଚିନ୍ତିତ ହେଲେ। ସତରେ କଣ ଶୁଭମ ପାଇଁ ସୋନା ଠିକ୍? ସେ ଫୋନ କରି ଶୁଭମ ଙ୍କ ମାଆ ଲତାଙ୍କୁ ଶୁଭମ ଓ ସୋନାର ଜାତକ ମାଗିଲେ ଏବଂ କହିଲେ ମୋତେ ଲାଗୁଛି ସୋନା ଓ ଶୁଭମର ବିବାହ ଠିକ ହେବ ନାହିଁ। ଶୁଭମର କାଳ ଦୋଷା ଆରମ୍ଭ ହେବାକୁ ଆଉ କେଇଟା ଦିନ। ତା ଆଗରୁ ବିବାହ ନ ହେଲେ ଅନର୍ଥ ହୋଇ ଯିବ। ଆଉ ରାତିର ସର୍ପ ଦଂଶନ କଥା କହିଲେ ଯେ ରାଜା ରାଣା ପ୍ରତାପଙ୍କ କର୍ମଫଳ ଆଉ ଶୁଭମ ଉପରେ ପଡିବ ନାହିଁ ତ। ନାଗ ନାଗୁଣୀଙ୍କ ପ୍ରତିଶୋଧ କେବେ ହେଲେ ନିଷ୍ଫଳ ହୁଏ ନାହିଁ।
ଏ କଥା ଶୁଣି ଲତା ଭୟଭୀତ ହୋଇ ପଡିଛନ୍ତି। ସେ ଯାଇ ତାଙ୍କ ଶାଶୁମା ମାନେ ଶୁଭମଙ୍କ ଜେଜେମାଙ୍କୁ ସବୁ କହିଲେ। ଘରେ ସବୁ ଚିନ୍ତା ରେ ଶୁଭମ ଓ ସୋନାଙ୍କ ବାଟ ଚାହିଁ ବସିଛନ୍ତି। ଶୁଭମ, ସୋନା, ଦିଶା, ନେହା ଓ ବିଭୁ ପାଖାପାଖି ଦୁଇ ଘଣ୍ଟା ପରେ ଘର ପହଞ୍ଚିଲେ।
ସୋନା ଗାଡିରୁ ଓହ୍ଲାଇ ଫୋନରେ କଥା ହେଉ ଥାଆନ୍ତି। ସମସ୍ତେ ଘରେ ପ୍ରବେଶ କରିବା ସମୟରେ ଦିଶା ଓ ଶୁଭମ କେତେବେଳେ ପାଖାପାଖି ହୋଇ ଯାଇ ଥାଆନ୍ତି ଜାଣି ପାରି ନ ଥିଲେ। ସନ୍ଧ୍ୟା ସମୟ। ଚାରିଆଡେ ଶଙ୍ଖ ହୁଳହୁଳି ପଡୁ ଥାଏ। ଘର ଦ୍ୱାରା ମୁହଁ ରେ ମୁରୁଜ ପକା ହେଉ ଥାଏ। କେତେବେଳେ ଦିଶା ତାକୁ ମାଡି ଦେଇ ଥାଆନ୍ତି ଜାଣି ପାରିଲେ ନାହିଁ। ଫୁଲ ମାଳରେ ଦ୍ୱାର ସଜା ଚାଲି ଥାଏ। ଠିକ ଶୁଭମ ଓ ଦିଶା ଘରେ ପ୍ରବେଶ କରୁ ଥାଆନ୍ତି ଉପରୁ ଫୁଲ ମାଳ ଖସି ଶୁଭମ ଓ ଦିଶା ଦୁହିଁଙ୍କ ବେକରେ ପଡିଲା। ଆଉ ତା ସାଙ୍ଗକୁ ଦିଶାଙ୍କ ପାଦରେ ଲାଗି ଥିବା ଲାଲ ରଙ୍ଗରେ ପାଦ ଚହ୍ନ ପଡୁ ଥାଏ। ଯେମିତି ଅଳତା ପାଦ। ସେହି ସମୟରେ ଲାଗୁ ଥାଏ ଘରକୁ ନବ ବଧୂ ର ସ୍ୱାଗତ ହେଲା ପରି।
ସେପଟେ ଶୁଭମ ଓ ସୋନଙ୍କ ଜାତକ ଗଣନା କରି ନନା ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଇ ବସିଗଲେ ଆଉ କହିଲେ ସବୁ ସେଇ ଭୋଳା ବାବାଙ୍କ ମହିମା।
( କଣ ସୋନା ଓ ଶୁଭମଙ୍କର ବିବାହ ହୋଇ ପାରିବ ନା ଭୋଳା ବାବାଙ୍କ ଇଚ୍ଛା ଅଲଗା.....ଜାଣିବା ପାଇଁ ମାଯାବିନୀ କାହାଣୀର ଆଗାମୀ ଅଧ୍ୟାୟକୁ ଦୟାକରି ପଢିବେ )
କ୍ରମଶଃ ।
